ଆମରି ଗହଣରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନଙ୍କୁ ଭାଷାର ପରିଧିରେ ବାନ୍ଧିରଖିବା ସମ୍ଭବ ନୁହଁ । ଯେଉଁମାନେ ଭାଷା, ବର୍ଣ୍ଣନା ଓ ଚିନ୍ତାର ଦିଗନ୍ତ ପାରକରି ଶବ୍ଦହୀନ ରଙ୍ଗୀନ ସାମ୍ରାଜ୍ୟରେ ବିଚରଣ କରନ୍ତି । ସ୍ୱର, ତାଳ, ଘୁଙ୍ଗୁରର ମୂର୍ଚ୍ଛନା ପରି ରଙ୍ଗର ତୂଳି ଭାବନାର ସାମ୍ରାଜ୍ୟକୁ ଲଙ୍ଘି ଯାଇଥାଏ । ତାଙ୍କ ତୂଳି ହିଁ ଭାଷା ଓ ଭାବନା ଭିତରେ ସେତୁଟିଏ ତିଆରି କରେ । ସେହିଭଳି ବ୍ୟକ୍ତିତ୍ୱ ଜଣେ ହେଉଛନ୍ତି ଦୀନନାଥ ପାଠୀ । ପେଶାରେ ଶିକ୍ଷକ, ନିଶାରେ କଳାକାର ସାଙ୍ଗକୁ କଳା ଓ ସଂସ୍କୃତିର ଜଣେ ନିଷ୍ଠାପର ସମୀକ୍ଷକ ।
ଦିଗପହଣ୍ଡି ଗଡ଼ର ପ୍ରସିଦ୍ଧ ବୈଦ୍ୟରତ୍ନ ପରିବାରରେ ୧୯୪୨ ମସିହାରେ ତାଙ୍କର ଜନ୍ମ । ତିନି ପୁରୁଷ ଧରି ପରିବାର ତାଙ୍କର କଳା ସହ ଏକାତ୍ମ ହୋଇଆସିଛି । ଶାନ୍ତିନିକେତନ ଓ ଜୁରିକ୍ରେ କଳା ଶିକ୍ଷା ଗ୍ରହଣ କରିବା ପରେ ନିଜ ମାଟି ଓ ଦେଶ ବିଦେଶର ଅନୁଭୂତିକୁ ଏକାଠି କରି ସେ ଭିନ୍ନ ଏକ ଚିନ୍ତନ ଦେଇଛନ୍ତି କଳା କ୍ଷେତ୍ରରେ । ତାଙ୍କର ଯୁକ୍ତିରେ ମଣିଷର ଜୀବନ ଜୀବୀକା ଓ ମାଟିର ସଂସ୍କୃତି ହିଁ କଳାରେ ପ୍ରକାଶ ପାଇଥାଏ । ଅଧୁନିକ ଚିତ୍ରକଳାର ସେ ଜଣେ ବିଶିଷ୍ଟ ସମୀକ୍ଷକ । ୨୯ ଅଗଷ୍ଟ, ୨୦୧୬ ଦିନ ୭୪ ବର୍ଷ ବୟସରେ ଅକସ୍ମାତ୍ ହୃଦଘାତରେ ଏହି ମହାନ କଳାକାରଙ୍କର ଦେହାନ୍ତ ହୋଇଛି । ଅସମୟରେ ତାଙ୍କର ନିଧନ ସମଗ୍ର କଳା ଦୁନିଆ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇବାପାଇଁ ଚିତ୍ରକର ଶ୍ରୀ ଅଶୋକ କୁମାର ମହାନ୍ତି ଲେଖାଟିଏ ପ୍ରସ୍ତୁତ କରିଛନ୍ତି ଏବଂ ଅନ୍ୟଏକ ଲେଖାରେ ଜଣେ କଳାପ୍ରିୟ ମଣିଷ ତଥା ଯୁବ ସମୀକ୍ଷକ ଶୈଳେନ୍ ରାଉତରାୟ ଦୀନନାଥ ପାଠୀଙ୍କର ଆତ୍ମଜୀବନୀ- ‘ପୁଞ୍ଚି କୟାଁର ଫକୀର’ର ସମୀକ୍ଷା କରି ତା’ର କିଛି ଅଂଶକୁ ଉପସ୍ଥାପନ କରିଛନ୍ତି । – ସମ୍ପାଦକ
photo credit- internet