ଓଡ଼ିଶୀ ନୃତ୍ୟର କ୍ରମ ବିବର୍ତ୍ତନ

Chief Editor
Chief Editor 122 Views
14 Min Read

ଶାସ୍ତ୍ର ଶବ୍ଦରୁ ଉତ୍ପତ୍ତି ହୋଇଛି ଶାସ୍ତ୍ରୀୟ ଶବ୍ଦ । ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ଶାସ୍ତ୍ରୀୟ ନୃତ୍ୟର ପରମ୍ପରା ରହିଛି । ଏହି ନୃତ୍ୟଗୁଡ଼ିକ ଆଠ ପ୍ରକାରର, (୧) ଭାରତ ନାଟ୍ୟମ, (୨) କଥକ, (୩) କରକଲି, (୪) କୁଚିପୁଡ଼ି, (୫) ମଣିପୁରୀ, (୬) ମୋହିନୀ ୟାଟ୍ଟମ୍, (୭) ଓଡ଼ିଶୀ, (୮) ଶାସ୍ତ୍ରୀୟ । ଉପରୋକ୍ତ ନୃତ୍ୟ ଗୁଡ଼ିକର ପ୍ରାଚୀନତା ଆମର ବିଭିନ୍ନ ଉପାସନା କ୍ଷେତ୍ର ଅର୍ଥାତ୍ ମନ୍ଦିର ମାନଙ୍କରେ ଖୋଦିତ ଶିଳା ଲିପି ଓ ବିଭିନ୍ନ ମୂର୍ତ୍ତିମାନଙ୍କୁ ଦେଖିଲେ ବୁଝିହୁଏ । ଭାରତ ବର୍ଷର ପୂର୍ବ ଉପକୂଳରେ ଓଡ଼ିଶା ଅବସ୍ଥିତ । ଓଡ଼ିଶାକୁ ବିଭିନ୍ନ ନାମରେ ଯଥା ଉଡ଼୍ର, ଉତ୍କଳ ଓ କଳିଙ୍ଗ ଭାବରେ ଇତିହାସରେ ବର୍ଣ୍ଣନା କରାଯାଇଛି। ଓଡ଼ିଶାର ବିିଭିନ୍ନ ଅଂଚଳରେ ବିଭିନ୍ନ ପ୍ରକାରର ଲୋକ ନୃତ୍ୟ ତଥା : ଘୋଡ଼ା ନାଚ, ଚଢ଼େୟା ନାଚ, ନାଗା ନାଚ୍, ଲଉଡ଼ି ନାଚ, ପାଟୁଆ ନାଚ, ରସରକେଲି, ଡ଼ାଲଖାଇ, ରଣପା ନାଚ ପ୍ରଚଳିତ । ଲୋକ ନୃତ୍ୟ ବ୍ୟତୀତ କେତେକ ଆଦିବାସୀ ନୃତ୍ୟ ଯଥା : ଦେଶୀଆ, ଗଡ଼ବା, କନ୍ଧ ନାଚ, ପରଦା ନାଚ ଓ ସଉରା ନାଚ ମଧ୍ୟ ଲୋକମାନଙ୍କର ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ ।

Support Samadhwani

ଓଡ଼ିଶୀ ଏକ ଅତି ପ୍ରାଚୀନ ନୃତ୍ୟ । ପୁରୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ସଂସ୍କୃତି ସହ ଏହି ନୃତ୍ୟର ଏକ ନିବିଡ଼ ସମ୍ପର୍କ ପରିଲକ୍ଷିତ ହୁଏ । ମାତ୍ର ଓଡ଼ିଶୀ ନୃତ୍ୟର ଇତିହାସ ଅଧ୍ୟୟନରୁ ଜଣାପଡ଼େ ଯେ ଏହା ଜଗନ୍ନାଥ ମନ୍ଦିରର ବହୁ ପୂର୍ବରୁ ଅର୍ଥାତ୍ ୧୨୦୦ ବର୍ଷ ତଳୁ ପ୍ରଚଳିତ ଥିଲା । ରାଣୀ ଗୁମ୍ଫାର ପଥର ଖୋଦେଇ ଓ ଶିଳାଲିପି ଓଡ଼ିଶାର ପ୍ରାଚୀନତା ବର୍ଣ୍ଣନା କରେ । ଖଣ୍ଡଗିରିର ହାତୀ ଗୁମ୍ଫା ଜଣାଇ ଦିଏ ଯେ ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ ସମ୍ରାଟ୍ ଖାରବେଳଙ୍କ ସମୟରେ ଓଡ଼ିଶୀ ନୃତ୍ୟ ରାଜପରିବାରରେ ପରିବେଷଣ କରାଯାଉଥିଲା । ଉଦୟଗିରିର ଶିଳାଲିପି ମଧ୍ୟ ଅନୁରୁପ ତଥ୍ୟ ପ୍ରଦାନ କରିଥାଏ । ଲଳିତଗିରି ଓ ରତ୍ନଗିରିରେ ଥିବା ବୌଦ୍ଧ କୀର୍ତି ଅନୁଧ୍ୟାନ କଲେ ଓଡ଼ିଶୀର ପ୍ରାଚୀନତାର ପ୍ରମାଣ ମିଳିଥାଏ ।

ଓଡ଼ିଶୀ ଏକ ସର୍ବପୁରାତନ ଶାସ୍ତ୍ରୀୟ ନୃତ୍ୟ : ପୂର୍ବ ଭାରତର ଆଧ୍ୟାତ୍ମିକ କେନ୍ଦ୍ର ଓଡ଼ିଶାର ହିନ୍ଦୁ ମନ୍ଦିର, ବୌଦ୍ଧ ପୀଠ ଓ ଜୈନ କ୍ଷେତ୍ର ଗୁଡ଼ିକ ପରିଦର୍ଶନ ଓ ଅନୁଧ୍ୟାନ କଲେ ଜଣାଯାଏ ଯେ ଓଡ଼ିଶୀ ଭରତ ମୁନୀଙ୍କର ନାଟ୍ୟଶାସ୍ତ୍ର ରଚନା ପୂର୍ବରୁ ମଧ୍ୟ ଥିଲା । ଖ୍ରୀ.ପୂ ପ୍ରଥମ ଶତାବ୍ଦୀରେ ମଧ୍ୟ ନୃତ୍ୟରତ ନୃତ୍ୟଶିଳ୍ପୀର ଭଙ୍ଗି ପଥର ଖୋଦେଇରେ ଦେଖିବାକୁ ମିଳେ । ଖଣ୍ଡିଗିରି ଠାରେ ଏପରି ପଥର ଖୋଦେଇ ସବୁ ବୃତାକାରରେ ସଜ୍ଜିତ ରହିଛନ୍ତି ଯେଉଁଥିରୁ ତତ୍କାଳୀନ ନୃତ୍ୟ ଶୈଳୀ ଓ ବାଦ୍ୟଯନ୍ତ୍ର ମାନଙ୍କର ସୂଚନା ମିଳେ ।

ଓଡ଼ିଶୀର ପୃଷ୍ଠପୋଷକତାରେ ଓଡ଼ିଶାର ରାଜବଂଶ :-

Support Samadhwani

ଶୈଳଦ୍ଭବ ବଂଶୀୟ ଶାସକମାନେ ଦକ୍ଷିଣ ଓ କେନ୍ଦ୍ରିୟ ଓଡ଼ିଶାରେ ଷଷ୍ଠ ଶତାବ୍ଦୀରୁ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରୁଥିଲେ । ସେମାନେ ଶୈବ ଥିବାରୁ ବିଭିନ୍ନ ସ୍ଥାନରେ ଶିବ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରରେ ଥିବା ପଥର ଖୋଦେଇରୁ ତତ୍କାଳୀନ ଶିଳ୍ପୀର ଚମତ୍କାର କଳା କାରିଗରି ସହ ସେତେବେଳେ ଯେ ନୃତ୍ୟ କଳାର ଆଦର ଥିଲା ତାହା ପ୍ରତୀୟମାନ ହୁଏ । ପର୍ଶୁରାମେଶ୍ୱର ମନ୍ଦିରରେ ଥିବା ମୂର୍ତି ମାନଙ୍କର ତ୍ରିଭଙ୍ଗୀ ଓ ବୈକ ଠାଣି ଓଡ଼ିଶୀ ନୃତ୍ୟର ଦୁଇଟି ମୌଳିକ ଅଙ୍ଗଭଙ୍ଗୀର ସାକ୍ଷୀ ଦେଇଥାଏ । କେଶରୀ ବଂଶୀୟ ଶାସକମାନେ ନବମରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ । କେଶରୀ ମାନେ ବୀରତ୍ୱ ସହ କଳାକୃତିକୁ ମଧ୍ୟ ଯଥେଷ୍ଟ ସମ୍ମାନ ପ୍ରଦାନ କରୁଥିଲେ । ଲୋକମାନଙ୍କର ଆର୍ଥିକ ଭାବନା ତଥା କଳା ଓ ସଂସ୍କୃତିର ବିକାଶକୁ ଦୃଷ୍ଟିରେ ରଖି ସେମାନେ ନିଜ ଦରବାରରେ ନୃତ୍ୟ ଶିଳ୍ପୀ ମାନଙ୍କୁ ନିଯୁକ୍ତି ଦେଉଥିଲେ । ଭୁବନେଶ୍ୱରର ଅନେକ ଶିବ ମନ୍ଦିର ସେହି ସମୟରେ ନିର୍ମିତ । ଯଜାତିକେଶରୀ ମୁକ୍ତେଶ୍ୱର ମନ୍ଦିର ନିର୍ମାଣ କରିଥିଲେ । ସେଥିରେ ଥିବା କଳା କାରିଗରୀର କୌଣସି ପଟାନ୍ତର ନାହିଁ । ପ୍ରସିଦ୍ଧ ଶୈବ କ୍ଷେତ୍ର ଲିଙ୍ଗରାଜ ମନ୍ଦିର ମଧ୍ୟ ତାଙ୍କର କୃତୀ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କର ରାଣୀ କଳାବତୀଙ୍କର ନିର୍ଦ୍ଦେଶରେ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା । ଓଡ଼ିଶା ଇତିହାସରେ ସର୍ବପ୍ରଥମେ ଏହି ମନ୍ଦିରର ନାଟ ମଣ୍ଡପରେ ମାହାରି ନିଯୁକ୍ତି ପାଇଥିଲେ । ମାହାରୀମାନେ ନାଟ୍ୟ ମଣ୍ଡପରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରୁଥିଲେ । ନବମ ଶତାବ୍ଦୀରୁ ଏହି ପରମ୍ପରା ଆରମ୍ଭ ହୋଇଥିଲା । ଯଯାତି କେଶରୀ ନୃତ୍ୟ କଳା ପ୍ରତି ଏତେ ମାତ୍ରାରେ ଆକୃଷ୍ଟ ଥିଲେ ଯେ ତାଙ୍କୁ ନୃତ୍ୟକେଶରୀ ନାମରେ ମଧ୍ୟ ସମ୍ବୋଧନ କରାଯାଉଥିଲା । କେଶରୀମାନଙ୍କ ପରେ ତାଙ୍କ ବଂଶ୍ରୀ ରାଜାମାନେ ରାଜୁତି କରୁଥିଲେ । ଏହି ସମୟରେ ଓଡ଼ିଶାର ଗୌରବ ସୁଦୂର ପ୍ରସାରୀ ହୋଇପାରିଥିଲେ । ୧୦୭୮ ଖ୍ରୀଷ୍ଟବ୍ଦରୁ ୧୪୩୪ଖ୍ରୀ ତିନିଶହ ଛପନ ବର୍ଷ ଧରି ଗଙ୍ଗବଂଶୀ ରାଜାମାନେ ଓଡ଼ିଶାକୁ ଶାସନ କରିଥିଲେ । ସେତେବେଳେ ଓଡ଼ିଶା ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଗଙ୍ଗବଂଶୀୟ ରାଜାମାନଙ୍କ ଶାସନର ପ୍ରାରମ୍ଭରେ ଭୁବନେଶ୍ୱର ରାଜା-ରାଣୀ ମନ୍ଦିର ନିର୍ମାଣ ହୋଇଥିଲା । ଏହି ମନ୍ଦିରର ଛତ୍ରେ ଛତ୍ରେ ଓଡ଼ିଶୀ ନୃତ୍ୟର ଉତ୍କର୍ଷତାର ଚିହ୍ନ ଦେଖିବାକୁ ମିଳିଥାଏ । ମନ୍ଦିରର ପ୍ରସ୍ତର କାନ୍ଥ ମାନଙ୍କରେ ଲାସ୍ୟମୟୀ ନର୍ତନ ଠାଣିରେ ଦେବୀ ପାର୍ବତୀ ଓ ନଟରାଜଙ୍କର ମୂର୍ତି ବହୁ ପରିବ୍ରାଜକଙ୍କୁ ଆକୃଷ୍ଟ କରିବା ସହ ବିସ୍ମିତ ମଧ୍ୟ କରିଥାଏ । ଓଡ଼ିଶାକୁ ତଥା ଓଡ଼ିଆମାନଙ୍କୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସମାନ ପ୍ରଦାନ କରିଥିବା ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଗଙ୍ଗ ବଂଶର ରାଜା ଅନନ୍ତ ଚୋଡ଼ଗଙ୍ଗ ଦେବ ନିର୍ମାଣ କରିଥିଲେ । (ଯଦିଓ ଏହାର ପୌରାଣିକ ମତ ଭିନ୍ନ ପ୍ରକାର) ଏହି ମନ୍ଦିର ୧୧୩୫ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇ ୧୧୪୭ ଖ୍ରୀଷ୍ଟାବ୍ଦରେ ସମାପ୍ତ ହୋଇଥିଲା । ପୁରୀ ମନ୍ଦିରର ଇତିହାସ ଲିପିବଦ୍ଧ ଥିବା ମାଦଳା ପାଞ୍ଜିରୁ ଏହି ତଥ୍ୟର ସତ୍ୟତାର ପ୍ରମାଣ ମିଳିଥାଏ । ଜଗନ୍ନାଥ ମନ୍ଦିରରେ ଦ୍ୱାଦଶ ଶତାବ୍ଦୀରୁ ନୃତ୍ୟ ପରମ୍ପରା ପ୍ରତିଷ୍ଠିତ ହୋଇଥିଲା । ଭାରତର ବହୁ ସ୍ଥାନରେ ମନ୍ଦିର ମାନଙ୍କରେ ଦେବଦାସୀ ପ୍ରଥା ପ୍ରଚଳିତ ଥିଲା । ଦେବ ଦାସୀ ମାନେ ନାଟ ମଣ୍ଡପରେ ନିଜର ନୃତ୍ୟ ପ୍ରଦର୍ଶନ କରୁଥିଲେ । ଏହି ନୃତ୍ୟ ଇଶ୍ୱରଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେଉଥିଲା । ଅନେକ କ୍ଷେତ୍ରରେ ଏହି ଦେବଦାସୀମାନଙ୍କୁ ଉପଯୁକ୍ତ ସାମାଜିକ ଓ ଆର୍ଥିକ ସ୍ୱୀକୃତି ମିଳିପାରୁ ନଥିଲା । ଏହି କାରଣରୁ ଏହି ପ୍ରଥା ଲୋପ ପାଇଗଲା ।

ମାହାରି ପ୍ରଥା ଓ ମାହାରି ନାଚ :

ଜଗନ୍ନାଥଙ୍କ ସମ୍ମୁଖରେ ନୃତ୍ୟ କରୁଥିବା ନୃତ୍ୟାଙ୍ଗନା ମାନଙ୍କୁ ମାହାରି କୁହାଯାଏ । ଜଗତର ନାଥ ଜଗନ୍ନାଥଙ୍କୁ ପ୍ରୀତି ପ୍ରଦାନ କରିବା ମାହାରି ମାନଙ୍କର ଲକ୍ଷ । ତାଙ୍କର ବିଶ୍ରାମ ସମୟରେ ଅର୍ଥାତ୍ ବଡ଼ ସିଂହାର ବେଶ ପରେ ପରେ ଗୀତ ଗୋବିନ୍ଦର ସଙ୍ଗୀତ ଗାନ କରିବା ସହ ଲାସ୍ୟମୟୀ ନୃତ୍ୟ ପ୍ରଦର୍ଶନ କରି ପଲକ ପାତ ନ ହେଉଥିବା ଚକା ନୟନଙ୍କୁ ତନ୍ଦ୍ରାଚ୍ଛନ୍ନ, କରାନ୍ତି । ସକାଳ ଧୂପର ଆରମ୍ଭ ପୂର୍ବରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ସମୟରେ ପ୍ରଭୂଙ୍କର ନିଦ୍ରାଭଙ୍ଗ ପାଇଁ ଭଜନ ଗାନ କରନ୍ତି । ନାରୀମାନଙ୍କୁ ସମ୍ମାନ ଦେଖାଇ ଇଶ୍ୱରଙ୍କ ସେବା କାର୍ଯ୍ୟରେ ନିୟୋଜିତ କରିବାର ଲକ୍ଷ ନେଇ ମାହାରି ପରମ୍ପରାର ସୃଷ୍ଟି । ଏହି ସେବା ଓ ପ୍ରଥା ଏବେ ବନ୍ଦ ହୋଇଯାଇଛି । ମାହାରି ମାନଙ୍କ ନାଚକୁ ମାହାରି ନାଚ କୁହାଯାଏ । କବି ସୂର୍ଯ୍ୟ ବଳଦେବଙ୍କ ରଚିତ, ବିଭିନ୍ନ ଭକ୍ତି ଓ ଶ୍ରୀଙ୍ଗାର ରସ ଉପରେ ଆଧାରିତ ତଥା ଗୀତ ଗୋବିନ୍ଦର ସଙ୍ଗୀତକୁ ଗାନ କରି ମାହାରି ମାନେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ସେମାନଙ୍କର ଶ୍ରୀଙ୍ଗାର ଓ ଅଙ୍ଗ ଚାଳନାରେ ଓଡ଼ିଶୀ ସହ ସାମଞ୍ଜସ୍ୟ ଥିବାରୁ ଏହି ପ୍ରସଙ୍ଗରେ ତା’ର ଅବତାରଣା ପ୍ରାସଙ୍ଗିକ ମନେ ହୁଏ ।

ଗୋଟିପୁଅ ପରମ୍ପରା :

ପଟୁଆରି ମାହାରି ମାନେ ଚନ୍ଦନ ଯାତ୍ରା ଓ ବିଭିନ୍ନ ପର୍ବ ପର୍ବାଣୀରେ ଠାକୁର ମନ୍ଦିର ବାହାରକୁ ପଟୁଆରିରେ ଯାତ୍ରା କଲାବେଳେ ସଙ୍ଗୀତ ଗାନ କରିଥାନ୍ତି । ଠିକ୍ ସେମିତି ଗୋଟିପୁଅମାନେ ଠାକୁରଙ୍କ ସମ୍ମୁଖରେ ନାଚି ନାଚି ପଟୁଆରର ସୌନ୍ଦର୍ଯ୍ୟ ବଢ଼ାଇଥାନ୍ତି । ଗୋଟିପୁଅ ପରମ୍ପରା ପୁରୀର ଏକ ପ୍ରସିଦ୍ଧ ଏବଂ ପ୍ରାଚୀନ ପରମ୍ପରା ଅଟେ । ପୁରୀକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ଲାଗି ଅଖଡ଼ା ଘର ମାନ ଅଛି । ଆଖଡ଼ା ଘରମାନଙ୍କରେ କିଶୋର ଓ ତରୁଣ ମାନଙ୍କୁ ନାନା ପ୍ରକାର କୁସ୍ତି କସରତ ଓ ଶରୀର ଚର୍ଯ୍ୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଏ । ଆଖଡ଼ାରେ ପ୍ରଶିକ୍ଷିତ ହେଉଥିବା ଶିକ୍ଷାର୍ଥୀ ମାନେ ଜଗନ୍ନାଥଙ୍କ ଉପରେ କିମ୍ବା ପୁରୀ ଉପରେ କିଛି ବିପଦ ପଡ଼ିବାର ଆଭାସ ପାଇବା ମାତ୍ରେ ନିଜର ଜୀବନ ବିପନ୍ନ କରି ବଳ ଓ କୌଶଳ ପ୍ରୟୋଗ କରି ଠାକୁରଙ୍କୁ ରକ୍ଷା କରିଥାନ୍ତି । ସେମାନେ ବୀରତ୍ୱର ପ୍ରଦର୍ଶନ ସହ କଳା ଓ ସଂସ୍କୃତିର ଅନୁରୂପ ପ୍ରଦର୍ଶନ ମଧ୍ୟ କରିଥାନ୍ତି । ନିଜକୁ ଓଡ଼ିଶୀ ନୃତ୍ୟାଙ୍ଗନା ମାନଙ୍କପରି ସଜାଇ ଅପୂର୍ବ କଳା କୌଶଳ ପ୍ରଦର୍ଶନ କରନ୍ତି । ରାଧା, କୃଷ୍ଣଙ୍କର ଲୀଳା ଉପରେ ପର୍ଯ୍ୟବେଶିତ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ କିମ୍ବଦନ୍ତୀ ଆଧାରରେ ଏମାନେ ଅଭିନୟ ପ୍ରଦର୍ଶନ କରି ଜନମନ ହରଣ କରିଥାନ୍ତି । ଆଜି ଏହି ଗୋଟିପୁଅ ନାଚ ଖାଲି ଓଡ଼ିଶା କିମ୍ବା ଭାରତ ନୁହେଁ ବହୁ ଦେଶ ବିଦେଶରେ ନିଜର ପ୍ରଚାର ଓ ପ୍ରସାର କରିପାରିଛି ।

ଗୋଟିପୁଅ :

ଗୋଟିପୁଅ ଶବ୍ଦଟି କହିଦିଏ ଯେ ଏଥିରେ ଗୋଟିଏ ପୁଅ ନିଜର ଅଙ୍ଗ ଚାଳନା ଦ୍ୱାରା ନୃତ୍ୟ ପ୍ରଦର୍ଶନ କରେ । ପଂଚଦଶ ଶତାବ୍ଦୀରେ ଯେତେବେଳେ ସୂର୍ଯ୍ୟ ବଂଶୀ ରାଜା ଯଥା ପ୍ରତାପ ରୁଦ୍ର ଦେବ, କପିଳେନ୍ଦ୍ର ଦେବ ଓ ପୁରୁଷତମ ଦେବଙ୍କ ରାଜୁତି କାଳରେ ଭାରତର ସର୍ବତ୍ର ମୁସଲମାନ ଶାସକମାନେ ଶାସନ କରୁଥାନ୍ତି । ଓଡ଼ିଶା ମଧ୍ୟ ମୁସଲମାନ ମାନଙ୍କ ଆକ୍ରମଣରୁ ରକ୍ଷା ପାଇପାରି ନଥିଲା । ଏହି ସମୟରେ ଶାସକମାନଙ୍କୁ ସୀମା ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡ଼ୁଥିଲା । ସେହି ସମୟରେ ନାରୀମାନେ ଖୁବ୍ ଅସୁବିଧାରେ ଥିଲେ । ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ଅଧିକାର ମିଳିପାରୁ ନଥିଲା । ସେଥିପାଇଁ ଏହି ଗୋଟି ପୁଅ ସଂସ୍କୃତି ରାଜା ଓ ଜମିଦାର ମାନଙ୍କର ପୃଷ୍ଠପୋଷକତାରେ ଗଢ଼ି ଉଠିଥିଲା ।

ନୃତ୍ୟ ସଂସ୍କୃତିର ତମଚ୍ଛାନ୍ନ ସମୟ :

ପ୍ରତାପରୁଦ୍ର ଦେବଙ୍କ ପରେ ଓଡ଼ିଶାର ମନ୍ଦିର ସମ୍ପଦ ଓ ନୃତ୍ୟ ସଂସ୍କୃତି ଉପରକୁ ବିପଦ ମାଡ଼ି ଆସିଥିଲା । ମୁସଲମାନ, ମୋଗଲ ଓ ବ୍ରିଟିଶ ଶାସକମାନେ ଓଡ଼ିଶାର ଜନ ଜୀବନକୁ ବିପର୍ଯ୍ୟସ୍ତ କରି ତୋଳିଥିଲେ । ସେ ସମୟ ଯେତେବେଳେ ଅନ୍ନ ଚିନ୍ତା ଲାଗିରହିଥିଲା ନୃତ୍ୟ ଗୀତର ଗୁରୁତ୍ତ୍ୱ ହ୍ରାସପାଇଥିଲା, କେବଳ ଗଜପତି ମାନଙ୍କର ବୀରତ୍ୱ, ସାହାସିକତା ଯୋଗୁଁ ପୁରୀ ଜଗନ୍ନାଥ ମନ୍ଦିରରେ ମାହାରି ନୃତ୍ୟ ଚାଲୁ ରହିଥିଲା । କିନ୍ତୁ ମୁସଲମାନଙ୍କ ପ୍ରଭାବରେ ମାହାରିମାନେ ନିଜର ନୈତିକ ବଳ ଧୀରେ ଧୀରେ ହରାଇବାକୁ ଲାଗିଲେ ଯାହାଫଳରେ ମନ୍ଦିର ଭିତରୁ ନାଚ ପ୍ରାୟ ଲୋପପାଇଗଲା । ପାଂଚଦଶ ଶତାବ୍ଦୀରୁ ବିଂଶ ଶତାବ୍ଦୀର ଚାଳିଶ ଦର୍ଶକ ପର୍ଯ୍ୟନ୍ତ ଉତ୍କଳୀୟ ନୃତ୍ୟ ଆକାଶକୁ ଘନ କଳା ବାଦଲ ଢ଼ାଙ୍କି ଦେଲା ।

ଓଡ଼ିଶୀର ପୁନର୍ବାର ଆବିର୍ଭାବ :

                ୧୯୪୭ ମସିହାରେ ଭାରତ ବର୍ଷ ସ୍ୱାଧୀନ ହେଲା ସବୁ ଜାତୀୟବାଦୀ ନେତାମାନେ ନିଜରାଜ୍ୟ ଉକ୍ରଳର ହତଗୌରବକୁ ଫେରାଇ ଆଣିବାକୁ ଯେତେବେଳେ ଅଣ୍ଟା ଭିଡ଼ିଲେ । ସଙ୍ଗୀତ ନାଟକ ଏକାଡ଼େମୀ, ସାହିତ୍ୟ ଏକାଡ଼େମୀ, ଲଳିତକଳା ଏକାଡ଼େମୀ ପରି ଜାତୀୟ ଅନୁଷ୍ଠାନମାନ ପ୍ରତିଷ୍ଠା ହେଲା । ରାଜ୍ୟମାନଙ୍କରେ ମଧ୍ୟ ଅନୁରୂପ ଅନୁଷ୍ଠାନ ମାନ ଖୋଲାଗଲା । ୧୯୪୮ ମସିହାରେ କଟକରେ ସର୍ବଭାରତୀୟ ସଙ୍ଗୀତ ହିସାବରେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କର କେତେକ ଗୀତ ଗାନ କରାଗଲା । କିନ୍ତୁ କବି ସେହି ଗୀତ ଗୁଡ଼ିକୁ ଓଡ଼ିଶୀ ସଙ୍ଗୀତ ଓ ପରେ ପରେ ଏହାର ଶାସ୍ତ୍ରୀୟତା ଦର୍ଶାଇ ଏହାକୁ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ନାମରେ ନାମିତ କଲେ । ବେତାର କେନ୍ଦ୍ରରେ ପ୍ରଚାରିତ ନୃତ୍ୟକୁ ଓଡ଼ିଶୀ କୁହାଗଲା । ୧୯୪୦ ମସିହାରେ ଯେତେବେଳେ ଗୁରୁ ମାୟାଧର ରାଉତ ନୃତ୍ୟ କରୁଥିଲେ ସେତେବେଳେ ଏହି ନୃତ୍ୟକୁ ମାହାରି ନାଚ, ଗୋଟିପୁଅ ନାଚ ତଥା ଦକ୍ଷିଣୀ ନାଟ କୁହାଯାଉଥିଲା । ଓଡ଼ିଶୀକୁ ନିଜର ହୃତ ଗୌରବ ଫେରି ପାଇବାରେ କବି କାଳିଚରଣ ପଟ୍ଟନାୟକ ଏକ ଗୁୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଂଶ ଗ୍ରହଣ କରିଥିଲେ । ୧୯୪୩ ମସିହାରେ ନାଟ୍ୟ କଳାକାର ସରସ୍ୱତୀ ଓ ଶୈଳବାଳାଙ୍କୁ ଗୁରୁ ସିଂହାରୀ ଶ୍ୟାମ ସୁନ୍ଦର କର ଏବଂ ଗୁରୁ ଦୁର୍ଲଭ ଚନ୍ଦ୍ର ସିଂହଙ୍କ ଦ୍ୱାରା ପ୍ରଶିକ୍ଷିତ କରି ‘ଜୟଦେବ’ ନାଟକରେ ମାହାରି ନାଚ ପ୍ରଦର୍ଶିତ କରିଥିଲେ । ତା ପୂର୍ବରୁ ମାହାରି ନାଚ କେବେ ରଙ୍ଗମଂଚରେ ଅଭିନୀତ ହୋଇ ନଥିଲା । ୧୯୪୪ ମସିହାରେ କବି ଗୋଟିପୁଅ ନାଚକୁ ମଧ୍ୟ ପେଶାଦାର ରଙ୍ଗମଂଚରେ ଅତିବଡ଼ି ଜଗନ୍ନାଥ ଦାସ ନାଟକ ମାଧ୍ୟମରେ ପରିବେଷଣ କଲେ । ମାୟାଧର ରାଉତ ଏବଂ ଗୋପକୃଷ୍ଣ ବେହେରା ଏହି ଗୋଟିପୁଅ ଅଭିନୟ କରିଥିଲେ । କାଳିଚରଣଙ୍କ ଦ୍ୱାରା ପ୍ରତିଷ୍ଠିତ କଟକର ଓଡ଼ିଶା ଥିଏଟର ଠାରେ ମାହାରି ନୃତ୍ୟ ଗୁରୁ ମୋହନ ମହାପାତ୍ର ଏହି ନୃତ୍ୟ ସଂଯୋଜନା କରିଥିଲେ । ୧୯୪୪ ରୁ ୧୯୫୪ ଓଡ଼ିଶୀ ପାଇଁ ଥିଲା ଏକ ଘଡ଼ି ସନ୍ଧି ତଥା କଷ୍ଟକର ସମୟ । ଗୁରୁ କେଳୁଚରଣ, ପଙ୍କଜ ଚରଣ, ମାୟାଧର ରାଉତ, ଗୁରୁ ଦେବ ପ୍ରସାଦ ଦାସଙ୍କର ସଂଘର୍ଷ ଓଡ଼ିଶୀକୁ ଦେଇପାରିଥିଲା ଏକ ମାର୍ଜିତ ରୂପ ରେଖ । ୧୯୫୨ ମସିହାରେ ପ୍ରତିଷ୍ଠିତ ହେବାପାଇଁ ଉପଯୁକ୍ତ ଦିଗ୍ ଦର୍ଶନ ଓ ପ୍ରଶିକ୍ଷଣ । ୧୯୫୪ ମସିହାରେ ଦିଲ୍ଲୀଠାରେ ଆୟୋଜିତ ଯୁବ ଉତ୍ସବରେ ଅଂଶଗ୍ରହଣ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ଧୀରେନ୍ଦ୍ର ନାଥ ପଟ୍ଟନାୟକ ଓ ଛାତ୍ରୀ ପ୍ରିୟମ୍ବଦା ମହାନ୍ତି । ସେମାନଙ୍କ ଏକକ ନୃତ୍ୟ ପରିବେଷଣ ସମବେତ ଦର୍ଶକଙ୍କୁ କରିଥିଲା ମୁଗ୍ଧ ଓ ବିଭୋର । ସେମାନେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିଲେ। ସେମାନଙ୍କର ବ୍ୟକ୍ତିଗତ ପୁରସ୍କାର ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଜାତୀୟ ସ୍ତରର ସମ୍ବାଦପତ୍ର ‘ଦି ଷ୍ଟେଟ୍ସମ୍ୟାନରେ’ ପରିବେଷିତ ସେହି ନୃତ୍ୟ ସମ୍ପର୍କୀୟ ସମ୍ବାଦ । ଆଉ ଓଡ଼ିଶୀ ପଛକୁ ଫେରି ଚାହିଁନି । ଅବଶ୍ୟ ନିଜର ନାର୍ଯ୍ୟ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ହାସଲ କରିବାକୁ ଲାଗିଯାଇଛି ଆଉ ଏକ ଦଶନ୍ଧି । ୧୯୬୪ ମସିହାରେ ହାଇଦ୍ରାବାଦ ଠାରେ ଆନ୍ଧ୍ର ପ୍ରଦେଶ ସଙ୍ଗୀତ ନାଟକ ଏକାଡ଼େମୀ ଆନୁକୂଲ୍ୟରେ ଅନୁଷ୍ଠିତ ହୁଏ ସର୍ବଭାରତୀୟ ନୃତ୍ୟ ମହୋତ୍ସବ । ସେହି ଉତ୍ସବ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଶେଷ ହୋଇଥିଲା ମାର୍ଚ୍ଚ ୧୭ ତାରିଖରେ । ଗୁରୁ ଧୀରେନ୍ଦ୍ର ନାଥ ପଟ୍ଟନାୟକ, ମାୟାଧର ରାଉତ, ସଂଯୁକ୍ତା ପାଣିଗ୍ରାହୀ, ଗୁରୁକେଳୁଚରଣ ମହାପାତ୍ର ତଥା କଣ୍ଠ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ ସେହି ମହୋତ୍ସବରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନୃତ୍ୟ ବିଷାରଦମାନଙ୍କ ପ୍ରଶ୍ନବାଣରେ ଜର୍ଜରିତ ହୋଇଥିଲେ ସତ ମାତ୍ର ନିରୁତ୍ସାହିତ ହୋଇ ନଥିଲେ । ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ତଥା ପ୍ରଦର୍ଶନ ଦେଖି କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଓଡ଼ିଶୀକୁ ଏକ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତାର ପ୍ରଦାନ କରିଥିଲା ।

ବର୍ତ୍ତମାନର ଓଡ଼ିଶୀ :

ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇବାର ଅର୍ଦ୍ଧଶତାବ୍ଦୀ ବିତିଗଲାଣି । ଓଡ଼ିଶା ଭିତରେ ଓଡ଼ିଶୀ ତଥା ଭାରତ ବାହାରେ ଓଡ଼ିଶୀ ତା’ର ଆଦୃତି ପାଇପାରିଛି । କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ବହୁ ଘରୋଇ ଅନୁଷ୍ଠାନର ପୃଷ୍ଠ ପୋଷକତା ଫଳରେ ବହୁ ନୃତ୍ୟ ଶିଳ୍ପୀ ଆଜି ନିଜର କଳା କୌଶଳ ବଳରେ ଦେଶ ପାଇଁ ତଥା ନିଜ ପାଇଁ ସମ୍ମାନ ବୋହି ଆଣୁଛନ୍ତି । ବହୁ ପୁରୁଷ ଓ ନାରୀ ଶିଳ୍ପୀ ଏହି ନୃତ୍ୟ କଳା ଜରିଆରେ ନିଜର ଜିବୀକା ଅର୍ଜନ ମଧ୍ୟ କରୁଛନ୍ତି । ଓଡ଼ିଶୀର ବିଭିନ୍ନ ବିଭବ ଅର୍ଥାତ୍ ମଙ୍ଗଳାଚରଣ, ପଲ୍ଲବୀ, ବଟୁ, ଅଭିନୟ ଆଉ ମୋକ୍ଷ ମଧ୍ୟରୁ ଅଭିନୟ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି । ପାରମ୍ପରିକ ବାଦ୍ୟଯନ୍ତ୍ର ସହ କେତେକ ନୂତନ ବାଦ୍ୟଯନ୍ତ୍ର ପ୍ରୟୋଗ ମଧ୍ୟ ଦେଖିବାକୁ ମିଳୁଛି । ବେଶ ପୋଷାକ, ସାଜସଜ୍ଜା ସବୁଥିରେ ନୂତନତ୍ୱର ଛାପ ପରିଲକ୍ଷିତ ହେଉଛି । ଆଜି ଦର୍ଶକ ମାନେ ଏକକ ନୃତ୍ୟ ଅପେକ୍ଷା ଯୁଗଳବନ୍ଦୀ ଓ ବୃନ୍ଦ ନୃତ୍ୟକୁ ଅଧିକ ପସନ୍ଦ କରୁଛନ୍ତି । ବିବର୍ତ୍ତନ ପରିବର୍ତନ ଉପରେ ନିର୍ଭର କରେ । ପରିବର୍ତନ ସୃଷ୍ଟିର ନିୟମ । ସବୁ ନୂତନତ୍ୱକୁ ନେଇ ଓଡ଼ିଶୀ ଆଗେଇ ଚାଲିଛି । ନିଜର ସ୍ୱତନ୍ତ୍ରତା ହରାଇ ନାହିଁ । ଚଳଚ୍ଚିତ୍ରର ଦାମିନୀ ଭୂମିକାରେ ମିନାକ୍ଷୀ ଶେଷାଦ୍ରିଆଙ୍କର ଓଡ଼ିଶୀରେ ତାଣ୍ଡବ ନୃତ୍ୟ ଦର୍ଶକମାନଙ୍କୁ କିଛି ସମୟ ପାଇଁ ମନ୍ତ୍ରମୁଗ୍ଧ କରିପାରିଥିଲା । ଅଭିନେତ୍ରୀ ରାଣୀମୁଖାର୍ଜୀ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ନିଜକୁ ଓଡ଼ିଶୀ ନୃତ୍ୟାଙ୍ଗନା ପରି ସଜାଇ ଥିବାର ଦେଖିବାକୁ ମିଳିଛି । ଆଜିର ଓଡ଼ିଶାର ଲୋକ ପ୍ରିୟତା ପଛରେ ଗଣମଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରଚାର ଓ ପ୍ରସାର ଯୋଗୁଁ ଏହି ନୃତ୍ୟ ଆଜି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି ।

ରାଜଶ୍ରୀ ମହାପାତ୍ର

[box type=”shadow” align=”” class=”” width=””]୧୯୪୪ ରୁ ୧୯୫୪ ଓଡ଼ିଶୀ ନୃତ୍ୟ ପାଇଁ ଏକ ଘଡ଼ି ସନ୍ଧି ମୂହୂର୍ତ୍ତ ଥିଲା । ଗୁରୁ କେଳୁଚରଣଙ୍କ ଠାରୁ ଆରମ୍ଭ କରି ପଙ୍କଜ ଚରଣ, ମାୟାଧର ରାଉତ, ଗୁରୁ ଦେବ ପ୍ରସାଦ ଦାସଙ୍କର ସଂଘର୍ଷ ଓ ବିଶେଷ କରି କାଳି ଚରଣ ପଟ୍ଟନାୟକଙ୍କ ଭଳି ବ୍ୟକ୍ତିତ୍ୱ ମାନଙ୍କର ଭୂମିକା ଏହାକୁ ସର୍ବଭାରତୀୟ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିପାରିଥିଲା । ଲେଖିକା ଓଡ଼ିଶୀ ନୃତ୍ୟର ଜଣେ ଛାତ୍ରୀ ଭାବରେ ଉକ୍ତ ଲେଖାଟି ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ସେ ଓଡ଼ିଶୀ ନୃତ୍ୟର କ୍ରମ ବିବର୍ତ୍ତନ ସମ୍ପର୍କରେ କିଛି ଐତିହାସିକ ତଥ୍ୟ ପ୍ରଦାନ କରିଛନ୍ତି । – ସମ୍ପାଦକ[/box]

Photo- Internet

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.