ଆମ ପିଲାଦିନ ନାଟତାମସା

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ 333 Views
6 Min Read

[box type=”shadow” align=”aligncenter” class=”” width=””]ଗାଁରେ ନିଜ ପିଲାଦିନେ ଦେଖିଥିବା ନାଟ ତାମସାର ଅନୁଭୂତି ଗୁଡିକୁ ଆମ ଆଗରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି ବିଶିଷ୍ଟ ଜୈବ ଚାଷୀ ଓ ପୂର୍ବତନ ଶିକ୍ଷକ ନଟବର ଷଡ଼ଙ୍ଗୀ । ତାଙ୍କର ବିଷୟବସ୍ତୁ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ନିଆରା । ମନେହେବ ଯେମିତି ଉପନ୍ୟାସ ପଢିଚାଲିଛି । ତାଙ୍କ ପିଲାଦିନେ ପାଖାପାଖି 1940-45 ମସିହା ସମୟରେ ଗାଁମାନଙ୍କରେ ଟିଭି ରେଡ଼ିଓ ଆସିନଥିଲା, ଗାଁ ଲୋକେ ମନୋରଞ୍ଜନ ପାଇଁ କଣସବୁ କରୁଥିଲେ ଜାଣିବାର ଆଗ୍ରହ ଆଜିର ପିଢ଼ିଭିତରେ ରହିବା ସ୍ୱାଭାବିକ । ‘ଆମ ପିଲାଦିନ ନାଟ ତାମସା’ ବିଷୟଟି ସେହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏକଥା ବୁଝିଛନ୍ତି ନଟବର ଷଡ଼ଙ୍ଗୀ ସେଇଥିପାଇଁ ବୟସ ତାଙ୍କ ପାଖରେ ହାର ମାନିଛି । ଏହି ପ୍ରୟାସ ପାଇଁ ତାଙ୍କୁ ଅଶେଷ ଧନ୍ୟବାଦ ଓ ଶୁଭକାମନା – ସମ୍ପାଦକ[/box]

Support Samadhwani

ତିନିଥରକୁ ଧରମ ଛାଡ଼ । ନାଟ ତାମସା ଗାନ୍ଧର୍ବ ବିଦ୍ୟା । ମୋର ସେଥିରେ ବିଶେଷ ଦଖଲ ନଥାଏ । ହେଲେ ବାହା ନହେଲେ କ’ଣ ବରଯାତ୍ରି ଯାଇନେ । କାନ ଦିଟାତ ଅଛି । ଆଖି ଦିଟାକୁ ଦିଶୁଛି। କାନକୁ ଶୁଭୁଛି । ନାଟ କାନ ଡ଼େରି ଆମେ ଶୁଣି ଥାଉ । ଏପର୍ଯ୍ୟନ୍ତ ଦୁଇଥର ଫାଳେ ଦିଫାଳେ ଲେଖି ଆଉ ଆଗକୁ ଯାଇପାରୁନି । ଏବେ ଧର୍ମ ଛାଡ଼ । ଏଥର ସାରିବା ପର୍ଯ୍ୟନ୍ତ ଲେଖିବା । । ଆଣ୍ଟ କରୁଛିତ । ଦେଖାଯାଉ ଫଳେନ ପରିଚୟତେ ।

ମୋର ଜନ୍ମ ୧୯୩୪ । ୮୭ ବର୍ଷ ହେଲାଣି । ଶହେକୁ ଧକା ଦେଲାଣି । ଏତେଦିନ ତଳର କଥା କେତେବା ମନେ ରହିବ? ଯାହା ପାଞ୍ଚ ତିନି ମନେ ପଡ଼ୁଛି ଟିକେ ଟିକେ ଲେଖୁଛି । ୧୯୪୦ ବେଳକୁ ମତେ ଛଅବର୍ଷ ହେଲାଣି । ହେତୁ ହେଲାଣି । ବୋଉ ବିଚାରରେ ଉଡ଼ିଆଣି ଦୋଷ କଟିଲାଣି । ଟିକେ ଠେକେ ହେଲାଣି । ନାଟ ତାମସା କଥା ତ ଅନେକ । କୋଉଠୁ ଆରମ୍ଭ କରିବା । ପିଲାଦିନେ ଗୋଟିଏ ଗପ ପଢ଼ିଥିଲୁ । ଆଗେତ ଶୀକାର କରି ବଞ୍ଚିବା ପ୍ରଧାନ କାମ ଥିଲା । ଦିନକର କଥା ଜଣେ ଶିକାରୀ ହରିଣ, କୁଟୁରା, ଠେକୁଆ ପାଞ୍ଚ ସାତଟି ଜନ୍ତୁ ସେଦିନ ମାରିଥାଏ । ବାଘତ ଜଙ୍ଗଲର ରାଜା । ବାହାରି ପଡ଼ିଲାକି! ରାଗ ତମ୍ ତମ୍ ହେଇ ଶିକାରୀକୁ ବେକରୁ ଧରି ଖତମ କରିଦେଲା । ବିଲୁଆ ଆସିଲା । ଗୁଡ଼ାଏ ଜନ୍ତୁ, ମଲା ମଣିଷଟେବି, ତା ପାଟିରୁ ଲାଳ ବୋହିଲାଣି । କାହାକୁ ଆଗ ଖାଇବ? ଦେଖିଲା ବାଣୁଆର ଧନୁଟି ପଡ଼ିଛି । ଧନୁର ଗୁଣଟିତ ଚମଡ଼ାରେ ତିଆରି । ଠିକ୍ କଲା ‘ଆଗେ ଧନୁର୍ଗୁଣ’ । ଗୁଣକୁ କାମୁଡ଼ିଛିତ ଗୁଣ ଛିଣ୍ଡି ଧନୁ ବିଲୁଆ ପେଟରେ ଭୁଷିହୋଇଗଲା । ବିଲୁଆ ନାରାୟଣ । ଅତି ଲୋଭରୁ ମୃତ୍ୟୁ । ମରେ ବା ବଂଚେ ଆଗ ମୁଣ୍ଡପୋତା କେଳାଠାରୁ ଆରମ୍ଭ କରିବା ।

ଆମ ଗାଁ ନରିଶୋ । ଚାରିଆଡ଼େ ଜଙ୍ଗଲ । ଦିନ ଦ୍ୱିପ୍ରହରେ ବି ଠାଏ ଠାଏ ଅନ୍ଧାର । ବେତ ବଣ, ଭଇଁଚ କୋଳି, ଦୁଧ କୋଳି, ଶଗଡ଼ବାଟୁଆ କୋଳି, ଲୁଣ କୋଳି, ଫିରିଙ୍ଗ କଣ୍ଟା ଚାରିଆଡ଼େ ଭର୍ତ୍ତି । ବାଘ, ଗଧିଆ, ବିଲୁଆ, କଟାସ, ଠେକୁଆ, କୋକିଶିଆଳି, ସାପ, ନେଉଳ ସମସ୍ତଙ୍କର ଯାତ । ଦାଣ୍ଡକୁ ବୋଉ ମତେ ଏକୁଠିଆ ଛାଡ଼ୁନି । ଡ଼ର, କେତେବେଳେ କୋଉ କଥା । ପିଲାଳିଆ ପ୍ରକୃତିତ, ଅମାନିଆ । ସେତବେଳକୁ ମୋର ୪/୫ଜଣ ସାଙ୍ଗ ହେଲେଣି । ନକୁଳ ଭାଇନା, ନୀଳ, ଆର୍ତ୍ତ, ହାର, ସୀତା, ତିଳ । ଆମେ ଘରୁ ଲୁଚି ଲୁଚି ଦାଣ୍ଡକୁ ଆସୁ । ବାଲିରେ ଖେଳୁ । ନଡ଼ିଆ ଶଢ଼େ଼ଇ ୪/୫ ସଂଗ୍ରହ କରାଯାଏ । ତିନିଟା ଶଢ଼େଇରେ ଚୁଲି ତିଆରି କରୁ । ଶଢ଼େଇ ଉପରେ ଆଉ ଗୋଟେ ଶଢ଼େଇ ସେଥିରେ ରୋଷେଇ ବାସ ହବ । ମିଛି ମିଛିକା ପରିବା କଟା । ଆମେତ ଦେଖୁଛୁ ବୋଉମାନେ ରୋଷେଇ କରୁଛନ୍ତି । ହାର, ସୀତାଙ୍କୁ ଲଗେଇଦଉ ପରିବା କାଟିବେ । ବେଶର ବାଟିବେ । ଭାତ, ଡ଼ାଲି, ତରକାରୀ ରାନ୍ଧିବେ । ମିଛି ମିଛିକା ମଁ । ଆମେ ଖାଇବୁ । ଭଲ ଜମେ । ନଡ଼ିଆ ଗୋଟମାରେ ଖଡ଼ିକା ଲଗାଇ ରଥବି ତିଆରି କରୁ । ବାଲିଗଦା କରି ପାଣି ଛିଞ୍ଚି ଘରବି ତିଆରି ହୁଏ । ନକୁଳ ଭାଇନା ଘର ତିଆରିରେ ଓସ୍ତାଦ୍ । ଘରକୁ ବାଟଟେବି ରଖିବେ । ସବୁ ଭଲରେ ଭଲରେ ଚାଲିଥିବ । ହଠାତ୍ ପିଠିରେ ୨/୪ ବିଧା ନହେଲେ ଅଚଞ୍ଛା ବାଉଁଶ କଣିରେ ଦୁଇ ଚାରି ଛାଟ ବାଜିଗଲାତ ‘ମରିଗଲି, ମରିଗଲି’ କହି ଚାଳୁଆ ଚାକରେ ଗାଡ଼ୁଆ ଗାତରେ । ମୋ ହାତ ଧରି ବୋଉ ଘୋସାରି ନିଏ । ପ୍ରତିଦିନ ଏଇ ନାଟକ କିଛିନା କିଛି ଲାଗିଥାଏ । ମାଡ଼କୁ ଆମେ ପିଠେଇ ଦଉ ।

Support Samadhwani

ନାଟ ତାମସାକୁ ଆସିବା । ଦିନକର କଥା । କଅଁଳ ଗାଧୁଆ ବେଳ । ଆମେ କୋଉ ମାନିବା ପିଲା । ଦାଣ୍ଡରେ ଆମର ରୋଷେଇବାସ ଚାଲିଛି । ହାର, ସୀତା ରୋଷେଇବାସ କଥା ବୁଝୁଛନ୍ତି। ଆମେ ଏଭିତରେ ୫/୭ଟି ପଣସ ପତ୍ର ଆଣି ପକାଇଲାଣୁ । ବଢ଼ାକୁଢ଼ା ହବ । ଖାଇବୁ । ପହଞ୍ଚିଗଲେ ଦୁଇଜଣ ଅଚିହ୍ନା ଲୋକ । ଜଣେ ମର୍ଦ୍ଦ । ଖଣ୍ଡେ ଛିଣ୍ଡା ଗାମୁଛା ଅଣ୍ଟାରେ ଗୁଡ଼ାଇଛି । ଚିକିଟା ମଳି ନଖ ଘୋସାରିଦେଲେ ମଇଳା ଲାଗିଯିବ । ଦିହ ତମାମ ଧୁଳିଆ ଧୂସର । ମୁଣ୍ଡରେ ମାସେ ହବ ତେଲ ଲାଗିନି । ବାଳ ଫୁରଫୁର ଉଡ଼ୁଛି । ନାକ ଉପରେ ୨ଟା ଲମ୍ବ ନିଶ । ଆଖି ଦିଟା ପଶିଯାଇଛି । ମୁଠାଏ ଲେଖାଏଁ ଚାଉଳ ଗାତରେ ଭର୍ତ୍ତି ହୋଇଯିବ । ଛାତିର ପଞ୍ଜରାହାଡ଼ ଗଣି ହୋଇଯାଇଛି । ଗୋଟେ ଭାର କାନ୍ଧେଇଛି । ପେଟ ପିଠିରେ ଲାଗିଯାଇଛି । ଭାର ଗୋଟେପଟେ କିଛି ବୁଜୁଳା ବୁଜୁଳି । ଆରପଟ ଟୋକେଇରେ ଦିଟା ଛୋଟ ଛୋଟ ପିଲା । ହାଡ଼ମାଂସ ହେଇ ପୁଳେ ଲେଖାଏଁ ହବ । ମାଇପିଟି ଗୋଟେ ଟୋକେଇ ମୁଣ୍ଡାଇଛି । କାଖରେ ଗୋଟେ ପିଲା । ସେ ମା’ଠୁ ଦୁଧ ଝୁଣୁଛି । ମୁଁ ୨/୩ ବର୍ଷ ଯାଏ ବୋଉଠାରୁ କ୍ଷୀର ପିଉଥିଲି । ମା ପିଲା କଥା ବୁଝିଗଲି । ଆମ ଖେଳ ଖତମ । ଆଗନ୍ତୁକ ଦିଜଣ ଦାଣ୍ଡରେ ଗୋଟାଏ ଜାଗରେ ଆସ୍ଥାନ ଜମାନ୍ତି । ଆମେ ସେମାନଙ୍କୁ ଘେରି ଠିଆ ହୋଇଗଲୁ । କଥା କ’ଣ କିଛି ଟେର ପାଉନୁ । ପିଲା ଗୁଡ଼ାକ କାନ୍ଦି କାନ୍ଦି ନନ୍ଦରା କତରା । ମା ବୁଝାଇଛି । ବୋଧେ ସେମାନଙ୍କୁ ଭୋକ ଲାଗୁଛି । ହାଣ୍ଡି ଟିଏତ ଅଛି । କିଛି ତୋରାଣି ସରାଟିରେ ଢାଳି ପିଲାଙ୍କୁ ପେଇଲା । ଢ଼କ ଢ଼କ କରି ପିଇଗଲେ । ଥୟ ପଡ଼ିଗଲେ ।

…କ୍ରମଶଃ

photo credit- https://bit.ly/3wzeHB8

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)