କ୍ଷୁଧା ମୁକ୍ତ ଓ ଯୁଦ୍ଧ ମୁକ୍ତ ପୃଥିବୀର କାମନା : ପ୍ରଫେସର ଭଗବତ ପ୍ରସାଦ

ସୁଧୀର ପଟ୍ଟନାୟକ
ସୁଧୀର ପଟ୍ଟନାୟକ 365 Views
4 Min Read

Support Samadhwani

ପ୍ରଫେସର ଭଗବତ ପ୍ରସାଦଙ୍କ ନାଁ ଓ କୃତି ସହ ସମ୍ପର୍କ ୧୯୯୦-୯୧ ମସିହାରୁ। ମନସ୍ତତ୍ତ୍ୱବିତ୍ ଓ ଶିକ୍ଷାବିତ୍ ପ୍ରଫେସର ଡ଼ଃ ରାଧାନାଥ ରଥଙ୍କ ସହ କାମ କରିବା ଭିତରେ ସେ ମୋତେ ଏହି ମହାନ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଅବଗତ କରାଇଥିଲେ। ତାଙ୍କ ଦ୍ୱାରା ଆୟୋଜିତ ଏକ ସାହିତ୍ୟ ସଭାରେ ଆମେ ଏକାଠି ଯାଇ ଯୋଗଦେବାର ଥିଲା। ସୁନ୍ଦରଗଡ଼ରୁ ମୁଁ ଆସି ପହଂଚିପାରି ନଥିଲି। ଡଃ ରାଧାନାଥ ରଥ ବାଧ୍ୟହୋଇ ଏକା ଯାଇଥିଲେ। ପରେ ସୁମଣ୍ଡଳସ୍ଥିତ ରବି ଘୋଷ ବିଦ୍ୟାପୀଠରେ ସେ ଅଞ୍ଚଳର ଶିକ୍ଷକମାନଙ୍କର ସମାବେଶରେ ମୋତେ କିଛି କହିବାର ଥିଲା। କିଛି ସମୟ ପୂର୍ବରୁ ପହଂଚି ଶିକ୍ଷକମାନଙ୍କ ସହ ଅଣ-ଔପଚାରିକ ବାର୍ତ୍ତାଳାପ ପରେ  ସେମାନଙ୍କଠୁ ଜାଣିିବାକୁ ପାଇଲି ଯେ କେବଳ ସେହି ବିଦ୍ୟାପୀଠ ନୁହେଁ ଗଞ୍ଜାମର କୋଦଳା ଅଞ୍ଚଳରେ ଅନେକ ଶିକ୍ଷାନୁଷ୍ଠାନ ଭଗବତ ବାବୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ମୁଣ୍ଡଟେକିଛି। ସେ ଅଞ୍ଚଳରେ ତାଙ୍କୁ ଶିକ୍ଷା ଓ ସମାଜ ସଂସ୍କାରର ଅଗ୍ରଦୂତ ହିସାବରେ ଏବେ ବି ଲୋକେ ବିଚାର କରନ୍ତି। ଏଭଳି ଜଣେ ଉଦ୍ୟୋଗୀ ମଣିଷଙ୍କୁ ଏଯାଏଁ ଜ୍ଞାନବିଜ୍ଞାନ ଆନ୍ଦୋଳନରେ ସାମିଲ କରାଯାଇ ପାରିନାହିଁ, ମୋ ମନରେ ଅବଶୋଷ ରହିଯାଇଥିଲା।

ଭଗବତ ବାବୁଙ୍କୁ ଦେଖିବାର ଇଚ୍ଛା କିନ୍ତୁ ବଢ଼ି ଚାଲିଥିଲା। ପରିଶେଷରେ ଭେଟିବାର ସୁଯୋଗ ମିଳିଥିଲା ୧୯୯୬ ମସିହାରେ, କାଶୀପୁର ଜନ ଆନ୍ଦୋଳନକୁ ନିକଟରୁ ଦେଖିବାପାଇଁ ପ୍ରୟାସ ଯେତେବେଳେ ଆରମ୍ଭ ହୋଇଥିଲା। ବନ୍ଧୁ ଏବଂ ବଡ଼ଭାଇସମ ଅଚ୍ୟୁତ ଦାସଙ୍କୁ ମୁଁ ଏଥିପାଇଁ ଧନ୍ୟବାଦ ଦେବି ଯେ ତାଙ୍କରି ଯୋଗୁଁ ଭଗବତ ବାବୁଙ୍କୁ ଭେଟିବା ସମ୍ଭବପର ହୋଇଥିଲା। ପ୍ରଥମ ଦେଖାରେ ହିଁ ବହି ଉପରେ ଆଲୋଚନା। ନୋଆମ ଚମସ୍କିିଙ୍କର ‘ଗବଦ୍ଭଙ୍କଲବମଗ୍ଧଙ୍କକ୍ସସଦ୍ଭଶ ଉକ୍ଟଦ୍ଭଗ୍ଦରଦ୍ଭଗ୍ଧ’ ସମ୍ପର୍କରେ ସେ କହିଚାଲିଥିଲେ। ଗୋଟିଏ ଗୋଟିଏ ପଂକ୍ତି ମଧ୍ୟ ମଝିରେ ମଝିରେ ଉଦ୍ଧାର କରୁଥିଲେ। ସେତେବେଳ ଯାଏଁ ମୋ ସହ ଆଲୋଚନାବେଳେ ମୁଁ ଜାଣିଥିବା ବ୍ୟକ୍ତିମାନଙ୍କ ଭିତରୁ କେହି ବହିଟି ସମ୍ପର୍କରେ ଏତେ ବିସ୍ତୃତ ଆଲୋଚନା କରିନଥିଲେ । କେତୋଟି ଅନ୍ୟ ବହି ଓ ଅନ୍ତଃରାଷ୍ଟ୍ରୀୟ ପତ୍ରିକା କଥା ବି ଆଲୋଚନାକୁ ଆସିଲା । ମୋର ବହି ପଢ଼ିବାର ସୀମିତତା ଭିତରେ ମୁଁ ଜାଣିଥିବା ସଦ୍ୟପ୍ରକାଶିତ କେତୋଟି ବହି ଯାହା ବନ୍ଧୁ ମନୀଷ ଜୈନ୍ ମୋତେ ଦେଇଥିଲେ, ଭଗବତ ବାବୁଙ୍କୁ କହିଲି । ମୁଁ ଦେଖିଲି ତାଙ୍କ ସହ କେବଳ ଅଚ୍ୟୁତ ଦାସ ଓ ବିଦ୍ୟା ଦାସ ନୂଆ ନୂଆ ବହି ସମ୍ପର୍କରେ ଆଲୋଚନା କରନ୍ତି ଯେତେବେଳେ ସେମାନେ ତାଙ୍କୁ ଭେଟିବାପାଇଁ ଯାଇଥାନ୍ତି । ତା’ପରେ ଭୁବନେଶ୍ୱରରୁ କିଛି ଯୁବ ସାମାଜିକ କର୍ମୀ ତାଙ୍କ ସହ ସମ୍ପର୍କରେ ଆସିବାପରେ ଆଲୋଚନାର ପରିସରଟି ଅଧିକ ବ୍ୟାପକ ହୋଇପାରିଥିଲା ।

ପ୍ରଫେସର ଭଗବତ ପ୍ରସାଦଙ୍କ ରାୟଗଡାସ୍ଥିତ ବାସଗୃହ 

ଭଗବତ ବାବୁଙ୍କ ମାନବବାଦୀ ବିଚାର ଓ ଆଚରଣର ଝଲକ ମିଳିଥିଲା କାଶୀପୁର ଉତ୍କଳ ଆଲୁମିନା ବିରୋଧି ଜନଆନ୍ଦୋଳନରେ ତାଙ୍କର ସମ୍ପୃକ୍ତିରୁ। ସମଗ୍ର ରାୟଗଡ଼ା ସହରରେ ସେଥିଲେ ଏକମାତ୍ର ନିର୍ଭୀକ ବୁଦ୍ଧିଜୀବୀ ଯିଏକି ଶକ୍ତିଶାଳୀ ଏନ୍.ଭାସ୍କର ରାଓଙ୍କ ଭଳି କମ୍ପାନୀର ପୃଷ୍ଠପୋଷକମାନଙ୍କୁ ବେଖାତିର କରି ଆଦିବାସୀଙ୍କ ସଂଘର୍ଷକୁ ଖୋଲାଖୋଲି ସମର୍ଥନ ଓ ସହଯୋଗ କରିଆସିଥିଲେ। କିଶନ ପଟ୍ଟନାୟକଙ୍କ କାଶୀପୁର ଗସ୍ତ ଓ ରବିରାୟଙ୍କ କାଶୀପୁର ଗସ୍ତ ବେଳେ ମଧ୍ୟ ସେ ଥିଲେ ଏକମାତ୍ର ନିର୍ଭୀକ ବୁଦ୍ଧିଜୀବୀ, ଯିଏକି ବୟସକୁ ଭ୍ରୂକ୍ଷେପ ନକରି ଉତ୍ସାହର ସହ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Support Samadhwani

ଡିସେମ୍ବର ୧୬, ୨୦୦୦ ମସିହା ମାଇକଂଚ ଗୁଳିକାଣ୍ଡରେ ୩ଜଣ ସଂଘର୍ଷରତ ଆଦିବାସୀ ପୋଲିସ ଗୁଳିରେ ଦେହାନ୍ତ ହେବା ଘଟଣା ତାଙ୍କୁ ବ୍ୟଥିତ କରିଥିଲା । ତା’ପରେ ଯେଉଁମାନେ ସତ୍ୟ କ’ଣ ଜାଣିବା ପାଇଁ କାଶୀପୁର ଯାଇଛନ୍ତି, ଭଗବତ ବାବୁ ଆଗରେ ରହି ସାହଯୋଗ କରି ଆସିଛନ୍ତି। ଜାନୁୟାରୀ ୩୦,୨୦୦୧ ରେ କାଶୀପୁର ଠାରେ ଗୁଳିକାଣ୍ଡ ପତିବାଦରେ ‘ପ୍ରାକୃତିକ ସମ୍ପଦ ସୁରକ୍ଷା ପରିଷଦ’ ତରଫରୁ ବିରାଟ ବିକ୍ଷୋଭ ଆୟୋଜନ ହୋଇଥିଲା । ଏହି ସମାବେଶରେ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ପହଞ୍ôଚଥିଲେ ବିକ୍ଷୋଭକାରୀଙ୍କୁ ସହୃଦୟ ସମର୍ଥନ ଦେବାପାଇଁ । ରାୟଗଡ଼ାରେ ପହଂଚିବା ପରଠାରୁ ରାୟଗଡ଼ା ଛାଡ଼ିବା ଯାଏଁ ରବି ରାୟଙ୍କ ସବୁକଥା ବୁଝିଥିଲେ ଭଗବତ ବାବୁ ଏବଂ ତାଙ୍କ ସହଧର୍ମିଣୀ ସତ୍ୟଭାମା ଦେବୀ। ସତ୍ୟଭାମା ଦେବୀ ନିଜ ବାଡ଼ିର ପାଚିଲା ଅମୃତଭଣ୍ଡା, ନଡ଼ିଆ ଓ ପାଚିଲା କଦଳୀ ପକାଇ ମାଣ୍ଡିଆରେ ଏଭଳି ଏକ ଉପମା ତିଆରି କରିଥିଲେ ତାଙ୍କୁ ରବି ରାୟଙ୍କ ସମେତ ତାହାର ଆଘ୍ରାଣ ପାଇଥିବା ସେଦିନ ଉପସ୍ଥିତ ଥିବା ପ୍ରତିଟି ଅତିଥି କେବେ ବି ଭୁଲି ପାରିବେନି । ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ସମେତ ଦଳିତମାନଙ୍କ ପ୍ରତି ନିର୍ଯାତନା ଘଟଣାଗୁଡ଼ିକ ଭଗବତ ବାବୁଙ୍କୁ ବେଶୀ ବ୍ୟଥିତ କରିଆସିଛି । ସ୍ୱାଧୀନ ଭାରତରେ ଘୃଣ୍ଣ୍ୟ ଜାତିବାଦ, ଜାତି ଓ ଲିଙ୍ଗ ଭିିତ୍ତିକ ଭେଦଭାବ ତାଙ୍କୁ ଭୀଷଣ ଭାବେ ମର୍ମାହତ କରିଛି । ‘ସମଦୃଷ୍ଟି’ର ବିଭିନ୍ନ ସଂଖ୍ୟାରେ ବାମାବାଦ ଓ ଦଳିତଙ୍କ ଐତିହାସିକ ପୃଷ୍ଠଭୂମି ସଂପର୍କରେ ଅନେକ କଥା ସେ ଲେଖିଛନ୍ତି । ଆଦିବାସୀଙ୍କ ନିଷ୍ଠୁର ବିସ୍ଥାପନ ଭଳି ଦଳିତଙ୍କ ଶୋଷଣ ଓ ନାରୀମାନଙ୍କ ପ୍ରତି ଢ଼ାଞ୍ଚାଗତ ଅନ୍ୟାୟ ଅବିଚାରର ଅନ୍ତ କିପରି ଘଟିବ ଭଗବତ ବାବୁ ଏ ବୟସରେ ବି ସେହି ଚିନ୍ତାରୁ ଅବ୍ୟାହତ ନେଇ ନାହାଁନ୍ତି ।

ପ୍ରଥମ ସାକ୍ଷାତ ପରେ ଯେଉଁ ବ୍ୟାପକ ଆଲୋଚନା ତାଙ୍କସହ ତୁହାକୁ ତୁହା ହେଉଥିଲା, ତାଙ୍କର ଜ୍ଞାନର ଝଲକ ପାଇବା ପରେ ସେଥିରୁ ଅବଶିଷ୍ଟ ଓଡ଼ିଶାବାସୀଙ୍କୁ ବଂଚିତ ନକରିବା ପାଇଁ ତାଙ୍କୁ ମୁଁ ଅନୁରୋଧ କରିଥିଲି । ଏବଂ ଅନେକ ବି ମୋ ଭଳି ଅନୁରୋଧ କରିଥିବେ । ଖୁସିର କଥା ଭଗବତ ବାବୁ ଲେଖିବା କାମଟି  ନିୟମିତ ଚାଲୁ ରଖିଥିଲେ । ‘ସମଦୃଷ୍ଟି’ ଆରମ୍ଭରୁ ହିଁ ସେ ‘ସମଦୃଷ୍ଟି’ ପରିବାର ସହ ରହିଲେ ।

Share This Article
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ