ମୋଗଲ ତାମସା (ଭଦ୍ରକର ଲୋକସଂସ୍କୃତି)

Chief Editor
Chief Editor 216 Views
15 Min Read

ଭଦ୍ରକ ଅଞ୍ଚଳର ଲୋକନାଟକ ମୋଗଲ ତାମସା ହେଉଛି ଏକ ଲଘୁ ବ୍ୟଙ୍ଗାତ୍ମକ ନାଟ୍ୟ ଶୈଳୀ। ମୋଗଲ ଶାସକ ମାନଙ୍କଠାରୁ ଆରମ୍ଭକରି ସବୁ ବର୍ଗର ଶାସକମାନେ ହିନ୍ଦୁ ଓ ମୁସଲମାନ ମାନଙ୍କ ଭିତରେ ଭାଇଚାରା ରକ୍ଷାକରିବା ପାଇଁ ଏହାକୁ ଗୁରୁତ୍ତ୍ଵ ଦେଇଆସିଛନ୍ତି। ଏହା ସାଧାରଣତଃ ଚୈତ୍ର ସଂକ୍ରାନ୍ତି ବା ପଣାସଂକ୍ରାନ୍ତିରେ ଅଭିନୀତ ହୋଇଥାଏ ଯେଉଁଠି ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟର ଲୋକମାନଙ୍କ ଠାରୁ ଆରମ୍ଭ କରି ଜନ ସାଧାରଣ ଏକାଠି ଦର୍ଶକ ଓ ଅଭିନେତା ଭାବରେ ଅଂଶ ଗ୍ରହଣ କରିଥାନ୍ତି । ଏଣୁ ମୋଗଲ ତାମସା ଭଦ୍ରକ ଅଞ୍ଚଳର ସାଂପ୍ରଦାୟିକ ସଦ୍ଭାବ ବା ହିନ୍ଦୁ ମୁସଲମାନ ଭାଇଚାରର ପ୍ରତୀକ ବୋଲି ଆଜିଯାଏ ଗ୍ରହଣ କରାଯାଇ ଆସିଛି। ମୋଗଲ ତାମସା ଉପରେ ଏହିଭଳି ଏକ ଗବେଷଣାତ୍ମକ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ମୋଗଲ ତାମସାର ବିଶିଷ୍ଟ ନାଟ୍ୟକାର ବାଦଲ ଶିକଦାର । – ସମ୍ପାଦକ

Support Samadhwani

ଅଷ୍ଟାଦଶ ଶତାବ୍ଦୀ ୧୭୨୮ ମସିହାରେ ମୋଗଲ ତାମସାର ସ୍ରଷ୍ଟା କବି ବଂଶୀବଲ୍ଲଭ ଗୋସ୍ୱାମୀ ଭଦ୍ରକ ସହରସ୍ଥ ସଂଗତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେହି ଗ୍ରାମରେ ବିଜେ ହଟ୍ଟକେଶ୍ୱର ମହାଦେବଙ୍କ ଆଶୀର୍ବାଦପ୍ରାପ୍ତ ହୋଇ ଏକ ଅଶ୍ୱସ୍ଥ ବୃକ୍ଷ ମୂଳରେ ବସି ଏହି ଅମୂଲ୍ୟ ଲୋକନାଟକ ମୋଗଲ ତାମସା ରଚନା କରିଥିବାର ଜନଶ୍ରୁତି କହେ । ଏହି ପବିତ୍ର ସ୍ଥାନ ହିଁ ଓଡ଼ିଶାର ତାମସା ରଚନାର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନାହିଁ । ଯଦିଓ ସେ ଖୁବ୍ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଶିକ୍ଷାଗତ ଯୋଗ୍ୟତା ବିଶେଷ କିଛି ନ ଥିଲା, ହେଲେ ଫାର୍ସୀ, ଉର୍ଦ୍ଦୁ, ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷାର ମିଶ୍ରଣରେ ତାମସାର ସଂଳାପ ଓ ଗୀତ ରଚନା କରି କାଳଜୟୀ ହୋଇପାରିଛନ୍ତି । ସେ ଯେ କେବଳ ରଚନା କରିଥିଲେ ତାହାନୁହେଁ ନିଜେ ନିର୍ଦ୍ଦେଶନା ଦେଇ, ଅଭିନୟ କରି ମୋଗଲ ତାମସାରେ ଏକ ସ୍ୱତନ୍ତ୍ର ଶୈଳୀ ସୃଷ୍ଟି କରିପାରିଥିଲେ । ଏହା ସାଧାରଣତଃ ଚୈତ୍ର ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଦିନ ଏକ ଖୋଲା ମଞ୍ଚରେ ଅଭିନୀତ ହୋଇଥାଏ ଏବଂ ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟର ଆଭିଜାତ୍ୟ ଶ୍ରେଣୀର ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏକ ସଂଗରେ ଦର୍ଶକ ଓ ଅଭିନେତା ଭାବରେ ଅଂଶ ଗ୍ରହଣ କରିଥାନ୍ତି । ଏଣୁ ମୋଗଲ ତାମସା ସାଂପ୍ରଦାୟିକ ସଦ୍‌ଭାବ ବା ହିନ୍ଦୁ ମୁସଲମାନ ଭାଇଚାରର ପ୍ରତୀକ ବୋଲି ଆମକୁ ସ୍ୱୀକାର କରିବାକୁ ହେବ ।

ମୋଗଲ ତାମସା ସାଧାରଣତଃ ଦୁଇ ଭାଗରେ ବିଭକ୍ତ । ଯଥା- ବାଦଶାହୀ ତାମସା ଓ ସୌଦାଗରୀ ତାମସା । ରଚନାର ପରବର୍ତ୍ତୀ ସମୟରେ ସୌଦାଗରୀ ତାମସାର ପାଣ୍ଡୁଲିପି ଅବଲୁପ୍ତ ପ୍ରାୟ । ବର୍ତ୍ତମାନ ଯେଉଁ ମୋଗଲ ତାମସା ପ୍ରଦର୍ଶନ କରାଯାଇ ବହୁଳ ଭାବରେ ପ୍ରଚାରିତ, ତାହା ବାଦଶାହୀ ତାମସା । କବି ବଂଶୀବଲ୍ଲଭ ମୋଗଲ ତାମସା ବ୍ୟତୀତ ଚୌଡ଼ା ତାମସା, ଭିଲ ତାମସା, ଫକୀର ତାମସା, ଯୋଗୀ ତାମସା, ଲୁଲବାଈ ତାମସା ଇତ୍ୟାଦି ରଚନା କରି କେବଳ ଓଡ଼ିଶା ନୁହେଁ ସାରା ଭାରତର ତାମସା ସାହିତ୍ୟକୁ ଅତି ସମୃଦ୍ଧ କରି ଅମର ହୋଇପାରିଛନ୍ତି ।

ମୋଗଲ ତାମସାର ଲଘୁ ଓ ବ୍ୟଙ୍ଗାତ୍ମକ ନାଟ୍ୟ ଶୈଳୀ ଭାରତର ଅନ୍ୟ ପ୍ରଦେଶରେ ଥିବା ଲୋକନାଟ୍ୟରେ ମଧ୍ୟ ଦେଖିବାକୁ ମିଳେ । ଯଥା- ଗୁଜରାଟର ଭାବାଇ, ଉତ୍ତରପ୍ରଦେଶ ଓ ରାଜସ୍ଥାନର ନୌଟଙ୍ଗୀ, ପଞ୍ଜାବର ମୁକୁଲ ଓ ତାମିଲନାଡୁର ଟେରିକୋଟୋ । ଇତିହାସ ଅନୁଯାୟୀ ମୋଗଲମାନଙ୍କ ପରେ ମରହଟ୍ଟାମାନେ ଓଡ଼ିଶାକୁ ଶାସନ କରିଥିଲେ । ଏହି ମରହଟ୍ଟା ମାନଙ୍କ ପ୍ରୋତ୍ସାହନରେ ବିଶେଷ କରି ମରହଟ୍ଟାମାନଙ୍କ ଶେଷ ଶାସକ ବାଲାଜୀ ପେଶୱା ରାଓଙ୍କ ଆର୍ଥିକ ଓ ନୈତିକ ସାହାଯ୍ୟ ଯୋଗୁଁ ମୋଗଲ ତାମସା ପ୍ରତ୍ୟେକ ବସ୍ତି ଓ ଭଦ୍ରକର ଆଖପାଖ ଅଞ୍ଚଳରେ ପ୍ରଦର୍ଶନ କରାଯାଇ ବହୁଳ ପ୍ରସାର ହେବାର ପ୍ରମାଣ ମିଳେ । କାରଣ ମରହଟ୍ଟାମାନେ ସାଧାରଣତଃ ଯାତ୍ରା ଓ ତାମସା ଦେଖିବାକୁ ଅତ୍ୟନ୍ତ ଭଲପାଉଥିଲେ । ମୋଗଲ ଶାସକ ସମ୍ରାଟ ଆକବରଙ୍କ ଠାରୁ ଆରମ୍ଭ କରି ମୁସଲମାନ ଶାସକ ମୁର୍ଶିର୍ଦ କୁଲି ଖାଁ ପର୍ଯ୍ୟନ୍ତ, ହିନ୍ଦୁ ଓ ମୁସଲମାନ ପ୍ରଜାମାନଙ୍କ ମଧ୍ୟରେ ଏକତା ଆଣି ନିର୍ବିଘ୍ନରେ ଶାସନ ଚଳାଇବା ପାଇଁ ମୋଗଲ ତାମସାର ବହୁଳ ପ୍ରଦର୍ଶନ ଏକ ରାଜନୈତିକ ଉନ୍ନତ କୂଟନୀତି ବୋଲି କେତେକ ଐତିହାସିକ ଅନୁମାନ କରନ୍ତି । ଅବଶ୍ୟ ମୋଗଲ ବାଦଶାହମାନେ ଅତ୍ୟନ୍ତ କଳାପ୍ରେମୀ ହୋଇଥିବାରୁ କବି ବଂଶୀବଲ୍ଲଭଙ୍କର ଏହି ଅମୂଲ୍ୟ କୃତି ପାଇଁ ତାଙ୍କୁ ଦିଲ୍ଲୀ ଦରବାରରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିବାର ଜନଶୃତି କହେ । ଏହାହିଁ ଥିଲା କବିଙ୍କ ପାଇଁ ଶ୍ରେଷ୍ଠ ପ୍ରେରଣା ।

Support Samadhwani

ହିନ୍ଦୁଧର୍ମର ଭଗବାନ ଶିବ ହେଉଛନ୍ତି ନାଟ୍ୟ କଳାର ପ୍ରତୀକ ଏବଂ ଇସଲାମ ଧର୍ମ ହେଉଛି ଜ୍ଞାନ, ଶକ୍ତି ଓ ପ୍ରେମର ପ୍ରତୀକ । ଏଣୁ କବି ବଂଶୀବଲ୍ଲଭ ଶିବ ମନ୍ଦିର ସମ୍ମୁଖରେ ମୋଗଲ ତାମସା ପ୍ରଦର୍ଶନ କରିବାର ପ୍ରଥା ପ୍ରଚଳନ କରି ଏବଂ ତାମସାର ଇସଲାମ ଧର୍ମୀ ଚରିତ୍ରମାନଙ୍କ ମୁହଁରେ ଭଗବାନ ଶିବଙ୍କ ପ୍ରଶଂସା, ସଂଳାପ ଓ ଝମ୍ପା ମାଧ୍ୟମରେ ସଂଯୋଗ କରି, ସାଂପ୍ରଦାୟିକ ସଦ୍‌ଭାବର ଏକ ସୁକ୍ଷ୍ମ ପ୍ରୟୋଗ କରିଛନ୍ତି ବୋଲି ଆମକୁ ସ୍ୱୀକାର କରିବାକୁ ହେବ । ନିମ୍ନରେ ଏକ ଦୃଷ୍ଟାନ୍ତ ଉଲ୍ଲେଖ କରାଗଲା । ମୋଗଲ(ଇସଲାମଧର୍ମୀ) ଚରିତ୍ର ମିର୍ଜାଙ୍କ ମୁହଁରେ ମଞ୍ଚର ନିକଟସ୍ଥ ମନ୍ଦିରରେ ବିଜେ ମହାଦେବଙ୍କ ଉଦ୍ଦେଶ୍ୟରେ ଝମ୍ପା ।

ଭଦ୍‌ରଖ ବିଚ୍ ହେଁ ଖୁବ୍ ଦେଖା

ମନ୍ଦିରକା ଭିତ୍‌ର ହେଲ୍ ସାରା

ଦର୍ଶନ କିୟା ଦିଲ୍ ଖୁସ୍ ହୁଆ

ମୁସ୍ତାରାହା ଯୋ ଦିଲ୍ ମେରା । (ଇତ୍ୟାଦି)

(ଭଦ୍ରକ ମଧ୍ୟରେ ଖୁବ୍ ଦେଖିଲି, ମନ୍ଦିର ଭିତରେ ଶ୍ରେଷ୍ଠ ଓ ସୁନ୍ଦର, ଦର୍ଶନ କରି ମନ ଖୁସି ହେଲା, ହୃଦୟ ଉଲ୍ଲସିତ ହୋଇଗଲା)

ସାରାଂଶ :

ଖାଇବର ଗିରିପଥ ଦେଇ ଭାରତକୁ ଦିନେ ପ୍ରବେଶ କଲେ ପରାକ୍ରମୀ ବାବର ଏବଂ ପ୍ରତିଷ୍ଠା ହେଲା ମୋଗଲ ସାମ୍ରାଜ୍ୟ । ମୋଗଲ ଶାସନର ପ୍ରଭାବ ବିସ୍ତାର ପରିପ୍ରେକ୍ଷୀରେ ବାଦ୍‌ଶାହମାନେ ବିଭିନ୍ନ ଅଞ୍ଚଳକୁ ପଠାଉଥିଲେ ସେମାନଙ୍କ ପ୍ରତିନିଧି ମିର୍ଜା ସାହେବମାନଙ୍କୁ । ଏଇମିତି ଜଣେ ମିର୍ଜାସାହେବ ମଥୁରା, ଆଗ୍ରା, କାଶୀ, ହଜାରିବାଗ, କୋଲକାତା, ଜଳେଶ୍ୱର ଓ ବାଲେଶ୍ୱର ଦେଇ ଭଦ୍ରକରେ ଆସି ରାତ୍ରି ଯାପନ କଲେ । ସେଦିନ ପଣା ସଂକ୍ରାନ୍ତି ହୋଇଥିବାରୁ ଏକ ଶିବ ମନ୍ଦିର ସମ୍ମୁଖରେ ଭକ୍ତମାନେ ଭଜନ କୀର୍ତ୍ତନ କରୁଥିଲେ ଏବଂ ମିର୍ଜାଙ୍କ ଛାଉଣୀ ସେହିଠାରେ ହିଁ ପଡ଼ିଲା । ମିର୍ଜା ଶିବମନ୍ଦିର ସମ୍ମୁଖରେ ନିଜର ଆସର ଆରମ୍ଭ କଲେ । ପରିଚାରକ ମାନଙ୍କୁ ଯଥା-ଝାଡୁବାଲା, ଫରାସ, ଭେସ୍ତି, ଚୌକିଦାର, ନାଈ, ଚପରାସୀ ଇତ୍ୟାଦିଙ୍କୁ ଚୋପଦାରଙ୍କ ମାଧ୍ୟମରେ ନିଜ ନିଜ କର୍ତ୍ତବ୍ୟ ପାଳନ ପାଇଁ ଆଦେଶ ଦିଆଗଲା । ଚଟନୀ ବାଲା, ହୁକାବାଲା, ନାନକ, ଫକୀର ଇତ୍ୟାଦି ମିର୍ଜାଙ୍କ ପ୍ରଶସ୍ତି ଗାନ କରି ବକ୍‌ସିସ ସହ ପ୍ରସ୍ଥାନ କଲେ । ସେ ଅଞ୍ଚଳ ଜମିଦାରଙ୍କୁ ମଧ୍ୟ ତଲବ୍ କରାଗଲା । ଜମିଦାର ଗୁମାସ୍ତାଙ୍କ ସହ ଆସି ମିର୍ଜାଙ୍କ ଆସରରେ ଉପସ୍ଥିତ ହୁଅନ୍ତେ, ନ ମନ୍ ଆଟା, ଛ ମନ୍ ଘି, ଚାରି ମନ୍ ଡାଲ, ଏକ ଛୁକ୍‌ରୀ, ବକରୀ େଔର ଛପର ଖଟ୍ ମଶାରୀ ଇତ୍ୟାଦି ରସଦ୍ ଦେବା ପାଇଁ ମିର୍ଜା ସାହେବ ଚୋପଦାରଙ୍କ ମାଧ୍ୟମରେ ଆଦେଶ ଦେଲେ । ଏହିପରି ସେ ଆସରକୁ ବିଭିନ୍ନ ଚରିତ୍ରମାନେ ଆସିଥାନ୍ତି ଏବଂ ଶେଷରେ ଆସେ ଗାଁକୁ ଗାଁ ବୁଲି ଦୁଧ ଦହି ବିକି ବିକି ଦହିବାଲି ବା ଗଉଡୁଣୀ । ତା ରୂପରେ ମୁଗ୍ଧ ହୋଇ ମିର୍ଜା ସାହେବ ଚୋପଦାରଙ୍କ ମାଧ୍ୟମରେ ଗୋଟିଏ ରାତି ତାଙ୍କ ଡେରାରେ ରହିବା ପାଇଁ ଗଉଡୁଣୀକୁ ବାଧ୍ୟ କରନ୍ତି । କିନ୍ତୁ ସେ କ୍ଷୁବ୍ଧ ହୋଇ ବାଧା ଦିଏ । ଠିକ୍ ଏହି ସମୟରେ ତ୍ୱତି ବାଲା (ପକ୍ଷୀ ବିକାଳି) ଦିଲ୍ଲୀରୁ ପକ୍ଷୀ ବିକି ବିକି ଏଠାରେ ଆସି ପହଞ୍ଚନ୍ତି ଏବଂ ଏକ ଦୁଃଖଦ ଖବର ମିର୍ଜାଙ୍କୁ ଦିଅନ୍ତି ଯେ, ଦିଲ୍ଲୀସ୍ଥ ତାଙ୍କ କୋଠା ନିଆଁରେ ଜଳି ଯାଇଛି ଓ ତାଙ୍କ ବେଗମ୍ ସାହେବା ନିଆଁରେ ପୋଡ଼ି ମରିଯାଇଛନ୍ତି । ଏହି ଖବର ପାଇ ମିର୍ଜୀ ଦୁଃଖରେ ଭାଙ୍ଗି ପଡ଼ନ୍ତି ଏବଂ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରନ୍ତି । ଗଉଡୁଣୀର ସ୍ୱାମୀ ସେଠାକୁ ଆସି ପ୍ରଥମେ ଭୀଷଣ ରାଗିଯାଇଥିଲେ ହେଁ ପରେ ସମସ୍ତ କଥା ଶୁଣି ମହାଦେବଙ୍କୁ ଉଭୟେ ମୁଣ୍ଡିଆ ମାରି ଘରକୁ ଫେରିଯାଆନ୍ତି । ମୋଗଲ ତାମସାର ସମାପ୍ତି ବିଭିନ୍ନ ଭାବରେ ଭିନ୍ନ ଭିନ୍ନ ସାହିରେ ଅଭିନୀତ ହୋଇଥିଲେ ହେଁ ପ୍ରବନ୍ଧଟି ଦୀର୍ଘ ହେବା ଆଶଙ୍କାରେ ଏଠାରେ ଗୋଟିଏ ମତବାଦ ଉଲ୍ଲେଖ କରାଗଲା ।

ଚରିତ୍ରମାନେ :

ମୀର୍ଜାସାହେବ, ଚୌପଦାର ୨ ଜଣ, ଝାଡୁବାଲା, ଫରାସ, ଭେଣ୍ଡି, ଚୌକିଦାର, ଟାଟନିବାଲା, ପରାସୀ, ଜମିଦାର, ଗୁମାସ୍ତା, ନାଇ, ହୁକାବାଲା, ନାନକପନ୍ତି, ଫକୀର , ଚେଲା, ଗଉଡ଼, ଗଉଡୁଣୀ ଇତ୍ୟାଦି ।

ସଂଗୀତ ଓ ବାଦ୍ୟଯନ୍ତ୍ର

ଏହାର ସଂଗୀତ ଭଦ୍ରକ ଲୋକସଂଗୀତର ଏକ ସ୍ୱତନ୍ତ୍ର ଶୈଳୀ ଯାହାକି ଓଡ଼ିଶାରେ ଅନ୍ୟ କେଉଁଠି ପରିଲକ୍ଷିତ ହୁଏ ନାହିଁ । ତାମସାର ଚରିତ୍ର ମାନେ ନିଜେ ଗାଇଥାନ୍ତି । ଅବଶ୍ୟ ଅଧୁନା ଶ୍ରୁତି ମଧୁର ହେବାପାଇଁ ପ୍ରଚ୍ଛଦପଟ ଗାୟନ ପନ୍ଥା ସୂତ୍ରପାତ ହୋଇଛି । ବାଦ୍ୟଯନ୍ତ୍ର ଭାବରେ ହାରମୋନିୟମ, ବେହେଲା, ସେତାର, ତବଲା, ପଖାଉଜ, ଢୋଲକ, କୁବୁଜି ଇତ୍ୟାଦି ବ୍ୟବହାର କରାଯାଏ । ମୋଗଲ ତାମସା ଆରମ୍ଭ ପୂର୍ବରୁ ଦର୍ଶକମାନଙ୍କୁ ଏକଜୁଟ କରିବାପାଇଁ ଅଭିନୟ ସ୍ଥଳର ଅନତି ଦୂରରେ ଏକ ମଞ୍ଚ ବା ଭାଡ଼ି ଉପରେ ବସି ଯୋଡ଼ି ମହୁରୀ, ଯୋଡ଼ିନାଗରା ଓ ଢୋଲ ବଜାଯାଇଥାଏ । ବର୍ତ୍ତମାନ କେତେକ ନାଟ୍ୟ ସଂସ୍ଥା ଏହି ଲୋକସଂଗୀତଗୁଡିକୁ ଅଧିକ ଶ୍ରୁତି ମଧୁର କରିବାପାଇଁ ଏବଂ ବିଶ୍ୱସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ତାଳ ଦେଇ ଚାଲିବାପାଇଁ, କି ବୋର୍ଡ଼ ବା ଅରଗାନ ଓ ବଂଶୀର ସାହାଯ୍ୟ ନେଉଛନ୍ତି ।

ଅଭିନୟର ଶୈଳୀ :

ମୋଗଲ ତାମସାରେ ଅଭିନୟ ଏକ ସ୍ୱତନ୍ତ୍ର ଧରଣର ଲୋକନାଟକ ଶୈଳୀ ଦେଖିବାକୁ ମିଳେ । କେତେବେଳେ ଗୀତ ପରେ ଅଭିନୟ ତ ପୁଣି କେତେବେଳେ ଅଭିନୟ ପରେ ଗୀତ ଏବଂ ଅଣ ଚରିତ୍ରମାନେ ନୃତ୍ୟ କରିବା ସହିତ ବିଭିନ୍ନ ଅଙ୍ଗଭଙ୍ଗୀ, ମନର ଭାବ, ଶରୀରର ଗତି ପରିପ୍ରକାଶ କରିଥାନ୍ତି । ସାରା ବିଶ୍ୱରେ ପରିବର୍ତ୍ତନଶୀଳ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଖିଆଗରେ ରଖି ଏହି ଲୋକନାଟକର ଅଭିନୟ ଶୈଳୀ ପରିବର୍ତ୍ତନର ଆବଶ୍ୟକତା ଉପଲବ୍ଧ କରାଯାଇ ଏହାକୁ କିଛି ଅନୁଷ୍ଠାନ କାର୍ଯ୍ୟରେ ପରିଣତ କରି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି ।

ପୋଷାକ :

ମିର୍ଜା ସାହେବଙ୍କ ପୋଷାକ ମୋଗଲ ବାଦଶାହାଙ୍କ ସଦୃଶ । ଅନ୍ୟ ଚରିତ୍ରମାନେ ଅଠର ଶହ ଶତାବ୍ଦୀର ପୋଷାକ ଓ ଗହଣା ପ୍ରକାରଭେଦରେ ବ୍ୟବହାର କରିଥାନ୍ତି । ବିଭିନ୍ନ ଗ୍ରାମରେ ପୋଷାକର ସାମାନ୍ୟ ପ୍ରଭେଦ ଥିଲେ ହେଁ ଘୁଙ୍ଗୁର, ହାତରେ ମଲ୍ଲୀ ଫୁଲର ମାଳ ବନ୍ଧା ହେବା ପ୍ରାୟ ଅଧିକାଂଶ ଚରିତ୍ରରେ ପରିଲକ୍ଷିତ ହୁଏ ।

ମଞ୍ଚ :

ମୋଗଲ ତାମସା ପ୍ରଦର୍ଶନ ପାଇଁ ଶିବ ମନ୍ଦିର ସମ୍ମୁଖରେ ମାଟି, ଖଟ ଅଥବା କାଠପଟାରେ ଏକ ମଞ୍ଚ ପ୍ରସ୍ତୁତ କରାଯାଇଥାଏ । ମଞ୍ଚ ର ତିନି ପାର୍ଶ୍ୱ ମୁକ୍ତ ରହିଥାଏ ଦର୍ଶକଙ୍କ ବସିବାପାଇଁ ଏବଂ ଏକ ପାର୍ଶ୍ୱରେ ମିର୍ଜାଙ୍କର ସିଂହାସନ । ଆଜିକାଲି କେତେକ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୋଗଲତାମସା ପରିବେଷଣ କରିବା ଅବସରରେ ମନ୍ଦିରର ଏକ ସେଟିଂ ପିଚୁବୋର୍ଡ଼ରେ ହେଉ ବା ପ୍ଳାଇରେ ହେଉ ପ୍ରସ୍ତୁତ କରି ମିର୍ଜାଙ୍କ ସିଂହାସନ ପଛରେ ବ୍ୟବହାର କରୁଛନ୍ତି । ସଂଗୀତଶିଳ୍ପୀମାନେ ମଞ୍ଚର ଏକ ପାର୍ଶ୍ୱରେ ବସି ସଂଗୀତ ପରିବେଷଣ କରିଥାନ୍ତି ।

ଆଲୋକ :

ମୋଗଲ ତାମସା ପ୍ରଦର୍ଶନର ପ୍ରଥମ ଅବସ୍ଥାରେ କୌଣସି ଆଲୋକର ବ୍ୟବସ୍ଥା ନ ଥିବାରୁ ସାଧାରଣତଃ ୨ଟି ବା ୪ଟି ମଶାଲ ମଞ୍ଚ ରେ ଜାଳି କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଫାନୁସ୍ ମଧ୍ୟରେ ମହମବତୀ ଜାଳି ଏବଂ ତା ପରବର୍ତ୍ତୀ ଅବସ୍ଥାରେ ପେଟ୍ରୋମାକ୍ସ ଓ ଗ୍ୟାସ ଲାଇଟ୍ ବ୍ୟବହାର କରାଯାଉଥିଲା । ସଂପ୍ରତି ବିଜୁଳି ଆଲୋକର ବ୍ୟବହାର ସହିତ ମଞ୍ଚକୁ ଅତି ସୁନ୍ଦର ଭାବରେ ସଜାହୋଇପାରୁଛି ।

ସାମାଜିକ ଚିତ୍ର ପ୍ରତିଫଳନ :

ବିଭିନ୍ନ ଧର୍ମାବଲମ୍ବୀ ବିଶେଷତଃ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଅଭିନ୍ନତା ପ୍ରକାଶ କରିବାର ପ୍ରୟାସ ମୋଗଲ ତାମସାରେ ପ୍ରତିଫଳିତ ହୋଇଛି । ଶାସକ ଗୋଷ୍ଠୀଙ୍କ ବିଳାସବ୍ୟସନ, ଜମିଦାରମାନଙ୍କର ପ୍ରଜାଶୋଷଣ ଓ ଅକ୍ଷମତା, କର୍ମଚାରୀମାନେ ଦରମା ନ ପାଇ ବେଠି ଖଟିବା ପରି କାମ କରିବା ଏବଂ ସେମାନେ ତାଡ଼ି, ଗଞ୍ଜେଇ ଇତ୍ୟାଦି ମାଦକଦ୍ରବ୍ୟ ସେବନ କରି ନିଶାସକ୍ତ ଥିବାର ଏକ ସୁନ୍ଦର ବ୍ୟଙ୍ଗାତ୍ମକ ଶୈଳୀରେ ଦର୍ଶାଯାଇଛି । ଓଡ଼ିଶା ଯେ ଏକ କୃଷିପ୍ରଧାନ ଦେଶ ଏବଂ ଅଧିକାଂଶ ବ୍ୟକ୍ତି ନିରକ୍ଷର ଏହା କବି ବଂଶୀବଲ୍ଲଭ ଗୋସ୍ୱାମୀ ଏହି ତାମସାରେ ଅତି ଚମତ୍କାର ଭାବରେ ଚିତ୍ରଣ କରି ପରପୀଢ଼ିର ଉନ୍ନତିପାଇଁ ଚେତନାର ସଂଦେଶ ଦେଇଯାଇଛନ୍ତି । କେବଳ ଏତିକି ନୁହେଁ ଯଦିଓ ଆମେ ପରାଧୀନ ଥିଲେ ହେଲେ ଏହି ପରାଧୀନତା ଆମ ପାଇଁ ଏକ ଯନ୍ତ୍ରଣା ଥିଲା ଏବଂ ଆମେ ମୋଗଲ ଶାସନରେ ଅତିଷ୍ଠ ଥିଲେ ତାହା କବି ବଂଶୀବଲ୍ଲଭ ରଙ୍ଗ ରସ, ବ୍ୟଙ୍ଗବିଦୃପ ଓ ହାସ୍ୟ ଉଦ୍ରେକ ଢଙ୍ଗରେ ସୁନ୍ଦର ଭାବରେ ଚିତ୍ରଣ କରିଯାଇଛନ୍ତି ।

ମୋ କଥା :

କବି ବଂଶୀବଲ୍ଲଭ ଗୋସ୍ୱାମୀଙ୍କୁ ମୋଗଲ ତାମସା ପାଣ୍ଡୁଲିପି ତାଳପତ୍ର ପୋଥିରେ ଲିପିବଦ୍ଧ ଥିଲା ଏବଂ ତାହା ଘରପୋଡ଼ିରେ ନଷ୍ଟ ହୋଇଯାଇଥିବାର ଶୁଣାଯାଏ । କବି ଅବଶ୍ୟ ଶେଷ ଜୀବନରେ ଭଦ୍ରକସ୍ଥ ସନ୍ତିଆ ଗ୍ରାମରେ ଆସି ବସବାସ କରୁଥିଲେ । ତାଳପତ୍ର ପାଣ୍ଡୁଲିପି ନଷ୍ଟ ହୋଇଯାଇଥିଲେ ହେଁ ସେତେବେଳେ ଭଦ୍ରକର ପ୍ରତ୍ୟେକ ସାହି ବସ୍ତିରେ ମୋଗଲ ତାମସା ଅଭିନୀତ ହେଉଥିଲା ଏବଂ ଆବଶ୍ୟକ ଅନୁଯାୟୀ ତନ୍ମଧ୍ୟରେ କିଛି ପରିବର୍ତ୍ତନ କରାଯାଉଥିଲା । ମୂଳ ପାଣ୍ଡୁଲିପି ନ ଥିବାରୁ ପ୍ରତ୍ୟେକ ବସ୍ତିରେ ଅଭିନୀତ ହେଉଥିବା ମୋଗଲ ତାମସାରେ ସାମାନ୍ୟ ପାର୍ଥକ୍ୟ ପରିଲକ୍ଷିତ ହୁଏ । ସେତେବେଳେ ଅଭିନେତାମାନଙ୍କର, ତାମସାର ସଂଳାପ ଓ ଗୀତ ମୁଖସ୍ଥ ଥିଲା ଏବଂ ସେହି ଭାବରେ ତାଙ୍କ ମୁଖ ନିସୃତ ମୋଗଲ ତାମସା ପ୍ରତ୍ୟେକ ବସ୍ତିର ପାଣ୍ଡୁଲିପି ବୋଲି ବିବେଚନା କରାଯାଉଥିଲା । ଗବସାହି (ସାହାପୁର) ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ହାଜରା ଏହିପରି ଭାବରେ ଅଭିନେତାମାନଙ୍କ ମୁହଁରୁ ଶୁଣି ଶୁଣି ଏକ ପାଣ୍ଡୁଲିପି ୧୯୧୯ ମସିହାରେ ପ୍ରସ୍ତୁତ କରିଥିଲେ ଯାହାକି ୧୯୯୬ ମସିହା ମାର୍ଚ୍ଚ ୨୪ ତାରିଖରେ ସାହାପୁରର ଗର୍ଭଶ୍ୱର ମହାଦେବଙ୍କ ଅଙ୍ଗନରେ ପ୍ରଫେସର ଡଃ ସନାତନ ମହାନ୍ତି ଓ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ପ୍ରଯୋଜନାରେ ଅଭିନୀତ ହୋଇଥିଲା । ଏହି ପାଣ୍ଡୁଲିପିଟି ସାହାପୁର ଗ୍ରାମର ମିର୍ଜା ଚରିତ୍ରରେ ଅଭିନୟ କରୁଥିବା ସଚ୍ଚିଦାନନ୍ଦ ମହାନ୍ତିଙ୍କ ନିକଟରେ ଥିଲା, ସେ ଅପୁତ୍ରିକ ଥିବାରୁ ସେ ଗ୍ରାମର କିରଣ କୁମାର ଦାସଙ୍କ ମାଧ୍ୟମରେ ଉକ୍ତ ପାଣ୍ଡୁଲିପିଟିକୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷଣ ପାଇଁ ପଠାଯାଇଥିଲା । ସଂଗତ ଗ୍ରାମରେ ଅଭିନୀତ ହେଉଥିବା ମୋଗଲ ତାମସାର ପାଣ୍ଡୁଲିପି ମଧ୍ୟ ଡଃ କୃଷ୍ଣ ଚରଣ ବେହେରା ସେହି ଗ୍ରାମରୁ ସଂଗ୍ରହ କରି ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ କରିଅଛନ୍ତି । କୁମାରେଶ୍ୱର ମହାଦେବଙ୍କ ସମ୍ମୁଖରେ ଅଭିନୀତ ହେଉଥିବା କୁଆଁସ ଗ୍ରାମର ମୋଗଲ ତାମସାର ଲିଖିତ ପାଣ୍ଡୁଲିପି ସ୍ୱର୍ଗତ ବ୍ରଜବଲ୍ଲଭ ମହାପାତ୍ରଙ୍କ ନିକଟରେ ଥିଲା । ତାଙ୍କ ଅନ୍ତେ ବର୍ତ୍ତମାନ ତାଙ୍କ ବଂଶଧରଙ୍କ ନିକଟରେ ଗଚ୍ଛିତ । ଶଙ୍କରପୁର ଗ୍ରାମର ଲିଖିତ ପାଣ୍ଡୁଲିପି ଉପେନ୍ଦ୍ର ପ୍ରସାଦ ନାୟକଙ୍କ ନିକଟରେ ଏବେ ବି ଗଚ୍ଛିତ ଥିଲା । ଗରଦପୁରର ପାଣ୍ଡୁଲିପି ଶ୍ରୀ ରାମପ୍ରସାଦ ମହାନ୍ତି ଓ ଅର୍ଜୁନ ଚରଣ ମହାନ୍ତିଙ୍କର ମୁଖସ୍ଥ ଥିବାର ପ୍ରମାଣ ମିଳେ । ଜାନୁଗଞ୍ଜ ଓ ପୁରୁଣା ବଜାରରେ ମଝିରେ ମଝିରେ ଏବଂ ଏରେଇରେ ପ୍ରତ୍ୟେକ ବର୍ଷ ପଣା ସଂକ୍ରାନ୍ତି ଦିନ ଏବେ ବି ମୋଗଲ ତାମସା ଅଭିନୀତ ହେଉଥିବାରୁ ସେଠାକାର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କର ମୁହଁରେ ମୋଗଲ ତାମସାର ପାଣ୍ଡୁଲିପି ଉପଲବ୍ଧ । ସନ୍ଥିଆ ଗ୍ରାମର ମୋଗଲ ତାମସାର ପାଣ୍ଡୁଲିପି ଏବେ ବି ଗଚ୍ଛିତ ।

ମୋଗଲ ତାମସାର ପ୍ରଥମ ଗବେଷକ ହେଲେ ଡଃ କୃଷ୍ଣ ଚରଣ ବେହେରା । ଶ୍ରୀଯୁକ୍ତ ବେହେରା ବିଭିନ୍ନ ଅଞ୍ଚଳର ଉପଲବ୍ଧ ପାଣ୍ଡୁଲିପି ସଂଗ୍ରହ କରି ପୁସ୍ତକ ଆକାରରେ ପ୍ରଥମେ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ଡାଃ ବିଜେନ୍ଦ୍ର ଲାଲ ବେହେରା ଓ ଦେବେନ୍ଦ୍ର ପ୍ରସାଦ ମହାପାତ୍ର ମୋଗଲ ତାମସାର ପାଣ୍ଡୁଲିପି ସଂଗ୍ରହ କରି ପୁସ୍ତକ ଆକାରରେ ପ୍ରକାଶ କରିଛନ୍ତି । ଡଃ କୃଷ୍ଣ ଚରଣ ବେହେରା ଓ ଡଃ ମନୀନ୍ଦ୍ର ମହାନ୍ତି ମଧ୍ୟ ମିଳିତ ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ମାଧମରେ ଏକ ପୁସ୍ତକ ପ୍ରକାଶ କରିଛନ୍ତି । ଏହି ଚାରୋଟି ପୁସ୍ତକ ମୋଗଲ ତାମସାର ଗବେଷକ ମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ବୋଲି ଆମ୍ଭଙ୍କୁ ନିଶ୍ଚିତ ଭାବରେ ଗ୍ରହଣ କରିବାକୁ ପଡ଼ିବ ।

ବେଶ କିଛି ବର୍ଷ ପୂର୍ବେ ଭଦ୍ରକର ପ୍ରତ୍ୟେକ ବସ୍ତି ଯଥା ସଂଗତ, ବାଙ୍କା, ପଠାନମହଲା, ଛଡ଼ାକ ମହଲା, ଗରଦପୁର, ପୁରୁଣାବଜାର, ଶଙ୍କରପୁର, ସନ୍ଥିଆ, କୁଆଁସ, ସାହାପୁର, ଜାନୁଗଞ୍ଜ, ଏରେଇ ଇତ୍ୟାଦି ସ୍ଥାନରେ ପ୍ରତିବର୍ଷ ନିଶ୍ଚିତ ଭାବରେ ମୋଗଲ ତାମସା ଅଭିନୀତ ହେଉଥିଲା । ଏବେ କିନ୍ତୁ କେବଳ ଏରେଇ, ଗରଦପୁର, କୁଆଁସ, ଜାନୁଗଞ୍ଜ ଓ ପୁରୁଣାବଜାରରେ କେତେବେଳେ କେମିତି ପ୍ରଦର୍ଶନ ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳୁନାହିଁ । ବରଂ ଭଦ୍ରକ, ଭୁବନେଶ୍ୱର ଓ ରାଉରକେଲାର କେତେକ ସୌଖୀନ ନାଟ୍ୟ ସଂସ୍ଥା ଏହି ଲୋକନାଟକକୁ ରାଜ୍ୟ ଓ ଜାତୀୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଆକାଶବାଣୀ ଓ ଦୂରଦର୍ଶନରେ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ପ୍ରଚାର ଓ ପ୍ରସାର ନିମିତ ସାଧନାରତ ।

ଶେଷ କରିବା ପୂର୍ବରୁ, ମୋଗଲ ତାମସା ଆରମ୍ଭରୁ ଏଯାବତ୍ ଯେଉଁ ସମ୍ମାନୀୟ କଳାକାରମାନେ (ମୃତ ବା ଜୀବିତ) ଅଂଶ ଗ୍ରହଣ କରି ଭଦ୍ରକରେ ଏହି ଲୋକପ୍ରିୟ ଲୋକକଳାର ଉନ୍ନତି ନିମିତ୍ତ ନିରବଚ୍ଛିନ୍ନ ସାଧନା କରିଅଛନ୍ତି, ସେମାନଙ୍କୁ ଏ ପ୍ରବନ୍ଧ ମାଧମରେ ମୋର ଆନ୍ତରିକ କୃତଜ୍ଞତା ଓ ପ୍ରଣାମ ଜଣାଉଛି । ଆହୁରି ମଧ୍ୟ ଭଦ୍ରକର ଜନସାଧାରଣଙ୍କୁ ମୋର ବିନମ୍ର ଅନୁରୋଧ ଏପରି ଏକ ଅମୂଲ୍ୟ ସଂପଦର ବିଲୋପ ନ ହେବା ପାଇଁ ଏବଂ ଏ ଦେଶ ଏ ଜାତି କବି ବଂଶୀବଲ୍ଲଭ ଗୋସ୍ୱାମୀ ପରି ଜଣେ ସାରସ୍ୱତ ସାଧକଙ୍କୁ ଭୁଲି ନ ଯିବା ପାଇଁ ଯଦି ଏହି ତାମସାର ପାଣ୍ଡୁଲିପି କୌଣସି ବ୍ୟକ୍ତିଙ୍କ ପାଖରେ ଥାଏ ତେବେ ଲୋକଲୋଚନକୁ ଆଣି ଉନ୍ନତିକଳ୍ପେ ଆଗେଇ ଆସନ୍ତୁ ।

ସମୟ ଆସିଛି, ମୋଗଲ ତାମସାକୁ ବିଶ୍ୱ ସାଂସ୍କୃତିକ ଜଗତରେ ଆମକୁ ପରିଚିତ କରାଇବାକୁ ନିମ୍ନଲିଖିତ ପଦକ୍ଷେପମାନ ନେବା ପାଇଁ ମୁଁ ଏହି ପ୍ରବନ୍ଧ ମାଧ୍ୟମରେ ଉପସ୍ଥିତ ବିଜ୍ଞମଣ୍ଡଳୀ ବିଶେଷ କରି ଇନଟାକ୍ଟର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରୁଛି ।

ପ୍ରସ୍ତାବ – ୧ : ଭଦ୍ରକର ବିଭିନ୍ନ ବସ୍ତିରେ ଯେଉଁ ମୋଗଲ ତାମସା ମାନ ଅଭିନୀତ ହେଉଛି, ତାହାର ସିଡ଼ି ପ୍ରସ୍ତୁତ କରାଯାଉ ।

ପ୍ରସ୍ତାବ -୨ : ମୋଗଲ ତାମସାର ପାଣ୍ଡୁଲିପିକୁ ଇଂରାଜୀ ଓ ହିନ୍ଦୀରେ ଦୀର୍ଘ ମୁଖବନ୍ଧ ସହ ପ୍ରକାଶ କରାଯାଉ ।

ପ୍ରସ୍ତାବ – ୩ : ଏହାକୁ ବିଶ୍ୱ ସ୍ତରରେ ପ୍ରଦର୍ଶନ ନିମିତ୍ତ ସରକାରୀ ଓ ବେସରକାରୀ ସ୍ତରରେ ଆଥିକ ପ୍ରୋତ୍ସାପନ ପାଇଁ

ପଦକ୍ଷେପ ନିଆଯାଉ ।

ପ୍ରକାଶ ଥାଉ କି ଗୁରୁ ଅଜଲ ଶିକଦାରଙ୍କ ଦ୍ୱାରା ପରିଚାଳିତ ନିର୍ଦ୍ଦେଶିତ ଭଦ୍ରକ (ଓଡ଼ିଶା)ର ନାଟ୍ୟ ସଂସ୍ଥା ‘ସଂକେତ’ ୧୯୮୫ ମସିହାରୁ ଆଜି ପର୍ଯ୍ୟନ୍ତ ୨୯୫ଟି ସ୍ଥାନରେ “ମୋଗଲ ତାମସା” ଲୋକ ନାଟକ ପରିବେଷଣ କରି ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟରତ ଓଡ଼ିଆ ଓ ଓଡ଼ିଶାର ବାହାରେ ପ୍ରସାରିତ ।

Photo Credit – https://bit.ly/3Hyi7sX

 

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.