ସମ୍ପାଦକୀୟସାହିତ୍ୟ ସଂସ୍କୃତି

ଢେଙ୍କାନାଳ ଆନ୍ଦୋଳନରେ ମାଳତୀ ଦେବୀ (ଶ୍ରୀମତୀ ମାଳତୀ ଚୈାଧୁରୀ-6)

Malati Devi in Dhenkanal Revolt (Mrs. Malati Chaudhury - 6)

 

୧୯୩୮ ମସିହା ସେପ୍ଟେମ୍ବର ୧୨ ତାରିଖ ଢେଙ୍କାଳାନ ପ୍ରଜା ଅନ୍ଦୋଳନର ଇତିହାସରେ ଉଲ୍ଲେଖନୀୟ ଦିବସ । କାରଣ ଏହି ଦିନ, ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ଭାଷାରେ, “ଢେଙ୍କାନାଳ ରାଜ୍ୟର ୩ଲକ୍ଷ ପ୍ରଜାଙ୍କ ମଧ୍ୟରୁ ୫୦ ହଜାର ପ୍ରଜା ଢେଙ୍କାନାଳ ଗଡରେ ଆସି ଠେଂଗା ବାଡି ଧରି ଜମା ହୋଇ ଯାଇଥିଲେ ଏବଂ ରାଜା ନଅର ଘେରାଉ କରିନେଇଥିଲେ । ସେ ଦିନ ରାଜା ନଅର ଛାଡି ପଳାୟନ କରିଥିଲା । ସେ ଦିନ ପ୍ରଜାମାନେ , ନଅର ଭାଂଗି, ଖଣ୍ଡିଏ ଖଣ୍ଡିଏ ଇଟା ଧରି ଘରକୁ ଫେରିବେ ବୋଲି ବୈପ୍ଳବିକ ରଡି କୁହାଟ ମାନ ଛାଡୁଥିଲେ । ସେ ଦିନ ପ୍ରଜାମଣ୍ଡଳର ନେତା ମାନେ ପ୍ରଜାମାନଙ୍କୁ ବୁଝାଇ ଗ୍ରାମମାନଙ୍କରେ ଯାଇ ଶୃଂଖଳିତ ଭାବେ ସଂଗଠନ ଗଢିବାକୁ କହି ପ୍ରଜାମାନଙ୍କୁ ଫେରାଇ ଦେଇଥିଲେ ।”(ଢେଙ୍କାନାଳ ଅନ୍ଦୋଳନ ଓ ମାଳତୀ ଦେବୀ, ନୁମା-ଏକ ସଙ୍କଳନ, ପୃ ୧୦୩) କିନ୍ତୁ ଏତେ ସଂଖ୍ୟାର ପ୍ରଜା ‘୨୫/୩୦ ମାଇଲ ବାଟ…. ପାହାଡ , ପର୍ବତ , ବଣ, ଜଂଗଲ, ନଈ, ନାଳ , ବିଲ , ଖମାଣ ଡେଇଁ କିପରି ଆସିଲେ! ଏପରିକି ଖାଲି ପାଦରେ ଚାଲି ଚାଲି ଆସିଲେ ।.’ ବୈଷ୍ଣବବାବୁ ଲେଖନ୍ତି, “ଢେଙ୍କାନାଳ ଗଡରେ ୫୦ ହଜାର ପ୍ରଜା ଏକଜୁଟ ହୋଇ ଯାଇଥିଲେ, ତାର ଠିକ ପୂର୍ବ ଦିନ ଅର୍ଥାତ୍ ୧୯୩୮ ସେପ୍ଟେମ୍ବର ୧୧ ତାରିଖ ଦିନ ଗୋଟିଏ ଅତି ଆଭ୍ୟନ୍ତରୀଣ ଗ୍ରାମ ମାଣିକମରାରେ ମାଳତୀ ଦେବୀ, ଭଗବତୀ ପାଣିଗ୍ରାହୀ, ଏବଂ ମୁଁ , ଆମ୍ଭେମାନେ ଯାଇ ଗୋଟିଏ ବିରାଟ ସଭାରେ ଯୋଗ ଦେଇଥିଲୁ । ସେତେବେଳେ ଭିତରେ ଭିତରେ ଢେଙ୍କାନାଳର ଗ୍ରାମମାନଙ୍କ ଭିତରକୁ ଯାଇ ଆମ୍ଭମାନେ ପ୍ରଜାମାନଙ୍କୁ ସଂଗଠିତ କରୁଥିଲୁ । ” (ଢେଙ୍କାନାଳ ଅନ୍ଦୋଳନ ଓ ମାଳତୀ ଦେବୀ, ନୁମା-ଏକ ସଙ୍କଳନ, ପୃ ୧୦୪) ଏହି ଆନ୍ଦୋଳନର ପ୍ରକୃତ ଉତ୍ସ ଥିଲେ ମାଳତୀ ଦେବୀ ଓ ନବବାବୁ-ଏହାକୁ କୃତଜ୍ଞତା ସହ ସ୍ମରଣ କରି ବୈଷ୍ଣବବାବୁ ଲେଖନ୍ତି, “ ମୁଁ ଢେଙ୍କାନାଳ ଆନ୍ଦୋଳନର ଯେଉଁ କ୍ଷୁଦ୍ର ଅଂଶ ନେଇ ଥିଲି, ସେଥିରେ ମାଳତୀ ଦେବୀ ଓ ନବବାବୁଙ୍କର ମୋତେ ଭଲପାଇବା, ତାଙ୍କର ସ୍ନେହ, ଆଦର , ଯତ୍ନ ,ମୋର କାମ ପାଇଁ ମୋତେ ପ୍ରେରଣା ଦେଉଥିଲା । ” (ଢେଙ୍କାନାଳ ଅନ୍ଦୋଳନ ଓ ମାଳତୀ ଦେବୀ, ନୁମା-ଏକ ସଙ୍କଳନ, ପୃ ୧୦୬) ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସେତେବେଳେ ଓଡିଶା ବିଧାନ ସଭାର କଂଗ୍ରେସ ଦଳର ସଦସ୍ୟ ଥିଲେ ନବବାବୁ ଓ ୧୯୩୮ ହରିପୁରା କଂଗ୍ରେସରେ ‘ବିଧିବଦ୍ଧ ପ୍ରସ୍ତାବ ନିଆଯାଇଥିଲା ଯେ ଭାରତର କୈାଣସି ଗଡଜାତରେ ପ୍ରଜାମାନେ ଯେପରି ‘କଂଗ୍ରେସ’ ନାମରେ କୈାଣସି ସଂଗଠନ ନ ଗଢନ୍ତି’ । ତେବେ ଅନ୍ୟ କୈାଣସି ନାଁରେ ସଂଗଠନ ଗଢାଗଲେ, ଓ ସେ ସଂଗଠନ ଆନ୍ଦୋଳନ କଲେ ସେଥିରେ କଂଗ୍ରେସରେ ଥିବା ବ୍ୟକ୍ତି ସମ୍ପୃକ୍ତ ହୋଇ ପାରିବେ -ଏପରି ଅନୁମତି ଥିଲା । (ଢେଙ୍କାନାଳ ଅନ୍ଦୋଳନ ଓ ମାଳତୀ ଦେବୀ, ନୁମା-ଏକ ସଙ୍କଳନ, ପୃ ୧୦୬) । ବୈଷ୍ଣବବାବୁ କୁହନ୍ତି, “ଢେଙ୍କାନାଳ ଆନ୍ଦୋଳନର ଆଖି , ନାକ , କାନ ସବୁ କିଛି ଥିଲେ ମାଳତୀ ଦେବୀ ଓ ନବବାବୁ । ”(ଢେଙ୍କାନାଳ ଅନ୍ଦୋଳନ ଓ ମାଳତୀ ଦେବୀ, ନୁମା-ଏକ ସଙ୍କଳନ, ପୃ ୧୦୭)

Please support atleast Rs 20/- , Rs 50/- , Rs 100/- for a story.

ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Related Articles

Leave a Reply

Your email address will not be published.

Back to top button