ବହି ଦିନ ଅର୍ଥାତ୍ ୨୩ ଏପ୍ରିଲ୍

ଆରେ ବାବୁ,କୌଣସି ବହି ତ ଆଉ ମୁହଁ ଫିଟାଇ କାହାକୁ କହିପାରିବନି,ଭାବ ଅଭାବକୁ ପସରାମେଲି ବସିଛି,ଆସ !

ଜ୍ୟୋତି ନନ୍ଦ
ଜ୍ୟୋତି ନନ୍ଦ 406 Views
8 Min Read
୨୩ ଏପ୍ରିଲ୍ କୁ ବହିଦିନ ହିସାବରେ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରାଯାଏ । ପ୍ରସିଦ୍ଧ ନାଟ୍ୟକାର ଉଇଲିଅମ ଶେକସପିଅରଙ୍କ ଉଭୟ ଜନ୍ମ ଆଉ ମୃତ୍ୟୁଦିନ ହେଉଛି ଏଇ ୨୩ ଏପ୍ରିଲ୍ । ଏମିତିରେ କହିବାକୁ ଗଲେ ୧୫୬୪ ଖ୍ରୀଅ ଏବଂ ୧୬୧୬ଖ୍ରୀଅ ଉଭୟ ର ଏପ୍ରିଲ ମାସ ୨୩ ତାରିଖ ହେଉଛି ଶେକସପିଅରଙ୍କ ଜୀବନ ନାଟକର ଆରମ୍ଭ ଆଉ ଶେଷ । ତାଙ୍କର ସମ୍ମାନାର୍ଥେ ଏହି ଦିନଟିକୁ ବହି ଦିନ ଆକାରରେ ପାଳନ କରାଯାଇ ଆସୁଛି ।
ବହି ଦିନ ହିସାବରେ ଯେଉଁ ଦିନକୁ ଆମେ ପାଳନ କରୁ ଅର୍ଥାତ୍ ଏପ୍ରିଲ ମାସର ୨୩ ତାରିଖ ହେଉଛି ଏମିତିରେ ଗୋଟିଏ ବଡ ମାରକ ଦିବସ । କେବଳ ଶେକସପିଅର ନୁହଁ ଅନେକ ଉଚ୍ଚମାନର ସାହିତ୍ୟରଥିଙ୍କର ଏଇ ସମାନ ଦିନରେ ଦେହାବସାନ ହୋଇଅଛି ।
ମରଣ ସହିତ ବହିର କେଉଁ ସଂପର୍କ ଅଛି ବୋଲି କଥାଟିକୁ ବୁଝିବାକୁ ଗଲାବେଳେ ଆମ ଆଗକୁ ପ୍ରସିଦ୍ଧ କଥାକାର ହର୍ହେ ଲୁଇସ୍ ବର୍ହେସ ଙ୍କର ଗୋଟିଏ ଉଦ୍ଧୃତି ସ୍ମରଣକୁ ଆସିବ । ବର୍ହେସ୍ କହିଛନ୍ତି,ମଣିଷ ମରିଗଲେ ଗୋଟିଏ ବହି ପାଲଟି ଯାଏ । ମଣିଷ ଆଉ ମରଣକୁ ନେଇ ଏହାଠାରୁ ଭଲ ଆଉ ଗୋଟିଏ ଦ୍ୱିତୀୟ ମନ୍ତବ୍ୟ ହେବନାହିଁ । ମରଣ ପରେ ଆମେ ସତରେ ଗୋଟିଏ ବହି ପାଲଟି ଯାଉ । କାହା କାହାକୁ ବହିରୂପରେ ପୃଥିବୀର ଲୋକେ ନିଜର ଅଧ୍ୟୟନର ପରିସରରେ ସବୁବେଳେ ରଖିବାକୁ ସୁଖ ପାଆନ୍ତି ଆଉ କାହା କାହାକୁ ନିଜ ଘର ବଇଦ ଭଳି ଅସୁବିଧାରେ ପଡିଲେ ଠୁଣୁକାଠୁଣୁକି ପାଇଁ ଲୋଡିଥାଆନ୍ତି ।
ଅନେକଙ୍କୁ ଏଡାଇ ସିଧା ବାଟ ଭାଙ୍ଗି ଯାଆନ୍ତି । ଶେଷୋକ୍ତ ପାରଲୌକିକ ଭାଗ୍ୟ ସହିତ ଚିରକାଳ ବସବାସ କରିବା ଆମର ଭବିତବ୍ୟ ବୋଲି ଜାଣି ଆମର ସାମାନ୍ୟତମ କ୍ଷୋଭ ନାହିଁ । ତମେ ସତ କହୁଚ ? ନା ,ତମକୁ ଅସ୍ୱୀକାର କରାଯାଉଛି ବୋଲି ଇଏ କ୍ଷୋଭ ତଥା ପ୍ରତିକ୍ରୀୟା ପ୍ରକାଶର ଇଏ ଏକ ଚଟୁଳ ବାଗାଡମ୍ବର ?
ଆରେ ବାବୁ,କୌଣସି ବହି ତ ଆଉ ମୁହଁ ଫିଟାଇ କାହାକୁ କହିପାରିବନି,ଭାବ ଅଭାବକୁ ପସରାମେଲି ବସିଛି,ଆସ ! କାହାକୁ ବାଧ୍ୟ କରି କହିପାରିବ ନାହିଁ ଯେ,ମୁଁ ପରା ତମର ସମସ୍ତ ଜଟିଳ ଅବବୋଧର ବର୍ଣ୍ଣବୋଧ । ତମ ସାମ୍ନାରେ ଏଇ ଯେଉଁ ପୃଥିବୀ ଦିନକୁ ଦିନ ଜଟିଳରୁ ଜଟିଳତର ହୋଇଯାଉଛି ତାହାକୁ ବୁଝିବାକୁ ହେଲେ ତମେ ଆସ, ମୋ ଦେହକୁ ଯେତେ ପାରିବ ଝୁଣି ଖାଅ ।
ଏମିତି ପାଠଟି କିନ୍ତୁ ହେବ ନାହିଁ । ତମେ ମରଣ ପରେ ଯେଉଁ ଭଳି ବହି ପାଲଟି ଯାଇଛ ସେତେବେଳେ ମୁହଁମାଡି ମଲାଟ ଭିତରେ ତମର କେବଳ ଶୋଇ ରହିବାର କଥା । ଆଉ ଅଧିକ କିଛି ଭାବନା ନଥିବ । ହଁ ,ମରଣ ପରେ ତମେ ଯେଉଁ ବହିରୂପ ନେବ ସେତେବେଳେ ତମର ଗୋଟିଏ କଥା ମନେ ରଖିବା ଉଚିତ । ଯେଉଁ ବହି ଯେତେ ବ୍ୟବହାରରେ ଥାଏ ତାହା ସେତିକି ପୁରୁଣା ସେତିକି ଜୀର୍ଣ୍ଣ ଶୀର୍ଣ୍ଣ । ବ୍ୟବହାର ରେ ରହୁନାହଁ ମାନେ ତମେ ଆଉ ଯାହା ହୁଅନା କାହିଁକି ବହି ଆକାରରେ ତମେ ସବୁବେଳେ ଅରଖ ନୂଆ ।
ନିଜେ ବହି ହିସାବରେ ସବୁବେଳେ ନୂଆ ବା ସେଇଭଳି ଚଇନି ଫିଟ୍ ରହିବାର ଆନନ୍ଦ ଯାହାକୁହ ସବୁବେଳେ ବିଶେଷ,ସବୁବେଳେ ସ୍ୱତନ୍ତ୍ର ।
ଉପସ୍ଥିତ ଲେଖକ ଆକାଶକୁ ବେଳେ ବେଳେ ଚାହିଁଲେ ସଫା ମଲାଟମାନ ଦେଖାଯାଆନ୍ତି । ଆତ୍ମକଥା ଲେଖିବାକୁ ଭାରି ଇଚ୍ଛା ହୁଏ,ଯାହାର ପାଠକ କେବଳ ଜଣେ,ଅର୍ଥାତ୍ ତମେ ନିଜେ ।
୨୩ ଏପ୍ରିଲ କୁ ବହିଦିନ ଆକାର ରେ ପାଳନ କରିବା ଧାରଣା ଶେକସପିଅରଙ୍କ ମରଣ ଦିବସ କୁ ଆଧାରକରି ପ୍ରଥମରୁ ଆରମ୍ଭ ହୋଇ ନଥିଲା । ଏହାର ପରିକଳ୍ପନା କରିଥିଲେ ଜଣେ ସ୍ପେନୀୟ ସାହିତ୍ୟକାର । ତାଙ୍କର ନାଆଁ ହେଉଛି ଭିସେନ୍ତ କ୍ଲାଭେଲ୍ ଆଦ୍ରେସ୍ । ଭିସେନ୍ତଙ୍କ ସାହିତ୍ୟ ଗୁରୁ ଥିଲେ ସ୍ପେନ୍ ର ଆଉଜଣେ ପ୍ରଖ୍ୟାତ ଲେଖକ ମିଡେଲ୍ ଦେ ଥେର୍ଭାନ୍ତେସ୍ । ଥେର୍ଭାନ୍ତେସ୍ ଙ୍କର ବିୟୋଗ ୧୯୧୬ ସାଲ ଏପ୍ରିଲ୍ ମାସ ୨୩ ତାରିଖ ରେ ଘଟେ ।
ନିଜର ଗୁରୁକୁ ସ୍ମରଣ କରିବା ପାଇଁ ୧୯୨୩ ର ଏପ୍ରିଲ୍ ୨୩ ତାରିଖ ଠାରୁ ଆଦ୍ରେସ୍ ସ୍ପେନ୍ ରେ ବିଶ୍ୱ ବହି ଦିବସ ପାଳନ ର ଆରମ୍ଭ କରନ୍ତି । ଏହି ଭଳି ଗୋଟିଏ ଦିବସ ପାଳନ କରିବା ପଛରେ ଆଦ୍ରେସଙ୍କ ଉଦ୍ଦେଶ୍ୟ ଥିଲା ବହି ପଢିବା ମାଧ୍ୟମରେ ମଣିଷର ଆତ୍ମାର ପରିଶୁଦ୍ଧି,ମୁକ୍ତି,ପାରସ୍ପରିକ ଚିନ୍ତାର ବିନିମୟ,ଜୀବନରେ ଆନନ୍ଦର ପରିପ୍ରକାଶ ତଥା ଜୀବନର ଜଟିଳ ଅବବୋଧକୁ ହୃଦୟଙ୍ଗମ ।
୧୯୨୩ ଠାରୁ ପ୍ରତି ଏପ୍ରିଲ୍ ୨୩ ତାରିଖ ଦିନ ବିଶ୍ୱ ବହି ଦିବସ ଆଦ୍ରେସ୍ ଙ୍କ ଏଇଭଳି ପରିକଳ୍ପନା ଅନୁସାରେ ପାଳିତ ହୋଇ ଆସୁଥିଲା । ୧୯୯୫ ସାଲରେ ୟୁନେସ୍କୋ ସେଇ ଏପ୍ରିଲ୍ ୨୩ କୁ ଆନ୍ତର୍ଜାତିକ ପୁସ୍ତକ ଦିବସ ହିସାବରେ ପାଳନ କରିବାକୁ ଘୋଷଣା କରିଥିଲା । ତଦନୁସାରେ ୧୯୯୫ ଠାରୁ ସେହି ଦିନ ପୁସ୍ତକ ଦିବସ ସର୍ବତ୍ର ପାଳନ କରାଯାଉଛି । ୟୁନେସ୍କୋର ପୁସ୍ତକ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି,ବହି ପଢା,ବହି ଛାପା ଏବଂ ବହିର କପିରାଇଟ ସଂରକ୍ଷଣ ବିଷୟରେ ଅଧିକ ସଚେତନତା ବୃଦ୍ଧି ।
ଆମର କାକତାଳୀୟ ବୋଲି କଥାଟିଏ ଅଛି ଯେଉଁଠି କାର୍ଯ୍ୟ କାରଣ ରହିତ ଗୋଟିଏ କୁଆ କେଉଁଠୁ ଉଡିଆସେ ଆଉ ଠିକ୍ ସେତିକିବେଳକୁ କେଉଁଠି ତାଳଟିଏ ତାଳଗଛର ଉଚ୍ଚ ଡାଳରୁ ଖସିପଡେ । ଆମେ ଉଭୟ ଘଟଣାର ଆକସ୍ମିକତାରେ ଆଶ୍ଚର୍ଯ୍ୟ ହେଉ,ପ୍ରଭାବିତ ହେଉ ମାତ୍ର ଏହି ଘଟଣାର କାରକ ଯଥା କୁଆ ଆଉ ତାଳକୁ ନେଇ କୌଣସି ଭ୍ରୁକୁଞ୍ଚନ କରୁନା ।
ଠିକ୍ ସେମିତି ଏଇ ୨୩ ଏପ୍ରିଲ ତାରିଖରେ ଘଟିଥିବା ଅନେକ ଘଟଣାର ଉଲ୍ଲେଖ କରିବାକୁ ଆଗ୍ରହୀ ହେଉଥିବା ବେଳେ ଆମର ମନେରଖିବାକୁ ହେବ ଯେ, ଏମିତିରେ କହିଲେ ଗୋଟିଏ ଦିନ ବା ଗୋଟିଏ ତାରିଖରେ ପୃଥିବୀସାରା ଅନେକ ଘଟଣା ଘଟିଥାଏ ଆଉ ସେ ଦୃଷ୍ଟି ରୁ ଆମ ଆଗରେ କାକତାଳୀୟତା ଆଉ କ’ଣ ? କାକତାଳୀୟତାକୁ ଖୋଜିବାକୁ ହୁଏ ଆଉ ଆଶ୍ଚର୍ଯ୍ୟର କଥା ଯେ ଏଇ ଦିନ ଅର୍ଥାତ୍ ୨୩ ଏପ୍ରିଲ୍ ଦିନ ଅନେକ ପ୍ରସିଦ୍ଧ ଲେଖକ କବିଙ୍କର ଦେହାବସାନ ଘଟିଅଛି ।
ଶେକସପିଅର ଙ୍କ ଦେହାବସାନ ଦିନ ଅର୍ଥାତ୍ ୨୩ ଏପ୍ରିଲ୍ ୧୬୧୬ ଦିନ ସ୍ପେନ୍ ର ଲେଖକ ତଥା ବିଶ୍ୱ ସାହିତ୍ୟ ର ଅନ୍ୟତମ ପ୍ରସିଦ୍ଧ ଲେଖକ ମିଗୁଏଲ୍ ସର୍ଭାଣ୍ଟିସ୍ ଙ୍କର ଦେହାବସାନ ହୋଇଥିଲା । ସର୍ଭାଣ୍ଟିସ୍ ଙ୍କ ଉପନ୍ୟାସ “ଡନ୍ କୁଇହୋତି” (ଯଦିଓ ଏହାର ଶୀର୍ଷକ ଟି ଅନେକ ଦୀର୍ଘ,
ଓଡିଆରେ କେହି କେହି ଏହାକୁ “ଡନ୍ କୁସ୍ତି” ବୋଲି କହିଥାନ୍ତି ) ଆମର ବେଶ୍ ପରିଚିତ । ଏବଂ ୧୬୧୬ ଖ୍ରୀଅ ର ଏହି ସମାନ ଦିନରେ ଏଲ୍ ଇନକା ଗାର୍ସିଲାସୋ ଦି ଲା ଭେଗା ବୋଲି ଜଣେ ଐତିହାସିକ ଙ୍କର ପରଲୋକ ଘଟିଥିଲା। ଗାର୍ସିଲାସୋ ଙ୍କ ଲିଖିତ ବୃତ୍ତାନ୍ତ ଫଳରେ ଇଉରୋପୀୟ ଜଗତ ପ୍ରାଚୀନ ଆମେରିକୀୟ ଅଧିବାସୀଙ୍କ ଇତିହାସ ତଥା ସାଂସ୍କୃତିକ ଚଳଣୀ ସଂପର୍କ ରେ ଅବଗତ ହୋଇଥିଲେ । ଏହି ଭଳି ଗୋଟିଏ ପ୍ରାଚୀନ ପରଂପରାକୁ ଲୋକଲୋଚନକୁ ଆଣିଥିବା କାରଣରୁ ଗାର୍ସିଲାସୋଙ୍କୁ ସମ୍ମାନର ସହ ସ୍ମରଣ କରାଯାଏ ।
ଇଂଲଣ୍ଡର ଦକ୍ଷିଣପଶ୍ଚିମରେ ଅବସ୍ଥିତ ୱେଲସ୍ ର ଜଣେ ମେଟାଫିଜିକାଲ୍ କବି ହେନରି ଭନ୍ ଙ୍କର ଏପ୍ରିଲ୍ ମାସର ଏଇ ୨୩ ତାରିଖ ଦିନ ବି ପରଲୋକ ଘଟିଥିଲା । ଏଇଠି ସାଲ ଟି ଥିଲା କିନ୍ତୁ ୧୭୯୫ । ଏଇ ଦିନ ଲୋକାନ୍ତରିତ ହୋଇଥିବା କବିଙ୍କ ତାଲିକା ରେ ଅଛନ୍ତି ୧୭୪୦ ଖ୍ରୀଅ ରେ ଥୋମାସ ଟିକେଲ୍ ,ଯିଏ ସମସାମୟିକ ନାୟକ ମାନଙ୍କୁ ଉପରେ କବିତା ରଚନା କରି ପ୍ରସିଦ୍ଧ ଥିଲେ ।
୧୮୫୦ ସାଲ ର ଏପ୍ରିଲ୍ ୨୩ ରେ ଯେଉଁ କବି ଜଣକ ମୃତ୍ୟୁ ବରଣ କରିଥିଲେ ସେ ଶେକସପିଅର୍ ଆଉ ସର୍ଭାଣ୍ଟିସ୍ ଙ୍କ ଭଳି ଆମର ବେଶ୍ ପରିଚିତ । ଆମର ପିଲାଏ ତାଙ୍କର ପାଠ୍ୟକ୍ରମରେ ଏଇ କବି ଙ୍କୁ ଭେଟିଥାନ୍ତି ଆଉ ସେ ପ୍ରାୟତଃ ଆମର ସ୍ମରଣ ରେ ରହିଥାନ୍ତି । ୨୩ ଏପ୍ରିଲ୍ ୧୮୫୦ ଠାରୁ ଅବର୍ତ୍ତମାନ ହୋଇଯାଇଥିବା ଏହି ପ୍ରସିଦ୍ଧ କବିଙ୍କ ନାଆଁ ହେଉଛି ଉଇଲିଅମ ୱାର୍ଡସୱାର୍ଥ ।
ଶେକସପିଅର ଏବଂ ସର୍ଭାଣ୍ଟିସ ଙ୍କ ଯୋଗସୂତ୍ରକୁ ଆଖି ଆଗରେ ରଖି ୟୁନେସ୍କୋ ଏହି ପ୍ରଖ୍ୟାତ ମାରକ ଦିବସ ଅର୍ଥାତ୍ ୨୩ ଏପ୍ରିଲ୍ କୁ “ଆନ୍ତର୍ଜାତିକ ପୁସ୍ତକ ଦିବସ ” ହିସାବରେ ପାଳନ କରିବା ପାଇଁ ଘୋଷଣା କରିଛି ।
ଏଇଠି ଆଉ ଗୋଟିଏ ତଥ୍ୟ ସହ ଏଇ ପ୍ରସିଦ୍ଧ ମାରକ ଦିବସ ର କଥା ସ୍ଥଗିତ ରହିବ । ଷ୍ଟ୍ରାଟଫୋର୍ଡ ଅଫ୍ ଏଭନ ରେ ଶେକସପିଅର୍ ୨୩ ଏପ୍ରିଲ୍ ୧୬୧୬ ରେ ଯେତେବେଳେ ମୃତ୍ୟୁ ବରଣ କରିଥିଲେ ଠିକ୍ ସେତେବେଳେ କିନ୍ତୁ ମାଦ୍ରିଦ୍ ରେ ସର୍ଭାଣ୍ଟିସ୍ ଙ୍କର ଅର୍ଥାତ୍ ସେହି ୨୩ ଏପ୍ରିଲ୍ ୧୬୧୬ ରେ ମୃତ୍ୟୁ ଘଟିନଥିଲା ।
ଏହା କେମିତି ସମ୍ଭବ ? ଗୋଟିଏ ତାରିଖ ଗୋଟିଏ ମସିହା ଅଥଚ ଉଭୟ ଶେକସପିଅର୍ ଆଉ ସର୍ଭାଣ୍ଟିସ୍ ଙ୍କ ବିୟୋଗ ଗୋଟିଏ ଦିନରେ ଘଟିନାହିଁ ? ଏହାର ଉତ୍ତର ଅତି ସହଜ ଏଇ ଦୁଇଜଣ ସାହିତ୍ୟ ରଥିଙ୍କର ଶେଷଦିନକୁ ଦୁଇଟି ଭିନ୍ନ ଭିନ୍ନ ପଞ୍ଜିକା ଅନୁସାରେ ଉଲ୍ଲେଖ କରାଯାଇ ଆମ ଆଗରେ ରଖାଯାଇଛି । ସର୍ଭାଣ୍ଟିସ୍ ଙ୍କ ଶେଷଦିନ ଅର୍ଥାତ୍ ୨୩ ଏପ୍ରିଲ୍ ୧୬୧୬ ପ୍ରାଚୀନ ସମୟରୁ ପ୍ରଚଳିତ ହୋଇ ଆସୁଥିବା ଜୁଲିଆନ କାଲେଣ୍ଡର ଅନୁସାରେ ଲିପିବଦ୍ଧ ହୋଇଅଛି । ମାତ୍ର ଶେକସପିଅର୍ ଙ୍କ ଶେଷ ଦିନ ଅର୍ଥାତ୍ ୨୩ ଏପ୍ରିଲ୍ ୧୬୧୬ ତାରିଖ ଆକାରରେ ଲିପିବଦ୍ଧ ହୋଇ ରହିଥିଲେ ହେଁ ଏହା ବାସ୍ତବରେ ନୂତନ ଏବଂ ସଂସ୍କାର ହୋଇଥିବା ଗ୍ରେଗୋରିଆନ୍ ପଞ୍ଜିକା ଅନୁସାରେ ଉଲ୍ଲେଖ କରାଯାଇଛି । ଗ୍ରେଗୋରିଆନ୍ ପଞ୍ଜିକା ହିସାବରେ ଏପ୍ରିଲ୍ ୨୩ ତାରିଖ ହେଉଛି ପ୍ରାଚୀନ ଜୁଲିଆନ କାଲେଣ୍ଡର ର ଏପ୍ରିଲ୍ ୨୩ ତାରିଖ ତୁଳନାରେ ଦଶଦିନ ପଛୁଆ ।
ଗ୍ରେଗୋରିଆନ୍ କାଲେଣ୍ଡର ପ୍ରଚଳନ ହେଲାବେଳେ ୪ ଅକ୍ଟୋବର ୧୫୮୨ ର ପରଦିନ ଅର୍ଥାତ୍ ଯାହା ଅସଲରେ ହେବା କଥା ୫ ଅକ୍ଟୋବର ୧୫୮୨ ସେଦିନ ଏହି ନୂଆ କାଲେଣ୍ଡର ଅନୁସାରେ ସମସ୍ତେ ଗ୍ରହଣ କରିନେଇଥିଲେ ଯେ ସେଦିନ ହେଉଛି ୧୫ ଅକ୍ଟୋବର ୧୫୮୨।
ଶେକସପିଅର୍ ଏବଂ ସର୍ଭାଣ୍ଟିସ୍ ଙ୍କ ଶେଷ ଦିନ ର ସମାନ ତାରିଖ ଭିତରେ ଏହିଭଳି ଦଶଦିନ ଗୁପ୍ତ ରହି ଯାଇଛି। ଶେକସପିଅର୍ ପାଇଁ ୨୩ ଏପ୍ରିଲ ତାରିଖଟି ଆସିବା ପାଇଁ ସର୍ଭାଣ୍ଟିସ୍ ଙ୍କ ୨୩ ଏପ୍ରିଲ ତୁଳନାରେ ଦଶଦିନ ଅଧିକ ସମୟ ନେଇଛି ।
Share This Article