ମାୟା ଏଞ୍ଜେଲୋ ଅବିସ୍ମରଣୀୟ ମହିଳା – ଏକ ସମୀକ୍ଷା

Chief Editor
Chief Editor 209 Views
18 Min Read

ମାୟା ଏଞ୍ଜେଲୋ ଥିଲେ ଜଣେ ଅବିସ୍ମରଣୀୟ ମହିଳା ଓ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ରବି ଜେନଙ୍କର ମାୟା ଏଞ୍ଜେଲୋ ଙ୍କ ଉପରେ ଏହି ଲେଖାଟି ପ୍ରକାଶିତ ହୋଇଥିଲା ସମଦୃଷ୍ଟିର ୧-୧୫ ମାର୍ଚ୍ଚ ୨୦୧୫ ସଂଖ୍ୟାରେ। ଲେଖାଟିରେ ଅନେକ କିଛି ଉପାଦେୟ ତଥ୍ୟ ତଥା ପ୍ରସଙ୍ଗ କୁ ଦୃଷ୍ଟିରେ ରଖି ଏଠାରେ ଏହାର ଏକ ସମୀକ୍ଷା ପ୍ରସ୍ତୁତ କରାଯାଇଛି । ଲେଖକ ପ୍ରଥମେ ମାୟାଙ୍କ ବାଲ୍ୟ ଜୀବନର ଆଦ୍ୟ ସମୟର ଅନୁଭବ ଗୁଡିକୁ ଉପସ୍ଥାପନ କରିଛନ୍ତି ଲେଖାଟିରେ,

“ଆଠ ବର୍ଷ ବୟସରେ ହିଁ ଧର୍ଷିତା, ହାଇସ୍କୁଲ ପଢ଼ିବା ସମୟରେ ହିଁ କୁମାରୀ ମା’; କିଛିକାଳ ସେ ବେଶ୍ୟାବୃତ୍ତି ମଧ୍ୟ କରିଥିଲେ । କିନ୍ତୁ ସେହି କଳାଶ୍ରେଣୀର ମହିଳାଜଣକ ହୋଇଉଠିଥିଲେ ସର୍ବଜନ ଶ୍ରଧେୟା । ସମ୍ପ୍ରତି ଆମେରିକାରେ ରହୁଥିବା କଳାଶ୍ରେଣୀର ମଣିଷମାନଙ୍କ ନିମନ୍ତେ ଅଧିକାରର ପ୍ରତିଷ୍ଠା ଓ ବର୍ଣ୍ଣବୈଷମ୍ୟ ଦୂରକରିବା ନିମନ୍ତେ ତଥା ସେ ବିପକ୍ଷରେ ଲଢ଼େଇ ନିମନ୍ତେ ମାୟା ଏଞ୍ଜେଲୋ ଥିଲେ ଜଣେ ଅଗ୍ରଣୀ ମହିଳା । ମାୟା ଏଞ୍ଜେଲୋ ଥିଲେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ, କବି, ଲେଖକ,  ନାଟ୍ୟକାର, ଶିକ୍ଷାବିତ୍, ଗାୟିକା, ନର୍ତ୍ତକୀ, ଅଭିନେତ୍ରୀ, ଚଳଚ୍ଚିତ୍ର ପରିଚାଳିକା, ଟି.ଭି. ଶୋ, ପ୍ରଯୋଜିକା ଓ ସମାଜକର୍ମୀ । ମାୟା ଛୟାଅଶୀ ବର୍ଷ ବୟସରେ ଏହି ଦୁନିଆରୁ ପ୍ରସ୍ଥାନ ହୋଇଥିଲେ । ଦେଶବିଦେଶର ଅନେକ ପ୍ରାଣରହିତ କଥାରେ ସେ ମହିଳାଙ୍କୁ ଅନୁଭବ କରିବାବେଳର ସେ ମହିଳାଙ୍କ ଏକ ଜୀବନ ବୃତ୍ତାନ୍ତ, ସେ କଥାର ପଟାନ୍ତର ନାହିଁ ।

ଆମେରିକାର ଗୋଟିଏ କଳାଶ୍ରେଣୀର ଗରିବ ଘରେ ଦୁଇ କଳାଦମ୍ପତ୍ତି । ଗୁଜୁରାଣ ମେଣ୍ଟାଇବା ସ୍ୱାଭାବିକ ଅଭ୍ୟାସ, ସେ ହେତୁରୁ ସେମାନଙ୍କ ସାଧାରଣ ଚାକିରୀ । ସ୍ୱାମୀ ଡ଼ୋରମାନ୍ ଓ ସ୍ତ୍ରୀ ଧାତ୍ରୀ। ଅର୍ଥକଷ୍ଟ ତ’ ସାଧାରଣ କଥା ଗୁଜୁରାଣର ଜୀବନରେ । ସ୍ୱାମୀ ଓ ସ୍ତ୍ରୀ ପରସ୍ପର ଉଭୟେ ଉଭୟଙ୍କ ପାଇଁ ତିଆରି ତାହା ହିଁ ସତ୍ୟ । କିନ୍ତୁ ଏକଥା ହିଁ ଚିରନ୍ତନ ସତ୍ୟ ଯେ-ଅଭାବ । ସେଥିହେତୁ କଥା କଟାକଟି, ଅଶାନ୍ତି, ସେ କଥାର ପ୍ରଭାବ ତା’ର ସନ୍ତାନ ତଥା ସୃଷ୍ଟିମାନଙ୍କ ଉପରେ ପଡ଼େ । ମାଟିମଟାଳର ଜୀବନର ସୃଷ୍ଟି ହଠାତ୍ ଭାଙ୍ଗିପଡ଼େ, ଟାନମଟାଳର ପୃଥି ତା’ପରେ ସୃଷ୍ଟି ହୁଏ, ଅଥଚ ସ୍ୱାମୀ ଓ ସ୍ତ୍ରୀ ଉଭୟ ଯେ’ ଯାହାର ବାଟ ଚାଲିବା ବାଟରେ ସେମାନଙ୍କ ସୃଷ୍ଟି ତଥା ସନ୍ତାନମାନେ କୋଉବାଟରେ, ସେ କଥା ବୁଝିବା ସେମାନଙ୍କ ଦୁନିଆର ବାହାର କଥା ହୋଇପଡ଼େ..  କିନ୍ତୁ ସୃଷ୍ଟି ତ ଅନନ୍ୟ ।
ସେହି କଳାଶ୍ରେଣୀର ଦମ୍ପତ୍ତିଙ୍କର ପୁଅ ଚାରିବର୍ଷ ବୟସର, ଝିଅର ବୟସ ତିନି । ବିବେକଶୂନ୍ୟ ସେହି ପିଲାମାନଙ୍କର ବାପା ପିଲା ଦୁଇଟିକୁ ଟ୍ରେନ୍ରେ ଛାଡ଼ିଦେଇ ଆସିଲେ । ତା’ହେଲେ ସେମାନେ ଓହ୍ଲାଇବେ ଓ ରହିବେ କେଉଁଠି; ସେ କଥା ବଡ଼ ସମସ୍ୟା । ତଥାପି ପିଲାଦୁଇଟି ସେମାନଙ୍କ ଆଈମାଙ୍କ ପାଖକୁ ଚାଲିଗଲେ । ଆଇମା ଆର୍କାନ୍ସାସ୍ ର ଅଧିବାସିନୀ । ପିଲାଦୁଇଟି ସେଇଠି ବଢ଼ିବାକୁ ଲାଗିଲେ । ସେତେବେଳେ ‘ଗ୍ରେଟ୍ ଡ଼ିପ୍ରେସନ୍’ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ସମୟ । ଦେଶର ଅର୍ଥନୈତିକ ଅବସ୍ଥା ମଧ୍ୟ ଭାଙ୍ଗି ପଡ଼ିଥିଲା । ସେପରି ସେହି ଦୁର୍ଦ୍ଦିନର ଟଣାଓଟରା ସମୟରେ ସେହି ମହିଳାଙ୍କ କିଛି ବ୍ୟବସାୟ ଚାଲୁଥିଲା । ଏହି ବ୍ୟବସାୟରେ ସେ କିଛି ଅର୍ଥ ମଧ୍ୟ ସଂଗ୍ରହ କରିଥିଲେ । ମୋଟାମୋଟିଭାବେ ଖାଇବା ପିଇବାର ଅସୁବିଧା ନଥିବା ହେତୁ ପିଲାଦୁଇଟି ମଧ୍ୟ ସେଇଠି ଅନାୟାସରେ ବଢ଼ି ଉଠିଥିଲେ । କିନ୍ତୁ ହଠାତ୍ ଠିକ୍ ଚାରିବର୍ଷପରେ ହତଭାଗ୍ୟ ବାପା ସେଇଠି ପହଂଚି ପିଲାଦୁଇଟିକୁ ସେଣ୍ଟଲୁଇସ୍ ନେଇ ଆସିଥିଲେ । ଭାଇ ଭଉଣୀ ସେଇଠି ଟଣାଓଟରାରେ ଆଠ ନଅବର୍ଷ ବୟସରେ ସେମାନଙ୍କ ଜୀବନ କାଳାତିପାତକରିବା ଅତି କଠିନ ହୋଇପଡ଼ିଥିଲା  । ବ୍ରେଇଲ୍ ଜୁନିୟର୍, ମାୟା; ଏମାନେ ଥିଲେ ଏ ଦୁଇଜଣ, ପରସ୍ପର ଭାଇଭଉଣୀ । ସେମାନଙ୍କ ମାଆର ପୁଅସାଙ୍ଗ ଥିଲା ଫ୍ରିମାନ୍ । ଅଯାଜିତ ଭାବେ ସେମାନଙ୍କ ସଂସାରକୁ ସେ ପଶି ଆସିଥିଲା ।

ମାୟା ନିମନ୍ତେ ସେ କଥା ଯେମିତି ନିତାନ୍ତ ଅସହ୍ୟ ଥିଲା । ସେତେବେଳେ ମାୟାଥିଲା ମାତ୍ର ଆଠବର୍ଷ ବୟସର ବାଳିକା । ତଥାପି ଅନେକ ପ୍ରତିରୋଧ ସତ୍ୱେ ମାଆର ପୁଅସାଙ୍ଗ ଫ୍ରିମାନ୍ ମାୟାକୁ ଧର୍ଷଣ କଲା । ଏକଥା ଲୁଚି ରହିଲାନାହିଁ  । ଥାନା ପୁଲିସ୍ ପର୍ଯ୍ୟନ୍ତ କଥାଗଲା । ମାୟାର ଭାଇ ବ୍ରେଇଲ୍ ଜୁନିୟର୍ ସହାୟତାରେ ଫ୍ରିମାନ୍ ଜେଲ୍ ରେ କିନ୍ତୁ ଫ୍ରିମାନ୍ ଆଇନର ସହାୟତାରେ ସେଇଠୁ ଖସିଆସିଲା । ବିଧିର ବିଧାନ ବିଚିତ୍ର । ଫ୍ରିମାନ୍ ଅଳ୍ପଦିନରେ ଖୁନ୍ ହେଲା । ଶୁଣାଗଲା ମାୟାର ଦାଦା ଏହି ଖୁନ୍ କରିଥିଲେ ।

ତା’ପରେ ମାୟାଭିତରେ ପ୍ରତିକ୍ରିୟା ସୃଷ୍ଟି ହେଲା । ସେ ଅହରହ ଭାବି ବସିଲା ଯେ ସେ କଥାରେ ସେ ଯଦି ଚୁପ୍ ରହିଥାନ୍ତା ଲୋକଟି ଅନାୟାସରେ ମରନ୍ତା ନାହିଁ । ତା’ହେଲେ ଲୋକଟି ଖୁନ୍ ହେବାପାଇଁ ସେ ନିଜେ ହିଁ ଦାୟୀ । ତାହେଲେ କୌଣସି କଥାରେ ସେ ଚୁପ୍ ରହିବା ହିଁ ସାର ହେବ, ମାୟା ସେ କଥା ନିଶ୍ଚିତ କଲା  । ତା’ର କିଛିଦିନପରେ ସେମାନେ ପୁଣି ସେଇ ଆରାକାନ୍ସାସ୍ ର ଆଇମାଙ୍କ ପାଖକୁ ଆସିଥିଲେ । ମାୟା ନିଶ୍ଚୁପ୍, ପୂରାପୂରି ଏକା ଜୀବନ ଯେପରି ଆରମ୍ଭକଲା । ଠିକ୍ ଏଇ ନିଶ୍ଚୁପ୍ ଭିତରେ ମାୟା ଭିତରକୁ ଆଉଜଣେ ମହିଳା ପଶି ଆସିଥିଲେ, ସେଥିଲେ ବାର୍ଥା ଫ୍ଲାୱୟର୍ସ  । ସେହି ମହିୟସୀ ମହିଳାଙ୍କ କୃପାରୁ ସେ ଶାମୁକାର ଖୋଳଭାଙ୍ଗି ପୁନଶ୍ଚ କୋଳାହଳର ଜୀବନ ଭିତରକୁ ପଶିଆସିବା ନିମନ୍ତେ ସେ ତାଙ୍କୁ ପ୍ରବର୍ତ୍ତାଇ ଥିଲେ । ସେ ପ୍ରବୋଧନା ଓ ପ୍ରବର୍ତ୍ତନାର ମାଧ୍ୟମ ଥିଲା ସାହିତ୍ୟ । ମାୟା ତା’ପରେ ସାହିତ୍ୟପାଠ ଭିତରକୁ ପଶିଆସି ଧିରେଧିରେ ସେକ୍ସପିଅର, ଚାର୍ଲସ୍ ଡ଼ିକେନସ୍, ଏଡ଼୍ଗାର୍ ଏଲାନ୍ ଗୋ ପ୍ରଭୃତି ସାହିତ୍ୟିକମାନଙ୍କୁ ଅନୁଧ୍ୟାନ କରିବା ମଧ୍ୟରେ ବ୍ୟସ୍ତ ରହିଲେ । ସେହି ମହିୟସୀ ମହିଳାଙ୍କ କଥା ଅନୁଯାୟୀ ମାୟା ତା’ପରେ ଯେମତି ସବୁ ଦୁଃଖକଷ୍ଟ ଭୂଲିଯାଇଥିଲେ ।

କିନ୍ତୁ ବର୍ଣ୍ଣବୈଷମ୍ୟବାଦରେ ମାୟା ଏପରି ଜଡ଼ିତ ହୋଇପଡ଼ିଥିଲେ ଯେ ତା’ର ତୁଳନା ନଥିଲା । ସେତେବେଳେ ଆମେରିକାରେ ବିଶେଷତଃ ଦକ୍ଷିଣ ଆମେରିକାରେ ବର୍ଣ୍ଣ-ବୈଷମ୍ୟବାଦ ମୁଣ୍ଡଟେକି ଉଠିଥିଲା । ଗୋରା ମଣିଷ ସେତେବେଳେ କଳାଶ୍ରେଣୀୟ ଲୋକଙ୍କୁ ଘୃଣା କରୁଥିଲେ । ବେଳେବେଳେ ସେହି ବୈଷମ୍ୟବାଦ ଏପରି ତୀବ୍ରରୂପ ଧାରଣ କରୁଥିଲା ଯେ, ସେହି ଗୋରା ମଣିଷମାନେ କଳାଶ୍ରେଣୀୟ ଲୋକମାନଙ୍କୁ ଜୀବନରେ ମାରିଦେଉଥିଲେ । ଗୋରା ଲୋକମାନେ ଅପରାଧରେ ଜଡ଼ିତ ହେଲେ ମଧ୍ୟ ସେମାନଙ୍କ ପ୍ରତି କୌଣସି ଦଣ୍ଡବିଧାନ ନଥିଲା । ତଥାପି ମାୟା ସେହି ଗୋରାଲୋକମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସେକଥାରେ ଦିନେ ବିକ୍ଷୁବ୍ଧ ହୋଇ ତାଙ୍କର ଜଣେ ବନ୍ଧୁ ମାୟାଙ୍କୁ କହିଥିଲେ-ଏଇ ଦେଶରେ ଏହି ଅତ୍ୟାଚାର ବହୁଦିନର । କଳା ମଣିଷମାନେ ଏହି ଯନ୍ତ୍ରଣାର ଶିକାର ବହୁତ ଦିନରୁ ହୋଇ ଆସିଛନ୍ତି । ମାୟା ତୁ ଧରି ନେ ଏହାହିଁ ଆମ ଭବିଷ୍ୟତ । ଏହି ଧାରାକୁ ନେଇ ଆମକୁ ବଂଚିବାକୁ ହେବ ସବୁଦିନପାଇଁ ।

କିନ୍ତୁ ମାୟା ଏ କଥାକୁ ସହଜରେ ମାନିନେଇ ପାରିନଥିଲେ । ବର୍ଣ୍ଣବୈଷମ୍ୟବାଦରେ କଳାଶ୍ରେଣୀର ମଣିଷମାନେ କାହିଁକି ଅତ୍ୟାଚାରିତ ହେବେ, ଏହି ପ୍ରଶ୍ନ ହିଁ ମାୟାଙ୍କ ମଗଜ ଭିତରେ ଉତ୍ତର ଖୋଜିବା ଆରମ୍ଭ କଲା । ମାୟାଙ୍କର ଥିଲା ଅସମାହିତ ପ୍ରଶ୍ନ । ସମସ୍ତ ବୈଷମ୍ୟଭାବର କଥା ଓ ପ୍ରଶ୍ନର ଉତ୍ତର ବୟାନକରି ସେ ନିଜର ଆତ୍ମଚରିତ ଲେଖିଥିଲେ । ଏଇମାତ୍ର ଜୀବନ, କିନ୍ତୁ ସେଇ ଜୀବନ ମଧ୍ୟରେ ବହୁ ଘଟଣାବଳୀ, ଗୋଟିଏ ଦିଗରେ ଦୁଃଖ, ଲାଞ୍ଛନା ଅନ୍ୟଦିଗରେ ପ୍ରାପ୍ତି । ସେହି ଆତ୍ମଜୀବନ ଚରିତରେ ଧର୍ଷିତା ହେବାକଥା ମଧ୍ୟ ନିହିତ ଥିଲା । ଶିଶୁ ବୟସରୁ ଯେଉଁ ପରିମାଣରେ ସେମାନେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ, ସେହି ପ୍ରସଙ୍ଗର କଥା ଆତ୍ମସ୍ମୃତିରେ ସେ ରଚନା କରିଥିଲେ ।

ସାଧାରଣତଃ କ୍ରୀତଦାସମାନେ ସେମାନଙ୍କ ଆତ୍ମଚରିତ ଲେଖିବାବେଳେ ସର୍ବଦା ‘ମୁଁ’ର ପ୍ରତିବଦଳରେ ‘ଆମର’ ଶବ୍ଦ ବ୍ୟବହାର କରୁଥିଲେ । ସେମାନଙ୍କ ଲେଖାରେ ସେମାନେ ସର୍ବଦା ସେମାନଙ୍କ ନାମ ଗୋପନ ରଖୁଥିଲେ । କାରଣ ପ୍ରକାଶିତ ରଚନାରେ ଲେଖକଟିକୁ ସେହି ଗୋରାମଣିଷମାନେ ଚିହ୍ନିଲେ ସେହି କୃଷ୍ଣାଙ୍ଗ ଲେଖକଟିର ମୃତ୍ୟୁ ସୁନିଶ୍ଚିତ । ଏ କଥାରେ କୃଷ୍ଣାଙ୍ଗ ମାୟା ଏଞ୍ଜେଲୋ ସେହି ରୀତିଟିକୁ ନିଜସ୍ୱ ଆତ୍ମକଥାରେ ବାଛି ନେଇଥିଲେ । କିନ୍ତୁ ମାୟାଙ୍କ ଲେଖାରେ ପ୍ରଚଳିତ ଧାରାର ତଫାତ୍ ଅନେକ ଥିଲା  । ନିଜସ୍ୱ କଥାରେ ମାୟା ବେଶ୍ ଅକପଟ, କେଉଁଠି ଗୋପନୀୟତାର ଲେଶ ମାତ୍ର ନଥିଲା । ସେହି ଲେଖାରେ ଉପନ୍ୟାସର ରାଶି ରାଶି ଭଂଗୀ ଥିଲା । ତା’ଫଳରେ ପାଠକ ଓ ଲେଖକମାନଙ୍କ ମଧ୍ୟରେ ଧାରଣା ହେଲା ଯେ ମାୟା ଏଞ୍ଜେଲୋ ସର୍ବପ୍ରଥମେ ଜଣେ ଔପନ୍ୟାସିକା । ଯଥେଷ୍ଟ ପରେ ଅବଶ୍ୟ ଏହି ଧାରଣା ସମସ୍ତଙ୍କ ମନରୁ ଧୂଳିସାତ୍ ହେଲା । ସମସ୍ତେ ତା’ପରେ ଧରିନେଲେ ଏହା ଉପନ୍ୟାସ ନୁହେଁ, ଏହା ଏକ ଆତ୍ମଚରିତ ବ୍ୟତୀତ ଆଉ କିଛିନୁହେଁ ।

ମାୟାଙ୍କ ସେଇ ଆତ୍ମଚରିତର ନାମ ଥିଲା “ଆଇ ନୋ ହ୍ୱାଇ ଦି କେଜ୍ଡ଼୍ ବାର୍ଡ଼ ସିଙ୍ଗସ”  ଆତ୍ମଚରିତର ନାମକରଣର ଏହି ଧାରାଟି ସେ ଆଫ୍ରିକାନ୍ ଆମେରିକାନ୍ କବି ପଲ୍ ଲରେନସ ଡ଼ାନ୍କାରଙ୍କ ଠାରୁ ପାଇଥିଲେ । ଗୋଟିଏ ସମୟରେ ଏହି କବି ମାୟା ଏଞ୍ଜେଲୋଙ୍କୁ ଖୁବ୍ ଆଲୋଚିତ କରିଥିଲେ ।

କେଉଁ ପଞ୍ଜୁରୀରେ ରହି ପକ୍ଷୀ ଗୀତ ଗାଏ – କବି ଡ଼ାନ୍ବାରଙ୍କ ପରି ସେ ମଧ୍ୟ ଜାଣିଥିଲେ । ଡ଼େଣାପସା ପଞ୍ଜୁରୀ ବାଡ଼ରେ ପକ୍ଷୀର ପଞ୍ଜୁରୀ ତା’ର ଦେହଘଷା ହୋଇଥାଏ, କୌଣସି ସୃଷ୍ଟିରେ ମଧ୍ୟ ପଞ୍ଜୁରୀ ବାହାରକୁ ସେ ଯାଇପାରେ ନାହିଁ । ସୁରିଲା(ପକ୍ଷୀର ବିଳାପ) ସେଇ କାକୁତିକୁ ଆମେ ସମସ୍ତେ ପକ୍ଷୀର କୂଜନ, ଗୀତ କହୁ  । ଗୋରାମାନେ ବାଡ଼ଦିଆ ବାବୁ, କୃଷ୍ଣାଙ୍ଗମାନେ ସେ ବାଡ଼ଭିତରେ ଝୁଣି ହେଉଥିବେ । ମାଟିର ଟାଣ ହିଁ ସେ କୃଷ୍ଣାଙ୍ଗମାନଙ୍କ ପାଇଁ ସତ୍ୟ । ସେମାନଙ୍କର ସବୁ କଥାରୁ ସେମାନଙ୍କୁ ସେମିତି ଟାଣକରି କୁଖି ହେଉଥିବ । ସେମାନେ ନିର୍ଦ୍ଦିଷ୍ଟ ଦୁନିଆର କଳ୍ପକ୍ଷୀ । ବହିଟି ଅସାଧାରଣ ଜନପ୍ରିୟତା ପାଇଥିଲା । କେବଳ କୃଷ୍ଣାଙ୍ଗ ନୁହେଁ, ଗୋରାମାନଙ୍କ ଛାତି ଏ ବହିରେ ପଢ଼ିବାପରେ ଦୁୁଲୁଦୁଲୁକେଇ ଦେଇଥିଲା । ଏହି ବହିଟି ପାଇଁ ହିଁ ମାୟା ଏଞ୍ଜେଲୋ ଲେଖକ ଭାବରେ ପ୍ରତିଷ୍ଠା ଲାଭ କରିଥିଲେ । କିନ୍ତୁ ଲେଖାର ପ୍ରତି ଛଟାରେ ଯେମିତି ଉଙ୍କିମାରି କହୁଥିବା କଥାଟିଥିଲା-ଶୁଦୁ ମାତ୍ର ମୁଁ, ଜଣେ ନିରାପଦ ଶ୍ରେଣୀର ବିଦ୍ଧହୋଇ ରହୁଥିବା ଲେଖକ ମୁଁ ନୁହେଁ ।

ମାୟା ଏଞ୍ଜେଲୋ ଯେମିତି କୃଷ୍ଣାଙ୍ଗମାନଙ୍କ ପାଇଁ ନିଆଁ ରେ ଝାମ୍ପ ଭିତରକୁ ଡ଼େଇଁ ପଡ଼ିଥିଲେ । ସେ ନିଆଁର ଝାମ୍ପ ଆଉ କିଛି ନୁହଁ – ଥିଲା କ୍ରୀତଦାସ ପ୍ରଥା, ଆମେରିକାର ବଡ଼ ଅନ୍ଧାରର ଗୋଟିଏପାଖ । କୁଖ୍ୟାତ ଦାସ ବ୍ୟବସାୟୀଗଣ ଆଫ୍ରିକା ମହାଦେଶରୁ ସେଠାକାର ବିଭିନ୍ନ ଜାଗାରୁ କଳାମଣିଷମାନଙ୍କୁ ବନ୍ଦୀକରି ଜାହାଜରେ ଚାପିଦେଇ ଆମେରିକାକୁ ନେଇ ଆସନ୍ତି । କାଳେ ସେମାନେ ଆଉ କୁଆଡ଼େ ଚାଲିଯିବେ, ସେ ଭୟ ବି ଅଛି । ସେହି ଦାସ ବ୍ୟବସାୟୀମାନଙ୍କ ସେ ଭୟରୁ ସେମାନେ ନିଶ୍ଚିନ୍ତ ପାଇବା ନିମନ୍ତେ କଳାଙ୍ଗର ହାଡ଼ର ପା’ ତାଳୁ ଫଟେଇ ଜାହାଜର କଣ୍ଟାରେ ଟାଙ୍ଗି ଦେଇଥିଲେ । ସେଇ ଜାହାଜରେ ସେମାନେ ଆସିବାବେଳେ ସେମାନଙ୍କ ଅନେକ ମରିଯାଉଥିଲେ । ଜାହାଜ କୂଳକୁ ଲାଗିଲେ ସେମାନେ ଓହ୍ଲେଇବେ, ତା’ପରେ ନିଲାମ ହେବେ,ତା’ପରେ ବିକ୍ରୀ ହେବ । ଗୋଟିଏ ପରିବାରର ସମସ୍ତେ ଚାରିପ୍ରଦେଶର ଚାରି ମହାଜନଙ୍କ ପାଖରେ ବିକ୍ରିହେଲେ । ଇହଜନ୍ମରେ  ପରସ୍ପର ସହିତ ସାକ୍ଷାତ ବି ପାଇଲେ ନାହିଁ ।

ଏସବୁ ଦୁଇଶହ,ଅଢ଼େଇଶ ବର୍ଷର ପୂର୍ବର ଘଟଣା । ସୁବିଶାଳ ମାର୍କିନ୍ ମହାଦେଶରେ ସେତେବେଳେ ସଂପଦର ଅଭାବ ନଥିଲା । କିନ୍ତୁ ସେ ସବୁ ଦେଖାଶୁଣା କରିବାଲୋକ କମ୍ ଥିଲେ । ସେହି ଅବସ୍ଥା ମେଣ୍ଟିବା ନିମନ୍ତେ ଦାସପ୍ରଥା ସୃଷ୍ଟି ହେଲା । ଆମେରିକାର ଦକ୍ଷିଣଭାଗରେ ପ୍ରଚୁର ତୁଳାଚାଷ ହେଉଥିଲା । ସେହି ତୁଳା ଚାଷକୁ ଆହୁରି ପରିପୁଷ୍ଟ ନିମନ୍ତେ କୃଷ୍ଣାଙ୍ଗ କ୍ରୀତଦାସମାନଙ୍କୁ ବିନିଯୋଗ କରୁଥିଲେ । ମୁଣ୍ଡ ଗଣତିରେ ଜଣେ କୃଷ୍ଣାଙ୍ଗ କପାଫଳ ନେଇ ମହାଜନକୁ ତୁଳା ଭିଣିକି  ଦେବ । ତା’ ପରିମାଣ କେତେ? ତା’ବଳ ତା’ଖଟଣିକୁ ଧରି ତା’ଠିକ୍ କରାହୋଇଚି  । ତଥାପି ଭିଣାତୁଳା ତା’ର ନିର୍ଦ୍ଦିଷ୍ଟ ପରିମାଣଠାରୁ ଉଣାହେଲେ ଚାବୁକ୍ମାଡ଼ ପିଠିରେ ଫଳିଯିବ । ଯେଉଁ କୃଷ୍ଣାଙ୍ଗମାନେ କ୍ଷେତରେ ଅଯୋଗ୍ୟ ସେମାନେ ସେ ମହାଜନ ଗୋରାମାନଙ୍କୁ ଘର କାମପାଇଁ ବିକି ଦେଇଥାଏ । ପଶୁ ଅଥବା କ୍ଷୁଦ୍ରକୀଟ ଏଇ ରୂପରେ କୃଷ୍ଣାଙ୍ଗମାନେ ଏପରି କ୍ରୀତଦାସ ଭାବେ କାଳାତିପାତ କରୁଥିଲେ ।

ଆମେରିକାର କଳା ଦାସତ୍ୱପ୍ରଥାର ଭୟଙ୍କର କାହାଣୀ-ଅଙ୍କଲ୍ ଟମ୍ ଙ୍କ କ୍ୟାବିନ୍ ପ୍ରଭୃତି ବହିରେ ଉଲ୍ଲେଖ ହୋଇଥିଲା । କଳାମଣିଷମାନଙ୍କର ତ୍ରାଣକର୍ତ୍ତା ଆମେରିକାର ପ୍ରେସିଡ଼େଣ୍ଟ ଆବ୍ରାହିମ୍ ଲିଙ୍କନ୍ ୧୮୬୩ ମସିହାରେ “ଇମାନ୍ସିପେସନ୍ ପ୍ରୋକ୍ଲେମେଶନ୍” ଜାରି କଲେ । ସେହି ଦିନରୁ ହିଁ ଆମେରିକାର ଦାସତ୍ୱପ୍ରଥାର ବିନାଶ ଘଟିଥିଲା, ତା’ପରେ କଳାମଣିଷମାନଙ୍କର ମୁକ୍ତିର ସ୍ୱାର୍ଥରକ୍ଷାକୁ ନେଇ ଆମେରିକାରେ ଗୃହଯୁଦ୍ଧ ଆରମ୍ଭ ହେଲା । ଦେଶର ଅଖଣ୍ଡତା ରକ୍ଷା ନିମନ୍ତେ ସୀମାନ୍ତର ରାଜାମାନଙ୍କ ଉପରେ ଅଖଣ୍ଡ ପ୍ରଭୂତ୍ୱ ଲିଙ୍କନ୍ ଅଧିକାର କଲେ । ଶତୃମାନଙ୍କ ପ୍ରତି ସେ ନିତାନ୍ତ ସଦୟ ଥିଲେ ।

୧୮୯୫ ମସିହାରେ ‘ସେକେଣ୍ଡ୍ ଇନାଗୁରାଲ୍ ଆଡ଼୍ରେସ୍’ ଆଧାରରେ ସେ ଏକ ନାତିଦୀର୍ଘ ଭାଷଣ ପ୍ରଦାନ କରିଥିଲେ । ପ୍ରସଙ୍ଗରେ, ବକ୍ତୃତାଛଳରେ ସେ ବତେଇ ଦେବାକୁ ଚାହୁଁଥିଲେ-ଉଇଥ୍ ମ୍ୟଲିସ୍ ଝୁୱାଡ଼୍ ନନ୍, ୱିଥ୍ ଚ୍ୟାରିଟି ଅଫ୍ ଅଲ୍ । ତା’ଭିତରୁ ହିଁ କଳାମଣିଷର ଭୋଟଦାନର ଅଧିକାର ଜନ୍ମ ନେଇଥିଲା । ଏଇ ଭୋଟଦାନର ଅଧିକାରରେ ବର୍ଣ୍ଣାନ୍ଧ ମଣିଷ ନିତାନ୍ତ କ୍ଷୀପ୍ର ହୋଇଉଠିଥିଲେ । ସେହି ରାଗଜର୍ଜରିତ ଗୋରାମଣିଷମାନଙ୍କ ଗୁଳିର ଶିକାର ହୋଇ ଲିଙ୍କନ୍ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ମହାମତି ପ୍ରେସିଡ଼େଣ୍ଟ୍ ଲିଙ୍କନ୍ ନିହତହେବା ଶହେବର୍ଷ ପରେ ହିଁ ଆମେରିକାର କଳାମଣିଷର ଏକଶ’ବର୍ଷ ପୂର୍ତ୍ତି ଉତ୍ସବ-କଳାମଣିଷର ଅଧିକାରର ପୂର୍ଣ୍ଣପ୍ରୟୋଗ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଲିଙ୍କନ୍ ଙ୍କ ପରେ ସେହି ସ୍ରୋତକୁ ଉଜ୍ଜୀବିତ କରି ରଖିବା ନିମନ୍ତେ ଡ଼ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିିୟର୍ ଥିଲେ ଏକ ଜନପ୍ରିୟ ନେତା । ସେ ହିଁ ମାୟାଙ୍କୁ ଗଭୀରଭାବେ ଏହି ଦିଗରେ ଉଜ୍ଜୀବିତ କରି ରଖିଥିଲେ । କିଙ୍ଗ୍ ଜୁନିୟର୍ଙ୍କ ପ୍ରେରଣା ଫଳରେ ମାୟା ସଭାସମିତିରେ ଯୋଗ ଦେଉଥିଲେ । ଘାନାର ବିଶିଷ୍ଟ କୃଷ୍ଣାଙ୍ଗ ନେତା ମାଲ୍କମ୍ ଙ୍କ ସହିତ ପରିଚିତ ହୋଇଥିଲେ ସେ । ଆମେରିକାରୁ ସେ ଫେରି ଆସି – ଅର୍ଗାନାଇଜେସନ୍ ଅଫ୍ ଆଫ୍ରିକାନ୍ ଆମେରିକାନ୍ ଇଉନିଟି ନାମରେ ଏକ ସଂସ୍ଥା ଗଢ଼ି ଥିବାବେଳେ ବର୍ଣ୍ଣବୈଷମ୍ୟବାଦର ଆନ୍ଦୋଳନରେ ବର୍ଣ୍ଣବିଦ୍ୱେଷୀଙ୍କ ଦ୍ୱାରା ହଠାତ୍ ମାଲକମ୍ ନିହତ ହେଲେ । ଏହି ଘଟଣାରେ ମାୟା ଯଥେଷ୍ଟ ଭାଙ୍ଗି ପଡ଼ିଥିଲେ ।

ତଥାପି ମାୟା ହାରିଯିବା ମହିଳା ନୁହନ୍ତି, ପୁଣି ସେ କିଙ୍ଗ୍ ଜୁନିଅର୍ଙ୍କ ଡ଼ାକରେ ଉଦବୁଦ୍ଧ ହେଲେ । ଦକ୍ଷିଣ ଖ୍ରୀଷ୍ଟିଆନ୍ କନଫେରେନ୍ସର ଆବାହକ ଦାୟିତ୍ୱ ମଧ୍ୟ ମାୟା ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ଠିକ୍ ସେହି ବର୍ଷ ହିଁ କିଙ୍ଗ୍ ଜୁନିଅର୍ ନିହତ ହେଲେ । ୧୯୬୮ ମସିହାରେ ମାୟାଙ୍କୁ ବନ୍ଧୁ ଜେମ୍ସ୍ ବାଲଡ଼୍ଉଇନ୍ ମାୟାଙ୍କୁ ସାହିତ୍ୟ ଜଗତକୁ ଫେରେଇ ଆଣିଥିଲେ । ଠିକ୍ ସେହିବର୍ଷ ହିଁ ହ୍ୱାଇ ଦି କେଜ୍ଡ଼୍ ବାର୍ଡ଼ ସିଙ୍ଗସ’ ପ୍ରକାଶିତ ହୋଇଥିଲା ।

କିନ୍ତୁ ମାୟା ଏଞ୍ଜେଲୋ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ । ସଂଗୀତ ଓ ଅଭିନୟରେ ପ୍ରବଳ ଝୁଙ୍କ୍ । ଏହି ଝୁଙ୍କର ଉପଶମ ନିମନ୍ତେ ସାନ୍ଫ୍ରାନ୍ସ୍ିସ୍କୋର ଗୋଟିଏ ଲେବର୍ ସ୍କୁଲ୍ରେ ସେ ଭର୍ତ୍ତିହେଲେ । ସେତେବେଳକୁ ସେ ମାତ୍ର ଚଉଦ ବର୍ଷର ତରୁଣୀ । ତା’ପରେ ସାନ ଫ୍ରାନ୍ସିସ୍କୋରେ କାର୍ କଣ୍ଟ୍ରାକଟର ଚାକିରୀ । ଏଇ ଚାକିରୀରେ ମାୟା ଏଞ୍ଜେଲୋ ଥିଲେ ସର୍ବପ୍ରଥମ କୃଷ୍ଣାଙ୍ଗ ମହିଳା ।

ତା’ପରେ ମାୟା ପଢ଼ାଶେଷ କରିବା ନିମନ୍ତେ ପୁଣି ମନୋନିବେଶ କଲେ । କିନ୍ତୁ ହଠାତ୍ ଏବଂ ଆକସ୍ମିକ ଦୁର୍ଘଟଣା ମାୟାଙ୍କ ଜୀବନର ମୋଡ଼ ପରିବର୍ତ୍ତନ କରିଥିଲା । ସେତେବେଳେ ଏକ ଅବସ୍ଥାର ବଶବର୍ତ୍ତୀ ହୋଇ ଅତ୍ୟଧିକ ମାନସିକ ଚିନ୍ତାରେ ଏକ ଦ୍ୱନ୍ଦ୍ୱମୟ ପ୍ରଶ୍ନର ଅଧିକାରିଣୀ ହୋଇ ସେ ନିଜକୁ ଏକ ପ୍ରଶ୍ନ ପୁଛାକଲେ, ସେ କ’ଣ ଜଣେ ସମକାମିନୀ । ସମକାମୀ ଓ ନପୁଂସକ ଗୋଟିଏ କାରଣର ବଶବର୍ତ୍ତୀ । ସେହି ପ୍ରଶ୍ନ ଏଡ଼େଇଯିବା ନିମନ୍ତେ ଗୋଟିଏ ସମବୟସ ପୁଅପିଲା ସହିତ ସଂସ୍ପର୍ଶ କଲେ । ଫଳତଃ ସେ ଗର୍ଭବତୀ ହେଲେ । ଚଉଦ ବର୍ଷରୁ, ହାଇସ୍କୁଲ ଜୀବନରୁ ଅବାଛିଂତା ମା’-କୌଣସି କଥା କେବେ ବି ଲୁଚି ରହିପାରେନା । ସେ କଥାରେ ବଡ଼ଭାଇ ପରାମର୍ଶ ଦେଇ କହିଲେ-ଆଗରେ ଗ୍ରାଜୁଏଟ୍ ପରୀକ୍ଷା । ପରୀକ୍ଷାପରେ ହିଁ ଯେଉଁକଥା । ଏହି ପରାମର୍ଶରେ ସେ ଚୁପ୍, ନୀରବ ରହିଲେ । କିନ୍ତୁ ଆଠମାସରେ ସମସ୍ତେ ଜାଣିଲେ-ମାୟା ଗର୍ଭବତୀ  । ମାୟାଙ୍କର ଏହି ଆତ୍ମଚରିତ ବହିରେ ସେ କଥା ସେ ଗଭୀର ବ୍ୟାଖ୍ୟା କରିଅଛନ୍ତି ।

ତଥାପି ଜୀବନର ବୋଝ ନିତାନ୍ତ ଦୁର୍ବିସହ । ସେଥିହେତୁ ସେ ଜନ୍ମିତ ଶିଶୁର ଲାଳନପାଳନ ନିମନ୍ତେ ଓୟେଟ୍ରେସ୍ ରେ ଚାକିରୀ କଲେ।

ସେଥି ହେତୁ ସେ ତା’ର ଅନୁଗାମିନୀ ହେବା ସ୍ୱାଭାବିକ୍ ଏବଂ ମାୟାଙ୍କର ସେହି ଅନୁଗାମିନୀଗତକୁ ଜନପ୍ରିୟ କବି, ଲେଖିକା, ନାଟ୍ୟକାର, ସଙ୍ଗୀତଜ୍ଞ ସମସ୍ତେ ମାୟାଙ୍କୁ ସେହି ଚେତନାରେ ଉଦ୍ବୁଦ୍ଧ ହେବା ନିମନ୍ତେ ପ୍ରେରଣା ପ୍ରଦାନ କଲେ । ରାଷ୍ଟ୍ରପତି କ୍ଲିଣ୍ଟନ୍ ଙ୍କ ଅନୁରୋଧରେ ସେ କବିତାଟିଏ ମଧ୍ୟ ଲେଖିଥିଲେ । ପ୍ରେସିଡ଼େଣ୍ଟ୍ ଙ୍କ ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ସେହି କବିତାଟି ସେ ସଶ୍ରଦ୍ଧ ପାଠ କରିଥିଲେ । ମାୟା ଏଞ୍ଜେଲୋ ଥିଲେ ବହୁଡ଼ିଗ୍ରୀଧାରିଣୀ ବ୍ୟକ୍ତିତ୍ୱ । ଅନ୍ତତଃ ସେ ପଞ୍ଚାଅଶୀରୁ ଅଧିକ ଡ଼ିଗ୍ରୀର ଅଧିକାରିଣୀ ଥିଲେ । ୱେକ୍ ଫରେଷ୍ଟ ୟୁନିଭର୍ସିଟିର ଆମେରିକାନ୍ ଷ୍ଟଡ଼ିର ଥିଲେ ସେ ଥିଲେ ଜଣେ ଅଧ୍ୟାପିକା ।

ଯେକୌଣସି ମଣିଷ ନିଜସ୍ୱ ଆତ୍ମଚରିତରେ କିଛି ଗୋପନୀୟତା ଅବଲମ୍ବନ କରନ୍ତି । କିନ୍ତୁ କ୍ଲେଦାକ୍ତ ଜୀବନ ଓ ଘୃଣାରେ ଜୀବନଯାପନ କରିଥିବା ସତ୍ୱେ ସେ, ନିଜର ଜୀବନ କିପରି ସେକଥା ସେ ଅକପଟରେ ସ୍ୱୀକାର କରିଥିଲେ । ମୋଟ ସାତଖଣ୍ଡର ଆତ୍ମଚରିତ ସେ ବହୁଳଭାବେ ପ୍ରକାଶିତ କରିଥିଲେ । ଦ୍ୱିତୀୟ ବହିଟି – “ଗ୍ୟାଦର୍ ଟୁଗେଦର୍ ଇନ୍ ମାଇଁ ନେମ୍’ ନାମରେ ପ୍ରକାଶିତ ହୋଇଥିଲା । ୧୯୭୪ ମସିହରେ ଏହି ବହିଟିର ପ୍ରକାଶକାଳ । ବାଇବେଲ୍ ର ଗୋଟିଏ ବାକ୍ୟରୁ ଏହି ବହିଟି ସୃଷ୍ଟିଲାଭ କରିଥିଲା । ପ୍ରଥମ ବହିର ଆତ୍ମକଥା ଯେଉଁଠି ଶେଷ, ଠିକ୍ ତା’ପର ପର୍ଯ୍ୟାୟରୁ ଆରମ୍ଭରେ ଜୀବନଚରିତ ମଧ୍ୟରେ ଯୁଦ୍ଧ ପରବର୍ତ୍ତୀ ଭୟଙ୍କର ଦୁର୍ଦ୍ଦଶା ଓ କଳାମଣିଷର ଅବସ୍ଥା ବେଶ୍ କରୁଣ ଭାବରେ ସେ ଚିତ୍ରଣ କରିଥିଲେ ।

ଇତ୍ୟବସରରେ ପୁଅ ଗାଏ୍ୟକୁ ପ୍ରତିଷ୍ଠିତ ମଣିଷରୂପେ ପରିଚିତ କରେଇବା ଚିନ୍ତା ମାୟାଙ୍କର ବଢ଼ିଚାଲିଲା । ସେଇ କଳାମଣିଷର କ୍ଲେଦାକ୍ତ ଜୀବନ, ମାୟା ପୁଣିଥରେ ନିଜକୁ ଅପରାଧ ଜଗତ ଭିତରକୁ ଠେଲିଦେଲେ । କିଛି କାଳଧରି ସେ ବେଶ୍ୟାବୃତ୍ତି କରିଥିଲେ । ଦାରିଦ୍ର୍ୟ, ଅସହାୟତା, ଶିଶୁପୁତ୍ରର ଭରଣପୋଷଣ ନିମନ୍ତେ ଅର୍ଥ ହିଁ ସର୍ବସ୍ୱ । ସେ ଏହି ବ୍ୟାପାରକୁ ଆପଣେଇ ନେବାପରେ ଭଦ୍ରସମାଜରେ ସବୁ ଦରଜା ଯେମିତି ମାୟାଙ୍କ ପାଇଁ ବନ୍ଦହେଲା । ଏପରିକି କବାଟର ‘ଡ଼ୋରନବ୍’ ପର୍ଯ୍ୟନ୍ତ ଉଠିବା ବି ବନ୍ଦ ହେଲା। ସେଇ ବେଶ୍ୟାବୃତ୍ତିର କଥା ସେଇ ଦ୍ୱିତୀୟ ବହିରେ ସେ ଲେଖିବେ କି ନା’ ଦ୍ୱିଧାଗ୍ରସ୍ତ ଅବସ୍ଥାରେ ଥିଲେ । କିନ୍ତୁ ମାୟାଙ୍କ ସ୍ୱାମୀ ସେଇ ଦ୍ୱିଧାଗ୍ରସ୍ତ ଅବସ୍ଥା ଦୂରକରି କହିଥିଲେ – ଲେଖାରେ କ’ଣ ଅଛି?

ସବୁ ବିଷୟ ତ’ ପାଠକମାନଙ୍କୁ ଜଣେଇ ଦେଇଛ, ତେବେ ଏଇ ବୃତ୍ତିକୁ ପାଠକମାନଙ୍କୁ ବତାଇଲେ କ୍ଷତି କ’ଣ? ତା’ପରେ ମାୟା ଯେମିତି ହୋଇଉଠିଲେ ଜଣେ ସୁସ୍ଥ ସାଧାରଣ ମଣିଷ । ଜୀବନକୁ ମସୃଣ, ସହଜ, ସୁନ୍ଦର କରି ଗଢ଼ିବା ନିମନ୍ତେ ସେ ତତ୍ପର ହୋଇଉଠିଲେ । କଳା ମଣିଷମାନଙ୍କ ମୁକ୍ତିଦୂତ ମାୟା ତା’ପରେ ସମସ୍ତଙ୍କ ପାଖରେ ଯେମିତି ରୋଲ୍ମଡ଼େଲ୍ ହୋଇଉଠିଲେ । କହି ପାରୁନଥିବା କଥାକୁ ସେ କବିତା ଆକାରରେ ପ୍ରକାଶ କଲେ । “ଜଷ୍ଟ ଗିଭ୍ ମି କୁଲ୍ ଡ଼୍ରିଙ୍କ୍ ଅଫ୍ ୱାଟର୍ ବିଫୋର୍ ଆଇ ଡ଼ାଏ” । ଏଇଠି ସେ ଡ଼ାଏ ଶବ୍ଦ ଦୁଇଟି ବର୍ଣ୍ଣାବଳୀରେ ବିଦ୍ଧ କରି ରଖିଥିଲେ । “ଊସର” “ଊସସସ” ଏହି କବିତା ବହିଟି ଦୀର୍ଘଦିନ ଧରି ବେଷ୍ଟସେଲର୍ ତାଲିକାରେ ରହିଥିଲା । ୧୯୭୧ ମସିହାରେ ପୁଲିତ୍ଜର ପୁରସ୍କାର ନିମନ୍ତେ ମଧ୍ୟ ସୁପାରିଶ କରାଯାଇଥିଲା । ତା’ପରେ’ ଦି ହାର୍ଟ ଅଫ୍ ଏ ଓମାନ”ପ୍ରକାଶିତ ହେବାପରେ ‘ଟ୍ରାଭେଲିଂ ସୁଦ୍’ ପ୍ରକାଶିତ ହେଲା । ପୁଅ ଗାଏ୍ୟ ଦୁର୍ଘଟଣାରେ ପୀଡ଼ିତ ହେବାପରେ ଏ ବହି ସେ ଲେଖିଥିଲେ ।

ଏହି ବହିର ମୂଳରେ ଥିଲା ନିଗ୍ରୋ ଧର୍ମଗ୍ରନ୍ଥ । ସେତେବେଳେ ଘାନା ଓ ଆଫ୍ରିକାର କେତେକ ଦେଶ ସ୍ୱାଧୀନ ହୋଇସାରିଥିଲା । ଘାନାଥିଲା ସମସ୍ତ ସାଂସ୍କୃତିକ ନବଜାଗରଣର ପ୍ରାଣକେନ୍ଦ୍ର । କଳାମଣିଷମାନଙ୍କର ଜନପ୍ରିୟ ନେତାଥିଲେ ପ୍ରେସିଡ଼େଣ୍ଟ୍ ନକ୍ରୁମା । ସେହି ଆକର୍ଷଣରେ ମାୟା ଘାନା ଛୁଟି ଆସିଥିଲେ । ଏଇ ସେଇ ଦେଶ, ଯେଉଁଠି ଦିନେ ଘରର ପରିବାରର ସବୁ ମଣିଷ ଗୋଟିଏ ଗୋଟିଏ ହୋଇ ଯେଉଁଠି ଗୋରା ଲୋକମାନଙ୍କୁ ବିକ୍ରୀ ହୋଇଯାଇଥିଲେ । ଆଫ୍ରିକା ଥିଲା ମାୟାଙ୍କ ମାତୃଭୂମି । ମାତୃଭୂମି ଓ ତୀର୍ଥଭୂମି ଭିତରେ କିଛି ଫରକ ନଥିଲା । ଗୋଟାପଣେ ମଦର୍ ଆଫ୍ରିକା ସେଇ କଥାରେ ସେ ଘାନାର ଆକ୍ରା ଅଞ୍ଚଳକୁ ଉଠି ଆସିଥିଲେ । ଦୀର୍ଘଦିନ ଆମେରିକାରେ ରହଣି, ତା’ପରେ ସ୍ୱ ମାତୃଭୂମିକୁ ପ୍ରତ୍ୟାବର୍ତ୍ତନ ପରେ ମାୟା ଯେମିତି ହୋଇ ଉଠିଥିଲେ ମାତୃଭୂମିସର୍ବସ୍ୱା । ସେ ଯେମିତି ଅନୁଭବ କଲେ ନିଜର ସର୍ବସ୍ୱ ପୂର୍ବ ସ୍ପନ୍ଦନ ସେ ଫେରିପାଇଛନ୍ତି, କେବଳ ସେ ନୁହେଁ, ଅନେକ ଦିନ ଆମେରିକାରେ ବାସ କରିବାପରେ ଯେଉଁମାନେ ଅଥଚ ଯେଉଁ କଳାଲୋକମାନେ ସେମାନଙ୍କ ସ୍ୱଦେଶକୁ ଫେରି ଆସୁଥିଲେ ସେମାନେ । ସେମାନେ ଅନୁଭବ କରୁଥିଲେ ସ୍ୱଚ୍ଛନ୍ଦତାର ଜୀବନ ।

କିନ୍ତୁ ମାତୃଭୂମି ଆଫ୍ରିକା ମାୟାଙ୍କୁ ବେଶିଦିନ ବାନ୍ଧି ରଖିପାରିଲା ନାହିଁ । ସେ ପୁଣି ଆମେରିକା ଫେରିଆସିବା ପାଇଁ ଚାହିଁଲେ । ବେଶ୍ କେତେଜଣ ଦରଦୀବନ୍ଧୁ ଓ ପୁଅ ଗାଏ୍ୟ ତାଙ୍କୁ ଅଭିବାଦନ ଦର୍ଶେଇବା ନିମନ୍ତେ ବିମାନ ବନ୍ଦରକୁ ଆସିଥିଲେ । ମାୟା ସତେ ଯେମିତି ସେତେବେଳେ ଅନୁଭବ କରୁଥିଲେ ସ୍ୱ-ମାତୃଭୂମିରୁ ପ୍ରତ୍ୟାବର୍ତ୍ତନ ଯେମିତି ଏକ ନାଟକ ଓ ରୂପକ ପରି । ସେ ଭାବୁଥିଲେ, ଦିନଥିଲା ଯେତେବେଳେ ଗୋରାଲୋକମାନେ ଏଇମାଟିରୁ କଳାଲୋକମାନଙ୍କୁ ସେମାନଙ୍କ ଦେଶକୁ ବାନ୍ଧି ନେଉଥିଲେ, ସେତେବେଳ ସ୍ୱ-ମାତୃଭୂମି ସହିତ ସେମାନଙ୍କର ସଂପର୍କ ଛିନ୍ନ ହେଉଥିଲା । ବର୍ତ୍ତମାନ ସେ ମାତୃଭୂମିରୁ ବିଦାୟ ନେବାବେଳେ ମାତୃଭୂମି ସହିତ ସେ ସଂପର୍କ ଛିନ୍ନ କରି ଯାଉନାହାନ୍ତିତ! ସେତେବେଳେ ସେ କଥା ମାୟାଙ୍କ ପାଖରେ ଯେମିତି ଅସମାହିତ ହୋଇ ରହିଥିଲା ।

ସମ୍ପୂର୍ଣ୍ଣ ଆମେରିକାର ଇତିହାସରେ ମାୟା ଥିଲେ ଜଣେ କୃଷ୍ଣାଙ୍ଗ ମଣିଷମାନଙ୍କର ବିପ୍ଲବିଣୀ । ସେ ଆମେରିକା ଫେରିବାପରେ ବିଶାଳ ଏକ କର୍ମଯଜ୍ଞ ଭିତରକୁ ସେ ଯେମିତି କୁଦି ପଡ଼ିଥିଲେ । ଦୀର୍ଘମିଆଦି ଲଢ଼େଇ ଥିଲା ଯେମିତି ମାୟା ଏଞ୍ଜେଲୋଙ୍କ ପ୍ରାଣସର୍ବସ୍ୱ ଏବଂ କଳାମଣିଷ ମାନଙ୍କ ଆଦର୍ଶରୂପେ ସେ ପରିଗଣିତ ହୋଇଥିଲେ । ମାୟା ଏଞ୍ଜେଲୋ ଆମେରିକାର ସର୍ବସାଧାରଣଙ୍କ ଭିତରେ କବି, ଲେଖକ, ଆତ୍ମଚରିତକାର, ନାଟ୍ୟକାର, ଗାୟିକା, ନର୍ତ୍ତକୀ, ଅଭିନେତ୍ରୀ, ଚଳଚ୍ଚିତ୍ର ପରିଚାଳିକା, ଟିଭି ଶୋ ପ୍ରଯୋଜିକା, ସମାଜକର୍ମୀ । ମାୟା ଏହି ବହୁମୁଖୀ ପ୍ରତିଭାର ଅଧିକାରିଣୀ ହେବାପରେ ଆମେରିକା ଇତିହାସରେ ସେ ଜଣେ ଅଗ୍ରଗାମୀ ମହିଳା ହୋଇ ରହିଲେ ।

ଛୟାଅଶୀ ବର୍ଷରେ ମହାପ୍ରୟାଣ ଘଟିଥିବା ମାୟା ଏଞ୍ଜେଲୋଙ୍କ ସ୍ମୃତିରେ କେବଳ ଆମେରିକା ସାମିଲ୍ ନୁହେଁ, ସମଗ୍ର ବିଶ୍ୱବାସୀ ଅନ୍ତର୍ଭୁକ୍ତ । ଏକଥାର କୌଣସି ସନ୍ଦେହ ନାହିଁ ।

ରବି ଜେନା

(ସୌଜନ୍ୟ – ସମଦୃଷ୍ଟି,    ୧-୧୫ ମାର୍ଚ୍ଚ ୨୦୧୫)

Photo credit – Wikimedia commons

Share This Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is a vocal Artist, cultural journalist and folk cultural researcher. She is based out of Bhubaneswar and edits her cultural magazine, Samadhwani. The magazine is available both in print and digital formats. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She edited a book comprising the writings of village biographies of school students written during Covid-19. The name of the book is “Chota Ama Gaan Ti”. She has extensively documented issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker. She produced her documentary “Ganda Baja” in 2022. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha particularly of Puri and Cuttack district, both in written and video formats.