ଗଁଡ଼ା ଜାତିର ପରିଚୟ ଗଁଡ଼ାବଜା

ଡକ୍ଟର ଗୋପୀନାଥ ବାଗ
ଡକ୍ଟର ଗୋପୀନାଥ ବାଗ 360 Views
10 Min Read

ମୁଁ ଗଁଡ଼ା ବଜା ବଜାଉଥିବା ଲୋକର କଥା ଗଁଡ଼ା ବଜାର କଥା କହିବି । ସବୁ ଜାତିର ଗୋଟିଏ ସ୍ୱତନ୍ତ୍ର ପରିଚୟ ଥାଏ । ଗୌଡ଼ ଜାତିର ଯେମିତି ଗୋଟିଏ ପରିଚୟ ଅଛି, ଚର୍ମକାର ଜାତିର ବି ଗୋଟିଏ ପରିଚୟ ଅଛି ଠିକ ସେମିତି ଶୁଣ୍ଢି ଜାତିର ତେଲି ଜାତିର, ମାଳି ଜାତିର ଗୋଟିଏ ଗୋଟିଏ ପରିଚୟ ଅଛି ସେମାନଙ୍କର ବୃତ୍ତିକୁ ନେଇ । ସେଇ ଦୃଷ୍ଟିରୁ ଯଦି ଦେଖାଯିବ ଗଣା ଜାତିକୁ, ଗଣା ଜାତିର ପରିଚୟ ଯେଉଁଟା ଭାଇ ରାଜୀବ କରୁଥିଲେ ଗୋଟିଏ ମୌଳିକ ଅସ୍ମିତାର କଥା, ଗୋଟିଏ ଶେଷହୀନ ସଂସ୍କୃତିର କଥା । ସେ କଥା ମୁଁ କହିବି ଯେ, ଏଇଜାତି କେମିତି ହିସାବରେ ଖାଲି ଗଣାମାନଙ୍କୁ ନୁହେଁ, ବରଂ ତାଙ୍କ ପରିପାଶ୍ୱର୍ରେ ଥିବା ସବୁ ଜାତିକୁ କେମିତି ଅଙ୍ଗୀକାର କରି ନେଇଛି ନିଜ ଭିତରେ, କେମିତି ଅନ୍ୟମାନଙ୍କୁ ସାମିଲ କରି ନେଇଛି ନିଜ ଭିତରେ । କେମିତି ସେମାନଙ୍କ ଗୁଣଗାନ କରୁଛି, ଯଶଗାନ କରୁଛି । ହୃଦୟରେ ସେମାନଙ୍କୁ ଆଲିଙ୍ଗନ କରି ରଖିଛି । ଆମେ ଯଦି ଦେଖିବା ମହୁରୀ, ମହୁରୀର ଚିତ୍ରକୁ ଯଦି ଦେଖାଯାଏ, ଏହା ମଦ ତିଆରି କରାଯାଉଥିବା କାହାଳିର କଥାକୁ ବି ବୁଝାଏ । ଯେଉଁମାନେ ମଦ ତିଆରି ବିଷୟରେ ଜାଣନ୍ତି, ପିଲାମାନେ ଜାଣି ନ ଥିବେ କିନ୍ତୁ ବୟସ୍କମାନେ ନିଶ୍ଚିତ ଭାବରେ ଜାଣିଥିବେ । ମଦ ଯେମିତି ହିସାବରେ ରନ୍ଧାଯାଏ । ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ଲୋକ ମଦ ରାନ୍ଧୁଥିଲେ ଆମର ଏଇ ଭୂଖଣ୍ଡରେ । ସେମିତି ତେଲ ପେଡ଼ିବା ପାଇଁ ଯେଉଁ ଘଣା ଅଛି ସେ ଘଣାର ଗଠନ କେମିତି, ଢୋଲ ପରି । ଅତଏବ୍ ତେଲିକୁ ବି ଶ୍ରଦ୍ଧାକରେ ଏ ଡମ ଜାତି । ଆମେ ଦେଖିବା ମାଳିକୁ । ମାଳି ଯେଉଁ ହିସାବରେ ଫୁଲର ପସରା କରେ ଗଣାର ତାସା ସେଇ କଥା କୁହେ ।

Support Samadhwani

ତେଣୁ ମୋଟା ମୋଟି ଭାବେ କହିବାକୁ ଗଲେ କଉ ଜାତିପ୍ରତି ଘୃଣା ରଖେ ନାହିଁ ଡମ ଜାତି । ଡମ ଜାତି ବୋଲି ଏଇଥିପାଇଁ କହୁଛି ଗଣାଜାତିକୁ ଗଣାଜାତିର ଅନ୍ୟନାମ ଡମ । ଏଇ ଗଣାଜାତିକୁ ଦୁଇ ପ୍ରକାର ନାଁ ଦିଆ ହୋଇଛି ତା ପଛରେ ସାଂସ୍କୃତିକ ରାଜନୀତି, ସାଂସ୍କୃତିକ ଷଡଯନ୍ତ୍ର ରହିଛି । ଯେଉଁ ଜାତି ଏତେ ଗୁଡ଼ିଏ ଜାତିକୁ ଏକ କରି ରଖୁଛି । ପ୍ରଥମରେ ମାଡ଼ ପଡ଼ିବ ସେଇ ଜାତି ଉପରେ କାରଣ ସେ ଯଦି ଛିନ୍ନଛିତ୍ର ହୋଇଗଲା ତାହାଲେ ସମସ୍ତଙ୍କୁ ଏକାଠି ନେଇ ରଖିହେବ ନାହିଁ । ଅତଏବ ଯଦି ଭାଙ୍ଗିବାର ଅଛି ଗୋଟିଏ ଗୋଷ୍ଠୀକୁ ବନ୍ଧା ଯାଇଥିବା ଦୌଡ଼ିକୁ କାଟି ଦିଆଯାଉ । କାଠିବିଡ଼ାକୁ ବାନ୍ଧି ରଖିଥାଏ ଗୋଟିଏ ସୂତା-ସୂତ୍ର । ସେଇ କାଠିବିଡ଼ାକୁ ଯଦି ଛିନ୍ନଛତ୍ର କରିବାର ଅଛି, କାଠି ବିଡ଼ାକୁ ଭାଙ୍ଗିଲେ ତ ଭାଙ୍ଗିପାରିବ ନାହିଁ ତେଣୁ ଲୋକ କ’ଣ କରେ କାଠି ବିଡ଼ା ଉପରେ କତୁରି ଚଳାଏନାହିଁ, କତୁରି ଚଲାଏ ସୂତା ଉପରେ ଯିଏ ବାନ୍ଧିକି ରଖିଛି । ତେଣୁ ଏ ପ୍ରକାରର ଶିକାର ହୋଇଯାଇଛି ଗଣାଜାତି ।

ଗଣାଜାତିର ଏଇ ବାଦ୍ୟ ଯଦି ଏତେ ସମୃଦ୍ଧ, ବାଦ୍ୟର ବ୍ୟାକରଣ ଯଦି ଏତେ ଗୁରୁତ୍ୱପୂର୍ଣ୍ଣ କେମିତି ଏହା ସମ୍ଭବ ହୋଇପାରିଲା? କେମିତି ସେ ଜାଣି ପାରିଲା କେଉଁ ଜୀବର ଚମଡ଼ାକୁ କେଉଁ ହିସାବରେ ମାଂସଠାରୁ ଛଡ଼ାଇ ନିଆଯିବ, କେତେ ଦିନ କେମିତି ପାଣିରେ ବତୁରା ଯିବ, କ’ଣ ଲଗାଇଲେ ଚମଡ଼ାର ମାଂସ ସବୁ ଭିନ୍ନ ଭିନ୍ନ ହେବ, କ’ଣ ଲଗାଇଲେ ରୁମ ସବୁ ଉପୁଡ଼ିଯିବ, କ’ଣ ଲଗାଇଲେ କଳା ହେବ ନାହିଁ, କେଉଁ ପ୍ରକାରର ବିଜ୍ଞାନ ବ୍ୟବହାର କଲେ ଚମଡ଼ା ଟାଣିହୋଇ ରହିବ, ଲୋଚାକଚା ହେବ ନାହିଁ । ଏତିକି କଥା କିଏ ଜାଣିପାରେ । ସିଏ ଜାଣିପାରେ ଯାହାର ଭେଜା ଥାଏ । ଯିଏ ବିଜ୍ଞାନୀ ହୋଇଥାଏ । ତେଣୁ ଗଣାଜାତି ବିଜ୍ଞାନୀ ଥିଲା । ସେ ଜାଣିପାରୁଥିଲା ଯେ, ଢୋଲର ବାଁ ଆଡ଼େ କଉ ଚମଡ଼ା ଲାଗିବ ଡାହାଣ ଆଡ଼େ କଉ ଚମଡ଼ା ଲାଗିବ । ଜଣକର ପ୍ରବେଶ ସେତିକି ଯଦି ନ ଥିବ ତାହା ସେ କରିପାରିବ ନାହିଁ । ଆମେ ଯଦି ନିଶାନକୁ ଆସିବା, ନିଶାନ୍ ବହୁତ ମାଡ଼କୁ ସମ୍ଭାଳେ । ଆଉ ବହୁତ ଚିତ୍କାର କରେ । ତେବେ ସେଇ ନିଶାନ୍ ପାଇଁ କଉ ଚମଡ଼ା ଦରକାର? ନିଶାନ୍‌ର ଯେକୌଣସି ଚମଡ଼ା ଏତେ ମାଡ଼ ଖାଇପାରିବ ନାହିଁ । ଖାଇପାରିବ ଯଦି ତା ଉପରେ କିଛି ପ୍ରଲେପ ଦିଆଯାଏ । ପ୍ରଲେପ ଚମଡ଼ାକୁ ଆହୁରି ଶକ୍ତ କରିଦେବ ଏବଂ ଏକ ସୁନ୍ଦର ଧ୍ୱନି ବି ଦେବ । ମୁଁ ଜାଣେ ଗୋଟାଏ ବୈଜ୍ଞାନିକ ମନୋଭାବ ନ ଥିଲେ, ଜ୍ଞାନର ସେମିତି କିଛି ତର୍ଜମା ନ ଥିଲେ ଜଣେ ଧରିପାରିବ ନାହିଁ ବୁଝିପାରିବ ନାହିଁ । ମୁଁ ଆସୁଛି ମହୁରି ଭିତରକୁ । ମୁହୂରି ଭିତରେ କ’ଣ ଥାଏ କି? କିଛି ନ ଥାଏ । ପୋଲାକାଠଟେ । ଆଉ ଗୋଟିଏ ପିତ୍ତଳ ମୁହଁଟେ । କେତୋଟି କଣା ଅଛି ତା ଭିତରେ । ତା ଭିତରେ ବି ପ୍ରକୃତିର ଗୋଟିଏ ପତର ଲଗାଯାଇଥାଏ । ଅସଲରେ ପିତ୍ତଳ ଗର୍ଜେ ନାହିଁ । କିମ୍ବା ଲାଗିଥିବା କାଠ ସେ ବି ଧ୍ୱନି ଦିଏ ନାହିଁ, କି ସେ କଣା ସବୁ ଧ୍ୱନି ଦିଏ ନାହିଁ । ଧ୍ୱନି ଦିଏ ସେ ପତର । ଏଇଟା ଜାଣିଥାଏ ଗଣା କଳାକାର ଗଣା ବୈଜ୍ଞାନିକ । ଏଇଟା କମ୍ କଥା ନୁହେଁ ।

Support Samadhwani

ଏ ବାଦ୍ୟ କ’ଣ କରି ନପାରେ । ଏ ବାଦ୍ୟ ସୂଚାଇ ଦେଇପାରେ ଯେ, ଏବେ ବିବାହର କେଉଁ ସମୟ ଚାଲିଛି । ଗନସନ୍ ଚାଲିଛି କି ହଳଦୀ ଲଗା ଚାଲିଛି କି କନ୍ୟା ବିଦାୟ ହେଉଛି କି ସେ ଝିଅଙ୍କୁ ଚାଉଳଟିକା ଦିଆଯାଉଛି । ଦୂରରେ ଥିବାଲୋକ ଜାଣିପାରିବ ବାଦ୍ୟର ପାର୍ ରୁ । କମ୍ କଥା ନୁହଁ । କିଛି ନ ଦେଖି ଦେଖାଇ ପାରୁଛି ଗଣାବଜା । କିଛି ନ କହି ବୁଝାଇଦେଇ ପାରୁଛି ଗଣାବଜା । କ’ଣ ହେଉଛି ଦୂରରେ ଥିବା ଲୋକ ଜାଣିପାରୁଛି ତାର ଧୂନ୍‌କୁ ନେଇ । ଯେଉଁ କଥା କୁହାଯାଉଥିଲା ଯେ ଜୀବନ ଥିବା ଅବସ୍ଥାରେ ଯେମିତି ବଜାର ଭୂମିକା ରହୁଛି, ମରିଗଲା ପରେ ବି ବଜାର ଭୂମିକା ରହୁଛି । ସତ କଥା । ମୁଁ ଏଇଠି ଗୋଟିଏ କଥା କହି ରଖେ କାହା ଘରେ ଯଦି ଛୁଆଟେ ଜନ୍ମ ହେଲା, ସମସ୍ତେ ତ ଆସିପାରିନ୍ତି ନାହିଁ ଛୁଆ ଜନ୍ମ ହେବା ସ୍ଥାନକୁ । ତଥାପି ବି ଗଣାଜାତିର ଲୋକ ଏକଥା ଜାଣନ୍ତି ଯେ, ସେ ପାଖରେ ରହୁଥିବା ଲୋକ ଘରେ ଛୁଆଟେ ଜନ୍ମ ହେଲା ଓ ପୁଅଟିଏ କି ଝିଅଟିଏ ସେ କଥା ବି ଜାଣିପାରନ୍ତି । ଏଇଟା କେମିତି ସମ୍ଭବ! ସେଇଥିପାଇଁ ସେମାନେ ଗୋଟିଏ କାମ କରନ୍ତି । ପୁଅ ଯଦି ହେଲା ସେ ଘରର ଛାତକୁ ପିଟାଯାଏ ବାଡ଼ିରେ । ଶବ୍ଦ କରାଯିବ । ଆଖପାଖରେ ଲୋକ ଜାଣିବେ ଯେ, ଗଣାଘରେ ପୁଅଟିଏ ଜନ୍ମ ହୋଇଛି । ଝିଅଟେ ଯଦି ଜନ୍ମ ହୋଇଛି ଭିତରେ ଥିବା ମହିଳାମାନେ ହୁଳହୁଳି ଦେବା ସହିତ ସେଇଠି ଥିବା ଥାଳି ଗିନା ସବୁ ବଜାଇବେ ଝନ୍‌ଝନ୍ ଝନ୍ ଝନ୍ କରି । ଏହି ଶବ୍ଦ ସୂଚାଏ ଦିଏ ଯେ, ତାଙ୍କ ଘରେ ଝିଅଟିଏ ହୋଇଛି । ଜଣକର ଯଦି ସେମିତି ଜ୍ଞାନ ନ ଥିବା, ଜଣକର ଯଦି ତା ଉପରେ ଧାରଣା ନ ଥିବ, ବୁଦ୍ଧି ନ ଥିବ ବୁଝିପାରିବ ନାହିଁ ଏଭଳି କାମକୁ । ଆଜି ଯଦି ଆମେ ଏଇ ଭୂଖଣ୍ଡର ଯେକୌଣସି ଗାଁକୁ ଯିବା ଓ ଯେକୌଣସି ଜଣେ ଗଣାଲୋକଙ୍କୁ ପଚାରିବା, ଗଣା ତାର ଭାଷା ଜାଣେ ନାହିଁ । ତୁମ ଭାଷା ଜାଣିଛ ବୋଲି ପଚାରିଲେ କହିପାରିବେ ନାହିଁ । ସେଥିପାଇଁ ସେ ଦାୟୀ ନୁହେଁ । ତାର ଥିଲା ଏକ ଶକ୍ତିଶାଳୀ ଭାଷା । ଏହି ଶକ୍ତିଶାଳୀ ଭାଷାକୁ ବିଷଦୁଧ ଦେଇ ମାରିଦିଆଯାଇଛି । ସେ ଭାଷାର ତଣ୍ଟି ଚିପାଯାଇଛି । ସେ ଭାଷାକୁ ଝୁଲାଇ ଦିଆଯାଇଛି । ସେ ଭାଷାକୁ ପାଣିରେ ଭସାଇ ଦିଆଯାଇଛି । ସେ ଭାଷା ଆଉ ନାହିଁ । ସେ ଭାଷାର ଝଲକ ମୁଁ ଆପଣମାନଙ୍କୁ ଶୁଣାଇପାରେ । ଗଣାର ଏଇ ବାଦ୍ୟକୁ ଦେଖି ଆମେ ଯେମିତି ତାରିଫ କରୁଛୁ । ତାର କଳାକୁ ଦେଖି ଆମେ ଯେମିତି ତାରିଫ୍ କରୁଛୁ । ସେ ବୁଣୁଥିବା ବାଉଁଶ ପାତିଆର ଝୁଡ଼ିମାନଙ୍କୁ ଦେଖି ଆମେ ଯେମିତି ତାରିଫ କରୁଛୁ । ସେ ତିଆରି କରିଥିବା ଲୁଗା ସେଇଟା ଗଣା କପଟା, ଗଣା କପଟି ବୋଲି ପରିଚିତ ଥିଲା ସେତେବେଳେ । ଗରିବ ଲୋକମାନେ ସେ ପ୍ରକାର ଯୋଡ଼ି ପିନ୍ଧୁଥିଲେ । ଏଇ ଗୁଡ଼ାକୁ ଦେଖି ଆମେ ଯେମିତି ତାରିଫ୍ କରୁଛୁ, ସେଇଠି ତାର ଭାଷା କେତେ ଗୁରୁତ୍ୱପୂର୍ଣ୍ଣ ତା ଉପରେ ଦୁଇପଦ ନ କହିଲେ ଠିକ୍ ହେବ ନାହିଁ ।

‘ସେ ଗଲା’ ଯଦି ଓଡ଼ିଆରେ କୁହାଗଲା ଜଣା ପଡ଼ିବ ନାହିଁ, ‘କିଏ ଗଲା’ କିନ୍ତୁ ଯଦି କୁହାଯିବ ‘He went’ ତାହାଲେ ଏଥିରୁ ଜଣାପଡ଼ିଗଲା ଯେ, ନିଶ୍ଚିତ ଭାବରେ ପୁରୁଷ ଲୋକଟେ ଗଲା । ‘She went’’ ଜଣେ ମହିଳାଟେ ଗଲା ବୋଲି ବୁଝାପଡ଼ୁଛି । କିନ୍ତୁ ଓଡ଼ିଆରେ ହେଉ ବା ତଥାକଥିତ ସମ୍ବଲପୁରି ଭାଷାରେ କହୁଛି – ‘ସେ ଗଲା’ । କିଛି ଜାଣିହେବ ନାହିଁ ନାରୀଟେ ଯାଉଛି କି ପୁରୁଷଟେ ଯାଉଛି । କିନ୍ତୁ ଗଣାଭାଷା ସେ ପ୍ରକାରର ଶକ୍ତିଶାଳୀ ଭାଷା ଯେଉଁଠି କୁହାଯାଏ – ‘ସୋ ଗୋଲୋ’ ମାନେ ‘He went’ । ‘ସାଏ ଗଲି’ ‘She went’ । ଏଇଠି ଦେଖନ୍ତୁ ‘ସୋ’ର ପୁଲିଙ୍ଗ ହେବା ବେଳେ, ସ୍ତ୍ରୀ ଲିଙ୍ଗ ହେଉଛି ‘ସାଏ’ ।  ଏଇଟା ହେଉଛି ତାଙ୍କର ପ୍ରାଚୀନ ଭାଷା । ସେଇଠି ‘ସୋ ଛୋରି ଛୋରି ଯାବ ସୋ ବ୍ରାହ୍ମଣ ମାଡ଼ିଆ’ ଶୁଣିଥିବେ । ‘ନଗର ବାହିରେ ଦୋମ୍ବି ତୋହର କୁଡ଼ିଆ, ଛୋରି ଛୋରି ଯାବ ସୋ ବ୍ରାହ୍ମଣ ମାଡ଼ିଆ’ । ଏଠାରେ ‘ସୋ’ ଅର୍ଥ ‘ଐର’ । ଯେଉଁ ‘ସୋ’ ହେଉଛି ଗଣାଜାତିର କେଉଁ ପ୍ରକାର ଶକ୍ତିଶାଳୀ ଭାଷା କେବଳ ବାଦ୍ୟର ବ୍ୟାକରଣ ନୁହେଁ, ବାଣୀର ବ୍ୟାକରଣ ବି କେତେ ଶକ୍ତିଶାଳୀ ଥିଲା । ଆମେ ଚିନ୍ତା କରିବା କଥା । ଇଂଲିଶ୍ ଯେଉଁ She went’, ‘He went ର କଥା କହିଲି He ଓ She ରେ ଲିଙ୍ଗ ରେ ପରିବର୍ତ୍ତନ ଆସୁଛି ‘went’ ଯେମିତିକୁ ସେମିତି ରହିଯାଉଛି । ଅଥଚ ଗଣା ଭାଷା କ୍ଷେତ୍ରରେ ‘went’ ର ବି ପୁଲିଙ୍ଗ ସ୍ତ୍ରୀ ଲିଙ୍ଗ ଆସୁଛି । ‘ସାଏ ଗଲୋ’ ଭୁଲ ହୋଇଗଲା । ‘ସାଏ ଗଲି’ ହେବ । ‘ସୋ ଗଲି’ ଭୁଲ ହୋଇଗଲା । ‘ସୋ ଗୋଲୋ’ ହେବ ଠିକ୍ । ଅତଏବ୍ ‘went’ ର ଲିଙ୍ଗବାଚକ ଅଛି । ‘ଗଲି’, ‘ଗୋଲୋ’ । ଏତେ ଶକ୍ତିଶାଳୀ ଭାଷା ଅସମୟରେ କାହିଁକି ମରିଗଲା? କୁହାଯାଉଥିଲା ଏହା ପୂର୍ବରୁ ଏକଦା ଏ ଭାଷା ଖାଲି ଗଣା ଲୋକମାନେ କହୁଥିଲେ । ଏବେ ବି ସେମାନଙ୍କର ସ୍ମୃତିକୁ ଜାବୁଡ଼ି ଧରିଛି ଏ ଜାତି । ହେଲେ ଏଇଠି ମୁଁ ଗୋଟିଏ କଥା କହିରଖେ ଯେତେବେଳେ ଗୋଟିଏ ଜାତି, ଯେତେବେଳେ ଛୁଆଁ ଅଛୁଆଁର କଥା ପ୍ରବେଶ କରୁଛି ସମାଜ ଭିତରକୁ ସେତେବେଳେ ଏଇ ବାଦ୍ୟ ଯେମିତି ସୂଚାଇ ଦେଲା ଯେ, ସେ ଜଣେ ଗଣା ଲୋକ, ସେଇଟା ଗଣାପଡ଼ା ସେମିତି ସେ କହୁଥିବା ଭାଷା, ମଣିଷର ଭାଷାହିଁ ବୁଝାଇ ଦିଏ ଯେ, ସେ କ’ଣ । କୋଇଲି ଯଦି କୁହୁକୁହୁ କଲା । ଆମେ ନ ଦେଖି ମଧ୍ୟ କହିପାରିବା ଯେ ସେ ହେଉଛି ଗୋଟିଏ କୋଇଲି । ଯେତେବେଳେ କା କା ଶୁବ୍ଦ ଶୁଣୁ ସେତେବେଳେ ସେଠାରେ କୋଇଲି ଥିଲେ ବି ଆମେ ନିଶ୍ଚିତ ଭାବରେ କହିବା ଯେ କାଉ ରାବୁଛି । ଠିକ୍ ସେମିତି ଏଡ଼େ ସୁନ୍ଦର ଭାଷା ଯେଉଁମାନଙ୍କର ସେମାନେ ଯେତେବେଳେ ଏ ଭାଷା କହୁଥିଲେ ଲୋକେ ବୁଝି ପାରୁଥିଲେ ଯେ, ଏ ଭାଷା କହୁଥିବା ଲୋକ ହେଲେ ଗଣା ଲୋକ । ତେଣୁ ଗଣାକୁ ଯେହେତୁ ସେମାନେ ଘୃଣା କରୁଛନ୍ତି ଏବଂ ଗଣାଭାଷା ଶୁଣି ତାଙ୍କୁ ଚିହ୍ନୁଥିଲେ ତେଣୁ ଗଣାମାନେ ହିଁ ପ୍ରଥମ କରି ତାଙ୍କ ଭାଷାକୁ ଛାଡ଼ିବା ଆରମ୍ଭ କଲେ । କେହି ବାଧ୍ୟ କରି ନାହାନ୍ତି ତାଙ୍କୁ ଛାଡ଼ିବା ପାଇଁ । ଏ ଭାଷା କହିବା ଦ୍ୱାରା ଆମର ପରିଚୟ ଆସିଯାଉଛି, ଆମେ ଚିହ୍ନା ପଡ଼ିଯାଉଛୁ ବା ଲୁଚାଇବା ପାଇଁ ପରିହାର କରିଛନ୍ତି ଏ ଭାଷାକୁ । ତେଣୁ କାଳକ୍ରମେ ଏ ଭାଷା ଲୋପ ପାଇଗଲା।

 

Share This Article
ଓଡ଼ିଆ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ