Home / ଅଡ଼ିଓ ଭିଡିଓ / ଶ୍ରଦ୍ଧାଞ୍ଚଳି – ଡ଼ାଲଖାଇ ରାଣୀ ‘ଗୁରୁବାରୀ’

ଶ୍ରଦ୍ଧାଞ୍ଚଳି – ଡ଼ାଲଖାଇ ରାଣୀ ‘ଗୁରୁବାରୀ’

Share Samadhwani

ଲୋକକଳାର କିମ୍ବଦନ୍ତୀ ମହିଳା, ବିଶିଷ୍ଟ ଡ଼ାଲଖାଇ ନୃତ୍ୟଶିଳ୍ପି “ଗୁରୁବାରୀ ମିର୍ଦ୍ଧା”ଙ୍କୁ

ସମଧ୍ୱନି ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି…

ଯେତେଥର ତମ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପାଇଁ କଲମ ଧରିଛି, କଲମ ଅଟକି ଯାଇଛି। ଅନେକ ଅକୁହା ଯନ୍ତ୍ରଣା, ଅବଦମିତ କୋହ, ନିଷ୍ଫଳ ଆକ୍ରୋଶ ମନକୁ କାବୁ କରିଦେଇଛି। କିଛି ନକରି ପାରିବାର ବିବଶତା ବି ନିଜକୁ ବାରମ୍ବାର ଉପହାସ କରୁଛି। ଗୁରୁବାରୀ, କଳା ଜଗତର ତୁମେ ଗର୍ବ ଓ ଗୌରବ ଏକଥା ସ୍ୱୀକାର କରିବାରେ କୌଣସି ଦ୍ୱିଧା ନାହିଁ । ଜୀବିତାବସ୍ଥାରେ କିନ୍ତୁ ଅନେକଙ୍କ ପାଇଁ ତମେ ଥିଲ ଚରମ ଉପହାସର ପାତ୍ରୀ । ସାମନ୍ତବାଦ ଓ ନବ୍ୟ ବ୍ରାହ୍ମଣବାଦକୁ ପୁଞ୍ଜି କରି ବଞ୍ଚୁଥିବା ଗୋଟିଏ ଅଞ୍ଚଳ ତମରି ନାଁରେ ପରିଚିତ ହେବା ଆରମ୍ଭ କଲା, ତମର ଭଙ୍ଗାଘର ଆଗରେ ଗାଡ଼ି, ମଟର ଛିଡ଼ା ହେଲା, ବଡ଼ ବଡ଼ିଆଙ୍କ ସାଙ୍ଗେ ତମର ଫୋଟୋ ଟିଭି ଓ ଖବର କାଗଜ ମଣ୍ଡନ କଲା, ମଞ୍ଚ ଉପରେ ତୁମେ ସ୍ୱର ଲମ୍ବେଇ ସମ୍ବଲପୁରୀ ଗୀତ ଗାଇଲ। ଏତେସବୁ ବ୍ୟତିକ୍ରମକୁ ଆମେ ବରଦାସ୍ତ କରିଥାନ୍ତୁ କିପରି?

                ଦୂର ଦୂରାନ୍ତର ମଣିଷମାନଙ୍କ ଉପରେ ସିନା ଆମର କର୍ତ୍ତୃତ୍ୱ ନାହିଁ, ହେଲେ ଆମ ଅଞ୍ଚଳର ଦୁର୍ବଳ ମଣିଷମାନଙ୍କୁ ଜବଦ୍ କରିବାଟା ଆମର ବାଁ ହାତର ଖେଳ । ହଁ, ଲୋକଲଜ୍ଜା ଭୟରେ ଆମେ ବି ତମକୁ ଆଉ ପାଞ୍ଚଟି ଅନୁଷ୍ଠାନ ପରି ସମ୍ବର୍ଦ୍ଧନା ଜଣେଇ ଥିଲୁ, ହେଲେ ମାନସିକ ସ୍ତରରେ କଦାପି ସ୍ୱିକାର କରିପାରିନଥିଲୁ, ତମେ ସମ୍ବର୍ଦ୍ଧନା ପାଇଁ ଯୋଗ୍ୟ ବ୍ୟକ୍ତିତ୍ୱଟିଏ ବୋଲି । ତମକୁ ନେଇ କେତେ କୁଟୀଳ, ରସାଳ ଚର୍ଚ୍ଚା ନ ହୋଇଛି! ଶରତ ପୂଜାରୀ, ମନୋଜ ଦାସ୍ଙ୍କ ଭଳି ମଣିଷମାନଙ୍କ ସାଙ୍ଗେ ତମକୁ ଗୋଟିଏ ମଞ୍ଚରେ ଦେଖି ଆମେ କେତେ କାତର ନ ହେଇଛୁ ସତେ । କେତେ ଟୀକା, ଟିପ୍ପଣି ନ କରିଛୁ । ଆମେ କଳା, ସାହିତ୍ୟ ଉପରେ ତାତ୍ତ୍ୱିକ ଭାଷଣ ଦେଇପାରୁ, ବିରାଟ ନିବନ୍ଧ ରଚନା କରିପାରୁ ହେଲେ, ତମପରି ମହିୟସୀ ଦଳିତ ମହିଳା କଳାକାରର ବୈଶିଷ୍ଟ୍ୟକୁ ସ୍ୱୀକୃତି ଦେବାର ଉଦାରତା ଆମେ ଏଯାଏଁ ନିଜ ଭିତରେ ତିଆରି-ପାରିନୁ ।

                ପୁରୁଷ କୈନ୍ଦ୍ରୀକ, ସାମନ୍ତବାଦୀ ସମାଜର ଲକ୍ଷ୍ମଣରେଖା ଡ଼େଇଁ, ପାଖ ପଡ଼ିଶାଙ୍କ ବ୍ୟଙ୍ଗ, କଟୁକ୍ତିକୁ ବେଖାତିର କରି କୁଅାଁରୀ ଝିଅଟେ ସାଙ୍ଗ ସାଥୀ ମେଳରେ ଲୁଚି ଲୁୁଚି ଡ଼ଙ୍ଗର ତଳେ ଡ଼ାଲଖାଇ ନାଚିବା ଓ ସୁଦୂର ଦିଲ୍ଲୀ ଯାଇ ଡ଼ାଲଖାଇ ପାର୍ରେ ଦର୍ଶକଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କୁ ନଚେଇ ଦେବା, ପରିଣତ ବୟସରେ ସୁଦ୍ଧା ମଞ୍ଚ ଉପରେ ତାଳ, ଛନ୍ଦ, ଲୟ ଅକ୍ଷତ ରଖି ରସର କେଲି ଗାଇ ଶୁଣାଇବା ଏସବୁଥିରେ ପ୍ରେରଣାପ୍ରଦ ବା ପ୍ରଶଂସନୀୟ କିଛି ତୁମକୁ ଦେଇ ନପାରିବା ଯେ ଆମର ମାନସିକ ଅନ୍ଧତ୍ୱ ଛଡ଼ା ଆଉ କିଛି ନୁହେଁ, ଏକଥା ଆମର ତଥାପି ହୃଦବୋଧ ହୋଇନି ।

                ତମକୁ ସମ୍ବର୍ଦ୍ଧନା ଦେବାର ପ୍ରସ୍ତାବ ଧରି ଆସିଥିବା ସମସ୍ତ ଉଦ୍ୟୋକ୍ତା ତମର ମାଟି ପିଣ୍ଢାରେ, ଦଉଡ଼ିଆ ଖଟରେ ବସିଛନ୍ତି। ବାୟୁ ଚଳାଚଳ କରୁ ନଥିବା ଘର ଭିତରେ ଧୂଳି ବାଲିରେ ପୋତିହୋଇ ଇତଃସ୍ତତ ପଡ଼ିଥିବା ତମର ପୁରସ୍କାର, ଟ୍ରଫିମାନଙ୍କୁ ଦେଖେଇ ସମସ୍ତଙ୍କୁ କେତେ ଆକୁଳ ଅନୁନୟ କରିଛ, “ଏସବୁ ମୋର କ’ଣ ହେବ, ଦେଖୁଛ ରଖିବାକୁ ଜାଗା ନାଇଁ, ୟା ବଦଳରେ ବରଂ ଟଙ୍କା ଦିଅ ଯେ ଚାଉଳ, ପରିବା, ଲୁଗାପଟା, ଔଷଧ କିଣିବି ।” ଅଥଚ, କିଏ ଶୁଣୁଥିଲା ତୁମ କଥା? ଆତ୍ମ ବିଜ୍ଞାପନର ଏ ଘୋଡ଼ା ଦୌଡ଼ରେ ନିଜ ଅନୁଷ୍ଠାନକୁ ବିଜ୍ଞାପିତ କରିବାର ଲାଳସା ଆଗରେ ତମର ଦାରିଦ୍ର୍ୟ, ତମର କାକୁତି, ମିନତି କେତେ ତୁଚ୍ଛ ସତେ । ସେଥିପାଇଁ ତ, ତୁମକୁ ସମ୍ମାନୀତ କରିସାରିବା ପରେ, ମଞ୍ଚ ତଳକୁ ଓହ୍ଲେଇ ଆସି ସାରି ତମେ ଅସ୍ତବ୍ୟସ୍ତ ହେଉଥିଲ ଘରକୁ  ଫେରିବା ପାଇଁ ହେଲେ ଅନଭ୍ୟସ୍ତ ଭାବେ ସେମସ୍ତେ ବସି ରହୁଥିଲେ ଚୌକିରେ ଆଣ୍ଠୁ, ଅଣ୍ଟା ବଥାକୁ ନେଇ । ଓଡ଼ିଶାର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଗୁରୁବାରୀଙ୍କୁ ସମ୍ବର୍ଦ୍ଧିତ କରିସାରିବା ପରେ ସସମ୍ମାନେ ଏକ ସ୍ୱତନ୍ତ୍ର ଗାଡ଼ିରେ ଆଣି ଘରେ ଛାଡ଼ିଦେବା ଭଳି ସୌଜନ୍ୟ ଖୁବ୍ କମ୍ ଅନୁଷ୍ଠାନର ଥିଲା। ଅବଶ୍ୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବି କମ୍ ନଥିଲା, ଯେଉଁମାନେ ତମକୁ ହୃଦୟର ସହ ଭଲ ପାଉଥିଲେ।

                ତମର ନିରୀହ ବ୍ୟକ୍ତିତ୍ୱ ରାଜନୀତିର ଶତ ରହସ୍ୟକୁ ବୁଝି ନପାରିବା ଆଉ ଏକ ବିଡ଼ମ୍ବନା ଥିଲା । ରାଜନୈତିକ କର୍ତ୍ତବ୍ୟବୋଧର ନାଁ ନେଇ ଆମେ ନିଜ ଦାୟିତ୍ୱବୋଧରୁ ଓହରି ଯାଉଥିଲୁ । ସରକାରୀ ଅବହେଳା ବୋଲି ବାହାନା କରିବା, ସବୁ ଦୋଷ ସରକାରଙ୍କ ଆଡ଼କୁ ଠେଲି ଦେବା ଏବଂ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରେଇବା ଆମପାଇଁ ଏକ ସୁବିଧାଜନକ କୌଶଳ ଥିଲା । ପରିଣାମରେ ତୁମେ ଆହୁରି ଅଶାନ୍ତ ହେଉଥିଲ, ଆହୁରି ଅବଶୋଷ, ଅଭିସମ୍ପାତ ବର୍ଷାଉଥିଲ । ତମକୁ ଭଲ ପାଉଥିବା ମଣିଷମାନେ ବିଚଳିତ ହୋଇ ପଡ଼ୁଥିଲେ, ଅଥଚ ଅନେକଙ୍କ ପାଇଁ ଏହା ବ୍ୟଙ୍ଗ ବିଦ୍ରୁପର ଏକ ଲୋଭନୀୟ ପରିବେଶ ତିଆରୁଥିଲା ।

                ଶରୀର ଯେତିକି ଦୁର୍ବଳ ହେଉଥିଲା, ମନ ତୁମର ସେତିକି ତେଜୀୟାନ୍ ହୋଇଯାଉଥିଲା । ମଞ୍ଚ ଉପରକୁ ଓ କାହାରି ନା କାହାରି କାନ୍ଧ ଉପରେ ଭରା ଦେଇ ଚଢ଼ୁଥିଲ । ଅଥଚ, ମଞ୍ଚରେ ପହଞ୍ଚିଗଲା ପରେ ଗୁରୁବାରୀ ତୁମର ଯେପରି ଅ•ନକ କାୟାକଳ୍ପ ହୋଇଯାଉଥିଲା । ଦୃପ୍ତ କଣ୍ଠରେ, ତନ୍ମୟ ଭାବରେ ତମେ ସମ୍ବଲପୁରୀ ଗୀତର ଲହରି ଛୁଟାଉଥିଲ, ଯାହା ଉଭୟ ଆଖି ଓ କାନ ପାଇଁ ଥିଲା ଅବିଶ୍ୱାସନୀୟ ।

ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହେଇ ପଡ଼ୁଥିଲ ମଞ୍ଚ ଉପରେ । ଅଥଚ, ଏକ କାଳ୍ପନିକ ଭୟ ଭିତରେ ଭିତରେ କୋରି ଖାଉଥିଲା ତମକୁ । ଏକ ପାରଲୌକିକ ଭୟ। ଇହଲୋକ, ପରଲୋକ ବିଷୟକ ଅନାବଶ୍ୟକ ଅଳନ୍ଧୁ ଜୀବନର ଗଳିରାସ୍ତାକୁ ଆହୁରି ସଂକୀର୍ଣ୍ଣ କରିଦେଉଥିଲେ। ତୁମର ଧର୍ମଭୀରୁତା ଥିଲା ତୁମ ଦାରିଦ୍ର୍ୟର ଅନ୍ୟତମ କାରକ। ଏ ଭୟ, ଏ ଦାରିଦ୍ର୍ୟ ବେଶ୍ ନଚେଇଲେ ତମକୁ ଜୀବନସାରା  । ଆଶ୍ଚର୍ଯ୍ୟ!! ଏ ନୃତ୍ୟ ବି ଥିଲା ଛନ୍ଦମୟ । ଅପମାନ, ଅସହଯୋଗ ସତ୍ତେ୍ୱ ପ୍ରତିଟି ସକାଳରେ ନିଜ ପରିପାଶ୍ୱର୍କୁ ଯେଉଁ ସ୍ପର୍ଦ୍ଧିତ ଚାହାଣୀରେ ତୁମେ ଚାହୁଁଥିଲ, ତାହା ଏ ଦୁନିଅାଁରେ ହିଁ ଦୁର୍ଲଭ । ଛଳନା ନ ଥିଲା, ନଥିଲା ଆନୁଗତ୍ୟ କାହାପ୍ରତି । ଏକ ସାଲିସ୍ ବିହୀନ, ସ୍ୱାଭିମାନୀ ଜବନ ଜୀଇଁଥିଲ । ତମର ମର ଶରୀର ସହ ସମାଧିରେ ଲୀନ ହେଲେ ତମ ଗର୍ଭରେ ସାଇତା ଦୁର୍ଲଭ ଲୋକକଳାର ଅଜସ୍ର ଅନୁଭୂତି । ଏ ଅବଶୋଷରୁ ନିସ୍ତାର ନାହିଁ, ଏ ଅବଶୋଷର କ୍ଷମା ନାହିଁ।

               ତମକୁ ହୃଦୟର ସହ ଆମେ ଭଲପାଉ ଗୁରୁବାରୀ। ସମ୍ବଲପୁରୀ ଲୋକକଳାର ତମେ ଥିଲ ପରମ ପୂଜନୀୟା ପ୍ରତିନିଧି। ତମର ନିଷ୍ଠା ଓ ସାରସ୍ୱତ ଉଦ୍ୟମକୁ ବଞ୍ଚାଇ ରଖିବା ପାଇଁ ଶପଥ ନେବା ହିଁ ତମପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଜୟଶ୍ରୀ ସାହୁ

ଅଧ୍ୟାପିକା ଓ ଲେଖିକା


Share Samadhwani
Support Samadhwani

About ଜୟଶ୍ରୀ ସାହୁ

ଇଂରାଜୀ ଭାଷାରେ ଅଧ୍ୟାପିକା, ବରଗଡ଼

Check Also

ମନମୋହନ ମିଶ୍ର ଜଣେ ଅତୁଳନୀୟ ବ୍ୟକ୍ତିତ୍ୱ

Share Samadhwaniମୁଁ ଯେତେବେଳେ ପୁରୀ କଲେଜରେ ପଢ଼ୁଥିଲି ୧୯୫୧-୫୩ ହେବ, ସେତିକିବେଳେ ପାର୍ଲିଆମେଣ୍ଟ ଇଲେକସନ ହୋଇଥିଲା । ସେଇ ପାର୍ଲିଆମେଣ୍ଟ …