ଜଗନ୍ନାଥ ସଂସ୍କୃତିର ମୂଳ କଥା

10 Min Read

ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡିଶାର ରାଜନୈତିକ-ସାଂସ୍କୃତିକ ଇତିହାସରେ ରାଜ୍ୟ ଗଠନ ଏକ ସ୍ମରଣୀୟ ଅଧ୍ୟାୟ । ଏହି ଆଞ୍ଚଳିକ ରାଜ୍ୟ ସଂଗଠନ ଯୋଜନା ନାନା ଉପାଦାନର ସକ୍ରିୟ ସହଯୋଗରେ ସମ୍ଭବ ହୋଇପାରିଥିଲା । ସେହି ସକଳ ଉପାଦାନ ମଧ୍ୟରେ ଧର୍ମର ଭୂମିକାକୁ ଅସ୍ୱୀକାର କରିହେବନାହିଁ । ମଧ୍ୟଯୁଗର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ଓଡିଶାରେ ଧର୍ମଧାରଣା ଜଗନ୍ନାଥ ତତ୍ତ୍ୱ ସହିତ ବିଶେଷ ଭାବରେ ଜଡିତ ଥିଲା । ଓଡିଶାର ଧର୍ମଧାରଣା ମୁଖ୍ୟତଃ ସେତେବେଳେ ଜଗନ୍ନାଥଙ୍କ ଆଧିପତ୍ୟକୁ ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ ଗ୍ରହଣ କରିନେଇଥିଲା । ଗଙ୍ଗ-ସୂର୍ଯ୍ୟବଂଶୀ ରାଜତ୍ୱ କାଳରେ ରାଜଶକ୍ତି ଜଗନ୍ନାଥ ଆଧିପତ୍ୟକୁ କେବଳ ଧର୍ମଧାରଣା କ୍ଷେତ୍ରରେ ନୁହେଁ, ରାଜନୈତିକ କ୍ଷେତ୍ରରେ ବିଶେଷ ଭାବରେ ଗ୍ରହଣ କରିନେଇଥିଲା । ଅନ୍ୟକଥାରେ ଜଗନ୍ନାଥଙ୍କ ଓଡିଶାର ଧର୍ମ ଓ ରାଜନୀତିରେ ଆଧିପତ୍ୟକୁ ରାଜଶକ୍ତି ତଥା ଅନ୍ୟ ସାମାଜିକ ଗୋଷ୍ଠୀ ଗ୍ରହଣ କରିନେଇଥିଲେ । ଏହାଦ୍ୱାରା ପୁରୁଷୋତ୍ତମ-ଜଗନ୍ନାଥ ଓଡିଶା ସାମ୍ରାଜ୍ୟ(ଗଙ୍ଗ-ସୂର୍ଯ୍ୟବଂଶୀ ସାମ୍ରାଜ୍ୟ)ର ସାର୍ବଭୌମ ସମ୍ରାଟ ରୂପେ ପରିଚିତ ହେଲେ ଏବଂ ପ୍ରକୃତ ଶାସକ ଗୋଷ୍ଠୀ ତାହାଙ୍କ ଅଧୀନସ୍ଥ ବୋଲି ସ୍ୱୀକୃତ ହେଲେ । କେଉଁ ପରିସ୍ଥିତିରେ ଏବଂ କେବେ ଜଗନ୍ନାଥଙ୍କ ଆଧିପତ୍ୟକୁ ଓଡିଶା ସାମ୍ରାଜ୍ୟରେ ଧର୍ମ ଓ ରାଜନୀତି କ୍ଷେତ୍ରରେ ଗୃହୀତ ହେଲା, ତାହାର ଚର୍ଚ୍ଚା ଆବଶ୍ୟକ ।

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତାମ୍ର-ଶିଳା ଅଭିଲେଖୀୟ ବିବରଣୀକୁ ଆଧାର କରି ଗବେଷକମାନେ ତ୍ରୟୋଦଶ ଶତକର ଦ୍ୱିତୀୟ-ଚତୁର୍ଥ ଦଶନ୍ଧି ମଧ୍ୟରେ ରାଜତ୍ୱ କରିଥିବା ଗଙ୍ଗବଂଶୀ ସମ୍ରାଟ ତୃତୀୟ ଅନଙ୍ଗଭୀମଙ୍କୁ ଏହି ତତ୍ତ୍ୱ(ଓଡିଶାର ଧର୍ମ ଓ ରାଜନୀତି କ୍ଷେତ୍ରରେ ଜଗନ୍ନାଥଙ୍କ ଆଧିପତ୍ୟ)ର ପ୍ରଥମ ପ୍ରକୃତ ପ୍ରବର୍ତ୍ତକ ବୋଲି ଗ୍ରହଣ କରିଛନ୍ତି । ତୃତୀୟ ଅନଙ୍ଗଭୀମ ଶାସନ ଆରମ୍ଭରୁ ଜଗନ୍ନାଥଙ୍କର ରାଉତ(ସାମନ୍ତ ବା ଅଧିନସ୍ଥ) ହିସାବରେ ପରିଚିତ ନଥିଲେ । ତାଙ୍କ ରାଜତ୍ୱ ଆରମ୍ଭ କାଳର ରାଗୁଲୁ ଏବଂ କପୋତେଶ୍ୱର ଗ୍ରାମରୁ ମିଳିଥିବା ଦୁଇଟି ତାମ୍ରଲେଖରେ ତାଙ୍କର ନରେନ୍ଦ୍ର ପଦକ ଥିବାର ସ୍ପଷ୍ଟ ସୂଚନା ରହିଛି । ସେଥିରେ ରାଉତ ପଦର ବର୍ଣ୍ଣନା ନାହିଁ । ପ୍ରଥମେ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନଙ୍ଗଭୀମ ଏହି ରାଉତ ପଦକ ଗ୍ରହଣ କରିଥିବାର ସୂଚନା ଆନ୍ଧ୍ରପ୍ରଦେଶ ଅର୍ନ୍ତଗତ ଭୀମେଶ୍ୱର ମନ୍ଦିର ଶିଳାଲିପିରେ ସ୍ଥାନ ପାଇଛି । ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଅନଙ୍ଗଭୀମ ଆପଣାର ନରେନ୍ଦ୍ର ପଦକ ତ୍ୟାଗ କରି ନିଜକୁ ପୁରୁଷୋତ୍ତମ-ଜଗନ୍ନାଥଙ୍କ ରାଉତ ରୂପେ ନିଜକୁ ପରିଚିତ କରାଇଥିଲେ । ଗଙ୍ଗ ସାମ୍ରାଜ୍ୟର ପୂର୍ଣ୍ଣାଙ୍ଗ ରୂପ ତାଙ୍କ ରାଜତ୍ୱ କାଳରେ ପ୍ରକାଶିତ ହୋଇଥିଲା । ରତ୍ନପୁରର କଳଚୁରି ରାଜାମାନେ ଚୋଡଗଙ୍ଗଙ୍କ ଉକ୍ରଳରେ କ୍ଷମତା ସମ୍ପ୍ରସାରଣ କାଳରେ ସମ୍ବଲପୁର-ସୋନପୁର ଅଞ୍ଚଳ ଉପରେ କ୍ଷମତା ବିସ୍ତାର କରିସାରିଥିଲେ । ଫଳତଃ ଚୋଡଗଙ୍ଗ କାଳରୁ ଆରମ୍ଭ ହୋଇଥିବା ଓଡିଶା ଗଙ୍ଗ ସାମ୍ରାଜ୍ୟ ଅପୁର୍ଣ୍ଣାଙ୍ଗ ହୋଇରହିଥିଲା । ଏହି କାର୍ଯ୍ୟ ପରବର୍ତ୍ତୀ ଗଙ୍ଗରାଜାମାନେ ମଧ୍ୟ କରିପାରିନଥିଲେ । ତୃତୀୟ ଅନଙ୍ଗଭୀମ ଏକ ବିଚକ୍ଷଣ ସାମରିକ ପଦକ୍ଷେପରେ ସମ୍ବଲପୁର-ସୋନପୁର ଅଞ୍ଚଳକୁ ଅଧିକାର କରି ଗଙ୍ଗ ଓଡିଶା ସାମ୍ରାଜ୍ୟର ପୂର୍ଣ୍ଣ କଳେବର ନିର୍ମାଣ କଲେ । ଅନଙ୍ଗଭୀମ ଦେବ କାଳର ଚାଟେଶ୍ୱର ମନ୍ଦିର ଲିପିରେ ଏହି ଅବିସ୍ମରଣୀୟ ସାମରିକ କୀର୍ତ୍ତିର ବର୍ଣ୍ଣନା ରହିଛି । ସମ୍ଭବତଃ ରାଜତ୍ୱର ଆରମ୍ଭରେ ଅନଙ୍ଗଭୀମ ଏହି ସାମରିକ ଅଭିଯାନ ସଫଳ କରାଇଥିଲେ । ସେହିପରି ଅନଙ୍ଗଭୀମ ମଧ୍ୟ କାକତୀୟ ରାଜା ଗଣପତିଙ୍କ ବିରୁଦ୍ଧରେ ଅଭିଯାନ କରି ଗୋଦାବରୀ ଅଞ୍ଚଳ ପୁନର୍ବାର ଅଧିକାର କରିଥିଲେ । ଫଳରେ ଗଙ୍ଗ ରାଜ୍ୟର ସୀମା ଦକ୍ଷିଣରେ  ଦ୍ରାକ୍ଷାରାମ ପର୍ଯ୍ୟନ୍ତ ସୁରକ୍ଷିତ ହୋଇଥିଲା । ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଉକ୍ରୀର୍ଣ୍ଣ ଭୀମେଶ୍ୱର ମନ୍ଦିରର ଏକ ଶିଳାଲିପିରେ ସେଥିପାଇଁ ସେ ତ୍ରୈବସୁନ୍ଧରା ବା ତ୍ରିକଳିଙ୍ଗ ଅଧିକାର କରିଥିବାର ସୂଚନା ରହିଛି । ଅନଙ୍ଗଭୀମ ସାମରିକ କାର୍ଯ୍ୟକଳାପ ବଳରେ ରାଜତ୍ୱର ପ୍ରଥମ ଦଶନ୍ଧିରେ ଓଡିଶା ସାମ୍ରାଜ୍ୟ ଗଠନ ସମ୍ପୂର୍ଣ୍ଣ କରିଥିଲେ । ଏହା ସହିତ ସାମ୍ରାଜ୍ୟର ଉତ୍ତର ଓ ଦକ୍ଷିଣ ସୀମାରେ ଥିବା ଦୁଇଟି ବୃହତ୍ ରାଜଶକ୍ତି-ବଙ୍ଗଳାର ମୁସଲମାନମାନେ ଏବଂ ଆନ୍ଧ୍ରର କାକତୀୟ ରାଜବଂଶର ଓଡିଶା ଅଭିମୁଖେ କ୍ଷମତା ସମ୍ପ୍ରସାରଣକୁ ବାଧା ଦେଇ ଗଙ୍ଗ ସାମ୍ରାଜ୍ୟକୁ ଶକ୍ତ କରିପାରିଥିଲେ । ଯଦିବା ମୁସଲମାନମାନେ ପରାଜିତ ହୋଇଥିଲେ ଏବଂ ଅନଙ୍ଗଭୀମଙ୍କ କାଳରେ ତାଙ୍କ ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ସାହାସ କରିନଥିଲେ, ତଥାପି ସେ ବଙ୍ଗର ମୁସଲମାନ ଶକ୍ତିର ଉତ୍ଥାନର ରାଜନୈତିକ ମର୍ମକୁ ବେଶ୍ ଉପଲବ୍ଧି କରିସାରିଥିଲେ । ସେ ଅନୁଭବ କରିଥିଲେ ଯେ  କୌଣସି ସମୟରେ ଗଙ୍ଗ ରାଜ୍ୟକୁ ମୁସଲମାନମାନେ ପୁନର୍ବାର ଆକ୍ରମଣ କରିପାରନ୍ତି । ଏଣୁ ତାଙ୍କ ଅଧୀନରେ ଥିବା ସକଳ ଆଞ୍ଚଳିକ ହିନ୍ଦୁ ଶକ୍ତି ଏକତ୍ରୀକରଣ ତାଙ୍କ ସାମ୍ରାଜ୍ୟର ଅଖଣ୍ଡତାର ସୁରକ୍ଷାରେ ସାହାଯ୍ୟ କରିପାରିବ ଏବଂ ଏହା ମୁସଲମାନ ଆକ୍ରମଣ ପ୍ରତିହତ କରିବାରେ ଏକ ବୃହତ୍ଶକ୍ତି ରୂପେ ଗ୍ରହଣ କରାଯାଇପାରିବ । ସେଥିପାଇଁ ଏହି କ୍ଷେତ୍ରରେ ରାଜା ଧର୍ମର ସାହଯ୍ୟ ନେଲେ । ସେ ପ୍ରଚାର କଲେ-ବୃହତ୍  ଓଡିଶା ଗଙ୍ଗ ସାମ୍ରାଜ୍ୟ ପୁରୁଷୋତ୍ତମ-ଜଗନ୍ନାଥଙ୍କର ସାମ୍ରାଜ୍ୟ ଏବଂ ସେ ନିଜେ ପ୍ରଭୁ ଜଗନ୍ନାଥଙ୍କର ରାଉତ ବା ସାମନ୍ତ । ଅନଙ୍ଗଭୀମଙ୍କର ଅନେକ ଶିଳାଲିପି ଏବଂ ମାଦଳାପାଞ୍ଜିରେ ଏହି ପ୍ରଚାରର ବର୍ଣ୍ଣନା ରହିଛି । ମାଦଳାପାଞ୍ଜି ରାଜଭୋଗ ଅନୁସାରେ-ଏ ନଗର କଟକେ ଥାଇ ଶ୍ରୀପୁରୁଷୋତ୍ତମ ଶ୍ରୀଜଗନ୍ନାଥଦେବଙ୍କୁ ସମସ୍ତ ସମର୍ପି ରାଉତପଣେ ଥାଆନ୍ତି ।

ଜଗନ୍ନାଥଙ୍କର ଅଧୀନତା ସ୍ୱୀକାର କରିବାର ଏକ ଉଦ୍ଦେଶ୍ୟ ଥିଲା ସମସ୍ତ ଆଞ୍ଚଳିକ ହିନ୍ଦୁ ଶକ୍ତିକୁ ମୁସଲମାନ ଶକ୍ତି ବିପକ୍ଷରେ ଏକତ୍ରିତ କରିବାଏବଂ ବୃହତ୍ ସାମ୍ରାଜ୍ୟବାଦୀ ପଡୋଶୀ ଶକ୍ତି(ଯଥା କାକତୀୟ ରାଜବଂଶ) ବିପକ୍ଷରେ ଏହାକୁ ବ୍ୟବହାର କରିବା । ମୁସଲମାନମାନଙ୍କର ଯେ କୌଣସି ସମୟର ଆକ୍ରମଣକୁ ସମସ୍ତ ଆଞ୍ଚଳିକ ହିନ୍ଦୁଶକ୍ତି ଏକତ୍ରିତ ହୋଇ ପ୍ରତିହତ କରିପାରିବେ; କାରଣ ଏ ବିପଦ ହିନ୍ଦୁ ଆରାଧ୍ୟ ଦେବତା ପୁରୁଷୋତ୍ତମ ଜଗନ୍ନାଥଙ୍କ ସାମ୍ରାଜ୍ୟ ପାଇଁ । ଏ ପ୍ରକାର ପ୍ରଚାର ଦ୍ୱାରା ରାଜଶକ୍ତି ବୃହତ୍ ଗଙ୍ଗ ସାମ୍ରାଜ୍ୟର ଅଖଣ୍ଡତାକୁ ଶକ୍ତ କରିପାରିଥିଲେ । ଜଗନ୍ନାଥଙ୍କର ରାଉତ ବୋଲି ନିଜକୁ ସ୍ୱୀକାର କରି ତୃତୀୟ ଅନଙ୍ଗଭୀମ ସାମ୍ରାଜ୍ୟର ସକଳ ସାମାଜିକ-ଆର୍ଥନୀତିକ ଶ୍ରେଣୀମାନଙ୍କର ସହଯୋଗ ଲାଭ କରିଥିଲେ । ସମସ୍ତେ ତାଙ୍କୁ ସାମ୍ରାଜ୍ୟର ସୁଶାସକ ହିସାବରେ ଗ୍ରହଣ କରିନେଇଥିଲେ । କାରଣ ରାଜା ନିଜକୁ ପୁରୁଷୋତ୍ତମ-ଜଗନ୍ନାଥଙ୍କର ରାଉତ ରୂପେ ଶାସନ କରିବାକୁ ଇଚ୍ଛା ପ୍ରକାଶ କରିସାରିଥିଲେ । ସେତେବେଳକୁ ପୁରୁଷୋତ୍ତମ କ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତି-ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଉପାସନା ପ୍ରଚଳିତ ହୋଇଥିବା ଦ୍ୱାରା ପୁରୁଷୋତ୍ତମ କ୍ଷେତ୍ର ଓଡିଶା ଧର୍ମଧାରଣାର ପୀଠ ରୂପେ ପରିଚିତ ହୋଇସାରିଥିଲା । ବିଭିନ୍ନ ପର୍ବପର୍ବାଣୀ ପାଳନ ଦ୍ୱାରା ଏ କ୍ଷେତ୍ରର ପ୍ରାଧାନ୍ୟ ବଢିଯାଇଥିଲା । ଏହି ପୀଠ ମଧ୍ୟ ସାର୍ବଜନୀନ ଧର୍ମଧାରଣା ଯୋଗୁଁ ସର୍ବଭାରତୀୟ ସ୍ତରରେ ଖ୍ୟାତିଲାଭ କରିଥିଲା । ଏଣୁ ଅନଙ୍ଗଭୀମଙ୍କର ସାମନ୍ତନୀତି ବା ରାଉତପଣ ଦ୍ୱାରା ବୃହତ୍ ସାମ୍ରାଜ୍ୟରେ ଗଙ୍ଗ କ୍ଷମତା ସମ୍ପ୍ରସାରିତ ଏବଂ ବୈଧ ହୋଇପାରିଥିଲା । ଗଙ୍ଗ ସାମ୍ରାଜ୍ୟ ପୁରୁଷୋତ୍ତମଙ୍କର ସାମ୍ରାଜ୍ୟ ବୋଲି ପ୍ରଚାର କରିବା ଦ୍ୱାରା ସାମ୍ରାଜ୍ୟର ସ୍ଥାୟୀ ରୂପ ଠିଆ ହୋଇରହିଲା । ଜଗନ୍ନାଥ ତତ୍ତ୍ୱ ପ୍ରତି ରାଜଶକ୍ତିର ଅଧୀନସ୍ଥ ହେବା ପ୍ରସଂଗ ଶକାବ୍ଦ ୧୧୫୨(ଖ୍ରୀଷ୍ଟାବ୍ଦ ୧୨୩୦)ରେ ଉକ୍ରୀର୍ଣ୍ଣ କୂର୍ମେଶ୍ୱର ଶିଳାଲିପିର ଏକ ବିବରଣୀରୁ ସଂଗ୍ରହ କରାଯାଇପାରେ । ଶିଳାଲିପି କଳିଙ୍ଗର ଦୁଇଟି ଗ୍ରାମର ବିବାଦ ବିଷୟରେ ସୂଚନା ଦିଏ । ରାଜା ଏହି ବିବାଦର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେଇଥିଲେ । ଶିଳାଲିପିର ଭାଷା ଅନୁସାରେ-ଯେଉଁ ନିଷ୍ପତ୍ତି ଏ ସଂକ୍ରାନ୍ତରେ ଗ୍ରହଣ କରାଗଲା, ତାହା ଅନଙ୍ଗଭୀମ ରାଉତ ଏବଂ ପ୍ରଭୁ ଜଗନ୍ନାଥଙ୍କର ନିର୍ଦ୍ଦେଶାନୁସାରେ ହୋଇଥିଲା ।

ଅନଙ୍ଗଭୀମଙ୍କର ରାଜତ୍ୱ କାଳରେ ସମଗ୍ର ଭାରତରେ ଜଗନ୍ନାଥ ଓଡିଶା ସାମ୍ରାଜ୍ୟର ଶାସକରୂପେ ପରିଚିତ ଏବଂ ପ୍ରଚାରିତ ହେଲେ । ରାଜାଙ୍କର ରାଉତପଣରେ ଓଡିଶା ସାମ୍ରାଜ୍ୟ ଶାସନ ପୁରୁଷୋତ୍ତମ କ୍ଷେତ୍ରର ସେବକ ସମ୍ପ୍ରଦାୟଙ୍କର ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲକ୍ଷଲକ୍ଷ ତୀର୍ଥଯାତ୍ରୀ ଏବଂ ଭକ୍ତମାନଙ୍କ ନିକଟରେ ପ୍ରଚାର ଦ୍ୱାରା  ଓଡିଶା ସାମ୍ରାଜ୍ୟ ଉପରେ ଜଗନ୍ନାଥଙ୍କର ଆଧିପତ୍ୟ ସର୍ବଭାରତୀୟ ସ୍ତରରେ ଗୃହୀତ ହେଲା । ପୁରୁଷୋତ୍ତମ କ୍ଷେତ୍ରର ସେବକ ସମ୍ପ୍ରଦାୟ ଏହି ପ୍ରଚାର ଦ୍ୱାରା ବିଶେଷ ଉପକୃତ ହେଲେ । କାରଣ ରାଜଶକ୍ତିକୁ ସେମାନେ ଏହାଦ୍ୱାରା ନିୟନ୍ତ୍ରଣ କରିପାରିଲେ । ପରବର୍ତ୍ତୀ ଗଙ୍ଗରାଜାମାନେ ଏହି ରାଉତପଣ ଗ୍ରହଣ କରିନେବାରୁ ଜଗନ୍ନାଥ ଓଡିଶାର ସମ୍ରାଟ ଥିବା କଥାଟି ଜନଧାରଣାରେ ଦୃଢ ହୋଇ ରହିଗଲା ଓ ଭିନ୍ନ ଭିନ୍ନ ଜନଶ୍ରୁତିର ମୂଳ ଆଧାର ହୋଇରହିଲା । ସମଗ୍ର ଦକ୍ଷିଣ ଭାରତରେ ସୂର୍ଯ୍ୟବଂଶୀ ଗଜପତି ଶାସନ ପୂର୍ବରୁ ଓଡିଶାରେ ଜଗନ୍ନାଥଙ୍କ ଆଧିପତ୍ୟ ବିଶେଷ ଭାବରେ ଜଣାଥିଲା । ଶ୍ରୀନାଥ ଏବଂ ବୀରଭଦ୍ରକବି ରଚିତ ପଲ୍ନାଟି ବୀରଚରିତରୁ ଏହି ପ୍ରସଙ୍ଗଟି ଗ୍ରହଣ କରାଯାଇପାରେ । ଏହି ଗ୍ରନ୍ଥରେ ପଲ୍ନାଟି ଯୁଦ୍ଧ(ବର୍ତ୍ତମାନର ପଲ୍ନାଡ ଅଞ୍ଚଳ ଯାହା ଏକଦା ହୈହୟ ରାଜବଂଶ ଅଧୀନରେ ଥିଲା, ଯେଉଁଥିରେ ବିଭିନ୍ନ ରାଜ୍ୟମାନଙ୍କରୁ ବୀରମାନେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଥିଲେ) ବିବରଣୀ ସ୍ଥାନ ପାଇଛି । ଓଡିଶାର ରାଜା ବା କଟକାଧିପତି ବଳଦେବ-ପୁରୁଷୋତ୍ତମ ଯୁଦ୍ଧରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଥିବାର ବର୍ଣ୍ଣନା ଏଥିରେ ସ୍ଥାନ ପାଇଛି । ଏହା ସୂଚାଇ ଦିଏ ଯେ ଶ୍ରୀନାଥ ସମୟକୁ(ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀକୁ) ଓଡିଶା ସାମ୍ରାଜ୍ୟ ଉପରେ ପୁରୁଷୋତ୍ତମ-ଜଗନ୍ନାଥଙ୍କର ଆଧିପତ୍ୟ ଏପରି ଦୃଢ ହୋଇଯାଇଥିଲା ଯେ ପଲ୍ନାଟି ବୀରଚରିତର ଲେଖକ ବଳଦେବ ପୁରୁଷୋତ୍ତମ(ଜଗନ୍ନାଥ ଏବଂ ବଳଭଦ୍ର) ଗଙ୍ଗରାଜ୍ୟର ପ୍ରକୃତ ପ୍ରଭୁ ବୋଲି  ସୂଚାଇ ପାରିଥିଲେ । ଏ ଜନଶ୍ରୁତି(ଜଗନ୍ନାଥ ବଳଦେବ ଯୁଦ୍ଧରେ ଯୋଗ ଦେବା) ଜଗନ୍ନାଥଙ୍କୁ ଗଙ୍ଗ ସାମ୍ରାଜ୍ୟର ଅଧିୀଶ୍ୱରରୂପେ ସ୍ୱୀକାର ଏବଂ ପ୍ରଚାରରୁ ସୃଷ୍ଟ ବୋଲି କୁହାଯାଇପାରେ । କାରଣ ତୀର୍ଥଯାତ୍ରୀ ଏବଂ ଭକ୍ତମାନେ ଅନଙ୍ଗଭୀମ କାଳରୁ ଭାରତର ବିଭିନ୍ନ ପ୍ରାନ୍ତରରେ ଓଡିଶାର ପ୍ରକୃତ ରାଜା ଜଗନ୍ନାଥ ବୋଲି ପ୍ରଚାର କରିଦେଇଥିଲେ ଏବଂ ତାହା ସର୍ବତ୍ର ଗୃହୀତ ହୋଇଯାଇଥିଲା । ଜଗନ୍ନାଥ ରାଷ୍ଟ୍ରଦେବତା ତଥା ସାମ୍ରାଜ୍ୟାଧିଶ୍ୱର ରୂପେ ସ୍ୱୀକୃତ ହେବା ଦ୍ୱାରା ଗଙ୍ଗ ରାଜତ୍ୱର ଦୃଢ ପ୍ରତିଷ୍ଠା ହୋଇପାରିଲା ଏବଂ ମୁସଲମାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଞ୍ଚଳିକ ହିନ୍ଦୁଶକ୍ତି ଏକତ୍ରିତ ହୋଇପାରିଲେ । ଆଉ ଶେଷରେ କାଳକାଳ ଧରି ଓଡିଶାର ବିଭିନ୍ନ ଧର୍ମ ସମ୍ପ୍ରଦାୟମାନଙ୍କର ବିବାଦର ଅବସାନ ହୋଇପାରିଲା ।

ଗଙ୍ଗ ରାଜତ୍ୱ ପୂର୍ବରୁ ଏପରିକି ଚୋଡଗଙ୍ଗଙ୍କ ରାଜତ୍ୱ କାଳରେ ପୁରୁଷୋତ୍ତମ କ୍ଷେତ୍ରର ଉପାସିତ ଦେବତାଙ୍କୁ ପୁରୁଷୋତ୍ତମ କୁହାଯାଇଥିଲା । କିନ୍ତୁ ଅନଙ୍ଗଭୀମ ରାଜତ୍ୱ କାଳରେ ପୁରୁଷୋତ୍ତମ ପରିବର୍ତ୍ତେ ଉପାସ୍ୟ ଦେବତାଙ୍କ ନାମ ଜଗନ୍ନାଥ ରଖାଯିବାରୁ ଗଙ୍ଗ ସାମ୍ରାଜ୍ୟର ରାଷ୍ଟ୍ରଦେବତାଙ୍କର ରାଜକୀୟ ରୂପ ବିଶେଷ ଭାବରେ ପ୍ରକଟିତ ହେଲା । ଗଙ୍ଗ ରାଜତ୍ୱ କାଳରେ ସମ୍ରାଟ ଜଗନ୍ନାଥଙ୍କର ସକଳ ସୁଖ(ବିଳାସବ୍ୟସନ) ବ୍ୟବସ୍ଥା କରାଯାଇଥିଲା । ମାଦଳାପାଞ୍ଜିର ବିବରଣୀ ଅନୁସାରେ ଜଗନ୍ନାଥଙ୍କର ବ୍ୟାପକ ସେବା ପୂଜା ଗଙ୍ଗ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା । ଜଗନ୍ନାଥଙ୍କର ଛପନ ଭୋଗ ଏହି ସମୟରୁ ଆରମ୍ଭ ହେଲା । ଜଣେ ସମ୍ରାଟଙ୍କର ଯେପରି ପୋଷାକ, ଅଳଂକାର, ଅଙ୍ଗଭୂଷଣ, ଶଯ୍ୟା ଓ ଅନ୍ୟ ଜିନିଷପତ୍ର ଦରକାର, ସେହିପରି ଦ୍ରବ୍ୟମାନ ସମ୍ରାଟ ଜଗନ୍ନାଥଙ୍କୁ ଯୋଗାଇ ଦିଆଗଲା । ଜଗନ୍ନାଥଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ମ୍ମ ଜଣେ ସମ୍ରାଟଙ୍କ ପରି ଥିଲା । ତାଙ୍କର ଅଙ୍ଗରଙ୍ଗ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସର୍ବୋପରି ଜଗନ୍ନାଥଙ୍କର ଓଡିଶା ସାମ୍ରାଜ୍ୟରେ ଧର୍ମ ଓ ରାଜନୀତି କ୍ଷେତ୍ରରେ ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ଗଙ୍ଗ ରାଜତ୍ୱ କାଳରୁ ଆରମ୍ଭ ହୋଇଥିଲା ।

ସୂର୍ଯ୍ୟବଂଶୀ-ଗଜପତି ରାଜତ୍ୱ କାଳରେ ଜଗନ୍ନାଥ ଆଧିପତ୍ୟ ଏକ ନୂଆ ମୋଡ ନେଲା । ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଏବଂ ପୁରୁଷୋତ୍ତମ ରାଉତ ପଦ ଅପେକ୍ଷା  ସେବକ ପଦ ଗ୍ରହଣ କରି ଜଗନ୍ନାଥଙ୍କର ଆଧିପତ୍ୟକୁ ଆହୁରି ଦୃଢ କଲେ । ରଥଯାତ୍ରା କାଳରେ ସେବକ ରାଜା ପୁରୁଷୋତ୍ତମ ଜଗନ୍ନାଥଙ୍କର ଛେରାପହଁରା କାର୍ଯ୍ୟକରି ସମଗ୍ର ଭାରତବର୍ଷରେ ଜଗନ୍ନାଥଙ୍କର ଓଡିଶାରେ ଆଧିପତ୍ୟକୁ ପ୍ରତିଷ୍ଠା କଲେ । ଜଗଶ୍ରୁତି କାଞ୍ଚିକାବେରୀ ଏହି ଜଗନ୍ନାଥ ଆଧିପତ୍ୟକୁ ଅଧିକ ସୁଦୃଢ କରିଥିଲା । ବଳରାମ  ଦାସଙ୍କଠାରୁ ଆରମ୍ଭ କରି ଉପେନ୍ଦ୍ର ଭଂଜ ପର୍ଯ୍ୟନ୍ତ ଜଗନ୍ନାଥ ଆଧିପତ୍ୟ ଭାବଧାରା ଓଡିଆ ପ୍ରାଣରେ ଦୃଢ ହୋଇରହିଲା । ଗୋବିନ୍ଦ ତ୍ରିପାଠୀଙ୍କ ଭାଷାରେ-ଏ ଓଡିଆ ଜାତି ଜଗନ୍ନାଥ ଦେବଙ୍କର ଚଣ୍ଡାଳତ୍ୱର ଆଜି ପର୍ଯ୍ୟନ୍ତ ଗର୍ବ ଓ ଆନନ୍ଦ ଅନୁଭବ କରିଆସୁଛନ୍ତି ।

[box type=”shadow” align=”” class=”” width=””]ଜଗନ୍ନାଥଙ୍କ ଆଧିପତ୍ୟକୁ ଓଡିଶାର ଧର୍ମ ଓ ରାଜନୀତିରେ ରାଜଶକ୍ତି ତଥା ଅନ୍ୟ ସାମାଜିକ ଗୋଷ୍ଠୀ ଗ୍ରହଣ କରିନେଇଥିଲେ । କେଉଁ ପରିସ୍ଥିତିରେ ଏବଂ କେବେ ଜଗନ୍ନାଥଙ୍କ ଆଧିପତ୍ୟ ଓଡିଶା ସାମ୍ରାଜ୍ୟରେ ଧର୍ମ ଓ ରାଜନୀତି କ୍ଷେତ୍ରରେ ଗୃହୀତ ହେଲା, ତାହାର ଚର୍ଚ୍ଚା ଓ ବିଶ୍ଳେଷଣ ଉକ୍ତ ଲେଖାରେ ଐତିହାସିକ କୈଳାଶଚନ୍ଦ୍ର ଦାଶ କରିଛନ୍ତି । ତାଙ୍କ ଅନୁସାରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଏବଂ ପୁରୁଷୋତ୍ତମ ରାଉତ ପଦ ଅପେକ୍ଷା  ସେବକ ପଦ ଗ୍ରହଣ କରି ଜଗନ୍ନାଥଙ୍କର ଆଧିପତ୍ୟକୁ ଆହୁରି ଦୃଢ କଲେ । ରଥଯାତ୍ରା କାଳରେ ସେବକ ରାଜା ପୁରୁଷୋତ୍ତମ ଜଗନ୍ନାଥଙ୍କର ଛେରାପହଁରା କାର୍ଯ୍ୟକରି ସମଗ୍ର ଭାରତବର୍ଷରେ ଜଗନ୍ନାଥଙ୍କର ଓଡିଶାରେ ଆଧିପତ୍ୟକୁ ପ୍ରତିଷ୍ଠା କଲେ । – ସମ୍ପାଦକ[/box]

Photo credit- https://bit.ly/3xJvxh2

Share This Article
ଇତିହାସ ବିଭାଗର ପ୍ରଫେସର, ଗବେଷକ