ଉତ୍ତର ଅଶୀ ଓଡି଼ଆ ନାଟକରେ ପୁରାଣ

ଆଲୋକ ମହାରଣା
ଆଲୋକ ମହାରଣା 609 Views
19 Min Read

ନାଟକ ଓ ପୁରାଣ ଉଭୟ ଅଙ୍ଗାଙ୍ଗୀ ଭାବରେ ଜଡି଼ତ । ପୁରାଣରୁ ନାଟକ ସୃଷ୍ଟି ଏବଂ ନାଟକ ମାଧ୍ୟମରେ ପୌରାଣିକ କଥାବସ୍ତୁକୁ ଅଭିନୀତ କରାଯାଇଥାଏ । “ସଂଗ୍ରାମ କ୍ଲାନ୍ତ ଦେବତାଙ୍କୁ ଆନନ୍ଦ ଦେବା ଉଦ୍ଦେଶ୍ୟରେ ବ୍ରହ୍ମା ଋକ୍ ବେଦରୁ ପାଠ୍ୟ, ସାମବେଦରୁ ଗୀତ, ଯଜୁର୍ବେଦରୁ ଅଭିନୟ ଏବଂ ଅଥର୍ବବେଦରୁ ରସକୁ ଗ୍ରହଣ କରି ପଞ୍ଚମ ବେଦ ସୃଷ୍ଟି କରିଥିଲେ ବୋଲି କଥା ରହିଛି । ଶିବ ଏବଂ ପାର୍ବତୀ ଦ୍ୱାରା ଏଥିରେ ତାଣ୍ଡବ ଓ ଲାସ୍ୟର ସଂଯୋଗ ହୋଇ ନାଟ୍ୟବେଦ ହେଲା ।” (୧) ଅମରାବତୀରେ ରମ୍ଭା, ଉର୍ବଶୀ, ଚିତ୍ରଲେଖା ନୃତ୍ୟାଭିନୟ କରିବାର ସ୍ପଷ୍ଟ ଚିତ୍ର ପୁରାଣରେ ବର୍ଣ୍ଣିତ । ତେଣୁ ନାଟକର ପୁରାଣ ସାହିତ୍ୟ ସହିତ ସମ୍ପର୍କ ଅତି ନିବିଡ଼ ।

Support Samadhwani

ଭାରତ ବେଦ, ଉପନିଷଦ ଓ ପୁରାଣ ସାହିତ୍ୟ ଗ୍ରନ୍ଥର ଭଣ୍ଡାର । ଅଠର ଗୋଟି ମହାପୁରାଣ ଓ ଅଠର ଗୋଟି ଉପପୁରାଣ ସମେତ ମହାଭାରତ ଓ ରାମାୟଣ ଭଳି କାଳଜୟୀ ସାହିତ୍ୟ ସୃଷ୍ଟି ବିଦ୍ୟମାନ । ଏଥିରେ ସନ୍ନିହିତ କଥାବସ୍ତୁ ବା କାହାଣୀକୁ ନେଇ ନାଟ୍ୟରୂପ ପ୍ରଦାନ କରାଯାଏ । କେବଳ ଭାରତ ନୁହେଁ ବରଂ ଗ୍ରୀକ୍‌, ରୋମାନର ପଣ୍ଡିତମାନଙ୍କ ଦ୍ୱାରା ଯେଉଁ କ୍ଲାସିକ୍ ସୃଷ୍ଟି ଗୁଡି଼କ ରଚନା ହୋଇଥିଲା ତାହା ମଧ୍ୟ ପୁରାଣ କୈନ୍ଦ୍ରିକ । ଆଦିକାଳରୁ ମନୁଷ୍ୟ ଏହି ପ୍ରସଙ୍ଗଗୁଡି଼କୁ ଗ୍ରହଣ କରି ଶ୍ରମଲାଘବ ବା ରଙ୍ଗମଞ୍ଚ ନିମନ୍ତେ ବ୍ୟବହାର କରିଛି । ପୌରାଣିକ ନାଟକରେ ପୁରାଣର କଥାବସ୍ତୁକୁ ଗ୍ରହଣ କରି ନାଟ୍ୟରୂପ ପ୍ରଦାନ କରାଯାଇଥାଏ । ମହାପୁରାଣ, ଉପପୁରାଣ, ଉପନିଷଦ, ରାମାୟଣ, ମହାଭାରତ ପ୍ରଭୃତିରୁ ଦୈବିକ ଚରିତ୍ର, ଅଲୌକିକ ଘଟଣାବଳୀକୁ ଆଧାର କରି ପରିବେଶ, ପରିପାଟୀ, ସଂଳାପର ସ୍ୱତନ୍ତ୍ରତାକୁ ବିଚାରରେ ରଖି ଅଭିନୀତ କରାଯାଇଥାଏ । ପ୍ରାଚୀନ କାଳରୁ ଲୀଳା, ସୁଆଙ୍ଗ, ରାସ ଜରିଆରେ ନାଟକ ଅଭିନୀତ । ରାମଲୀଳା, କୃଷ୍ଣଲୀଳା, ଭାରତଲୀଳା, ପାଲା, ଦାସକାଠିଆ ପ୍ରଭୃତିର ନାଟ୍ୟରୂପ ପ୍ରାଚୀନ କାଳରୁ ପ୍ରଚଳିତ ।

ଓଡି଼ଆ ନାଟ୍ୟଜଗତର ବିକାଶ ଆଧୁନିକ ଯୁଗ ବା ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ । ଏହି ସମୟରେ ବିଭିନ୍ନ ରଙ୍ଗମଞ୍ଚର ସୃଷ୍ଟି ହେଲା ଏବଂ ସାମାଜିକ ବିଷୟକୁ ଗ୍ରହଣ କରି ନାଟ୍ୟରୂପ ପ୍ରଦାନ କରାଗଲା । ଊନବିଂଶ ଶତାବ୍ଦୀ ମୁଖ୍ୟତଃ ପୌରାଣିକ ନାଟକର ଯୁଗ । ଏହି ନାଟକଗୁଡି଼କ ଦର୍ଶକମାନଙ୍କର ଆଗ୍ରହ ଅନୁଯାୟୀ ମନୋରଂଜନ ନିମନ୍ତେ ସୃଷ୍ଟ । ଏହି ସମୟରେ ପୁରାଣର କଥାବସ୍ତୁକୁ ନେଇ ଅନେକ ନାଟ୍ୟକାର ନାଟକ ରଚନା କରିଛନ୍ତି । ୧୮୬୮ ମସିହାରେ ରଘୁନାଥ ପରିଚ୍ଛାଙ୍କ ‘ଗୋପୀନାଥ ବଲ୍ଲଭ’ ନାଟକ, ରାମଶଙ୍କର ରାୟଙ୍କ ‘କଂସବଧ’ ‘ରାମାଭିଷେକ’, ‘ରାମ ବନବାସ’, ବୀରବିକ୍ରମଦେବଙ୍କ ‘ହରିଶ୍ଚନ୍ଦ୍ର’, ପଦ୍ନନାଭ ନାରାୟଣଙ୍କ ‘ସଙ୍ଗୀତ ପ୍ରହ୍ଲାଦ ନାଟକ’, କାମପାଳ ମିଶ୍ରଙ୍କ ‘ସୀତାବିବାହ’ ପ୍ରଭୃତି ପୌରାଣିକ ନାଟକ ରଚନା କରାଯାଇଛି । ପୁରାଣର କଥାବସ୍ତୁକୁ ନାଟ୍ୟରୂପ ପ୍ରଦାନ କରିଥିବା ଏହି ସମୟର ପ୍ରମୁଖ ନାଟ୍ୟକାର ବୃନ୍ଦ ଭିକାରୀଚରଣ, ରାଧାମୋହନ ରାଜେନ୍ଦ୍ରଦେବ, ବିକ୍ରମଦେବ ବର୍ମା, ଗୋପୀନାଥ ନନ୍ଦ ପ୍ରଭୃତି । ସେହିପରି ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ପୁରାଣର କଥାବସ୍ତୁକୁ ଗ୍ରହଣ କରି ଅନେକ ନାଟ୍ୟକାର ନାଟକ ରଚନା କରିଛନ୍ତି । ନାଟ୍ୟ ସମ୍ରାଟ ଅଶ୍ୱିନୀ କୁମାର ଘୋଷଙ୍କ ‘ଭୀଷ୍ମ’, ‘ସାବିତ୍ରୀ’, ‘ଶ୍ରୀମନ୍ଦିର’, ‘ଚଣ୍ଡାଳୁଣୀ’, ‘ଜାନକୀ’, ରାମଚନ୍ଦ୍ର ମହାପାତ୍ରଙ୍କ ‘ରଘୁ ଅରକ୍ଷିତ’, ‘ସୁଦାମା’, ‘ବିଲ୍ୱମଙ୍ଗଳ’, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ଶରଦରାସ’, ‘ଚନ୍ଦ୍ରହାସ’, ‘କର୍ଣ୍ଣ’, ପ୍ରଭୃତି ଦୃଶ୍ୟ କାବ୍ୟ, ମାୟାଧରଙ୍କ ‘ପୂଜାରିଣୀ. କବିଚନ୍ଦ୍ର କାଳିଚରଣଙ୍କ ‘ଚକ୍ରୀ, ‘ଦଶଭୁଜା, ଧନେଶ୍ୱର ପଟ୍ଟନାୟକଙ୍କ ‘ପଦ୍ମବୀଣା’, ଅଦୈତ ଚରଣ ମହାନ୍ତିଙ୍କ ‘ରାଧିକା’, ‘ନରଦେବତା’, ‘ଶିବାର୍ଜୁନ’ ପ୍ରଭୃତି ଏହି ସମୟର ପୌରାଣିକ ନାଟକ ।

୧୯୫୦ ମସିହା ପରବର୍ତ୍ତୀ ସମୟରେ ପୌରାଣିକ ନାଟକର ସୃଷ୍ଟିରେ ହ୍ରାସ ଦୃଶ୍ୟମାନ ହୁଏ । ସ୍ୱାଧୀନତା ପରବର୍ତ୍ତୀ ଜୀବନକୁ ନେଇ ରଚିତ ହୋଇଛି ବହୁଳ ଭାବରେ ସାମାଜିକ ନାଟକ । ତଥାପି ଗୋପାଳ ଛୋଟରାୟଙ୍କ ଅନେକ ଗୀତିନାଟ୍ୟ ପୁରାଣ ଆଧାରିତ । ନାଟକରେ ଏହି ସମୟରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଛି । ସଂଳାପ ହୋଇଛି ପ୍ରତୀକଧର୍ମୀ ଓ କ୍ଷୁଦ୍ର, ନାଟକ ଗୋଟିଏ ସେଟର୍ ଓ ଉଦ୍ଭଟ ମୂଳକ, ଅଙ୍କ ଓ ଦୃଶ୍ୟରେ ଲୋପ, କଥାବସ୍ତୁ ସାଙ୍କେତିକ ଓ ମିଥ୍ ଧର୍ମୀ । ପ୍ରତୀକ, ମିଥ୍ ବା ରୂପକ ଭାବରେ ନାଟ୍ୟକାରଗଣ ନାଟକରେ ପୁରାଣ ପ୍ରସଙ୍ଗକୁ ଉପାଦାନ ଭାବରେ ପ୍ରୟୋଗ କରିଛନ୍ତି । “ନାଟକରେ ପ୍ରତୀକଧର୍ମୀତା ଭଳି ମିଥ୍ ବା ପୁରାଣ ଆଖ୍ୟାୟିକାର ବ୍ୟବହାର ଅନେକ ନାଟକରେ ଦେଖିବାକୁ ମିଳେ । ଏସ୍କାଇଲସ୍‌, ସଫୋକ୍ଲିସଇ, ଉରିପାଇଡଜଙ୍କ ପରି ବିଶିଷ୍ଟ ନାଟ୍ୟକାରମାନେ ନାଟକରେ ମିଥର ବ୍ୟବହାର କରିଛନ୍ତି । ତେବେ ପୌରାଣିକ ନାଟକ ଓ ଆଧୁନିକ ନାଟକରେ ପ୍ରୟୋଗ ଏକାକଥା ନୁହେଁ । ଆଧୁନିକ ନାଟକରେ ଏହା ପ୍ରତୀକ ରୂପେ କାର୍ଯ୍ୟ କରିଥାଏ । କାରଣ ପୁରାଣର କାହାଣୀ ସହ ଦର୍ଶକ ସମାଜ ବହୁଭାବରେ ପରିଚିତ ।” (୨)

Support Samadhwani

ଅଶୀ ପରବର୍ତ୍ତୀ ନାଟକରେ ଯେଉଁ ସମସ୍ତ ନାଟ୍ୟକାର ଆଗେଇ ଆସିଥିଲେ ସେମାନେ ନାଟକର ପରୀକ୍ଷାମୂଳକ ବନ୍ଧନରୁ ମୁକ୍ତ ହୋଇ ଲୋକ ନାଟକ ଫର୍ମକୁ ଗ୍ରହଣ କରିଛନ୍ତି । “ଲୋକନାଟ୍ୟ ଗୋଟିଏ ଦେଶର ସର୍ବାଞ୍ଚଳ ବ୍ୟାପୀ ପ୍ରାୟ ପ୍ରସାର ଲାଭ କରି ନଥାଏ । ଲୋକନାଟ୍ୟର ବିଷୟବସ୍ତୁ ମୁଖ୍ୟତଃ ପୌରାଣିକ ଓ କିମ୍ବଦନ୍ତୀମୂଳକ । ପୁରାଣ, କିମ୍ବଦନ୍ତୀ ଓ ସ୍ଥଳବିଶେଷରେ ଇତିହାସର ଜଣାଶୁଣା ଚରିତ୍ରମାନଙ୍କ ଜୀବନଚିତ୍ର ଏଥିରେ ଉପସ୍ଥାପିତ କରାଯାଇଥାଏ, ଯଥା- ରାମଚନ୍ଦ୍ର, ଶ୍ରୀକୃଷ୍ଣ, ରବିନହୁଡ୍ ।” (୩) ଏହାର ଦୃଷ୍ଟାନ୍ତ ସ୍ୱରୂପ ଅଶୀ ସମୟର ମିଥ୍ ଧର୍ମୀ ନାଟକ । ବୈଷ୍ଣବ ପାଣି, ଜଗନ୍ନାଥ ପାଣି ପ୍ରଭୃତିଙ୍କ ଦ୍ୱାରା ରଚିତ ପୌରାଣିକ ନାଟକକୁ ଏହି ସମୟରେ ଲୋକନାଟ୍ୟର ଆଖ୍ୟା ଦିଆଯାଇଛି । ଉଭୟ ପୁରାଣ ଚରିତ ଓ ଘଟଣା ଭିତ୍ତିକ ନାଟକ ପ୍ରତୀକାତ୍ମକ ଭାବରେ ସୃଷ୍ଟି ହୋଇଛି ।

ଉତ୍ତର ଅଶୀ ସମସାମୟିକ ନାଟ୍ୟକାର ଓ ଅଶୀ ପରବର୍ତ୍ତୀ ନାଟକରେ ପୌରାଣିକ କଥାବସ୍ତୁ ଓ ଚରିତ୍ରକୁ ଗ୍ରହଣ କରି ନାଟକ ରଚନା କରିଥିବା ନାଟ୍ୟ ପୁରୋଧା । ନାଟ୍ୟକାର ବିଜୟ ମିଶ୍ର । ପୁରାଣରୁ ସଂଗୃହୀତ ଚରିତ୍ର ‘ପରଶୁରାମ’ ନାଟକ ହେଉଛି ଅଶୀ ପରବର୍ତ୍ତୀ ସମୟରେ ଏକ ପ୍ରତୀକ ଧର୍ମୀ ନାଟକ । ପୁରାଣର ପରଶୁରାମ ଚରିତ୍ରକୁ ମିଥ୍ ଭାବରେ ନାଟକର ନାୟକ ମାଧ୍ୟମରେ ପ୍ରୟୋଗ କରିଛନ୍ତି । ଏକବିଂଶବାର କ୍ଷତ୍ରୀୟକୂଳ ନାଶ କଲାପରି ନାଟକରେ ନାଟ୍ୟନାୟକ ସ୍ୱପ୍ନ ଦେଖିଛି ଶୋଷଣ ମୁକ୍ତ ସମାଜ ।

‘ପୁନଶ୍ଚ ପୃଥିବୀ’ ନାଟ୍ୟକାର ରତ୍ନାକର ଚଇନୀଙ୍କ ଏକ ମିଥ୍ ଧର୍ମୀ ନାଟକ । ମହାଭାରତର କିୟଦଂଶ ଚରିତ୍ରକୁ ନେଇ ସଂପ୍ରତି ସମାଜର ରାଜନୈତିକ ସ୍ଥିତିକୁ ବିଭିନ୍ନ ଆଧୁନିକ ଚରିତ୍ର ମାଧ୍ୟମରେ ନାଟକରେ ବିଶ୍ଲେଷଣ କରାଯାଇଛି । କୁନ୍ତୀ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଓ ଅଭିମନ୍ୟୁ ଯଥାକ୍ରମେ ମାତା ଭାରତୀ, ଆଇନଜୀବୀ, ଆଇ ପି ଏସ୍ ଅଫିସର୍‌, ଘରୋଇ ମନ୍ତ୍ରୀ, ଡାକ୍ତର, ରାଜନୈତିକ ବିପ୍ଲବୀ ଓ ଛାତ୍ରନେତା । କପଟୀ କୃଷ୍ଣ ଏଠାରେ ଖଳ ଚରିତ୍ର । ମହାଭାରତରେ ପାଣ୍ଡବ ପରିବାରର ଏକତା କିନ୍ତୁ ନାଟକରେ ଉଜୁଡି ଯାଇଛି । ପ୍ରଚଳିତ ସମାଜର ତଥାକଥିତ ନିୟମ ପ୍ରତି ଅଭିମନ୍ୟୁ ପ୍ରତିବାଦ କରିଛି । ଧର୍ମ ଓ କର୍ତ୍ତବ୍ୟକୁ ଗ୍ରହଣ କରି ଭାରତୀଙ୍କ ପରିବାରରେ ଦେଖାଦେଇଛି ଅସନ୍ତୋଷ । ଉଭୟ ଅନ୍ତ ଦ୍ୱନ୍ଦ ଓ ବାହ୍ୟ ଦ୍ୱନ୍ଦ ସହ ନାଟକଟି ଗତିଶୀଳ ।

ନାଟ୍ୟକାର ରତିରଂଜନ ମିଶ୍ରଙ୍କ ଉତ୍ତର ଅଶୀନାଟକ ମଧ୍ୟରେ ରହିଛି ନାଟକ ‘ଅସ୍ତଗାମୀ’ ପୁରାଣର ତ୍ରିଶଙ୍କୁର ପ୍ରୟୋଗରେ ସାଂପ୍ରତିକ ପ୍ରେକ୍ଷାପଟରେ ଚାରୋଟି ଚରିତ୍ରର ଅପେକ୍ଷାରତ ଟ୍ରେନର ଉପସ୍ଥାପନା କରିଛନ୍ତି । ନାଟ୍ୟକାରଙ୍କ ଅନ୍ୟ ଏକ ନାଟକ ‘ସତର୍କ ସଂଘମିତ୍ରା’ରେ ଚଣ୍ଡି ପୁରାଣର ଦୈତ୍ୟ ବିନାଶିନୀ ଦେବୀ ଦୁର୍ଗା ଓ ମହିଷାସୁରର ପରିକଳ୍ପନାରେ ସଂଘମିତ୍ରା ଓ ପରାଶରକୁ ଚିତ୍ରିତ କରାଯାଇଛି । ‘ସୀତା’ ନାଟକରେ କ୍ଷମତା, ପ୍ରତିପତି ପଛରେ ମରିଚୀକା ତୁଲ୍ୟ ଗୋଡ଼ାଉଥିବା କେତେକ ଚରିତ୍ରର ଅବତାରଣା କରାଯାଇଛି । ପୁରାଣ ପ୍ରସଙ୍ଗ ଭିତ୍ତିକ ଅଶୋକବନରେ ସୀତାଙ୍କୁ ଠାବ କରିବା ନିମନ୍ତେ ବିରାଟ କିସ୍କିନ୍ଦା ସେନାବାହିନୀ ଚେଷ୍ଟାରତ । ଲକ୍ଷ, ଅନୁସନ୍ଧାନର ‘ସୀତା’, ନାଟକରେ କ୍ଷମତା ଓ ପ୍ରତିପତ୍ତିର ପ୍ରତୀକ । ରାବଣ ରାଜାର ମୃତ୍ୟୁ ପରିବର୍ତ୍ତେ ସୀତାର ଠାବ ହୋଇପାରୁନାହିଁ । ଚରିତ୍ର ସମୂହ ତଥାପି ଅନୁସନ୍ଧାନରତ ।

ପୁରାଣର ଚରିତ୍ରକୁ ସଫଳ ଭାବରେ ପ୍ରୟୋଗ କରି ନାଟକ ସୃଷ୍ଟି କରିପାରିଥିବା ଜଣେ ସଫଳ ନାଟ୍ୟକାର ରବୀନ୍ଦ୍ରନାଥ ଦାସ । ସେ ସଂପ୍ରତି ମନୁଷ୍ୟର ଚିନ୍ତା ଚେତନାକୁ ପୁରାଣ ପ୍ରସଙ୍ଗ, ଚରିତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି ନାଟକ ‘ଅନ୍ତିମ ପର୍ବ’ରେ । ଏଥିରେ ସେ ଉପାଦାନ ଭାବରେ ସଂଗ୍ରହ କରିଛନ୍ତି ମହାଭାରତରେ ଅଭିମନ୍ୟୁର ଚକ୍ରବ୍ୟୁହରେ ବୀରଗତି ପ୍ରାପ୍ତ ପ୍ରସଙ୍ଗକୁ । ନୈରାଶ୍ୟର ବାଦଲରୁ ଆଶାର କିରଣ ହୋଇ ଜନ୍ମ ହୁଏ ଅଭିମନ୍ୟୁ । ଗାନ୍ଧାରୀ, ଧୃତରାଷ୍ଟ୍ର, ଅର୍ଜୁନ, ଶକୁନି ଚରିତ୍ର ସମୂହ ହେଉଛନ୍ତି ଏକ ଏକ ନୂତନ ସମ୍ଭାବନା । ସତ୍ୟର ଉଦ୍ଧାର ନିମନ୍ତେ ଅଭିମନ୍ୟୁର ବଳି ପଡ଼େ କିନ୍ତୁ ଅଭିମନ୍ୟୁ ସଦା ଜୀବିତ । ଜନ୍ମ ହୁଏ ପ୍ରତି ବ୍ୟକ୍ତି ମାନସରେ । କାହାଣୀଟି ମହାଭାରତରୁ ସଂଗୃହୀତ ହେଲେ ମଧ୍ୟ ସାଂପ୍ରତିକ ଜୀବନବୋଧକୁ କେନ୍ଦ୍ରକରି ଏହି ନାଟକ ।

ରବିନ୍ଦ୍ର ଦାସଙ୍କ ଅନ୍ୟ ଏକ ଉତ୍ତର ଅଶୀ ପରବର୍ତ୍ତୀ ନାଟକ ‘ଯଯାତି-ଯନ୍ତ୍ରଣା’ । ଏହି ନାଟକ ମହାଭାରତର କାହାଣୀକୁ ଆଧାର କରି ପ୍ରତିକାତ୍ମକ ଭାବରେ ସମସାମୟିକ ଚରିତ୍ର ଓ ଘଟଣାବଳୀର ସମନ୍ୱିତ ରୂପ । ରାଜା ଯଯାତି ମହାଭାରତର ଅନ୍ୟତମ ଚରିତ୍ର । ଜୀବନର ଶେଷ କାଳରେ ରାଜ୍ୟଭାରକୁ ନିଜ ପୁତ୍ରକୁ ପ୍ରଦାନ କରି ସେ ସନ୍ନ୍ୟାସୀ ଜୀବନ ଅତିବାହିତ କରିଥିଲେ । ସେହି ବିଷୟକୁ ସଂପ୍ରତି ପୃଷ୍ଠଭୂମିରେ ନାଟ୍ୟକାର ପ୍ରୟୋଗ କରିଛନ୍ତି । ନାଟ୍ୟକାରଙ୍କ ଅନ୍ୟ ଏକ ନାଟକ ‘କାହ୍ନୁ’ । ଦ୍ୱାପର ଯୁଗର ଶ୍ରୀକୃଷ୍ଣ ଓ ରାଧାଙ୍କ ବିଚ୍ଛେଦର ଘଟଣାକୁ ନାଟ୍ୟକାର ସମସାମୟିକ ପରିପ୍ରେକ୍ଷୀରେ ପ୍ରୟୋଗ କରିଛନ୍ତି । ରାଜନୀତିର ବିଦ୍ରୁପ ରୂପକୁ ଏହି ନାଟକ ମାଧ୍ୟମରେ ନାଟ୍ୟକାର ସୂଚାଇଛନ୍ତି ।

ନାଟ୍ୟକାର କୁଞ୍ଜରାୟଙ୍କ ନାଟକ ‘କାଳାନ୍ତର’ରେ ଦ୍ୱାପର ଯୁଗରେ ଦ୍ୱାରିକା ନଗରୀର ପ୍ରତିଷ୍ଠା ବିକାଶ ସହ ବର୍ତମାନର ଶିଳ୍ପ ବିକାଶ ସହ ସମାଜର ଅବନ୍ନତିକୁ ତୁଳନାତ୍ମକ ଭାବରେ ଚିତ୍ରିତ । ଭିନ୍ନ କାରଣ ଯୋଗୁଁ ଯଦୁବଂଶ ଧ୍ୱଂସ ହୋଇଛି, ପଦଶରାଘାତ ପରେ ଶ୍ରୀକୃଷ୍ଣଙ୍କ ପ୍ରାଣହାନୀ ଘଟିଛି । ପୁରାଣର ଏହି ପ୍ରସଙ୍ଗକୁ ଭିତିକରି ନାଟ୍ୟକାର ଶିଳ୍ପ ସମୃଦ୍ଧିର ଭବିଷ୍ୟତ ରୂପକୁ ଦର୍ଶାଇଛନ୍ତି ।

ନାଟ୍ୟକାର ଦିଲ୍ଲୀଶ୍ୱର ମହାରାଣାଙ୍କ ‘ଆସନ୍ନ ପ୍ରଳୟ’ ନାଟକରେ ଦୃଶ୍ୟମାନ ହୁଏ ପୁରାଣ ଚରିତ୍ର ଚିତ୍ରଗୁପ୍ତ ଓ ଧର୍ମରାଜ ଯମ । ସମସାମୟିକ ଘଟଣା, ଚରିତ୍ରକୁ ପୁରାଣର ପରିବେଶ ସହ ସଂଯୋଗ କରି ସମାଜର କ୍ଷମତାର ଅପବ୍ୟବହାରରୁ ସୃଷ୍ଟି ସଂକଟକୁ ନାଟ୍ୟରୂପ ପ୍ରଦାନ କରିଛନ୍ତି ।

ଉତ୍ତର ଅଶୀ ସମୟର ଜଣେ ସଫଳ ନାଟ୍ୟକାର ହେଉଛନ୍ତି ବିଜୟ କୁମାର ଶତପଥୀ । ଅନ୍ୟାନ୍ୟ ନାଟକ ମଧ୍ୟରେ ରହିଛି ନାଟକ ‘କଂସର ଆତ୍ମା’ । ନାଟ୍ୟକାରଙ୍କ ମତରେ ପୁରାଣର କଂସର ମୃତ୍ୟୁ ହେଲେ ମଧ୍ୟ ସେ ସୃଷ୍ଟି ହୁଏ, ରହିଥାଏ ମନୁଷ୍ୟ ମଧ୍ୟରେ । ଦ୍ୱାପର ଯୁଗରେ ନିଜ ମୃତ୍ୟୁର ସମ୍ବାଦ ଆକାଶବାଣୀ ଦ୍ୱାରା ଶୁଣି ମଥୁରା ରାଜା କଂସ ନିଜ ଭଗିନୀ ଦେବକୀ ଓ ଭଗିନୀପତି ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିରଖିଥିଲା । ନାଟ୍ୟକାର ସେହି ଘଟଣାକୁ କେନ୍ଦ୍ରକରି ନିଜ ନାଟକରେ ରାଜତନ୍ତ୍ରର ଏକ ପରିସରକୁ ପ୍ରୟୋଗକରି ଚରିତ୍ର ଅନ୍ଧକର ପରିବର୍ତ୍ତନ ରୂପକୁ ଦର୍ଶାଇଛନ୍ତି । କଂସ ଉଗ୍ରେସନକୁ ବନ୍ଦୀ କଲା ଭଳି ସତ୍ୟବ୍ରତକୁ ଅନ୍ଧକ ଅନ୍ଧ କରିଦେଇଛି । ଏହାପରେ ଧର୍ମଦାନର ସନ୍ତାନଠାରୁ ନିଜ ମୃତ୍ୟୁର ଖବରପାଇ ଅନ୍ଧକ ଧର୍ମଦାନ ଓ ତାର ପତ୍ନୀକୁ ବନ୍ଦୀ କରିଦେଇଛି । କିନ୍ତୁ ଧର୍ମଦାନର ପୁତ୍ରଜନ୍ମ ହୁଏ । ପରବର୍ତୀ ସମୟରେ ଅନ୍ଧକ ରାଜପଦବୀରୁ ତଡାଖାଏ । ପର ମୁହୂର୍ତ୍ତରେ ପୁଣି ଏକ ଶିଳ୍ପପତି ଭାବରେ ଉଭାହୁଏ । ନାଟ୍ୟକାର ଏହି ନାଟକରେ ଘଟଣା ଦ୍ୱୟକୁ ସାମଞ୍ଜସ୍ୟ କରି ଦେଖାଇବାକୁ ଚେଷ୍ଟାକରି କହିଛନ୍ତି କଂସର ଆତ୍ମାର ମୃତ୍ୟୁ ନ ଥାଏ ଓ ପୁଣି ଫେରେ ଏକ ନୂତନ ନାମରେ ।

ନାଟ୍ୟକାର ବିଜୟ ଶତପଥୀଙ୍କ ଅନ୍ୟ ଏକ ନାଟକ ‘କର୍ଣ୍ଣ’ । ମହାଭାରତର ଏହି ଚରିତ୍ର ପୁରାଣପ୍ରେମୀଙ୍କୁ ଗୋଚର । ଅନେକ ଆଲୋଚନା, ସମୀକ୍ଷାର ବିଷୟବସ୍ତୁ କର୍ଣ୍ଣ ଚରିତ୍ର । ମହାଭାରତର କର୍ଣ୍ଣ ଅବହେଳିତ, ପ୍ରପଞ୍ଚିତ । ସୂର୍ଯ୍ୟଙ୍କ ପ୍ରତି ମନ୍ତ୍ରାଚ୍ଚାରଣ କରି କୁନ୍ତୀ କର୍ଣ୍ଣଙ୍କୁ ଜନ୍ମଦେଇ ତ୍ୟାଗ କରିଥିଲେ । କର୍ଣ୍ଣ ମାତା ରାଧାଙ୍କ ମାତୃତ୍ୱରେ ପାଳିତ ହୋଇ କ୍ଷତ୍ରୀୟ କଳାକୁ ତ୍ୟାଗ ନ କରିପାରି ଜୀବନରେ ସଂଗ୍ରାମ କରିଛନ୍ତି ନିଜ ଅଧିକାର ନିମନ୍ତେ । କର୍ଣ୍ଣଙ୍କ ଚରିତ୍ରକୁ ନେଇ ନାଟ୍ୟକାରଙ୍କ ଏହି ମିଥ୍ ଧର୍ମୀ ନାଟକଟି ସୃଷ୍ଟି । ସୂର୍ଯ୍ୟ ଚରିତ୍ର ଅନାଥ ହୋଇ ମଧ୍ୟ ଉଚ୍ଚହେବା ପାଇଁ ସ୍ୱପ୍ନ ଦେଖିଛି । କିନ୍ତୁ ତାହା ରହିଯାଇଛି ଅପୂର୍ଣ୍ଣ । ଆଜିର କୁନ୍ତୀ ସୂର୍ଯ୍ୟଙ୍କୁ ଲୋକ ଲଜ୍ଜା ଭୟରେ ବିବାହ ପୂର୍ବରୁ ତ୍ୟାଗ କରିଛନ୍ତି । ଦ୍ରୌପଦୀ, ଅର୍ଜୁନଙ୍କ ବିବାହ ଭଳି କୃଷ୍ଣା, ପାର୍ଥଙ୍କୁ ବିବାହ କରିଛନ୍ତି । କୁନ୍ତୀ କର୍ଣ୍ଣଙ୍କୁ ତାଙ୍କ ଜନ୍ମ ରହସ୍ୟ କହିବା ସଦୃଶ ଆଜିର କୁନ୍ତୀ ସୂର୍ଯ୍ୟଙ୍କୁ ଅତୀତର ଘଟଣାକୁ ଖୋଲି କହିଛନ୍ତି । ଅର୍ଜୁନଙ୍କ ତୀରରେ ଜୀବନ ଗଲାପରି ପାର୍ଥ ଗୁଳିରେ ଜୀବନ ଯାଇଛି ସୂର୍ଯ୍ୟଙ୍କର । ନାଟ୍ୟକାର ନାଟକରେ ମହାଭାରତର କର୍ଣ୍ଣ, ଅର୍ଜୁନ, ଦ୍ରୌପଦୀ, କୁନ୍ତୀଙ୍କ ଚରିତ୍ରକୁ ଆଜିର ସୂର୍ଯ୍ୟ, ପାର୍ଥ, କୃଷ୍ଣା ଓ କୁନ୍ତୀଙ୍କ ଚରିତ୍ର ମାଧ୍ୟମରେ ପୁନଶ୍ଚ ଦେଖାଇଛନ୍ତି ।

ନାଟ୍ୟକାର ହରିହର ମିଶ୍ରଙ୍କ ଅନ୍ୟତମ ନାଟକ ‘ହଂସଧ୍ୱନି’ । ଏହି ନାଟକରେ ନାଟ୍ୟକାର ପୌରାଣିକତାକୁ ସାଂପ୍ରତିକତା ସହ ସଂଯୋଗ କରିବାକୁ ଚେଷ୍ଟା କରିଛନ୍ତି । ପୁରାଣ ଚରିତ୍ର ହେଉଛି କଳ୍କୀ । ଭଗବାନ ବିଷ୍ଣୁଙ୍କର ଦଶାବତାରର ଶେଷ ଅବତାର । ସମାଜର ଦୁର୍ନୀତି, ଅନ୍ୟାୟ, ଅଧର୍ମର ଅତି ବିସ୍ତାର ପରେ ଧର୍ମ ସଂସ୍ଥାପନା ନିମନ୍ତେ ଏହି ଅବତାରର ଧରା ଆଗମନର ବିଶ୍ୱାସ ରହିଛି । ସେହିପରି ଏହି ନାଟକରେ କଳ୍କୀ ଚରିତ୍ରର ପରିକଳ୍ପନା କରାଯାଇଛି । ବର୍ଣ୍ଣିତ କାହାଣୀରେ ଶୋଷଣ ବିରୁଦ୍ଧରେ ଚରିତ୍ରର ପ୍ରତିବାଦ । ସପ୍ତର୍ଷି, ସାମୁଏଲ୍‌, ରାହୁଳ ଓ ଉଦାର ଚାରି ଚରିତ୍ରକୁ ନେଇ ନାଟକଟି ଗତିଶୀଳ ।

ନାଟ୍ୟକାର ପ୍ରସନ୍ନକୁମାର ଦାସଙ୍କ ନାଟକ ‘ଅଭିଶପ୍ତ ଅଭିମନ୍ୟୁ’ ହେଉଛି ଏକ ବେତାର ନାଟକ । ନାଟକର ଶୀର୍ଷକରୁ ମନେହୁଏ ଏହା ମହାଭାରତର ଚରିତ୍ର ଅଭିମନ୍ୟୁ । କିନ୍ତୁ ଏଠାରେ ନାମକରଣ ଓ ବିଷୟବସ୍ତୁ ମଧ୍ୟରେ ସଂପୂର୍ଣ୍ଣ ଭିନ୍ନତା ପରିଲକ୍ଷିତ ହୁଏ । ଅଭିମନ୍ୟୁ ଏଠାରେ ଏକ ଖଳ ଚରିତ୍ର । କିନ୍ତୁ ଜଣେ ନାରୀ ସ୍ପର୍ଶରେ ସେ ପରିବର୍ତ୍ତିତ । ହୁଏତ ଏଠାରେ ମହାଭାରତର ଅଭିମନ୍ୟୁ ଚରିତ୍ର ନ ଥାଇପାରେ କିନ୍ତୁ ରାମ ନାମରେ ଦସ୍ୟୁ ରତ୍ନାକରର ମହର୍ଷି ବାଲ୍ମୀକିରେ ପରିବର୍ତ୍ତନକୁ ନାଟକର ଚରିତ୍ର ମାଧ୍ୟମରେ ବାରିହୁଏ ।

ଅଶୀ ପରବର୍ତ୍ତୀ ଜଣେ ସଫଳ ନାଟ୍ୟକାର ହେଉଛନ୍ତି ଡାକ୍ତର ସୁବୋଧ ପଟ୍ଟନାୟକ । ନାଟ୍ୟକାରଙ୍କ ‘ସେମାନେ ଆସୁଛନ୍ତି’ ଏକାଙ୍କିକାରେ କୃଷ୍ଣଜନ୍ମ ପ୍ରସଙ୍ଗକୁ ସାମ୍ପ୍ରତିକତାର ପରିପ୍ରେକ୍ଷୀରେ ବିଶ୍ଲେଷଣ କରାଯାଇଛି । ଯୁଗେ ଯୁଗେ କଂସ ଭଳି ଅତ୍ୟାଚାରୀର ଦମନ ନିମନ୍ତେ ଶ୍ରୀକୃଷ୍ଣ ଜନ୍ମ ହୁଅନ୍ତି । ଭଗବତ୍ ଗୀତାରେ ଶ୍ଲୋକ ମାଧ୍ୟମରେ ଏହା ବର୍ଣ୍ଣିତ । ଏକାଙ୍କିକାଟିରେ ମଧ୍ୟ ସମାଜରେ ସୃଷ୍ଟ, ଦୁର୍ନୀତି, ଶୋଷଣ, ଅତ୍ୟାଚାର, ହିଂସାର ବିଲୋପ ନିମନ୍ତେ ଯୁଗପୁରୁଷଙ୍କ ଜନ୍ମ ହୋଇଛି ।

ନାଟ୍ୟକାର ନିଳାଦ୍ରିଭୂଷଣ ହରିଚନ୍ଦନଙ୍କ ନାଟକ ‘ମଧ୍ୟପାତ୍ର’ ୧୯୮୧ ମସିହାରେ ବେତାର ମାଧ୍ୟମରେ ପରିବେଷିତ ହୁଏ । ଏହା ଏକ ପୌରାଣିକ ନାଟକ । ସାରଳା ମହାଭାରତରୁ ସଂଗୃହୀତ କଥାବସ୍ତୁ ଏହି ନାଟକର ମୁଖ୍ୟ ଆକର୍ଷଣ । ନାଟକଟିର କାହାଣୀରେ ଯୁଧିଷ୍ଠିରଙ୍କ ଠାରୁ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧ ନିମନ୍ତେ ଶାନ୍ତିର ପ୍ରସ୍ତାବ ନେଇ ହସ୍ତିନାପୁର ଯାତ୍ରା କରିଛନ୍ତି । ତେଣୁ ଶ୍ରୀକୃଷ୍ଣଙ୍କୁ ମଧ୍ୟପାତ୍ର ଭାବରେ ନାଟ୍ୟକାର ନାମିତ କରିଛନ୍ତି । ଏହି ପ୍ରସ୍ତାବକୁ କୌରବମାନଙ୍କ ପାଖକୁ ନେବା ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କୁ ଭେଟିଛନ୍ତି । ଜିଜ୍ଞାସା ଏହି କି ଯେ ଯୁଦ୍ଧପ୍ରତି ରହିଥିବା ସେମାନଙ୍କର ମତ । ତେଣୁ ସେ ବ୍ୟକ୍ତିଗତ ଭାବରେ ସମସ୍ତଙ୍କୁ ସାକ୍ଷାତ କରନ୍ତି ଓ ସେମାନଙ୍କ ମନଭାବକୁ ଜାଣନ୍ତି । ଏହି ପ୍ରସ୍ତାବରେ ଅର୍ଜୁନ ଓ ନକୁଳ ଆନନ୍ଦିତ, ଭୀମସେନ କ୍ରୋଧରେ ଜର୍ଜରିତ, ଦ୍ରୌପଦୀ ପ୍ରତିଶୋଧ ଅପୂରଣର ଆଶଙ୍କାରେ ବିଚଳିତ । କିନ୍ତୁ ଶ୍ରୀକୃଷ୍ଣ ଚାହିଁଛନ୍ତି ଯୁଦ୍ଧ । ଯୁଦ୍ଧ ନିମନ୍ତେ ସେ ପାଣ୍ଡବଙ୍କୁ ନିବେଦନ କରନ୍ତି । ଶେଷରେ ସେ ସହଦେବଙ୍କ ମତ ନିମନ୍ତେ ଆଗ୍ରହୀ । ସହଦେବ ଜାଣନ୍ତି ଯୁଦ୍ଧର ନିଶ୍ଚିତତା । ତେଣୁ ସେ ଶ୍ରୀକୃଷ୍ଣଙ୍କୁ ପାଞ୍ଚପଡ଼ା ପରିବର୍ତ୍ତେ ସମଗ୍ର ସାମ୍ରାଜ୍ୟ ମାଗିନେବା ନିମନ୍ତେ ମତାମତ ପ୍ରଦାନ କରନ୍ତି । ସେ ଜାଣନ୍ତି ଦୁର୍ଯ୍ୟୋଧନ ଏହି ପ୍ରସ୍ତାବରେ ରାଜିହେଲେ ସୁଦ୍ଧା ମାତୁଳ ଶକୁନି ଏକା କଦାପି ସମ୍ଭବ ହେବା ପାଇଁ ଦେବେନାହିଁ । ଯୁଦ୍ଧର ନିଶ୍ଚିତତାକୁ ଜାଣି ଶ୍ରୀକୃଷ୍ଣ ଆନନ୍ଦିତ ଏବଂ ଏହି ପ୍ରସ୍ତାବକୁ ନେଇ ସେ ହସ୍ତିନାପୁର ଯାତ୍ରା କରିଛନ୍ତି । ନାଟ୍ୟକାର ଏହି ନାଟକରେ ମହାଭାରତର କିୟଦଂଶ ଗ୍ରହଣ କରି ନାଟକୀୟ ରୂପ ପ୍ରଦାନ କରିଛନ୍ତି ।

ନାଟ୍ୟକାର ନିଳାଦ୍ରିଭୂଷଣଙ୍କ ଅନ୍ୟ ଏକ ନାଟକ ‘ସ୍ୱର୍ଗାରୋହଣ’ । ଏହି ନାଟକର କଥାବସ୍ତୁ ମହାଭାରତର ସ୍ୱର୍ଗାରୋହଣ ପର୍ବରୁ ସଂଗୃହୀତ । ଏହା ଏକ ବେତାର ନାଟକ । ସ୍ୱର୍ଗାରୋହଣ ପର୍ବରେ ଯୁଧିଷ୍ଠିର ସହୋଦର, ପତ୍ନୀ ସମେତ ରାଜସିଂହାସନ ନିଜ ପୌତ୍ରକୁ ପ୍ରଦାନ କରି ମୋହଜାଲରୁ ନିବୃତି ହୋଇ ସ୍ୱଶରୀରେ ସ୍ୱର୍ଗକୁ ଯିବାକୁ ମନସ୍ଥ କରନ୍ତି । ସେହି ଘଟଣାଟି ଏହି ନାଟକର କେନ୍ଦ୍ରବିନ୍ଦୁ । ନାଟକରେ ବ୍ୟାସ ସରୋବର ତଟଦେଶରେ ଦୁର୍ଯ୍ୟୋଧନ ଅନ୍ତପରେ ଯୁଧିଷ୍ଠିରଙ୍କ ସିଂହାସନ ଆରୋହଣ ହୁଏ । ପରିବାର ବର୍ଗଙ୍କ ମୃତ୍ୟୁ ପରେ ସଂସାର ପ୍ରତି ଯୁଧିଷ୍ଠିରଙ୍କ ମୋହ ଅବସନ୍ନ ହୋଇ ଆସେ । ଜାରା ଦ୍ୱାରା ଶ୍ରୀକୃଷ୍ଣଙ୍କ ଅନ୍ତପରେ ସଂସାର ପ୍ରତି ସଂପୂର୍ଣ୍ଣ ଭାବରେ ବିତୃଷ୍ଣା ଭାବ ବଢିଯାଏ । ସେ ଅଭିମନ୍ୟୁ ପୁତ୍ର ପରୀକ୍ଷିତକୁ ରାଜ୍ୟଭାର ପ୍ରଦାନ କରି ସହୋଦରଙ୍କ ସହିତ ଦ୍ରୌପଦୀଙ୍କୁ ନେଇ ସ୍ୱଶରୀରେ ସ୍ୱର୍ଗାରୋହଣ ନିମନ୍ତେ ଯାତ୍ରା କରନ୍ତି । ପ୍ରତିଶୋଧର ଭାବନା କିପରି ଦୁଇ ଭରତ ବଂଶର ଶାଖାକୁ ଉଜାଡ଼ି ଦେଇଛି ତାହା ଏଠାରେ ବର୍ଣ୍ଣିତ ।

ଉତ୍ତର ଅଶୀ ସମୟର ନାଟ୍ୟକାର ରଣଜିତ୍ ପଟ୍ଟନାୟକଙ୍କର ନାଟକ ‘ଏବଂ ଦଧୀଚି’ । ପୁରାଣରେ ଦଧୀଚିଙ୍କ ସ୍ୱରୂପ ଜଣେ ଶାନ୍ତ, ଉଦାର, ତ୍ୟାଗର ରମ୍ୟ ପ୍ରତିମୂର୍ତ୍ତି । ଦଧୀଚିଙ୍କ ସେହି ଚରିତ୍ରକୁ ବର୍ତ୍ତମାନର କାଳିନ୍ଦୀ ଚରିତ୍ର ସହ ନାଟ୍ୟକାର ସମନ୍ୱୟ କରିଛନ୍ତି । ଦଧୀଚି ଜଗତର ହିତାକାଂକ୍ଷାରେ ସ୍ୱଶରୀରରୁ ଅସ୍ଥିଦାନ କରିଥିଲେ । ବୃତ୍ତାସୁରର ନିଧନ ନିମନ୍ତେ ସେହି ଅସ୍ଥି ବଜ୍ରାସ୍ତ୍ର ରୂପେ ସୃଷ୍ଟି ହୋଇଥିଲା । ସେହି ମହତ୍ ଗୁଣର ଅଧିକାରୀ କାଳିନ୍ଦୀ । ପରିବାରର ଶାନ୍ତି, ମଙ୍ଗଳ ପ୍ରତିଷ୍ଠା ନିମନ୍ତେ କାଳିନ୍ଦୀର ଜୀବନଦାନ ମଧ୍ୟ ସେହି ସ୍ୱରୂପ । ନାଟ୍ୟକାର ‘ଏବଂ ଦଧୀଚି’ ନାଟକର ନାମକୁ ପରିବର୍ତ୍ତନ କରାଇ ପୁନଶ୍ଚ ‘ଦାନବୀୟ’ ନାମରେ ମଞ୍ଚସ୍ଥ କରାଇଛନ୍ତି । ପୁରାଣର ଏହି କଥାବସ୍ତୁ ସହିତ ସେ ସମାଜର ଭୋଗବାଦୀ ମନୁଷ୍ୟର ଉଚ୍ଚାଶା ମଣିଷ ଜୀବନରେ କିପରି ବ୍ୟତିକ୍ରମ ଦେଖାଏ ଓ ସୁପ୍ରବୃତ୍ତି ଗୁଡିକ ବ୍ୟକ୍ତି ମନରୁ ଲୋପପାଇ ଦାନବୀୟ ପ୍ରବୃତିକୁ ଜାତହୁଏ ତାହା ମଧ୍ୟ ଏହି ନାଟକରେ ଦୃଶ୍ୟମାନ ।

ପୁରାଣ ବର୍ଣ୍ଣିତ ଶକୁନ୍ତଳା ପ୍ରସଙ୍ଗକୁ ମିଥ୍ ଭାବରେ ଗ୍ରହଣ କରି ନାଟ୍ୟକାର ମିହିର କୁମାର ମେହେରଙ୍କ ନାଟକ ‘ନାଟକ:ଶକୁନ୍ତଳା’ । ଦୁଷ୍ମନ୍ତ ମୃଗୟା ସମୟରେ କଣ୍ୱ ମୁନିଶିଷ୍ୟଙ୍କ ବାରଣ ହେତୁ ସେ ମୃଗଶିକାର ନ କରି ମୁନିଙ୍କ ଆଶ୍ରମକୁ ଯାଇଥିଲେ ଏବଂ ସେଠାରେ ସେ ଶକୁନ୍ତଳାଙ୍କ ରମ୍ୟରୂପରେ ମୋହିତ ହୋଇଯା’ନ୍ତି । ପରବର୍ତ୍ତୀ ସମୟରେ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ଚିହ୍ନି ନ ପାରିବା ଏବଂ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପ୍ରଣୟର ପ୍ରତୀକକୁ ନେଇ ନାଟକର ଘଟଣାଟି ଆଧୁନିକ ପୃଷ୍ଠଭୂମିରେ ବସନ୍ତ ଓ କବିତା ମାଧ୍ୟମରେ ପରିବେଷିତ । ଚରିତ୍ର କବିତାର ଅଛି ଏକ ସ୍ମୃତି ନାମରେ କନ୍ୟା, ଶକୁନ୍ତଳା ପୁତ୍ର ଭରତ ପରି । ସେମାନଙ୍କ ଅତୀତ ଓ ବର୍ତ୍ତମାନ ପୁରାଣଦତ ଘଟଣା ସହ ସମନ୍ୱୟ । ମିଥ୍ ଧର୍ମୀ ଏହି ନାଟକ ସଂପ୍ରତି ପରିପ୍ରେକ୍ଷୀର ନାଟକ ।

ମହାଭାରତର ସଂକ୍ଷିପ୍ତ ପ୍ରସଙ୍ଗକୁ ନେଇ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ନାଟକ ‘ଯୁଗ ଚରିତ ବୃତାନ୍ତ’ । କଳିଯୁଗର ଆଗମନ ପରେ ମନୁଷ୍ୟର ମଧ୍ୟରେ ଦେଖାଦେଇଛି ପରିବର୍ତନ । ମହାଭାରତରେ ସୁବର୍ଣ୍ଣ କଙ୍କଣର ମାଲିକାନା ନିମନ୍ତେ ଉପୁଜିଥିବା ଦ୍ୱନ୍ଦ, ପାଣ୍ଡବମାନଙ୍କ ସର୍ବସ୍ୱ ତ୍ୟାଗ ଓ ସ୍ୱର୍ଗାରୋହଣ ଯାତ୍ରା, ଯୁଧିଷ୍ଠିରଙ୍କ ବ୍ୟତୀତ ପତ୍ନୀ ଓ ସହୋଦରଙ୍କ ସ୍ୱର୍ଗଯାତ୍ରାରେ ବିଭ୍ରାଟ, ଯୁଧିଷ୍ଠିର ପୁନଃ ଧରାଲୋକକୁ ଆସି ଉପହାସର ପାତ୍ର ହେବା ଘଟଣାକୁ ନାଟ୍ୟକାର ବିଭିନ୍ନ ଚରିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ।

ନାଟ୍ୟକାର ଉପେନ୍ଦ୍ର ପ୍ରସାଦ ନାୟକ ଜଗନ୍ନାଥ ପାଣିଙ୍କ ‘ହାରାବତୀ ହରଣ’, ବୈଷ୍ଣବ ପାଣିଙ୍କ ‘ମହୀରାବଣ ବଧ’, ଦୁଇ ପୌରାଣିକ ନାଟକକୁ ମଂଚରୂପ ପ୍ରଦାନ କରିଛନ୍ତି । ନାଟ୍ୟକାରଙ୍କ ସ୍ୱରଚିତ ପୌରାଣିକ ନାଟକ ହେଉଛି ‘ସ୍ୱପ୍ନ-ବଳୟ’ । ଏହି ନାଟକ ମହାଭାରତର ଉଷା ଅନିରୁଦ୍ଧଙ୍କ ପ୍ରଣୟ କାହାଣୀର ନାଟ୍ୟରୂପ । ବାଣାସୁର ନନ୍ଦିନୀ ଉଷା ଓ ଶ୍ରୀକୃଷ୍ଣଙ୍କ ପୌତ୍ର ଅନିରୁଦ୍ଧର ପ୍ରେମ, ବାଣାସୁର ରାଜ୍ୟପ୍ରତି କୃଷ୍ଣ ଓ ବଳରାମଙ୍କ ଆକ୍ରମଣ, ଭଗବାନ ଶିବ ଯୁଦ୍ଧରେ ଅଂଶଗ୍ରହଣ କରିବା, ବ୍ରହ୍ମାଙ୍କ ଯୋଗୁଁ କୃଷ୍ଣ ଓ ଶିବଙ୍କ ମଧ୍ୟରେ ଯୁଦ୍ଧରୋଦ୍ଧ ଏବଂ ଉଷା ଅନିରୁଦ୍ଧଙ୍କ ପ୍ରଣୟ କାହାଣୀ ଏହି ନାଟକରେ ସ୍ଥାନିତ ।

ମହାଭାରତର ନାୟିକା ଦ୍ରୌପଦୀଙ୍କ ଜୀବନୀକୁ ନାଟ୍ୟକାର ଚନ୍ଦ୍ରଶେଖର ନନ୍ଦ ରୂପ ଦିଅନ୍ତି ନାଟକ ‘କୃଷ୍ଣା’ରେ । ନାଟକଟିରେ ଦ୍ରୌପଦୀଙ୍କ ସ୍ୱୟଂବରର ଘଟଣା, କୁରୁସଭା ତଳେ ବସ୍ତ୍ରହରଣର ନିଷ୍ଠୁର ଦୃଶ୍ୟ, ପାଣ୍ଡବଙ୍କ ବନବାସ ଓ ଅଜ୍ଞାତବାସ, କୁରୁକ୍ଷେତ୍ରରେ ମହାଯୁଦ୍ଧ, ପାଣ୍ଡବ ମାନଙ୍କର ପ୍ରତିକୂଳ ଅବସ୍ଥାକୁ ନାଟ୍ୟକାର ଉପଯୁକ୍ତ ସଂଳାପ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ।

ନାଟ୍ୟକାର ଶୈଳେଶ୍ୱର ନନ୍ଦଙ୍କ ପୌରାଣିକ ନାଟକ ‘ଦାରୁବ୍ରହ୍ମ’ । ଓଡି଼ଶାର କୋଟି କୋଟି ଜନତାଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ, ଲୀଳା ଏହି ନାଟକରେ ପରିବେଷିତ । ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀ ମନ୍ଦିରର ପ୍ରତିଷ୍ଠା ନିମନ୍ତେ ବ୍ରହ୍ମଲୋକକୁ ଯିବା ସମୟରେ କାଳର ପରିବର୍ତ୍ତନରେ ମନ୍ଦିରକୁ ପୁନଃ ଗାଲମାଧବ ଉଦ୍ଧାର କରିବା ପ୍ରସଙ୍ଗ, ମନ୍ଦିରକୁ ନେଇ ଗାଲମାଧବ ଓ ଇନ୍ଦ୍ରଦ୍ୟୁମ୍ନଙ୍କ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦ, ଲଳିତା-ବିଦ୍ୟାପତି ପ୍ରସଙ୍ଗ, ଦାରୁ ଆବିର୍ଭାବ, ବିଶ୍ୱକର୍ମାଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତି ନିର୍ମାଣ ଓ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ବିଜେ ପ୍ରସଙ୍ଗ ନାଟକରେ ସ୍ଥାନିତ ।

ଉତ୍ତର ଅଶୀ ପରବର୍ତ୍ତୀ ନାଟକରେ ପୁରାଣ ବିଷୟକୁ ନେଇ ସ୍ୱଳ୍ପ ନାଟକ ରଚିତ ହେଲେ ହେଁ ମିଥ୍‌, ରୂପକ, ପ୍ରତୀକ ଭାବରେ ପୌରାଣିକ ଚରିତ୍ର, ଘଟଣାବଳୀକୁ ସ୍ଥାନ ଦିଆଯାଇଛି । ନାଟ୍ୟକାର ପୌରାଣିକ ଚେତନାକୁ ଜୀବନ୍ତ କରି ନୂତନ ଢଙ୍ଗରେ ସର୍ଜନା କରିଛନ୍ତି । ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ‘ଧୃତରାଷ୍ଟ୍ରର ଆଖି’, କାର୍ତିକଚନ୍ଦ୍ର ରଥଙ୍କ ‘ନୃତ୍ୟ ନାଟିକା’, ‘ସୀତାବିବାହ’, ‘ଉଷା ପରିଣୟ’, ବିଜୟ ଶତପଥୀଙ୍କ ‘କୋକୁଆ’, କୁଂଜରାୟଙ୍କ ନାଟକ ‘ଚନ୍ଦ୍ରସେଣା’, ପଞ୍ଚାନନ ପାତ୍ରଙ୍କ ‘ନିକୁମ୍ଭିଲା’, ଚନ୍ଦ୍ରଶେଖର ନନ୍ଦଙ୍କ ‘ଆମେ ସବୁ ଚନ୍ଦ୍ରସେଣା’, ଆନନ୍ଦ ଚନ୍ଦ୍ର ପହିଙ୍କ ‘ପ୍ରତୀକ୍ଷାରେ ପରୀକ୍ଷିତ’, ନାରାୟଣ ସାହୁଙ୍କ ‘କୁମ୍ଭକର୍ଣ୍ଣ’ ପ୍ରଭୃତି ନାଟକରେ ମିଥ୍ ଓ ପୌରାଣିକ ଚରିତ୍ର, ବିଷୟ ଓ ଘଟଣାକୁ ଦେଖିବାକୁ ମିଳେ । କିନ୍ତୁ ପରବର୍ତ୍ତୀ ସମୟରେ ପୌରାଣିକ ନାଟକର ସୃଷ୍ଟି ଲୋପ ପାଇବାକୁ ବସିଛି । ଅଧୁନା ପୁରାଣ କହିଲେ ପାରମ୍ପରିକ ନାଟକର ବାରମ୍ବାର ପ୍ରଦର୍ଶନ ଯଥା ଦଣ୍ଡନାଟ, ଧନୁଯାତ୍ରା ଭଳି ଅନ୍ୟାନ୍ୟ ଲୋକନୃତ୍ୟ କେବଳ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ନିମନ୍ତେ ଆଡ଼ମ୍ବର ସହ ପାଳନ କରାଯାଉଛି । ଯାତ୍ରା, ଅପେରାର ଚାହିଦା ବଢ଼ ୁଛି ଯେଉଁଥିରେ ସାମାଜିକ ନାଟକର କାହାଣୀ ସହ ଅଶ୍ଲୀଳତା ସାମାନ୍ୟ ମାତ୍ରାରେ ରହୁଛି । ଯାହାକୁ ଦର୍ଶକ ମଧ୍ୟ ଉପଭୋଗ କରୁଛନ୍ତି । ତେଣୁ ପୌରାଣିକ ନାଟକର ସୃଷ୍ଟିରେ ହ୍ରାସ ପରିଲକ୍ଷିତ ହୁଏ ।

ପ୍ରାନ୍ତ ଟୀକା

୧) ପ୍ରଧାନ, କୃଷ୍ଣଚନ୍ଦ୍ର; ଓଡି଼ଆ ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି, ପୃ-୧୭୦

୨) ନାୟକ, ରବି ; ଓଡି଼ଆ ନାଟ୍ୟ ସାହିତ୍ୟର ସଂକ୍ଷିପ୍ତ ଇତିବୃତ, ପୃ-୨୬୧-୨୬୨

୩) ବେହେରା, କୃଷ୍ଣଚନ୍ଦ୍ର ; ନାଟ୍ୟ ସାହିତ୍ୟ ପରିଚୟ, ପୃ-୮୬, ୨୦୦୮

ସହାୟକ ଗ୍ରନ୍ଥସୂଚୀ :

୧)           ଦାସ, ହେମନ୍ତ କୁମାର ; ଓଡି଼ଆ ନାଟ୍ୟ ସାହିତ୍ୟର ବିକାଶ ଧାରା, ପ୍ର- ଓଡି଼ଆ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ପୁସ୍ତକ ଭୁବନ, ଭୁବନେଶ୍ୱର ।

୨)           ନାୟକ, ରବି ; ଓଡି଼ଆ ନାଟ୍ୟ ସାହିତ୍ୟର ସଂକ୍ଷିପ୍ତ ଇତିବୃତ, ପ୍ର-ଶ୍ରୀ ସହଦେବ ପ୍ରଧାନ, ଫେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ, ୧୯୯୩

୩)           ପ୍ରଧାନ, କୃଷ୍ଣଚନ୍ଦ୍ର ; ଓଡି଼ଆ ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି, ପ୍ର-ପିତାମ୍ବର ମିଶ୍ର, ବିଦ୍ୟାପୁରୀ, କଟକ, ୨୦୧୭

୪)           ବେହେରା, କୃଷ୍ଣଚନ୍ଦ୍ର ; ନାଟ୍ୟ ସାହିତ୍ୟ ପରିଚୟ, ପ୍ର-ସହଦେବ ପ୍ରଧାନ, ଫେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ, ୨୦୦୮

୫)           ଶତପଥୀ, ନାରାୟଣ ; ଓଡିଆ ନାଟକ ନାଟ୍ୟକାର, ପ୍ର-ଓଡିଆ ବୁକ୍ ହାଉସ୍‌, ୧୯୬୫

୬)           ସାହୁ, ନାରାୟଣ ; ସ୍ୱାଧୀନତା ପରବର୍ତ୍ତୀ ଓଡି଼ଆ ନାଟକ, ପ୍ର-ସହଦେବ ପ୍ରଧାନ, ଫେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ, ୧୯୯୫

ଆଲୋକ ମହାରଣା(ଗବେଷକ)

Phone: ୭୯୭୮୮୦୦୮୦୨

Share This Article