ଅଜିତ ଦାସଙ୍କ ସହ ମୋ ଅନୁଭୂତିରୁ ପଦେ

ଦେବବ୍ରତ ପଟ୍ଟନାୟକ
ଦେବବ୍ରତ ପଟ୍ଟନାୟକ 305 Views
9 Min Read

ଶ୍ରଦ୍ଧାଞ୍ଜଳି

Support Samadhwani

[box type=”shadow” align=”” class=”” width=””]ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ ଅଜିତ ଦାସ ଓଡ଼ିଶାର ଜଣେ ଲୋକପ୍ରିୟ କଳାକାର I ତାଙ୍କ ନିକଟରୁ ଅନେକ ଛାତ୍ର, ଛାତ୍ରୀ ଅଭିନେତା, ଅଭିନେତ୍ରୀ ସୃଷ୍ଟି ହୋଇ ଓଡ଼ିଆ କଳା ଓ ସିନେମା ଜଗତକୁ ରୁଦ୍ଧିମନ୍ତ କରିଛନ୍ତି I ତାଙ୍କର ପ୍ରିୟ ଛାତ୍ରମାନେ ଗୁରୁଙ୍କୁ ଅସମୟରେ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି I ସେହିଭଳି ଜଣେ ଛାତ୍ର ହେଉଛନ୍ତି ଯୁବ ନାଟ୍ୟ ନିର୍ଦ୍ଦେଶକ ଦେବବ୍ରତ ପଟ୍ଟନାୟକ, ଯିଏକି ଲେଖା ମାଧ୍ୟମରେ ନିଜ ଗୁରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି I ଛାତ୍ର ଛାତ୍ରୀ ମାନଙ୍କୁ ସେ ନିଜର ପୁଅ ଝିଅ ଭଳି ସ୍ନେହ ଶ୍ରଦ୍ଧା କରନ୍ତି ବୋଲି ଲେଖକ ନିଜ ଲେଖାରେ ପ୍ରକାଶ କରିଛନ୍ତି I ନିଶ୍ଚିତ ଭାବରେ ଗୁରୁଙ୍କର ଏହା ଏକ ନିଆରା ଗୁଣ ଯାହା ଆଜିର ଦିନରେ ବିରଳ I କରୋନାରେ ଆକ୍ରାନ୍ତ ହୋଇ ଅଜିତ ଦାସ ଅସମୟରେ ମୃତ୍ୟୁବରଣ କରିବା, ଓଡ଼ିଶାର ସିନେମା, ନାଟକ ଜଗତ ପାଇଁ ଓ ତାଙ୍କର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି I – ସମ୍ପାଦକ[/box]

ଦେବବ୍ରତ ପଟ୍ଟନାୟକ

ଶ୍ରୀଯୁକ୍ତ ଅଜିତ ନାରାୟଣ ଦାସ, ଜଣେ ବରିଷ୍ଠ କଳାକାର, ନାଟ୍ୟ ନିର୍ଦ୍ଦେଶକ, ଧାରାବାହିକ ଏବଂ ଚଳଚିତ୍ର ନିର୍ଦ୍ଦେଶକ I ଏହାଛଡା ତାଙ୍କର ଆଉଗୋଟେ ବଡ ପରିଚୟ ହେଉଛି ସେ ଜଣେ ନାଟ୍ୟ ଗୁରୁ ମଧ୍ୟ I ତାଙ୍କ ଦ୍ୱାରା ଅନେକ ଅଭିନେତା ଓ ଅଭିନେତ୍ରୀ ତିଆରି ହୋଇଛନ୍ତି I ତାଙ୍କ ଦ୍ୱାରା ତିଆରି ହୋଇଥିବା ଛାତ୍ରମାନେ ହେଲେ ହରପଟ୍ଟନାୟକ, ରାଇମୋହନ ପରିଡା , ମୀନକେତନ ଦାସ , ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ହରିହର ମହାପାତ୍ର ଓ ଆହୁରି ଅନେକ ଯେଉଁମାନେ ଓଡ଼ିଆ ଧାରାବାହିକ ଓ ସିନେମା ଜଗତର ତାରକା ସବୁଅଛନ୍ତି I ଅଜିତ ସାରଙ୍କ ବାବଦରେ ଯେତେ ଲେଖିଲେ କି କହିଲେବି ସରିବନି I ସେ ଆଜି ଆମ ଗହଣରେ ନାହାଁନ୍ତି କିନ୍ତୁ ପ୍ରକୃତରେ ସେ ଆମ ଗହଣରେ ସବୁବେଳେ ଅଛନ୍ତି I କାରଣ ଜଣେ କଳାକାରର କେବେ ମୃତ୍ୟୁ ହୁଏନି ଏକଥା ଆମେ ସମସ୍ତେ ଜାଣିଛେ I କଳାକାରର ଶରୀର ସିନା ଚାଲିଯାଏ ହେଲେ ତାଙ୍କ କଳାକୃତି ପାଇଁ ସେ ସମସ୍ତଙ୍କ ହୃଦୟରେ ସଦାବେଳେ ଜୀବିତ ଥାନ୍ତି I

Support Samadhwani

ଅଜିତ ଦାସଙ୍କ ସହ ସଙ୍ଗୀତ ମହାବିଦ୍ୟାଳୟର କିଛି ସମୟ :

ଅଜିତ ସାର ନେସନାଲ ସ୍କୁଲ ଅଫ ଡ୍ରାମା, ଦିଲ୍ଲୀରୁ ନାଟକର ପାଠ ପଢିସାରିବା ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ I ଚାକିରୀ କାଳ ଭିତରେ ସେ ଅନେକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି I  ସାଧାରଣତଃ ସେ ବାସ୍ତବ ଧର୍ମୀ ନାଟକ ବେଶୀ କରୁଥିଲେ I ମୁଁ ଯେତେବେଳେ ନାଟକରେ ପାଠ ପଢିବାକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଯୋଗଦେଲି ଏବଂ ଅଜିତ ସାରଙ୍କୁ ପ୍ରଥମ ଥର ସାମ୍ନାରୁ ଦେଖିଲି ସେଦିନର ଅନୁଭୂତି ମୋର ନିଆରା ଥିଲା, କାରଣ ପ୍ରାୟତଃ ଆମେ ସମସ୍ତେ ଅଜିତ ସାର ଓ ବିଜୟ ମହାନ୍ତି ସାରଙ୍କ ନାଁ ଶୁଣି ସଂଗୀତ ମହାବିଦ୍ୟାଳୟ ଆସିଥାଉ I ଟିଭି ଆଉ ସିନେମା ପରଦାରେ ଦେଖିଥିବା ସୁପରଷ୍ଟାରଙ୍କୁ ସାମ୍ନାରୁ ଦେଖିଲେ ସାଧାରଣତଃ ଗାଁରୁ ମାଟ୍ରିକ ପାସକରି ଆସିଥିବା ସାଧାରଣ ଘରର ପିଲାଟି ମନରେ ଯେଉଁଭଳି ପ୍ରତିକ୍ରିୟା ହୋଇଥିବ ତାହା ଆପଣ ଅନୁମାନ କରୁଥିବେ I ସତେ ଯେମିତି ଭଗବାନଙ୍କର ଦର୍ଶନ ହେଲା I ଯାହାବି ହେଉ ପରେ ପରେ ସାରଙ୍କ ପାଖରୁ ପାଠ ପଢିବା ଓ ତାଙ୍କ ସହିତ ମିଶି ନାଟକରେ କାମକରିବାର ସୁଯୋଗ ପାଇଲି ଯାହାକି ତାଙ୍କୁ ଆହୁରି ଅଧିକା ଜାଣିବାର ସୁଯୋଗ ମିଳିଲା I

ଜଣେ ନିଆରା ମଣିଷ:

ଦେଖିବାକୁ ତ ଖୁବସୁନ୍ଦର,ଲମ୍ବା ଚୌଡା ସୁନ୍ଦର ଚେହେରା ତାଙ୍କର I ତାଙ୍କର ବ୍ୟକ୍ତିତ୍ୱର ଏମିତି ଗୋଟେ ବିଶେଷତ୍ୱ ଥିଲା ଯେ ତାଙ୍କ ସାମ୍ନାକୁ ଗଲେ ପାଟିରୁ କାହାର ଶବ୍ଦ ବାହାରେନି ବରଂ ସମ୍ମାନ ଓ ଭଲପାଇବାରେ ମୁଣ୍ଡ ନଇଁ ଯାଉଥିଲା ସମସ୍ତଙ୍କର I ମୁଁ ତାହା ଦେଖିଛି ସାରଙ୍କ ଡ୍ରାମା ରିହରସେଲରେ ଆମର ବହୁତ ବଡବଡ଼ ସୁପରଷ୍ଟାର ଭାଇ ଭଉଣୀମାନେ ଯଦି ଡାଇଲଗ ଭୁଲିଯାନ୍ତି କି କିଛି  କମ୍ପୋଜିସନ ଭୁଲିଯାନ୍ତି ତାହେଲେ ସେ ସେଇଠି ସିଧା ସିଧା ଇଡିଅଟ ଇଡିଅଟ କହି ଗାଳି ଦେଉଥିଲେ କିନ୍ତୁ ଆମ ବଡ ଭାଇ ଭଉଣୀମାନେ ସେ ସମୟରେ ସାରଙ୍କଠୁ ଯେତେ ଗାଳି ଖାଇଲେ ବି ମୁଣ୍ଡ ନୁଆଁଇ ସାରଙ୍କ କଥାକୁ ସସମ୍ମାନେ ଗ୍ରହଣ କରୁଥିଲେ I ଯଦି ଆମ ସିନିଅର ଜୁନିଅର ପିଲାଙ୍କ ମଧ୍ୟରେ କିଛି ଭୁଲ ଭୁଝାମଣା ହୁଏ ବା ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୁଏ ଏବଂ ଏହି କଥା ଯଦି ସାରଙ୍କ କାନରେ ପଡେ ତାହେଲେ ସେ ତାକୁ ଖୁବ ସୁନ୍ଦର ଭାବେ ଏମିତି ହେଁଡେଲ କରନ୍ତି ଯେ ଯାହାଦ୍ୱାରା ସମସ୍ତଙ୍କ ଭିତରେ ଭଲପାଇବା ବଢିଯାଏ ଓ ସମସ୍ତେ ମିଳିମିଶି ଏକ ମନ ହୋଇ କାମ କରନ୍ତି I

ଆମମାନଙ୍କୁ ସେ ନିଜର ପୁଅ ଝିଅ ଭଳି ସ୍ନେହ ଶ୍ରଦ୍ଧା କରନ୍ତି l ଭୁଲ କଲେ ଗାଳି ଦିଅନ୍ତି, ଠିକ କଲେ କାନ୍ଧରେ ହାତ ବାଡେଇ ଉତ୍ସାହିତ କରନ୍ତି l ପରିବାର କହିଲେ ସାର ମାଡାମ ଓ ତାଙ୍କ ତିନି ଝିଅ l ପୁଅ ନାହିଁ ବୋଲି ସାର ସଦାବେଳେ ଆମ ମାନଙ୍କୁ କୁହନ୍ତି ତୁମେମାନେ ହିଁ ମୋର ପୁଅ l ମୁଁ ମଲା ପରେ ମୋତେ ତୁମେମାନେ କାନ୍ଧରେ ନେବ l  କିନ୍ତୁ ଭାଗ୍ୟର ବିଡମ୍ବନା, ଆମେ ସମସ୍ତେ ଏତେ ଦୁଃଖିତ ଯେ ସାର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ଓ ସରକାରଙ୍କ ନୀୟମ ଅନୁଯାୟୀ ଆମେ ତାଙ୍କୁ କାନ୍ଧରେ ନେବାତ ଦୂରର କଥା, ଟିକେ ଭଲଭାବେ ଦେଖି ପାରିଲୁନୁ l ସବୁବେଳେ ଇଛା ଅଜିତ ସାରଙ୍କ ଭଳି ଗୁରୁ ସବୁଜନ୍ମରେ ଆମକୁ ମିଳନ୍ତୁl

ମୋର ମନେ ଅଛି କଲେଜରେ ପାଠ ପଢିଲା ବେଳେ “ଖାନସା” ବୋଲି ନାଟକରେ ମୁଁ ସିବିଆଇ ଅଫିସର ଭୂମିକାରେ ଅଭିନୟ କରୁଥିଲି l  ସାର ସେ ନାଟକ ଦେଖିଥିଲେ ଆଉ ତା ପରଦିନ ଜଣେ ବଡଭାଇଙ୍କ ହାତରେ ମୋତେ ଡାକି ପଠାଇଥିଲେ l ସାର ଡାକିଛନ୍ତି ଶୁଣି ମୁଁ ପ୍ରଥମେ ଡରିଯାଇଥିଲି କାରଣ ସେତେପର୍ଯ୍ୟନ୍ତ ମୁଁ ସାରଙ୍କ ସହିତ ଘନିଷ୍ଠ ହୋଇନଥିଲି l  ସାରଙ୍କୁ ଦେଖିଲେ ଡର ଲାଗୁଥିଲା, ତାପରେ ପୁଣି ତାଙ୍କ ଘରକୁ ଡାକିଛନ୍ତି, ତଥାପି ମନରେ ସାହସ ବାନ୍ଧି ତାଙ୍କ ଘରକୁ ଗଲି l ସାର ଘର ଭିତରୁ ବାହାରି ଆସିଲେ ଓ ମୁଁ ତାଙ୍କୁ ପ୍ରଣାମ କଲି l  କହିଲେ କାଲିର ନାଟକରେ ତୁ ଅଭିନୟ କରୁଥିଲୁ କି ? ମୁଁ ହଁ ବୋଲି କହିବାରୁ କହିଲେ ଏତେ ଦିନଯାଏ କାଇଁକି ତୁ କୋଉ ନାଟକରେ ଅଭିନୟ କରୁନଥିଲୁ, କୋଉଠି ଥିଲୁ ! କାମକର କାମକର କହି କାନ୍ଧରେ ହାତ ବାଡେଇ ଦେଲେ l  ବାସ ଏତିକି ଶୁଣି ମୁଁ ପଳାଇ ଆସିଲି l  ସାରଙ୍କ ସେ ଦୁଇପଦ କଥା ମୋ ମନ ଭିତରେ ଉନ୍ମାଦନା ସୃଷ୍ଟିକଲା, ଧୀରେ ଧୀରେ ମୋର ଅଭିନୟ ସହିତ ନାଟକ ନିର୍ଦ୍ଦେଶନା ଦେବାରେ ଦୁର୍ବଳତା ବଢିଗଲା l

ଅଜିତ ସାର ଜଣେ ଭଲ ଗୁରୁ ଥିଲେ , ତା ସହିତ ଜଣେ ଭଲ ବାପାର ଭୂମିକା ସେ ଲିଭାଉ ଥିଲେ l ସେ ଆମମାନଙ୍କୁ ସବୁବେଳେ ନିଜ ପୁଅ ଝିଅ ଭାବି ଗାଇଡ଼ କରୁଥିଲେ l ବାପା ଯେମିତି ବିନା ଦ୍ୱିଧା ଓ ବିନା ସ୍ୱାର୍ଥରେ ତା ପିଲା ପାଇଁ ଯେକୌଣସି ସଙ୍କଟରୁ ରକ୍ଷା କରିବାକୁ ଚେଷ୍ଟା କରେ ଠିକ ସେମିତି ଆମର ଛାତ୍ରଛାତ୍ରୀ ମାନଙ୍କର ଯେକୌଣସି ସଙ୍କଟ ସମୟରେ ରାତି ହେଉ ବା ଦିନ ସେ ନିଜେ ଉପସ୍ଥିତ ରହି ତାର ସମାଧାନର ବାଟ ବାହାର କରୁଥିଲେ ଯାହା ଆମେ ଅଙ୍ଗେ ଲିଭାଇଛୁ l ତା ଛଡା ଅଜିତ ସାର ବହୁତ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ରଖି ତାଙ୍କର ଦେଖାଶୁଣା ସହିତ ତାଙ୍କ ପାଠ ପଢ଼ିବାର ସମସ୍ତ ଦାଇତ୍ୱ ତୁଲାଇବାର ନଜିର ମଧ୍ୟ ଅଛି l ମୁଁ ସାରଙ୍କ ତତ୍ତ୍ୱାବଧାନରେ ନାସନାଲ ସ୍କଲାରସିପ ପାଇଛି l ମୁଁ ନାଟକ ନିର୍ଦ୍ଦେଶନା ଦିଏ ଓ ନାଟକର ୱାର୍କସପ କରେ ବୋଲି ସାର ଜାଣିଥିଲେ l ତେଣୁ ସାରଙ୍କ ସହିତ ମୋର ଭେଟ ହୋଇଗଲେ ସାର କୁହନ୍ତି, ଏଇ ତୁ ଆସି ମୋ ଇନ୍ସଟିଚ୍ୟୁଟରେ ପିଲାମାନଙ୍କୁ ଟିକେ ପଢାଇବୁ ତ l ମୁଁ ହଁ ମାରି ଦିଏ କିନ୍ତୁ ଯାଇ ପାରେନି l ପୁଣି କେବେ ଦେଖାହେଲେ ସାର ରାଗନ୍ତି, କୁହନ୍ତି ଇଡିଏଟ ତୁ କଣ ଆସୁନୁ l ମୋର କାର୍ଯ୍ୟ ବ୍ୟସ୍ତତା ପାଇଁ ମୁଁ ଯାଇପାରେନି ବୋଲି କହି ସାରଙ୍କୁ କ୍ଷମା ମାଗେ, ସାର କୁହନ୍ତି ହଉ ହଉ ଏଥର ଆଉ ସେମିତି କରିବୁନି, ଆସିବୁ l ପ୍ରକୃତରେ ସାରଙ୍କ ସେହି ଇଡିଏଟ ଗାଳିରେ ବହୁତ ସ୍ନେହ, ଶ୍ରଦ୍ଧା ଆଉ ଭଲପାଇବା ଥାଏ l ଯେତେବେଳେ କୌଣସି କାମରେ ସେ ବାହାରକୁ ଯାଆନ୍ତି ମୋତେ ତାଙ୍କ ଇନ୍ସଟିଚ୍ୟୁଟରେ କ୍ଲାସ କରିବାକୁ କୁହନ୍ତି, ଆଉ ମୁଁବି ଯାଇ କ୍ଲାସ କରେ l “Abhinaya Jagruti Institute of Theatre (AJIT )” ହେଉଛି ସେହି ଇନ୍ସଟିଚ୍ୟୁଟ ଯାହା ସାରଙ୍କ ନାଁ ଅନୁସାରେ ହୋଇଛି l ସେହି ଇନ୍ସଟିଚ୍ୟୁଟରୁ ଅନେକ କୃତି ଅଭିନେତା ଅଭିନେତ୍ରୀ ବାହାରିଛନ୍ତି l ସାରଙ୍କ ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ଆମେ ସାରଙ୍କ ସହ ନାଟକ ସମ୍ବନ୍ଧରେ ଆଲୋଚନା କରୁଥିଲୁ ଓ ତାଙ୍କ ଠାରୁ ନୂଆ ନୂଆ କଥା ଶିଖୁଥିଲୁ  l

ଅଜିତ ସାରଙ୍କ ପାଖରୁ ମୁଁ ବହୁତକିଛି ଶିଖିଛି l କେବଳ ନାଟକ ନୁହଁ, ବାସ୍ତବ ଜୀବନରେ ସମସ୍ତ ପ୍ରକାରର ସୁବିଧା ଅସୁବିଧା ସହିତ ତାଳଦେଇ କେମିତି ଆଗକୁ ଯାଇହେବ ସେକଥା ଶିଖିଛି l ତାଙ୍କ କାମ କରିବାର ଶୈଳୀ ଭିନ୍ନ ପ୍ରକାରର l ତାଙ୍କ ନାଟକର ରିହରସେଲ ଠାରୁ ଆରମ୍ଭ କରି ମଞ୍ଚସ୍ଥ ପର୍ଯ୍ୟନ୍ତ ସବୁକିଛି ଶାନ୍ତି ଓ ଶୃଙ୍ଖଳାର ସହିତ ହୁଏ l ସାର ନାଟକ ପ୍ରସ୍ତୁତ କଲାବେଳେ ନାଟକର ସବୁଦିଗକୁ ଯେମିତି light, sound, costume, makeup, music, setting, props, acting କୁ ଗୁରୁତ୍ୱ ଦିଅନ୍ତି ଯାହା ଫଳରେ ତାଙ୍କ ନାଟକ ଗୁଡି଼କ ସଫଳତା ପାଇଥାଏ l ତାଙ୍କ  ରିଆଲିଷ୍ଟିକ ସେଟ ଡିଜାଇନ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ ଭିନ୍ନ ଓ ନିଆରା I ଷ୍ଟେଜର ସବୁ ସ୍ପେସକୁ କେମିତି ବ୍ୟବହାର କରିହେବ ତାହା ଖୁବ ସୁନ୍ଦର ଭାବେ ସେ ନାଟକରେ ପରିପ୍ରକାଶ କରିଥାନ୍ତି I ଅଭିନେତା ଓ ଅଭିନେତ୍ରୀମାନଙ୍କ ଦ୍ୱାରା କେମିତି ନିଖୁଣ ଅଭିନୟ ହୋଇପାରିବ ସଦାବେଳେ ଗୁରୁତ୍ୱ ଦିଅନ୍ତି I ସେ ଜଣେ ଭଲ ଲିଡର ମଧ୍ୟ ଯେଉଁଥିପାଇଁ ବହୁସଂଖ୍ୟକ ଅଭିନେତା ଅଭିନେତ୍ରୀ ଆଉ ଟେକନିସିଆନ ଥିବା ନାଟକକୁ ଖୁବ ଶୃଙ୍ଖଳତାର ସହିତ ଦର୍ଶକଙ୍କ ଆଗରେ ଭେଟି ଦିଅନ୍ତି I ଷ୍ଟେଜ ପଛର କାମ (Back stage work) ଏବଂ ଷ୍ଟେଜ ପଛର ଶୃଙ୍ଖଳା (Back stage discipline) କୁ ଅଜିତ ସାର ବେଶୀ ଗୁରୁତ୍ୱ ଦିଅନ୍ତି I

ଓଡ଼ିଆ ନାଟକ ଓ ସିନେମା ଜଗତକୁ ତାଙ୍କର ଅବଦାନ ଅତୁଳନୀୟ I ଜୀବନର ଅଧାରୁ ଅଧିକ ସମୟ ଧରି ଅଭିନୟ ଓ ନିର୍ଦ୍ଦେଶନା ସହିତ ସେ ଜଡିତ ଥିଲେ I ଓଡ଼ିଆ ନାଟ୍ୟ ଓ ସିନେମା ଜଗତରେ ତାଙ୍କ ସ୍ଥାନ ଅପୂରଣୀୟ ହୋଇରହିବ I ଜଣେ ଛାତ୍ର ହିସାବରେ ଗୁରୁଙ୍କୁ ସମୀକ୍ଷା କରିବା ଏତେ ସହଜ ନୁହେଁ ବା ସମ୍ଭବ ନୁହେଁ ସେଥିପାଇଁ କେବଳ ତାଙ୍କ ସହ ମିଶି କାମ କରିବା ଓ ଶିଖିବାର ସୁଯୋଗରେ ମୁଁ ଯାହା ଅନୁଭବ କରିଛି ସେହି ଅନୁଭୁତିରୁ ପଦେ ଆପଣମାନଙ୍କ ସହିତ ବାଣ୍ଟିବା ପାଇଁ ପ୍ରୟାସ କରିଛି I

Share This Article
ଯୁବ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର , ଅତିଥି ଅଧ୍ୟାପକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ (Young Theater Director, Script writer, and Guest Lecturer at Utkal University of Culture)