ଖୁବ୍ ସରୁ କଣ୍ଠରେ କିଏ ଯେମିତି ଗୀତ ବୋଲୁଛି ଶୁଭିଲା । ଦାଣ୍ଡକୁ ଯାଇ ଦେଖେତ ଜଣେ ବୁଢ଼ା ବାଉଁସରେ ତିଆରି ଗୋଟେ କ’ଣ ଯନ୍ତ୍ର ଧରିଛି । ଗୋଟିଏ ସରୁ ସୂତାଭଳି କ’ଣ ଲାଗିଛି । ଆଉ ଖଣ୍ଡେ ଛୋଟ ଧନୁଭଳି ଯନ୍ତ୍ରରେ ସୂତାରେ ଧୀରେ ଧୀରେ ଘସୁଛି । ବଢ଼ିଆ ଗୋଟେ ସ୍ୱର ବାହାରୁଛି । ମତେ ୮/୧୦ ବର୍ଷ ହେଲାଣି । ଟିକେ ଓଜ ଆସିଲାଣି । ବୁଢ଼ାକୁତ ପଚାରି ଦେଲି ହେ ବୁଢ଼ା, ଏ କ’ଣ ବଜାଉଛୁ? ଏମାନଙ୍କୁ ମାନ୍ୟ କରିବା କଥା ସେ ଯାଏ ମତେ ବୋଉ କହିନଥାଏ । ତୁ ତା କରି ପଚାରିଲି । ବୁଢ଼ାଟି ଭଲ ଲୋକ । କହିଲା ଏଇଟା କେନ୍ଦରା । ବାଉଁସ କାଟି କରିଛି ।
ଗୋଧି ଚମଡ଼ାରେ ଗୁଣ ତିଆରି କରିଛି । ଛୋଟ ଯନ୍ତ୍ରଟିରେ ମଧ୍ୟ ଗୋଧି ଚମଡ଼ା ସୂତା ଲାଗିଛି । ଛୋଟ ସୂତାକୁ ବଡ଼ ଗୁଣରେ ଘସିଲେ ନାନା ପ୍ରକାର ସ୍ୱର ବାହାରେ । କହିବା ସହିତ ପୁଣି କେନ୍ଦେରା ବଜାଇଲା । ବୁଢ଼ା ଲୋକତ କହୁଛନ୍ତି । ଲୁଣ ଖାଇବୁନି ରାତିରେ ଖାଇବୁନି । ତଳେ ଶୋଇବୁ । ଏସବୁ ଗୀତରେ । ହଡ଼ପା ଖୁବ୍ ପାରିଲା ବାଲା । ନଈର ଏକୂଳଗଛକୁ ସେ କୂଳକୁ ନେଇଯିବେ । ନଡ଼ିଆ ଗଛକୁ ମନ୍ତ୍ର ବଳରେ ତଳେ ଲଗାଇ ନଡ଼ିଆ ତୋଳିପାରିବେ । ମତେ ସେଇ ପିଲାଦିନରୁ ବି ଏକଥା ଗୁଡ଼ାକ ସତ ଲାଗୁନଥାଏ । ଏତେ ବଡ଼ ବୁଢ଼ା । କହୁନି ଗୀତ ବୋଲି ଜଣାଉଛି । କେନ୍ଦରା ବଜାଇ ଶୁଣାଉଛି । ହୋଇଥିବ ମୋର ମୁଣ୍ଡ କେତେ?
ବୋଉ ଆସିଗଲା । ବୁଢ଼ାର ବୋଉର କଥାବାର୍ତ୍ତା ହେଲେ । ବୋଉକୁ ଶାସ୍ତ୍ର, ପୁରାଣ କିଛି କିଛି ଜଣା ଥାଏ । ମତେ କହିଲା ‘ବୁଢ଼ା ଜଣେ ଯୋଗୀ । ଭିକ କରିବାକୁ ଆସିଛନ୍ତି । ଲାଉରେ ଥାଳକରି ଧରିଛନ୍ତି । ଦେଖୁନୁ ଏମାନେ ଗୁରୁଙ୍କ ଆଦେଶରେ ଭିକ ମାଗନ୍ତି ।
କଣ ବହିସବୁ ବଳି ଭାଇ?’ ଆରେ ବୋଉତ ବୁଢ଼ାକୁ ମାନ୍ୟ କରୁଛି । ଚାକର ସାଙ୍ଗରେ ଫେରାର, ରମେଶ ବାବୁଙ୍କ ଝିଅ ବୁଡ଼ିମଲା ଏମିତି ସବୁ ଚଟିବହି । ବୁଢ଼ା ଶ୍ରୀଅକ୍ଷର ବିବର୍ଜିତ, ବୋଉର ବି ପାଠ ନାହିଁ । ବୁଢ଼ା କିନ୍ତୁ ଶୁଣି ଶୁଣି ମନେରଖି ଯାଇଛନ୍ତି । ଲହର ଲଗେଇଲେ ଲଗେଇଲେ ଆମ ଦାଣ୍ଡ ଦୁଆର ମୁହଁରେ ଥାଟପଟାଳି ଲୋକ । ମାଇପେ, ଝିଅ, ପିଲେ ଗଦା ହୋଇପଡ଼ନ୍ତି । ବୁଢ଼ା ଚାକର ସାଙ୍ଗରେ ଫେରାର, ଝିଅ ବୁଡ଼ିଗଲା ଚଟି ବହି ଦିଖଣ୍ଡ ଧରି ଏଥିରୁ ୨/୪ ପଦ ସେଥିରୁ ୨ ଚାରିପଦ ଛାଡ଼ିଲା । ମୁଁତ ସେତେବେଳକୁ ନିଆଳି ଗଲାଣି । ମାଇନର୍ ସ୍କୁଲରେ ପଢ଼ା । ହାଟ ଦିନ ଶୁଣିଛି ହାର୍ମୋନିୟମ୍ ଧରି ୨ଜଣ ସ୍ୱର ଲଗାଇ ଏ ବହି ଦିଖଣ୍ଡରୁ ଗୀତ ବୋଲୁଥାନ୍ତି । ଭିଡତ ଦେଖିବ ତାଙ୍କ ପାଖେ । ପାଠୁଆ, ଅପାଠୁଆ, ଶୁଣିବାତ ସମାନ । ବହି ଦାମ୍ ୨ ପଇସା ଖଣ୍ଡକୁ । ଖଣ୍ଡେ ଦିଖଣ୍ଡ ଲେଖାଏଁ ବହି ଧରିଲେ । ଅଧ ଘଣ୍ଟେ ଭିତରେ ବେପାର ଶେଷ । ଢ଼ୋଲ ବାଇଦ କୋଶେ ତୁଣ୍ଡ ବାଇଦ ଶହସ୍ର କୋଶ । ରେଡ଼ିଓ ଟିଭିତ ସେତେବେଳେ ନାହିଁ । ଏଇ ମାନେ ଡ଼ଗର ଭଳି ଜମାଣିଆ ଖବର ଗାଁ ଗାଁରେ ବାଣ୍ଟିଥାନ୍ତି । ବୋହୂ ଚାକର ସାଙ୍ଗେ ଫେରାର କଥାଟା ମୋ ସମଝକୁ ଆସୁ ନଥାଏ । ଆମ ସାହି ସାବ ବୁଢ଼ି ତା ପାଟିରେ ବାଡ଼ ବତା ନଥାଏ । ଗୀତ ଶୁଣି କହିପକାଇଲା ପୁଅଟା ଅଣପୁରୁଷା, ବୋହୁ ଆଉ କେତେ ଦିନ ଭୋକ ସମ୍ଭାଳିଥାନ୍ତା । ଚାକର ସାଙ୍ଗରେ ପାର । ପାରା ବୁଢ଼ୀ ବାହାରି ପଡ଼ିଲା । ତା ପାଟି ଖଲଖଲ ହଉଛି । ଝିଅ ବୁଡ଼ିମଲା ଗୀତ ତା ମୁଣ୍ଡ ଧରିଛି । ବାପ, ଭାଇତ ଝିଅକୁ ଖୁଣ୍ଟରେ ବାଂଧି ବୁଢ଼ୀ କଲେ । ଝିଅ ଘିଅ ପୁରୁଣା ହେଲେ ଗନ୍ଧ । ୧୬/୧୭ ବର୍ଷର ଝିଅ । କୋଉ ପୁଅ ଆଡ଼ୁ ପେଟର ପିଲା । ଅଭିଆଡ଼ୀ ଝିଅ ବୁଡ଼ି ମରିନଥାନ୍ତା ତ କଣ ଲୋକ ହସା କରିଥାନ୍ତା । ବୋଉ ବି ବୁଢ଼ୀଙ୍କ ଉପରେ ରାଗି ଚୁର । “ସାବ ବଡ଼ ଜେ, ପାର ଭାଉଜ ତୁମେ କେଉଁଠି କ’ଣ କହୁଛ । ଦେଖୁଛ ପିଲା ଛୁଆ ଅଛନ୍ତି । ବଢ଼ିଲା ଝିଅ ଗୀତ ଶୁଣୁଛନ୍ତି । ବୋହୂ ଭୂଆଶୁଣୀ କାନ ଦେଇଛନ୍ତି । ମଣିଷ ପ୍ରକୃତି ମଲେ ତୁଟେ, ଘୁସୁରି ପ୍ରକୃତି ପଙ୍କେ ଲୋଟେ । ତୁମ ପ୍ରକୃତି ତୁମେ ଛାଡ଼ିବନି । ହଉ ଗଲ । ବଳି ଭାଇ ତୁମେ ଗୀତ ବୋଲା ବନ୍ଦ କର । ମୁଁ ତୁମ କଥା ବୁଝୁଛି ।” ବାଡ଼ି ମାରିଲା ଭଳି ସାବ ବୁଢ଼ୀ, ପାର ବୁଢ଼ୀ ଗାରୁ ଗାରୁ କରି କ’ଣ ଗୁଡ଼ାଏ ଗାଳି ପକାଇ ଭାଗିସ୍ ।
ଦିନ ୧୨ଟା ଗୋଟେ । ବଳି ଭାଇର ବହିତକ କାରବାର ହେଇଗଲା । କାନ୍ଦଣା ବହି ୮/୧୦ ଖଣ୍ଡ ଥିଲା । ନିଅଣ୍ଟ ହେଲା । ବଢିଲା ଝିଅ, ବାହା ହେବେ । ବୋଉକୁ ଧରି, ବାପାକୁ ଧରି, ଭାଉଜକୁ ଧରି କାନ୍ଦିବେନା । କାନ୍ଦ ରିହଲସେଲ ହୁଏ । ଭାଉଜ ମାନେ ନଣଦଙ୍କୁ ଶିଖାନ୍ତି । ହାଁ ବାପା ମୋତେ କେଉଁ ଯମ ହାତକୁ ଦେଇଛ ହେ ବାପା । ହାଁ ମୋ ବୋଉ । ଜନମବେଳେ ମୋ ତଣ୍ଟି ଚିପି ଦେଲୁନି କାହିଁକି । ମତେ ସାତ ନଈ ପାରି କୁଆଡ଼େ ପଠେଇ ଦଉଛୁ ବୋଉ । ସ୍ୱରରେ କାନ୍ଦୁଥାନ୍ତି । ଆଖିରେ ପ୍ରାୟ ଲୁହ ନଥାଏ । ସେଇଲେକାନ୍ଦ, ପୁଣି ସେଇଲେ ଭାଉଜ ସାଙ୍ଗେ ଥଟ୍ଟା, ମଜା ହସ । ବଳି ମଉସାବି ଭୋଳ । ପେଟ ପିଠିରେ ଲାଗିଗଲାଣି । ବିକାକିଣା ପଇସା ନିଶାରେ ଭୋକ ଜାଣିପାରୁ ନଥିଲେ ବୋଧେ । ମା’ କଣ ପେଜ ତୋରାଣୀ ଅଛି । ଆଜି ତୁମ ଘରେ ମୋର ଭୋଜନ ଅଛି । ଗରମ ଭାତ । ପଦ୍ମକେଶରୀ ଚାଉଳ ଭାତ, କଇଁ ଫୁଲ ପରି ଧଳା । ବାସବି ଅଛି । ଥାଳରେ ଢ଼ାଳି ଦେଲା । ସମସ୍ତେ ଜାଣିବାକୁ ଯୋଗୀ ନିରାମିଶିଆ । ବୋଉ ବଳି ମଉସାଙ୍କ ନାଡ଼ି ଚିପିଛି । ଆମରତ ବର୍ଷକ ୩୬୫ ଦିନରୁ ୩୬୦ ଦିନ ମାଛ । ନନା ଡ଼େଙ୍ଗ ଯୋରରୁ ଆଣିଥାନ୍ତି ଛଟା ଚୁଙ୍ଗୁଡ଼ି । ଚୁଙ୍ଗୁଡ଼ି, ମାଟିଆଳୁ ବେସର । ବେସର ଦବ କିମିତି? ଗୋଟେ ବଡ଼ସରା ପାଇଲା । ଧୋଇ ଧାଇ ସରାରେ ୪/୫ ଚୁଙ୍ଗୁଡ଼ି ମାଟି ଆଳୁ, ଝୋଳ କଂଚାଲଙ୍କା ଦେଲା । ଲୁଣ, କଞ୍ଚାଲଙ୍କା ତଳେ ଦବାକୁ ବଳି ମଉସା ଠାରରେ କହିଲେ । ଭୋକତ ଥିଲା । ୧୦/୧୫ ମିନିଟରେ ସବୁ ଦାବି ଦେଲେ, ‘ଓ ହୋ କି ଶାନ୍ତି’ । ନଟ ବୋଉ ତୁମ କାଚ ସିନ୍ଦୂର ବଜ୍ର ହଉ । ତୁମେ ଗରିବକୁ ଏମିତି ଚାହିଁଥାଅ । ମୁଁ ପାଖରେ ଠିଆ ହୋଇ ସବୁ ସୁଆଙ୍ଗ ଦେଖୁଥାଏ । ବେକରେ ଗୋଟେ ଛୋଟିଆ ତଣ୍ଟିଆ ଦେଇ ବୋଉ ମୋତେ ନେଇଗଲା । ମୁଁ ଖାଇବାରେ ଡ଼େରି ସହଳ କରିବି । ବଡ଼ ବଡ଼ ଗୁଣ୍ଡା କରି ପାଟିରେ ଠେଲି ଦଉଥାଏ । ମାଛ ଝୋଳ ଟିକେ ଚଖାଇ ଦେଇ ଚୁଙ୍ଗୁଡ଼ି ଗୋଟାଏ ପାଟିରେ ପୁରାଇ ଦେଇଥାଏ । ଆରେ ପିଲା ପାଟି, କେତେ ଧରିବ । ପାଟିରୁ ବାହାରି ପଡ଼ୁଛିତ ପୁଣି ଠେଲ । ୪/୬ ଗୁଣ୍ଡା ପରେ ମୁଁ ଉଠିଗଲି । ଦାଣ୍ଡକୁ ଚାହିଁଲା ବେଳକୁ ଯୋଗୀ ମଉସା ଠିଆ ହୋଇଛନ୍ତି । ବୋଉ ବାଉଁସିଆରେ ୨/୩ ସେର ଚାଉଳ ଆଣି ଯୋଗୀ ଥାଳରେ ଢ଼ାଳି ଦେଲା । ନନାଙ୍କ ଆଖିରେ ପଡିଯାଇଛି । ନିଆଁ ବାଣ । “ତୋ ବୋପା ଭାଇ ଏଠି କମେଇ ଥୋଇଥିଲେ । ସେମିତି ହବନି, ଏଥର ଧାନ କଟା ବେଳେ ମୋ ସାଙ୍ଗରେ ବିଲକୁ ଯିବୁ । ୪ଟା କଟାହଳା ତୋ ମୁଣ୍ଡରେ ଲଦିଦେଲେ ତୁ ଜାଣିବୁ ଆଣିବା କେତେ କଷ୍ଟ ବାଣ୍ଟିବା କେତେ ସହଜ ।” ବୋଉ ନନାଙ୍କ କଥାକୁ କାନ ପହରେଇ ଦେଇ ତାଙ୍କ ପାଇଁ ଭାତ ବାଢ଼ିଲା । ପେଟକୁ ଦାନା ଗଲେ ମୁଣ୍ଡରୁ ପିଢ଼ ଖସି ପଡ଼ିବ । ମନେ ମନେ ବୋଉ ଭାବୁଥିବ । ଆରେ ଏତେ କଥା ପର କଣ ଯୋଗୀ ମଉସା ଠା ଛାଡି ନାହାଁନ୍ତି । ଖୁଣ୍ଟ ଭଳି ଛିଡ଼ା ହେଇଛନ୍ତି । ନନାଙ୍କ ମନହବତ ତାର ବୋପା ବାହାଘର ମନେ ପକାଇ ଦେବେ । ‘ଯୋଗୀ ମଉସା, ପଳାଅ, ନନା ରାଗିଛନ୍ତି ।’ ବାବୁରେ ବୋଉକୁ ଟିକେ ଡ଼ାକ ।’ ବୋଉ ଶୁଣି ପାରିଲାକି କ’ଣ ଆମ୍ବ ୪/୫ ଗଣ୍ଡା ଆଣି ତାଙ୍କ ଗାମୁଛାରେ ଢ଼ାଳି ଦେଲା । ଯୋଗୀ ଆସ୍ଥାନ ଛାଡ଼ିଲେ ଏମାନେ ଆଚ୍ଛବ ଦଳିତ ଶ୍ରେଣୀ ।
Photo credit-https://bit.ly/3LiEt0I