ଖିଆଲି ମନ

ସ୍ଵୟଂପ୍ରଭା
ସ୍ଵୟଂପ୍ରଭା 455 Views
10 Min Read

୧୯୮୦ ମସିହାର କଥା । ଭାରତର ଶାସ୍ତ୍ରୀୟ ସଙ୍ଗୀତ ଜଗତ ଯେମିତି ଚମକୁ ଥିଲା । ଉସ୍ତାଦ୍ ଓ ପଣ୍ଡିତ ମାନଙ୍କର ରାଜୁତିର ସମୟ । ବନାରସ ବିଶ୍ୱବିଦ୍ୟାଳୟ, କଲିକତା ସଙ୍ଗୀତ ରିସର୍ଚ୍ଚ ଏକାଡ଼େମୀ ଓ ମୁମ୍ବାଇର ଆଇଟିସି ସବୁଠି ସଙ୍ଗୀତ ଶିକ୍ଷା ଶ୍ରେଷ୍ଠସ୍ଥାନରେ ଥାଏ । ଏମିତି ଏକ ଦୁର୍ଲଭ ସମୟରେ ସାନ ଅଜାଙ୍କ ସହିତ ରାସିଦ୍ କଳିକତା ଆସିଥାନ୍ତି । ତାଙ୍କ ସାନ ଅଜା ଉସ୍ତାଦ ନିସାର ହୁସେନ ଖାଁ ସାହାବ ଆଇଟିସିର ଶିକ୍ଷକଭାବେ ଯୋଗଦେଲେ । ରାସିଦ୍‌ଙ୍କୁ ସେତେବେଳେ୧୪ ବର୍ଷ ବୟସ । କଲିକତା ସଙ୍ଗୀତ ରିସର୍ଚ୍ଚ ଏକାଡ଼େମୀରେ ରାସିଦ୍ ଏଣ୍ଟ୍ରାନ୍ସ ଦେଇ ଉତ୍ତିର୍ଣ୍ଣ ହୋଇ ଛାତ୍ର ଭାବେ ଯୋଗଦେଲେ । କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ଠିକ୍ ସେମିତି ରାସିଦ୍ ଏକାଡ଼େମୀରେ ଯୋଗଦେବା ପରଠାରୁ ଡ଼ାଇରେକ୍ଟର କିସକୁ ସାହାବଙ୍କ ଠାରୁ ଆରମ୍ଭ କରି ଅନେକ ପଣ୍ଡିତ ଓ ଉସ୍ତାଦ୍ ତାଙ୍କର ଅସାଧାରଣ ପ୍ରତିଭାରେ ମନ୍ତ୍ରମୁଗ୍ଧ ହୋଇଯାଇଥାନ୍ତି । ଯୁବ ଗାୟକ ରାସିଦଙ୍କର ସେହି କିଶୋର ବୟସରୁ ଗାୟକିରେ କରିସ୍ମା ସମଗ୍ର ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରୁଥାଏ । ଥରେ ଯଦି କେହି ତାଙ୍କୁ ସଙ୍ଗୀତ ରିସର୍ଚ୍ଚ ଏକାଡ଼େମୀର ବୁଧବାରର ସଂନ୍ଧ୍ୟା ଗୁଡ଼ିକରେ ହେଉଥିବା ସଙ୍ଗୀତ ଆସରରେ ଶୁଣେ ସିଏ ତାଙ୍କୁ ବାରମ୍ବାର ନଶୁଣି ରହିପାରେନା ।

Support Samadhwani

ଦିନକର କଥା । ସେତେବେଳକୁ ୧୦ ବର୍ଷ ହେବଣି ରାସିଦ ଓ ତୁଷାର ଏକାଠି କଲିକତା ସଙ୍ଗୀତ ରିସର୍ଚ୍ଚ ଏକାଡ଼େମୀରେ ଶିକ୍ଷା ଗ୍ରହଣ କରୁଛନ୍ତି । ସେଦିନ ତୁଷାର ସହିତ ରାସିଦ୍ ବାହାରିଛନ୍ତି କିଛି କାମରେ । ହାତରେ ବାଇକ୍। ରାସିଦ୍ ଚଲଉଛନ୍ତି । ହଠାତ୍ ଗାଡ଼ିରୁ ତୁଷାର ଖସିପଡ଼ିଲା । କ’ଣହେଲା ବୋଲି ରାସିଦ୍ ଚାହିଁଲା ବେଳକୁ ଗାଡ଼ିଯାଇ କେଉଁଠି ଗୋଟେ ପିଟି ଯାଇଛି । ତୁଷାର ବିଚରା ତଳକୁ ଧକ୍କା ସମୟରେ ଖସି ପଡ଼ିଛି । ସାମ୍ନାରୁ କେହି ପଚାରିଲେ । କ’ଣ ହେଲା ଭାଇ । ଏମିତି କିଏ ଗାଡ଼ି ଚଳାଏ । ଶିଖି ନାହଁ କି? ଦୁଇଜଣଯାକ ଭୂଲ ହେଇଗଲା କହି ସେଠୁ ଭାଗିଲେ । ତୁଷାର କହିଲା ଆରେ ତୁ ମୋତେ କେତେଥର ଗାଡ଼ିରୁ ଖସେଇଲୁଣି ଗଣିଛୁ?

ରାସିଦ୍‌: ତୁ ଗଣିକି ରଖ । ମୁଁ ଗଣିନି ।

ତୁଷାର: ଆରେ ତୁ ଗାଡ଼ି ଚଲେଇବା ବେଳେ କ’ଣ ଭାବୁଛୁ କହିଲୁ? ରାସିଦ୍ କହିଲା ୟମନ୍ ।

Support Samadhwani

ତୁଷାର: ଗାଡ଼ି ଚଲେଇଲାବେଳେ ୟମନ୍ କ’ଣ?

ରାସିଦ୍‌: ଗୋଟେ ଛୋଟ ଆଳାପଟାରେ ପୁରା ସୁର ଲାଗୁନଥିଲା । ତିନିଥର ଗାଇଲିଣି । ଚେଷ୍ଟା କରୁଥିଲି ସୁରଟା ଲାଗିଲା ବେଳକୁ ତୁ ଖସିପଡ଼ିଲୁ । ମୁଁ କ’ଣ କରିଥାନ୍ତି ଯେ ।

ତୁଷାର : ଆରେ ତୁ ମୋତେ ମାରିବୁ ନା କ’ଣ? ମୋତେ ତଳେ ପକେଇ ଦେଇ କହୁଛୁ କ’ଣ ନା ସ୍ୱର ଲଗଉଛୁ ।

ରାସିଦ୍‌: ମୁଁ କ’ଣ ଜାଣିଛି ତୁ ମୋ ପଛରେ ବସିଛୁ ବୋଲି ।

ତୁଷାର: ଆରେ ମାରିବୁ ନା କ’ଣ? ମୋତେ ଡ଼ାକିଲୁ ବଜାର ଯିବା ଆସେ । ମୁଁ ଉସ୍ତାଦ୍ ଙ୍କ ସହିତ ବିଚରା ବସିକି କଥା ହେଉଥିଲି । ଡ଼ାକିଆଣିକି କହୁଛୁ ମୁଁ ଜାଣିନି । ମାରିଦେବ ଇଏ ।

ରାସିଦ୍‌: ଓଃ ହଁ ହଁ । ମୁଁ ତୋତେ ଡ଼ାକିଥିଲି । ହଁ ହଁ । ଏବେ ମନେପଡ଼ିଲା ।

ତୁଷାର: ଆରେ ମନେପଡ଼ିଲା କ’ଣ? ତୁ କେଉଁ ଦୁନିଆରେ ରହୁଛୁ କି? ରାସିଦ୍ ହସି ଦେଇ କହିଲେ, କ’ଣ କରିବି ତୁଷାର ସେତେବେଳୁ ଗୋଟେ ସ୍ୱର ମୁଣ୍ଡରେ ପଶିଛି । ସେ ମୋ ଗଳାରେ ନଉଠିବା ଯାଏ ମୋ ଭିତରେ ଏମିତି ସ୍ୱର ବୁଲୁଥିବ । ଆରେ ଇଏ କି ପାଗଳକିରେ, ତୁଷାର ନିଜ ଦେହରୁ ଧୂଳି ଝାଡ଼ୁ ଝାଡ଼ୁ କହିଲା ।

ତୁଷାର: ଚାଲ ଚାଲ । ମଣିଷକୁ ମାରିଦେବ ସ୍ୱର ଚକରରେ । ମୁଁ କ’ଣ ଶିଖୁନି । ସାଧନା କରୁନି । ଘଣ୍ଟା ଦେଖି ପାଞ୍ଚ ଛଅ ଘଣ୍ଟା ଭୋରୁ ସାଧନ କରୁନି । ମୋର ତ କାହିଁ ଏମିତି ସ୍ୱର ବୁଲୁନି ମୁଣ୍ଡରେ । ତୁ ବୁଝିଲୁ ମଣିଷ ଜୀବନ ନେଇଯିବୁ । ରାସିଦ୍ ଆଉ ତୁଷାରର କଥାକୁ ଧ୍ୟାନ ନଦେଇ ଖୁବ ଜୋରରେ ଗାଡ଼ି ଛାଡ଼ିଦେଲା । ଏକଦଫାରେ ଗାଡ଼ିଯାଇ ରହିଲା ଗଙ୍ଗା କୂଳରେ।

ତୁଷାର: ଆରେ ଏଠି କ’ଣ କରିବା ।

ରାସିଦ୍‌: ସଙ୍ଗୀତ ।

ତୁଷାର: କ’ଣ ନଦୀରେ?

ରାସିଦ୍‌: ନିଜେ ଗାଇବା ।

ତୁଷାର ନିଜେ ନିଜେ କ’ଣ ଗାଇବା କହିଲୁ?

ରାସିଦ୍‌: ତୁ ବସ । ଶୁଣ ଚୁପଚାପ୍ । ମୋତେ କହ ଏଇ ଆଳାପଟା କେମିତିି ଲାଗୁଛି ।

ଗଙ୍ଗା କୂଳରେ ସ୍ୱର ଲଗେଇଲେ ରାସିଦ୍ । ରାଗ ୟମନ୍ । ମନେ ହେଉଛି ଯେମିତି କେହି ବଡ ଉସ୍ତାଦ୍ କି ପଣ୍ଡିତ ଗାଉଛନ୍ତି । ସେଥିରେ ପୁଣି ଛୋଟ ଛୋଟ ତାନ୍‌, ଲୟକାରୀ, କିଛି କିଛି ନୂଆ ଛଟା । କିଛି ସମୟ ଶୁଣିବା ପରେ ତୁଷାର କହିଲା, ତୁ ତ ପୁରା ଉସ୍ତାଦ୍ ଅମୀର ଖାଁ ସାହାବଙ୍କ ପରି ଗାଉଛୁ । ରାସିଦ୍ ଟିକେ ମୁରୁକି ହସି କାନରେ ଦୁଇ ହାତ ଦେଇ କହିଲା; ଆରେ ଚଣ୍ଡାଳ କାହା ନାଁ ତୁ ଧରିଲୁ ।

ରାସିଦ୍‌: ମୁଁ କାହାକୁ ଅନୁକରଣ କରୁନି । ଉସ୍ତାଦମାନଙ୍କ ଗାୟକିକୁ ଶୁଣି ସେ ଭିତରେ ନିଜର ଏକ ପରିଚୟ ସୃଷ୍ଟି କରିବାପାଇଁ ମୁଁ ଚେଷ୍ଟା କରୁଛି । ମୁଁ ମୋର ନିଜର ଷ୍ଟାଇଲ ତିଆରି କରିବାକୁ ଚାହୁଁଛି । କାହା ଛାୟାରେ ଗାଇବାକୁ ଚାହୁଁନି ।

ତୁଷାର: ହେଲେ ତୁ ଯେମିତି ତାନ୍‌, ଅଳଙ୍କାର ଆଉ ଲୟକାରୀ କରୁଛୁ ମୋତେ ବେଳେବେଳେ ଲାଗୁଛି ନିଜେ ଉସ୍ତାଦ୍ ଅମୀର ଖାଁ ସାହାବ କି ପଣ୍ଡିତ ଭୀମସେନ୍ ଯୋଶୀ ଗାଉଛନ୍ତି । ଏମିତି କେମିତି କରୁଛୁ?

ରାସିଦ୍‌: ଗାଇବା, ବଜେଇବା ଏମିତି ଜିନିଷ ତୁଷାର କ’ଣ କହିବି ତୋତେ । ଏମିତିରେ ପିଲାବେଳୁ ମୋତେ ତ ପଣ୍ଡିତ ଭୀମସେନ ଯୋଶୀ, ଉସ୍ତାଦ୍ ଅମୀର ଖାଁଙ୍କୁ ଶୁଣିବାକୁ ବହୁତ ଭଲଲାଗେ । ଏମାନଙ୍କୁ ମୁଁ ବହୁତ ଶୁଣେ । କିନ୍ତୁ ଜାଣିଲୁ ଗାଇବାବେଳେ ମୁଁ ମୋ ନିଜ ଷ୍ଟାଇଲରେ ଗାଏ । ନିଜ ଅନ୍ଦାଜରେ ଗାଏ । ମୋର କିଛି ନିଜର ନୂଆ ଛଟା ସେଥିରେ ରଖିବାକୁ ପ୍ରୟାସ କରେ ।

ତୁଷାର: ଏତେ ଛୋଟ ଛୋଟ ତାନ୍ ତୁ କରୁ ମୋତେ ତୋର ସେହି ତାନ୍ ବହୁତ ୟୂନିକ୍ ଲାଗେ।

ରାସିଦ୍‌: ସେଇଟା ତ ଆମ ରାମପୁର ସେହେସ୍ୱାନ ଘରାନାର ସବୁଠୁ ଖାସ୍ ଜିନିଷ । ସେଇ ଷ୍ଟାଇଲ୍ ତ ମୁଁ ନିଶ୍ଚୟ କରିବି ।

ତୁଷାର: ଆମେ ତ ଦୁଇଜଣ ଏକାଠି ସଙ୍ଗୀତ ରିସର୍ଚ୍ଚ ଏକାଡ଼େମୀରେ ଯୋଗଦେଇଛନ୍ତି । ବହୁତ ପିଲା ବି ଆସିଛନ୍ତି । ହେଲେ ତୁ ଯେମିତି ଷ୍ଟାଇଲରେ ଗାଉଛୁ ସେଇଟା ନିଆରା । ସମସ୍ତେ ତୋତେ ଶୁଣିବାକୁ ଭଲ ପାଉଛନ୍ତି ।

ରାସିଦ୍‌: ସେଇଟା ବହୁତ ଶୁଣିବା ପରେ ଆସିଛି । ଦେଖ ଆଉ ଟିକେ ଆଗରୁ ତୁ ମୋତେ ଗାଳି କରୁଥିଲୁ । ମୁଁ ଯେଉଁ କାମରେ ଯାଉଥିଲି ଗାଡ଼ି ଧକ୍କା ହେଲାବେଳେ ଭୁଲିଗଲି । ଏଠି ଆମେ ଏତେ ସମୟ ଗପିଲେଣି ତଥାପି ମନେ ପଡ଼ୁନି କାହିଁକି ଘରୁ ବାହାରିଥିଲି । ମୁଁ ତ ସବୁବେଳେ କିଛି ସ୍ୱର ଖୋଜୁଛି । ଭିତରେ ସଙ୍ଗୀତ ଚାଲୁଛି । ସେଇଟା ମୋତେ ଭଲ ଲାଗୁଛି । ମୁଁ ଯେଉଁ ଦିନରୁ ଏଠିକି ଆସିଲିଣି ମୋ ଗୀତ ଶୁଣିବାପାଇଁ ପଣ୍ଡିତ ରବିଶଙ୍କର ଜୀ ଅନେକଥର ଆସିଛନ୍ତି । ମୋର ଭାଗ୍ୟ ବଡ଼ ବଡ଼ ଉସ୍ତାଦ୍‌, ପଣ୍ଡିତ ଏକାଡ଼େମୀକୁ ସବୁବେଳେ ଆସୁଛନ୍ତି ଶୁଣିବାପାଇଁ । ମୋତେ ସେଇଟା ବହୁତ ଭଲ ଲାଗୁଛି ଓ ନୂଆକରି କିଛି କରିବାପାଇଁ ପ୍ରେରଣା ଦେଉଛି । ଆଉ ମୁଁ ଯେଉଁ ଭଲ ଗାଉଛି ବୋଲି କହୁଛୁ ସେଇଟା ତ ପୁରା ମୋ ଗୁରୁ ଉସ୍ତାଦ୍ ନିଶାର ହୁସେନ ଖାଁ ସାହାବଙ୍କୁ ଶ୍ରେୟ ଯାଉଛି । ମୁଁ ତାଙ୍କ ବିନା କିଛି ନୁହଁ ।

ତୁଷାର: ମାନେ ତୋ ଆର୍ମି ଅଫିସର ଅଜାଙ୍କ କଥା କହୁଛୁ ତ ?

ରାସିଦ୍‌: ହଁ ଆର୍ମି ଅଫିସରର ଅନ୍ଦାଜ୍ ତାଙ୍କର କିନ୍ତୁ ତାଙ୍କ ଗାୟକି କେତେ ଅଲଗା ଦେଖିଛୁ? ସେଇଟା ତାଙ୍କର ଖାସିୟତ୍ ମାନେ ରାମପୁର ସେହେସ୍ୱାନ ଘରାନାର ଖାସିୟତ୍ ।

ହଉ ତୁଷାର ଏତେବେଳ ହେଲାଣି ଆମେ ଏଠି ଗପୁଛନ୍ତି । ଚାଲ ଚାଲ ରାସ୍ତାରେ ମନେ ପକେଇବା କାହିଁକି ଆସିଥିଲେ । ଏତିକି କହି ଗାଡ଼ି ଷ୍ଟାର୍ଟ କଲେ ରାସିଦ୍ ।

ପଛରେ ବସୁ ବସୁ ତୁଷାର କହିଲା, ତୋ ଗଳାରେ ତାନ୍ କୁଡ଼ିକ ଅଦ୍ଭୁତ ଗଡ଼େ । କେତେ ରକମର ତାନ୍ । ତୁ କ’ଣ ଗାଇବା ବେଳେ ଏତେ ଚିନ୍ତା କରି ଗାଇପାରୁ? ରାସିଦ୍ କହିଲା ଆରେ ଚିନ୍ତା କଲେ ଗାଇବି କେମିତି? ସବୁ ତାଲିମ ଆଉ ଅଭ୍ୟାସ ଯୋଗୁଁ ସମ୍ଭବ । କହିବାକୁ ଗଲେ ସେଇଟା ଗୁରୁ ଉସ୍ତାଦ୍ ନାସିର ହୁସେନ ଖାଁ ସାହାବଙ୍କ ଦାନ । ତୁଷାର କହିଲା ତୋତେ ଚାରିଟା ରାତିରୁ ଉଠେଇ ସେ ସାବାର୍ଡ଼ କରିଛନ୍ତି, ସେଥିପାଇଁ ନାଇଁ ? ନାଁ ନାଁ ସେମିତି ନୁହେଁ । ତୁଷାର: ଆଛା କହିଲୁ ରାସିଦ ତୋ ପିଲାବେଳ ଗପଟା । କେମିତି ତୋତେ ତୋ ସାନା ଅଜା ଶାସନ କରୁଥିଲେ?

ରାସିଦ୍‌: ଦାଦୁ ନଥିଲେ ରାସିଦ୍ କେଉଁଠୁ ଆସନ୍ତା ତୁଷାର । ସେ ମୋର ଦାଦୁ (ଅଜା) ଓ ସେ ହିଁ ମୋର ଗୁରୁ । ମୋତେ ଗୋଟିଏ ସ୍ୱର ଉପରେ ରହିବା ପାଇଁ ଘଣ୍ଟା ଘଣ୍ଟା କହିବେ । ପିଲାଦିନେ ତିନିବର୍ଷ ଧରି କେବଳ ସାରେଗାମା ଅଭ୍ୟାସ କରିଛି । ମୋର ତ ସ୍ୱରକୁ ଘୃଣା ଆସିଯାଇଥିଲା । ଏତେ ସମୟ କାହିଁକି ଗୋଟେ ସ୍ୱର ଗାଇବି ମୁଁ ବୁଝିପାରୁ ନଥିଲି । ତୁ ଏବେ ଯାହା ଦେଖୁଛୁ ସେହି ଅଭ୍ୟାସର କରିସ୍ମା । ମୋ ଦାଦୁ ଯଦି ଗାଳି ଦେଇ ନଥାନ୍ତେ ମୁଁ ଏମିତି ଗାଇବା ସମ୍ଭବ ହେଇ ନଥାନ୍ତା । ତାଙ୍କପାଇଁ କେବଳ ମୁଁ ଗାଇ ପାରୁଛି । ତା ଛଡ଼ା ମୁଁ କଲିକତା ଆସିବା ପରେ ମୋତେ ସ୍କଲାରସିପ୍ ମିଳିଗଲା । ମୁଁ ରୋଜଗାର କଲି । ନିଜେ ଖର୍ଚ୍ଚ କଲି । ସେତେବେଳେ ମୋତେ ଗାଇବାକୁ ବହୁତ ମଜ୍ଜା ଲାଗିଲା । ସଙ୍ଗୀତ ପ୍ରତି ଭଲପାଇବା ଆସିଲା । ତୁଷାର କହିଲା କ’ଣ ପଇସା ? ତୁ ପଇସା ପାଇଁ ଗାଇଲୁ ? ରାସିଦ ହସିଦେଲା ଆଉ କହିଲା ହଁ ପଇସା ମିଳିଲା ମୁଁ ନିଜେ ଖର୍ଚ କରିପାରିଲି । ସେଇଟା ଭାରି ମଜା ଲାଗିଲା ।

ତୁଷାର: ବହୁତ ପିଲା ସ୍କଲାରସିପ୍ ପାଉଛନ୍ତି ମାନେ ପଇସା ପାଉଛନ୍ତି । କେହି କିନ୍ତୁ ତୋ ସରି ଗାଇବାର ମୁଁ ଶୁଣୁନି ।

ରାସିଦ୍‌ ଟିକେ ଗମ୍ଭୀର ଗଳାରେ କହିଲା, ଦେଖ ତୁଷାର ସେମିତି ନୁହଁ । ସମସ୍ତେ ଏକା ପ୍ରକାର ପରିବେଶରୁ ଆସିନାହାଁନ୍ତି । ଗାଇବା ପାଇଁ ତିନିଟା ଜିନିଷ ଏକାସଙ୍ଗେ ଦରକାର ହୁଏ ଅଜା କହୁଥିଲେ । ଗୋଟେ ହେଲା ‘ଗଳା’ ଯେଉଁଟା ଇଶ୍ୱରଙ୍କ ଦାନ, ଦ୍ୱିତୀୟରେ ‘ଉପଯୁକ୍ତ ଗୁରୁଙ୍କ ନିକଟରେ ତାଲିମ୍‌’, ତୃତୀୟଟି ହେଲା ‘ସାଧନା’ । ଏସବୁ ଏକାଠି ହେବା ଗୋଟେ ଯୋଗ । ମୋର ଗୁରୁଙ୍କ କୃପାରୁ ମୁଁ ଗାଉଛି । ତାଛଡ଼ା ମୋର ସବୁବେଳେ ବଡ଼ ବଡ଼ ଉସ୍ତାଦ୍ ମାନଙ୍କର ଗୀତ ଶୁଣିବାରେ ବହୁତ ଆଗ୍ରହ । ସେମାନଙ୍କୁ ପାଖରୁ ଦେଖିଛି । ତୁ ତ ଦେଖିଛୁ, ଉସ୍ତାଦ ଲତାପ ହୁସେନ ଖାଁ ସାହାବ, ଯୋଗ ସାହାବ, କାନନ ଅଙ୍କଲ, ରାୟଚାନ୍ଦ ଜୀ, ମାଳବିକା ଦି, ଦୀପାଲି ଦି, ଉମର ଖାଁ ସାହାବ, ହୀରାବାଈ ବଳୋତ୍କର ଜୀଙ୍କ ଭଳି ବଡ ବଡ କଳାକାର ମାନଙ୍କ ଆମ ଆସରମାନଙ୍କୁ ଆସିବା । ଏମାନଙ୍କ ସଙ୍ଗତ ମିଳିବା କ’ଣ କେବେ ଛୋଟ କଥା । ପଣ୍ଡିତ ଜ୍ଞାନପ୍ରକାଶ ଘୋଷ ତ ମୋତେ ବହୁତ ଭଲ ପାଆନ୍ତି । ସେତେବେଳେ ଏମିତି ହେଉଥିଲା ଯେ ବୋଲକୁ ଦବେଇ ଚୋବେଇ ପକାନ୍ତି । ଜ୍ଞାନ ଦାଦୁ ସବୁବେଳେ କହୁଥିଲେ ବେଟା ବୋଲକି ତରଫ ଧ୍ୟାନ ଦୋ । ଧୀରେ ଧୀରେ ସେମାନଙ୍କ କଥାକୁ ପାଳନ କରିବାକୁ ଚେଷ୍ଟା କଲି । ସେଥିରେ ଯେତିକି ହାସଲ କରିଛି । ଅନେକ କଥା ଆହୁରି ଶିଖିବାକୁ ବାକି ଅଛି ।

ତୁଷାର କ୍ଳାନ୍ତି ଭରା ସ୍ଵରରେ କହିଲା ହଉରେ ଭାଇ । ଏବେ ଗାଡ଼ି ରଖ । ଘର ଆସିଗଲା । ପ୍ରାଣ ଆଜି ବଞ୍ଚିଗଲା ଜାଣ । ଏମିତିରେ ରାତି ଘଡ଼ିଏ ହେଲାଣି । ଆଜି ବୁଧବାର । ଏକାଡ଼େମୀରେ ଆସର ସମୟ ହେଲାଣି । କିସକୁ ସାହାବ ତୋତେ ଖୋଜୁଥିବେ । ରାସିଦ୍ ହସି ଦେଇ କହିଲା ଆଉ ତୁ? ତୋ ବିନା ଆସର ଜମିବ କେମିତି ? ଏମିତି କଥା ହୋଇ ହୋଇ ଦୁଇ ବନ୍ଧୁ ସଙ୍ଗୀତ ରିସର୍ଚ୍ଚ ଏକାଡ଼େମୀ ଆଡ଼େ ଚାଲିଲେ ।

Share This Article
Ms Swayamprava Parhi is a vocal artist and a cultural journalist. She is the Chief Editor of Samadhwani Cultural Magazine (www.samadhwani.com), and director of Samadrusti Mukta Vidyalaya and Samadhwani Sanskrutika Gabeshana Kendra. Swayamprava has been involved in the Village Biography Writing Initiatives with school students since 2005.She also happens to be a Documentary Filmmaker and a Pod caster.