(୧୯୭୦): ଓଡ଼ିଶୀ ସଙ୍ଗୀତର ତତ୍କାଳୀନ ସ୍ଥିତି ବିଷୟରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କ ଆଲେଖ୍ୟ

Chief Editor
Chief Editor 167 Views
4 Min Read

ପୂର୍ବେ ନିଖିଳ ଭାରତରେ ଏକମାତ୍ର ସଙ୍ଗୀତ ଚଳୁଥିଲା । ଆଜିର ପରି କର୍ଣ୍ଣାଟକୀ, ହିନ୍ଦୁସ୍ଥାନୀ ଓ ଓଡ଼ିଶୀ ଇତ୍ୟାଦି ବିଭିନ୍ନ ପଦ୍ଧତି ନଥିଲା । ଖ୍ରୀଷ୍ଟୀୟ ୧୧୦୦ ମସିହାରେ ଏ ଦେଶ ଉପରେ ବୈଦେଶୀକ ଆକ୍ରମଣ ପରେ ଏ ଦେଶର ସଙ୍ଗୀତ, କଳା, କୃଷ୍ଟି ଓ ସଂସ୍କୃତିର ଯେତେବେଳେ ପରିବର୍ତ୍ତନ ଘଟିଲା ସେତେବେଳେ ସଙ୍ଗୀତ କ୍ଷେତ୍ରରେ ପ୍ରାନ୍ତୀୟତାର ରୂପ-ରେଖ ଧାରଣ କଲା ।

Support Samadhwani

ଆନୁମାନିକ ତୃତୀୟ ଶତାବ୍ଦୀରେ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ହେଉଛି ପ୍ରଥମ ଗ୍ରନ୍ଥ । ଅବଶ୍ୟ ନାରଦଙ୍କ ନାରଦୀୟ ଶିକ୍ଷା ଗ୍ରନ୍ଥଟି ପ୍ରଥମ ଶତକର ବୋଲି କୁହାଯାଉଛି । କିନ୍ତୁ ନାଟ୍ୟଶାସ୍ତ୍ର ଭଳି ବିରାଟ ଗ୍ରନ୍ଥ ସେ ନୁହେ । ନାଟ୍ୟ-ଶାସ୍ତ୍ର ଦେଖିଲେ ଜଣାପଡ଼ୁଛି ଯେ, ତୃତୀୟ ଶତକରେ ରାଗର ଶବ୍ଦ ମୋଟେ ନାହିଁ । ସେତେବେଳେ କେବଳ ଜାତିଗାୟନ ପ୍ରଥା ଚଳୁଥିଲା ।

ରାଗ ଶବ୍ଦର ଆବିଷ୍କାର ମତଙ୍ଗ ମୁନିଙ୍କ ବୃହଦ୍ଦେଶୀ ଗ୍ରନ୍ଥରେ (୭ମ ଶତକ) ଦେଖିବାକୁ ମିଳେ । ନବମ ଶତାବ୍ଦୀରେ ଆନୁମାନିକ ଆଚାର୍ଯ୍ୟ ନାରଦ ସଙ୍ଗୀତ ମକରନ୍ଦ ଗ୍ରନ୍ଥରେ ରାଗ-ରାଗିଣୀ, ପୁତ୍ର, ପୁତ୍ର-ବଧୂ ଇତ୍ୟାଦି ଏକ ବିସ୍ତୃତ ପରିବାର ସୃଷ୍ଟି କରିଛନ୍ତି । କିନ୍ତୁ ଏ ପ୍ରଥା ସର୍ବଜନାନୁମୋଦିତ ହେଲାଭଳି ମନେ ହେଉ ନାହିଁ । ସେ ଯାହାହେଉ, ରାଗ-ରାଗିଣୀ ସୃଷ୍ଟି ତଥା ଏହି ପ୍ରଥାର ପ୍ରଥମ ପ୍ରବର୍ତ୍ତକ— ସଙ୍ଗୀତ ମକରନ୍ଦକାର ଆଚାର୍ଯ୍ୟ ନାରଦ, ଏ କଥାକୁ ଅସ୍ୱୀକାର କରି ପାରିବେ ନାହିଁ । ମାଧବ ବିଦ୍ୟାରଣ୍ୟ ଆନୁମାନିକ ପଞ୍ଚଦଶ ଶତକରେ ଏବଂ ପୂନା ନିବାସୀ ପୁରନ୍ଦର ବିଠ୍‌ଠଲ, ତା’ ପରେ ପରେ ପଣ୍ଡିତ ରାମାମାତ୍ୟ, ପଣ୍ଡିତ ସୋମନାଥ, ପଣ୍ଡିତ ଲୋଚନ କବି ପ୍ରମୁଖ ନିଜ ନିଜ ମତାନୁଯାୟୀ ମେଳ ସୃଷ୍ଟି କଲେ ।

ପରିଶେଷରେ ୧୭ଶ ଶତାବ୍ଦୀରେ ପଣ୍ଡିତ ବେଙ୍କଟମଖୀ କଟପୟାଦି ଗାଣିତିକ ହିସାବରେ ୭୨ ଗୋଟି ମେଳ ସୃଷ୍ଟି କଲେ । ଜଣାଯାଉଛି ଯେ ଏହାଙ୍କ ପିତା ଗୋବିନ୍ଦ ଦୀକ୍ଷିତ ୭୨ ମେଳ ସୃଷ୍ଟି କରିଛନ୍ତି । ଏ ଦିହେଁ ଷଡ଼୍‌ଜ ଠାରୁ ନିଷାଦ ପର୍ଯ୍ୟନ୍ତ ଦ୍ୱାଦଶ ସ୍ଥାନରେ ଆଉ ଚାରୋଟି ସ୍ୱର କଳ୍ପିତ କରି ୧୬ ଗୋଟି ସ୍ୱରଭେଦ ଗଣନା କ୍ରମେ ୭୨ଟି ମେଳ ଉଦ୍ଭାବନ କରିଛନ୍ତି ।

Support Samadhwani

ସମଗ୍ର ଭାରତରେ ରାଗ, ତାଳ ଦେଇ କେହି ଯେତେବେଳେ ଗୀତ ଲେଖି ନଥିଲେ ସେତେବେଳେ ଦ୍ୱାଦଶ ଶତାବ୍ଦୀରେ ଓଡ଼ିଆ ପୁଅ ଜୟଦେବ ଗୀତ-ଗୋବିନ୍ଦ ଗ୍ରନ୍ଥ ଲେଖିଲେ । ତଦୁପରାନ୍ତ ଦକ୍ଷିଣ ଓ ଉତ୍ତର ଭାରତୀୟ କଳାକାରଗଣ ତାଙ୍କରି ପଦାଙ୍କ ଅନୁସରଣରେ ବ୍ୟାପକ ଭାବରେ ଗୀତ ଲେଖା ଆରମ୍ଭ କଲେ । xxx ସେତେବେଳେ ସମଗ୍ର ଭାରତରେ ରାଗ, ତାଳ ଦେଇ କେହି ଗୀତ ଲେଖି ନଥିଲେ । ଆଜି ସାରା ଦୁନିଆ ଜୟଦେବଙ୍କୁ ସଙ୍ଗୀତର ପ୍ରବର୍ତ୍ତକ ରୂପେ ସ୍ୱୀକାର କରେ । ସେ ସଙ୍ଗୀତ ଜଗତକୁ ମହାନ୍ ଆଲୋକ ଦେଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ— ଓଡ଼ିଶୀ ସଙ୍ଗୀତ ପ୍ରଥମ, କର୍ଣ୍ଣାଟି ଦ୍ୱିତୀୟ ଓ ହିନ୍ଦୁସ୍ଥାନୀ ତୃତୀୟ ହେବା କଥା । କିନ୍ତୁ କ’ଣ କରାଯିବ? ପ୍ରବାଦ ଅଛି— “ଶୋଇଲା ପୁଅର ଭାଗ ନାହିଁ” । ସେ ଯାହାହେଉ ଏବେ ବି ବେଳ ଅଛି । ଆଜି ସମସ୍ତ ଦେଶବାସୀ ତଥା ସମସ୍ତ କଳାକାର ଜାତି ଆମର ଏହି ଓଡ଼ିଶୀକୁ ଗୋଟାଏ ପ୍ରଣାଳୀ ରୂପେ ଠିଆ କରିବା ନିମନ୍ତେ ବଦ୍ଧପରିକର ହେବା ବାଞ୍ଛନୀୟ ।

ଓଡ଼ିଶାରେ ନାନାପ୍ରକାର ଅଭାବ, ଅନାଟନ, ବିଭ୍ରାଟ, ବିପର୍ଯୟ ଘଟିବା ଫଳରେ ଓଡ଼ିଶାର ସଙ୍ଗୀତ କଳା ସୁପ୍ତାବସ୍ଥାରେ ପଡ଼ି ରହିଲା । କିନ୍ତୁ ସୌଭାଗ୍ୟ କ୍ରମେ କିଛି କାଳ ହେଲା ଆମରି ସେହି ସୁପ୍ତ କଳାର ପୁନଃଜାଗରଣ କଳ୍ପେ ଚହଳ ପଡ଼ିଛି । ଫଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନମାନେ ଆରମ୍ଭ ହେବା ସଙ୍ଗେ ସଙ୍ଗେ କେତୋଟି ବହି ଲୋକଲୋଚନ ଗୋଚର ତଥା ଶିକ୍ଷାନୁଶୀଳନ ନିମନ୍ତେ ମୁଦ୍ରିତ ହୋଇଛି ସତ; କିନ୍ତୁ ସେ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ସମୁଦ୍ରକୁ ଶଙ୍କେ । ଏହା ବଡ଼ ଲଜ୍ଜାର କଥା— ଆମର ସ୍ୱତନ୍ତ୍ର ଧାରା ଥିବା ସତ୍ତ୍ୱେ ଅନ୍ୟ ପ୍ରଣାଳୀରେ ରାଗ, ତାଳ ଦେଇ ଓଡ଼ିଶୀ ସଙ୍ଗୀତ ବୋଲି ଦେବାରେ କତିପୟ ତଥାକଥିତ କଳାକାର ପଛାଉ ନାହାନ୍ତି । ଏଭଳି ଅନୁଶୀଳନ କଲେ ଓଡ଼ିଶୀ ସଙ୍ଗୀତର ଯେତେ ଗୁରୁତ୍ୱ ଓ ଯେତେ ପ୍ରାଚୀନତା ଥିଲେ ମଧ୍ୟ ସେ ସ୍ୱତନ୍ତ୍ର ରୂପ ନେଇ ଠିଆ ହୋଇ ରହି ପାରିବ ନାହିଁ । ଦୁଃଖର କଥା— ଆମର ପୂର୍ବାଚାର୍ଯ୍ୟଗଣ ଶାସ୍ତ୍ରୀୟ ଗ୍ରନ୍ଥ ସ୍ୱତନ୍ତ୍ର ରୂପେ ଥୋଇ ଯାଇଥିବା ସତ୍ତ୍ୱେ ଆମ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ବୋଲି କହିବା ପାଇଁ ଆମେ ପଛଉ ଥାଇଁ । ଏହାର ମୂଳ କାରଣ— ଉଦାସୀନତା ଏବଂ ‘ମାଗି ଆଣିବା ତିଅଣ ସଡ଼କେଇ’ ପରି ଆମର ଅବସ୍ଥା ହୋଇଛି ।

ସୌଜନ୍ୟ-ବୋଇରାଣୀ, ଗଞ୍ଜାମ

photo credit- https://bit.ly/3uxcIui

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.