[box type=”shadow” align=”” class=”” width=””] କବି ରାଧାମୋହନ ଗଡ଼ନାୟକ (୧୯୧୧-୨୦୦୦)ଙ୍କ ଜନ୍ମ ଅନୁଗୁଳ ଜିଲ୍ଲାର କଲଣ୍ଡାପାଳ ଗ୍ରାମରେ । ଉତ୍କଳୀୟ ସଂସ୍କୃତି, ଐତିହ୍ୟ ଓ ସର୍ବୋପରି ମଣିଷ ପ୍ରତି ରହିଥିବା ନିଃସର୍ତ୍ତ ଭଲ ପାଇବା ପଣ ସମସାମୟିକ କବିମାନଙ୍କ ଠାରୁ ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଇ ଦେଇଥାଏ । ତାଙ୍କ ପ୍ରାରମ୍ଭିକ କାବ୍ୟ ଚେତନାରେ ରୋମାଣ୍ଟିକ ଭାବୁକତା ପରିଲକ୍ଷିତ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ମାନବିକତାବୋଧ ଓ ଐତିହ୍ୟ ସମ୍ପ୍ରୀତି ହୋଇଛି ତାଙ୍କ କବିତର ମୁଖ୍ୟ ଉପାଦାନ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରେ ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ଅନ୍ୟତମ ସଫଳ ଗାଥା କବି । ‘କାବ୍ୟ ନାୟିକା’, ‘ଉକ୍ରଳିକା’, ‘କୈଶୋରିକା’, ‘ଶାମୁକାର ସ୍ୱପ୍ନ’, ‘ପଶୁପକ୍ଷୀର କାବ୍ୟ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’ ଆଦି ତାଙ୍କର କେତୋଟି ଅନବଦ୍ୟ କୃତି । ‘ସୂର୍ଯ୍ୟ ଓ ଅନ୍ଧକାର’ କବିତା ସଂକଳନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଜଣେ ସଫଳ ଅନୁବାଦକ ରୂପେ ତାଙ୍କର ସୁଖ୍ୟାତି ରହିଛି । ‘ମାଟିର ମଣିଷ’ କବିତାଟି ତାଙ୍କ ‘କାବ୍ୟ ନାୟିକା’ କବିତା ସଂକଳନରୁ ଆନୀତ । ଶିଳ୍ପ ସଭ୍ୟତାଭିମୁଖୀ ମଣିଷକୁ ପୁଣି ମାଟିମନସ୍କ କରାଇବା ନିମିତ୍ତ କବିତାଟିରେ ରହିଛି ଆଶାନ୍ୱିତ ଆହ୍ୱାନ । -ସମ୍ପାଦକ [/box]
ଯନ୍ତ୍ର ତତେ କି ମନ୍ତ୍ର ଦେଉଛି ମାଟିର ମଣିଷ ଆରେ,
ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ?
ମଥା ତୋଳି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି
ଛିଡ଼ା ହୋଇଅଛି ଚାରିପାଶେ ତା’ର ଲୁହାର ଫଉଜ ଧରି ।
ଗର୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବ ରବେ
ନିଃଶ୍ୱାସ-ଧୂମ-ଉଲ୍ଲାସ ତା’ର ଛାଡ଼ଇ ମୌନ ନଭେ ।
ଦେଖି ପାରୁନୁ କି ତୁରେ,
ଚିହ୍ନିପାରୁନୁ ବହ୍ନିଶିଖା ଯେ ଜଳୁଛି ତାହାର ମୂଳେ?
ମଳିନା ଏ ମାଟି ତୋହରି ମା’ଟି ଜୀବନଧାତ୍ରୀ ତୋର
ଉତ୍ତାନେ ପଡ଼ିରହିଛି ଦିବସ ରଜନୀ ସଂଜ ଭୋର ।
ବିପୁଳ ଏହାରି ସ୍ତନ୍ୟଦାନେରେ ବିପୁଳ ଏହାରି ସ୍ନେହେ
ପୁଷ୍ଟ ହୋଇଛି ଅଙ୍ଗ ତୋହର ବର୍ଣ୍ଣ ଫୁଟିଚି ଦେହେ ।
ଏ ତୋହ ମାଆର ବକ୍ଷ-ଉଛୁଳା ଗଭୀର ସେନେହ ଭୁଲି
କେଉଁ ପରି ଆଜି ଭରସା କରିଛୁ ଯନ୍ତ୍ରଚିତାର ଚୁଲି?
ଅନା ଅନା ଫେରି ଥରେ,
ଅନା ଅନା ତୋର ଦୃଷ୍ଟି ଫେରାଇ ମଳିନ ଏ ମାଟି ପରେ ।
କାନ୍ଦୁଚି ତୋର ମାଟିର ଲକ୍ଷ୍ମୀ, କାନ୍ଦୁଚି ତୋର ଘର
ରୁକ୍ଷ ଉରସେ ପଡ଼ି ରହିଅଛି ଖେତର ଜାତକ ତୋର ।
ସରଳ ତୋହର କାଲିର ଜୀବନ ଭାବୁଅଛୁ କିରେ ସତେ
ଦୟାକରି ଟିକେ ଆଣୁଅଛୁ କିରେ ତୋହର ସ୍ମୃରୁତି ପଥେ ।
ଜଳ-ବର୍ଷିତ ହଳ-କର୍ଷିତ ଜମିର ସୁରଭିବାସ
ଘଡ଼ିକ ପାଇଁକି ଅନ୍ତରେ ତୋର ଭରୁନାହିଁ ଉଲ୍ଲାସ?
ସ୍ୱର୍ଣ୍ଣ-ଧାନର ବିଭା,
ଦଣ୍ଡକ ଲାଗି ଚକ୍ଷେ ତୋହର ଦିଶି ଯାଉନାହିଁ କିବା?
ଦିଗନ୍ତ-ଭରା ପକ୍ୱଧାନର ମନମତାଣିଆ ଗନ୍ଧ
ହୃଦୟେ ତୋହର, ପରାଣେ ତୋହର ଜଗାଉ ନାହିଁକି ସ୍ପନ୍ଦ?
ଆଖୁ କିଆରୀର ଛାଇତଳେ ବସି କୈଶୋର ଖେଳ-ହସ,
ପଉଷ ମାସର ଅମିୟ ସମାନ ମଧୁର ଦୋରୁଅ ରସ ।
ଗାଆଁ ବାଡ଼ିତଳେ, କପା ତଇଲାରେ କପା ଫୁଟିବାର ଶୋଭା
ତାରା ଫୁଟିବାର ମଉଛବ ପରି ହେଉନାହିଁ ମନଲୋଭା?
ସୋରିଷ ଖେତର ବର୍ଣ୍ଣ,
ଦଣ୍ଡକ ପାଇଁ ଅନ୍ତର ତୋର କରୁନାହିଁ ମୋହାଚ୍ଛନ୍ନ?
ମନେପଡ଼ୁନାହିଁ ତମରି ଗାଆଁର ଛଇଳ ଚପଳ ନଈ
ପଲ୍ଲୀ ବଧୂର ସ୍ନିଗ୍ଧ ମଧୁର ପାଣି ବୋହିବାର ଛଇ ।
ମନେ ପଡ଼ୁନାହିଁ ତାଳବନ ତଳେ ଗୋଷ୍ଠ ବିହାରୀ ଧେନୁ
ମନେ ପଡ଼ୁନାହିଁ ଗୋପାଳ ପୁଅର ଧୀର ମୂର୍ଚ୍ଛିତ ବେଣୁ ।
ଲଙ୍ଗଳ ଆଜି ଡାକୁଅଛି ତତେ ତୋର ସନ୍ତକ ସମ
ମଙ୍ଗଳ ଜାଣି ଡାକୁଅଛି ଆରେ ମାଟିର ପତଙ୍ଗମ ।
ଉର୍ବର ତୋର ପ୍ରାଣ,
ଯନ୍ତ୍ରପୁରୀର ଇସ୍ପାତ ପରି ହୋଇ ଯାଇଅଛି ଟାଣ ।
ଯନ୍ତ୍ରତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍ଥଳ ।
ଆଗାମୀ ଯୁଗର ଦ୍ରଷ୍ଟା ମୁଁ ଆଜି ଡାକୁଅଛି ଏଇ କୂଳେ
ପତଙ୍ଗ ପରି ଝାସ ଦେ ନାହିଁ ଦେ ନାହିଁ ତା’ର ମୂଳେ ।
ମାଟିର ଅଙ୍କେ ଜନ୍ମ ପାଇଚୁ ଝରରେ ତାହାରି ପରେ
ମାଟିର ବକ୍ଷେ ଜନ୍ମ ଲଭିବୁ ନବ ଜନ୍ମାନ୍ତରେ ।
ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର – ଧୂଆଁର ସାଥେ ।
Photo credit- https://www.google.co.in/search?biw=1366&bih=608&tbm=isch&sa=1&ei=eODGW5e6JsvWkwXm36u4Ag&q=man+of+soil++as+machine+comparision+sculpture&oq=man+of+soil++as+machine+comparision+sculpture&gs_l=img.3…61438.64100.0.64603.9.9.0.0.0.0.471.1324.3-1j2.3.0….0…1c.1.64.img..6.0.0….0.lim49cw7BBA#imgdii=j4dcTirNSa2xqM:&imgrc=jct-uelJB_scwM: