ସାହିତ୍ୟସାହିତ୍ୟ ସଂସ୍କୃତି

ସୁଜାତା – ବୁଦ୍ଧଙ୍କର ପ୍ରଥମ ଶିଷ୍ୟ

ସେଦିନ ସକାଳ ମୋର ପୂରା ମନେ ଅଛି ।
ଗୋଟିଏ ପତଳା, ଲମ୍ବା ଲୋକ ମୋ’ ଆଡ଼େ,
ଝୁଲି ଝୁଲି ଆସିଲେ ।
ଆଖିଯୋଡ଼ିକ ଶରତର ସ୍ୱପ୍ନ ପରି ଢଳଢଳ,
ବଡ଼ ବଡ଼; ବ୍ୟାଧିଗ୍ରସ୍ତ, ହତାଶିଆ ପଥିକର ଆଖି ପରି
ଅର୍ଦ୍ଧନିମୀଳିତ ।
ବାଳୁଙ୍ଗାର ଚାଷ ପରି କେଶ, ଆଜାନୁଲମ୍ବିତ ।
ମୋତେ ଶୁଣାଗଲା,
“ମୁଁ କ୍ଷୁଧିତ ମା, ମୁଁ କ୍ଷୁଧିତ” ।
ଘରକୁ ନେଲି, ରୁଟି ଆଉ ଦହି ଖୁଆଇଲି ।
ଗାଧୋଇପାଧୋଇ ଦେଇ, ଖୌର କରାଇଲି ।
କାଟିବାକୁ ଅରାଜି ହେବାରୁ,
ଶରଧାରେ, କେଶ ପଖାଳିଲି ।
ଆଉ ପଚାରିଲି
ଏମିତି କେମିତି ହେଲା
ବାରେ କୁହ ବୋଲି ।
ସେ କହିଲେ, “ଅନେକ ବରଷ ହେଲା ଶୋଇନାହିଁ ମାଆ ।
ଅଖିଆ, ଅନିଦ୍ରା ହୋଇ,
 ଖାଲି ଚିନ୍ତା କରୁଥିଲି” ।
କେଶର ଶେଷ ଜଟା ଖୋଲିଗଲା ପରେ,
ମୋ’ର  କ୍ଲାନ୍ତ ଆଙ୍ଗୁଳିକୁ ଧରି
ନିଦ୍ରା ଗଲେ ।
ସକାଳୁ ସକାଳୁ
ମୋ’ ବାପା ମୋତେ ରୋକି ପାରିବା ପୂର୍ବରୁ,
ସୂରୁଜ ପୂରୂବ ଦିଗରେ ଉଠିବା ଆଗରୁ,
ସେ ସେଇ ଆଙ୍ଗୁଳି ଧରି
ବୋଧି ମୂଳେ ଘେନିଗଲେ
ଆଉ ବୋଇଲେ,
“ଶୁଣ” !
ଟୀକା: ଏହି ଅନୁବାଦଟି ପ୍ରଥମେ ୨୦୧୪ ମସିହାରେ ‘ଅନ୍ୟା’ ପତ୍ରିକାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟିର ଲେଖିକା ସୁଜାତା ଭଟ୍ଟ ୧୯୫୬ ମସିହାରେ ଅହମେଦାବାଦରେ ଜନ୍ମିତ ଜଣେ ଇଂରାଜୀ ଭାଷାରେ ଲେଖୁଥିବା କବି । ତାଙ୍କର ପିଲାଦିନ ପୁନେ ସହରରେ ବିତିଥିଲା । ୧୯୬୮ ମସିହାରେ ନିଜ ପରିବାର ସହ ସେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଗଲେ । କମନ୍‌ୱେଲ୍‌ଥ୍ କବିତା ପୁରସ୍କାର ପ୍ରାପ୍ତ ଏହି କବିଙ୍କର ‘ବ୍ରୁନିଜେମ୍,’ ‘ପଏଣ୍ଟ୍ ନୋ ପଏଣ୍ଟ୍,’ ‘ଏ ଡିଫରେଣ୍ଟ୍ ହିଷ୍ଟ୍ରି’ ଆଦି କାବ୍ୟ ଗ୍ରନ୍ଥ ଲୋକାଦୃତ ହୋଇଛି । ଏଠାରେ ଉପସ୍ଥାପିତ ଓଡ଼ିଆ ଅନୁବାଦ ପ୍ରଥମେ ସାହିତ୍ୟ ପତ୍ରିକା ‘ଅନ୍ୟା’ର ୨୦୧୪ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।
Courtesy – https://sailenroutray.blogspot.com/2022/04/blog-post_28.html
Photo credit- Wikimedia commons
Please support atleast Rs 20/- , Rs 50/- , Rs 100/- for a story.

ଶୈଲେନ ରାଉତରାୟ

ଗବେଷକ, ଲେଖକ

Related Articles

Leave a Reply

Your email address will not be published.

Back to top button