ଗେଣ୍ଡା କଙ୍କଡା କଥା

ଆଉ ନାହିଁରେ ବାପ, ସେ କାଳ ପଖାଳ ଖଟା । ଆଉ ଅଛି ?

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ 802 Views
12 Min Read

କେଉଟ ଧରେ ମାଛ ଖାଏ କଙ୍କଡା । ଅଛୁଆଁ ଜାତି ଧରିବେ ମାଛ ଖାଇବେ ଗେଣ୍ଡା । ଉଚ୍ଚବର୍ଗର ଲୋକମାନେ ଦଳିତ ମାନଙ୍କର ଖାଇବେ । ସେଇମାନଙ୍କୁ କଙ୍କଡି ଗେଣ୍ଡାଳ କହିବେ । ଏପରି ତାଚ୍ଛଲ୍ୟ ନକଲେ ସେମାନେ କି ବ୍ରାହ୍ମଣ କି ଛୁଆଁ ଜାତି ! ଗେଣ୍ଡା କଙ୍କଡା ମାଛର ଭାଇ ବିରାଦର । ମାଛ ଭଳି ପାଣିରେ ରୁହନ୍ତି । ସ୍ଥଳ ଭାଗରେ ମଧ୍ୟ ରହିପାରନ୍ତି । ବିଲ ବାଡି, ଓଦାଳିଆ ମାଟି , ହିଡ ଦାଢରେ ଗାତ କରି ଏମାନେ ରୁହନ୍ତି । ଅଣ୍ଡା ଦିଅନ୍ତି । ଛୁଆ ବଢାନ୍ତି । ଜମି ବାଡିରେ ତ ଆମେ ଏବେ ହୁଡା ଦେଉନାହୁଁ । ଆମ ପିଲା ବେଳେ ଆମେ ଧାନ ବିଲକୁ ଯାଉ ତ ବେଳେ ବେଳେ ଗେଣ୍ଡା ପାଦ କାଟିଦିଅନ୍ତି । କଙ୍କଡା ଉପରେ ଗୋଡ ପଡିଗଲା ତ କାମୁଡି ଧରିବେ ଯେ ମାମୁଁଘର ଦେଖାଇ ଦେବେ। ଗେଣ୍ଡା କଙ୍କଡା ଚାଷୀଙ୍କ ବନ୍ଧୁ । ବିଲରେ ବୁଲି ପୋକ ଜୋକ ଖାଇଯାଆନ୍ତି । ମାଟିକୁ ଖୋଳିପକାନ୍ତି । ଗେଣ୍ଡା ଗଳା ମାଟି ଖୁବ ଉର୍ବର । ସେମାନେ ଜମିରେବି ମଳତ୍ୟାଗ କଲେ । ଜମି ଉର୍ବର ହେଲା । ମଣିଷ ପ୍ରକୃତିରୁ ଯାହା ଠାରୁ ଉପକାର ପାଏ ତାକୁ ଠାକୁର ଭାବେ ପୂଜା କରେ । ଜଗନ୍ନାଥଙ୍କର ଚିତାଲାଗି ଅମାବାସ୍ୟା । ନୂଆ ଧାନରୁ ଚାଉଳ ସଂଗ୍ରହ ହେବ । ଚାଉଳ ବାଟି ଚିତା ଦେବେ । ଭୋଦୁଅ ମାସ । ଗାଁ ମାନଙ୍କରେ ଚିତୋଊ ଅମାସିଆ ପର୍ବ । ସେ ଦିନ ଚିତୋଉ ପିଠା ହେବ । ଧାନ ଜମିରେ ପାଣି ଅଛି । ଗେଣ୍ଡା କଙ୍କଡାଙ୍କ ବଂଶ ବର୍ଷ ଦିନେ ବଢିଯାଏ । ଚିତୋଉ ପିଠା ପାଞ୍ଚ ଦଶଟି ବିଲରେ ପଡିବ । ଗେଣ୍ଡା କଙ୍କଡା ଖାଇବେ ।

କେଉଟ ମାଛ ଧରିଲା ବେଳେ ଜାଲରେ ମାଛ ପଡନ୍ତି ଗେଣ୍ଡା କଙ୍କଡା ବି ପଡନ୍ତି । କେଉଟ ମାନେ ବାଉରୀ ବାବରଙ୍କ ଠାରୁ ଟିକେ ସୁତୁରିଆ ଜାତି । ଗେଣ୍ଡା ଉପରେ ଆଖି ନଥାଏ । କାଳିଆ କଙ୍କଡା ମହତ୍ତ୍ଵ ଜାଣିଛନ୍ତି । କଙ୍କଡା ମାନଙ୍କୁ ଖାଳେଇରେ ପୁରାନ୍ତି । ମୁଁ ୭୦/୮୦ ବର୍ଷ ତଳ କଥା ଲେଖୁଛି । ସେତେବେଳେ ହାଟ ବଜାରରେ  ମାଛ ବିକ୍ରୀ ଟିକିରି ଚାଲି ନଥାଏ । କେଉଟ ଭାଇ ଖାଳେଇ ଅଣ୍ଟାରେ  ବାନ୍ଧିଥବ । ଭଉଁରୀ କନ୍ଧରେ ଧରିଥବ । ଗାଁ ଗାଁ ବୁଲିବ । ସେତେବେଳେ ମାଛ ଓଜନ ପାଇଁ ବିଣା । ବିଣାଏ  ମାଛ ବା ବାଣ୍ଟେ ମାଛ ଆଜିକା କିଲୋ ଓଜନରେ  ପ୍ରାୟ ୨ କିଲୋ । ରୋହି ,ଭାକୁଡ ବିଶାଏ ମାଛକୁ ୨ ଅଣା (ଆଜିକା ୧୨ ପଇସା )ନହେଲେ ୨ ସେର ଧାନ ବା ସେର ଚାଉଳ । ସେତେବେଳେ ପଇସା ଚଳଣି ବେଶି ନଥିଲା । ଧାନ ,ଚାଉଳ ,ମୁଗ ,ବିରି ,କୋଳଥ ବା ସୋରିଷ ବଦଳରେ ମାଛ । ତେଲ ମସଲା କିଣା ବିକା ହେଉଥିଲା । ଅର୍ଥନୀତିଜ୍ଞମାନେ ଏ ପ୍ରକାରର କାରବାରକୁ ବାର୍ଟର ଏକୋନୋମି ନାଁ ଦେଇଥାନ୍ତି । ହାତ ନ ଲାଗେ ଗୋଡ ନ ଲାଗେ ତେଲ ପିଠାଟି ସୁଆଦ ଲାଗେ ।

ସାଆନ୍ତମାନେ ଘାସକୁ ଲମ୍ବ ପାଳକୁ ଛୋଟ । ପାଣିରେ ପସି ମାଛ ଧରିବେ ? କେଉଟ ଆସିଲେ ନକଡା ଛକଡାରେ କିଣିବେ । ଘଡିଏ ଦି ଘଡି ଭିତରେତ ମାଛ ଶେଷ । ଖାଳେଇରେ କଙ୍କଡାମାନେ ଖସର ଖାସର ହେଉଥାନ୍ତି । ଉପରକୁ ତଳକୁ ଉଠ ପଡ ହୁଅନ୍ତି । କେଉଟ ଘରକୁ ବାହୁଡା ହୁଏ । ଘରଣୀଙ୍କ ପାଖେ ଖାଳେଇ ଥୋଇ କୁହନ୍ତି “ନେ କଙ୍କଡା ପୋଡ ଚଟଣି କଲେ ଖାଇବା”। ଆଲୋ ମା ମାଛ କାହିଁ ?”ମାଛ ଆମେ ଖାଇବା ତ ପାଟିକୁ ଗୁଣ୍ଡା ଯିବ କେମିତି? ଜାଉଳି ଫିଟାଇ ଦେଖ । ପାଞ୍ଚ ଛଅ ସେର ଚାଉଳ ହବ । ଡାଲି ଅଛି । ୪/୫ ଦିନ ତ ଚଳିଯିବ । ମାଛ ଦିନେ ଓଳିଏ ଖାଇଥାନ୍ତେ । କଣ ପେଟେ ପୁରିଥାନ୍ତା । ଆଲୋ ଆମେ ତ ଛୋଟ ଜାତି ।ଅଛୁଆଁ  । ବାଡି ଗୋବରେ ଗୋବେ ଜମି ନାହିଁ । ସାଆନ୍ତମାନେ ,ମକଦ୍ଦମ,ଜମିଦାର ,ବଡଲୋକ ,ରଜା ସେମାନଙ୍କ ପାଇଁ ଜମି ଖଞ୍ଜି ଦେଇଛି ନା । ଆମେ କେତେକ ଲୋକ । ବାମନ ହୋଇ ଚାନ୍ଦକୁ ହାତ ବଢେଇବା । ପୁରାଣ,ସାସତର ପରା ଆମକୁ ଶୂଦ୍ର ଜାତି କରିଦେଇଛି । ଆମେ ଖଟିବା ଖାଇବା । ଧେତ ତୋତେ ଭାଗବତ ଶୁଣାଇବି ନା ପେଟ କଁ କଁ ଡାକିଲାଣି ଦିଗୁଣ୍ଡା ଖାଇବି । ସାବି ତୁ ଗୋଟେ କାମ କର । ବାରିଘରୁ ପତର ପୁଳାଏ ଗଦା । ମୁଁ କଙ୍କଡା ମାନଙ୍କୁ ପୋଡୁଛି । କଞ୍ଚା ଲଙ୍କା ୨/୪ ଟା ଆଣ । କଙ୍କଡା ପୋଡା ହେଲା । ପିଠି ଖୋଳ ପୋଡି ଗଲାତ ପୋଡା କଙ୍କଡା ମାନଙ୍କୁ ବାହାର କରି କେଉଟ ଭାଇ ଝାଡି ଝୁଡି ଦେଲା । ବଡ ପଲମଟିଏ ସାବି ଆଣିଛି । ପଟା ଖଣ୍ଡିଏ ଆଣି ପିଟଣାରେ ପୋଡା କଙ୍କଡା ମାନଙ୍କୁ ଛେଚି ଦେଇ ପଲମରେ ରଖେ । ମଦନା ସାହୁକୁ ମାଛ ଦେଇ ଘଣା ସୋରିଷ ତେଲ ସିସିଏ ଆଣି ଥାଏ । ସାବି କଳା ସୂର୍ଯମୁଖୀ ଲଙ୍କା ,ଲୁଣ ସୋରିଷ ତେଲ ଗେରସ୍ତ ପାଖେ ଥୋଇଦେଲା ।“ଭାତ ରାନ୍ଧି ତ ପଖାଳ କରିଥିବୁ । ଭାତ ବାଢ । କଙ୍କଡା ଚଟଣି ତ ହେଲା ଜାଣ”।

କେଉଟ ଭାଇ ପଲମରେ କଞ୍ଚା ଲଙ୍କା ,ଲୁଣ ,ଘଣା ସୋରିଷ ତେଲ ୮/୧୦ ଟୋପା ପକାଇ ଚକଟା ଚକଟି କରିଦିଏ ତ ବାସ ମହକିଲାଣି । ଭାତ କଂସାରେ ଧରି ଗେରସ୍ତ ,ଭାରିଜା,ଝିଅ ମିନା ବସିଗଲେ । ଭାତ ଗୁଣ୍ଡାକୁ ପଲମରୁ କଙ୍କଡା ଚଟଣି ବଡିଏ । ୧୦/୧୨ ଟା କାଳିଆ କଙ୍କଡାତ । ଚଟଣି ୨/୩ ଛଟାଙ୍କି । ମିଳିମିଶି ଖାଇଦେଇ ତୋରାଣି ପିଅନ୍ତିତ କେଉଟ ଭାଇ ୨/୩ ଟି ହାକୁଟି ମାରେ ।“ ଶଳା ସାଆନ୍ତ ମାଛ ଖାଇବ । ଆରେ ଏ କଙ୍କଡା ଚଟଣି ମଜା ପାଇବ । କଙ୍କଡା ନାଲି ଇଟା ଚିକ୍କଣ ଲାଗିଯାଉଛି । ଆମକୁ କହିବେ କଙ୍କଡି । ଆରେ କଙ୍କଡିର ହାତ ଘଷିଦେଲେ ନିଆଁ ବାହାରିପଡିବ । ଏ ସରବା କେଉଟ ୫ ଜଣ ବ୍ରାହ୍ମଣ ଟୋକାଙ୍କୁ କାଖରେ ଜାକିଦବ ।

ସ୍କୁଲ ଛୁଟି ବେଳ । ଆମ ଫେରିବା ବାଟରେ କେଉଟ ସାହି । ତାଙ୍କର ଖିଆ ପିଆ ଚାଲିଥାଏ । ମୁଁ କଙ୍କଡା ଚଟଣି ଖାଇଛି । ନନା ବି ଖୁବ ମାଛ, କଙ୍କଡା ଧରନ୍ତି । ବୋଉ କଙ୍କଡାକୁ ନାକ ଟେକେ । ନନା ବାଡିଆରେ ଛଣରେ ନିଆଁ ଲଗାଇ କଙ୍କଡା ପୋଡନ୍ତି । ମତେ ଇଟା ଚିକ୍କଣ ଚିହ୍ନାଇ ଥାନ୍ତି । ଚକଟା ଚକଟି କରନ୍ତି । ନନା ,ବୋଉ କଙ୍କଡା ଖାଆନ୍ତିନି । ବ୍ରାହ୍ମଣ ପରା । ଜାତି ଚାଲିଯିବ । ୨/୩ ଟା କାଳିଆ କଙ୍କଡା ଚକଟା । ମୁଁ ବାଲା କଢେଇ ଭାତ ,ମାଛ ତରକାରୀ ,କଙ୍କଡା ଚଟଣି ଖାଇଦିଏ । କେଉଟ ସାହିରେ କଙ୍କଡା ଚଟଣିକୁ ପଖାଳ ଭାତ ଦେଖି ସତରେ ମୋ ପାଟିରୁ ଲାଳ ବୁହେ । ଚୈତ୍ର ,ବୈଶାଖ ମାସ । ଗଡିଆ ପୋଖରୀରୁ ପାଣି କମିଯାଉଛି । ନନାତ ମାଛ,କଙ୍କଡା ଧରିବାରେ ଓସ୍ତାଦ । ୩/୪ ଟି ନଡିଆ ବରଡା ଚିରି ଗୋଟେ ଚାଞ୍ଚ ତିଆରି କଲେ । ଚାଞ୍ଚକୁ ଦୁଇ ମୁଣ୍ଡରୁ ବାନ୍ଧିଦେଇ । ଗୋଟେ ଓଦର ଭଳି ଆକାର । ଘୋସାରି ଘୋସାରି ହୃଦଙ୍ଗ ପୋଖରୀ ପାଖେ ପହଞ୍ଚନ୍ତି । ସାହାଡା ଡାଳ ହାଣି ଓଦର ଭିତରେ ଖଞ୍ଜା ହୁଏ । ସନ୍ଧ୍ୟା ହେଲା । ବୋଊକୁ ସଧେଇ ଦିସେର ଚାଉଳ ଭାତ କରାଇଲେ । ଭାତ ଗୋଟେ ହାଣ୍ଡିରେ ଧରି ଚାଲିଲେ ହୃଦଙ୍ଗା । ସେତେବେଳକୁ ମୋତେ ୧୫/୧୬ ବର୍ଷ ହବ । ନନାଙ୍କ ସାଙ୍ଗରେ ବାଗେଇଲି । ଭାତ ତକ ଓଦରରେ ପକାଇ ନନା ଓଦରକୁ ଘୋସାରି ଛାତିଏ ପାଣିରେ ରଖିଦେଲେ । ଘରକୁ ଫେରିଲୁ ।

ପରଦିନ ସକାଳ । ନନା କେତେବେଳେ ହୃଦଙ୍ଗା ଯାଇ ଓଦର ଝାଡିଛନ୍ତି । ଦୁଆରେ ଜାଉଳି ଫିଟାଇ ଦିଅନ୍ତିତ ୨/୩ ଟା ମାଗୁର ,ରତା ୫/୭ ଟା ,ଗୋଟେ ଶେଉଳ ,ଦଶରଥ ମାନେ ଦୁଆର ସାରା ଖେଦି ଗଲେଣି । କଙ୍କଡା ଦେଖି ବୋଊ ନନାଙ୍କ ଉପରେ ବିରି ବିରି ହେଲାଣି । ମାଛକୁ ପିଟଣାରେ ବାଡେଇ ବୋଊକୁ ଧରେଇ ଦେଲେ । ବଡ ବଡ କାଳିଆ କଙ୍କଡା ୧୦/୧୫ । ସେମାନଙ୍କୁ ଗୋଟି ଗୋଟି ଛେଚି ଛୋଟ ଗୋଡ ଗୁଡିକ ଛିଣ୍ଡାଇ ପକାଇଲେ । ଆମେ ଭାଇଭଉଣୀବି ଲାଗିଗଲୁ । ମାଛ ତ ଭଜା ତରକାରି ହବ । ବୋଊକୁ ବରାଦ କଲେ । ଗୋଟେ ପାଗ ଛଡା ହାଣ୍ଡିରେ ପାଣି ଫୁଟିଲା । ହାଣ୍ଡି ମୁହଁରେ ଅଥାର ଭଳି କନା ଖଣ୍ଡିଏ ଭିଡା ହେଲା । ବୋଊ କଙ୍କଡା ଛୁଇଁବନି । ନନା କଙ୍କଡା ତକ ଧୁଆ ଧୁଇ କରି କନା ଉପରେ ଗଦା କଲେ । ପଲମଟିଏ ଘୋଡା ହେଲା । ୧୦/୧୫ ମିନିଟ ପରେ ବାମ୍ଫ ବାହାରିଲାତ ପଲମକାଢି କଙ୍କଡା ମାନଙ୍କୁ ଉଦ୍ଧାର କଲେ । ଆମେ ଏକ ଲୟରେ ଚାହିଁଥାଉ ।

ମୋତେ କାମରେ ଲଗାନ୍ତି । ବତେଇ ଦିଅନ୍ତି । ନନା ଓ ମୁଁ କଙ୍କଡା ଖୋଳ ସବୁ କାଢି ମାଉଁସ ବାହାର କଲୁ । ୪୦୦/୫୦୦ ଗ୍ରାମ ମାଲ । ନାଲି ଇଟା ୫/୭ ଟା ବି ଅଛି । ବୋଊକୁ ବରାଦ ହେଲା । ବୋଊ ଜୀରା ,ଲଙ୍କା ,ଅଦା,ରସୁଣ ,ଦେଶୀ ପିଆଜ ବଟାବଟି କଲା । କଡେଇ ମାରା ହୋଇଯିବ । ଗୋଟିଏ ପାଗ ଛଡା ତେଲୁଣିରେ କଙ୍କଡା ତରକାରି ହେଲା । ଘଣା ସୋରିଷ ତେଲ ,ଫୁଟଣରେ ମସଲା କରି କଙ୍କଡା ମାଂସକୁତ ପକାଇଦିଅନ୍ତି । କସି କସି ତରକାରି ଲାଲ।ଗୋଟେ କଡା ଫୁରୁକୁଟିଆ ବାସ ବିଛା ମାଳିଆ ଚୁଙ୍ଗୁଡି ତରକାରି ବାସ ପରି । ପାଣି ମାପରେ ଢାଳି ୧୦/୧୫ ମିନିଟ ଫୁଟିଲା ପରେ ଗରମ ମସଲା ବାଟ ଦେଇ ତରକାରି ଓହ୍ଲାଇଲେ । ଗାଏ ମାଖା ତରକାରି । ସେଇ ତେଲୁଣିରେ ତରକାରି । ୩/୪ଟା ଥାଳି, ଥାଳିଆରେ ଗରମ ଭାତ । ଆମେ ଭାଇ ଭଉଣୀ ଏକାଠି ବସିଗଲୁ । ସେ ତରକାରି ! ହାତରେ ଚିକ୍କଣ ଲାଗିଯାଉଥାଏ । ଛଡିଆ ପଡିଆ ହୋଇ ଖାଇ ତ ଯାଉଥାଉ । ଇଟା ମଜା । ମୁଁ ଇଟା ମାହାତ୍ମ୍ୟ କାହାକୁ ନ କହି ଏକା ଚଲେଇ ଦେଲି । ଆଃ ,ସ୍ଵର୍ଗ ,ମର୍ତ୍ତ୍ୟ,ପାତାଳା ତିନି ପୁର ଯେମିତି ସମାନ ।

ଆଉ ନାହିଁରେ ବାପ,ସେ କାଳ ପଖାଳ ଖଟା । ଆଉ ଅଛି ?

ନାଁ ,ଆଜିତ ମାଛ ବଂଶ ନିପାତ । ଗେଣ୍ଡା ,କଙ୍କଡା ହରି ହୋଇଯାଉଛନ୍ତି  । କାଁ ଭାଁ ଜୀବନ ମରଣ ସଙ୍ଗେ ଲଢେଇ କରି ଲୁଚି ଛପି ଆଙ୍ଗୁଠି ଗଣତି କେତୋଟି ବଂଶ ରକ୍ଷା କରିଛନ୍ତି । ସାର ,କୀଟନାଶକ ଜମିରେ ପକାଇ ଚାଷ କଲେ । ଅଧିକ ଫଳିବ । ଅଧିକ ପାଇବାକୁ ବାରଣାସୀ ଗଲା ନା ମାଇପ ଥାଉ ଥାଉ ଘଇତା ମଲା । ଅଧିକ ଧାନ ପାଉଥା । ଆଉ ମାଛ ଆଗ ଭଳି ମିଳୁଛି ?ନାଁ ,ଗେଣ୍ଡା କଙ୍କଡା ଆଖିରେ ପକାଇବାକୁ ନାହାନ୍ତି । କୀଟନାଶକ ବିଷ ସମସ୍ତଙ୍କୁ ଖାଇଗଲା । ମାଟିରେ ବିଷ ,ପାଣିରେ ବିଷ ,ଖାଦ୍ୟରେ ବିଷ । ବିଷ ଖାଦ୍ୟ ଖାଉଥା । ରୋଗବଇରାଗ ଭୋଗୁଥା । ଧନ୍ୟରେ ମଣିଷ । ତୋ ବୁଦ୍ଧି ବିବେକ ସବୁ ପୋଡି ଖାଇଲୁ । ବିଷ ଚାଷରେ ମାତିଛୁ । ତେଣିକି ଯିବାନି । କଙ୍କଡା କଥା ସାରିଲେ ଗେଣ୍ଡା ଆଡକୁ ଆଖି ପକାଇବା ।

କାଳିଆ କଙ୍କଡାତ ଖାଇଲେ । ଆଉ ଗୋଟେ ପ୍ରକାରର କୁଜି ଛୋଟ ଛୋଟ ଧଳା କଙ୍କଡା ବି ଥାନ୍ତି । ୧୦/୧୫ ଟି  ପୋଡିଲେ ଜଣକ ମାନିଆ ଚଟଣି ମିଳିବ । ତେବେ ଏମାନେ ନିରାପଦରେ ଥାନ୍ତି । ଧଳା ଛୋଟ କଙ୍କଡା ଉପରେ କାହାରି ଆଖି ନଥାଏ । କଙ୍କଡା ତ ହିଡରେ ଗାତ କରି ରୁହନ୍ତି । ଭୋଦୁଅ ମାସରେ ମାଈ କଙ୍କଡା ଛୁଆ କରେ । ମୁଁ ଦେଖିଛି । କଙ୍କଡାର ଗୋଟିଏ ଘୋଡଣି  ଟେକିଦେଲେ ଶହ ଶହ କୁନି କୁନି ଛୁଆ ସାଲୁ ବାଲୁ ହଉଥିବେ । ବିଲୁଆ କଙ୍କଡା ଖାଇବ । ଗାଡରେ ଲାଞ୍ଜ ପୁରାଏ । କଙ୍କଡା ଲାଞ୍ଜ ଧଇଲାତ ବିଲୁଆ ଲାଞ୍ଜ ଟାଣି ଆଣିଲା । ଲାଞ୍ଜ ବୁଲାଇ କଙ୍କଡାଟିକୁ ସେବା କଲା । ଥରେ ଗୋଟେ ବିଲୁଆ କଙ୍କଡା ଗାଡରେ ଲାଞ୍ଜ ପୁରାଇଛି ତ ଗୋଟେ ବଡ କାଳିଆ କଙ୍କଡା ଲାଞ୍ଜକୁ ଟାଣି ଧରିଛି । ବିଲୁଆ ଲାଞ୍ଜ ଟାଣିଲେ ନ ଆସେ । ଆରେ କଙ୍କଡାଟାର କେତେ ବଳ । ମୋତେ ଆଖି ଦେଖାଉଛି । ଟାଣିତ ଦେଇଛି ଜୋରରେ । ଲାଞ୍ଜ ଗାତରେ ବିଲୁଆ ବୋପା ମା ହୋଇ ଦୌଡିଛି । ସାଙ୍ଗ ବିଲୁଆ ମାନେ ହସି ହସି ଗଡିଯାଉଛନ୍ତି ।

ଏମାନେ ସବୁ ମଧୁର ଜଳ କଙ୍କଡା । ସମୁଦ୍ର କଙ୍କଡା ଖୁବ ବଡ ବଡ । ଗୋଟେ ଗୋଟେ କଙ୍କଡା କିଲେ ଦି କିଲୋ ଓଜନ ହେବେ । ଖୁବ ଛୋଟ ହେଲେ ୨୦୦ ଗ୍ରାମ । ଏମାନେ ବି କଳା କଙ୍କଡା । ନାଲି କଙ୍କଡା ,ନୀଳ କଙ୍କଡା ଅଛନ୍ତି । ଏମାନଙ୍କ ସଂଖ୍ୟା କମ । ଏମାନଙ୍କ ସୁରକ୍ଷା ପାଇଁ ସରକାର ନାଲି , ନୀଳ କଙ୍କଡା ଧରିବା ଉପରେ ରୋକ ଲଗାଇଛନ୍ତି । ଆଇନ ତା ବାଟରେ । ଶିକାରୀ ତା ବାଟରେ । ନାଲି ,ନେଳି କଙ୍କଡା ଶିକାର ଚାଲିଛି । ଏମାନେ ଅମୂଲ ମୂଲ । ପଇସାତ ଶସ୍ତା । ଚୋର ବେପାର  ଯୋର ସୋର ଚାଲିଛି । ଚୋରୀ କନିଆ ନେଇ ଆଣି ଥୋଇ ପାରିଲେ ହେଲା । ଆଉ କଙ୍କଡା ଅଛୁଆଁ ଜାତିଙ୍କର ଖାଦ୍ୟ ହୋଇ ନାହିଁ । ପାଞ୍ଚ ତାରକା ହୋଟେଲରେ ଏମାନେ ଆଗ ଧାଡିରେ । ଗ୍ରାହକ ମାଛ ,ମାଂସ ,ଚିଙ୍ଗୁଡି କୁ ଆଡେଇ କଙ୍କଡା ତରକାରୀରେ ମାତିଲେଣି । ବ୍ରାହ୍ମଣ ,କରଣ,ହିନ୍ଦୁ ,ମୁସଲମାନ ,ଖ୍ରୀଷ୍ଟିୟାନ ନାହିଁ । ଜାତି ,ବର୍ଣ୍ଣ ,ଧର୍ମ  ନିର୍ବିଶେଷରେ ସମସ୍ତେ ଏବେ କଙ୍କଡା ଭକ୍ତ । ଗୋଟିଏ କଙ୍କଡା ପ୍ଳେଟ ୫୦୦ ଟଙ୍କା !

କଙ୍କଡାକଥାତ ଅଳପ ବହୁତ ଜାଣିଲେଣି । ଗେଣ୍ଡାମାନେ ମନ ଦୁଃଖ କରିବେଣି । କଙ୍କଡାଙ୍କୁ ଏତେ ତାରିଫ । ଆମେ କଣ ଅଲୋଡା । ରୁହ ରୁହ । ଧୈର୍ଯ୍ୟ ଧର । ଆର ସପ୍ତାହରେ ତୁମ କଥାକୁ ଆସିବା ।

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)