ମରୁ ଏଇ ବସନ୍ତ କୋଇଲି- ଉଦଣ୍ଡ କୀର୍ତନ

ଉମେଶ ଚନ୍ଦ୍ର ବିଶ୍ୱାଳ
ଉମେଶ ଚନ୍ଦ୍ର ବିଶ୍ୱାଳ 932 Views
3 Min Read

ମନାପଡ଼ାର ପ୍ରସିଦ୍ଧ ଉଦଣ୍ଡ କୀର୍ତ୍ତନ – ଅତାବିରା , ବରଗଡ଼:

                           ଗୋପପୁର ଛାଡ଼ି ଅକ୍ରୁର ସହିତ ଭଗବାନ ଶ୍ରୀକୃଷ୍ଣ ମଥୁରା ଛାଡ଼ିଯାଇଛନ୍ତି। ଶ୍ରୀକୃଷ୍ଣ ବିହୁନେ ସମଗ୍ର ଗୋପପୁର ଶ୍ରୀହୀନ ହୋଇପଡ଼ିଛି। ଗୋପାଳ ବାଳକ, ଗୋପାଙ୍ଗନାମାନେ ଶ୍ରୀକଷ୍ଣଙ୍କୁ ଝୁରି ହେଉଛନ୍ତି। ଗୋପଦାଣ୍ଡ, କଦମ୍ବବଣ ସବୁକିଛି ଖାଁ ଖାଁ ଲାଗୁଛି। ଶ୍ରୀକୃଷ୍ଣ ନଥିଲେ କଦମ୍ବ ବଣ କାହିଁକି ରହିବ, ବସନ୍ତ କାହିଁକି ଆସିବ, କୋଇଲି କାହିଁକି ଗାଇବ? ପୁରାଣର ଏହି ଆବେଗମୟ ପ୍ରସଙ୍ଗକୁ ବେଶ ସୁନ୍ଦର ଭାବରେ ଗୀତରେ ସଜାଇ ବୋଲନ୍ତି ସଂକୀର୍ତନ୍ୟ ଦଳ। ବରଗଡ଼ ଜିଲ୍ଳା ଅତାବିରା ଥାନା ମନାପଡ଼ା ଗାଁର ଦଳିତ ବସ୍ତିର ଉଦଣ୍ଡ କୀର୍ତନ ଦଳ। ଦୀର୍ଘବର୍ଷ ହେବ ଏହି କୀର୍ତନ ଦଳ ଆଖ ପାଖ ଅଂଚଳରେ କୀର୍ତନ ପରିବେଷଣ କରି ଆସୁଛନ୍ତି। ରଥଯାତ୍ରା, ଜନ୍ମାଷ୍ଟମୀ, ନୂଆଁଖାଇ, ଶ୍ରୀରାମ ନବମୀ, ଭାଗବତ ଜନ୍ମ, ହନୁମାନ ଜୟନ୍ତୀ, ଶିବରାତ୍ରୀ, ଫଗୁନ ପୁନି ଆଦି ପର୍ବପର୍ବାଣୀ ସମୟରେ ଏହି କୀର୍ତନ ଦଳ କୀର୍ତନ ପରିବେଷଣ କରିଥାନ୍ତି।

                      ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତିର ପ୍ରମୁଖ ଅଙ୍ଗ କିର୍ତନ। ଏଠାରେ ମୁଖ୍ୟତଃ ଦୁଇଟି ଶୈଳୀରେ କୀର୍ତନ ପରିବେଷଣ କରାଯାଇଥାଏ। ତାହାହେଲା ରଙ୍ଗୀନ କୀର୍ତନ ଏବଂ ଉଦଣ୍ଡ କୀର୍ତନ। ଉଭୟ ଶୈଳୀର ଗାୟନ ଓ ବାୟନ ଶୈଳୀ ଅଲଗା। ଗୋଟିଏ କୀର୍ତନ ଦଳରେ କୋଡ଼ିଏରୁ ଅଧିକ ଲୋକ ରହିପାରିବେ। ଜଣେ ମୁଖ୍ୟଗାୟକ ରହିଥାନ୍ତି ଏବଂ ଅନ୍ୟ ସମସ୍ତେ ପାଳିଆ ଭାବରେ ଗାୟକଙ୍କ ଅନୁସରଣ କରନ୍ତି। ମୃଦଙ୍ଗ, ଖୋଳ, କାଠି, ଝାଞ୍ଜ, ରାମତାଳି, ଗିନି ଆଦି ବାଦ୍ୟ ଯନ୍ତ୍ରର ବ୍ୟବହାର ହୋଇଥାଏ । କୀର୍ତନରେ କୃଷ୍ଣ ଲୀଳା, ରାମଲୀଳା, ନିମାଇଁ ସନ୍ୟାସ, ଭଜନ, ଜଣାଣ ଆଦି ଗାନ କରାଯାଏ।

                               ପଶ୍ଚିମ ଓଡ଼ିଶାର ପ୍ରତି ଗାଁରେ କୀର୍ତନ ଦଳ ରହିଛି। ଏପରିକି ଗୋଟିଏ ଗୋଟିଏ ଗାଁରେ ଏକାଧିକ କୀର୍ତନ ଦଳ ରହିଛି । ଦଳିତ ମାନଙ୍କୁ ମନ୍ଦିର ପ୍ରବେଶ ଉପରେ ବାରଣ କରାଯାଉଥିବାରୁ ବିଭିନ୍ନ ଗାଁର ଦଳିତ ବସ୍ତିରେ ଦଳିତ ମାନଙ୍କ ଅଳଗା କୀର୍ତନ ଦଳ ଦେଖିବାକୁ ମିଳେ। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଗାଁ ମାନଙ୍କରେ ନାମଯଜ୍ଞର ଆୟୋଜନ କରାଯାଏ। ଏହା ଗୋଟିଏ ଦିନରୁ ଆରମ୍ଭ କରି ସାତ ଦିନ ପର୍ଯ୍ୟନ୍ତ ଚାଲେ। ଗାଁ ମଝିରେ ଏକ ବେଦୀ ନିର୍ମାଣ କରି ଦିବାରାତ୍ର ମହାମନ୍ତ୍ର ଗାନ କରାଯାଏ। ଆଖପାଖର ସଂକୀର୍ତନ ଦଳଗୁଡ଼ିକୁ ଉଦଯାପନୀ ଦିନ ନିମନ୍ତ୍ରଣ କରାଯାଏ। ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥାଏ। ଗ୍ରାମାଂଚଳରେ ଗୋଷ୍ଠୀ ଜୀବନକୁ ଅଧିକ ସୁଦୃଢ ଓ ଶୃଙ୍ଖଳିତ କରିବା ପାଇଁ କୀର୍ତନର ବିଶେଷ ଭୂମିକା ରହିଛି। ତେବେ ଧିରେ ଧିରେ ଏଥିରେ ବ୍ୟତୀକ୍ରମ ଦେଖା ଦେଲାଣି।

[box type=”shadow” align=”” class=”” width=””] ସଂକିରର୍ତନ ହେଉ କି କୃଷ୍ଣ ଲୀଳା, ରାମଲୀଳା, ଭଜନ, ଜଣାଣ, ପାଲା, ଦାସକାଠିଆ…. ସବୁ ‘ଲୋକକଳା’ର ସେହି ଗୋଟିଏ ଲକ୍ଷ୍ୟ; “ଗ୍ରାମାଂଚଳରେ ଗୋଷ୍ଠୀ ଜୀବନକୁ ଅଧିକ ସୁଦୃଢ ଓ ଶୃଙ୍ଖଳିତ କରିବା” ଓ ଏକାଠି ମିଳିମିଶି ପରସ୍ପରର ସୁଖ ଦୁଃଖ ବାଣ୍ଟିବା। ଦଳିତ ମାନଙ୍କୁ ମନ୍ଦିର ପ୍ରବେଶ ଉପରେ ବାରଣ କରାଯାଉଥିବାରୁ ବିଭିନ୍ନ ଗାଁରେ କୀର୍ତନ ଦଳ, ଉଶାକୁଠୀ ଭଳି ନୃତ୍ୟ ଦେଖିବାକୁ ମିଳେ। କାହିଁ କେଉଁ ଯୁଗରୁ ଗୋଷ୍ଠୀ ଜୀବନର ଏହିସବୁ ଦିଗ ଲୋକପର୍ବ ନାଁ’ରେ ମଣିଷ ସୃଷ୍ଟି କରିଛି। ସେସବୁ ଅଜିର ସମୟରେ ଶେଷ ହୋଇଯାଉଥିବାବେଳେ କେମିତି ସବୁକୁ ସଂଖୁଳି ରଖି ଗୋଷ୍ଠୀ ଜୀବନକୁ ରକ୍ଷା କରିପାରିବା ତା’ର ବାଟ ବାହାର କରିବାକୁ ହେବ।                                                                                                                – ସମ୍ପାଦକ[/box]

TAGGED:
Share This Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା