(ଅତୀତରୁ ପୋଷ୍ଟକାର୍ଡ)୧୯୨୦ ଦଶକର ଜଗତସିଂହପୁରରେ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ
ଶୈଲେନ ରାଉତରାୟ 216 Views
5 Min Read

୧୯୨୦ ଦଶକର ମଝାମଝି ବିଦ୍ୟାଧର ମିଶ୍ର ପାଠ ପଢ଼ା ଆରମ୍ଭ କଲେ ଜଗତସିଂହପୁର ପାଖ ନିଜ ଗାଁର ଏକ ନିମ୍ନପ୍ରାଥମିକ ଇସ୍କୁଲୁରେ । ସେଠି ତିନି ବର୍ଷ ପଢ଼ି ବି ବିଶେଷ କିଛି ଶୈକ୍ଷଣିକ ଲାଭ ନ ହେବାରୁ ସେବେ କଟକରେ ରେଭେନ୍ସାରେ ପଢ଼ୁଥିବା ବଡ଼ ଭାଇ ତାଙ୍କ ନାଁ ଲେଖାଇଦେଲେ ପାଖର ଆଉ ଏକ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲଟିର ଅବସ୍ଥାନ ଗୋଟିଏ ଭଲ ଯେଗାରେ ଥିଲା। ବିଦ୍ୟାଳୟ ପାଖରେ ଥିଲା ଏକ ବିରାଟ ବଡ଼ ବରଗଛ । ସେଇ ଗଛଟି ଆସ୍ଥାନ ଥିଲା ନାଗା ଗୋସେଇଁ ଠାକୁରଙ୍କର । ସ୍କୁଲ ଚାରିଆଡ଼େ ଏକ ବଡ଼ ପଡ଼ିଆ ଓ ଜଣେ ଜମିଦାରଙ୍କର ଆମ୍ବ ତୋଟାଟିଏ ।  ପିଲାମାନେ ପଡ଼ିଆରେ, ତୋଟାରେ ଓ ବରଗଛ ତଳେ ଆନନ୍ଦ ମନରେ ଖେଳନ୍ତି । ତୋଟାରେ ଥିବା ଜାମୁ ଗଛରୁ ପ୍ରଚୁର ପରିମାଣରେ କୋଳି ତୋଳି ଖିଆ ଯାଏ ।

ଏଇ ସ୍କୁଲଟିରେ ହେଡ଼ ପଣ୍ଡିତ ଥିଲେ ଆନନ୍ଦଚନ୍ଦ୍ର ସାହୁ, ଭାଇଙ୍କର ସାଙ୍ଗ ଜଣେ । ସେ ସାଙ୍ଗର ସାନ ଭାଇର ବ୍ୟକ୍ତିଗତ ଯତ୍ନ ନେବାକୁ ରାଜି ହେବାରୁ ଦ୍ୱିତୀୟ ଶ୍ରେଣୀର ଛାତ୍ର ଭାବରେ ବିଦ୍ୟାଧର ସେଠି ଦାଖଲ ହେଲେ । ଆନନ୍ଦଚନ୍ଦ୍ର ଜାତିରେ ଥିଲେ ଶୁଣ୍ଢି । ତାଙ୍କର ପରିବାରଟି ବଡ଼ ଥିଲା । ହେଲେ କୁଟୁମ୍ବଟି ଚାଷବାସ ସହ ଖୁଚୁରା ଦୋକାନଟିଏର ଆୟ ଓ ତହିଁ ସହିତ ଆନନ୍ଦ ବାବୁଙ୍କର ମାଷ୍ଟ୍ରାମୀର ଦରମା ଓ ତାଙ୍କ ମହାଜନିରୁ ପ୍ରାପ୍ତ ସୁଧକୁ ମିଶାଇ ସୁବିଧାରେ ଚଳିଯାଉ ଥିଲେ । ଆନନ୍ଦଚନ୍ଦ୍ର ମାଇନର ପଢ଼ା ସାରି ‘ଗୁରୁ ପ୍ରଶିକ୍ଷଣ’ ପ୍ରାପ୍ତ ଥିଲେ । ସାଙ୍ଗ ସହିତ ହୋଇଥିବା ବୁଝାମଣା ଅନୁଯାୟୀ ଆନନ୍ଦ ବାବୁ ବିଦ୍ୟାଧରଙ୍କୁ ଗଣିତ ଓ ମାନସାଙ୍କ ବ୍ୟକ୍ତିଗତ ଭାବରେ ବୁଝାଇ ଦେବାକୁ ଆରମ୍ଭ କଲେ । ଏହା ସହ ଭୂଗୋଳ, ସାହିତ୍ୟ ଓ ପ୍ରକୃତି ପାଠ ଆଦି ପଢ଼ାଇ ଦେଲେ । ଏହି ପରି ଗଣିତ ଓ ଭାଷା ଆଦି ବିଷୟରେ ବିଦ୍ୟାଧରଙ୍କର ଗୋଟିଏ ଭଲ ମୂଳଦୁଆ ପଡ଼ିଗଲା । ହେଲେ ତୃତୀୟ ଶ୍ରେଣୀରେ ସେ ବୃତ୍ତି ପାଇଲେ ନାହିଁ। ଦୁଇ ଜଣଙ୍କୁ ମିଳିବାର ଥିଲା ବୃତ୍ତି ଆଉ ବିଦ୍ୟାଧର ବିଚରା ରହିଲେ ତୃତୀୟ ସ୍ଥାନରେ । ବିଦ୍ୟାଧରଙ୍କର ତ ମନ ଖରାପ ହେଲା ହିଁ, ହେଲେ ଆନନ୍ଦଚନ୍ଦ୍ର ବି ବହୁତ ଦୁଃଖିତ ହେଲେ ଏତେ ପରିଶ୍ରମ କରି ପିଲାଟି ବୃତ୍ତି ନ ପାଇବାରୁ ।

ଆନନ୍ଦ ସାହୁଙ୍କ ପାଖରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ପଡ଼ି ସାରିବା ପରେ ବିଦ୍ୟାଧର ପୁଣି ଲେଉଟିଲେ ନିଜ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ  ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ପାଇଁ । ଏଠି ସେପରି କିଛି ନାଁ ଲେଖା ହୋଇ ନ ଥିଲା । ସାହି ପିଲାଙ୍କ ସହ ସେ ମନକୁମନ ପଢ଼ିବା ପାଇଁ ସ୍କୁଲଟିକୁ ଯିବାକୁ ଆରମ୍ଭ କଲେ । ଏଠି ହେଡ଼ ପଣ୍ଡିତ ଥିଲେ ନାରାୟଣ ମିଶ୍ର, ବିଦ୍ୟାଧରଙ୍କର ପରିବାରର ନିକଟ ସମ୍ପର୍କୀୟ । ଆନନ୍ଦଚନ୍ଦ୍ରଙ୍କ ପରି ସେ ମଧ୍ୟ ମାଇନର ପାସ୍ କରି ଗୁରୁ ଟ୍ରେନିଂ ପାଇ ଥିଲେ । ଥିଲେ ବହୁକୁଟୁମ୍ବୀ, ହେଲେ ପରିବାର ପ୍ରତିପାଳନ ପାଇଁ ସେହି ଭାବରେ ଜମିବାଡ଼ି ମଧ୍ୟ ଥିଲା । ନାରାୟଣ ବାବୁ ସମ୍ପତ୍ତି, ପଦ ଓ ନିଜ ଚରିତ୍ର ବଳରେ ଗାଁର ଜଣେ ନାଁକରା ମାମଲତକାର ଥିଲେ । ମାମଲତକାରି କରି ସେ ପରିବାରର ଜମିବାଡ଼ିର ପରିମାଣ ମଧ୍ୟ ବଢ଼ାଇ ଥିଲେ ।  ହେଲେ ନୂଆ କରି ଧରୁଥିବା ଜମି କିଣା ହେଉଥିଲା ନିଜ ଚାରି ଭାଇଙ୍କ ନାଁରେ, ଏକାନ୍ନବର୍ତ୍ତୀ ପରିବାରର ଧର୍ମ ରକ୍ଷା କରି ।

ମାମଲତକାରୀ, ଘରର ମୂରବୀ ପଣିଆ, ଚାଷବାସ ଏ ସବୁ ଗୁରୁତ୍ୱପୂର୍ଣ୍ଣ କାମ ସାରିଲା ବେଳକୁ ମିଶ୍ର ଆଜ୍ଞାଙ୍କୁ ଆଉ ପାଠ ପଢ଼ାଇବା ପାଇଁ ବେଶି ଫୁରୁସତ ମିଳୁ ନ ଥିଲା । ନାରଣ ବାବୁ ବାକି ସବୁ କାମ ଟିକିଏ ଟିକିଏ ବଢ଼େଇ ଦେଇ ହଲିହଲି ବିଦ୍ୟାଳୟକୁ ଆସନ୍ତି ଦିନ ବାରଟା ବେଳକୁ ।  ଦୁଇ ଘଣ୍ଟା ଖଣ୍ଡେ ରହି ପୁଣି ଦିନ ଦି ପହରକୁ ଅନ୍ୟ ପାଇଟିରେ ଚାଲି ଯାଆନ୍ତି । ତାଙ୍କୁ ଅନୁସରଣ କରି ଅନ୍ୟ ଶିକ୍ଷକମାନେ ବି ସ୍କୁଲକୁ ଆସିବାରେ ବିଳମ୍ବ କରନ୍ତି ।  ଏଣୁ ପିଲାଙ୍କର ସବୁ ଦିନେ ରଜ ମଉଜ ।

ଦିନ ଦଶଟା ବେଳକୁ ପ୍ରାୟ ସମସ୍ତ ଚାଟ ଇସ୍କୁଲକୁ ଚାଲି ଆସନ୍ତି । ବିଦ୍ୟାଳୟ ପାଖ ବରଗଛ ମୂଳରେ ଶିକ୍ଷକମାନଙ୍କୁ ଅପେକ୍ଷା କରି ଖେଳ ଜମେ । ଏହି ପରି ଭାବେ କିଛି ପାଠ ନ ପଢ଼ି ବିଦ୍ୟାଧର ଓ ଅନ୍ୟ ଛାତ୍ରମାନଙ୍କର ସମୟ କଟୁଥାଏ । ସେବେ ବୃତ୍ତି ପରୀକ୍ଷା ଛଡ଼ା ଅନ୍ୟ କୌଣସି କେନ୍ଦ୍ର ପରୀକ୍ଷା ହେଉ ନ ଥିଲା । କେହି ପିଲା ଫେଲ ହେଉ ନ ଥିଲେ । ସ୍କୁଲରେ ନାଁ ଲେଖାଇଥିବା ସମସ୍ତଙ୍କୁ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣପତ୍ର ଅବଲୀଳାକ୍ରମେ ମିଳିଯାଉଥିଲା । ଏହି ପରି ଭାବେ ଆନନ୍ଦରେ କାଳାତିପାତ କରୁଥିବା ସମୟରେ ବିନା ମେଘରେ କୁଳିଶପାତ ହେଲା । ବିଦ୍ୟାଧର ପଞ୍ଚମ ଶ୍ରେଣୀରେ ପାଠପଢ଼ା ସାରୁଥିବା ସମୟରେ ପାଟନାରେ ଇଞ୍ଜିନିଅରିଂ ପଢ଼ୁଥିବା ତାଙ୍କ ଅତି ପ୍ରିୟ ବଡ଼ ଭାଇ ଯକ୍ଷ୍ମା ରୋଗରେ ଚାଲିଗଲେ ।

ବି.ଦ୍ର. – ଏହି ଲେଖାଟିର ଉପାଦାନ ଅର୍ଥନୈତିଜ୍ଞ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ – ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।

[box type=”shadow” align=”” class=”” width=””]‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପ୍ରକାଶିତ ଏହି ଲେଖାଟି ଶୈଲେନ ରାଉତରାୟଙ୍କର ଏକ ସୃଜନାତ୍ମକ ସୃଷ୍ଟି । ଏହି ସ୍ତମ୍ଭରେ ଗତ କିଛି ବର୍ଷ ଧରି ସେ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାରେ ଧାରାବାହିକ ଭାବରେ ଲେଖି ଆସୁଛନ୍ତି। ଓଡ଼ିଆ ଭାଷାରେ ପ୍ରକାଶିତ ଆତ୍ମଜୀବନୀଗୁଡ଼ିକୁ ଭିତ୍ତିପାଠ ଭାବରେ ଧରି ଓଡ଼ିଶାର ଜନଜୀବନର ସାମାଜିକ ଇତିହାସ ରଚନା ଦିଗରେ ଏହା ଏକ ପ୍ରଚେଷ୍ଟା ଏହା ସହ ଏକ ନୂତନ ପ୍ରଜନ୍ମକୁ ଇତିହାସର ଅନେକ ଅଣଆଲୋଚିତ ଚରିତ୍ର ଓ ଘଟଣା ମାନଙ୍କ ସହିତ ପରିଚୟ କରାଇବା ତଥା ପୁରାତନ ପୁସ୍ତକମାନଙ୍କ ସହ ଭେଟ କରାଇ ତତ୍‌ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରିବା ପାଇଁ ସେ ନିଜର ଉଦ୍ୟମ ଏହି ସ୍ତମ୍ଭ ଜରିଆରେ ଜାରୀ ରଖିଛନ୍ତି । ତାଙ୍କର ଏହି ଚେଷ୍ଟାକୁ ଆଗେଇ ନେବା ପାଇଁ ‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପୂର୍ବପ୍ରକାଶିତ ଲେଖାଗୁଡ଼ିକୁ ଆମେ ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାକୁ ଅନୁରୋଧ କରିଥିଲୁ। ତାଙ୍କର ସହାୟତାରେ ଏହି ଧାରାବାହିକ ଏବେ ସମଧ୍ୱନିରେ ଆପଣ ପଢ଼ିବାକୁ ପାଇବେ । – ସମ୍ପାଦକ[/box]

Photo credit- https://bit.ly/2PASZGv

Share This Article
ଗବେଷକ, ଲେଖକ