Home / ସାହିତ୍ୟ ସଂସ୍କୃତି / ଭାରତ ଛାଡ ଆନ୍ଦୋଳନ (ଶ୍ରୀମତୀ ମାଳତୀ ଚୈାଧୁରୀ-8 )

ଭାରତ ଛାଡ ଆନ୍ଦୋଳନ (ଶ୍ରୀମତୀ ମାଳତୀ ଚୈାଧୁରୀ-8 )

Share Samadhwani

ମାଳତୀ ଦେବୀ ଭାରତ ଛାଡ ଆନ୍ଦୋଳନରେ ବେଶ ସକ୍ରିୟ ଥିଲେ । ପୁତୁରା ମନମୋହନ ଲେଖନ୍ତି, ‘ମୁମ୍ବାଇରେ ଅଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଅଗଷ୍ଟ ଆଠ ତାରିଖ ସନ୍ଧ୍ୟାରେ ଭାରତ ଛାଡ ପ୍ରସ୍ତାବ ଗୃହୀତ ହେଲା ଓ ନଅ ତାରିଖ ଭୋରରେ ଗାନ୍ଧୀଜୀଙ୍କ ସମେତ ସବୁ ନେତା ଗିରଫ ହୋଇଗଲେ । ବୈଠକରେ ଯୋଗ ଦେଇ ଖୁଡୀ ଓ ସୁରେନ୍ଦ୍ର ଦ୍ୱିବେଦୀ .ପୁଲିସର ତୀକ୍ଷ୍ଣ ଦୃଷ୍ଟିକୁ ଏଡେଇ ଆସି ଓଡିଶାରେ ପହଂଚିଲେ..।’(ଖୁଡୀଙ୍କ ସ୍ମୃତି, ନୁମା-ଏକ ସଙ୍କଳନ, ପୃ ୬) ଏହି ପରି ଫେରିବା ସମ୍ପର୍କରେ ସୁରେନ୍ଦ୍ର ଦ୍ୱିବେଦୀ ଲେଖନ୍ତି, “ସ୍ଥିର ହେଲା, ମୁଁ ଓ ମାଳତୀ ଦେବୀ ଓଡିଶା ଫେରିବୁ, ମାଳତୀ ଦେବୀ ଗୋପାନରେ ରହିବା ସମ୍ବବ ନୁହେଁ । ସେ ପହଂଚି କିଛି ପ୍ରକାଶ୍ୟ ସଭା କରି ଗିରଫ ହେବେ ଏବଂ ମୋତେ ଅନ୍ତରାଳରେ ରହି ଭାରତ ଛାଡ ଆନ୍ଦୋଳନର ଗୁପ୍ତ ସଂଗଠନ ଚଳାଇବାକୁ ପଡିବ ।” (ବହ୍ନିମାନ, ପୃ ୧୮୫) ମାଳତୀ ଦେବୀ ଓ ସୁରେନ୍ଦ୍ର ଦ୍ୱିବେଦୀ ଫେରିଲେ, ସୁରେନ୍ଦ୍ର ଦେବୀଙ୍କ ଭାଷାରେ, “ଅତି ରୋମାଂଚକର ପରିସ୍ଥିତିରେ ଆମେ ରାତି ଅଧରେ ଭୁବନେଶ୍ୱରରେ ରାତ୍ରୀ ଯାପନ କଲୁ ।….ଭୁବନେଶ୍ୱରରେ ଆଉ ରହିବା ସମ୍ଭବ ନ ଥିଲା । ଆମେ ବଡି ଭୋରୁ ଚାଲି ଚାଲି ବାଲିଅନ୍ତା ବାଟେ କଟକ ଅଭିମୁଖେ ଗଲୁ । କାଠଯୋଡୀ ନଇ ବଢିଥିଲା । ଯୁଦ୍ଧ ହେତୁ କାଠଯୋଡୀ ରେଳ ପୋଲ ଉପରେ ମିଲିଟାରୀ ପହରା ଥିଲା, ଅନ୍ଧାର ରାତି , ବିଜୁଳି ଚମକୁଥିଲା । ରେଳ ପୋଲ ତଳ ଆଡକୁ କୁଣ୍ଡାଗୋଳ ଘାଟ- ଯେଉଁଠି ଏବେ ମଧୁପାଟଣା ହୋଇଛି, ଆମେ ଆସି ସେହିଠାରେ ପହଂଚିଲୁ ଏକ ହୁଲି କାଠୁଆ ଡଂଗାରେ । ସେହି କାଠୁଆଟି ବେଳେ ବେଳେ ହଲି ଯାଉଥିଲା; ମଝିରେ ମଝିରେ ସେଥିରେ ପାଣି ଛିଟକି ପଡୁଥିଲା । ସର୍ବଦା ବୁଡିଯିବାର ଆଶଙ୍କା ଥିଲା । ମାଳତୀ ଦେବୀ କିନ୍ତୁ ନଦୀ ଗର୍ଜ୍ଜନରେ ଗୀତ ଶୁଭିବନି ବୋଲି ଗାଇଲେ ବିଦ୍ରୋହୀ କବି ନଜରୁଲ ଇସଲାମଙ୍କର ସେହି ପ୍ରସିଦ୍ଧ ସଂଗୀତ-’ଦୁର୍ଗମ ଗିରି,କାନ୍ତାର ମରୁ, ଦୁସ୍ତର ପାରାବାର ହେ / ଲଂଘିତେ ହବେ, ରାତ୍ରୀ ନିଶୀଥେ, ଯାତ୍ରୀରା ହୁସିଆର//……ଦୁଲିତେଛେ ତରୀ , ଫୁଲିତେଛେ ଜଲ , କାଣ୍ଡାରୀ ହୁସିଆର ।’ କଟକରେ ପହଂଚି ସେ ଗଲେ ତାଙ୍କ ଘରକୁ । ମୁଁ ଚାଲିଲି ଗୁପ୍ତ ଆଶ୍ରୟର ସନ୍ଧାନରେ । ” (ବହ୍ନିମାନ, ପୃ ୧୮୬-୭) କଟକ ଘରେ ପହଂଚିଲା ବେଳକୁ ଚୈାଧୁରୀ ପରିବାରରୁ ଗୋପବନ୍ଧୁ ଚୈାଧୁରୀ, ରମା ଦେବୀ, ନବବାବୁ ଓ ମନମୋହନ ଚୈାଧୁରୀ ଗିରଫ ହୋଇ ସାରିଥାନ୍ତି । ଗିରଫ ହୋଇ ନ ଥାନ୍ତି ଅନ୍ନପୂର୍ଣ୍ଣ ମହାରଣା ଓ ଶରତ ମହାରଣା । ମାଳତୀ ଦେବୀ ତ ଛଦ୍ମ ବେଶରେ ଥାନ୍ତି । ୧୨ ଅଗଷ୍ଟ ଦିନ ଗୈାରୀଶଙ୍କର ପାର୍କରେ ଏକ ସାଧାରଣ ସଭା ହୁଏ । ସେଠାରେ ମଧ୍ୟ କିଛି ଗିରଫଦାରି ହୁଏ । ପର ଦିନ, ୧୩ ଅଗଷ୍ଟ , ମାଳତୀ ଦେବୀ ପ୍ରକଟିତ ହୁଅନ୍ତି କଲେଜ ଛକ ସଭାରେ ଓ ସେହିଠାରେ ତାଙ୍କୁ ଗିରଫ କରାଯାଏ । (ବହ୍ନିମାନ, ପୃ ୧୯୦) କଟକ ଜେଲର ବାର ନମ୍ବର ୱାର୍ଡରେ ପ୍ରାୟ ଦୁଇ ବର୍ଷ ଆଠ ମାସ ବନ୍ଦୀ ଜୀବନ କାଟନ୍ତି ମାଳତୀ ଦେବୀ, ଖଲାସ ହୁଅନ୍ତି ୧୯୪୫ ମସିହା ଏପ୍ରିଲ ପହିଲାରେ । ଏହି ୧୨ ନମ୍ବର ଓା୍ୱର୍ଡରେ ହିଁ ବାଜି ରାଉତ ଛାତ୍ରାବାସର ପରିକଳ୍ପନା ହୋଇଥିଲା, ମାଳତୀ ଦେବୀଙ୍କ ମାନସରେ । ସହବନ୍ଦୀ କିରଣ ଲେଖା ମହାନ୍ତି ଲେଖନ୍ତି, “ଦିନେ ସେ ମତେ କହିଲେ ‘ଦାଦା’ (ସ୍ୱର୍ଗତଃ ଗୋପବନ୍ଧୁ ଚୈାଧୁରୀ) ରାମଚନ୍ଦ୍ରପୁରରେ ଯେମିତି ଗୋଟିଏ ମୈାଳିକ ବିଦ୍ୟାଳୟ ସ୍ଥାପନ କରିଛନ୍ତି ସେହିଭଳି ବିଦ୍ୟାଳୟଟିଏ ଅନୁଗୁଳରେ କରିବା ମୋର ଇଚ୍ଛା । ଗଡଜାତ ଆନ୍ଦୋଳନରେ ଜେଲ ଯନ୍ତ୍ରଣା ଭୋଗୁଥିବା ସଂଗ୍ରାମୀମାନଙ୍କର ପିଲା ଏବଂ ଗରିବ ଆଦିବାସୀ, ହରିଜନ ପିଲା ସେଠାରେ ରହିବେ ଓ ପଢିବେ । ତୁ ଏଥିରେ ମତେ ସାହାଯ୍ୟ କର । ଏହା ମୋର ଇଚ୍ଛା । ତାଙ୍କରି ଏ କଥାରେ ମୁଁ ହଁ ଭରିଥିଲି । ” (ନୁମାଙ୍କ ମାନସସନ୍ତାନ ବାଜି ରାଉତ ଛାତ୍ରାବାସ, ନୁମା-ଏକ ସଙ୍କଳନ, ପୃ ୧୦୦)


Share Samadhwani
Support Samadhwani

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …