ଜଗନ୍ନାଥଙ୍କ ଆଧିପତ୍ୟକୁ ଓଡିଶାର ଧର୍ମ ଓ ରାଜନୀତିରେ ରାଜଶକ୍ତି ତଥା ଅନ୍ୟ ସାମାଜିକ ଗୋଷ୍ଠୀ ଗ୍ରହଣ କରିନେଇଥିଲେ । କେଉଁ ପରିସ୍ଥିତିରେ ଏବଂ କେବେ ଜଗନ୍ନାଥଙ୍କ ଆଧିପତ୍ୟ ଓଡିଶା ସାମ୍ରାଜ୍ୟରେ ଧର୍ମ ଓ ରାଜନୀତି କ୍ଷେତ୍ରରେ ଗୃହୀତ ହେଲା, ତାହାର ଚର୍ଚ୍ଚା ଓ ବିଶ୍ଳେଷଣ ଉକ୍ତ ଲେଖାରେ ଐତିହାସିକ କୈଳାଶଚନ୍ଦ୍ର ଦାଶ କରିଛନ୍ତି । ତାଙ୍କ ଅନୁସାରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଏବଂ ପୁରୁଷୋତ୍ତମ ରାଉତ ପଦ ଅପେକ୍ଷା ସେବକ ପଦ ଗ୍ରହଣ କରି ଜଗନ୍ନାଥଙ୍କର ଆଧିପତ୍ୟକୁ ଆହୁରି ଦୃଢ କଲେ । ରଥଯାତ୍ରା କାଳରେ ସେବକ ରାଜା ପୁରୁଷୋତ୍ତମ ଜଗନ୍ନାଥଙ୍କର ଛେରାପହଁରା କାର୍ଯ୍ୟକରି ସମଗ୍ର ଭାରତବର୍ଷରେ ଜଗନ୍ନାଥଙ୍କର ଓଡିଶାରେ ଆଧିପତ୍ୟକୁ ପ୍ରତିଷ୍ଠା କଲେ । – ସମ୍ପାଦକ
ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡିଶାର ରାଜନୈତିକ-ସାଂସ୍କୃତିକ ଇତିହାସରେ ରାଜ୍ୟ ଗଠନ ଏକ ସ୍ମରଣୀୟ ଅଧ୍ୟାୟ । ଏହି ଆଞ୍ଚଳିକ ରାଜ୍ୟ ସଂଗଠନ ଯୋଜନା ନାନା ଉପାଦାନର ସକ୍ରିୟ ସହଯୋଗରେ ସମ୍ଭବ ହୋଇପାରିଥିଲା । ସେହି ସକଳ ଉପାଦାନ ମଧ୍ୟରେ ଧର୍ମର ଭୂମିକାକୁ ଅସ୍ୱୀକାର କରିହେବନାହିଁ । ମଧ୍ୟଯୁଗର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ଓଡିଶାରେ ଧର୍ମଧାରଣା ଜଗନ୍ନାଥ ତତ୍ତ୍ୱ ସହିତ ବିଶେଷ ଭାବରେ ଜଡିତ ଥିଲା । ଓଡିଶାର ଧର୍ମଧାରଣା ମୁଖ୍ୟତଃ ସେତେବେଳେ ଜଗନ୍ନାଥଙ୍କ ଆଧିପତ୍ୟକୁ ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ ଗ୍ରହଣ କରିନେଇଥିଲା ।
ଗଙ୍ଗ-ସୂର୍ଯ୍ୟବଂଶୀ ରାଜତ୍ୱ କାଳରେ ରାଜଶକ୍ତି ଜଗନ୍ନାଥ ଆଧିପତ୍ୟକୁ କେବଳ ଧର୍ମଧାରଣା କ୍ଷେତ୍ରରେ ନୁହେଁ, ରାଜନୈତିକ କ୍ଷେତ୍ରରେ ବିଶେଷ ଭାବରେ ଗ୍ରହଣ କରିନେଇଥିଲା । ଅନ୍ୟକଥାରେ ଜଗନ୍ନାଥଙ୍କ ଓଡିଶାର ଧର୍ମ ଓ ରାଜନୀତିରେ ଆଧିପତ୍ୟକୁ ରାଜଶକ୍ତି ତଥା ଅନ୍ୟ ସାମାଜିକ ଗୋଷ୍ଠୀ ଗ୍ରହଣ କରିନେଇଥିଲେ । ଏହାଦ୍ୱାରା ପୁରୁଷୋତ୍ତମ-ଜଗନ୍ନାଥ ଓଡିଶା ସାମ୍ରାଜ୍ୟ(ଗଙ୍ଗ-ସୂର୍ଯ୍ୟବଂଶୀ ସାମ୍ରାଜ୍ୟ)ର ସାର୍ବଭୌମ ସମ୍ରାଟ ରୂପେ ପରିଚିତ ହେଲେ ଏବଂ ପ୍ରକୃତ ଶାସକ ଗୋଷ୍ଠୀ ତାହାଙ୍କ ଅଧୀନସ୍ଥ ବୋଲି ସ୍ୱୀକୃତ ହେଲେ । କେଉଁ ପରିସ୍ଥିତିରେ ଏବଂ କେବେ ଜଗନ୍ନାଥଙ୍କ ଆଧିପତ୍ୟକୁ ଓଡିଶା ସାମ୍ରାଜ୍ୟରେ ଧର୍ମ ଓ ରାଜନୀତି କ୍ଷେତ୍ରରେ ଗୃହୀତ ହେଲା, ତାହାର ଚର୍ଚ୍ଚା ଆବଶ୍ୟକ ।
ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତାମ୍ର-ଶିଳା ଅଭିଲେଖୀୟ ବିବରଣୀକୁ ଆଧାର କରି ଗବେଷକମାନେ ତ୍ରୟୋଦଶ ଶତକର ଦ୍ୱିତୀୟ-ଚତୁର୍ଥ ଦଶନ୍ଧି ମଧ୍ୟରେ ରାଜତ୍ୱ କରିଥିବା ଗଙ୍ଗବଂଶୀ ସମ୍ରାଟ ତୃତୀୟ ଅନଙ୍ଗଭୀମଙ୍କୁ ଏହି ତତ୍ତ୍ୱ(ଓଡିଶାର ଧର୍ମ ଓ ରାଜନୀତି କ୍ଷେତ୍ରରେ ଜଗନ୍ନାଥଙ୍କ ଆଧିପତ୍ୟ)ର ପ୍ରଥମ ପ୍ରକୃତ ପ୍ରବର୍ତ୍ତକ ବୋଲି ଗ୍ରହଣ କରିଛନ୍ତି । ତୃତୀୟ ଅନଙ୍ଗଭୀମ ଶାସନ ଆରମ୍ଭରୁ ଜଗନ୍ନାଥଙ୍କର ରାଉତ(ସାମନ୍ତ ବା ଅଧିନସ୍ଥ) ହିସାବରେ ପରିଚିତ ନଥିଲେ । ତାଙ୍କ ରାଜତ୍ୱ ଆରମ୍ଭ କାଳର ରାଗୁଲୁ ଏବଂ କପୋତେଶ୍ୱର ଗ୍ରାମରୁ ମିଳିଥିବା ଦୁଇଟି ତାମ୍ରଲେଖରେ ତାଙ୍କର ନରେନ୍ଦ୍ର ପଦକ ଥିବାର ସ୍ପଷ୍ଟ ସୂଚନା ରହିଛି । ସେଥିରେ ରାଉତ ପଦର ବର୍ଣ୍ଣନା ନାହିଁ । ପ୍ରଥମେ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନଙ୍ଗଭୀମ ଏହି ରାଉତ ପଦକ ଗ୍ରହଣ କରିଥିବାର ସୂଚନା ଆନ୍ଧ୍ରପ୍ରଦେଶ ଅର୍ନ୍ତଗତ ଭୀମେଶ୍ୱର ମନ୍ଦିର ଶିଳାଲିପିରେ ସ୍ଥାନ ପାଇଛି ।
ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଅନଙ୍ଗଭୀମ ଆପଣାର ନରେନ୍ଦ୍ର ପଦକ ତ୍ୟାଗ କରି ନିଜକୁ ପୁରୁଷୋତ୍ତମ-ଜଗନ୍ନାଥଙ୍କ ରାଉତ ରୂପେ ପରିଚିତ କରାଇଥିଲେ । ଗଙ୍ଗ ସାମ୍ରାଜ୍ୟର ପୂର୍ଣ୍ଣାଙ୍ଗ ରୂପ ତାଙ୍କ ରାଜତ୍ୱ କାଳରେ ପ୍ରକାଶିତ ହୋଇଥିଲା । ରତ୍ନପୁରର କଳଚୁରି ରାଜାମାନେ ଚୋଡଗଙ୍ଗଙ୍କ ଉତ୍କଳରେ କ୍ଷମତା ସମ୍ପ୍ରସାରଣ କାଳରେ ସମ୍ବଲପୁର-ସୋନପୁର ଅଞ୍ଚଳ ଉପରେ କ୍ଷମତା ବିସ୍ତାର କରିସାରିଥିଲେ । ଫଳତଃ ଚୋଡଗଙ୍ଗ କାଳରୁ ଆରମ୍ଭ ହୋଇଥିବା ଓଡିଶା ଗଙ୍ଗ ସାମ୍ରାଜ୍ୟ ଅପୁର୍ଣ୍ଣାଙ୍ଗ ହୋଇରହିଥିଲା । ଏହି କାର୍ଯ୍ୟ ପରବର୍ତ୍ତୀ ଗଙ୍ଗରାଜାମାନେ ମଧ୍ୟ କରିପାରିନଥିଲେ । ତୃତୀୟ ଅନଙ୍ଗଭୀମ ଏକ ବିଚକ୍ଷଣ ସାମରିକ ପଦକ୍ଷେପରେ ସମ୍ବଲପୁର-ସୋନପୁର ଅଞ୍ଚଳକୁ ଅଧିକାର କରି ଗଙ୍ଗ ଓଡିଶା ସାମ୍ରାଜ୍ୟର ପୂର୍ଣ୍ଣ କଳେବର ନିର୍ମାଣ କଲେ । ଅନଙ୍ଗଭୀମ ଦେବ କାଳର ଚାଟେଶ୍ୱର ମନ୍ଦିର ଲିପିରେ ଏହି ଅବିସ୍ମରଣୀୟ ସାମରିକ କୀର୍ତ୍ତିର ବର୍ଣ୍ଣନା ରହିଛି । ସମ୍ଭବତଃ ରାଜତ୍ୱର ଆରମ୍ଭରେ ଅନଙ୍ଗଭୀମ ଏହି ସାମରିକ ଅଭିଯାନ ସଫଳ କରାଇଥିଲେ ।
ସେହିପରି ଅନଙ୍ଗଭୀମ ମଧ୍ୟ କାକତୀୟ ରାଜା ଗଣପତିଙ୍କ ବିରୁଦ୍ଧରେ ଅଭିଯାନ କରି ଗୋଦାବରୀ ଅଞ୍ଚଳ ପୁନର୍ବାର ଅଧିକାର କରିଥିଲେ । ଫଳରେ ଗଙ୍ଗ ରାଜ୍ୟର ସୀମା ଦକ୍ଷିଣରେ ଦ୍ରାକ୍ଷାରାମ ପର୍ଯ୍ୟନ୍ତ ସୁରକ୍ଷିତ ହୋଇଥିଲା । ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଉତ୍କୀର୍ଣ୍ଣ ଭୀମେଶ୍ୱର ମନ୍ଦିରର ଏକ ଶିଳାଲିପିରେ ସେଥିପାଇଁ ସେ ତ୍ରୈବସୁନ୍ଧରା ବା ତ୍ରିକଳିଙ୍ଗ ଅଧିକାର କରିଥିବାର ସୂଚନା ରହିଛି । ଅନଙ୍ଗଭୀମ ସାମରିକ କାର୍ଯ୍ୟକଳାପ ବଳରେ ରାଜତ୍ୱର ପ୍ରଥମ ଦଶନ୍ଧିରେ ଓଡିଶା ସାମ୍ରାଜ୍ୟ ଗଠନ ସମ୍ପୂର୍ଣ୍ଣ କରିଥିଲେ । ଏହା ସହିତ ସାମ୍ରାଜ୍ୟର ଉତ୍ତର ଓ ଦକ୍ଷିଣ ସୀମାରେ ଥିବା ଦୁଇଟି ବୃହତ୍ ରାଜଶକ୍ତି-ବଙ୍ଗଳାର ମୁସଲମାନମାନେ ଏବଂ ଆନ୍ଧ୍ରର କାକତୀୟ ରାଜବଂଶର ଓଡିଶା ଅଭିମୁଖେ କ୍ଷମତା ସମ୍ପ୍ରସାରଣକୁ ବାଧା ଦେଇ ଗଙ୍ଗ ସାମ୍ରାଜ୍ୟକୁ ଶକ୍ତ କରିପାରିଥିଲେ ।
ଯଦିବା ମୁସଲମାନମାନେ ପରାଜିତ ହୋଇଥିଲେ ଏବଂ ଅନଙ୍ଗଭୀମଙ୍କ କାଳରେ ତାଙ୍କ ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ସାହାସ କରିନଥିଲେ, ତଥାପି ସେ ବଙ୍ଗର ମୁସଲମାନ ଶକ୍ତିର ଉତ୍ଥାନର ରାଜନୈତିକ ମର୍ମକୁ ବେଶ୍ ଉପଲବ୍ଧି କରିସାରିଥିଲେ । ସେ ଅନୁଭବ କରିଥିଲେ ଯେ କୌଣସି ସମୟରେ ଗଙ୍ଗ ରାଜ୍ୟକୁ ମୁସଲମାନମାନେ ପୁନର୍ବାର ଆକ୍ରମଣ କରିପାରନ୍ତି । ଏଣୁ ତାଙ୍କ ଅଧୀନରେ ଥିବା ସକଳ ଆଞ୍ଚଳିକ ହିନ୍ଦୁ ଶକ୍ତି ଏକତ୍ରୀକରଣ ତାଙ୍କ ସାମ୍ରାଜ୍ୟର ଅଖଣ୍ଡତାର ସୁରକ୍ଷାରେ ସାହାଯ୍ୟ କରିପାରିବ ଏବଂ ଏହା ମୁସଲମାନ ଆକ୍ରମଣ ପ୍ରତିହତ କରିବାରେ ଏକ ବୃହତଶକ୍ତି ରୂପେ ଗ୍ରହଣ କରାଯାଇପାରିବ । ସେଥିପାଇଁ ଏହି କ୍ଷେତ୍ରରେ ରାଜା ଧର୍ମର ସାହଯ୍ୟ ନେଲେ । ସେ ପ୍ରଚାର କଲେ-ବୃହତ୍ ଓଡିଶା ଗଙ୍ଗ ସାମ୍ରାଜ୍ୟ ପୁରୁଷୋତ୍ତମ-ଜଗନ୍ନାଥଙ୍କର ସାମ୍ରାଜ୍ୟ ଏବଂ ସେ ନିଜେ ପ୍ରଭୁ ଜଗନ୍ନାଥଙ୍କର ରାଉତ ବା ସାମନ୍ତ । ଅନଙ୍ଗଭୀମଙ୍କର ଅନେକ ଶିଳାଲିପି ଏବଂ ମାଦଳାପାଞ୍ଜିରେ ଏହି ପ୍ରଚାରର ବର୍ଣ୍ଣନା ରହିଛି । ମାଦଳାପାଞ୍ଜି ରାଜଭୋଗ ଅନୁସାରେ-ଏ ନଗର କଟକେ ଥାଇ ଶ୍ରୀପୁରୁଷୋତ୍ତମ ଶ୍ରୀଜଗନ୍ନାଥଦେବଙ୍କୁ ସମସ୍ତ ସମର୍ପି ରାଉତପଣେ ଥାଆନ୍ତି ।
ଜଗନ୍ନାଥଙ୍କର ଅଧୀନତା ସ୍ୱୀକାର କରିବାର ଏକ ଉଦ୍ଦେଶ୍ୟ ଥିଲା ସମସ୍ତ ଆଞ୍ଚଳିକ ହିନ୍ଦୁ ଶକ୍ତିକୁ ମୁସଲମାନ ଶକ୍ତି ବିପକ୍ଷରେ ଏକତ୍ରିତ କରିବାଏବଂ ବୃହତ୍ ସାମ୍ରାଜ୍ୟବାଦୀ ପଡୋଶୀ ଶକ୍ତି(ଯଥା କାକତୀୟ ରାଜବଂଶ) ବିପକ୍ଷରେ ଏହାକୁ ବ୍ୟବହାର କରିବା । ମୁସଲମାନମାନଙ୍କର ଯେ କୌଣସି ସମୟର ଆକ୍ରମଣକୁ ସମସ୍ତ ଆଞ୍ଚଳିକ ହିନ୍ଦୁଶକ୍ତି ଏକତ୍ରିତ ହୋଇ ପ୍ରତିହତ କରିପାରିବେ; କାରଣ ଏ ବିପଦ ହିନ୍ଦୁ ଆରାଧ୍ୟ ଦେବତା ପୁରୁଷୋତ୍ତମ ଜଗନ୍ନାଥଙ୍କ ସାମ୍ରାଜ୍ୟ ପାଇଁ । ଏ ପ୍ରକାର ପ୍ରଚାର ଦ୍ୱାରା ରାଜଶକ୍ତି ବୃହତ୍ ଗଙ୍ଗ ସାମ୍ରାଜ୍ୟର ଅଖଣ୍ଡତାକୁ ଶକ୍ତ କରିପାରିଥିଲେ । ଜଗନ୍ନାଥଙ୍କର ରାଉତ ବୋଲି ନିଜକୁ ସ୍ୱୀକାର କରି ତୃତୀୟ ଅନଙ୍ଗଭୀମ ସାମ୍ରାଜ୍ୟର ସକଳ ସାମାଜିକ-ଆର୍ଥନୀତିକ ଶ୍ରେଣୀମାନଙ୍କର ସହଯୋଗ ଲାଭ କରିଥିଲେ । ସମସ୍ତେ ତାଙ୍କୁ ସାମ୍ରାଜ୍ୟର ସୁଶାସକ ହିସାବରେ ଗ୍ରହଣ କରିନେଇଥିଲେ । କାରଣ ରାଜା ନିଜକୁ ପୁରୁଷୋତ୍ତମ-ଜଗନ୍ନାଥଙ୍କର ରାଉତ ରୂପେ ଶାସନ କରିବାକୁ ଇଚ୍ଛା ପ୍ରକାଶ କରିସାରିଥିଲେ । ସେତେବେଳକୁ ପୁରୁଷୋତ୍ତମ କ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତି-ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଉପାସନା ପ୍ରଚଳିତ ହୋଇଥିବା ଦ୍ୱାରା ପୁରୁଷୋତ୍ତମ କ୍ଷେତ୍ର ଓଡିଶା ଧର୍ମଧାରଣାର ପୀଠ ରୂପେ ପରିଚିତ ହୋଇସାରିଥିଲା ।
ବିଭିନ୍ନ ପର୍ବପର୍ବାଣୀ ପାଳନ ଦ୍ୱାରା ଏ କ୍ଷେତ୍ରର ପ୍ରାଧାନ୍ୟ ବଢିଯାଇଥିଲା । ଏହି ପୀଠ ମଧ୍ୟ ସାର୍ବଜନୀନ ଧର୍ମଧାରଣା ଯୋଗୁଁ ସର୍ବଭାରତୀୟ ସ୍ତରରେ ଖ୍ୟାତିଲାଭ କରିଥିଲା । ଏଣୁ ଅନଙ୍ଗଭୀମଙ୍କର ସାମନ୍ତନୀତି ବା ରାଉତପଣ ଦ୍ୱାରା ବୃହତ୍ ସାମ୍ରାଜ୍ୟରେ ଗଙ୍ଗ କ୍ଷମତା ସମ୍ପ୍ରସାରିତ ଏବଂ ବୈଧ ହୋଇପାରିଥିଲା । ଗଙ୍ଗ ସାମ୍ରାଜ୍ୟ ପୁରୁଷୋତ୍ତମଙ୍କର ସାମ୍ରାଜ୍ୟ ବୋଲି ପ୍ରଚାର କରିବା ଦ୍ୱାରା ସାମ୍ରାଜ୍ୟର ସ୍ଥାୟୀ ରୂପ ଠିଆ ହୋଇରହିଲା । ଜଗନ୍ନାଥ ତତ୍ତ୍ୱ ପ୍ରତି ରାଜଶକ୍ତିର ଅଧୀନସ୍ଥ ହେବା ପ୍ରସଂଗ ଶକାବ୍ଦ ୧୧୫୨(ଖ୍ରୀଷ୍ଟାବ୍ଦ ୧୨୩୦)ରେ ଉତ୍କୀର୍ଣ୍ଣ କୂର୍ମେଶ୍ୱର ଶିଳାଲିପିର ଏକ ବିବରଣୀରୁ ସଂଗ୍ରହ କରାଯାଇପାରେ । ଶିଳାଲିପି କଳିଙ୍ଗର ଦୁଇଟି ଗ୍ରାମର ବିବାଦ ବିଷୟରେ ସୂଚନା ଦିଏ । ରାଜା ଏହି ବିବାଦର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେଇଥିଲେ । ଶିଳାଲିପିର ଭାଷା ଅନୁସାରେ-ଯେଉଁ ନିଷ୍ପତ୍ତି ଏ ସଂକ୍ରାନ୍ତରେ ଗ୍ରହଣ କରାଗଲା, ତାହା ଅନଙ୍ଗଭୀମ ରାଉତ ଏବଂ ପ୍ରଭୁ ଜଗନ୍ନାଥଙ୍କର ନିର୍ଦ୍ଦେଶାନୁସାରେ ହୋଇଥିଲା ।
ଅନଙ୍ଗଭୀମଙ୍କର ରାଜତ୍ୱ କାଳରେ ସମଗ୍ର ଭାରତରେ ଜଗନ୍ନାଥ ଓଡିଶା ସାମ୍ରାଜ୍ୟର ଶାସକରୂପେ ପରିଚିତ ଏବଂ ପ୍ରଚାରିତ ହେଲେ। ରାଜାଙ୍କର ରାଉତପଣରେ ଓଡିଶା ସାମ୍ରାଜ୍ୟ ଶାସନ ପୁରୁଷୋତ୍ତମ କ୍ଷେତ୍ରର ସେବକ ସମ୍ପ୍ରଦାୟଙ୍କର ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲକ୍ଷଲକ୍ଷ ତୀର୍ଥଯାତ୍ରୀ ଏବଂ ଭକ୍ତମାନଙ୍କ ନିକଟରେ ପ୍ରଚାର ଦ୍ୱାରା ଓଡିଶା ସାମ୍ରାଜ୍ୟ ଉପରେ ଜଗନ୍ନାଥଙ୍କର ଆଧିପତ୍ୟ ସର୍ବଭାରତୀୟ ସ୍ତରରେ ଗୃହୀତ ହେଲା । ପୁରୁଷୋତ୍ତମ କ୍ଷେତ୍ରର ସେବକ ସମ୍ପ୍ରଦାୟ ଏହି ପ୍ରଚାର ଦ୍ୱାରା ବିଶେଷ ଉପକୃତ ହେଲେ । କାରଣ ରାଜଶକ୍ତିକୁ ସେମାନେ ଏହାଦ୍ୱାରା ନିୟନ୍ତ୍ରଣ କରିପାରିଲେ । ପରବର୍ତ୍ତୀ ଗଙ୍ଗରାଜାମାନେ ଏହି ରାଉତପଣ ଗ୍ରହଣ କରିନେବାରୁ ଜଗନ୍ନାଥ ଓଡିଶାର ସମ୍ରାଟ ଥିବା କଥାଟି ଜନଧାରଣାରେ ଦୃଢ ହୋଇ ରହିଗଲା ଓ ଭିନ୍ନ ଭିନ୍ନ ଜନଶ୍ରୁତିର ମୂଳ ଆଧାର ହୋଇରହିଲା ।
ସମଗ୍ର ଦକ୍ଷିଣ ଭାରତରେ ସୂର୍ଯ୍ୟବଂଶୀ ଗଜପତି ଶାସନ ପୂର୍ବରୁ ଓଡିଶାରେ ଜଗନ୍ନାଥଙ୍କ ଆଧିପତ୍ୟ ବିଶେଷ ଭାବରେ ଜଣାଥିଲା । ଶ୍ରୀନାଥ ଏବଂ ବୀରଭଦ୍ରକବି ରଚିତ ପଲ୍ନାଟି ବୀରଚରିତରୁ ଏହି ପ୍ରସଙ୍ଗଟି ଗ୍ରହଣ କରାଯାଇପାରେ । ଏହି ଗ୍ରନ୍ଥରେ ପଲ୍ନାଟି ଯୁଦ୍ଧ(ବର୍ତ୍ତମାନର ପଲ୍ନାଡ ଅଞ୍ଚଳ ଯାହା ଏକଦା ହୈହୟ ରାଜବଂଶ ଅଧୀନରେ ଥିଲା, ଯେଉଁଥିରେ ବିଭିନ୍ନ ରାଜ୍ୟମାନଙ୍କରୁ ବୀରମାନେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଥିଲେ) ବିବରଣୀ ସ୍ଥାନ ପାଇଛି । ଓଡିଶାର ରାଜା ବା କଟକାଧିପତି ବଳଦେବ-ପୁରୁଷୋତ୍ତମ ଯୁଦ୍ଧରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଥିବାର ବର୍ଣ୍ଣନା ଏଥିରେ ସ୍ଥାନ ପାଇଛି । ଏହା ସୂଚାଇ ଦିଏ ଯେ ଶ୍ରୀନାଥ ସମୟକୁ(ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀକୁ) ଓଡିଶା ସାମ୍ରାଜ୍ୟ ଉପରେ ପୁରୁଷୋତ୍ତମ-ଜଗନ୍ନାଥଙ୍କର ଆଧିପତ୍ୟ ଏପରି ଦୃଢ ହୋଇଯାଇଥିଲା ଯେ ପଲ୍ନାଟି ବୀରଚରିତର ଲେଖକ ବଳଦେବ ପୁରୁଷୋତ୍ତମ(ଜଗନ୍ନାଥ ଏବଂ ବଳଭଦ୍ର) ଗଙ୍ଗରାଜ୍ୟର ପ୍ରକୃତ ପ୍ରଭୁ ବୋଲି ସୂଚାଇ ପାରିଥିଲେ ।
ଏ ଜନଶ୍ରୁତି(ଜଗନ୍ନାଥ ବଳଦେବ ଯୁଦ୍ଧରେ ଯୋଗ ଦେବା) ଜଗନ୍ନାଥଙ୍କୁ ଗଙ୍ଗ ସାମ୍ରାଜ୍ୟର ଅଧିୀଶ୍ୱରରୂପେ ସ୍ୱୀକାର ଏବଂ ପ୍ରଚାରରୁ ସୃଷ୍ଟ ବୋଲି କୁହାଯାଇପାରେ । କାରଣ ତୀର୍ଥଯାତ୍ରୀ ଏବଂ ଭକ୍ତମାନେ ଅନଙ୍ଗଭୀମ କାଳରୁ ଭାରତର ବିଭିନ୍ନ ପ୍ରାନ୍ତରରେ ଓଡିଶାର ପ୍ରକୃତ ରାଜା ଜଗନ୍ନାଥ ବୋଲି ପ୍ରଚାର କରିଦେଇଥିଲେ ଏବଂ ତାହା ସର୍ବତ୍ର ଗୃହୀତ ହୋଇଯାଇଥିଲା । ଜଗନ୍ନାଥ ରାଷ୍ଟ୍ରଦେବତା ତଥା ସାମ୍ରାଜ୍ୟାଧିଶ୍ୱର ରୂପେ ସ୍ୱୀକୃତ ହେବା ଦ୍ୱାରା ଗଙ୍ଗ ରାଜତ୍ୱର ଦୃଢ ପ୍ରତିଷ୍ଠା ହୋଇପାରିଲା ଏବଂ ମୁସଲମାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଞ୍ଚଳିକ ହିନ୍ଦୁଶକ୍ତି ଏକତ୍ରିତ ହୋଇପାରିଲେ । ଆଉ ଶେଷରେ କାଳକାଳ ଧରି ଓଡିଶାର ବିଭିନ୍ନ ଧର୍ମ ସମ୍ପ୍ରଦାୟମାନଙ୍କର ବିବାଦର ଅବସାନ ହୋଇପାରିଲା ।
ଗଙ୍ଗ ରାଜତ୍ୱ ପୂର୍ବରୁ ଏପରିକି ଚୋଡଗଙ୍ଗଙ୍କ ରାଜତ୍ୱ କାଳରେ ପୁରୁଷୋତ୍ତମ କ୍ଷେତ୍ରର ଉପାସିତ ଦେବତାଙ୍କୁ ପୁରୁଷୋତ୍ତମ କୁହାଯାଇଥିଲା । କିନ୍ତୁ ଅନଙ୍ଗଭୀମ ରାଜତ୍ୱ କାଳରେ ପୁରୁଷୋତ୍ତମ ପରିବର୍ତ୍ତେ ଉପାସ୍ୟ ଦେବତାଙ୍କ ନାମ ଜଗନ୍ନାଥ ରଖାଯିବାରୁ ଗଙ୍ଗ ସାମ୍ରାଜ୍ୟର ରାଷ୍ଟ୍ରଦେବତାଙ୍କର ରାଜକୀୟ ରୂପ ବିଶେଷ ଭାବରେ ପ୍ରକଟିତ ହେଲା । ଗଙ୍ଗ ରାଜତ୍ୱ କାଳରେ ସମ୍ରାଟ ଜଗନ୍ନାଥଙ୍କର ସକଳ ସୁଖ(ବିଳାସବ୍ୟସନ) ବ୍ୟବସ୍ଥା କରାଯାଇଥିଲା । ମାଦଳାପାଞ୍ଜିର ବିବରଣୀ ଅନୁସାରେ ଜଗନ୍ନାଥଙ୍କର ବ୍ୟାପକ ସେବା ପୂଜା ଗଙ୍ଗ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା । ଜଗନ୍ନାଥଙ୍କର ଛପନ ଭୋଗ ଏହି ସମୟରୁ ଆରମ୍ଭ ହେଲା । ଜଣେ ସମ୍ରାଟଙ୍କର ଯେପରି ପୋଷାକ, ଅଳଂକାର, ଅଙ୍ଗଭୂଷଣ, ଶଯ୍ୟା ଓ ଅନ୍ୟ ଜିନିଷପତ୍ର ଦରକାର, ସେହିପରି ଦ୍ରବ୍ୟମାନ ସମ୍ରାଟ ଜଗନ୍ନାଥଙ୍କୁ ଯୋଗାଇ ଦିଆଗଲା । ଜଗନ୍ନାଥଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ମଧ୍ୟ ଜଣେ ସମ୍ରାଟଙ୍କ ପରି ଥିଲା । ତାଙ୍କର ଅଙ୍ଗରଙ୍ଗ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସର୍ବୋପରି ଜଗନ୍ନାଥଙ୍କର ଓଡିଶା ସାମ୍ରାଜ୍ୟରେ ଧର୍ମ ଓ ରାଜନୀତି କ୍ଷେତ୍ରରେ ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ଗଙ୍ଗ ରାଜତ୍ୱ କାଳରୁ ଆରମ୍ଭ ହୋଇଥିଲା ।
ସୂର୍ଯ୍ୟବଂଶୀ-ଗଜପତି ରାଜତ୍ୱ କାଳରେ ଜଗନ୍ନାଥ ଆଧିପତ୍ୟ ଏକ ନୂଆ ମୋଡ ନେଲା । ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଏବଂ ପୁରୁଷୋତ୍ତମ ରାଉତ ପଦ ଅପେକ୍ଷା ସେବକ ପଦ ଗ୍ରହଣ କରି ଜଗନ୍ନାଥଙ୍କର ଆଧିପତ୍ୟକୁ ଆହୁରି ଦୃଢ କଲେ । ରଥଯାତ୍ରା କାଳରେ ସେବକ ରାଜା ପୁରୁଷୋତ୍ତମ ଜଗନ୍ନାଥଙ୍କର ଛେରାପହଁରା କାର୍ଯ୍ୟକରି ସମଗ୍ର ଭାରତବର୍ଷରେ ଜଗନ୍ନାଥଙ୍କର ଓଡିଶାରେ ଆଧିପତ୍ୟକୁ ପ୍ରତିଷ୍ଠା କଲେ । ଜଗଶ୍ରୁତି କାଞ୍ଚିକାବେରୀ ଏହି ଜଗନ୍ନାଥ ଆଧିପତ୍ୟକୁ ଅଧିକ ସୁଦୃଢ କରିଥିଲା । ବଳରାମ ଦାସଙ୍କଠାରୁ ଆରମ୍ଭ କରି ଉପେନ୍ଦ୍ର ଭଂଜ ପର୍ଯ୍ୟନ୍ତ ଜଗନ୍ନାଥ ଆଧିପତ୍ୟ ଭାବଧାରା ଓଡିଆ ପ୍ରାଣରେ ଦୃଢ ହୋଇରହିଲା । ଗୋବିନ୍ଦ ତ୍ରିପାଠୀଙ୍କ ଭାଷାରେ-ଏ ଓଡିଆ ଜାତି ଜଗନ୍ନାଥ ଦେବଙ୍କର ଚଣ୍ଡାଳତ୍ୱର ଆଜି ପର୍ଯ୍ୟନ୍ତ ଗର୍ବ ଓ ଆନନ୍ଦ ଅନୁଭବ କରିଆସୁଛନ୍ତି ।