ବିଡ଼ମ୍ୱିତ ଆଶାର ଅଭିସଂଚାରୀ ଆଲୋକ: ଇଲିସିନାଆ

ଚିନ୍ମୟ ସାମଲ
ଚିନ୍ମୟ ସାମଲ 206 Views
17 Min Read

ବାସ୍ତବତାର ପୁନର୍ବିନ୍ୟାସ ହିଁ ହେଉଛି କଳା ଓ ସାହିତ୍ୟର ପ୍ରଧାନ ଧର୍ମ ‘The first purpose of Art is to reproduce reality.’। ଏ ଦୃଷ୍ଟିରୁ ସାଂପ୍ରତିକ ଓଡ଼ିଆ ନାଟକର ବିଶ୍ଲେଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ନାଟକ ସେହି ସମୟର ସମାଜର କଥା କୁହେ । ସମାଜରେ ଘଟିଯାଉଥିବା ବିଭିନ୍ନ ସମସ୍ୟା, ଘଟଣା ତଥା ପରିବେଶର ଏକ ନିଚ୍ଛକ ପ୍ରତିଛବିଟିଏ ଆଙ୍କିଦେଇ ନାଟକ ଦର୍ଶକମାନଙ୍କ ପ୍ରଶଂସା ଲଭେ । ଦିନେ ହିନ୍ଦୀ ନାଟ୍ୟ ନିର୍ଦ୍ଦେଶକ ତଥା ଥିଏଟର ଫର୍ ଥିଏଟର୍ (Theatre for Theatre)ର ପ୍ରାଣ ପ୍ରତିଷ୍ଠାତା ସୁଦେଶ ଶର୍ମା ଏକ ନାଟ୍ୟ ସମ୍ମିଳନୀରେ କହିଥିଲେ – “Theatre for me is the mirror of society which presents and can relate to the problems of people directly. Theatre is a pure form of art which helps sensitize people about various issues plaguing society.” ତେଣୁ ଯଦି ନାଟକ ସେହି ସମୟର ସମାଜକୁ ପ୍ରତିନିଧିତ୍ୱ ନକଲା, ତାହା ନାଟକର ପଦବାଚ୍ୟ ନୁହେଁ । ବିଂଶ ଶତାଦ୍ଦୀରୁ ସପ୍ତମ ଦଶକର ମଧ୍ୟଭାଗରୁ ସୃଷ୍ଟି ହୋଇଥିବା ଓଡ଼ିଆ ନାଟକ କ୍ରମେ ପ୍ରସାରିତ ହୋଇଚାଲିଲା ବିଂଶ ଶତାଦ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ, ଆପଣାର ଉତ୍କଳୀୟ ମାଟି, ପାଣି, ପବନକୁ ନେଇ । ପ୍ରସାରିତ ପଥରେ କେତେକ ନାଟକକୁ ନେଇ ବହୁ ଝଡ଼ ଝଞ୍ଝା ତଥା ତର୍କ ବିତର୍କର ସମ୍ମୁଖୀନ ହୋଇଥିଲେ ହେଁ ତାହା କ୍ରମେ ଦେହସୁହା ହୋଇଯାଇଛି । ଏହାର ଏକମାତ୍ର କାରଣ ତତ୍କାଳିନ ଓଡ଼ିଆ ନାଟକ ଭାରତୀୟ ତଥା ଉତ୍କଳୀୟ ସଂସ୍କୃତି ଓ ପରଂପରାକୁ ଆଧାର କରି ରଚିତ । ପ୍ରତି ରଚନାରେ ଉତ୍କଳୀୟ ଗନ୍ଧ ବାରି ହୋଇପଡୁଥିଲା । କ୍ରମେ ଉତ୍ତର ପଚାଶ ଓଡ଼ିଆ ନାଟକରେ ଏହି ଗନ୍ଧ ଦୂର ହେବାରେ ଲାଗିଲା । ଧସେଇ ପଶିଆସିଲା ପାଶ୍ଚାତ୍ୟ ପରଂପରା ଓ ପୁରୋଦୃଷ୍ଟି ।

କେବଳ ଏତିକି ନୁହେଁ, ପାଶ୍ଚାତ୍ୟ ନାଟ୍ୟକାରମାନେ କ୍ରମେ ଓଡ଼ିଆ ନାଟ୍ୟକାରମାନଙ୍କ ପାଇଁ ଆଦର୍ଶ ହୋଇଗଲେ। ସେହିପରି ନାଟକର ଗଢଣ (Form)/ ଢାଞ୍ଚା। ବଦଳିଗଲା ଉଭୟ ଆଙ୍ଗିକ ଓ ଆତ୍ମିକ କ୍ଷେତ୍ରରେ । ଭାଷା କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କଲା ଭାବ । ସଂଳାପ ହୋଇଗଲା ଟେଲିଗ୍ରାଫିକ୍ (Telegraphic) । ପୂର୍ବର ଯାହା ଅଙ୍କ ଏବଂ ଦୃଶ୍ୟର ବିଭାଜନ ଥିଲା, ତାହା କ୍ରମେ ଅପସରି ଯାଇ ଅତିବେଶିରେ ଏକ କିମ୍ୱା ଦୁଇ ମଧ୍ୟରେ ସୀମିତ ରହିଲା । କଥାବସ୍ତୁକୁ ଆଉ କୌଣସି ଗୁରୁତ୍ୱ ଦିଆଗଲା ନାହିଁ, ହୋଇଗଲା କଥାବସ୍ତୁହୀନ ନାଟକ (Plotless Drama) । ଏହିପରି ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ନାଟକର ପରିବର୍ତ୍ତନ ହେଲା । ଏଥିସହ ନବନାଟ୍ୟ ଆନ୍ଦୋଳନର ଏକ ମୋହର ମଧ୍ୟ ମାରିଦିଆଗଲା । କେହି କେହି ମଧ୍ୟ ଏହି ଶୌଳୀର ନାଟ୍ୟ ରଚନାକୁ ପାଶ୍ଚାତ୍ୟ ଅନୁକରଣରେ ‘ଆବସଡିଟି’ (Absurdity)ର ସଂଜ୍ଞା ଦେଲେ । ପୂର୍ବେ ଏହି ସମୟ ପରିଧି (୧୯୫୦-୭୦) ମଧ୍ୟରେ ବିଭିନ୍ନ ନାଟକ ଏବଂ ନାଟ୍ୟ ରଚନା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ନାଟ୍ୟକାରମାନେ ନିଜ ନିଜର ନାଟକୁ ଉଦ୍ଭଟ ବା ଆବସର୍ଡଧର୍ମୀ କହୁଥିଲେ ହେଁ ସମ୍ପ୍ରତି ଏହା ମାନିବାକୁ ନାରାଜ । ‘ମୋ ନାଟକରେ ସେହିଭଳି କୌଣସି ଉଦ୍ଭଟତାର ପ୍ରୟୋଗ ନାହିଁ’ – ଏହିଭଳି ମନ୍ତବ୍ୟ ମଧ୍ୟ ଶୁଣିବାକୁ ମିଳୁଛି । ସେ ଯାହା ବି ହେଉ, ପଚାଶ ପରବର୍ତ୍ତୀ ଓଡ଼ିଆ ନାଟକରେ ଉତ୍କଳୀୟ ପାଣି ପବନର ବାସ୍ନା କ୍ରମେ ଦୁରୀଭୂତ ହେବାରେ ଲାଗିଲା । ଏହି ଧରଣର ନାଟ୍ୟ ସହ ମଧ୍ୟ କିଛି ପାରମ୍ପରିକ ନାଟକ ସମାନ୍ତରାଳ ଭାବେ ଗତି କରୁଥିଲା । କିନ୍ତୁ ତାହା ସଂଖ୍ୟା ଦୃଷ୍ଟିରୁ ଥିଲା ନଗଣ୍ୟ । ତେଣୁ ନାଟକ ହୋଇଗଲା ବୌଦ୍ଧିକତାର ଏକ ବିରାଟ ପାଚେରୀ । ଏହି ପାଚେରୀ ଉଭୟ ନାଟକ ଏବଂ ଦର୍ଶକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଆହୁରି ବଢାଇବାରେ ଲାଗିଲା । କେବଳ କେତେକ ସଂଖ୍ୟାଲଘୁ ଶିକ୍ଷିତ ମଧ୍ୟବିତ୍ତ ଗୋଷ୍ଠୀଙ୍କ ମଧ୍ୟରେ ଏହା ସୀମିତ ରହିଲା । କିନ୍ତୁ ନାଟକର ପ୍ରଧାନ ବିଚାରକ ସଂଖ୍ୟାଗରିଷ୍ଠ ଦର୍ଶକମାନେ କ୍ରମେ ନାଟକଠାରୁ ଦୂରେଇଯିବାରେ ଲାଗିଲେ । ନାଟକ ହୋଇଗଲା ଦର୍ଶକଶୂନ୍ୟ । ଯେକୌଣସି କଳା, ତାହାକୁ ନିର୍ଣ୍ଣୟ କରୁଥିବା ‘ଗଣ’କୁ ପ୍ରାଧାନ୍ୟ ନ ଦେଇ ‘ଜଣ’କୁ ଗୁରୁତ୍ୱ ଦେଲେ, ତାହାର ଶେଷ ପରିଣତି ଏହିପରି ହିଁ ହୁଏ । ‘ଦର୍ଶକ ବିହିନେ ନାଟକଂ ନାସ୍ତି’ – ନ୍ୟାୟରେ ନାଟ୍ୟକାର ମାନଙ୍କୁ ପୁଣିଥରେ ପରମ୍ପରା ପାଖକୁ ଫେରିଯିବାକୁ ପଡିଲା ।

୧୯୭୦ ଫେବୃୟାରୀ ୧୯ ଓ ୨୦ ତାରିଖରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ତରଫରୁ ଦିଲ୍ଲୀରେ ‘Round table on the contemporary relevance of traditional theatre’ ଆଲୋଚନା ଚକ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଆଲୋଚନାରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟକାରମାନେ ଯୋଗ ଦେଇଥିଲେ । ସେମାନେ ହେଲେ ବାଦଲ ସରକାର, ବିଜୟ ତେନ୍ଦୁଲକର, ସୁରେଶ ଅବସ୍ଥୀ, ମୋହନ ରାକେଶ, ଗିରିଶ କନ୍ନଡ଼, ଉତ୍ପଳ ଦତ୍ତ , ଜି.ଶଙ୍କର ପିଲ୍ଲେ, ଶାନ୍ତା ଗାନ୍ଧୀ, ଜଗଦୀଶ ଚନ୍ଦ୍ର ମାଧୁର ଓ ମନୋରଞ୍ଜନ ଦାସ ପ୍ରଭୃତି । ଉତ୍ପଳ ଦତ୍ତ ‘The yatra and its relevance’, ଶଙ୍କର ପିଲ୍ଲେ ‘Modern relevance of traditional theatre’, ଜଗଦୀଶ ଚନ୍ଦ୍ର ମାଧୁର ‘A plea of existance’,ଶାନ୍ତା ଗାନ୍ଧୀ ‘A search for links’ ଭଳି ପ୍ରବନ୍ଧ ମାଧ୍ୟମରେ ଲୋକନାଟକର ସାମର୍ଥ୍ୟକୁ ଉପଯୋଗ କରି ଅଭିଜାତ ନାଟକକୁ ଶକ୍ତିଶାଳୀ କରିବାକୁ ମତ ଦେଇଥିଲେ । ତେଣୁ ଏକ ନୂତନ ନାଟ୍ୟରୀତିର ଅନ୍ୱେଷଣ ଆରମ୍ଭ ହୋଇଥିଲା । ଦର୍ଶକ ଓ ନାଟକ ମଧ୍ୟରେ ଥିବା ଦୃଢ ପ୍ରାଚୀରକୁ ଭାଙ୍ଗିବାକୁ ‘Theatre of synthesis’ ବା ‘ସମନ୍ୱୟାତ୍ମକ ନାଟକ’ ଆରମ୍ଭ ହେଲା । ବାଦଲ ସରକାର ଏହାକୁ ‘Third Theatre’ର ନାମ ଦେଲେ । ୧୯୭୧ ଅଗଷ୍ଟ ୯ ରେ ସୃଜନୀର ୪ର୍ଥ ନାଟକ ‘ଅମୃତସ୍ୟ ପୁତ୍ରଃ’ ମାଧ୍ୟମରେ ମନୋରଞ୍ଜନ ଦାସ ପ୍ରଥମେ ଲୋକଉପାଦାନର ପ୍ରୟୋଗ କଲେ । ୧୯୭୩ ମସିହାରେ ପ୍ରକାଶିତ ତାଙ୍କ ‘କାଠଘୋଡା’ରେ କିଞ୍ଚିତ ଏବଂ ଏହାର ସମ୍ପୂର୍ଣ୍ଣ ପ୍ରୟୋଗ ହେଲା ୧୯୮୦ ମସିହାରେ ରଚିତ ନନ୍ଦିକାକେଶରୀରେ । ପରବର୍ତ୍ତୀ ସମୟରେ ଏହି ଲୋକ ଉପାଦାନ ମନୋରଞ୍ଜନ ପରବର୍ତ୍ତୀ ନାଟ୍ୟକାରମାନଙ୍କ ଦ୍ୱାରା ଅଦ୍ୟାବଧି ତାଙ୍କ ନାଟକ ମାନଙ୍କରେ ପ୍ରୟୋଗ କରାଯାଇଆସୁଅଛି । ଏହି ପରିପ୍ରେକ୍ଷୀରେ ନାଟ୍ୟକାର ଶ୍ରୀ ତରୁଣକାନ୍ତି ରାଉତଙ୍କ ନାଟକ ‘ଇଲିସିନାଆ’ ମୋ ଆଲୋଚନାର ବିଷୟ ।

ସାଂପ୍ରତିକ ସମୟରେ ଅର୍ଥ, ପ୍ରେମ ଓ ସଂପର୍କକୁ ନେଇ ଏକ ମିଳିତ ତୁଳନା କରିବାକୁ ଗଲେ ଦେଖାଯିବ ଅର୍ଥ ଆଗରେ ପ୍ରେମ ଓ ସଂପର୍କ କେତେ ମଳିନ । ଏହି ଅର୍ଥସର୍ବସ୍ୱ ସମାଜରେ ପ୍ରେମ ଓ ସଂପର୍କ କେତେ ମୂଲ୍ୟହୀନ । ଆଜିର ଛଦ୍ମବେଶୀ ମଣିଷ ନିଜକୁ ବାହାରେ ଯେତେ ସଫେଇ ହେଉଥିଲେ ମଧ୍ୟ ତା’ର ଅନ୍ତର୍ମୂଖୀ ବାସନା ବା ଉଦ୍ଦେଶ୍ୟ ଅନ୍ୟ କିଛି ଥାଏ । ସ୍ୱାର୍ଥ ହାସଲ ନ ହେବା ପର୍ଯ୍ୟନ୍ତ ଏହି ଛଦ୍ମମୁଖୀ ମଣିଷ ସଂପର୍କ ନାମରେ ମିଛ ଛଳନା କରିଥାଏ ମାତ୍ର, ସ୍ୱାର୍ଥ ପୂରଣ ହେବା କ୍ଷଣି ଏହି ସଂପର୍କ ତା ପାଇଁ ହୋଇପଡେ ମୂଲ୍ୟହୀନ । ପରିଚିତ ମଣିଷ ତା’ ପାଇଁ ଅପରିଚିତରେ ପରିଣତ ହୁଏ । ସ୍ନେହ, ପ୍ରେମ ଓ ଭଲପାଇବା ହୋଇପଡେ ତୁଚ୍ଛାତିତୁଚ୍ଛର ବିଷୟ । ଏକମାତ୍ର ଅର୍ଥ ହିଁ ତା’ ପାଇଁ ମନେହୁଏ ଗୁରୁତ୍ୱପୂର୍ଣ୍ଣ । ଏହି ଜାଗତିକ ବନ୍ଧନରୁ ମୁକ୍ତିର ପନ୍ଥା ସେ ଖୋଜିପାଏ ନାହିଁ । ଏହି ତ ଆଜିର ‘ମଡର୍ଣ୍ଣ ମ୍ୟାନ’ । ତଥାପି ଏହି ଅର୍ଥସର୍ବସ୍ୱ ମତଲବୀ ଦୁନିଆରେ ଭଲପାଇବାର ସତ୍ତା ମୂଲ୍ୟହୀନ ହୋଇପଡିଥିଲେ ହେଁ କିଛି ମହନୀୟ ବ୍ୟକ୍ତିଙ୍କ ପାଇଁ ହୋଇପଡେ ଏହା ସ୍ୱର୍ଗୀୟ । ଏହି ସ୍ୱର୍ଗୀୟ ଭଲପାଇବାରେ ନା ଥାଏ ସ୍ୱାର୍ଥ, ନା ଥାଏ ଅହଂକାର, ନା ଥାଏ ଅର୍ଥଲୋଲୁପତା ତଥା ସଂକୀର୍ଣ୍ଣ ମନୋଭାବ । କେବଳ ନିରଂକୁଶ ପ୍ରେମ ହିଁ ନିଜର ସ୍ଥିତିକୁ ସୃଦୃଢ କରେ ଏହି ସଂପର୍କରେ । ଯାହା ନାଟ୍ୟକାର ଶ୍ରୀ ରାଉତ ତାଙ୍କ ସଦ୍ୟ ପ୍ରକାଶିତ ଲୋକନାଟ୍ୟ ଧାରାରେ ରଚିତ ନାଟକ ‘ଇଲିସିନାଆ’ରେ ପ୍ରକାଶ କରିଛନ୍ତି ।

ଆଜିର ସମାଜରେ ଅର୍ଥ ଯେତେ ବା ନିଜର ସାମ୍ରାଜ୍ୟ ବିସ୍ତାର କରୁନା କାହିଁକି ସ୍ୱର୍ଗୀୟ ପ୍ରେମ ଏହି ଅର୍ଥସର୍ବସ୍ୱ ସମାଜର ବହୁ ଉର୍ଦ୍ଧ୍ୱରେ । ଏହା ହିଁ ଏହି ନାଟକର ମୂଳସ୍ୱର । ଲୋକନାଟ୍ୟ ଶୌଳୀରେ ରଚିତ ଏହି ନାଟକ ଲୋକରୁଚିକୁ ପ୍ରାଧାନ୍ୟ ଦିଆଯାଇ ତଥା ମଞ୍ଚ ବିମୁଖ ଦର୍ଶକମାନଙ୍କୁ ପୁଣିଥରେ ମଞ୍ଚ ମୁହାଁ କରିବା ଉଦ୍ଦେଶ୍ୟରେ ଏହା ରଚିତ । କୈବର୍ତ୍ତ ସମାଜରେ ଅନୁଷ୍ଠିତ ଚୈତ୍ର ପୂର୍ଣ୍ଣିମାର ଘୋଡ଼ା ନାଚଗୀତ ଏହାର ଆଭୂଷଣ । ନାଟକଟିରେ କୈବର୍ତ୍ତ ସଂପ୍ରଦାୟଙ୍କ ଚୈତ୍ରପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ଘୋଡାନାଚାର କଳେବର ଭିତରେ ଏକ ସାମସମୟିକ କଥାବସ୍ତୁକୁ ଗତିଶୀଳ କରାଇବାର ପ୍ରଚେଷ୍ଟା କରାଯାଇଛି । ଲୋକନାଟ୍ୟ ଶୈଳୀର ଏକ ପ୍ରମୁଖ ଆଭିମୁଖ୍ୟ ହେଲା ମଞ୍ଚ ମୂଲ୍ୟାୟନ ସମୟରେ ନାଟକ ନିରବଚ୍ଛିନ୍ନ ବା ଅପ୍ରତିହତ ଭାବରେ ଗତି କରିବ । ଅର୍ଥାତ୍ ନାଟ୍ୟ ଦୃଶ୍ୟ ସମୟରେ କୌଣସି ବିରତି ରହିବ ନାହିଁ । ତେଣୁ ଲୋକନାଟକ ସାଧାରଣତଃ ଅଙ୍କ ଦୃଶ୍ୟ ବିହାନ ନାଟକ ଅଟେ । ନାଟକ ‘ଇଲିସିନାଆ’ ଲୋକନାଟ୍ୟ ପର୍ଯ୍ୟାୟର ହୋଇଥିବାରୁ ଏହା ଅଙ୍କଦୃଶ୍ୟ ବିହୀନ ଏବଂ ପରିବେଷଣ ସମୟରେ ଏହା ନିରବଚ୍ଛିନ୍ନ ଭାବେ ଗତି କରିଥାଏ । ନାଟକର ଆରମ୍ଭରେ କିଛି ସଂଯୋଗକାରୀ ଚରିତ୍ର (ନାଗର, ଜୁଆଳ, ଫିଟିକିରି) ମଞ୍ଚ ଉପରକୁ ଅସି ସାଂପ୍ରତିକ ସମୟର ଏକ ସମସ୍ୟାକୁ ଉପସ୍ଥାପନ କରୁଥିବାର ଦେଖିବାକୁ ମିଳେ, ତାହା ପୁଣି ଲୋକନାଟ୍ୟ ଢାଞ୍ଚା (Form)ରେ । ସମସ୍ୟା ହେଉଛି ଚାଷୀ ସମସ୍ୟା । କାବ୍ୟିକ ସଂଳାପ ମାଧ୍ୟମରେ କୈବର୍ତ୍ତ ସଂପ୍ରଦାୟର ପୂଜ୍ୟା ମା ବାସେଳୀକୁ ପୂଜା ବନ୍ଦାପନା କରିବା ସହ ଅରଖପଦା ଗାଁରେ ବଢି ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିବା ସମସ୍ୟାକୁ ଉପସ୍ଥାପନା କରାଯାଇଛି । ଇତି ମଧ୍ୟରେ ମଞ୍ଚ କୁ ପ୍ରବେଶ କରିଛି ଏକ ଅନ୍ତସତ୍ଵା ନାରୀ । ସେ ତା’ର କାହାଣୀ ବଖାଣି ବସିଛି ଏହି ସଂଯୋଗକାରୀ ଚରିତ୍ରମାନଙ୍କ ପାଖରେ । କାହାଣୀ ଫ୍ଲାସ୍‌ବ୍ୟାକ୍ (Flashback)କୁ ଯାଇଛି ।

ନାଟକର ମୁଖ୍ୟ ଚରିତ୍ର ନାୟକ ସୁରିଆ ଏବଂ ନାୟିକା କାଇଁଚ । ସୁରିଆ ଭଲପାଇଛି କାଇଁଚକୁ । ତାର ଏକମାତ୍ର ସ୍ୱପ୍ନ: ନିଜ ଇଲିସିନାଆ ବାହି ସମୁଦ୍ରରେ ମାଛ ଧରିବ । କାଇଁଚକୁ ବାହା ହବ । ସୁରିଆର ଏହି ସ୍ୱପ୍ନକୁ ଛାରଖାର କରିଦେବାକୁ ପଛାଏ ନାହିଁ ଖଳନାୟକ ସିକ୍‌ଦାର୍ । କାଇଁଚ ଉପରେ କୁପଦୃଷ୍ଟି ପକାଏ । ତାକୁ ପାଇବାର କାମନା ରଖେ । ଏପଟେ ସୁରିଆର ଇଚ୍ଛା ତା ନିଜର ଏକ ନାଆ ହେବ । ସେ ଆଉ ପର ନାଆରେ ଦରିଆ ଯିବାକୁ ଚାହେଁନି । ସେଇଥିପାଇଁ ନିଜ ନାୟିକା କାଇଁଚ ଆଗରେ ଅଳି କରେ ତା ବାପାକୁ ପଚାଶ ହଜାର ଟଙ୍କା ଧାର୍ ଆଣି ଦେବାକୁ । ତା’ ନିଜ ନାଆଟିଏ ହେଲେ ସେ ନିଜେ ନାଆ ବାହି ସମୁଦ୍ରକୁ ଯାଇ ମାଛ ଧରିଆଣିବ । ଦୁଇ ପ୍ରାଣୀ ଖୁସିରେ ରହିବେ ।

ସୁରିଆ କାଇଁଚକୁ ବୁଝାଇ କହେ –

“ସୁରିଆ – *** ଇଲିସି ଲଦିକି ଯେତେବେଳେ ନାଆ ଫେରିବ, ମୋହନପୁର ଆଢିଆ ପାଖରେ ତୁହିଁ ସବୁ ଇଲିସିର ମାଲିକାଣି ହେବୁ ।” (ଇଲିସି ନାଆ, ପୃ – ୪୫)

କାଇଁଚ ପଇସା ଯୋଗାଡ କରିବାରେ ଲାଗିପଡେ । ବାପା (ଆଦିକନ୍ଦ ଦାସ)କୁ ଯାଇ ଏହି କଥା ଜଣାଏ । ଆଦିକନ୍ଦ ଦାସ ପଇସା ଯୋଗାଡ କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଦୁହିଁଙ୍କର ଯେ କେବେ ମିଳନ ହେବ ଏବଂ ସେମାନେ ବିବାହ ବନ୍ଧନରେ ବାନ୍ଧିହେବେ, ଏ କଥା ତାଙ୍କ ମନକୁ ପାଏନା । ଲକ୍ଷ୍ୟ ଥାଏ ନିଜ ଝିଅକୁ ଅର୍ଥ ନିମନ୍ତେ ଖଳଚରିତ୍ର ବଦ୍‌ମାସ ସିକ୍‌ଦାର ହାତକୁ ଟେକିଦେବାକୁ । ଏହି ଅର୍ଥ ଯୋଗାଡ କରିବା କଥା ସିକ୍‌ଦାର୍ କାନରେ ପଡେ । କିଛି ଅର୍ଥ ଦେଇଦେଲେ ସୁରିଆ ନାଆ ତିଆରି ଦରିଆ ଯିବ । ଆଉ ସେଠାରେ ସେ ସୁରିଆକୁ କାବୁ କରିନେବ । ଆଉ ତା’ ପରେ କାଇଁଚ ସବୁଦିନ ପାଇଁ ତାର ହୋଇଯିବ ଇତ୍ୟାଦି ଭାବି ସେ କିଛି ଟଙ୍କା ଆଦିକନ୍ଦ ଦାସକୁ ଦେଇଦିଏ କାଇଁଚକୁ ଦେବାପାଇଁ । ଏହି ଦ୍ୱନ୍ଦ୍ୱର ପରିସମାପ୍ତି ଘଟେ ନାଟକର ଶେଷରେ, କିନ୍ତୁ ମଝିରେ ତାହା ଦ୍ୱନ୍ଦ୍ୱାୟିତ ଅବସ୍ଥାରେ ଥାଏ । ଯେଉଁଥିପାଇଁ ଦର୍ଶକ ଆମୂଳଚୂଳ ନାଟକଟିକୁ ଉପଭୋଗ କରିବା ସହ ନୈତିକ ଶିକ୍ଷା ମଧ୍ୟ ଆହରଣ କରିଥାଏ । ତାହା ହିଁ ତ ନାଟକର ସଫଳତା । ସେ ଯାହା ବି ହେଉ, କାଇଁଚ ସେଇ ପଇସାତକ ସହ ରଂଗିଆ ମାଉସୀକୁ ମଧ୍ୟ କିଛି ଟଙ୍କା ଧାର ମାଗିଆଣି ସବୁତକ ଟଙ୍କା ସୁରିଆକୁ ଦିଏ । ସୁରିଆ ମନଖୁସିରେ ନାଆ ତିଆରି କରେ । ନାଆ ତିଆରି ସରିବା ପରେ ସୁରିଆ, ଛକା, ଡୁମା, ମକରା ଚାରି ସାଙ୍ଗ ବାହାରିପଡନ୍ତି ଦରିଆ ସେପାରି ମାଛ ଧରିବା ପାଇଁ । କାଇଁଚ ପ୍ରତୀକ୍ଷା କରି ରହେ ନାୟକର ଆସିବା ବାଟକୁ । କାଇଁଚର ଏହି ପ୍ରଲମ୍ୱିତ ପ୍ରତିକ୍ଷା ହିଁ ନାଟକର ଅନ୍ତଃସ୍ୱର ।

ସମୁଦ୍ରରୁ ଚାରିସାଙ୍ଗ ଅଜସ୍ର ଇଲିସି ଧରି ଫେରିବା ସମୟରେ ମୋଟର ଟ୍ରଲରରେ ସିକଦାର ଆସି ପହେଞ୍ଚେ। ସବୁତକ ମାଛ ଟ୍ରଲରରେ ଲୋଡିଂ କରିଦେବାକୁ ଧମକ ଦିଏ । ସୁରିଆ ଏହାର ପ୍ରତିବାଦ କରି କହେ –

“ସୁରିଆ – ଏ ସିକ୍‌ଦାର୍‌! ଏ ମେହନତି ମଣିଷର ମାଛ । ଖଟିଖିଆର ରୋଜଗାର । ୟା ଉପରେ ନଜର ପକେଇଲେ ତୋ ଆଖି ଅନ୍ଧ ହୋଇଯିବ ।” (ପୃ – ୫୧)

ନାଟକରେ ଏହି ସମୟରେ ଏକ ମୋଡ (Twist) ଆସେ । ସିକ୍‌ଦାରର ଆଦେଶ ଅନୁସାରେ ଛକା ସୁରିଆର ବେକକୁ ଦଉଡିରେ ଚିପିଧରି ନାଆକୁ ଠେଲି ଦେଇଥିଲା । କିନ୍ତୁ ନାଟକର ଶେଷରେ ଜଣାପଡେ ଯେ ସୁରିଆର ପ୍ରକୃତ ଶତ୍ରୁ ହେଉଛି କାଇଁଚର ବାପା ଆଦିକନ୍ଦ ଦାସ । ପରେ ସୁରିଆ ମରଣ ମୁଖରୁ ବର୍ତ୍ତିଆସି କାଇଁଚ ସହ ଯାହା ସଂଳାପ ହୋଇଛି, ସେଥିରୁ ତାହା ସ୍ପଷ୍ଟ ।

“କାଇଁଚ – ତେବେ ତୋର ଶତ୍ରୁ କିଏ ସୁରିଆ’ଇ?

ସୁରିଆ – ତୋ ବା…

କାଇଁଚ – (ଆଖି ବିସ୍ଫାରିତ … ପାଟି ଖୋଲା …)

(ପୋଳୁହଧାରୀ ଆଦିକନ୍ଦ ଦାସଙ୍କୁ ଠେଲି ଠେଲି ମଞ୍ଚକୁ ନେଇ ଆସିବ । ତାଙ୍କ ଉପରେ ପୋଳୁହ ଢାଙ୍କିଦେବ…)

ସୁରିଆ – ଏହିଁ ସିକ୍‌ଦାର୍ ଟ୍ରଲର୍‌ର ଡ୍ରାଇଭର । ଇର୍‌ଫାନ୍ ନାଁରେ ଆଦିକନ୍ଦ ଦାସ ।

*** ସେ ଅଛି ସିକ୍‌ଦାର୍ ଗ୍ରୃପରେ । ସେ ଚାହେଁନି, ମୁଁ ତୋତେ ବାହା ହୁଏ ।” (ପୃ – ୯୨)

ଆଦିକନ୍ଦ ଦାସ ନିଜ ଦୋଷକୁ ଘୋଡାଇବା ପାଇଁ ସୁରିଆର ବନ୍ଧୁ ମକରା ମୁଣ୍ଡରେ ମଧ୍ୟ ଏହି ଦୋଷକୁ ଲଦିଦେବାକୁ ପଛାଇନଥିଲା । ଯାହା ନାଟକର ଶେଷ ଭାଗରେ ସ୍ପଷ୍ଟ ।

“କାଇଁଚ – ମକରା ତା’ ହେଲେ କ’ଣ ପାଇଁ ଦୋଷ ନିଜ ମୁଣ୍ଡ ଉପରକୁ ନେଉଥିଲା, କହ?

ସୁରିଆ – ସିକ୍‌ଦାର ଡରରେ, ତା ବନ୍ଧୁକ ଡରରେ । ତୋ ବା’ ଡରରେ … ।” (ପୃ – ୯୩)

ଏଥିସହ ଉତ୍‌ଥାପିତ ହୋଇଥିବା ସମସ୍ତ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାକୁ ନାଟକର ଶେଷଭାଗରେ ପରିସମାପ୍ତ କରାଯାଇଛି । ଦୁହେଁ ପୁଣି ମିଳିତ ହୋଇଛନ୍ତି । ଅର୍ଥସର୍ବସ୍ୱ ସମାଜରେ ପ୍ରେମର ବିଜୟ ଘଟାଯାଇ ନାଟକର ଯବନିକାପାତ କରାଯାଇଛି । ଏଥିରେ ଗୋଟିଏ ପ୍ରଶ୍ନ ସାଂପ୍ରତିକ ସମାଜ ପାଇଁ ଯେ, ଯେଉଁ କେତୋଟି ଅର୍ଥ ପାଇଁ ଜଣେ ବାପା ତା ଝିଅକୁ ଏକ ଖଳଚରିତ୍ର ସଙ୍ଗେ ଟେକିଦେବାକୁ ଯାଉଥିଲା, ସେ ପୁନର୍ବାର କଣ କେବେ ତା ଝିଅ ମୁହଁକୁ ଦେଖିବାକୁ ସାହସ କରିପାରିବ? ମୋଟାମୋଟି ଭାବେ ଏତିକି ହିଁ ନାଟକର କଥାବସ୍ତୁ ।

ନାଟକଟି ଲୋକନାଟ୍ୟ ଶୈଳୀରେ ଚରିତ । କୈବ ର୍ମାନଙ୍କ ପ୍ରମୁଖ ନାଟ୍ୟ ଚଇତି ଘୋଡା ନାଟକକୁ ଏହି ନାଟକରେ ପ୍ରମୁଖ ଆଧାର ଭାବେ ଗ୍ରହଣ କରାଯାଇ ସାମସମୟିକ ସମସ୍ୟାର ବିଶ୍ଲେଷଣ କରିଛନ୍ତି ନାଟ୍ୟକାର ଶ୍ରୀ ରାଉତ । ଏହି ନାଟକରେ ଚରିତ୍ରର ପରିବର୍ତ୍ତନ (Change of character) ଘଟୁଛି; ଯେଉଁଠି ନାଟକର ଆଦ୍ୟଭାଗରେ ସଂଗୀତ ଗାନ କରି ମଞ୍ଚକୁ ପ୍ରବେଶ କରୁଥିବା ଜୁଆଳ ଓ ଫିଟିକିରି ଚରିତ୍ର କ୍ରମେ ଛକା ଓ ଡୁମା ଚରିତ୍ରରେ ପରିଣତ ହୋଇଯାଉଛନ୍ତି । ନାଟକର ମଧ୍ୟ ଭାଗରେ ଥିବା ସଂଗୀତ ପାତ୍ରମୁଖୀ ହୋଇପାରିଛି । ନାଟକରେ ନାଗରୀ, ନାଗର, ଗ୍ରାମବାସୀ, ଫିଟିକିରି ଚରିତ୍ରମାନଙ୍କ ମଧ୍ୟରେ ଚାଷ ସମ୍ୱନ୍ଧୀୟ ଯେଉଁ ଆଲେଚନା ହୋଇଛି, ତାହା ଦର୍ଶକମାନଙ୍କୁ ଏକ ନୂତନ ଖୋରାକ ଯୋଗାଏ । କଥାବସ୍ତୁ, ଚରିତ୍ର ଚିତ୍ରଣ, ସଂଳାପ, ବିଷୟ ସଂଯୋଜନା, ମ ।ଭିନୟ ତଥା ଲୋକନାଟ୍ୟ ଆଧାରରେ ଏକ ସାମ୍ପ୍ରତିକ ସମସ୍ୟାକୁ ବିଶ୍ଲେଷଣ କରିବା ସହ ସମାଧାନର ଏକ ପନ୍ଥା ନିର୍ଦ୍ଦେଶ କରିବାରେ ନାଟକ କେତେକାଂଶରେ ସଫଳତା ଲାଭ କରିପାରିଛି । ଏହି ନାଟକକୁ କେଉଁଭଳି ପରିବେଷଣ କରାଯାଇପାରିଲେ ତାହା ଦର୍ଶକମାନଙ୍କ ହୃଦୟକୁ ଛୁଇଁବ, ତାହାର ଏକ ମ ତଥ୍ୟ ନାଟ୍ୟକାର ପ୍ରଦାନ କରିଛନ୍ତି (ଦ୍ର: ପୃ – ୧୦୮) । ଏତଦ୍ ବ୍ୟତିତ ଦର୍ଶକମାନଙ୍କ ନିମନ୍ତେ ନାଟ୍ୟକାରଙ୍କ ମତ – “* * * ନାଟକରେ ଦର୍ଶକର ଅଭିନିବେଶ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚକ୍ରନେମି କ୍ରମେ ଉତ୍‌ଥାନ ପତନ କରିବା ଆବଶ୍ୟକ । ସେ ପ୍ରାଶସ୍ତ୍ୟ ପାଇଁ ଲେଖକ ସଂପୂର୍ଣ୍ଣ ଦାୟି । ଦର୍ଶକ ବାଟବଣା ନ ହେଉ କିନ୍ତୁ ଭାବାବେଗର ଗଭୀର ବିଚାରରେ (Foxhole Tragedy) ଚିତ୍ରିତ ହେଲେ ମ୍ରିୟମାଣ ହୋଇଯାଇପାରେ । ଏଣୁ ଭାରାକ୍ରାନ୍ତ ନ ହୋଇ ନାଟକ ଦେଖିବା ପାଇଁ ଦର୍ଶକ ପ୍ରାକ୍‌-ପ୍ରସ୍ତୁତି କରିବା ଦରକାର।” ପ୍ରଥମତଃ ନାଟ୍ୟକାର ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ଏହି ଯେଉଁ ଉପୋଦଘାତ ଦେଲେ ଯାହା ଜଣାପଡୁଛି ନାଟ୍ୟକାର ଶ୍ରୀ ରାଉତ ପାଶ୍ଚାତ୍ୟ ନାଟ୍ୟକାର ବରଟୋଲଟ୍ ବ୍ରେଖଟ୍‌ଙ୍କ ‘ଏପିକ ଥିଏଟର’ ରେ କିଛି ପରିମାଣରେ ପ୍ରଭାବିତ ହୋଇଛନ୍ତି । ହେଲେ ଏହି ନାଟକରେ ପ୍ରକୃତରେ ‘ଏପିକ୍ ଥିଏଟର’ର ଯାହା ବୈଶିଷ୍ଟ୍ୟ ବା ଅଭିମୁଖ୍ୟ ରହିଛି, ତାହାର ସଂପୂର୍ଣ୍ଣ ପ୍ରୟୋଗ ହୋଇଥିବାର କାହିଁ ଜଣାପଡୁନାହିଁ । ଦ୍ୱିତୀୟତଃ, ନାଟକରେ ଯେଉଁ ଖଳଚରିତ୍ର ସିକ୍‌ଦାର୍ ମୁଖରେ ନାଟ୍ୟକାର ବଙ୍ଗଳା ଭାଷା ଦେଇଛନ୍ତି, ତାହା ମଧ୍ୟ ଯଥୋଚିତ ହୋଇପାରିନାହିଁ । ସେ ବଙ୍ଗଳା କମ୍ କିନ୍ତୁ ଓଡ଼ିଆ ବେଶି କହୁଥିବାର ଦେଖିବାକୁ ମିଳେ । ହୁଏତ ଦର୍ଶକମାନଙ୍କ ସୁବିଧା ନିମନ୍ତେ ନାଟ୍ୟକାର ଏପରି କରିଥାଇପାରନ୍ତି, ହେଲେ ବଙ୍ଗଳା ପରିବର୍ତ୍ତେ ସଂପୂର୍ଣ୍ଣ ଓଡ଼ିଆ ଭାଷାର ପ୍ରୟୋଗ କରିଥିଲେ ସେପରି କିଛି ଅସୁବିଧା ହୋଇନଥାନ୍ତା । ଏହିପରି କେତୋଟି ଦୋଷ ତ୍ରୁଟିକୁ ବାଦ୍ ଦେଲେ ଲୋକନାଟ୍ୟ ଆଙ୍ଗିକରେ ନାଟକଟି ବେଶ୍ ହୃଦ୍ୟ ହୋଇପାରଛି । ଉକ୍ତ ନାଟକଟିର ମଞ୍ଚାଭିନୟ ହୋଇଥିଲା ତା ୦୩/୦୧/୨୦୨୩ରିଖ କଳିଙ୍ଗ କଳା ପରିଷଦ, ରାଉରକେଲା ଦ୍ୱାରା ଉମାକାନ୍ତ ବିଶୋଇଙ୍କ ନିର୍ଦ୍ଦେଶନାରେ ।

ଏଥିସହ ଏହି ନାଟକର ରଚୟିତା ଶ୍ରୀ ତରୁଣକାନ୍ତି ରାଉତଙ୍କ ସମ୍ୱନ୍ଧରେ ଏଠାରେ ଦି’ପଦ କୁହାଯାଇପାରେ । ଏକବିଂଶ ଶତାବ୍ଦୀର କିଞ୍ଚିତ ପୂର୍ବରୁ ଏବଂ ପରେ ପରେ ବିଭିନ୍ନ ନାଟ୍ୟ ରଚନା ଏବଂ ନାଟକର ମଞ୍ଚାଭିନୟ କରି ସେ ସଫଳତା ଅର୍ଜନ କରିଛନ୍ତି । ୧୯୯୬ ଦି୍ୱତୀୟ ବିଶ୍ୱଯୁଦ୍ଧକୁ ଆଧାର କରି ତାଙ୍କ ଦ୍ୱାରା ରଚିତ ‘ବ୍ୟାଧ’ ଭାରତରୁ PRIX ITALIA ପାଇଁ ମନୋନିତ ହୋଇଥିଲା । ୧୯୯୭ରେ ତାଙ୍କ ଦ୍ୱାରା ରଚିତ ଓ ପ୍ରଯୋଜିତ ନାଟକ ‘ଢାଲୁ’ ଆକାଶବାଣୀ ବାର୍ଷିକ ପୁରସ୍କାରରେ ଜାତୀୟ ସ୍ତରରେ ପ୍ରଥମ ବିବେଚିତ ହୋଇଥିଲା । ୨୦୦୮ ମସିହାରେ ତାଙ୍କ ନାଟକ ‘ଶୋଣିତର ଶବ୍ଦକୋଷ’ ଜାତୀୟ ସ୍ତରରେ Certificate of merit ପ୍ରାପ୍ତ ହୋଇଥିଲା । ସେହିପରି ୨୦୧୪ରେ ତାଙ୍କ ଦ୍ୱାରା ରଚିତ ନାଟକ ‘ସ୍ତର’ ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ । ୨୦୧୯ରେ ଶ୍ରୀ ରାଉତଙ୍କ ନାଟକ ‘ତଥାପି ନିକାଞ୍ଚନ’ Asia Pacific Broadcasting union ଦ୍ୱାରା ବିବେଚିତ ଶ୍ରେଷ୍ଠ ୪ଟି ନାଟକ ମଧ୍ୟରେ ସ୍ଥାନିତ ହୋଇଛି । ତାଙ୍କ ପରବର୍ତ୍ତୀ ନାଟକ ‘ଇଲିସିନାଆ’ ଯାହା ୨୦୨୩ ମସିହାରେ ପ୍ରକାଶିତ । ରାଉରକେଲା କଲଚରାଲ ଏକାଡେମୀ ସେମାନଙ୍କର ଲୋକନାଟକ ମହୋତ୍ସବ ନିମନ୍ତେ ଏହି ନାଟକଟିକୁ ଚୟନ କରିଥିଲେ ଏବଂ କଳିଙ୍ଗ କଳା ପରିଷଦ, ରାଉରକେଲା ଏହାକୁ ମଞ୍ଚସ୍ଥ କରିଥିଲା ।

ଆଶା ଶ୍ରୀ ରାଉତ ଆଗକୁ ଏହିପରି ନାଟ୍ୟଚରନା କରି ଓଡ଼ିଆ ନାଟ୍ୟସାହିତ୍ୟରେ ଧାରାକୁ ସୁଦୃଢ କରିବା ସହ ପରମ୍ପରା ଓ ଆଧୁନିକତାର ଖିଅ ସ୍ୱରୂପ ଲୋକଉପାଦାନର ପ୍ରୟୋଗର ଧାରାକୁ ଅବ୍ୟାହତ ରଖିବେ ।

ସହାୟକ ସୂଚୀ:-

୧.         ଦାସ, ମନୋରଞ୍ଜନ: କାଠଘୋଡା, ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ-୨, ଷଷ୍ଠ ସଂସ୍କରଣ, ୨୦୧୮ ।

୨.         ମିଶ୍ର, ସଂଘମିତ୍ରା: ଓଡ଼ିଆ ନାଟକ – ସ୍ଥିତି ଓ ବିସ୍ତୃତି, ଗ୍ରନ୍ଥ ମନ୍ଦିର, ବିନୋଦ ବିହାରୀ, କଟକ-୨, ପ୍ରଥମ ସଂସ୍କରଣ, ୨୦୧୪ ।

୩.         ମହାପାତ୍ର, ବବ୍ରୁବାହନ: ସାଂପ୍ରତିକ ଓଡ଼ିଆ ନାଟ୍ୟ ସାହିତ୍ୟ: ବିଚାର ଓ ବିଶ୍ଲେଷଣ, ସତ୍ୟନାରାୟଣ ବୁକ୍ ଷ୍ଟୋର୍‌, ବିନୋଦ ବିହାରୀ, କଟକ-୨, ପ୍ରଥମ ସଂସ୍କରଣ, ୨୦୨୦ ।

୪.         ମହାରଣା, ଶରତ ଚନ୍ଦ୍ର: ଓଡ଼ିଆ ଲୋକନାଟକ ଉନ୍ମେଷ ଓ ଉ ରଣ, ବିଦ୍ୟାପୁରୀ, ବାଲୁବଜାର, କଟକ-୨, ପ୍ରଥମ ପ୍ରକାଶ, ଅପେଲ ୨୦୨୨ ।

୫.         ରାଉତ, ତରୁଣକାନ୍ତି: ଇଲିସିନାଆ, ଜଗନ୍ନାଥ ରଥ,ବିନୋଦ ବିହାରୀ, କଟକ-୨, ପ୍ରଥମ ସଂସ୍କରଣ, ୨୦୨୩ ।

 

 

Share This Article
ଗବେଷକ, ବିଶ୍ୱଭାରତୀ (ଶାନ୍ତିନିକେତନ)