Home / ସାହିତ୍ୟ ସଂସ୍କୃତି / ଇତିହାସ / ମୁକ୍ତେଶ୍ୱର ମନ୍ଦିର

ମୁକ୍ତେଶ୍ୱର ମନ୍ଦିର

Share Samadhwani

ମୁକ୍ତେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱର ଠାରେ ଅବସ୍ଥିତ । ମଧ୍ୟଯୁଗ ପ୍ରାରମ୍ଭରୁ ଏହି ମନ୍ଦିରଟି କଳିଙ୍ଗ କଳା ସ୍ଥାପତ୍ୟର ରତ୍ନ ଭାବେ ପରିଗଣିତ ହୁଏ । ପଶ୍ଚିମ ମୁଖୀ ମୁକ୍ତେଶ୍ୱର ମନ୍ଦିରର ଦେଉଳ ଓ ଜଗମୋହନ ୦.୩୩ମିଟର ଏକ ଅନୁଚ୍ଚ ପୀଠ ବା ବେଦୀ ଉପରେ ନିର୍ମିତ ହୋଇଥିବାବେଳେ ଏହାର ଚତୁଃପାଶ୍ୱର୍ରେ ସଂକୀର୍ଣ୍ଣ ପ୍ରଦକ୍ଷିଣ ପଥ, ଏକ ଅନୁଚ୍ଚ ପ୍ରାଚୀର ଏବଂ ସମ୍ମୁଖରେ ଏକ ସୁନ୍ଦର ତୋରଣ ରହିଛି । ପୀଠ ଉପରେ ଭୂ-ନକ୍ସାରେ ବର୍ଗାକାର ଦେଉଳର ପ୍ରତ୍ୟେକ ବାହାର ପାଖ (କନିକାରୁ କନିକ) ପ୍ରାୟ ୪.୦୦ମିଟର ଓ ଭିତର ବା ଗର୍ଭଗୃହର ପ୍ରତ୍ୟେକ ପାଖ ପ୍ରାୟ ୨.୪୬ମିଟର । ପଞ୍ଚରଥ ଶୈଳୀ, ତ୍ରିଅଙ୍ଗ ବାଡ଼ କନିକ ପାଗରେ ଚାରିକର୍ମ ଓ ଅନ୍ୟ ପାଗଗୁଡ଼ିକରେ ପଞ୍ଚକର୍ମ ଦେଖାଯାଏ । ଜଂଘର ପ୍ରସସ୍ଥ ରାହା ପାଗର ଖୋପଗୁଡ଼ିକରୁ ପାଶ୍ୱର୍ଦେବତାଙ୍କ ମୂର୍ତ୍ତି ଓ ଅନ୍ୟ ପାଗମାନଙ୍କ ଖାକରାମୁଣ୍ଡି ଗୁଡ଼ିକରୁ ଆବରଣ ଦେବତାଙ୍କ ମୂର୍ତ୍ତିଗୁଡ଼ିକ ସ୍ଥାନାନ୍ତରିତ ହୋଇଥିବାବେଳେ ଏଗୁଡ଼ିକର ପାଶ୍ୱର୍ରେ ଥିବା ଉପସ୍ତମ୍ଭମାନଙ୍କରେ ବିଭିନ୍ନ ଭଙ୍ଗୀର ନାରୀ ଓ ପୁରୁଷ ପ୍ରତିମା ଭଗ୍ନାବସ୍ଥାରେ ଦେଖିବାକୁ ମିଳେ । ଏହାର ଅନ୍ତରା ପାଗମାନଙ୍କରେ ଗଜସିଂହ ଯୁକ୍ତ ନାଗ, ନାଗୀ ମୂର୍ତ୍ତିମାନ ସ୍ଥାନିତ ହୋଇଛି । ବାଡ଼ର ସର୍ବୋଚ୍ଚ ଭାଗ, ପ୍ରାଚୀନ, ଶୈଳୀ, ଗଭୀର ବରଣ୍ଡର ନିମ୍ନରେ ଓ ଉଦ୍ଧ୍ୱର୍ରେ ଖୁରା ସଦୃଶ ଧାର ଦେଖାଯାଏ । ବିଭିନ୍ନ କାରୁକଳା ଓ ମୂର୍ତ୍ତିକଳା ଯୁକ୍ତ ଏହି ବାଡ଼ର ଉଚ୍ଚତା, ପୀଠ ଉପରୁ ପ୍ରାୟ ୩.୩୦ମିଟର ।

ମୁକ୍ତେଶ୍ୱରଙ୍କ ଦେଉଳ ଗଣ୍ଡିର କାରୁକଳା ଉଚ୍ଚକୋଟୀର । ଏହା ପ୍ରସସ୍ଥ ରାହାପାଗଗୁଡ଼ିକରେ ଥିବା ପଦ୍ମ-ଭୋ ଗୁଡ଼ିକର ରଚନା ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବାବେଳେ ଅନୁରାହା, ଅନ୍ତରା ଓ କନିକ ପାଗ ବିଭିନ୍ନ ମଣ୍ଡନ କୃତି ଓ ମୂର୍ତ୍ତିକଳାରେ ପରିପୂର୍ଣ୍ଣ । ଏହି ଗଣ୍ଡିର ଉଚ୍ଚତା ପ୍ରାୟ ୪.୭୦ମିଟର । ଗଣ୍ଡି ଉପରେ ଉପଯୁକ୍ତ ଆକାରର ବେକି, ତ୍ରିପଟଧାର, ଅଁଳା, ଖପୁରି ଓ କଳସର ମୋଟ୍ ଉଚ୍ଚତା ପ୍ରାୟ ୧.୭୫ମିଟର । ଏହା ଉପର ଆୟୁଧ ବା ତ୍ରିଶୂଳର ଉଚ୍ଚତା ପ୍ରାୟ ୦.୫୦ ମିଟର ଅଟେ । ଏହିପରି ପୀଠ ସମେତ ଦେଉଳର ମୋଟ୍ ଉଚ୍ଚତା ପ୍ରାୟ ୧୦.୬୦ମିଟର ।

ଦେଉଳ ଠାରୁ ପ୍ରାୟ ୦.୪୪ମିଟର ବ୍ୟବଧାନ ସୃଷ୍ଟି କରୁଥିବା ଦୁଇ ପାଶ୍ୱର୍ର ସନ୍ଧିସ୍ଥଳ ପରେ ମନ୍ଦିରର ଜଗମୋହନ ରହିଛି । ଏହି କୋଠରୀଟି ପୂର୍ବବର୍ତ୍ତୀ ଆୟତ୍ତାକାର ଓ ପରବର୍ତ୍ତୀ ବର୍ଗାକାର ଜଗମୋହନର ଏକ ମଧ୍ୟବର୍ତ୍ତୀ ଆକାର । ଏହି କିଞ୍ଚିତ୍ ବର୍ଗାକାର ନିର୍ମାଣ ଭୂ-ନକ୍ସାରେ ବାହାର ପାଖ, ପ୍ରବେଶ ଦ୍ୱାରର ବର୍ଦ୍ଧିତ ଭାଗ ବା ଅଳସାବାଡ଼ ସହିତ ଲମ୍ବ ପ୍ରାୟ ୭.୮୫ମିଟର ଓ ପ୍ରସ୍ଥ  (କନିକରୁ କନିକ) ପ୍ରାୟ ୫.୯୫ମିଟର । ଏହି କୋଠରୀ ଭିତରପାଖ ଲମ୍ବ ପ୍ରାୟ ୪.୭୦ମିଟର ଓ ପ୍ରସ୍ଥ ପ୍ରାୟ ୩.୭୦ମିଟର ଅଟେ । ତ୍ରିରଥ ଶୈଳୀର ଏହାର ଦୁଇ ପାଶ୍ୱର୍ ବାଡ଼ର ରାହା ପାଗରେ ବାଙ୍କ ଜାଲି-ଗବାକ୍ଷର ଧାରରେ ବିଭିନ୍ନ ପ୍ରକାର ମଣ୍ଡନ କୃତି ଓ ମୂତ୍ତିକଳା ଦେଖାଯାଏ । ଗବାକ୍ଷ ଦୁଇ ପାଶ୍ୱର୍ ଜଂଘରେ ମଧ୍ୟ ଦେଉଳର ମଣ୍ଡନ କୃତି, ମୁଣ୍ଡି ଓ ମୂର୍ତ୍ତିକଳା ଭଳି କୃତିମାନ ରହିଛି । ବାଡ଼ର ଉଚ୍ଚତା ପୂର୍ବୋକ୍ତ ପୀଠ ଉପରୁ ପ୍ରାୟ ୨.୭୦ମିଟର । ଏହା ଉପରେ ଥିବା ପ୍ରାରମ୍ଭ ସମୟର ନହଚାଳିଆ ପୀଢ଼ ଛାତର ଉଚ୍ଚତା ପ୍ରାୟ ବାଡ଼ ସହିତ ସମାନ । ପୀଢ଼ ଉପରେ ରହିଥିବା କଳସର ଉଚ୍ଚତା ପ୍ରାୟ ୦.୫୫ମିଟର । ପୀଢ଼ ଛାତର ସମ୍ମୁଖ ଓ ଦୁଇ ପାଶ୍ୱର୍ରେ ଜ୍ୟାମିତିକ ଶୈଳୀର ମଣ୍ଡନ କୃତିର ବଜ୍ରମସ୍ତକ ଓ ସିଂହ ମୂର୍ତ୍ତିମାନ ଦେଖାଯାଏ । ଏହି ପ୍ରକାରେ ଜଗମୋହନର ମୋଟ୍ ଉଚ୍ଚତା ପ୍ରାୟ ୬.୩୦ମିଟର । ଏହି ମନ୍ଦିର ସହିତ ଥିବା ଅନ୍ୟ ଦୁଇଟି କଳାତ୍ମକ ନିର୍ମାଣ ହେଉଛି, ଏହାର ସମ୍ମୁଖରେ ଥିବା ତୋରଣ ଏବଂ ଜଗମୋହନ ଭିତର ଛାତତଳ ବା ସିଲିଂ ମନ୍ଦିର ସମ୍ମୁଖରେ ଥିବା କମନୀୟ ମଣ୍ଡନ କୃତି ଯୁକ୍ତ ତୋରଣଟି କଳିଙ୍ଗ ମନ୍ଦିର ସ୍ଥାପତ୍ୟର ଏକମାତ୍ର କୃତି କହିଲେ ଭୁଲ ହେବ ନାହିଁ । ଏକ ଅନୁଚ୍ଚ ବେଦୀ ଉପରେ ଦଣ୍ଡାୟମାନ ତୋରଣଟି ଦୁଇପାଶ୍ୱର୍ ଖମ୍ବର ମୂଳ ଭାଗ ଚତୁଷ୍କୋଣ ଓ ମଧ୍ୟଭାଗ ଷୋଡ଼ଶ କୋଣ । ମୂଳ ଭାଗର କୋଣଗୁଡ଼ିକରେ ଛୋଟ ଛୋଟ କ୍ରୀଡ଼ାରତ ଗଜସିଂହ ମୂର୍ତ୍ତିମାନ ସ୍ଥାନିତ ରହିଥିବାବେଳେ ଏହାର ପାଶ୍ୱର୍ରେ ଥିବା ଖାକରା ମୁଣ୍ଡି ଗୁଡ଼ିକରେ ବିଭିନ୍ନ ଭଙ୍ଗୀରେ କନ୍ୟା ମୂର୍ତ୍ତିମାନ ଦେଖିବାକୁ ମିଳେ । ଖମ୍ବର ଉଦ୍ଧ୍ୱର୍ରେ ଆଲମ୍ବ ମୁକ୍ତାମାଳା ଝୁଲୁଥିବା କୀର୍ତ୍ତି ମୁଖ ଉପରେ ଯଥାକ୍ରମେ ଅଁଳା ପଟି ଓ ବିସ୍ତାରିତ ଚକ୍ରକାର ନିର୍ମାଣରେ ପଦ୍ମପାଖୁଡ଼ାର ମଣ୍ଡନ କୃତି ରହିଛି । ତୋରଣ ଉପର, ଅର୍ଦ୍ଧ ଚକ୍ରାକାର ନିର୍ମାଣ ଉପର ଦୁଇ ପାଶ୍ୱର୍ରେ ଶୟନ ଭଙ୍ଗୀରେ ଥିବା ଅପସରାମାନଙ୍କ ମୂର୍ତ୍ତି ସୁନ୍ଦର ଦେଖାଯାଏ । ଏହା ସହିତ କୌତୁହଳ ଭଙ୍ଗୀରେ ମର୍କଟମାନଙ୍କ ପିତୁଳା ଓ ଅନ୍ୟାନ୍ୟ ମଣ୍ଡନ କୃତି ରହିଛି । ତୋରଣର ମଧ୍ୟଭାଗ ଓ ଦୁଇପାଶ୍ୱର୍ରେ ଥିବା ଚୈତ୍ୟପଦକ ମାନଙ୍କରେ ‘ଦେବ ମସ୍ତକ’ ରହିଥିବାବେଳେ ଏହା ସହିତ ବୀପରିତ ମୁଖ ହୋଇରହିଥିବା ମାତଙ୍ଗ-ମକର ଦ୍ୱୟ ତୋରଣର ପକ୍ଷ ସଦୃଶ ଦେଖାଯାଆନ୍ତି । ଅର୍ଦ୍ଧ ଗୋଲାକାର ତୋରଣର ପୃଷ୍ଠ ଭାଗରେ ପ୍ରସସ୍ଥ କୁଟୀଳ ନକ୍ସା ଦୁଇ ପାଶ୍ୱର୍ରେ ରଙ୍ଗଣୀ ଫୁଲପରି ଶୋଭାବର୍ଦ୍ଧନ କରୁଥିବା ସହ ଏହାର ଶିଖରରେ ଚମ୍ପକପତ୍ର ମଣ୍ଡନକୃତି ଓ ଏକ କଳସ ସ୍ଥାନିତ ହୋଇଛି । କମନୀୟ କାରୁକଳା ଓ ମୂର୍ତ୍ତିକଳା ଯୁକ୍ତ ଏହି ତୋରଣ ଖମ୍ବର ଚତୁଷ୍କୋଣ ମୂଳଭାଗ, ପ୍ରତ୍ୟେକ ପାଖର ଚଉଡ଼ା ୦.୭୫ମିଟର । ଷୋଡ଼ଶ କୋଣ ମଧ୍ୟଭାଗର ଗୋଲେଇ ୨.୩୦ମିଟର ଓ ପ୍ରତ୍ୟେକ ସ୍ତମ୍ଭର ଉଚ୍ଚତା ୨.୧୦ମିଟର । ଉପର ଅର୍ଦ୍ଧଗୋଲାକାର ତୋରଣ ଅଂଶ ପ୍ରାୟ ୨.୦୦ମିଟର ହୋଇଥିବାବେଳେ ପ୍ରବେଶ ପଥଟିର ପ୍ରସ୍ଥ ୧.୪୮ମିଟର ଓ ଉଚ୍ଚତା ପ୍ରାୟ ୨.୩୫ମିଟର ଅଟେ । ଏକ ଅନୁଚ୍ଚ ବେଦୀ ଉପରେ ଥିବା କୃତିଟିର ଉଚ୍ଚତା ୪.୪୦ମିଟର ଅଟେ ।

ଏହି ମନ୍ଦିର ଜଗମୋହନର ନହଚାଳିଆ ଛାତର ତଳଭାଗ ବା ସିଲିଂ ଏକ ଭିନ୍ନ ଶୈଳୀର ଅଟେ । ଏହି ଆୟତକାର କୋଠରୀର ସିଲିଂଟି ମଧ୍ୟ ଆୟତ୍ତକାର । ଜ୍ୟାମିତିକ ଶୈଳୀରେ ଗହିରିଆ ଏହି କ୍ଷେତ୍ରର ମଧ୍ୟ ଭାଗ ଏକ ବର୍ଗାକାର ରଚନା ରହିଛି ଏବଂ ଏହା ମଧ୍ୟରେ ରହିଛି ଏକ ଚକ୍ରାକାର ଅଷ୍ଟଦଳ ପଦ୍ମ । ଏହାର ଆଠଟି ପାଖୁଡ଼ାରେ ସ୍ଥାନିତ ହୋଇଛି ସପ୍ତମାତୃକା ଓ ବୀରଭଦ୍ର ଶିବଙ୍କ ଉପବିଷ୍ଟ ଭଙ୍ଗୀର ସୁନ୍ଦର ମୂର୍ତ୍ତି । ଅଷ୍ଟଦଳ ପଦ୍ମର କେଶର ଅର୍ଥାତ୍ ସିଲିଂର କେନ୍ଦ୍ରରେ ଏକଶତ ଦଳ ପଦ୍ମ ଉତ୍କୀର୍ଣ୍ଣ ହୋଇଛି । ବର୍ଗକ୍ଷେତ୍ରର ବାହାର ଦୁଇ ପାଶ୍ୱର୍ରୁ ଗୋଟିଏ ପାଶ୍ୱର୍ରେ ପରିଚାରକ ଓ ପରିଚାରିକାଙ୍କ ଗହଣରେ ରାଜ ଲୀଳାସନରେ ବସିଥିବା କାର୍ତ୍ତିକେୟଙ୍କ ମୂର୍ତ୍ତି ଓ ଅପର ପାଶ୍ୱର୍ରେ ନୃତ୍ୟ ଭଙ୍ଗୀରେ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ବର୍ଗକ୍ଷେତ୍ରର କୋଣମାନଙ୍କରେ ନାଗ-ନାଗୁଣୀଙ୍କର ଯୁଗଳ ପ୍ରତିମା ରହିଥିବାବେଳେ ଆୟତ୍ତ କ୍ଷେତ୍ରର କୋଣ ଗୁଡ଼ିକରେ ବିଭିନ୍ନ ଭଙ୍ଗୀରେ ନର୍ତ୍ତକୀ ଓ ବାଦକ-ବାଦିକାଙ୍କ ବର୍ଣ୍ଣନାତ୍ମକ ମୂର୍ତ୍ତିମାନ ସିଲିଂରେ ଶୋଭା ବର୍ଦ୍ଧନ କରୁଅଛି । ସଂପୂର୍ଣ୍ଣ ରଚନାର ଧାରଗୁଡ଼ିକ ବିଭିନ୍ନ ମଣ୍ଡନ କୃତିରେ ପରିପୂର୍ଣ୍ଣ । ଛାତ ତଳର ଏହି ପ୍ରକାର ଉଚ୍ଚକୋଟୀର କଳାତ୍ମକ ନିର୍ମାଣ କଳିଙ୍ଗ ମନ୍ଦିର ସ୍ଥାପତ୍ୟରେ ଅଦ୍ୱିତୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

Photo credit- https://bit.ly/3fC33ih


Share Samadhwani
Support Samadhwani

About ଶ୍ରୀ ଅଶୋକ କୁମାର ମହାନ୍ତି

ଚିତ୍ରକର, କଳା ଶିକ୍ଷକ, ଲେଖକ

Check Also

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Share SamadhwaniPhoto credit- Wikimedia Commons ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ …