ଭାରତୀୟ ସଂସ୍କୃତିରେ ଛଳନା

ଟିକେ ଊଦ୍ଧ୍ୱର୍କୁଯାଇ ଚିନ୍ତାକଲେ ଦେଖାଯାଉଛି ଯେ ଆମର ଜୀବଜନ୍ତୁଙ୍କ ପ୍ରତି କରୁଣା ରହିବା ମଧ୍ୟ ଦରକାର । ପୃଥିବୀର ବିଭିନ୍ନ ପ୍ରଜାତି ଭିତରେ ମଣିଷ ଗୋଟିଏ ପ୍ରଜାତି । ମଣିଷର କ’ଣ ଅଧିକାର ଅଛି ଅନ୍ୟ ପ୍ରଜାତି ଉପରେ ଅତ୍ୟାଚାର କରିବା ପାଇଁ? ଅନ୍ୟ ପ୍ରଜାତିମାନେ ଆମର ଶତ୍ରୁ ନୁହଁନ୍ତି । ଯେଉଁମାନେ ଆମକୁ ମାରିବା ପାଇଁ ଆସୁଛନ୍ତି ସେମାନଙ୍କୁ ଆମେ ଯଦି ହତ୍ୟାକରିବା କିଛି ଯାଏଆସେ ନାହିଁ । ଯେଉଁମାନେ ମାରିବାକୁ ଆସୁନାହାଁନ୍ତି ନିରିହ ଧରଣର ପ୍ରାଣୀ ସେମାନଙ୍କୁ ହତ୍ୟାକରି ସେମାନଙ୍କ ମାଂସ ଖାଇ ଆମେ ଖୁସିହେବାଟା ମୋର ମନେହେଉଛି ଗୋଟିଏ ଭୁଲ କଥା । ଭାରତୀୟ ସଂସ୍କୃତି ସେଥିପ୍ରତି ସବୁବେଳେ ସଜାଗ ରହିଥିଲା । କିନ୍ତୁ ସେସବୁ କେବଳ ତାତ୍ତ୍ୱିକ ସ୍ତରରେ ରହିଗଲା । ବ୍ୟବହାରିକ ସ୍ତରକୁ ସେସବୁ ଆସିପାରିଲେ ନାହିଁ ।

ସେଥିପାଇଁ ଭାରତୀୟ ସଂସ୍କୃତିରେ ଛଳନାର ମାତ୍ରା ବହୁତବେଶୀ । ଯେମିତି ଜଣେ ସାଧୁ ସେ ଅହିଂସାଧର୍ମ ପାଳନ କରୁଛନ୍ତି ବୋଲି ବିଚାର କରି ପିମ୍ପୁଡ଼ିକୁ ଖାଇବାକୁ ଦେବେ କିନ୍ତୁ ତାଙ୍କର ଗୋଟିଏ ବଡ଼ ଶିଷ୍ୟ ଜଣେ ବହୁତବଡ଼ ବ୍ୟବସାୟୀ, ବହୁତ ପଇସା ଦେଉଥିବ ସିଏ କିନ୍ତୁ ଜିନିଷପତ୍ର ବିକ୍ରି କଲାବେଳେ ମିଶାମିଶି କରୁଥିବ ଯାହାକୁ ସିଏ କେବେ ଦର୍ଶାଉ ନଥିବେ । ଗୁରୁ ସବୁବେଳେ କହୁଥିବେ ଯେ ସେ ଜଣେ ଭଲ ଶିଷ୍ୟ, ଦେଖୁନ ପିମ୍ପୁଡ଼ି ପେଟ କଥା ବି ବୁଝୁଛି । ବ୍ୟବସାୟୀ ସମ୍ପ୍ରଦାୟ ଭିତରେ ଏମିତି ଛଳନାପୂର୍ଣ୍ଣ ବ୍ୟବହାର ବହୁତ ଦେଖିବାକୁ ମିଳେ । ଗୋଟିଏ ପଟେ ପିମ୍ପୁଡ଼ିକୁ ଖାଇବାକୁ ଦେବାଭଳି ଅନେକଗୁଡ଼ିଏ କାମ କରିଥାନ୍ତି ସେପଟେ ଲୋକଙ୍କୁ ଠକିବାର ସବୁ ବନ୍ଦୋବସ୍ତ କରିଥାଆନ୍ତି । ତେଣୁ ଭାରତୀୟ ସଂସ୍କୃତିରେ ଛଳନାର ମାତ୍ରା ବହୁତ ବେଶୀ ।

କେବଳ ଭାରତୀୟ ସଂସ୍କୃତି ନୁହେଁ ବିଶ୍ୱ ସଂସ୍କୃତିରେ ବି ଅନ୍ଧାର ଦିଗଟା ଅଛି । ସେହି ଅନ୍ଧାର ଦିଗଟା ହେଉଛି ସ୍ତ୍ରୀଲୋକମାନଙ୍କୁ ଛୋଟ ନଜରରେ ଦେଖିବା । ଭାରତରେ ଏହାର ଏକ ତାତ୍ତ୍ୱିକ ଦିଗ ବାହାର କରାଯାଇଛି ଯେ ସ୍ତ୍ରୀମାନେ ସତୀ ରହିବେ, ପତିବ୍ରତା ରହିବେ । ସେମାନଙ୍କର ସତୀତ୍ୱର ମହିମାକୁ ବର୍ଣ୍ଣନାକରି କୁହାଯାଇଛି ଯେ ଦେବତାମାନେ ଆସି ତା’ପାଖରେ ନତମସ୍ତକ ହେବେ । କିନ୍ତୁ ପୁରୁଷ ଉପରେ କିଛି କଟକଣା ରଖାଯିବ ନାହିଁ । ସେଇଟା ବି ଗେଟେ ପ୍ରକାରର ଛଳନା । ଭାରତୀୟ ସଂସ୍କୃତିରେ ଜାତିପ୍ରଥା, ଅସ୍ପୃଶ୍ୟତା, ନାରୀକୁ ବଶୀଭୂତ କରି ରଖିବାର ଏକ ତାତ୍ତ୍ୱିକ ଦିଗ ଯେପରିକି ତା’କୁ ସାବିତ୍ରୀ ଭାବରେ ତିଆରି କରିବା ଇତ୍ୟାଦି ଛଳନାର ଉଦାହରଣ ହୋଇପାରେ ।

 

Samadhwani Support us

photo credit – https://bit.ly/3fx2g0c

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ