ଉକ୍ତ ଉପସ୍ଥାପନାଟି ପ୍ରଫେସର ପ୍ରିତିଶ ଆଚାର୍ଯ୍ୟଙ୍କ “ଉପାନ୍ତର କବି ଖଗେଶ୍ୱର ଶେଠ” ଲେଖାରୁ ଉଧୃତ ହୋଇଛି – ସମ୍ପାଦକ
‘ପଏର୍ଚ୍ଛା ସତୀ’ ହେଲା କବି ଖଗେଶ୍ୱର ଶେଠଙ୍କ ଏକ ବହୁଚର୍ଚ୍ଚିତ କାବ୍ୟ । ଏହାର ରଚନା କାଳ ୧୯୪୨-୪୩ ଏବଂ ପ୍ରଥମ ପ୍ରକାଶନ ୧୯୪୮ ମସିହା । ସମ୍ବଲପୁରୀ ‘ପଏର୍ଚ୍ଛା ସତୀ’ର ଓଡ଼ିଆରେ ଆକ୍ଷରିକ ଅର୍ଥ ହେବ ‘ଶୁଦ୍ଧ ସତୀ’ । ମାତ୍ର ଲୋକୋକ୍ତିରେ ଚରିତ୍ରହୀନା ନାରୀ ପ୍ରତି ବ୍ୟଙ୍ଗ ବିଦୃପ କରି କୁହାଯାଏ, ‘ପଏର୍ଚ୍ଛା ସତୀ’ । ଅର୍ଥାତ ଶାବ୍ଦିକ ଅର୍ଥଠାରୁ ତା’ର ବ୍ୟବହାରିକ ଅର୍ଥ ପୁରା ଓଲଟା । ଖଗେଶ୍ୱର ଶେଠ ବିରଚିତ ‘ପଏର୍ଚ୍ଛା ସତୀ’ ଉକ୍ତ ବିଦୃପାତ୍ମକ ଅର୍ଥକୁ ପ୍ରଶ୍ନ କରେ ଏବଂ ଆକ୍ଷରିକ ଅର୍ଥରେ ବାରନାରୀ ଭଳି ପ୍ରତୀତ ହେଉଥିବା ଜଣେ ସ୍ତ୍ରୀକୁ ଶୁଦ୍ଧ ସତୀର ମର୍ଯ୍ୟାଦା ଦିଏ । କାବ୍ୟର ମୁଖ୍ୟ ଚରିତ୍ର ଜଣେ ନାରୀ, ଯିଏ ସତ୍ୟବାଦିନୀ; ମନକଥାକୁ ସେ ଘୋଡ଼େଇ ରଖିପାରେନା । ପରିଣାମକୁ ଖାତିର ନକରି ସେ ସତ୍ୟର ଅବତାରଣା କରେ । ତା’ର ସତ୍ୟବାଦିତା ହେଲା ପୁରୁଷତାନ୍ତ୍ରିକତା ବିରୁଦ୍ଧରେ ଏକ ଅମୋଘ ଅସ୍ତ୍ର ।
ଖଗେଶ୍ୱରଙ୍କ ‘ପଏର୍ଚ୍ଛା ସତୀ’ ପ୍ରେମ କରିଛି, ଔପଚାରିକ ବିବାହ ଆଗରୁ ଅନ୍ତସତ୍ୱା ହୋଇଛି, ପ୍ରେମିକ ଦ୍ୱାରା ପ୍ରତାରିତ ହୋଇଛି; ବାପା-ମା’ଙ୍କ ଚାପରେ ନବଜାତ ଶିଶୁକୁ ହତ୍ୟା କରିବାକୁ ବାଧ୍ୟ ହୋଇ ଅନୁମତି ଦେଇଛି । ସେ ପ୍ରଶ୍ନ କରେ, କାହିଁକି ତା’ ସହ ଶରୀର ସମ୍ବନ୍ଧ ରଖିଥିବା ପୁରୁଷ ତାକୁ ବିବାହ କଲା ନାହିଁ? କାହିଁକି ଟଙ୍କା ଲୋଭରେ ବାପ ତାକୁ ଜଣେ ବୁଢା ବର ହାତରେ ଛନ୍ଦି ଦେଲା? ପ୍ରେମରୁ ବଂଚିତ କରିଥିବା ସେହି ବୁଢ଼ା ବରର ମୃତ୍ୟୁରେ କାହିଁକି ବା ସେ ବିଧବା ହେବ? ଏହି ଗ୍ରାମ୍ୟ ଯୁବତୀଟି ଅଧିକାରବୋଧ ସହିତ ପୋଖରୀର ପୁରୁଷ ଘାଟ (ତୁଠ)ରେ ଯାଇ ଗାଧାଏ; ସନ୍ଧ୍ୟାରେ ନିଶଙ୍କ ହୋଇ ଏକା ଏକା ପୋଖରିପାଣି ଯାଏ; ଗାଁକୁ ବାହାରୁ ଆସିଥିବା ସାଧୁ ସନ୍ନ୍ୟାସୀଙ୍କ ପ୍ରବଚନ ରାତି ଅଧ ଯାଏଁ ଶୁଣେ, ନାଟ୍ୟ କଳାକାରର ସୁନ୍ଦର ଅଭିନୟରେ ଆହ୍ଲାଦିତ ହୋଇ ତା’ସହ ପ୍ରେମ କରିବାକୁ ଇଚ୍ଛା ରଖେ; ଅନ୍ୟମାନଙ୍କର ବ୍ୟଙ୍ଗ ବିଦୃପକୁ ଖାତିର ନ କରି ଗାଁ ଦାଣ୍ଡରେ ‘ଡାଲଖାଇ’ ନାଚିବାକୁ ମନ କରେ । ତା’ର ପାଠ ପଢିବାକୁ ଇଚ୍ଛା, ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ଇଚ୍ଛା ; ଦୂର ଗାଁକୁ ସ୍ୱଚ୍ଛନ୍ଦରେ, ମେଳା, ‘ହରିହାଟ’ ଦେଖିଯିବାକୁ ତା’ର ଇଚ୍ଛା! ପୁରୁଷର ମନଠାରୁ ତା’ର ମନ ପୃଥକ ନୁହେଁ । ହେଲେ ଏହି ଭଳି ଇଚ୍ଛା ରଖିବା କ’ଣ ମନା? ସ୍ୱଚ୍ଛନ୍ଦ ଆଚରଣ ଯୋଗଁ ସେ ଅସତୀ ହେବ କାହିଁକି? ତା’ର ପ୍ରତିବାଦ ଲିଙ୍ଗଗତ ଅସାମ୍ୟ ବିରୁଦ୍ଧରେ । ପୁରୁଷତାନ୍ତ୍ରିକତା ବିରୁଦ୍ଧରେ! ସେ ପୁରୁଷତନ୍ତ୍ରର ଶୃଙ୍ଖଳକୁ ମାନେନା; ନିଜ ନାଆର ନାବିକ ହେବାକୁ ଚାହେଁ; ପୁରୁଷର ଅନୁକରଣ ତା’ର ଜାତକରେ ନାହିଁ । କ’ଣ ଏହି କାରଣରୁ ସେ ‘ପଏର୍ଚ୍ଛା ସତୀ’ ବୋଲି ପୁରୁଷର ବ୍ୟଙ୍ଗ ବିଦୃପ ସହିବ?
ସମ୍ବଲପୁରୀ ‘ପଏର୍ଚ୍ଛା ସତୀ’ ର କବି ନିଜେ ଓଡ଼ିଆରେ ମୁକ୍ତାନୁବାଦ କରି ଗ୍ରନ୍ଥାବଳୀର ପ୍ରଥମ ଖଣ୍ଡରେ ସ୍ଥାନିତ କରିଛନ୍ତି । ମନେହୁଏ, ଗ୍ରଂଥାବଳୀର ପ୍ରକାଶନ କଥା ବୁଝୁଥିବା ଲୋକ କାବ୍ୟର ସଂବଲପୁରୀରେ ସ୍ଥାନିତ ହେବା କଥାକୁ ନାପସଂଦ କରିଛଂତ, ଯଦିଓ ସମ୍ବଲପୁରୀରେ ତା’ର ଶବ୍ଦ ବ୍ୟବହାର ଅଧିକ ଉପଭୋଗ୍ୟ ଏବଂ ଅଧିକ ଭାବୋଦ୍ଦୀପକ । ଓଡିଆ ପାଠକ ଲାଗି ସହଜବୋଧ୍ୟ ହେବ ବୋଲି ନିମ୍ନରେ ଓଡ଼ିଆ ମୁକ୍ତାନୁବାଦରୁ କେତୋଟି ପଦ ପ୍ରଦତ୍ତତ୍ତ ହେଲା;
ଅଖଟା ବଇସେ ପୁଅ ଜନ୍ମ କରି ଭୋଗିଥିଲି ହଟହଟା
ତଥାପି ବାଞ୍ଝୁଣି ପଦଟା ମୋହର ହୋଇଛି କଲିଜାଫଟା । ।
ପାପ ଗର୍ଭ ଦେଖି ମତେ ପଛେ ବିଷ ଦେଇଥାନ୍ତେ ମାଆ ବାପ,
ଶିଶୁ ତଂଟି ମାଡି ମୋ ସ୍ନେହରେ ପଡ଼ି ବଢ଼ାଇଲେ ମୋର ପାପ । ।
.. ..
ଯେବେ ମୁଁ ଅସତୀ ବିବାହିତ ପତି, ଦେଖାଇଥା’ନ୍ତା ମୋ ଦୋଷ,
ଦୋଷ ନ ଦେଖାଇ ଦୁଷିତା ବୋଲିବା ନୁହେଁ କି ନିନ୍ଦା ଆକ୍ରୋଷ?
ଯେ ଦୋଷେ ଯୁବତୀ ହୁଏ ଛାଡ଼ପତ୍ରୀ ଅବା ଦୁଷିତା ପତିତା,
ସେ ଦୋଷେ ବି ବର ଗୁଣ ତ ମଧୁର ବଧୁଗୁଣ କିପାଁ ପିତା । ।
ମଦୁଆ ବେଧୁଆ ଚୋର ଅଳସୁଆ ହେଲେ ହେଁ ପତି ‘ଈଶ୍ୱର’,
ଏକଥା ଯେ କହେ କାହିଁକି ନ ଦହେ ତା’ ମୁହଁକୁ ବୈଶ୍ୱାନର?
ବାପ ଆଣ୍ଠୁକୁଡ଼ା ଟଙ୍କା ଲୋଭେ ମୋହୋ ପାଇଁ ବାଛିଲା ଯେ ପତି
ଦରମରାଟା ସେ, କି ସରମେ ଆଉ ବର୍ଣ୍ଣିବି ତା’ର ଦୁର୍ଗତି?
ଶଯ୍ୟାରେ ପଡି ମୁଁ ଲଜ୍ୟାରେ କାନ୍ଦିଲି ଛନ୍ଦି ହେଲା ମୋ ଚରଣ
ଭାବିଲି ଏ ଦଶା ବରଣ କରିବା ଭଗାରି ହସା ମରଣ । ।
‘ବର’ ବୋଲି ନିଜେ ମୁଁ ବରି ତ ନଥିଲି ପର ଇଚ୍ଛାରେ ମୁଁ ବୁଢୀ,
ଗେଲ ଗରବ ମୋ ଭାଙ୍ଗିଗଲା, ପୁଣି ଭାଙ୍ଗନ୍ତି କାହିଁକି ଚୁଡ଼ି । ।
.. ..
ମଣିଷ ଜନମ ପାଇ ହୋଇଗଲି ଗାଈ ମହିଷୀର ତୁଲ୍ୟ
ଯେତିକି ଟଙ୍କାରେ ବିକା ହୋଇଥିଲି ସେତିକି କି ମୋର ମୂଲ୍ୟ?”
ପଏର୍ଛା ସତୀ’ର ନାୟିକା ସ୍ୱଚ୍ଛନ୍ଦ । ସେ ସ୍ପଷ୍ଟବାଦୀ, ସେ ସତ୍ୟବାଦୀ । ସେ ପୁରୁଷ ତିଆରି ନୀତି ନିୟମର ଅଙ୍କୁଶ ମଧ୍ୟରେ ଆବଦ୍ଧ ରହି ଜୀବନର ସ୍ୱାଦରୁ ବଂଚିତ ହେବାକୁ ଚାହେଁନା । ସେ ପୁରୁଷର ଶଠତାକୁ ପ୍ରଶ୍ନ କରେ; ‘ସତୀ’ର ମର୍ଯ୍ୟାଦା ଲୋଭରେ ଯେଉଁ ମହିଳାମାନେ ଭ୍ରମ ଓ ମିଥ୍ୟାର ଆବରଣ ଓଢି ହୁଅନ୍ତି, ତାଙ୍କ ଡ଼ରୁଆପଣକୁ ସେ ଧିକ୍କାର କରେ । ନାରୀକୁ ପୁରୁଷର କର୍ତୃତ୍ୱ ନୁହେଁ, ବରଂ ବନ୍ଧୁତ୍ୱ ଲୋଡ଼ା, ସହଧର୍ମିତା ଏବଂ ସହମର୍ମିତା ଲୋଡ଼ା । ‘ପଏର୍ଚ୍ଛା ସତୀ’ କେବେ ପୁରୁଷଗଢା ପିତୁଳା ନୁହେଁ; ଦୟାର ପାତ୍ର ନୁହେ; ସେ ଏ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ । ସେ ନାରୀକୁ ନେଇ ଗଢା ହୋଇଥିବା ନିୟମକୁ ବଦଳେଇବାକୁ ଚାହେଁ, ସତୀ ଶବ୍ଦର ଅର୍ଥକୁ ବଦଳେଇବାକୁ ଚାହେଁ । ନିଜେ ଖଗେଶ୍ୱର ନାରୀ ବେଶରେ ‘ପଏର୍ଚ୍ଛା ସତୀ’ର ମଂଚାଭିନୟ କରୁଥିଲେ । ସାହିତ୍ୟରେ ଏଭଳି ଜଣେ ଦୁଃସାହସିକା, କ୍ରାନ୍ତିକାରୀ ନାରୀ ଚରିତ୍ରକୁ ଗଢିବା ଏବଂ ତାକୁ ଗାଁ ମଂଚରେ ପ୍ରଦର୍ଶିତ କରିବା ଯେ ଏକ ବଡ଼ ଦୁଃସାହସ, ତହିଁରେ ଦ୍ୱିରୁକ୍ତି ନାହିଁ ।
ନାରୀ ବିମର୍ଶର ଅନ୍ୟ ଏକ ସଶକ୍ତ ହସ୍ତାକ୍ଷର ହେଲା ଖଗେଶ୍ୱରଙ୍କ କ୍ଷୁଦ୍ର କାବ୍ୟ ‘ନାରୀ ଗୁହାରି’; ରଚନା କାଳ ୧୯୪୦-୪୨ । କବିଙ୍କର ନାୟିକା ଏଠାରେ ଜଣେ ସାଧାରଣ ଗ୍ରାମ୍ୟ ମହିଳା, ଯିଏ ସ୍ୱର୍ଗଲୋକର ଦେବୀ ମହାଲକ୍ଷ୍ମୀଙ୍କଠାରେ ତା’ର ଶୋଷଣ, ଅତ୍ୟାଚାରର ଫର୍ଦ୍ଦକୁ ‘ଗୁହାରି’ ରୂପରେ ପ୍ରତିବେଦନ କରେ; ଶୋଷକ, ଅତ୍ୟାଚାରୀ ପୁରୁଷତନ୍ତ୍ରକୁ ସାବାଡ଼ କରିବାକୁ ଗୁହାରି କରେ । ତା’ର ଅଭିଯୋଗ ଯେ ସମାଜ ଯେଉଁ ନାରୀକୁ ଦେବୀ ରୂପରେ ପୂଜା ଆରାଧନା କରେ, ମର୍ତ୍ୟରେ ସେହି ନାରୀ ଉପରେ ପୁଣି ପୁରୁଷ ସମାଜ ଅକଥନୀୟ ଅତ୍ୟାଚାର କରେ । ଅନ୍ତତଃ ପୁରୁଷର ଏଭଳି ଦୋମୁହାଁ ଆଚରଣ ପାଇଁ ଦେବୀ ମହାଲକ୍ଷ୍ମୀ ତାକୁ ଶାସ୍ତି ଦେବା ଦରକାର । ଖଗେଶ୍ୱରଙ୍କ ନାରୀର ଭାଷାରେ,
‘ଜଗତ ପାଳନ ଧନ ଅଧିକାର ତୁମ୍ଭ ହସ୍ତେ ଅର୍ପି ଈଶ୍ୱର,
ବୀଣାପାଣି କରେ ଦେଲେ ସେ ପ୍ରକାରେ ବିଦ୍ୟା ଭାର ସାରା ବିଶ୍ୱର;
ଜନନୀ, ଦହି ହୁଏ ମର୍ମ ସନ୍ତାପେ;
ବିଦ୍ୟାଧନେ ନାରୀ ନୁହେଁ ଅଧିକାରୀ ମୁଢ଼ ସମାଜର ପ୍ରତାପେ । ।
ଶଇଶବେ ପିତା ଯଉବନେ ପତି ବାର୍ଦ୍ଧକ୍ୟ ଜୀବନେ କୁମର,
ନାରୀର ମହତ୍ୱ – ରକ୍ଷଣେ ଏମାନେ ଭିଡିଛନ୍ତି ବୀର କମର;
‘ଅବଳା’ ନାମ ଘେନି ନାରୀ ରହିବ,
ମାତୃତୁଲ୍ୟ ସବୁ ସହି ପାରିଲେ ସେ ‘ମହିଳା’ ପଦବୀ ବହିବ । ।
ଠକ ଅବିଶ୍ୱାସୀ ମୁର୍ଖ ମିଥ୍ୟାଭାଷୀ ପତି ଚଳେ ବିଶ୍ୱ-ଭବନେ,
ସତୀ ଗୁଣବତୀ ନହେଲେ ଯୁବତୀ ଗତି ନାହିଁ ସାରା ଜୀବନେ;
ଜନନୀ, କେଡ଼େ ପକ୍ଷପାତି ଧରମ,
ଏ ଧରମ ଗଢି-ଥିବା ସମାଜକୁ ନ ମାଡେ କି ଲାଜ ସରମ?
ଭ୍ରାନ୍ତି ଥିଲେ ଦେବୀ ଦୃଷ୍ଟି ଦିଅ ଦେବି, ଶାନ୍ତିଧାରା ଝରୁ ପରାଣେ
‘ନାରୀ ଧର୍ମ’ ଅଛି ‘ନରଧର୍ମ’ ବୋଲି ଲେଖା ନାହିଁ ଦେଖା ପୁରାଣେ;
ନାରୀର ଦାବୀ ନାହିଁ ଯଦି ବେଦରେ,
ବେଦାଦେଶ କିମ୍ପା ମାନିବ ରମଣୀ ପକ୍ଷପାତୀ ମତ ଭେଦରେ?’
ଖଗେଶ୍ୱରଙ୍କ ନାରୀ ଅବଳା ରହିବାକୁ ଚାହେଁ ନାହିଁ, ସ୍ୱାବଲମ୍ବୀ ହେବାକୁ ଚାହେଁ, ଉଭୟ ଶିକ୍ଷା ଓ ଅର୍ଥରେ ନିଜର ଭାଗ ଚାହେଁ । ଯେଉଁ ନୀତି ନିୟମ ପୁରୁଷ ପାଇଁ, ସେହି ନୀତି ତା’ଠାରେ ମଧ୍ୟ ଲାଗୁ ହେଉ । ଯେଉଁ ବେଦରେ ନାରୀର ଦାବି ନାହିଁ, ସେହି ବେଦର ଆଦେଶକୁ ସେ ମାନିବ କାହିଁକି? ସେ ଶୃତି, ସଂହିତା, ଗୀତା, ଧର୍ମଶାସ୍ତ୍ରକୁ ଅସ୍ୱୀକାର କରେ, କାରଣ ସେସବୁ ପୁରୁଷକୃତ, ପୁରୁଷର ସ୍ୱାର୍ଥ ରକ୍ଷା ନିମନ୍ତେ ଉଦ୍ଦିଷ୍ଟ । ନାରୀ ଶେଷରେ ସତର୍କ କରି କହେ, ଯଦି ଏହି ଲିଙ୍ଗଗତ ଅସାମ୍ୟକୁ ଦୃଷ୍ଟି ଦିଆ ନ ଯାଏ ସୁନାର ଭାରତ ଅଚୀରେ ନଷ୍ଟ ବିନଷ୍ଟ ହୋଇଯିବ । ଅର୍ଥାତ୍ ଖଗେଶ୍ୱରଙ୍କ ନାରୀ କୌଣସି ନିଜସ୍ୱ ସ୍ୱାର୍ଥ ପାଇଁ ନୁହେଁ, ବରଂ ଦେଶର ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମ୍ୟ ଦାବି କରେ, ବିଭେଦର ବିରୁଦ୍ଧାଚରଣ କରେ ।
ହେତୁବାଦ ଓ ନିରିଶ୍ୱରବାଦ ର କବି
ଖଗେଶ୍ୱର ଯେଉଁ ଦମ୍ଭରେ ଲିଙ୍ଗଗତ ଅସାମ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ, ସେହି ଦମ୍ଭରେ ‘ମହାପ୍ରଭୁ’ ଶୀର୍ଷକ ଦୀର୍ଘ କବିତାରେ ଈଶ୍ୱର ନାମରେ ଚାଲିଥିବା ପାଖଣ୍ଡର ପର୍ଦ୍ଦାଫାଶ କରିଥିଲେ । ସେ ମହାପ୍ରଭୁଙ୍କ ମହନୀୟତାକୁ ଭ୍ରମପୂର୍ଣ୍ଣ ବୋଲି ପ୍ରମାଣ ଦେବାକୁ ଯାଇ ଲେଖଂତି,ଯେଉଁ ଭଗବାନ ଦ୍ରୌପଦୀଙ୍କୁ କୋଟୀ ବସ୍ତ୍ର ଦେଇଥିଲେ, ସେ ପୁଣି କାହିଁକି ଗୋପୀମାନଙ୍କର ବସ୍ତ୍ରହରଣ କଲେ । ଯେଉଁ ମହାପ୍ରଭୁ ମୃଗୁଣୀକୁ ରକ୍ଷା କଲେ, ସେ ପୁଣି ନିଜ ପତ୍ନୀଂକ (ସୀତାଂକ) ମନ ଜିଣିବା ଲାଗି ପଂଚବଟୀରେ ମୃଗୁଣୀ ମାରିବାକୁ ଧାଇଁଲେ କେମିତି? ଶବରୀର ଅଇଁଠା ଖାଇଥିବା ପ୍ରଭୁ ପୁଣି ଦଳିତ ଶ୍ରୀୟା ଚଣ୍ଡାଳୁଣୀ ପ୍ରତି ଏତେ କଠୋର କାହିଁକି? ଏଭଳି ଆହୁରି ଅନେକ ଉଦାହରଣ ପୁରାଣରୁ ଆଣି କବି ସିଦ୍ଧ କରନ୍ତି ଯେ ଏସବୁ ବିଡ଼ମ୍ବନାପୂୂର୍ଣ୍ଣ; ସତ୍ୟ ଆଧାରିତ ନୁହେଁ । ଏହି ଆଧାରରେ ତାଙ୍କୁ ଯଦି ନାସ୍ତିକ କୁହାଯାଏ, କବିଙ୍କର ଅବଶୋଷ ନାହିଁ, ଭାଗ୍ୟଫଳ ଭିତ୍ତିରେ ଯଦି କର୍ମଫଳ ମିଳେ, ବ୍ୟକ୍ତିର ଆସ୍ଥା, ଅନାସ୍ଥା ବା କେଉଁ କାମର? ଅନ୍ୟ ଶବ୍ଦରେ କହିଲେ, ଏଠାରେ କବି ଲୋକଙ୍କୁ ଯୌକ୍ତିକତା, ହେତୁବାଦୀତାରେ ଆସ୍ଥା ରଖିବାକୁ ବୁଝାଇଛନ୍ତି । ଯୌକ୍ତିକତାର ଅଭାବରେ ଲୋକ ଧର୍ମଗୁରୁ ଓ ପୂଜକବର୍ଗର ଶୋଷଣର ଅଯଥା ଶିକାର ହୁଅନ୍ତି ବୋଲି ତାଙ୍କ ବିଶ୍ୱାସ ।
ଖଗେଶ୍ୱର ନିଜେ ଥିଲେ ଦଳିତ ବର୍ଗର, ଯଦିଓ କେଉଟ ଜାତିକୁ ପଶ୍ଚିମ ଓଡ଼ିଶାରେ ଅସ୍ପୃଶ୍ୟ ମନେ କରାଯାଏନା । କେଶବ ମେହେରଙ୍କ ସୂଚନାରୁ ଜଣାପଡ଼େ ଯେ ହୃଷିକେଶ ଶେଠଙ୍କ ସାତଟି ସନ୍ତାନ ମଧ୍ୟରେ ଖଗେଶ୍ୱରଙ୍କୁ ମା’ କ୍ଷୀର ମିଳି ନଥିଲା । ସେ ଜଣେ ‘ହରିଜନ’ ମହିଳାର କ୍ଷୀର ପାନ କରି ବଂଚିଥିଲେ । ଏହି ଅନୁଭବ ଖଗେଶ୍ୱରଙ୍କର ଗାଁ ‘ହରିଜନ’ ପଡ଼ା ଏବଂ ‘ହରିଜନ’ ପରିବାର ସହ ସମ୍ପୃକ୍ତିକୁ ନିବିଡ଼ କରି ଦେଇଥିଲା । ଏକେ ତ କେଉଟ ତଳ ଜାତି, ପୁଣି ଅସ୍ପୃଶ୍ୟ ଘରେ ରହି ବଡ଼ ହୋଇଛନ୍ତି । ସମ୍ଭବତଃ ଏହି କାରଣରୁ ସେ ଅସ୍ପୃଶ୍ୟତାକୁ ଭଲ ଭାବେ ବୁଝିଥିଲେ । ସମାଜ ସଂସ୍କାରୀ ପରିବେଶ ଏବଂ ଗାନ୍ଧୀବାଦୀ ଚେତନା ତାଙ୍କ ସୃଜନାତ୍ମକ ଅଭିବ୍ୟକ୍ତିକୁ ତୀବ୍ର ଓ ତୀବ୍ରତର କଲା । ତାଙ୍କର ଅନେକ କାବ୍ୟକୃତିରେ କବି ନିଶଙ୍କ ହୋଇ ଅସ୍ପୃଶ୍ୟତାର ବିରୋଧ କରିଛନ୍ତି । ‘ହରିଜନ ଗୁହାରି’ ଏହି ଧରଣର ଏକ ଚଉତିଶା । ଏଠାରେ ‘ହରିଜନ’ ଉଚ୍ଚ ଜାତି ଆଗରେ ଫେରାଦ ହୁଏ, କୌଣସି ଦୟା, କରୁଣା ଆଶାରେ ନୁହେଁ, ବରଂ ସମାଜ, ଦେଶ ଏବଂ ଉଚ୍ଚ ବର୍ଗ ତା’ ନିଜ ସ୍ୱାର୍ଥ ଦୃଷ୍ଟିରୁ ଅସ୍ପୃଶ୍ୟତାକୁ ତଥା ଜାତିଭେଦକୁ ତ୍ୟାଗ କରୁ ବୋଲି ନିବେଦନ କରେ । କବିଙ୍କ ଭାଷାରେ, ଉଚ୍ଚ ଜାତିର ଡ଼ୋରି ତଥାକଥିତ ‘ଅସ୍ପୃଶ୍ୟ’ ହାତରେ । ଅସ୍ପୃଶ୍ୟତା ବ୍ୟାଧି ଅବ୍ୟାହତ ରହିଲେ, ଉଚ୍ଚ ଜାତି ହିଁ କ୍ଷତିଗ୍ରସ୍ତ ହେବ । ‘ହରିଜନ ଗୁହାରି’ ଚଉତିଶାରେ କବିଙ୍କ ହରିଜନ କହେ;
“କହତ ହେ ଭାଇ ଏହି କି ଉଚ୍ଚ ହିନ୍ଦୁ ବିଚାର?
କରୁଅଛ ଯାହା ଆମ୍ଭଙ୍କୁ ଚିରଦିନ ନାଚାର!
ଖଟିଛୁ ତ ଦିବା ରଜନୀ ଖାଲି ତୁମ୍ଭ ସେବାରେ,
ଖରାପ କାମ କି ଦେଖିଲ ଭାଇ, କହ ତ ବାରେ?.. ..
ଅଛି କି ଏପରି ପ୍ରମାଣ ଧର୍ମଶାସ୍ତ୍ରରେ କା’ର?
ଉଚ୍ଚ କେ’ ହୋଇଛି ଭାଇ କି ଭାଇ କରି ଧିକ୍କାର!.. ..
ଛାଡ଼ି ଦେବୁ ଦାଣ୍ଡ ପହରା, ମେହେନ୍ତର କବାର,
ଛାଲକଟା, ମଲା ଖବର, ଚିଠି ବହି ନେବାର
ଜୀବନ ଯାପନ ସକାଶେ ଅଛି ନାନା ଜୀବିକା,
ଜାଣି ଜାଣି ଆଉ କାହିଁକି ହେବୁଁ ମହତ ବିକା?.. ..
ଡ଼ମ ହାଡ଼ି ଆଦି ଡିଙ୍ଗର ଯଦି ତମ ଭିତରୁ,
ଡାଳେ ବିଷଫଳ ଫଳିଲେ ଦାୟୀ ନୁହେଁ କି ତରୁ?.. ..
ତୁମ୍ଭ ଲାଗି ଏକା ମନ୍ଦିରେ ଅଛନ୍ତି କି ଠାକୁର?
ତହିଁ ମନା କଲ, ସମୟେ ଯହିଁ ପଶେ କୁକୁର?.. ..
‘ଭଲ ଲୋକ’ ପଦ ବହିଛ କିସ ବୁଝି ବିଚାରି.
ଭାଲୁ –କୁଲ୍ହିଆଠୁଁ ତୁମ୍ଭେ ତ ଅଧିକ ସ୍ୱେଚ୍ଛାଚାରୀ ।.. ..
ବଡ଼ ବୋଲି ସିନା ମାନିଛୁଁ ରଖି ନିଜ ଧରମ,
ବ୍ୟବହାର ତୁମ୍ଭ ଦେଖିଲେ ମାଡ଼ୁଅଛି ସରମ । ।.. ..
ସାନ-ବଡ଼ ଜାତି ବିକାର ଯାଏ ନାହିଁ ଯାବତ
ସୁଖ-ଶାନ୍ତି-ମୁକ୍ତି ଏ ଦେଶ ପାଏ ନାହିଁ ତାବତ । ।”
ଅସ୍ପୃଶ୍ୟତାର ପ୍ରଶ୍ରୟକାରୀ ବର୍ଗକୁ ଯେଉଁ କଠୋରତାର ସହିତ ଖଗେଶ୍ୱରଙ୍କ ଦଳିତ ଧିକ୍କାର କରେ, ତାହା କେବେ ‘ଗୁହାରି’ ପଦବାଚ୍ୟ ହୋଇ ନପାରେ । ଏହି ଧିକ୍କାର ପଛରେ ରହିଛି ‘ହରିଜନ’ର ଜାତୀୟ ମମତା, କାରଣ ସେ ଜାଣେ ‘ଜାତି ବିକାର’ ରହିଥିବା ଯାକେ ଦେଶ ପାଇଁ ସ୍ୱାଧୀନତା ବା ସୁଖ-ଶାନ୍ତି-ମୁକ୍ତି ଆକାଶ କୁସୁମ । ଅର୍ଥାତ୍ ଜାତୀୟତାବୋଧ କବିଙ୍କୁ ଲିଙ୍ଗଗତ ଅସାମ୍ୟ ଓ ଋଢ଼ିବାଦିତା ପରି ଅସ୍ପୃଶ୍ୟତା ବିରୁଦ୍ଧରେ ଖଡ଼ଗହସ୍ତ ହେବାକୁ ଦମ୍ଭ ଓ ସାହସ ଯୋଗାଇଛି ।
ସ୍ୱଦେଶୀ ବିଚାର
ଆର୍ଥିକ ଦାରିଦ୍ର୍ୟ ଖଗେଶ୍ୱରଙ୍କ ଅସ୍ଥିମଜ୍ଜାଗତ । ନିଜ ଦାରିଦ୍ର୍ର୍ୟକୁ ବୈକ୍ତିକ ସ୍ତରରେ ସୀମିତ ନ ରଖି ସେ ତାକୁ ସାମୂହିକ ସ୍ତରକୁ ନେଇ ଯାଇଥିଲେ, ଦାରିଦ୍ର୍ୟର କାରଣ ଖୋଜୁଥିଲେ । ଏହି ସାମୂହିକତା ଯୋଗୁଁ ତାଙ୍କୁ ଦାରିଦ୍ର୍ୟ ଜନିତ ନିରାଶା କବଳିତ କରି ପାରି ନଥିଲା । ଏହାର ଏକ ସଶକ୍ତ ଉଦାହରଣ ହେବ, ତାଙ୍କ ରଚନା – ‘ଆମେ ଗରିବ କାହିଁକି?
ତାଙ୍କ ମତରେ ବିଦେଶୀ ଶାସନ ଏବଂ ପରାଧୀନତା ଆମ ଗରିବୀର ପ୍ରମୁଖ କାରଣ । ବିଦେଶୀ ଶାସନର ଫାନ୍ଦରେ ପଡ଼ି ଲୋକଙ୍କର ସ୍ୱାବଲମ୍ବନଶୀଳତା ନଷ୍ଟ ହୋଇଛି । ପ୍ରତି କଥାରେ ଲୋକ ଅନ୍ୟ ଉପରେ ଆଶ୍ରିତ । ଏହି ଦୀର୍ଘ କବିତାରେ କବି ଦ୍ରବ୍ୟର ଏକ ସୂଚୀ ପ୍ରସ୍ତୁତ କରିଛନ୍ତି, ଯାହାକୁ ତ୍ୟାଗ କରିବା କାରଣରୁ, ତାଂକ ମତରେ, ବ୍ୟକ୍ତି ଦରିଦ୍ର, ଅନ୍ୟ ବସ୍ତୁ ଉପରେ ନିର୍ଭରଶୀଳ । ଏଭଳି ଏକ ସୂଚୀ ମଫସଲର କେବଳ ଜଣେ ମାଟି କାଦୁଅର ମଣିଷ ହିଁ ଚିନ୍ତା କରିପାରେ । ସେହି ସୂଚୀରେ ସାମିଲ ବସ୍ତୁ ଗୁଡିକ ମଧ୍ୟରେ ରହିଛି; ଦାନ୍ତକାଠି ବଦଳରେ ବ୍ରସ, ପାଣି ବଦଳରେ ଚା’, ଦେହରେ ବ୍ୟବହାର୍ଯ୍ୟ ତେଲ ବଦଳରେ ସାବୁନ, ଘରେ ପ୍ରସ୍ତୁତ କାହାଲି (ଧୂଆଁପତ୍ର) ବଦଳରେ ସିଗାରେଟ, ହାତଟଣା ପଙ୍ଖା ବଦଳରେ ବିଜୁଳି ପଙ୍ଖା ଏବଂ ଖଦି ବସ୍ତ୍ର ବଦଳରେ ବିଦେଶୀ ଲୁଗାର ବ୍ୟବହାର । ହୁଏତ ପ୍ରଦତ୍ତ ସୂଚୀର ଅଧିକାଂଶ ବସ୍ତୁ ଆଜି ‘ଦେଶୀୟ’ ମନେ କରାଗଲେଣି । ମାତ୍ର, କବିଙ୍କର ପ୍ରମୁଖ ମହତ୍ୱ ସ୍ୱାବଲମ୍ବନଶୀଳତାରେ । ତା’ର ଅଭାବକୁ ସେ ଦାରିଦ୍ର୍ୟର କାରଣ ମନେ କରୁଥିଲେ ।
ସମାଜ ଚିନ୍ତାରେ ବ୍ୟସ୍ତ ବିବ୍ରତ କବି ଖଗେଶ୍ୱର ଶେଠ ୧୯୪୨ରେ ‘ଧନ୍ୟ କଳିକାଳ’ ଶୀର୍ଷକରେ ଏକ ଗୀତ ଲେଖିଥିଲେ । ଏଥିରେ କଳିକାଳ ହେଲା ଏକ ବ୍ୟକ୍ତି, ସବୁ କୁରୀତିର କାରଣ । କୁରୀତିଗୁଡିକ ହେଲେ ‘ବାରିବାରଣ’ (ଏକ ସାମାଜିକ ବର୍ଗ (ଦଳିତ) କୁ ଜଳର ସାଧାରଣ ଉତ୍ସରୁ ବଂଚିତ କରିବା ।), ‘ଜାତି-ଅସ୍ପୃଶ୍ୟତା’, ‘ନାରୀ-ଲାଞ୍ଛନା’, ‘ଭ୍ରାତୃ ବିରୁଦ୍ଧତା’ (ଆପୋସ କଳହ) ଏବଂ ‘ଚରିତ୍ରହୀନ ଭ୍ରଷ୍ଟ ଭୂଦେବତ୍ୱ’ (ଚରିତ୍ରହୀନ ଚରିତ୍ରମାନଙ୍କୁ ପୂଜ୍ୟ କରିଦେବା) । ଏହି ସବୁ କୁରୀତି ଯୋଗୁଁ ଭାରତ ତା’ର ମର୍ଯ୍ୟାଦା ଏବଂ ଅତୀତ ଗୌରବ ହରାଇଛି । ମାତ୍ର କବି ଆଶାବାଦୀ ଯେ ଖଳନାୟକ କଳିକାଳ କେବେ ଦେଶ ସ୍ୱାଧୀନ ହେଲା ପରେ ତିଷ୍ଠି ପାରିବ ନାହିଁ । ୧୯୪୨ର ‘ଅଗଷ୍ଟ ବିପ୍ଳବ’ କବିଙ୍କ ପ୍ରାଣରେ ଆଶା ସଂଚାର କରିଛି ଯେ ‘କଳିକାଳ’ ଆଉ ବେଶୀ ଦିନ ନୁହେଁ । ଏଠାରେ ଇଂରେଜ ଶାସନକୁ ସେ ‘କଳିକାଳ’ର ସଜ୍ଞା ଦେଇଛନ୍ତି ସତ, ମାତ୍ର ତାଙ୍କ କଳିକାଳ କେବଳ ଇଂରେଜ ଶାସନ ନୁହେଁ, ବରଂ ସମସ୍ତ କୁରୀତିର ସାମୁହିକ ରୂପ । ପାଣିମୋରା ଗାଁର ତାଙ୍କ ବନ୍ଧୁମାନେ ଯେତେବେଳେ ସ୍ୱାଧୀନତା ସଙ୍ଗ୍ରାମରେ ଭାଗ ନେଇ ଜେଲରେ (ପାଣିମୋରାର ୩୨ ଜଣ ବ୍ୟକ୍ତି ୧୯୪୨ରେ ଭାରତ ଛାଡ ଆଂଦୋଳନ ବେଳେ ଜେଲ ଯାଇଥିଲେ), ଖଗେଶ୍ୱରଙ୍କ ପାଇଁ ଆନ୍ଦୋଳନରେ ଭାଗ ନେବା ଏକ ବିଳାସିତା । ମାତ୍ର ବୌଦ୍ଧିକ ସ୍ତରରେ ସେ ଆନ୍ଦୋଳନରେ ଏବଂ ତା’ର ପ୍ରମାଣ ହେଲା ତାଂକର ଏହି କବିତା ‘ଧନ୍ୟ କଳିକାଳ’ ।