ଏପ୍ରିଲ୍,ନିଷ୍ଠୁରତମ ମାସ,ଫଳବତୀ
ଲାଇଲାକ୍ ଏ ନିଷ୍ଫଳା ଜମିରେ,ଏକାକାର କରେ
ସ୍ମୃତି ଆଉ କାମର ବାସନା,ଜାଗି ଉଠେ ପ୍ରାଣ
ଶୁଖିଲା ଚେରରେ ଯେବେ
ପରଶ ଲାଗଇ ବସନ୍ତ ବର୍ଷାର।
ଆମେ ଥିଲୁ ଶୀତର ଉହ୍ମେଇ ଭିତରେ,ସାରା ଧରଣୀ
ଆଚ୍ଛାଦିତ ବିସ୍ମୃତିମୟ ତୁଷାରରେ ଯେତେବେଳେ,ଗଭୀର ଶୀତ ନିଦ୍ରାରେ
ମଜ୍ଜି ଥିବା ଅଂକୁରରେ ସଂଜୀବନୀ ସୁଧାର ସିଞ୍ଚନ।
ଷ୍ଟାନବର୍ଗାସି ବୋଲି ସରୋବର ନିକଟରେ ପହଂଚିଗଲେ ଆମ ଦେହରେ ଖେଳେ ଗ୍ରୀଷ୍ମର ଚମକ
ଆଉ ହଠାତ୍ ଅସରାଏ ବର୍ଷା
ଆମେ ଆଶ୍ରା ଖୋଜୁ କୌଣସି ଖମ୍ବ ତଳେ,
ତାହାପରେ ବାହାରିଗଲେ ସେଇଠୁ
ସୂର୍ଯ୍ୟାଲୋକରେ ଝଲମଲ ରାସ୍ତା,
ହଫଗାର୍ଟନ,କଫିପାନ,ଆଡ୍ଡା ଦିଆଯାଇପାରେ
ଦୁଇ ତିନି ଘଣ୍ଟା।
ମୁଁ ଋଷୀୟ ନୁହଁ,ମୁଁ ଲିଥୁନୀୟ ,ଖାଣ୍ଟି ଜର୍ମାନଜଣେ।
ପିଲାଦିନେ ରହୁଥିଲି ଆର୍କ-ଡିଉକ୍ ଙ୍କ ପ୍ରାସାଦରେ,ମୋ
ଦଦେଇପୁଅ ଭାଇ ସହ।ସେ ମୋତେ ବସେଇଦେଇଥିଲା ଏକ ସ୍ଲେଜ୍ ଗାଡିରେ,
ବସିଥିଲି ସିନା ଭୟରେ କିନ୍ତୁ ଥରଥର,
ସାହସ ଦେବାକୁ ଯାଇ କହିଥିଲା ସେ,
ମେରୀ,ଆରେ ଭୟ କ’ଣ,ଦୃଢ ହୋଇ ବସ୍।
ତାହାପରେ ଆମେ ଚାଲି ଆସିଥିଲୁ ଅନେକ ଦୂର ସେଠାରୁ।
ସେହି ଦିଗନ୍ତ ପାର ପାହାଡ ଭିତରକୁ,ଯେଉଁଠି
ନିଜକୁ ମନେହେବ ଏକ ମୁକ୍ତ ବିହଙ୍ଗ।
ବହି ପଢି ମୁଁ ଶୀତ କାଟେ ଏମିତିରେ,ଶୀତରେ ହିଁ ଯାତ୍ରାମୋର ଏକ ଦକ୍ଷିଣ ଦେଶକୁ।
ଏ କେଉଁ ବୃକ୍ଷମୂଳ ଭିଡି ଧରିବାର
ଅସହ୍ୟ ଆବେଗ ଅଛି ତା’ର ଖାଲି, ନାହିଁ ପୃଥ୍ୱୀ ଖଣ୍ଡେ,
ଏଇ ବଂଧ୍ୟା ଜଗତରୁ କେଉଁ ଆଉ ଉପୁଜିବ
ଶାଖା ଓ ପ୍ରଶାଖା ? ମାନବପୁତ୍ର,
ତମର ଯେ କଣ୍ଠରୁଦ୍ଧ,ତମର ଧାରଣାତୀତ ସବୁ,କାରଣ ତମର ଅନୁଭବରେ ଅଛି ଖାଲି ଅପାର
ଦୃଶ୍ୟାବଳୀର ସ୍ତୁପ,ସେଠାରେ ସୂର୍ଯ୍ୟ ଭାରି ଦୁଃସାହସୀ
ଶୁଖିଲା ଗଛ ଦିଏନାହିଁ ଛାଇର ଆଶ୍ରୟ,ସ୍ୱସ୍ତି ଦିଅନ୍ତି ନାହିଁ ଝିଂକାରୀ ମାନେ,
କିମ୍ବା କଠିନ ଶିଳାରେ ଶୁଭେନାହିଁ ଶବ୍ଦ ଜଳପ୍ରପାତର।
କେବଳ ଏହି ଲୋହିତ ଶିଳାଖଣ୍ଡ ର ତଳେ
ଛାୟାଚ୍ଛନ୍ନ ଆଶ୍ରୟ ମିଳିବ,
(ସ୍ୱାଗତମ ଏହି ଲୋହିତ ଶିଳାଖଣ୍ଡର ନିବିଡ ଆଶ୍ରୟ )
ମୁଁ ଦେଖାଇବାକୁ ଚାହେଁ କିଛି ବ୍ୟତିକ୍ରମ,
ଦେଖିବ ହୁଏତ ତମେ
ସକାଳରେ ତମ ଛାଇ ତମ ପଛେପଛେ
କିମ୍ବା ଦିବାଅବସାନେ ସେଇ ପ୍ରଛାୟା ଉଠି ଆସି
ଅଭିବାଦନ କରୁଥିବ ତମକୁ ସାକ୍ଷାତ୍;
ଦେଖାଇବି ତମକୁ ମୁଠାଏ ଧୁଳିରେ
ଜମିରହିଅଛି ସେ ଯେଉଁ ଆତଙ୍କସମୂହ।
ସଦା ବହମାନ
ମାତୃଭୂମୀର ସୁବତାସ,
କେଉଁ ଦେଶେ ଚାଲିଗଲ ତମେ
ହେ ମୋର ଆଇରିଶ୍ ଆତ୍ମଜ ?
“ବର୍ଷେ ତଳର କଥା ବର୍ଷର ପ୍ରଥମଦିନ
ଦେଇଥିଲ ହାଇସିନ୍ଥ ଫୁଲ ମୋତେ ତମେ,
ତାହାପରଠାରୁ ନାଆଁ ମୋର ହାଇସିନ୍ଥ କନ୍ୟା ।”
ତଥାପି ଅନେକ ପରେ ଆମେ ଯେତେବେଳେ
ଫେରିଆସୁ ହାଇସିନ୍ଥ ଫୁଲବଗିଚାରୁ,
ତମର ଆଞ୍ଜୁଳି ଭରିଥିବା ଫୁଲ,ଓଦା କେଶ,ମୁଁ
ବାକହୀନ,ପ୍ରାୟ ଦୃଷ୍ଟିହୀନ,ନା ଜୀବିତ,
ମୃତ ନୁହଁ,ଏବଂ ସଂପୂର୍ଣ୍ଣ ବୋଧଶକ୍ତିହୀନ
ଅବଶ,
ଅନ୍ତରତଳ ଗଭୀର ଆଲୋକରେ ଅନେକ ଖୋଜିଛି
ମୁହିଁ,କିନ୍ତୁ ନିଃଶବ୍ଦ ରହିଥିଲା ସବୁ।
ସମାନ ସାଗର ତଳର ଯେଉଁ ନୈଃଶବ୍ଦ
ଅତଳ-ଗଭୀର।
ମାଡାମ୍ ସସଷ୍ଟ୍ରିସ୍ ,ସୁବିଦିତ ଆଲୋକଦ୍ରଷ୍ଟା,
ସର୍ଦ୍ଦି ନିଦାରୁଣ ଅବସ୍ଥାରେ କାହିଲ୍ ସେ,ତଥାପି
ଇଉରୋପ ସାରା ଏମିତି ବୁଦ୍ଧିମତୀ ମହିଳା
ନାହିଁ ଆଉ ଜଣେ କିଏ,ଧରିଛନ୍ତି ହାତରେ
ଗୋଟିଏ ପାକେଟ୍ ତାସ୍।ଏଇ ମୁଠାକ,କହୁଥିଲେ ସେ,
ତମର ଭାଗ୍ୟ ଗଣନାର ତାସ୍,ବୁଡି ମରିଛି
ନାବିକ ଫାନସିଓ,
(ଆଖି ମାନ ଦେଖ କେମିତି ପାଲଟି ଯାଇଛି ମୁକ୍ତା ତାହାର,ଦେଖ ଦେଖ)
ଏଇଠେ ବସିଛି ସୁଦର୍ଶନା ବେଲାଡୋନା,
ସେ ନିଷ୍ଠୁର ରମଣୀ,
ସବୁଋତୁରେ ଯିଏ ଅବିକଳ ଏକାପରି ଦିଶେ।
ଏଇଠି ତ ସବୁ ଭଂଗାରୁଜିଯାଇଥିବା
ହତଭାଗା ପୁରୁଷ ସମସ୍ତେ,
ଆଉ ସେଇଠି ଦୈବଚକ୍ର,
ଆଉ ଠିକ୍ ଏଇଠେ ଆଖି ରଖିଛି କାରବାରୀ
ଜଣକ,ଆଉ ଏଇ ଏଇ ତାସ ମୁଠାକ,
ଯେଉଁଥିରେ ଭାଗ୍ୟ ଲେଖା ନାହିଁ,
ନିଜ ଦେହେ ଶରୀର ଗୋଟିଏ ବୋହି
ଘୁରିବୁଲୁଥାଏ ତାହାର ସେ ଅଜଣା କପାଳ,
ମୋହର ତ ସେସବୁ ଦେଖିବା ମନା।ଖୋଜି ଖୋଜି ପାଏ ନାହିଁ ସେଇ ଲୋକଟାକୁ ଯିଏ ଅବିକା
ଫାଶି ଦେଇ ମରିଗଲା।ସଲିଳ ସମାଧିର ଶଙ୍କା
ତାଗିଦା କରୁଛି।
ମଣିଷର ଭୀଡ ଦେଖେ,ସମସ୍ତଙ୍କ ବୃତ୍ତାକାର ଗତି
ବୃତ୍ତର ଭିତରେ ।
ଧନ୍ୟବାଦ।ପ୍ରିୟ ମିସ୍ ଏକୁଇଟନ୍ ସହ
ଦେଖା ହେଲେ କହିବେ
ମୁଁ ତ ନିଜେ ମୋ ଜନ୍ମକୁଣ୍ଡଳୀକୁ ସାଙ୍ଗରେ ନେଇ ଘୁରିବୁଲେ ଚାରିଆଡେ,
ଆଜିକାଲି ତ ସମସ୍ତେ ସତର୍କ ହୋଇ ବାଟରେ ଚାଲିବା ଉଚିତ।
ଅଳୀକ ସହର,
ଶୀତଭୋର୍ ଧୂସର କୁହୁଡି ଛାଇଯାଏ ଏ ସହର,
ଲଣ୍ଡନ ବ୍ରିଜ ଉପରେ କଳକଳ ଜନସ୍ରୋତ,ଅଗଣତି,
ଭାବୁନାହିଁ କେତେବେଳେ ମୃତ୍ୟୁ ଆସି ଏତେ ମଣିଷକୁ
ଏଇଠୁ ଛଡାଇ ନେବ।
ଦୀର୍ଘଶ୍ୱାସ,ଅଚାନକ ବିରଳ,ପଡିଛି ଚାରିଆଡେ,ଆଉ
ପ୍ରତିଟି ମଣିଷ ନିରେଖି ଦେଖୁଛି ନିଜ ନିଜ
ପାଦତଳ।
ପାହାଡ ପାରହୋଇ,କିଙ୍ଗ୍ ଉଇଲିୟମ୍ ରାସ୍ତା ପାର ହୋଇ,
ସେଣ୍ଟ ମେରୀଙ୍କ ସେଇ ମଂଦିର ଯେଉଁଠି ସମୟ ଗଣା ହୁଏ
ସେଇଠି ନଅଟା ବାଜିବାର ନିଷ୍ପ୍ରାଣ ଘଣ୍ଟାର ଚୂଡାନ୍ତ ଶବ୍ଦ,
ଠିକ୍ ସେଇଠି ଦେଖା ମୋର ଜଣେ ଚିହ୍ନାଲୋକ ସହ,
ମୁଁ ବଡପାଟିରେ ଡାକେ,
“ଷ୍ଟେଟସନ୍,
ତୁମେ ନା ସିଏ ଯିଏ ମୋ ସହ ମାଇଲାଇରେ
ଜାହାଜରେ ଥିଲ ?
ବର୍ଷେ ତଳର କଥା ହେବ ସେଇ ଯେଉଁ ଶବଦେହ
ବୁଣିଥିଲ ତମେ ତମ ବଗିଚାରେ
ସେଥିରୁ କି କ’ଣ କିଛି ଗଜୁରି ଉଠିଛି ?ଏ ବର୍ଷ
କ’ଣ କିଛି ଫଳିବ ?
ନା, କ’ଣ ଏଇ ହଠାତ୍ ହିମପାତ ଉଜାଡି ଦେଇଛି ତମର ପୂରା ଫୁଲର କିଆରୀ?
ସାବଧାନ ରେ ଥିବ,କୁକୁରକୁ ପାଖକୁ ଘଷି ହେବାକୁ ଦେବନି ଯେମିତି,ମଣିଷର ବଡ ବଂଧୁ ସେ,ତଥାପି
ନଖରେ ଖୋଳିଖୋଳି ବାହାର କରିଦେଇପାରେ ସେ
ସେହି ଶବଦେହ !
ତମେ ! କପଟ ପାଠକ ! ମୋର ସହଜୀବୀ
ମୋର ସହୋଦର !’
°°°°°
ଟମାସ୍ ଷ୍ଟର୍ଣ୍ଣ ଏଲିଅଟ୍ ବା ଆମର ବେଶ୍ ପରିଚିତ ଟି ଏସ୍ ଏଲିଅଟ୍(୧୮୮୮-୧୯୬୫) ବିଶ୍ୱର କାବ୍ୟସାହିତ୍ୟ ର ଅନ୍ୟତମ ପ୍ରଧାନ ପୁରୁଷ।ଏହି ଇଂରେଜ କବିଙ୍କର ପ୍ରମୁଖ କୃତି ହେଉଛି ବୋଲି କିଛି ଦୀର୍ଘ କବିତାର ସମାହାରରେ ରଚିତ ଏକ କାବ୍ୟ ପୁସ୍ତକ।ଏହା ୧୯୨୨ ମସିହାରେ ରଚିତ ହୋଇଥିଲା।ପାଞ୍ଚଭାଗରେ ବିଭକ୍ତ ୱେଷ୍ଟଲାଣ୍ଡର ଦୀର୍ଘ ଧାରାବାହିକ କବିତା ଗୁଡିକ ଯଥାକ୍ରମେ ହେଉଛି,ଦି ବ୍ୟୁରିଆଲ୍ ଅଫ୍ ଦି ଡେଡ୍,ଏ ଗେମ୍ ଅଫ୍ ଚେସ୍,ଦି ଫାୟାର୍ ସରମନ୍,ଡେଥ୍ ବାଇ ୱାଟର୍,ଏବଂ ହ୍ୱାଟ୍ ଦି ଥଣ୍ଡର ସେଡ୍।
ଏପ୍ରିଲ୍ ଇଜ୍ ଦି କ୍ରୁଏଲେଷ୍ଟ ମଂଥ ବୋଲି ୱେଷ୍ଟଲାଣ୍ଡର ଆଦ୍ୟ ଧାଡିଟି ସହ ଆମେ ସମସ୍ତେ ବେଶ୍ ପରିଚିତ।
ଆଜିର ଅନୁସୃଜନରେ ସେହି ଧାଡିଟି ସହ ୱେଷ୍ଟଲାଣ୍ଡର ଆଦ୍ୟଭାଗ, ଦି ବ୍ୟୁରିଆଲ୍ ଅଫ୍ ଦି ଡେଡ୍ ର ଅନୁସୃଜନ, ଏଇଠି।
ଏଲିଅଟ୍ ଙ୍କ କବିତାର ଅନୁସୃଜନ ହେଉଛି ଖଣ୍ଡାଧାରରେ ଚାଲିବା ଭଳି ତଥା ସ୍ୱୟଂ ଖୁଦାଙ୍କ ଉପରେ ଖୁଦାଗିରି କରିବା ଭଳି କଥା।ଆଉ ମଣିଷହିଁ ନିଜର ନିର୍ବୋଧ ପଣରେ ଖୁଦା ଉପରେ ଖୁଦାଗିରି କରିଥାଏ।
ବିଂଶ ଶତାବ୍ଦୀର ସାହିତ୍ୟ ଜଗତକୁ ଯଦି ଜଣେ କେହି ସାହିତ୍ୟରଥି ବିଶ୍ୱଯୁଦ୍ଧ ର ମଧ୍ୟବର୍ତ୍ତୀ କାଳୀନ ଜଟିଳ ସମୟରେ ପ୍ରଭାବିତ କରି ପାରିଥିଲା ସେ ହେଉଛନ୍ତି ଏଲିଅଟ୍ । ଅବଶ୍ୟ ଏହି ସମୟର ଶ୍ରେଷ୍ଠ ପ୍ରଭାବୀ ସାହିତ୍ୟରଥି ହିସାବରେ ଏଲିଅଟ୍ ଙ୍କ ସହ ” ୟୁଲିସେସ୍ ” ର କାଳଜୟୀ ଲେଖକ ଜେମସ୍ ଜୟେସ୍ ଙ୍କୁ ବି ଗ୍ରହଣ କରାଯାଇପାରିବ ।
ଏଲିଅଟ୍ ତାଙ୍କର କବିତାରେ ବିଶେଷତଃ “ୱେଷ୍ଟଲାଣ୍ଡ” ରେ ତାଙ୍କ ସମୟର ଆତ୍ମା କୁ ଉନ୍ମୋଚନ କରିବା ସହିତ ନୈତିକ ଏବଂ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଅନ୍ୱେଷଣ କରିଛନ୍ତି । ଏହା ବ୍ୟତିତ ସେ ଏମିତି ଏକ ନୂତନ ଐତିହ୍ୟ ର ଆବଶ୍ୟକତା ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି ଯାହା ବିଶ୍ୱଯୁଦ୍ଧ ପରବର୍ତ୍ତି କାଳରେ ସୃଷ୍ଟି ହୋଇଥିବା ଆମର ସାଂସ୍କୃତିକ ନିଷ୍ଫଳତାକୁ ପରିପୂରଣ କରିବାକୁ ସମର୍ଥ ହେବ। ସେ ବସ୍ତୁତଃ ସେହି ନୂତନ ଐତିହ୍ୟର ସଂରଚନା କରିବାକୁ ଯାଇ କବିତା ଲେଖିଛନ୍ତି ,ଏମିତି ଏକ ପରିପ୍ରେକ୍ଷ୍ୟରେ ଯେ, ଯେଉଁଠି ଆମର ସମକାଳକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଆମ ପାଖରେ ରହୁନାହିଁ ଆଉ ଯେଉଁଠି ସମକାଳ ର ଆଧୁନିକତା ଆମ ର ଅନୁଭବରେ ନିରନ୍ତର ଜଟିଳତା ଏବଂ ବିରୋଧାଭାଷ ଉପସ୍ଥାପନ କରୁଛି ।
ଆମର ଅବସ୍ଥାନ,ଏରିଖ୍ ଫ୍ରମ୍ ଙ୍କ ଭାଷାରେ କହିଲେ,”ଏସକେପ୍ ଫ୍ରମ୍ ଫ୍ରିଡମ୍”, ଜୋସେଫ୍ ହେଲର୍ ଙ୍କ ଭାଷାରେ କହିଲେ,”କ୍ୟାଚ୍-୨୨”।
ସେଇଥିପାଇଁ ୱେଷ୍ଟଲାଣ୍ଡ ଆମର ଏତେ ପ୍ରିୟ , ଶହେ ବର୍ଷ ପରେ ବି ଏହା ଆମର ମାନସ ପଟଳରେ ସତେଜ ।
ଏଲିଅଟ୍ ଙ୍କର ଜଣେ ସମସାମୟିକ କବି ଉଇଲିଅମ କାର୍ଲୋସ୍ ଉଇଲିଅମ ୱେଷ୍ଟଲାଣ୍ଡର ପ୍ରକାଶନ ପରେ ଅଭିମତ ପ୍ରଦାନ କରି କହିଥିଲେ, ଏହା ହେଉଛି ପଦ୍ୟର ପରମାଣୁ ବୋମା ।
୧୯୧୫ ରେ ଏଲିଅଟ୍ ଭିଭିଏନ ହାଇ-ଉଡ୍ ଙ୍କୁ ବିବାହ କରନ୍ତି । ଭିଭିଏନ୍ ମାନସିକ ଅସୁସ୍ଥତା ଭୋଗୁଥିଲେ ଆଉ ସେହି କାରଣରୁ ଏଲିଅଟ୍ ଙ୍କର ୧୭ ବର୍ଷର ବୈବାହିକ ଜୀବନ ଉଭୟ ଶାରିରୀକ ଆଉ ମାନସିକ ଭାବରେ କ୍ଷତାକ୍ତ ରହିଥିଲା । ଏଲିଅଟ୍ ନିଜର ଭରଣ ପୋଷଣ ପାଇଁ ଗୋଟିଏ ଗ୍ରାମାର୍ ସ୍କୁଲ୍ ରେ ଶିକ୍ଷାଦାନ କରୁଥିଲେ,ସମାଲୋଚନା ଆଉ ପୁସ୍ତକ ଆଲୋଚନା ଲେଖୁଥିଲେ ଏବଂ ଲୟେଡ୍ ବ୍ୟାଙ୍କରେ ଆଠ ବର୍ଷ କର୍ମରତ ରହିଥିଲେ । ଏଲିଅଟ୍ ବନ୍ଧୁମାନେ ବିଶେଷତଃ ଏଜରା ପାଉଣ୍ଡ ଯେତେବେଳେ ତାଙ୍କୁ ଏହିଭଳି ବ୍ୟାଙ୍କ ର ଚାକିରୀରୁ ମୁକ୍ତ କରି ସ୍ୱାଧୀନ ଭାବରେ ଲେଖା ଲେଖି କରିବା ପାଇଁ କିଛି ପାଣ୍ଠିର ଯୋଗାଡ କରିଥିଲେ,ଏଲିଅଟ୍ ତାହାକୁ ବିରୋଧ କରିଥିଲେ । ଏଲିଅଟ୍ ବ୍ୟାଙ୍କ କାମକୁ ଛାଡିବାକୁ ଚାହୁଁ ନଥିଲେ । ବ୍ୟାଙ୍କ କାମ କରିବା ଦ୍ୱାରା ନିଜ ପାଇଁ ଗୋଟିଏ ନିୟମିତ ରୁଟିନ୍ ବା ଶୃଙ୍ଖଳା ରହିଥିବା କଥାରେ ତାଙ୍କର ଆଗ୍ରହ ରହିଥିଲା । ନିଜର କ୍ଷତାକ୍ତ ଦାମ୍ପତ୍ୟ ଜୀବନ ର ପରିପ୍ରେକ୍ଷୀରେ ସୃଜନଶୀଳ କବିକର୍ମ ପାଇଁ ସେ ଗୋଟିଏ ନିର୍ଦ୍ଦିଷ୍ଟ ଶୃଙ୍ଖଳା ବା ରୁଟିନ୍ ର ଆବଶ୍ୟକତା ଅନୁଭବ କରୁଥିଲେ।
ଏଲିଅଟ୍ ସବୁବେଳେ ସଂଶୟ ପ୍ରବଣ ଏବଂ ଅନ୍ତର୍ମୁଖୀ ।
୧୯୨୧ ମସିହାରେ ସେ ଅବସାଦଗ୍ରସ୍ତ ହୋଇ ମାନସିକ ଭାବରେ ଅସୁସ୍ଥ ହୋଇ ପଡନ୍ତି । ସୁଇଜରଲାଣ୍ଡର ଲଉଜେନ୍ ନାମକ ସ୍ଥାନରେ ତାଙ୍କର ଚିକିତ୍ସା ହୁଏ ।
ତାହା ପରେ ପରେ ୧୯୨୨ରେ ପ୍ରକାଶିତ ହୁଏ ତାଙ୍କର ସର୍ବଆଦୃତ କବିତା “ୱେଷ୍ଟଲାଣ୍ଡ “।
କବିଙ୍କ ଜୀବନର ଏହି ସଂକ୍ଷିପ୍ତ ଉଲ୍ଲେଖ ଏବଂ କବିଦୃଷ୍ଟିରେ ତଥା ନୂତନ ଐତିହ୍ୟର ସଂରଚନା କରିବା ଉଦ୍ଦେଶ୍ୟରେ ରଚିତ ଏକ ବ୍ୟକ୍ତିପରକ ଉତ୍କର୍ଷ ,ଏହାର ଆଧାରରେ ଆମେ “ୱେଷ୍ଟଲାଣ୍ଡ” କୁ ତାହାର ଶତ ବର୍ଷ ପରେ କାହିଁକି ସତେଜ ଦେଖୁ,ସେଇକଥାକୁ କିଛି ପରିମାଣରେ ହୁଏତ ବୁଝି ପାରିବା
Photo Credit- https://bit.ly/3z7js5d