Home / ସାହିତ୍ୟ ସଂସ୍କୃତି / ସାହିତ୍ୟ / କାଗଜ (ମୂଳ ଲେଖା – ଅଂଶୁମାନ କର)

କାଗଜ (ମୂଳ ଲେଖା – ଅଂଶୁମାନ କର)

Share Samadhwani

ମୋର ଖଣ୍ଡିଏ କାଗଜ ଦରକାର।
ଖଣ୍ଡିଏ ଅଲୌକିକ କାଗଜ।
ମୋର ଖଣ୍ଡିଏ ଧଳା-କଳା କାଗଜ ଅଛି।
ସେ କାଗଜଟିର ନାଆଁ ଭୋଟର୍ କାର୍ଡ।
କିନ୍ତୁ ସେଇ କାଗଜରେ ହବନି।
ମୋର ଖଣ୍ଡିଏ ଗେରୁଆ-ସାଦା-ସବୁଜ କାଗଜ ଅଛି।
ସେ କାଗଜର ନାଆଁ ଆଧାର କାର୍ଡ।
କିନ୍ତୁ ସେଇ କାଗଜରେ ବି ହବନି।
ମୋର ଖଣ୍ଡିଏ ହାଲୁକା ବାଇଗେଣୀ ରଂଗର କାଗଜ ଅଛି।
ସେଇ କାଗଜର ନାଆଁ ରେସନ୍ କାର୍ଡ।
ସେଇ କାଗଜରେ ମଧ୍ୟ ହବନି।
ମୋର ଖଣ୍ଡିଏ କାଗଜ ଦରକାର।
ଖଣ୍ଡିଏ ଅଲୌକିକ କାଗଜ।

ମୋ ବାବାଙ୍କ ନାଆଁ ଶେଖ୍ ସୁଲେମାନ୍
ବୟସ ଅଶି।
ମୁଁ ବାବାଙ୍କୁ କହିଲି,ବାବା,ମୋତେ କାଗଜ ଦିଅ।
ବାବା କହିଲେ,କାଗଜ ବନ୍ୟା ଭସାଇନେଇଛି
କାଗଜ ଝଡ ଉଡାଇନେଇ ଯାଇଛି
କାଗଜ ଅନାହାର ଖାଇ ଦେଇଛି
ମୋର କୌଣସି କାଗଜ ନାହିଁ
ମୋର ଏଇ ଶରୀରଟା ଏବେ ଖଣ୍ଡିଏ କାଗଜ।
ମୋର ହାତରେ ଆଉ ପାଦରେ ଲେଖା ହୋଇଛି ମୁଁ ଯାହା କରିଛି ଏତେକାଳ,
ସେଇ ଇତିହାସ
ମୋ ବୁକୁରେ ଏତେଦିନ ଗୋପନରେ ଲୁଚିଥିଲା
ଯେଉଁ କଥା ମାନ
ସେ କଥା ମାନ ଆଜି ଆଉ ଗୋପନ ନାହିଁ
ଲେଖା ହୋଇ ରହିଛି ମୋ କରୁଣ
ଆଖି ହଳକରେ।
ଏଇ ନେ,ମୋ ଶରୀର ମୁଁ ତୋତେ ଦେଉଛି
ତୁ ତାହାଙ୍କୁ କହ,ସେ ଏଇ କାଗଜ ଖଣ୍ଡିକୁ ପଢିନିଅନ୍ତୁ।
ମୁଁ ତାଙ୍କୁ କହିଲି,ମାନବୀୟ,ଇଏ ମୋ ବାବା,
ଆପଣ ଥରେ ପଢିନିଅନ୍ତୁ
ୟାଙ୍କର ଦୁଇ ହାତ-ପାଦରେ ଲେଖା ହୋଇ ରହିଛି ଏଇ ଦେଶ ଗଢା ର ଇତିହାସ
ପଢିବସିଲେ ଶୁଣି ପାଇବେ
କାରଖାନାର ସାଇରନ୍
ବ୍ୟାଟ୍ ର ଠିକ୍ ମଝିରେ ଲାଗିଥିବା ଡ୍ୟୁକ୍ ବଲ୍ ର ମଧୁର ଶବ୍ଦ
ସାହାନାଇର ସୁର ଆଉ ତବଲା ର ବୋଲ୍
ଆପଣ ପଢିନିଅନ୍ତୁ ତାଙ୍କର କରୁଣ ଆଖିରେ ଲେଖା କେତୋଟି ଅକ୍ଷର
“ମୁଁ ଚଟକଳର ଶ୍ରମିକ
ମୁଁ ପଞ୍ଚାଅଶୀର ବେନସନ୍ ହେଜେସ୍ ର ଆଜାରୁଦ୍ଦିନ
ମୁଁ ବିସମିଲ୍ଲା ଖାଁ,ଜାକୀର ହୁସେନ
ଧର୍ମରେ ମୁଁ ମୁସଲମାନ,କିନ୍ତୁ ତାହା ଆଗରୁ ମୁଁ ଜଣେ ଭାରତୀୟ”।

କାଗଜରେ ଲେଖା ନିର୍ବୋଧ ଅକ୍ଷର ପଢୁ ପଢୁ
ତାଙ୍କର ଆଖି ମଣିଷର ଶରୀର ପଢିବା
ଭୁଲି ଗଲାଣି
ସେ ବାବାଙ୍କ ହାତ-ପାଦ ପଢିପାରିଲେନି।
ବାବାଙ୍କ ଆଖିକୁ ପଢିପାରିଲେନି।

ମୁଁ ପୁଣି ଖଣ୍ଡିଏ ଅଲୌକିକ କାଗଜର ସନ୍ଧାନରେ ଆରମ୍ଭ କଲି ପୁଣି ଏକ ଦୌଡ।
ମୋର ଦରକାର ଖଣ୍ଡିଏ ଅଲୌକିକ କାଗଜ
ଯେଉଁ କାଗଜ ଖଣ୍ଡିକ ନମିଳିଲେ
ସାମନା ବରଷ ଦୁର୍ଗାପୂଜାରେ ମୁଁ
ବଜାଇ ପାରିବିନି ଢାକ୍
ଯେଉଁ କାଗଜ ଖଣ୍ଡିକ ନ ପାଇଲେ
ମାଟି ଚକଟି ମୁଁ ତିଆରି କରି ପାରିବିନି ଲକ୍ଷ୍ମୀମାଆର ସରା
ଯେଉଁ କାଗଜ ଖଣ୍ଡିକ ନ ପାଇଲେ
ହାତରେ ଧାରୁଆ ଅସ୍ତ୍ର ରହିଥିବା ଦୁଇ ପକ୍ଷର ଠିକ୍ ମଝିରେ ଠିଆ ହୋଇ,
ଉଚ୍ଚ ଗଳାରେ କହି ପାରିବିନି,କ’ଣ କରୁଛ ତମେ ମାନେ?
ଏଥର ଶାନ୍ତ ହୁଅ।

ମୋର ଖଣ୍ଡିଏ କାଗଜ ଦରକାର।
ଖଣ୍ଡିଏ ଅଲୌକିକ କାଗଜ ।
ମୁଁ ଛୁଟିଚାଲିଛି କାଶ୍ମୀର ରୁ କନ୍ୟାକୁମାରୀ
ଦେଖିଲି
କାଶ୍ମୀର ରେ ମଣିଷ କହିଲା,କାଗଜ ଦେବିନି।
ପଞ୍ଜାବ ରେ ମଣିଷ କହିଲା,କାଗଜ ଦେବିନି।
ଆସାମ ରେ ମଣିଷ କହିଲା,କାଗଜ ଦେବିନି।
ଉତ୍ତର ପ୍ରଦେଶରେ ମଣିଷ କହିଲା,
କାଗଜ ଦେବିନି।
ଏପରିକି ଦିଲ୍ଲୀରେ ବି ମଣିଷ କହିଲା,ନା,କାଗଜ ଦେବିନି।

ନା,ମାନନୀୟ
ମୁଁ ସେମାନଙ୍କ ଦଳରେ ନାହିଁ।
ଆପଣଙ୍କର କାଗଜ ଦରକାର ତ
ମୁଁ ଆପଣଙ୍କୁ କାଗଜ ଦେବି।
ଶେଖ୍ ସୁଲେମାନ୍ ର ପୁଅ ମୁଁ ଶେଖ୍ ସଦ୍ଦାମ୍
ମୋର କାମଧନ୍ଦା କହିଲେ କିଛି ନାହିଁ
ସାରାଟା ଦିନ କବିତା ନାମକ ଏକ ନୀଳକଣ୍ଠ ପକ୍ଷୀକୁ ଖୋଜି ଖୋଜି
ବଣପାହାଡ ଆଉ ମଣିଷ ମନର ଗଳିଉପଗଳି
ଘୁରି ବୁଲୁଛି ଖାଲି।
ମୁଁ ଆପଣଙ୍କୁ ଦେବି ଆମର
ବିଶ୍ୱାସରେ ତିଆରି ଖଣ୍ଡିଏ ସାଦା କାଗଜ
ଦେବି ଆମର ସ୍ୱପ୍ନରେ ତିଆରି
ଏକ ଝର କଲମ
ଭରି ରହିଥିବ ଯେଉଁଥିରେ ଆସ୍ଥାର କାଳି
ଏଇ ବିଶ୍ୱାସର ସାଦାପୃଷ୍ଠାରେ,
ସ୍ୱପ୍ନ ର ଝର କଲମରେ,ଆସ୍ଥାରଂଗର କାଳି
ଭର୍ତ୍ତି କରି
ଆପଣ ପ୍ଲିଜ୍ ନୂଆ କରି ଲେଖିଦିଅନ୍ତୁ
କବିତାଟିଏ
ଯାହାର ନାଆଁ ହେଉଛି ସନାତନ ଭାରତ।

°°°°°

ସୌଜନ୍ୟ :

Photo credit-https://bit.ly/32OhlCb

ଜ୍ୟୋତି ନନ୍ଦ ଫେସବୁକ ଟାଇମଲାଇନ

ଅନୁସୃଜନ- ଜ୍ୟୋତି ନନ୍ଦ


Share Samadhwani
Support Samadhwani

About ଜ୍ୟୋତି ନନ୍ଦ

Check Also

କଥା ସାହିତ୍ୟର କୁହୁକ ପୁରୁଷ ଗାବ୍ରିଏଲ୍ ଗାର୍ସିଆ ମାକ୍ୱେର୍ଜ୍‌

Share Samadhwaniଆପଣ ଲେଖାଲେଖି ଆରମ୍ଭ କଲେ କେମିତି- ପ୍ରଶ୍ନଟିର ଉତ୍ତର କ’ଣ ଏତେ ସହଜ ହୋଇପାରେ? ମାକ୍ୱେର୍ଜ୍ କିନ୍ତୁ ଖୁବ୍ …

One comment

  1. Aati Hrudayaswarsi