ନାଟ୍ୟଶାସ୍ତ୍ର: ପ୍ରଥମ ଅଧ୍ୟାୟ – (ନାଟ୍ୟୋତ୍ପତ୍ତି)

ଅଜିତ କୁମାର ମୁନୀ
ଅଜିତ କୁମାର ମୁନୀ351 Views
4 Min Read

ନାଟ୍ୟଶାସ୍ତ୍ର ସମ୍ବନ୍ଧରେ ଧାରାବାହିକ ଗୋଟିଏ ଲେଖା ନାଟ୍ୟ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଦୃଷ୍ଟିରେ ରଖି ଲେଖିବାପାଇଁ ଡକ୍ଟର ଅଜିତ କୁମାର ମୁନୀ ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କର ଉଦ୍ୟମ ସଫଳ ହେଲେ ଅନେକ ଛାତ୍ରଛାତ୍ରୀଙ୍କୁ ଏହି ଲେଖାଟି ନାଟ୍ୟ ଶିକ୍ଷା କ୍ଷେତ୍ରରେ ସହଯୋଗୀ ସାବ୍ୟସ୍ତ ହେବ । – ସମ୍ପାଦକ

ଉପକ୍ରମ

ସମଗ୍ର ବିଶ୍ୱରେ ପ୍ରାଚୀନ କାଳରେ ଯେଉଁ କେତେକ ସଭ୍ୟତା ସଫଳତାର ଶିର୍ଷରେ ପହଞ୍ଚିପାରିଥିଲା ଏବଂ ସମୃଦ୍ଧ ସଭ୍ୟତା ଭାବରେ ନିଜକୁ ପ୍ରତିପାଦିତ କରିପାରିିଥିଲା ସେମାନଙ୍କ ମଧ୍ୟରେ ସିନ୍ଧୁ ସଭ୍ୟତା ପ୍ରମୂଖ ଅଟେ । ଏହି ସଭ୍ୟତା ସାରା ଜଗତରେ କଳା, ସାହିତ୍ୟ, ସସ୍କୃତି ଓ ବିଜ୍ଞାନ କ୍ଷେତ୍ରରେ ଏକ ସୁନାମଧନ୍ୟ ସଭ୍ୟତା ଭାବରେ ପରିଚିତ ଥିଲା । ନାଟକ କ୍ଷେତ୍ରରେ ପ୍ରଥମେ ଶାସ୍ତ୍ରୀୟ ନାଟକର ଧାରା ସୃଷ୍ଟି କରିବା ସହ ଏକ ସମୃ୍‌ଦ୍ଧ ନାଟ୍ୟ ସାହିତ୍ୟ ରଚନାର ପରମ୍ପରା ମଧ୍ୟ ଏହି ସିନ୍ଧୁ ସଭ୍ୟତା ସୃ୍‌ଷ୍ଟି କରିଥିଲା । ଇତିହାସର ବିବରଣୀ ଅନୁସାରେ ପ୍ରାୟ ଖ୍ରୀ.ପୂ. ୨୦୦ ରୁ ଖ୍ରୀ. ୨୦୦ ମଧ୍ୟରେ କଳା ସଂସ୍କୃତିର ଏହି ପବିତ୍ର ମାଟିରେ ନାଟ୍ୟକୋବିଦ ଭରତ ମୁନି ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ସୃଜନଶୀଳତା ଓ କଳ୍ପନାପ୍ରବଣତା ବଳରେ ସେ ନାଟକର ରଚନା ଓ ପ୍ରୟୋଗ ଆଧାରିତ ସର୍ବୋତ୍କୃ୍‌ଷ୍ଟ ପୁସ୍ତକ ରଚନା କରି ନିଜକୁ ପ୍ରାଚ୍ୟ ସାହିତ୍ୟ ଓ ସଂସ୍କୃତିର ଏକ ଆଲୋକବର୍ତ୍ତିକା ଭାବରେ ପ୍ରମାଣିତ କରିପାରିଥିଲେ । ପ୍ରାଚୀନ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନାଟ୍ୟଶାସ୍ତ୍ର ପ୍ରାଚ୍ୟ ନାଟ୍ୟ ଜଗତକୁ ପ୍ରଭାବିତ କରି ଆସିଛି । ଛତିଶି ଗୋଟି ଅଧ୍ୟ୍ୟାୟ ବିଶିଷ୍ଟ ଏହି ନାଟ୍ୟଶାସ୍ତ୍ର ଯେଉଁ ସବୁ ବିଷୟ ମାନଙ୍କୁ ଆଧାର କରି ରଚିତ ସେଗୁ଼ଡ଼ିକ ହେଲା ଯଥା ; ନାଟ୍ୟୋତ୍ପତ୍ତି, ନାଟ୍ୟମଞ୍ଚର ସୃଷ୍ଟି, ପ୍ରକାରଭେଦ ଓ ପୂଜନ ପରମ୍ପରା, ପୂର୍ବରଙ୍ଗ, ରସ, ଭାବ, ଅଭିନୟ, ଧର୍ମି, ବୃତ୍ତି, ପ୍ରବୃ୍‌ତ୍ତି, ସ୍ୱର, ସିଦ୍ଧି, ଅତୋଦ୍ୟ, ଗାନ, ରଙ୍ଗ, ନାୟକ ନାୟୀକା ଭେଦ ଏବଂ ନାଟକର ଧରାବତରଣ । ନାଟ୍ୟୋତ୍ପତ୍ତି ସମ୍ବନ୍ଧରେ ଭରତ ମୁନି ତାଙ୍କ ରଚିତ ନାଟ୍ୟଶାସ୍ତ୍ରର ପ୍ରଥମ ଅଧ୍ୟ୍ୟାୟରେ ଏକ ବିସ୍ତାର ବର୍ଣ୍ଣନା କରିଛନ୍ତି ଯାହା ଏଠାରେ ଆଲୋଚନା କରାଯାଇଛି ।

ନାଟ୍ୟୋତ୍ପତ୍ତି

ପୁର୍ବେ ପୂରାଣ ଯୁଗରେ ଦିନେ ନିଜ ଆଶ୍ରମରେ ନାଟ୍ୟକୋବିଦ ଭରତ ମୁନି ନିଜ ଶିଷ୍ୟ ମାନଙ୍କ ଗହଣରେ ବସିଥିଲେ । ଅନଧ୍ୟ୍ୟାୟ ଦିବସ ହେତୁ ସମସ୍ତ କାର୍ଯ୍ୟଭାରରୁ ନିବୃତ୍ତ ରହି ଶିଷ୍ୟମାନେ ନାନାବିଧ ଆଲୋଚନା ନିମନ୍ତେ ସମୟ ପାଇଥିଲେ । ଏହି ସୁଯୋଗରେ ମହାତ୍ମା ଜିତେନ୍ଦ୍ରିୟ, ଆତ୍ରେୟ ପ୍ରଭୃତି ମୁନିମାନେ ବିନମ୍ରତାର ସହ ଆସି ଆଚାର୍ଯ୍ୟ ଭରତଙ୍କ ସମ୍ମୁଖରେ ଉପବେଶନ କଲେ । ତତ୍ ସହିତ ଆଚାର୍ଯ୍ୟ ଭରତଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ପ୍ରଶ୍ନ କଲେ ଯେ “ହେ, ମହାତ୍ମା, କେଉଁମାନଙ୍କ ନିମନ୍ତେ ଆପଣ ନାଟ୍ୟବେଦ ରଚନା କରିଛନ୍ତି ? ଏହି ନାଟ୍ୟବେଦର କେତେଗୋଟି ଅଙ୍ଗ ? ଏହାର ପ୍ରୟୋଗ ଶୈଳୀ କ’ଣ ଅଟେ ? ଏ ସମସ୍ତ ତଥ୍ୟ ଆମ୍ଭମାନଙ୍କୁ କୁହନ୍ତୁ ।” ତେଣୁ ସେମାନଙ୍କ ପ୍ରଶ୍ନର ପ୍ରତ୍ତ୍ୟୁତ୍ତରରେ ନାଟ୍ୟକୋବିଦ ଭରତ ମୁନି ସେମାନଙ୍କୁ ପବିତ୍ର ମନରେ ମନ ଧ୍ୟାନ ଦେଇ ଶୁଣିବାକୁ ନିର୍ଦେଶ ପ୍ରଦାନ କରିବା ସହ ନାଟ୍ୟଶାସ୍ତ୍ର କଥା ବଖାଣିବା ଆରମ୍ଭ କଲେ ।

ପୂର୍ବଂ କୃତଯୁଗେ ବିପ୍ରା ବୁତ୍ତେ ସ୍ୱାୟମ୍ଭୁବେଽନ୍ତରେ

ତ୍ରେତା ଯୁଗେଽଥ ସଂପ୍ରାପ୍ତେ ମନୋର୍ବେ÷ବସ୍ୱତସ୍ୟ ତୁ ।ା ୮ ।ା

ଗ୍ରାମ୍ୟଧର୍ମ ପ୍ରବୃତ୍ତେ ତୁ କାମଲୋଭବଶଂ ଗତେ

ଈର୍ଷ୍ୟାକ୍ରୋଧାଦି ସଂମ୍ଭୁଢେ ଲୋକେ ସୁଖିତ ଦଃୁଖିତେ ।ା୯।।

ଦେବଦାନବ ଗନ୍ଧର୍ବ ଯକ୍ଷରକ୍ଷୋମହୋରଗୈଃ

ଜମ୍ଭୁଦ୍ୱୀପେ ସମାକ୍ରାନ୍ତେ ଲୋକପାଳେ ପ୍ରତିଷ୍ଠିତେ ।ା୧୦।।

ଉହେନ୍ଦ୍ରପ୍ରମୁଖେର୍ଦେବୈରୁକ୍ତଃ କିଳ ପିତାମହଃ

କ୍ରୀଡନୀୟକମିଛାମୋ ଦୃଶ୍ୟଂ ଶ୍ରବ୍ୟଂ ଚ ଯଦ୍‌ଦ୍ଭବେତ୍ ।ା୧୧।।

(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୨, ଓଡି଼ଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ, ଭୂବନେଶ୍ୱର, ଓଡି଼ଶା)

ଅର୍ଥାତ୍ ପୂର୍ବେ ଯେତେବେଳେ ସ୍ୱାୟମ୍ଭୁବ ମନ୍ୱନ୍ତରିୟ ଯୁଗ ଶେଷ ହେଲା ଏବଂ ବେବୌସ୍ୱତ ମନ୍ୱନ୍ତରରେ ତ୍ରେତାଯୁଗ ଆରମ୍ଭ ହେଲା, ସେତେବେଳେ ସାଧାରଣ ଲୋକମାନଙ୍କ ମନରେ କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ଗ୍ରାମ୍ୟଧର୍ମ ବା ହୀନ ଭାବନା ବଢିବାକୁ ଲାଗିଲା । ଯାଫଳରେ ସମାଜରେ ବହୁବିଧ ସାମାଜିକ ବିଦ୍ୱେଷ ତଥା ହିଂସାକାଣ୍ଡ ସୃଷ୍ଟିକଲେ । ଏପରିକି ବ୍ରହା୍ମ ସୃଷ୍ଟି କରିଥବା ଜମ୍ଭୁଦ୍ୱୀପ ଦେବ, ଦାନବ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଓ ମୋହରଗ ମାନଙ୍କ ଦ୍ୱାରା ମାତ୍ରାଧିକ ଆକ୍ରାନ୍ତ ହେଲା । ତେଣୁ ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଦେବରାଜ ଇନ୍ଦ୍ରଙ୍କ ସହିତ ସମସ୍ତ ଦେବତା ବ୍ରହ୍ମାଙ୍କ ଶରଣାପନ୍ନ ହୋଇ ପ୍ରାର୍ଥନା କଲେ ଯେ “ହେ ସୃଷ୍ଟିକର୍ତ୍ତା, ଆପଣ ସୃଷ୍ଟି କରିଥିବା ଚାରିବେଦ ଶୁଦ୍ରଜାତିର ଶ୍ରବଣ ନିମନ୍ତେ ନିଷିଦ୍ଧ ଅଟେ । ତେଣୁ ଆପଣ ଏଭଳି ଏକ ବେଦ ସୃଷ୍ଟି କରନ୍ତୁ ଯାହା ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୁଦ୍ର ଆଦି ଚାରି ଜାତିର ଚତୁର୍ବର୍ଗର ଫଳପ୍ରାପ୍ତି ହେବାରେ ସହାୟକ ହୋଇପାରିବ ଏବଂ ଭବିଷ୍ୟତର ଲୋକମାନଙ୍କର ଧର୍ମ, ଉପଦେଶ, ସଂଗ୍ରହ ଏବଂ ସର୍ବବିଧ କର୍ମର ମାର୍ଗଦର୍ଶକ ହେବ । ତତ୍ ସହିତ ତାହା ଏଭଳି ଏକ କ୍ରୀଡନୀୟକ (ଆମୋଦ) ହେବ ଯାହା ଉଭୟ ଦର୍ଶନ ଓ ଶ୍ରବଣର ଯୋଗ୍ୟ ହୋଇପାରିବ ।” ସମସ୍ତ ଦେବତା ମାନଙ୍କ ଠାରୁ ଏହିଭଳି ବିନମ୍ର ପ୍ରାର୍ଥନା ଶୁଣିସାରିବା ପରେ ସୃଷ୍ଟିକର୍ତ୍ତା ବ୍ରହ୍ମା, ଇନ୍ଦ୍ର ଆଦି ସମସ୍ତ ଦେବତା ମାନଙ୍କୁ ବିଦାୟ ଦେଇ ଯୋଗସ୍ଥ ହେଲେ ଏବଂ ତାଙ୍କର ମୁଖନିଃସୃତ ଚତୁର୍ବେଦଙ୍କୁ ସ୍ମରଣ କଲେ । ଚତୁର୍ବେଦ ଯଥା ୠଗ୍ ବେଦରୁ ପାଠ୍ୟ, ସାମ ବେଦରୁ ଗୀତ, ଯଜୁଃ ବେଦରୁ ଅଭିନୟ ଓ ଅଥର୍ବ ବେଦରୁ ରସ ସଂଗ୍ରହ କରି ନାଟ୍ୟବେଦ ନାମରେ ଏକ ପଞ୍ଚମ ବେଦ ସୃଷ୍ଟି କଲେ ।

କ୍ରମଶଃ …

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ