ପାଇକମାଳର ଗୋଟିଏ ଗାଁ’ “କୁଢାରୀଫସା” ଗସ୍ତ

(ଆମ ଗାଁ ଆମ ଜୀବନ - ୪)

Swayamprava Parhi (Chief Editor)
634 Views
12 Min Read

ପ୍ରତ୍ୟେକ ଗାଁଁର ନିଜର ପରିଚୟ ରହିଛି । ଗୋଟିଏ ଗାଁ ଆଉ ଗୋଟିଏ ଗାଁ ଠାରୁ ଅନେକ ଦୃଷ୍ଟିରୁ ଭିନ୍ନ ହୋଇପାରେ । ପ୍ରତ୍ୟେକ ଗାଁଁର ନିଜର ଅତୀତର ଅନୁଭୂତି, ସଂସ୍କୃତି, ଜୀବନ ଜୀବୀକା ଓ ଘଟଣା ଅଘଟଣ ଅନ୍ୟ ଗାଁଠାରୁ ସମ୍ପୁର୍ଣ୍ଣ ଭିନ୍ନ । ପାଖାପାଖି ଥିବା ଦୁଇଟି ଗାଁର ଭିନ୍ନତା ସେଥିପାଇଁ ତ ମନକୁ ଚକିତ ଓ ଆନ୍ଦୋଳିତ କରେ । ଏମିତି କିଛି ଘଟଣାକୁ ଯଦି ନିଜ ଆଖିରେ ଦେଖି ଅନୁଭବ କରିହେଲା ତା’ଠୁ ବଡ଼ ଭାଗ୍ୟ ବା ଆଉ କ’ଣ ହୋଇପାରେ । ପାଇକମାଳର ଗାଁ’ ସହିତ ସୃଷ୍ଟି ହୋଇଥିବା ଅନୁଭୂତି ସେଥିପାଇଁ ମୋ ଜୀବନର ସବୁଠାରୁ ଅଧିକ ଗୁରୁତ୍ତ୍ୱ ବହନ କରେ । 

Support Samadhwani

ଯେଉଁ ଲକ୍ଷ୍ୟ ନେଇ ଆମେ ପାଇକମାଳ ଯାଇଥିଲୁ ତାହା ଥିଲା ଆମ ଗାଁ’ର ଇତିହାସ ଓ ଖାଦ୍ୟ ସଂସ୍କୃତିକୁ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଲିପିବଦ୍ଧ କରିବା । ଏଥିରେ ଆଗରୁ କହିଛି ୮ଟି ସ୍କୁଲର ୬୫ରୁ ୭୦ଟି ଗାଁ’ର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଆଗଭର ହୋଇଥିଲେ ନିଜ ନିଜ ଗାଁ ସମ୍ପର୍କରେ ଗବେଷଣା କରି ତଥ୍ୟ ସଂଗ୍ରହ କରିବାପାଇଁ । ଛାତ୍ରଛାତ୍ରୀମାନେ ଗାଁ’ରେ ଯାଇ ନିଜ ଗାଁ’ର ବୟସ୍କ ଲୋକମାନଙ୍କୁ ପଚାରିବେ ଆମ ଗାଁ’ର ନାଁ କାହିଁକି ଏମିତି ଦିଆଗଲା, ଆମ ଗାଁ କେବେ ଆରମ୍ଭ ହୋଇଥିଲା, ଗାଁ’ର ପ୍ରଥମ ବାସିନ୍ଦା କେଉଁମାନେ ଥିଲେ ଓ ସେମାନେ କେମିତି ବଞ୍ଚୁଥିଲେ? ଏମିତି ଅନେକ ପ୍ରଶ୍ନ ଗାଁ’ର ଅତୀତ ଓ ବର୍ତ୍ତମାନକୁ ନେଇ । ସେ ବିଷୟରେ ସେମାନେ ବୟସ୍କ ମାନଙ୍କୁ ପଚାରିବେ ଓ ଗାଁ ଲେକେ ଏ ବିଷୟକୁ କେମିତି ବୁଝିବେ ଓ ସେମାନଙ୍କୁ ଉତ୍ତର କରିବେ ଏଇଟା ଥିଲା ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆଜିକାଲି ତ ବୟସ୍କ ମାନଙ୍କ ସଙ୍ଗେ କଥା ହେବାକୁ କାହା ପାଖରେ ସମୟ ନାହିଁ । ସମସ୍ତେ ମୋବାଲ ଭଳି ଏକ ଗେଜେଟ୍ ପଛରେ ପଡ଼ିଛନ୍ତି ସେ ଗାଁ ହେଉକି ସହର । ଆମ କାମ କିନ୍ତୁ ଥିଲା ସମ୍ପୁର୍ଣ୍ଣ ବିପରିତ ମୁଖି । ପୁରୁଣା ଲୋକ ବା ବୟସ୍କ ଲୋକମାନେ ହିଁ ଆମ କାମର ମୁଖ୍ୟ ସମ୍ବଳ । ସେମାନଙ୍କ ଅନୁଭୂତି ହିଁ ଗାଁ’ର ଇତିହାସ ଲେଖିବାର ମୁଖ୍ୟ ଆଧାର । ଏଠି ତ କେବଳ ଇତିହାସ ଲେଖାଇବା ଆମର ଉଦ୍ଦେଶ୍ୟ ନଥିଲା ବରଂ ଯୁବପିଢ଼ି ଏହି ଇତିହାସକୁ କେମିତି ବୁଝିବେ ଓ ତାର ମହତ୍ତ୍ୱକୁ କେମିତି ଅନୁଭବ କରିବେ ସେଇଟା ଥିଲା ଉଦ୍ଦେଶ୍ୟ । ଝିଟିକି ସ୍କୁଲରେ ତରୁଣୀ ମଲ୍ଲିକ ଆମକୁ ତାଙ୍କ ଗାଁ’କୁ ଯିବାପାଇଁ ଆମନ୍ତ୍ରଣ କରିବା ଆମପାଇଁ ଏକ ସୁଯୋଗ ସୃଷ୍ଟିକଲା ଗାଁ’ ଭିତରକୁ ଯିବାପାଇଁ ।

ପାଇକମାଳରେ ପ୍ରଥମ ଗାଁ’କୁ ଗସ୍ତ ଆରମ୍ଭ ହେଲା ୨୦୨୩ ଜୁଲାଇ ୨୯ ତାରିଖରେ । ସେତେବେଳକୁ ଦିନ ୩ଟା ହେବ । ପାଇକମାଳରୁ ପାଖାପାଖି ୮ କିଲୋମିଟର ହେବ କୁଢାରୀଫସା ଗାଁ । ୫ କିଲୋମିଟର ଘଞ୍ଚ ଜଙ୍ଗଲ ପାରି ହେବାପରେ ମନଭଙ୍ଗ ଡ଼୍ୟାମ୍ । ଡ଼୍ୟାମ୍ ପାଖରୁ ୨ କିଲୋମିଟର ଗଲେ କୁଢ଼େରଫସା ଗାଁ । ଆମେ ଯାଇ ପହଁଞ୍ଚିଲୁ ମନଭଙ୍ଗ ଡ଼୍ୟାମ୍  ନିକଟରେ। ଆମ ଟିମରେ ମୋ ସହିତ ଥିଲେ ଭିଡ଼ିଓ ଏକ୍ସପର୍ଟ ଲକ୍ଷ୍ମୀଧର ମୁର୍ମୁ, ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର ଛାତ୍ରୀ ରିମା ସାହୁ, ପଦମପୁର ଅଞ୍ଚଳର ବିଶିଷ୍ଟ ଲୋକ କଳା ଗବେଷକ ତଥା ଗଣ୍ଡା ବଜାର ଢୋଲ ବାଦକ ଶ୍ରୀ ରମେଶ ଗୁର୍ଲା, ସାମାଜିକ କର୍ମୀ ତଥା ସାମ୍ବାଦିକ ଗୋପବନ୍ଧୁ ସିକା, ଓ ଆମକୁ ସବୁପ୍ରକାର ଆନୁଷଙ୍ଗିକ ସହଯୋଗ ଯୋଗେଇ ଦେଉଥିବା ଅହ୍ନିଂଶା କ୍ଲବ ତଥା ମିଲେଟ ମିସନର ବ୍ଲକର ସଂଯୋଜକ ରାକେଶ ପ୍ରଧାନ । ଆମେ ଡ଼୍ୟାମ ପାଖରେ ଏକ ସୁନ୍ଦର ମନୋରମ ପରିବେଶ ଦେଖି ଟିକେ ଅଟକିଲୁ । ପାଖରେ ଖୁବ ବଡ଼ ବଡ଼ ବର ଗଛ । ବାଉଁସରେ ତିଆରି ଏକ ଦୁଇତାଲା ମାଟିଘର । ପରିବେଶଟି ଏତେ ମନୋରମ ହୋଇଥାଏ ଯେ ସେହି ଜାଗା ଛାଡ଼ି ଯିବାପାଇଁ କେବେ ମନ ହେବନି । କିଛି ସମୟ ଛିଡ଼ା ହେବାପରେ ଆମ ଟିମ୍ ଫଟୋ କିଛି ଉଠାଇଲେ ଓ ଆମେ ଚାଲିଲୁ କୁଢାରୀଫସା ଅଭିମୁଖେ । 

Support Samadhwani

କୁଢାରୀଫସା ଗାଁ ସହିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଇତିହାସ ଯୋଡ଼ି ହୋଇଛି ବୋଲି ଶୁଣିବାପରେ ଗାଁ’କୁ ଓ ଗାଁ’ ଲୋକଙ୍କୁ ଭେଟିବାର ଆଗ୍ରହ ବହୁତ ବଢ଼ିଯାଇଥାଏ । ଗାଁ ଭିତରକୁ ପସୁ ପସୁ ଦେଖିଲୁ ଏକ ନାମ ଫଳକ ଓ ପାଣିଟାଙ୍କି । ସରୁ ପକ୍କା ରାସ୍ତା । ଭିତରକୁ ଲମ୍ବି ଯାଇଛି । ରାସ୍ତାର ଦୁଇ ପାଶ୍ୱର୍ରେ ଘର । ଏଠି ମୁଖ୍ୟତଃ କନ୍ଧ ସମ୍ପ୍ରଦାୟର ଲୋକ ରୁହନ୍ତି । ତାଛଡ଼ା ଗଣ୍ଡ୍ ସମ୍ପ୍ରଦାୟର କିଛି ଲୋକ ଓ କିଛି ଓଡ଼ିଆ ଲୋକ ମଧ୍ୟ ବସବାସ କରନ୍ତି ବୋଲି ଶୁଣିଛୁ । ଆମକୁ ଦେଖି ଗାଁ’ର ପିଲାମାନେ ବାହାରକୁ ଆସି ହୋ ହା ହେବା ଆରମ୍ଭ କଲେ । ବୟସ୍କ ମା’ମାନେ ବାଡ଼ି ଧରି ଆସି ଉଣ୍ଡିଲେ କିଏ ଗାଁ’କୁ ପଶିଲା ବୋଲି । ସତରେ ସେ ଗାଁ’ଟିକୁ ବହୁତ କମ ବାହାର ଲୋକ ଯାଆନ୍ତି । ସେଥିପାଇଁ ଗାଡ଼ିରୁ ଏତେ ଲୋକ ବାହାରିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଆମେ ଗାଁ’ ଦେଖିବାକୁ ଆସିଛୁ କହିବାରୁ ସମସ୍ତେ ବହୁତ ଖୁସି ହୋଇଗଲେ । ଗାଡ଼ିରୁ ଓହ୍ଲାଇ ଆମେ ତରୁଣୀ ମଲ୍ଲିକ ଯିଏକି ଝିଟିକି ସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଛନ୍ତି ତାଙ୍କୁ ଭେଟିବୁ କହିଲୁ । ଜଣେ କେହି ଆମକୁ ତରୁଣୀ ମଲ୍ଲୀକର ଘର ହାତ ଠାରି ଦେଖେଇଦେଲେ । ଆମେ ତରୁଣୀଙ୍କ ଘର ଦୁଆରେ ପଚାରିବା ସମୟରେ ଜଣେ ବୟସ୍କା ମା ଦୁଆର ଖୋଲି ବାହାରି ଆସିଲେ । ଆମେ ନମସ୍କାର କରି ତରୁଣୀ ଅଛି କି ପଚାରିଲୁ । ମା ଜଣକ କହିଲେ ମୁଁ ତା ଜେଜେ ମା । ଅପେକ୍ଷା କର ତରୁଣୀ ଟିକେ ଗାଁ’ ଭିତରକୁ ଯାଇଛି । ଏବେ ଆସିଯିବ । ସେ କହୁଥିଲା ଯେ ଆମ ସ୍କୁଲରୁ ଜଣେ ମାଡ଼ାମ୍ ଆଜି ଆସିବେ ବୋଲି । 

ଏ ଭିତରେ ତରୁଣୀ ଗାଁ ଲୋକଙ୍କୁ କହି ସାରିଛନ୍ତି ଯେ, ଗୋଟିଏ ମିଟିଂ ହେବ ତେଣୁ ସମସ୍ତେ ଉପସ୍ଥିତ ରହିବ । ମିଟିଂ ବସିଲା । ଗାଁର ବୟସ୍କ ଲୋକ ଓ କେତେଜଣ ବୟସ୍କା ମା ଆସି ମିଟିଂରେ ବସିଲେ । ଜଣେ ଲୋକଙ୍କ ଦାଣ୍ଡ ପିଣ୍ଡାରେ ଆମେ ବସିଥାଉ । ଗାଁ ସମ୍ପର୍କରେ ଆଲୋଚନା ହେବା ଆଗରୁ ମୁଁ ସମସ୍ତଙ୍କୁ ନମସ୍କାର କରି କହିଲି ଯେ, ଆମେ ଭୁବନେଶ୍ୱରରୁ ଆସିଛୁ ଆପଣଙ୍କ ଗାଁ ସମ୍ପର୍କରେ କିଛି ଜାଣିବାପାଇଁ । ଆପଣମାନଙ୍କ ଭିତରୁ କେହି କହିପାରିବେ କି କୁଢ଼େରଫସା ବୋଲି ଆପଣଙ୍କ ଗାଁ’ର ନାମ କାହିଁକି ଦିଆଗଲା? ଜଣେ ବୟସ୍କ ଲୋକ ତାଙ୍କ ନାଁ କୈବଲ୍ୟ ମଲ୍ଲିକ, କହିପକାଇଲେ ଯେ, ପୂର୍ବ କାଳରେ ଜଣେ ଲୋକ କୁରାଢ଼ୀରେ ସାପକୁ ଫସା ମାରିବା ପରେ ସେ ସାପର ଗୋଟିଏ ଖଣ୍ଡ ଏଇଠି ପଡ଼ିଲା । ସେଥିପାଇଁ ଗାଁ’ର ନାମ କୁଢ଼େରଫସା ହୋଇଗଲା । ଆହୁରି କେହି କେହି କହିଲେ ଯେ, କୁରାଢ଼ୀରେ ଆମ ପୂର୍ବଜମାନେ ଏହି ଜଙ୍ଗଲକୁ ସଫାକରି ଗଛକାଟି ଏଠି ବସତି ସ୍ଥାପନ କରିଥିଲେ ସେଥିପାଇଁ ଏହାର ନାମ କୁଢ଼େରଫସା ରଖାଯାଇଥିଲା । ଗାଁ’ ସମ୍ପର୍କରେ ଆମେ ଅଧିକ କିଛି ଜାଣିବାପାଇଁ ପ୍ରୟାସ କଲୁ । ଆମେ ଜାଣିବାପାଇଁ ପାଇଲୁ ଯେ, ଗାଁର ପ୍ରଥମ ବାସିନ୍ଦା ଥିଲେ ଗୁରୁ ମାଝୀ । ପରେ କଇନିଆ, ଭୁଏ, କୁଆଁର ଓ ମଲ୍ଲିକ ପରିବାର ଆସି ରହିଲେ । ଏବେ ପାଖାପାଖି ୮୯ ପରିବାର ଓ ୪୫୦ ଲୋକ ରହୁଛନ୍ତି । ମୁଖ୍ୟତଃ କନ୍ଧ, ମାଲି, ତେଲି, ବୈରାଗି, ହଟୁଆ, ଗଉର ଏବଂ ମକରିଆ ସମ୍ପ୍ରଦାୟର ଲୋକେ ଗାଁ’ରେ ରହନ୍ତି ।

ତରୁଣୀ ନିଜ ଗାଁ’ର ଅତୀତ ସମ୍ପର୍କରେ ଆମକୁ କିଛି ଜଣାଇବାପାଇଁ ଜଣେ ଜେଜେ ବୟସର ଲୋକଙ୍କୁ କିଛି ପଚାରିଲେ । ଏକା ସାଙ୍ଗରେ କିଛି ବୟସ୍କ ନିଜ ଗାଁ’ର ଅତୀତ ସମ୍ପର୍କରେ କହିବା ଆରମ୍ଭ କଲେ । କେମିତି ନୃସିଂହନାଥ ମନ୍ଦିର ସହିତ ଗାଁ’ର ଇତିହାସ ଯୋଡ଼ି ହୋଇଛି କହିବାକୁ ଲାଗିଲେ । ସେମାନଙ୍କ କଥାରୁ ଜଣାପଡ଼ୁଥିଲା ଯେ, ସେମାନଙ୍କ ମନ ଭିତରେ କିଛି କ୍ଷୋଭ ରହିଛି । ଯମୁନା କନ୍ଧୁଣୀ ଯିଏକି ନୃସିଂହନାଥଙ୍କୁ ଜଙ୍ଗଲରୁ କନ୍ଦା ଖୋଳିଲାବେଳେ ପାଇଥିଲେ ସେ ସେଇ ଗାଁର ପୂର୍ବଜ । ଯଦିଓ ସେତେବେଳେ ଗାଁ’ର ଲୋକେ ମାଣ୍ଡିଆ ଗ୍ରାମରେ ରହୁଥିଲେ । କୁଢାରୀଫସା ଗାଁଟି ମାଣ୍ଡିଆ ଗ୍ରାମରୁ ଭାଙ୍ଗିକି ଆସିଛି । ଏବେ ଯେଉଁଠି ମନଭଙ୍ଗ ଡ଼୍ୟାମ ହୋଇଛି ତାରି ପାଖାପାଖି ମାଣ୍ଡିଆ ଗ୍ରାମ ଥିଲା । ମାଣ୍ଡିଆ ବହୁତ ପରିମାଣରେ ଏହି ଅଞ୍ଚଳରେ ହେଉଥିଲା । ମାଣ୍ଡିଆକୁ ଯେଉଁଠି କୁଟା ଯାଉଥିଲା ସେ ବିଷୟରେ ବି ଲୋକେ କହିଥିଲେ । ଏବେ ସେସବୁ ଜଳମଗ୍ନ । ମନଭଙ୍ଗ ଡ୍ୟାମତଳେ ସେହିସବୁ ଇତିହାସ ରହିଯାଇଛି । କିଛି ଲୋକ ବାଲକୋ ବିରୋଧି ଗନ୍ଧମାର୍ଦ୍ଦନ ବଞ୍ଚାଓ ଆନ୍ଦୋଳନରେ ନିଜ ଗାଁ’ ଲୋକମାନଙ୍କର ସକ୍ରିୟ ଯୋଗଦାନ ବିଷୟ ମଧ୍ୟ କହିଥିଲେ । ସେମାନଙ୍କ ଗାଁରୁ ରାଈମତି ମଲ୍ଲିକ, ଦହନା ମଲ୍ଲିକ, ପୁତନା ମଲ୍ଲିକ, ଗୌରୀ ମଲ୍ଲିକ, କୁଞ୍ଜମନି ହୁଏ, ତୁତୁଲି ଭୁଏ, ଫୁଲ ସାନ୍ତ, ଗୁରୁବାରୀ ମଲ୍ଲିକ, ଧନମତୀ ଭୁଏ, ମଲ୍ଲିକେନ ଭୁଏ, ବନମାଳି କୁଅଁର, ହେମ ଜାନୀ, ନେପୁର ମଲ୍ଲିକ, ଯୁବା ଜାନୀ, କୈବଲ୍ୟ ମଲ୍ଲିକ, ସୁବଳୟା ମଲ୍ଲିକ, ମଧୁସୁଦନ ମଲ୍ଲିକ, ଶଷୀଧର ଭୁଏ, କୃପାସିନ୍ଧୁ ଭୁଏ…. ଏମିତି ଆହୁରି ଅନେକ ନାମ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସହିତ ଯୋଡ଼ି ହୋଇଛି । ଗାଁ’ର ଇତିହାସ ଜାଣିବାକୁ ଯାଇ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗାଁ ଭିତରୁ ପାଇଥିଲୁ । ଯାହାକୁ ଗୋଟିଏ ସ୍ଥାନରେ ପ୍ରକାଶ କରିବା ମଧ୍ୟ ସମ୍ଭବ ନୁହେଁ । 

ଗନ୍ଧମାର୍ଦ୍ଦନ ପାଦତଳର ଏହି ଗାଁ’ର ସଂସ୍କୃତି ଓ ଇତିହାସ ଅତି ପୁରୁଣା । ଗାଁ’ରେ ଜମୁନା କନ୍ଧୁଣୀ, ଦୁର୍ଗେଇଗୁଡ଼ି, ମାଟିଗୁଡ଼ି, ଛୁଟି ଗୁଡ଼ି, ଭୁଇବାହିଲିନ, କରମସାନି, ଦୋମାପଲିଏନ, ଠାକୁର ଗୁଡ଼ି, ମନଭଳି ଆଦି ଦେବୀ ଦେବତାଙ୍କର ପୂଜା କରାଯାଇଥାଏ । ଗାଁ ଲୋକମାନେ ଏହି ଦେବତାମାନଙ୍କ ଛଡ଼ା ନିଜ କ୍ଷେତ, ବିଲ ଓ ପାହାଡ଼ର କିଛି ଦେବାଦେବୀଙ୍କୁ ମଧ୍ୟ ପୂଜା କରନ୍ତି । ଗାଁ ଲୋକମାନେ ଏକାଠି ହୋଇ ପୂଷପୁନି, ଚୈତପୁନି, ଛୁଟି ଗୁଡ଼ି ଯାତ୍ରା, ଦଶହରା, ମାଗଶୀର ପୂନିରେ ନାଚଗୀତ କରନ୍ତି । ପର୍ବପର୍ବାଣୀରେ ଗାଁ ଲୋକଙ୍କର ଖାଦ୍ୟରେ କିଛି ପିଠାପଣା ହୋଇଥାଏ ଯେମିତି; ସୁଆଁଲି ପିଠା, ଗୁରଜି ଆରିସା, ମଣ୍ଡା ପିଠା ଆଦି କରନ୍ତି । ଲୋକଙ୍କ କଥାବାର୍ତ୍ତାରୁ ଜାଣି ହେଉଥିଲା ଯେ, ପୂର୍ବର ମାଣ୍ଡିଆ ତିଆରି ବିଭିନ୍ନ ପିଠାକୁ ଏବେ ଲୋକେ ଭୁଲି ଗଲେଣି । କୋଦ, ଗୁର୍ଜି, ରକ୍ସି, କାଙ୍ଗୁ, ଝାରି, ସୁଆଁ, ଡ଼ୁକେର ପିଠା, ସାକରା, କୁଳିଆ କନ୍ଦା, ଖୁସା, ସରଗି ମୁଡ଼ି, ଚାର ଆଦି ଖାଦ୍ୟକୁ ଲୋକେ ପୁରାପୁରି ଭୁଲିଗଲେଣି । ଏବେ ସେମାନଙ୍କ ମୁଖ୍ୟ ଖାଦ୍ୟ ହେଉଛି ଧାନ । ଲାଭଜନକ ଫସଲ ଭାବେ କପା ଚାଷ କରୁଛନ୍ତି । 

ଗାଁ’ରେ ଉଚ୍ଚ ଶିକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ । ଅନେକ ପିଲା ପାଠ ନପଢ଼ି ଜଙ୍ଗଲରେ ବୁଲାବୁଲି କରୁଛନ୍ତି । ସେଇଟା ଗାଁ’ ଲୋକଙ୍କର ଥିଲା ବଡ଼ କ୍ଷୋଭ । ପାଖରେ ଥିବା ପାଇକମାଳ ଡ଼ାକ୍ତରଖାନାରେ ଭଲ ଚିକିତ୍ସା ବ୍ୟବସ୍ଥା ନାହିଁ । ଅଧିକ ଦେହ ଖରାପ ହେଲେ ୧୦୦ କିଲୋମିଟର ଦୂରରେ ଥିବା ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ଯିବାକୁ ପଡ଼ୁଛି । ଗାଁ ଲୋକମାନେ ନିଜ ସଂସ୍କୃତି ଇତିହାସ ଆଦି କହିବାବେଳେ ଯେତେ ଉତ୍ସାହିତ ହେଉଥିଲେ ନିଜ ସମସ୍ୟା କହିବାକୁ ଟିକେ ପଛଘୁଞ୍ଚା ମଧ୍ୟ ଦେଉଥିଲେ । ଏକାଦିନେ ତରୁଣୀ ଓ ତାର ବଡ଼ ଭଉଣୀ ମୀନା ନିଜ ଗାଁ’ର ଇତିହାସକୁ ଭଲକରି ଶୁଣିଲେ । ସଭା ସରିଲା । ତରୁଣୀ କହିଲା ମାଡ଼ାମ୍ ବହୁତ ବହୁତ ଧନ୍ୟବାଦ । ଆପଣ ଯଦି ଗାଁ’ର ଇତିହାସ ଲେଖିବା କଥା କହି ନଥାନ୍ତେ ଆମେ କେବେବି ଆମ ଗାଁ ସମ୍ପର୍କରେ ଏତେକଥା ଜାଣିପାରି ନଥାନ୍ତୁ । ଗୋଟିଏ ଦିନରେ ମୁଁ ଏତେ କଥା ଆଜି ଜାଣିଲି । ଗାଁ ବିଷୟରେ ଆମ ଗାଁ ଲୋକେ କେବେ କଥା ହେବାର ମୁଁ ଜାଣିନି । ଆମ ପାଖରେ ତରୁଣୀର ଜେଜେ ମା ବସିଥିଲେ କହିଲେ, ସତରେ ଝିଅ । ଆମେ କେବେ ଏକାଠି ବସି ଏମିତି ଗାଁ’ର ପୁରୁଣା କଥାକୁ କଥା ହେଇନୁ । ଭଲକଲ ତୁମେ ଆସିଲ । ଆମ ପିଲାମାନେ ଆମ ଗାଁ ବିଷୟରେ ଟିକେ ଜାଣିଲେ । ମନରେ ସେତେବେଳେ ଯେଉଁ ସନ୍ତୋଷ ଆସୁଥିଲା ପ୍ରକାଶ କରିବା ସମ୍ଭବ ନୁହେଁ । ଗାଁ’ର ସବୁଲୋକମାନେ ସେତେବେଳକୁ ଆମକୁ ଭେଟି ଭେଟି ଧନ୍ୟବାଦ ଦେଉଥାନ୍ତି । ଆମର ସେଠି ପ୍ରଶ୍ନ ପଚାରିବା ଛଡ଼ା ଅନ୍ୟ କିଛି ଭୂମିକା ନଥିଲା । ହେଲେ ଲୋକମାନେ ନିଜ ଅତୀତର ସ୍ମୃତିକୁ ମନେପକାଇ ଏତେ ଆନନ୍ଦ ପାଉଥିଲେ ସେଇଟା ନିହାତି ନିଆରା ଥିଲା । ନିଜ ଭିତରେ ଗୋଟିଏ ଆତ୍ମ ସନ୍ତୋଷ ଆସୁଥିଲା ଯାହାହେଉ ଲୋକମାନେ ପିଲାମାନଙ୍କ ସହିତ ବସି ସବୁକଥା ଆଲୋଚନା କଲେ । କେମିତି ଆମ ଅତୀତ ଥିଲା ଆଉ ଆମେ ଏବେ କ’ଣସବୁ ହରେଇ ଦେଇଛୁ ସେତିକି ଏକାଠି ବସି କଥାହେବାର ପରମ୍ପରା କେଉଁକାଳୁ ଗାଁରେ ହଜିଗଲାଣି ବୋଲି ଲୋକେ ନିଜେ କହୁଛନ୍ତି ।

ଶେଷରେ ଏତିକି କହିବି ଯେ, “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ହେଉ କିି “ଆମ ଗାଁ’ର ଇତିହାସ ଓ ଆମ ଖାଦ୍ୟ ସଂସ୍କୃତି” କାର୍ଯ୍ୟକ୍ରମ ହେଉ ସବୁ ଭିତରେ ଗାଁ’ ସମ୍ପର୍କରେ ଜାଣିବା ପାଇଁ ଓ ଗାଁ’ର ଅତୀତ ଓ ବର୍ତ୍ତମାନର କଥା ଗୁଡିକୁ ଜାଣିବା ହିଁ ମୂଳ ଲକ୍ଷ୍ୟ । ଏହି ବିଷୟରେ ଡ଼କ୍ୟୁମେଣ୍ଟେସନ୍ କାର୍ଯ୍ୟ କରିବା କ୍ଷେତ୍ରରେ ଯେଉଁ ନୂତନ ଅନୁଭୂତି ପାଇଛି ଆପଣମାନଙ୍କ ସହିତ ବାଣ୍ଟିବା ପାଇଁ ପ୍ରୟାସ କରିଛି । ସବୁଠି ଗୋଟିଏ ଉଦ୍ଦେଶ୍ୟ ରହିଛି, ଯେମିତି ଆମେ ପୁଣିଥରେ ବୟସ୍କ ମାନଙ୍କର ଅନୁଭୂତିକୁ ଏକାଠି ବସି ଶୁଣିବା, ସେଥିରେ ଆମ ପାଇଁ କେଉଁସବୁ କଥା ଆଉ ଥରେ ଆମେ ଆମ ଗାଁ’ର ଭବିଷ୍ୟତ ପାଇଁ ସୁରକ୍ଷିତ କରିପାରିବା ଏକାଠି ବସି ଚର୍ଚ୍ଚା ଆଲୋଚନା କରିପାରିବା । ଗାଁ’ର ଯୁବପିଢ଼ି ଏହି ଚର୍ଚ୍ଚା ଆଲୋଚନାର ମୁଖ୍ୟ ଅଂଶ ହେବେ । ବୟସ୍କ ଓ ଯୁବପିଢ଼ି ଭିତରେ ଯେଉଁ ବ୍ୟବଧାନ ଡ଼ିଜିଟାଲ ଯୁଗରେ ଆରମ୍ଭ ହୋଇଛି ସେହି ବ୍ୟବଧାନକୁ ଭୁଲି ଏକାଠି ବସି ସମସ୍ତେ ଗାଁ ବିଷୟରେ ଆଲୋଚନା କରିବେ । ଯୁବପିଢ଼ି ଗାଁର ଅତୀତର ସ୍ମୃତିକୁ ନେଇ ଭବିଷ୍ୟତକୁ କେମିତି ଗଢ଼ିବେ ସେଥିପାଇଁ ନିଜ ଗାଁ’ର ପ୍ରାକୃତିକ ସମ୍ବଳ ଓ ସାଂସ୍କୃତିକ ଭିତ୍ତିଭୂମିକୁ ଉପଯୋଗ କରିବେ । ଜୁଲାଇ 29 ତାରିଖ ସନ୍ଧ୍ୟା ବେଳେ ଏହିଭଳି ଏକ ଆଶା ଓ ବିଶ୍ୱାସ ନେଇ ଆମେ ଫେରିଥିଲୁ କୁଢାରୀଫସା ଗାଁ’ରୁ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.