[box type=”shadow” align=”” class=”” width=””]“ଚୋଡଗଙ୍ଗ ତାଙ୍କ ରାଜକୀୟ ଉପାଧିରେ ପରମ ବୈଷ୍ଣବ ସ୍ଥାନ ଦେବା ମୂଳରେ କେତେକ ରାଜନୈତିକ ତଥା ଧାର୍ମିକ ଉଦ୍ଦେଶ୍ୟ ରହିଥିଲା । ରାଜନୈତିକ ଦୃଷ୍ଟିକୋଣରୁ କ୍ଷମତା ସମ୍ପ୍ରସାରଣ ତଥା ଏହାର ବୈଧିକରଣ ପାଇଁ ଚୋଡଗଙ୍ଗ ଧର୍ମଧାରାକୁ ଦୃଷ୍ଟିଦେଲେ” ବୋଲି ଐତିହାସିକ କୈଳାଶ ଚନ୍ଦ୍ର ଦାଶ ଉକ୍ତ ଲେଖାରେ ଉପସ୍ଥାପନ କରିଛନ୍ତି । ପୁରୀ ଜଗନ୍ନାଥ ମନ୍ଦିର ସମ୍ପର୍କିତ କିଛି ଐତିହାସିକ ତଥ୍ୟ ଏହି ଲେଖାଟି ବହନ କରୁଛି । – ସମ୍ପାଦକ[/box]
ଚୋଡଗଙ୍ଗ ଦେବ(୧୦୭୮ରୁ ୧୧୪୭) ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ତଥା ବିଶାଖାପାଟଣା ଅଞ୍ଚଳକୁ ନେଇ ଗଠିତ ପ୍ରାଚୀନ କଳିଙ୍ଗ ରାଜ୍ୟର ରାଜା ଥିଲେ । ତାଙ୍କର ରାଜତ୍ୱର ଆରମ୍ଭ କାଳରେ ରାଜକୀୟ ଉପାଧିରେ କେବଳ ପରମ ମାହେଶ୍ୱର ସ୍ଥାନ ପାଇଥିଲା । ଅର୍ଥାତ୍ ସେ ଶୈବ ଉପାସକ ଥିଲେ । ମୁଖଲିଙ୍ଗମ୍ ଅନ୍ତର୍ଗତ ମଧୁକେଶ୍ୱର ମନ୍ଦିର ତାଙ୍କ ଗଙ୍ଗବଂଶର ଆରାଧ୍ୟ ପୀଠ ଥିଲା । ରାଜତ୍ୱର ଆରମ୍ଭରୁ ୧୦୯୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ତାମ୍ରଫଳକମାନଙ୍କରେ ତାଙ୍କର ରାଜକୀୟ ଉପାଧିରେ କେବଳ ପରମ ମାହେଶ୍ୱର ସ୍ଥାନ ପାଇଥିଲା । ମାତ୍ର ପ୍ରଥମ କରି ୧୧୦୮ ଖ୍ରୀଷ୍ଟାବ୍ଦରେ ପ୍ରଦତ୍ତ ମୁଖଲିଙ୍ଗମ୍ ତାମ୍ରଫଳକରେ ତାଙ୍କର ଉପାଧିମାନଙ୍କରେ ପରମ ମାହେଶ୍ୱର ସହିତ ପରମ ବୈଷ୍ଣବ ଉପାଧି ସ୍ଥାନ ପାଇଥିଲା ।(ଦାଶ କୈଳାସ ଚନ୍ଦ୍ର, “Chodaganga and Vaishnavism”, Quarterly Journal of Mythic Society, Bangalore, Vol.LXXXIV, Part-IV, 1993)
ଏଥିରୁ ସ୍ପଷ୍ଟରୂପେ ଜଣାଯାଏ ଯେ ୧୦୯୬ଠାରୁ ୧୧୦୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ଚୋଡଗଙ୍ଗ ତାଙ୍କ ରାଜକୀୟ ଉପାଧିରେ ପରମ ବୈଷ୍ଣବ ସ୍ଥାନ ଦେବା ମୂଳରେ କେତେକ ରାଜନୈତିକ ତଥା ଧାର୍ମିକ ଉଦ୍ଦେଶ୍ୟ ରହିଥିଲା । ତାଙ୍କର ୧୧୦୮ ଖ୍ରୀଷ୍ଟାବ୍ଦର ମୁଖଲିଙ୍ଗମ୍ ତାମ୍ରଫଳକରେ ପ୍ରଥମ କରି ଉକ୍ରଳ ବିଜୟର କଥା ବର୍ଣ୍ଣିତ । ଏହା ମଧ୍ୟ ସୂଚାଇଦିଏ ଯେ ତାଙ୍କର ଏହି ପରମ ବୈଷ୍ଣବ ଉପାଧି ମୂଳରେ ଉକ୍ରଳ ବିଜୟ ଜଡିତ ଥିଲା । ଐତିହାସିକ ହରମାନ୍ କୁଲ୍କେ ଚୋଡଗଙ୍ଗଙ୍କର ଏହି ପରମ ବୈଷ୍ଣବ ଉପାଧି ଗ୍ରହଣ ମୂଳରେ ରାଜନୈତିକ ଉଦ୍ଦେଶ୍ୟ ଥିବାର କଥା ସୂଚାଇଥିଲେ । (Eschmann A, Kulke Hermann and Tripathy, G.C., ed.,The Cult of Jagannath and the Regional Tradition of Orissa, 1978, Manohar, New Delhi) ଏହା ସତ୍ୟ ହୋଇପାରେ ।
ତେବେ ଚୋଡଗଙ୍ଗଙ୍କର ଉକ୍ରଳ ବିଜୟ ପୂର୍ବରୁ ସେ ବିଶିଷ୍ଟ ଅଦ୍ୱୈତବାଦର ପ୍ରବର୍ତ୍ତକ ରାମାନୁଜାଚାର୍ଯ୍ୟଙ୍କର ପ୍ରଭାବରେ ଆସିଥିବା କଥାକୁ ଅସ୍ୱୀକାର କରାଯାଇନପାରେ । (ଦାଶ କୈଳାସ ଚନ୍ଦ୍ର, Legend, History and Culture of India, 1997, Punthi Pustak, Kolkata, p.1-41) ରାମାନୁଜଙ୍କର ପ୍ରଭାବରେ କଳିଙ୍ଗର ଧର୍ମପୀଠ ଶ୍ରୀକୂର୍ମମ୍ ବୈଷ୍ଣବ ପୀଠରେ ପରିଣତ ହୋଇଥିବା କଥା ତାଙ୍କ ସମ୍ପର୍କିତ ଗ୍ରନ୍ଥ ରାମାନୁଜ ଦିବ୍ୟ ଚରିତାଇ, ଅନନ୍ତାଚାର୍ଯ୍ୟ ପ୍ରଣିତ ପ୍ରପନ୍ନାମୃତ ଏବଂ ତୋତାଦ୍ରିନାଥ ଗୁରୁ ପରମ୍ପରାରେ ସ୍ଥାନିତ । କିନ୍ତୁ ତାଙ୍କର ଉଦ୍ୟମ ପୁରୁଷୋତ୍ତମ କ୍ଷେତ୍ରରେ ସଫଳ ହୋଇନଥିଲା ବୋଲି ଉଲ୍ଲେଖିତ ଗ୍ରନ୍ଥମାନଙ୍କରେ ସୂଚିତ । ତେଣୁ ରାମାନୁଜଙ୍କର ପୁରୁଷୋତ୍ତମ କ୍ଷେତ୍ରରେ ସଂସ୍କାର ଉଦ୍ୟମ ବିଫଳ ହେବା ଯୋଗୁଁ ସେ କଳିଙ୍ଗର ରାଜା ଚୋଡଗଙ୍ଗଙ୍କୁ ଏଦିଗରେ ଉଦ୍ୟମ କରିବାକୁ ଉପଦେଶ ଦେବା କଥା ଅସ୍ୱୀକାର କରାଯାଇନପାରେ ।
ଚୋଡଗଙ୍ଗ ସମ୍ଭବତଃ ୧୧୦୮ ଖ୍ରୀଷ୍ଟାବ୍ଦ ପୂର୍ବରୁ ଏବଂ ୧୦୯୬ ଖ୍ରୀଷ୍ଟାବ୍ଦ ପରେ ଏହି ପ୍ରଭାବକୁ ଗୁରୁତ୍ୱ ଦେଇଥିଲେ । ତେବେ ତାଙ୍କର ବୈଷ୍ଣବ ଧର୍ମ ଗ୍ରହଣର ରାଜନୈତିକ ଉଦ୍ଦେଶ୍ୟକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । କାରଣ କଳିଙ୍ଗ ରାଜ୍ୟର ଏକ ପାଖରେ ବେଙ୍ଗୀ ତଥା ଚୋଳରାଜ୍ୟ ଅତି ଶକ୍ତିଶାଳୀ ଥିଲା । ଚୋଡଗଙ୍ଗ ଗୋଦାବରୀ ପରପାଖର ଏହି ଅଞ୍ଚଳ ଆଡ଼କୁ ସୀମା ବଢାଇବା ଅପେକ୍ଷା କଳିଙ୍ଗର ଅନ୍ୟ ପାଖର ରାଜ୍ୟ ସୋମବଂଶୀ ଉକ୍ରଳ ଆଡ଼କୁ ସୀମା ପ୍ରସାରିତ କରିବାକୁ ଉଚିତ ମନେ କରିଥିଲେ। ସେତେବେଳେ ଉକ୍ରଳର ସୋମବଂଶୀ ରାଜା କର୍ଣ୍ଣଦେବଙ୍କର କ୍ଷମତା ସଂକୁଚିତ ହେବାକୁ ଲାଗିଥିଲା । ଗୋଟିଏ ପକ୍ଷରେ ବଂଗ-ଦଣ୍ଡଭୁକ୍ତିର ପ୍ରଭାବ ତଥା ଅନ୍ୟପକ୍ଷରେ ଗୃହଶତ୍ରୁ ପ୍ରବଳ ହେବାକୁ ଲାଗିଥିଲା । ତେଣୁ ଚୋଡଗଙ୍ଗ ଦକ୍ଷିଣ ଆଡ଼ୁ ଆସି ଉକ୍ରଳକୁ ଅଧିକାର କରିନେଇଥିଲେ । ଏହାଫଳରେ ମହାନଦୀ ପ୍ରବାହିତ ଅଞ୍ଚଳ ଉପରେ ତାଙ୍କର କ୍ଷମତା ଆସିପାରିଥିଲା । ରାଜନୈତିକ ଦୃଷ୍ଟିକୋଣରୁ କ୍ଷମତା ସମ୍ପ୍ରସାରଣ ତଥା ଏହାର ବୈଧିକରଣ ପାଇଁ ଚୋଡଗଙ୍ଗ ଧର୍ମଧାରାକୁ ଦୃଷ୍ଟିଦେଲେ ।
ଦ୍ୱାଦଶ ଶତକର ଆରମ୍ଭ ଦଶନ୍ଧିରେ ଯେତେବେଳେ ଚୋଡଗଙ୍ଗ ଉକ୍ରଳ ଉପରେ ଅଧିକାର ସାବ୍ୟସ୍ତ ଆରମ୍ଭ କଲେ ସେ ଉକ୍ରଳର ଧର୍ମଧାରା ଉପରେ ଦୃଷ୍ଟିଦେଲେ । ଉକ୍ରଳ ସୋମବଂଶୀ ଶାସନରେ ଶୈବମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା । ଭୁବନେଶ୍ୱରରେ ବହୁ ଶୈବ ମନ୍ଦିର ନିର୍ମିତ ହୋଇଥିଲା । କିନ୍ତୁ କୃତ୍ତିବାସ-ଲିଙ୍ଗରାଜ ପୀଠ ଆଧିପତ୍ୟ ବିସ୍ତାର କରିଥିଲା । କୁହାଯାଏ ଚୋଡଗଙ୍ଗ ପ୍ରଥମ ପର୍ଯ୍ୟାୟରେ ଏହି କୃତ୍ତିବାସ-ଲିଙ୍ଗରାଜ ପୀଠର ସେବକମାନଙ୍କର ସହଯୋଗ ଲାଭ କରିଥିଲେ । ସେତେବେଳେ କୃତ୍ତିବାସଙ୍କର ବୃହତ୍ ମନ୍ଦିର ନିର୍ମିତ ହୋଇଥିଲା ।
ଚୋଡଗଙ୍ଗ ଏହି ପୀଠରେ ପ୍ରଥମେ ଦାନ ବ୍ୟବସ୍ଥା କରିଥିଲେ । କିନ୍ତୁ ପରେ ସେ ଅନୁଭବ କଲେ ଯେ ଶୈବ-ସୋମବଂଶୀମାନଙ୍କର ଉକ୍ରଳ ଉପରେ ଅଧିକାରକୁ କାଟି ଆପଣାର ପ୍ରାଧାନ୍ୟ ପ୍ରତିଷ୍ଠା କରିବାକୁ ହେଲେ ତାଙ୍କୁ କିଛି ନୂତନ ପଦକ୍ଷେପ ଗ୍ରହଣ କରିବାକୁ ହେବ । ତାଙ୍କ ଦୃଷ୍ଟି ପଡିଲା ଜୀର୍ଣ୍ଣ ପୁରୁଷୋତ୍ତମ କ୍ଷେତ୍ର ଉପରେ । ଭାରତ ବର୍ଷରେ ବିଷ୍ଣୁ-ପୁରୁଷୋତ୍ତମ କ୍ଷେତ୍ର(ଯାହା ବର୍ତ୍ତମାନ ପୁରୀ ସମୁଦ୍ର କୂଳରେ ଅବସ୍ଥିତ) ସେତେବେଳେ ଏକ ତୀର୍ଥସ୍ଥାନ ରୂପେ ଗୃହୀତ ହୋଇଥିଲେ ମଧ୍ୟ ଉକ୍ରଳରେ ବିଷ୍ଣୁ-ପୁରୁଷୋତ୍ତମ ପ୍ରାଧାନ୍ୟ ଲାଭ କରିନଥିଲେ ।
ଏଠାରେ ଶାକ୍ତ-ତାନ୍ତ୍ରିକମାନଙ୍କର ଅଖଣ୍ଡ ପ୍ରଭାବ ଥିଲା । ବିମଳା ଏବଂ ଭୈରବଙ୍କର ଅଖଣ୍ଡ ଆଧିପତ୍ୟ ଆଗରେ ବିଷ୍ଣୁ-ପୁରୁଷୋତ୍ତମ ସଂକୁଚିତ ହୋଇଯାଇଥିଲେ । ପୁରୁଷୋତ୍ତମ କ୍ଷେତ୍ର କେବଳ ଜ୍ୟେଷ୍ଠମାସ ପାଇଁ ଭାରତରେ ପ୍ରସିଦ୍ଧ ଥିବାର କଥା ଖ୍ରୀଷ୍ଟୀୟ ଏକାଦଶ ଶତକର ପ୍ରଥମ ପର୍ଯ୍ୟାୟରେ ସମ୍ରାଟ ଭୋଜଦେବଙ୍କ ରଚିତ ରାଜମାର୍ତ୍ତଣ୍ଡ ଗ୍ରନ୍ଥରେ ସୂଚିତ(ଦାଶ କୈଳାସ ଚନ୍ଦ୍ର, “ରଥଯାତ୍ରା”, ଶ୍ରୀମନ୍ଦିର, ୧୪ ବର୍ଷ, ୨୩ ଭାଗ, ୧୯୯୪, ପୃ-୧୧) ତାହା ଜଣାଇଦିଏ ଯେ ବିଷ୍ଣୁ-ପୁରୁଷୋତ୍ତମ କ୍ଷେତ୍ରରେ ରାଜକୀୟ ପୃଷ୍ଠପୋଷକତାର ଅଭାବ ସୋମବଂଶୀ ରାଜାମାନଙ୍କର ରାଜତ୍ୱ କାଳରେ ପରିଲକ୍ଷିତ ହୋଇଥିଲା । ସେମାନେ ଶୈବଧର୍ମର ପ୍ରବଳ ପୃଷ୍ଠପୋଷକତା କରିଥିଲେ ।
ଚୋଡ଼ଗଙ୍ଗ ପୁରୁଷୋତ୍ତମ କ୍ଷେତ୍ରକୁ ୧୧୦୮ ଖ୍ରୀଷ୍ଟାବ୍ଦ ପୂର୍ବରୁ ଆସିଥିଲେ ଏବଂ ଏଠାରେ ଥିବା ଜୀର୍ଣ୍ଣ ମନ୍ଦିରକୁ ଦେଖି ରାମାନୁଜାଚାର୍ଯ୍ୟଙ୍କର ସଂସ୍କାର ପ୍ରଚେଷ୍ଟାରେ ବିଫଳ ହେବାର ପ୍ରସଙ୍ଗକୁ ଲକ୍ଷ୍ୟକରି ତାଙ୍କ ଧର୍ମଧାରାର ଏକ ବୈପ୍ଳବିକ ପରିବର୍ତ୍ତନ ଆଣଥିଲେ । ତାଙ୍କର ୧୧୦୮ ଖ୍ରୀଷ୍ଟାବ୍ଦର ତାମ୍ରଫଳକରେ ପରମ ମାହେଶ୍ୱର ଉପାଧି ସହିତ ପରମ ବୈଷ୍ଣବ ଉପାଧି ସ୍ଥାନ ପାଇଥିଲା । କିନ୍ତୁ ୧୧୧୬-୧୮ ମଧ୍ୟରେ ତାଙ୍କର ତାମ୍ରଫଳକମାନଙ୍କରେ (ଅର୍ଥାତ୍ ପାଲକୋଣ୍ଡା, ବିଶାଖାପାଟଣା, ୟେମ୍ବାରାମ ପରି ସ୍ଥାନରୁ ସଂଗୃହିତ ତାମ୍ରଫଳକମାନଙ୍କରେ) କେବଳ ପରମ ବୈଷ୍ଣବ ଉପାଧି ସ୍ଥାନ ପାଇଥିଲା । ସେ ମଧ୍ୟ ଏହି ସମୟକୁ ସମଗ୍ର ଉକ୍ରଳ ଉପରେ କ୍ଷମତା ବିସ୍ତାର କରିଥିବା କଥା ଏହି ତାମ୍ରଫଳକ ମାନଙ୍କରେ ସୂଚିତ । ପୁଣି ୧୧୦୮ରୁ ୧୧୧୩ ମଧ୍ୟରେ ଚୋଡଗଙ୍ଗ ପୁରୁଷୋତ୍ତମଙ୍କୁ ଦାନ ବ୍ୟବସ୍ଥା କରିଥିବା କଥା ବର୍ତ୍ତମାନ ପୁରୀ ମନ୍ଦିର ବେଢ଼ାରେ ଥିବା ନରସିଂହ ମନ୍ଦିରର ଶିଳାଲିପିମାନଙ୍କରେ ସୂଚିତ ।
ଏସବୁକୁ ନେଇ ବିଚାର କଲେ ମନେହୁଏ ଯେ ଚୋଡଗଙ୍ଗ ଉକ୍ରଳ ଅଧିକାର କରିବା ପରେ ଅର୍ଥାତ୍ ୧୧୦୮ ଖ୍ରାଷ୍ଟାବ୍ଦ ପରେ ସେ ବୈଷ୍ଣବ ଧର୍ମକୁ ରାଜ ଧର୍ମଧାରାରେ ପ୍ରାଧାନ୍ୟ ଦେଇ ବିଷ୍ଣୁ-ପୁରୁଷୋତ୍ତମଙ୍କର ବିଶେଷ ପୃଷ୍ଠପୋଷକତା କରିଥିଲେ । ଏହା ଦ୍ୱାରା ତାଙ୍କର ଉକ୍ରଳ ଉପରେ ଅଧିକାର ବୈଧ ହେଲା, କାରଣ ସେ କେବଳ ବିଜେତା ହିସାବରେ ଉକ୍ରଳରେ ପରିଚିତ ହେଲେ ନାହିଁ; ସେ ମଧ୍ୟ ଉକ୍ରଳୀୟ ସଂସ୍କୃତିର ଏକ ମୁଖ୍ୟ ଧ୍ୱନି ସହିତ ଜଡିତ ହେଲେ । ୧୧୧୮ ପରବର୍ତ୍ତୀ ତାଙ୍କର ସମସ୍ତ ତାମ୍ରଫଳକରେ ସେ କେବଳ ପରମ ବୈଷ୍ଣବ ବୋଲି ସୂଚିତ ହେଲେ । ସମ୍ଭବତଃ ୧୧୧୮ ଖ୍ରୀଷ୍ଟାବ୍ଦ ପରେ ସେ ପୁରୁଷୋତ୍ତମ କ୍ଷେତ୍ରରେ ଭୁବନେଶ୍ୱର-ଲିଙ୍ଗରାଜଙ୍କର ବୃହତ୍ ମନ୍ଦିରଠାରୁ ଉଚ୍ଚ ଏକ କାରୁକଳା ପୂର୍ଣ୍ଣ ଉତ୍ୁଙ୍ଗ ମନ୍ଦିର ନିର୍ମାଣ କରିବାକୁ ଉଦ୍ୟମ କରି ସଫଳ ହେଲେ । ଏହା ମଧ୍ୟ ତାଙ୍କ ରାଜ୍ୟ ସଂଗଠନ ପ୍ରକଳ୍ପର ଏକ ଅଂଶବିଶେଷ-କ୍ଷମତା ବୈଧିକରଣର ଏକ ବଳିଷ୍ଠ ମାଧ୍ୟମ ।
ପୁରୁଷୋତ୍ତମ କ୍ଷେତ୍ରରେ ବିଶାଳ ମନ୍ଦିର ର୍ନର୍ମାଣ ଚୋଡଗଙ୍ଗଙ୍କର ଏକ ସ୍ଥାୟୀ କିର୍ତ୍ତୀ । ଏହି ମନ୍ଦିର ନିର୍ମାଣ କରିଥିବା କଥା ତାଙ୍କ ରାଜତ୍ୱ କାଳର କୌଣସି ତାମ୍ରଫଳକ ବା ଶିଳାଲିପିମାନଙ୍କରେ ସୂଚିତ ହୋଇନଥିଲା । କାରଣ ସେତେବେଳେ ରାଜାମାନେ ସେମାନଙ୍କର ଧର୍ମକୀର୍ତ୍ତିକୁ ନିଜ ବିବରଣୀରେ ସ୍ଥାନ ଦେବାର ପରମ୍ପରା ନଥିଲା । ସେମାନଙ୍କର ଏହି କାର୍ଯ୍ୟକୁ ସେମାନଙ୍କର ବଂଶଧରମାନେ ସୂଚାଉଥିଲେ । ସେଥିପାଇଁ ଚୋଡଗଙ୍ଗଙ୍କର ବିଷ୍ଣୁ-ପୁରୁଷୋତ୍ତମଙ୍କ ପାଇଁ ଅସଂଖ୍ୟ ଦାନବ୍ୟବସ୍ଥା ପୁରୀର ମାର୍କଣ୍ଡେଶ୍ୱର ତଥା ନରସିଂହ ମନ୍ଦିରରେ ସ୍ଥାନିତ ହୋଇଥିଲେ ମଧ୍ୟ ତାଙ୍କ ରାଜତ୍ୱର କୌଣସି ଦାନଲିପିରେ ପୁରୁଷୋତ୍ତମଙ୍କ ପାଇଁ ବୃହତ୍ ମନ୍ଦିର ନିର୍ମାଣ ପ୍ରସଙ୍ଗ ସୂଚିତ ହୋଇନଥିଲା ।
ଏହି ପ୍ରସଙ୍ଗ ସର୍ବପ୍ରଥମେ ତାଙ୍କ ପୌତ୍ର ରାଜାରାଜ ତୃତୀୟଙ୍କର ଦାସଗୋବା ଗ୍ରାମରୁ ପ୍ରାପ୍ତ ତାମ୍ରଫଳକରେ ବର୍ଣ୍ଣିତ । (Epigraphia Indica, Dasgoba Copper Plate of Saka Era-1120, Vol-XXXI, pp.249-262) ଏହି ପ୍ରସଙ୍ଗ ପରବର୍ତ୍ତୀ ସମସ୍ତ ଗଙ୍ଗବଂଶୀ ତାମ୍ରଫଳକରେ ମଧ୍ୟ ସ୍ଥାନ ପାଇଥିଲା । କିନ୍ତୁ ଚୋଡଗଙ୍ଗଙ୍କର ପୁତ୍ର କାମାର୍ଣ୍ଣବ ଦେବଙ୍କର ପ୍ରଦତ୍ତ ଚୌଦ୍ୱାର ଅଞ୍ଚଳରୁ ପ୍ରାପ୍ତ ତାମ୍ରଫଳକରେ ମଧ୍ୟ ଏହି ପ୍ରସଙ୍ଗର ସୂଚନା ନାହିଁ । (କାମାର୍ଣ୍ଣବଙ୍କର ଚୌଦ୍ୱାର ତାମ୍ରଫଳକ ପାଇଁ ଦ୍ରଷ୍ଟବ୍ୟ, ରବି ରାୟଙ୍କର ପ୍ରବନ୍ଧ, ଝଙ୍କାର, ନଭେମ୍ବର, ୧୯୯୪) ସେହିପରି ପୁରୀ ମନ୍ଦିର ସମ୍ପର୍କିତ ମାଦଳାପାଞ୍ଜିର ରାଜଭୋଗ ମଧ୍ୟ ଚୋଡଗଙ୍ଗଙ୍କର ପୁରୁଷୋତ୍ତମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ନିରବ ।
ଏପରି ନିରବତାକୁ ଗ୍ରହଣ କରି ଚୋଡଗଙ୍ଗ ପୁରୁଷୋତ୍ତମଙ୍କ ପାଇଁ ମନ୍ଦିର ନିର୍ମାଣ କରିନଥିବା କଥାକୁ କେତେକ ଗବେଷକ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ଦାସଗୋବା ତାମ୍ରଫଳକରେ ସୂଚିତ ପ୍ରସଙ୍ଗକୁ ସିଧାସଳଖ ଅସ୍ୱୀକାର କରିବା ମଧ୍ୟ ଏକ ଅଦ୍ଭୁତ ପ୍ରମାଦ । କାରଣ ଅନେକ ସମୟରେ ପୁତ୍ରମାନଙ୍କର ବିବରଣୀରେ ପିତାଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ସୂଚିତ ହୋଇନଥାଏ । । ପୁନଶ୍ଚ କାମାର୍ଣ୍ଣବଙ୍କର ରାଜତ୍ୱର ମାତ୍ର ଗୋଟିଏ ତାମ୍ରଫଳକର ଏପରି ନୀରବତାକୁ ଗ୍ରହଣ କରି ଚୋଡଗଙ୍ଗଙ୍କର କୀର୍ତ୍ତକୁ ଅସ୍ୱୀକାର କରିବା ଏକ ଐତିହାସିକ ସତ୍ୟର ଅପଳାପ ମାତ୍ର । ତାଙ୍କର ଅନ୍ୟ ତାମ୍ରଫଳକ ଭବିଷ୍ୟତରେ ମିଳିପାରେ । ପୁଣି ଏ ନୀରବତାକୁ ଅନ୍ୟ ଆନୁସଙ୍ଗୀକ ଉପାଦାନ ସହଯୋଗରେ ମିଳାଇ ବିଚାର କରିବାର ଅଛି । ଦେଖିବସିଲେ ସ୍ଥାପତ୍ୟ ତଥା ଭାସ୍କର୍ଯ୍ୟ ଦୃଷ୍ଟିକୋଣରୁ ଏହି ବୃହତ୍ ପୁରୁଷୋତ୍ତମ-ଜଗନ୍ନାଥଙ୍କ ମନ୍ଦିର ଲିଙ୍ଗରାଜ ତଥା ବ୍ରହ୍ମେଶ୍ୱର ମନ୍ଦିରର ସମ୍ପ୍ରସାରିତ ତଥା ସଂଶୋଧିତ ରୂପ । ଏଣୁ ଏହା ଦ୍ୱାଦଶ ଶତକର କୀର୍ତ୍ତି ହିସାବରେ ଗ୍ରହଣ କରାଯାଇଛି ।
… କ୍ରମଶଃ
Photo credit- Prof. Kailash chandra Dash Facebook page