ମନମୋହନ ମିଶ୍ର ଜଣେ ଅତୁଳନୀୟ ବ୍ୟକ୍ତିତ୍ୱ

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ 144 Views
7 Min Read

ମୁଁ ଯେତେବେଳେ ପୁରୀ କଲେଜରେ ପଢ଼ୁଥିଲି ୧୯୫୧-୫୩ ହେବ, ସେତିକିବେଳେ ପାର୍ଲିଆମେଣ୍ଟ ଇଲେକସନ ହୋଇଥିଲା । ସେଇ ପାର୍ଲିଆମେଣ୍ଟ ଇଲେକସନରେ ପୁରୀରୁ ମନମୋହନ ମିଶ୍ର ପ୍ରତିନ୍ଦ୍ୱିନ୍ଦିତା କରୁଥିଲେ । ତାଙ୍କ ସାଥିରେ ଲୋକନାଥ ମିଶ୍ର କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରୁଥିଲେ । ପୁରୀରେ ଆମେ ଯେତେବେଳେ ପଢ଼ୁଥିଲୁ, ଯିବା ଆସିବା କରୁଥିଲୁ ସବୁଠି ଯେମିତି ମନମୋହନ ମିଶ୍ରଙ୍କ କଥା କହୁଥାନ୍ତି । ଏତେ ସୁଦ୍ଧା ବି ଆମର ଜଣାଶୁଣା ହୋଇନଥିଲା । ସେ ଯାହାବି ହେଉ ସେ ନିର୍ବାଚନରେ ସେ ପାଇଲେନି, ହାରିଗଲେ । ଯେଉଁଦିନ ହାରିଗଲେ, ସେଇ ଦିନ ଲୋକନାଥ ମିଶ୍ର ବିଜୟ ଉତ୍ସବ ପାଇଁ ସିଂହଦ୍ୱାର ପାଖରେ ଗୋଟିଏ ମିଟିଂ ରଖିଲେ ଏବଂ ମନମୋହନ ମିଶ୍ର ଗଡ଼ଗଡ଼ି ପାଖରେ ତାଙ୍କ ସମର୍ଥକମାନଙ୍କୁ କହିବା ପାଇଁ ସେ ଗୋଟିଏ ମିଟିଂ ରଖିଥିଲେ । ଆମକୁ ସେତେବେଳେ ୧୮-୧୯ ବୟସ ହେବ । ଆମେ ସେଠିକି ଯାଇଥିଲୁ, ଏଠିକି ବି ଯାଇଥିଲୁ। ଲୋକନାଥ ମିଶ୍ରଙ୍କ ସଭାରେ ଲୋକ ୨୦୦/୩୦୦ ହେବେ । ମନମୋହନଙ୍କ ମିଶ୍ରଙ୍କ ସଭାରେ ରାସ୍ତାର ଏପାଖ ସେପାଖ ଲୋକ ପୁରା ଫୁଲ  ହୋଇଥିଲେ ।

ତା ପରେ ଘଟଣା କ୍ରମେ ମନମୋହନ ମିଶ୍ରଙ୍କ ସହିତ ଭେଟ ହୁଏ ଢ଼େଙ୍କାନାଳର ଭୁବନରେ । ପ୍ରାୟ ୧୯୬୩-୬୪ ମସିହା ହୋଇପାରେ । ସେଠି ଗୋଟିଏ ହେତୁବାଦୀ ସମ୍ମିଳନୀ  ହେଉଥିଲା । ଆପଣମାନେ ଜାଣିଥିବେ ପ୍ରଫେସର ଧନେଶ୍ୱର ସାହୁ ବୋଲି ଜଣେ ଅଧ୍ୟାପକ ଅଛନ୍ତି ଏବେ ରିଟାୟଡ଼ କଲେଣି । ସେ ମୋତେ ଡକେଇଥିଲେ । ତେଣୁ ୩/୪ ଦିନ ଆମେ ଗୋଟିଏ ଘରେ ଥିଲୁ। ରହିବା ଭିତରେ ସେ ତ ମୋ ଠାରୁ ବଡ଼, ମୁଁ ଛାଡ଼ି ଛାଡ଼ି କରି ବେଳେ ବେଳେ କଥା ହଉଥିଲି । ସେ ବି ସ୍ନେହୀ ଲୋକ ଥିଲେ କଥାବାର୍ତ୍ତା ଏବଂ ଆଲୋଚନା ହେଲା ।

ସେ ତାଙ୍କ ଜୀବନର କେତୋଟି କଥା କହିଲେ । ଗୋଟିଏ କଥା ଥିଲା, ସେତେବେଳେ ତାଙ୍କ ନାଁରେ ଗୋଟିଏ ମର୍ଡ଼ର କେସ ଚାଲୁଥାଏ । ବିହାରର ଗୋଟିଏ ଯାଗାରେ ରହୁଥିଲେ । ତାଙ୍କର ଜଣେ ବନ୍ଧୁ ତାଙ୍କୁ କହିଲେ ଯେ, ମନମୋହନ ବାବୁ ଆପଣଙ୍କୁ ସେମାନେ ଆଜି ରାତିରେ ଆରେଷ୍ଟ କରିବେ । ମନମୋହନ ମିଶ୍ର କହିଲେ, ଆରେଷ୍ଟ ତ ହେବି ଯେମିତି ହେଲେ । ଏତେ ଶିଘ୍ର କାହିଁକି ଆରେଷ୍ଟ ହେବା, ଦେଖିବା ଯଦି କିଛି ହୋଇପାରେ । ସେ ସେଇଦିନ ରାତିରେ ଘରର ପଛପଟେ ବାହାରି ଚାଲି ଚାଲି ଜଙ୍ଗଲ ଭିତରେ ୧୨ ମାଇଲ ଯାଏ ଚାଲିଲା ପରେ ଓଡ଼ିଶାକୁ ବାହାରିଆସିଲେ । ତାଙ୍କର କଥା ହେଲା ଯେ, ବିହାର ପୋଲିସ ଓଡ଼ିଶାର ଲୋକଙ୍କୁ ଆରେଷ୍ଟ କରିପାରିବ ନାହିଁ । ଫେର ଓଡ଼ିଶା ପୁଲିସଙ୍କୁ ଜଣାଇବେ । ତେଣୁ ସେ ଓଡ଼ିଶାକୁ ଚାଲିଆସିଲେ ।

ତାଙ୍କର ଜଣେ ଝିଅ ସେ ଇଂରାଜୀ ଲେକଚର ସେତେବେଳେ ହୋଇଥାନ୍ତି ଆନନ୍ଦପୁର ପ୍ରାଇଭେଟ କଲେଜରେ । ଆମେ ଏମିତି ପାରିବାରିକ କଥା ହେବା ଭିତରେ ମୁଁ ପଚାରିଲି ଝିଅ ବାହାଘର କେମିତି କରିବେ? ମନମୋହନ ବାବୁ କହିଲେ ନଟବର ବାବୁ, ଆମେତ କମ୍ୟୁନିଷ୍ଟିଆ ଲୋକ  ଆମେ ଯୌତୁକରେ ବିଶ୍ୱାସ କରୁନାହୁଁ । ଆମେ ଦେଉ ନାହୁଁ କି ଆଣୁନାହୁଁ । ମେତେ କିଛି ଖର୍ଚ୍ଚ ପଡ଼ିବନି । ଜ୍ୱାଇଁ ତ ମିଳିଯିବ  କିନ୍ତୁ ଯେତେବେଳେ ଝିଅ ଅନ୍ୟ ଘରକୁ ଯିବ ସେ ତ କିଛି ବାଧ୍ୟ ନେଇ କି ଯିବ । ୧୫ ଦିନ ମାସେ ପରେ ସେ କଣ ଶାଶୁ, ଶଶୁରଙ୍କୁ ମାଗିବ ନା ଜ୍ୱାଇଁଙ୍କୁ ମାଗିବ । ଏଇଟା ବଡ ପ୍ରଶ୍ନ । ଯୌତୁକ କଥାର ବହୁ ଆଗରୁ ଏକଥା ମଧ୍ୟ ଥିଲା । ଝିଅକୁ କିଛି ଜିନିଷ ଦିଆହୋଇଥାଏ ପ୍ରଥମେ ମାସେ ୧୫ ଦିନ ଚଳିବାକୁ ଡାଲି ଚାଉଳ ଇତ୍ୟାଦି । ମୋ ପାଖରେ ତ ସେତିକି ବି ପଇସା ନାହିଁ ସେତିକି ଯୋଗଡ଼ କରିବା ପାଇଁ ।

ମୁଁ ତାଙ୍କୁ ପଚାରିଲି ଆପଣ ଚୀନ ଯାଇଥିଲେ ସେଠି କେମିତି କ’ଣ ହୁଏ? ତମେ ଭଲ କଥା ପଚାରିଲ । ଚୀନରେ ତାଙ୍କର ସବୁ କମ୍ୟୁନ ଅଛି । କମ୍ୟୁନରେ ଯେତେ ଝିଅ ପୁଅ ବାହାଘର ହେବ ସେ କମ୍ୟୁନକୁ ଯିବେ ସବୁ ଖର୍ଚ୍ଚବାର୍ଚ କରିବେ । ଅବଶ୍ୟ ଖର୍ଚ୍ଚବାର୍ଚ ଏତେ ବେଶୀ ନୁହେଁ କେବେଳ ବାପା, ମା’ ମାନଙ୍କର ଗୋଟିଏ ଦାୟୀତ୍ୱ ଗୋଟିଏ ପୋଷାକ ଝିଅପୁଅଙ୍କୁ ଦେବେ ।

ମନମୋହନ ମିଶ୍ର ତ ବହୁତ ମିଟିଂ ବୁଲନ୍ତି । ଲୋକେ ତାଙ୍କ କଣ୍ଠରୁ ଗୀତ ଶୁଣିବାକୁ ଚାହାନ୍ତି ସେ ବି ବୋଲନ୍ତି । ଆଜି ଆମେ ଯେତିକି ଗୀତ ଶୁଣିଲେ ୟାଠୁ ଶକ୍ତିଶାଳୀ ଗୀତ ଅଛି । ତାଙ୍କର ଗୀତ ସେ ନିଜେ ଲେଖନ୍ତି, ସେ ଯେଉଁ ଶବ୍ଦ ସଂଯୋଜନା କରନ୍ତି, ସ୍ୱର ସଂଯୋଜନା କରନ୍ତି ,ସେ ଯେତେବେଳେ ବୋଲନ୍ତି ମୋତେ ଲାଗେ ମୋର ରକ୍ତ ଟକ ଟକ ହୋଇ ଫୁଟି ଉଠୁଛି । ଶତ୍ରୁ ବିରୁଦ୍ଧରେ କି ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ସମସ୍ତଙ୍କୁ ଉତ୍ସାହିତ କରୁଥିଲେ ।

ମୁଁ ନିଆଳି ହାଇସ୍କୁଲରେ ମାଷ୍ଟର ଥିଲି । ତାଙ୍କୁ ଥରେ ନିଆଳିକୁ ଡକାଇଥିଲି । ସେ ଯାଇଥିଲେ । ଆପଣମାନେ ଜାଣିଥିବେ ଡଃ ରାଧାନାଥ ରଥ ଓ ମନମୋହନ ମିଶ୍ର ଏଇ ଦୁଇଜଣଙ୍କୁ ଡାକିଥିଲୁ । ବିଷୟ ଥିଲା ‘ଧର୍ମ ବିଜ୍ଞାନ ଓ କୁସଂସ୍କାର’ । ୟାରି ଉପରେ ସେମାନେ କହିଲେ । ମୁଁ ତାଙ୍କୁ ସେଠି କହିଲି – ଆଜ୍ଞା ଏତେ ଗୁଡ଼ାଏ ଲେକ, ଗୁଡ଼ାଏ ଲୋକ ହୋଇଥିଲେ ସେ ଜୁଆଡ଼େ ଯାଆନ୍ତି ଲୋକ ହୁଅନ୍ତି । ତାଙ୍କ ବିଷୟରେ ଟିକେ ଟିକେ ଲୋକ ଶୁଣିଛନ୍ତି । ମୁଁ କହିଲି ଏ ବିଷୟରେ ତ ଆଲୋଚନା ହେଲା ଆପଣ ଗୋଟିଏ ଗୀତ ବୋଲନ୍ତୁ । ମନମୋହନ ବାବୁ କହିଲେ, ନଟବରବାବୁ ଗୀତ ବୋଲିବା । ହଉ ଗୀତ ବୋଲିବା। ପରିବେଶ ସମ୍ପୂର୍ଣ୍ଣ ନୀରବ। ସମସ୍ତେ ଯେମିତି ମୁଗ୍ଧ ହୋଇଯାଉଥାନ୍ତି ସେଥିରେ। ତା ପରେ ସେ ଗଲେ।

ମୁଁ ତାଙ୍କୁ ଥରେ ଚିଠି ଲେଖିଥିଲି । ଆମ ଗାଁକୁ ଯିବା ଆସିବା କରିବାକୁ ଗୋଟିଏ ନଈ ପଡ଼େ । ପ୍ରାଚୀ ନଈ । ସେଥିରେ ସବୁବେଳେ ବଢ଼ି ହୁଏ । ଆଜି ତ ସେ ଶୁଖିଲା । ନଈର ଜୀବନ ନାହିଁ । ଯାହାହେଉ ସେତେବେଳେ ଭାରି ଅସୁବିଧା ହେଉଥିଲା ଯିବାଆସିବା ବେଳେ । ଗୋଟିଏ ବ୍ରିଜ ପାଇଁ ତାଙ୍କୁ ଗୋଟିଏ ଚିଠି ଲେଖିଥିଲି । ତାଙ୍କର ଜଣେ ବନ୍ଧୁ, ସେତେବେଳେ ଗଭର୍ନର ଥିଲେ । ସେମାନେ ଏକାସହ ଚୀନ ଯାଇଥିଲେ । କଥାବାର୍ତ୍ତା ବେଳେ ମୋତେ କହୁଥିଲେ । ତେଣୁ ମୁଁ ତାଙ୍କୁ ଲେଖିଲି ଯେ, ସେ ତ ଆପଣଙ୍କ ବନ୍ଧୁ । ସେ ଯଦି ଏଇ ବ୍ରିଜ ପାଇଁ କିଛି କରନ୍ତେ ଭଲ ହୁଅନ୍ତା । ସିଏ ମୋ ପାଖକୁ ଗୋଟିଏ ଚିଠି ଲେଖିଲେ । ମୁଁ ଗୋଟେ ଏତେ ନିର୍ବୋଧ ସେଇ ଚିଠିକୁ ରଖିପାରିଲି ନାହିଁ । ଚିଠିଟା ଥିଲେ ପଢ଼ିଥିଲେ ଜାଣିଥାନ୍ତେ ସେ କେତେ ଦୂରଦ୍ରଷ୍ଟା ଥିଲେ । ୫୦ ବର୍ଷ ୧୦୦ ବର୍ଷ ଆଗକୁ ସେ ଚିନ୍ତା କରିପାରୁଥିଲେ ଗତିବିଧି ଦେଖିକି ।

ସେ ଲେଖିଲେ – ନଟବର ବାବୁ ଚିଠି ପାଇଲି । ଆପଣଙ୍କ ନଈ ଉପରେ ବ୍ରିଜ ହେବା କଥାଟା ମୁଁ ବୁଝୁଛି । ଗଭର୍ଣ୍ଣରଙ୍କୁ କହିଲେ ନିଶ୍ଚୟ ହେବ । ଆପଣ ବ୍ରିଜ୍ କଥା କାହିଁକି କହୁଛନ୍ତି । ଆପଣ ଦେଖିବେ ଆସନ୍ତା ୨୦/୩୦ ବର୍ଷ ଭିତରେ ଉପକୂଳ ଅଂଚଳରେ ଦୀଘା ଆଉ ଗୋପାଳପୁର ଭିତରେ ବହୁ ସାମରିକ ଘାଟି ହେବ । ସୈନ୍ୟ ରହିବେ ଗୋଳାବାରୁଦ ରହିବ । ଆମ କଟକ ରହିବ କି ନାହିଁ ଭୂବନେଶ୍ୱର ରହିବ କି ନାହିଁ ସନ୍ଦେହ । ତେଣୁ ଏଇଭଳି ଭାବରେ ଆମ ସରକାର ବବ୍ୟସ୍ଥା କରୁଛନ୍ତି ଗୋଳାବାରୁଦ ରଖବା ପାଇଁ ଘାଟି ସବୁ କରୁଛନ୍ତି । ତାର ବହୁ ପରେ ଆମର ବାଲିଆପାଳରେ ଘାଟି ହେଲା । ଆମର ଅସ୍ତରଙ୍ଗରେ ସମସ୍ତେ ଚାହୁଛନ୍ତି ସୈନ୍ୟ ଛାଉଣୀ ହେବ । ସେଇଥିପାଇଁ ଭୂବନେଶ୍ୱରରୁ ଅସ୍ତରଙ୍ଗକୁ ରାସ୍ତା ତିଆରି ବି ଚାଲିଲାଣି । ସେତେବେଳେ ସିଏ ଏକଥା ମୋତେ କହିଥିଲେ । ଆମକୁ ବର୍ତ୍ତମାନ ବୟସ ଏତେ ହେଲାଣି ଅନେକଙ୍କ ସଂସ୍ପର୍ଶରେ ଆସିଛୁ । ଆପଣମାନେ ଆସିଥିବେ କି ନାଇଁ । ମୁଁ ଯେତେ ଜଣଙ୍କ ସଂସ୍ପର୍ଶରେ ଆସିଛି ମନମୋହନ ମିଶ୍ରଙ୍କ ସହ ତୁଳନା ହେବା ଭଳି ଲୋକ ଏ ପର୍ଯ୍ୟନ୍ତ ପାଇନାହିଁ । ସେ ଜଣେ ଲଢ଼ୁଆ ଲୋକ ଥିଲେ ।

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)