Home / ସାହିତ୍ୟ ସଂସ୍କୃତି / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ନଟି ବିନୋଦିନୀଙ୍କର ଜୀବନ କଥା (୨)

ନଟି ବିନୋଦିନୀଙ୍କର ଜୀବନ କଥା (୨)

Share Samadhwani

ବିନୋଦିନୀଙ୍କର ଜୀବନ କଥାର ଭିତ୍ତି ମୂଳତଃ ତାଙ୍କରି ଆତ୍ମଚରିତ ‘ଆମାର କଥା’ (ମୋ କଥା) ଯାହା ସେ ଲେଖିଛନ୍ତି ତାଙ୍କ ଅଭିନୟ ଜୀବନର ପ୍ରଧାନ ଶିକ୍ଷାଗୁରୁ ଗିରିଶଚନ୍ଦ୍ର ଘୋଷଙ୍କର ପ୍ରେରଣାରେ । କଥା ଥିଲା ଆତ୍ମଚରିତର ଭୂମିକା ଲେଖିବେ ଗିରିଶ ଘୋଷ ସେକଥା ସିଏ ରଖିଲେ ବି । କିନ୍ତୁ ସେଇ ଭୂମିକା ବିନୋଦିନୀଙ୍କର ମନମାନିଲାନି, ‘କାରଣ ସେଥିରେ ଅନେକ ସତ୍ୟ ଘଟଣାର ଉଲ୍ଲେଖ ନଥିଲା ।’ ‘ସତ୍ୟ ଯଦି ଅପ୍ରିୟ ଓ କଟୁ ହୁଏ, ତାହା ସବୁ ସମୟରେ ପ୍ରକାଶ କରିବା ଉଚିତ ନୁହେଁ ।’ ଗିରିଶଚନ୍ଦ୍ର ଏଇଭାବେ ବିନୋଦିନୀଙ୍କୁ ନିବୃତ କରିବାକୁ ଚାହିଁଥିଲେ । କିନ୍ତୁ ପରେ ଆଉଥରେ ତାଙ୍କ ହିସାବରେ ଭୂମିକା ଲେଖିବାକୁ ସେ ରାଜି ହୋଇଯାଆନ୍ତି । କିନ୍ତୁ ତାଙ୍କର ସେ ଇଚ୍ଛା ପୂର୍ଣ୍ଣହେଲାନି । ୧୯୧୨ମସିହରେ ତାଙ୍କର ମୃତ୍ୟୁ ଘଟେ । ‘ଆମାର କଥା’ ର ପ୍ରଥମ ସଂସ୍କରଣ ‘ଭୂମିକା’ ଛଡ଼ା ପ୍ରକାଶିତ ହୁଏ ୧୯୧୩ମସିହାରେ ଗିରିଶଚନ୍ଦ୍ରଙ୍କ ମୃତ୍ୟୁପରେ ପୁରୁଣା ଲେଖା ଭୂମିକାଟିକୁ ଖୋଜି ‘ଆମାର କଥା’ ସାଙ୍ଗରେ ଯୁକ୍ତ କରି ନବସଂସ୍କରଣ ପ୍ରକାଶ କରନ୍ତି ବିନୋଦିନୀ ।

ଏ ସମ୍ପର୍କରେ ବିନୋଦିନୀଙ୍କର ବକ୍ତବ୍ୟ ଉଲ୍ଲେଖ କରି ପ୍ରସଙ୍ଗାନ୍ତରେ ଯିବି : ‘ରଙ୍ଗାଳୟରେ ମୁଁ ଗିରିଶବାବୁ ମହାଶୟଙ୍କର ଦକ୍ଷିଣହସ୍ତରୂପେ ଥିଲି ।’ ମୋର ଶିକ୍ଷାଗୁରୁ ଓ ସମସାମୟିକ ଶ୍ରେଷ୍ଠ ଅଭିନେତା ଯଦି ସବୁ ଘଟଣା ଭୂମିକାରେ ଉଲ୍ଲେଖ ନ କରନ୍ତି, ମୋ ଆତ୍ମକାହାଣୀ ଅସମ୍ପୂର୍ଣ୍ଣ ରହିବ ।… କିନ୍ତୁ ମୋ ଗୁରୁ ଭୂମିକା ଲେଖା ଅସମ୍ପୂର୍ଣ୍ଣ ରଖି ମୋତେ ଏଇ ଶିକ୍ଷା ଦେଇଗଲେ ଯେ ସଂସାରରେ ସବୁକିଛିି ସମ୍ପୂର୍ଣ୍ଣ ହୋଇପାରେନା ।

୧୮୭୭ମସିହାରୁ ବିନୋଦିନୀ ଗିରିଶଚନ୍ଦ୍ରଙ୍କ ସଂସ୍ପର୍ଶରେ ଆସନ୍ତି ଏବଂ ସେବେଠାରୁ ନାଟ୍ୟାଳୟ ଗୁଡ଼ିକର ଭଙ୍ଗାଗଢ଼ା ଦେଇ ୧୮୮୬ପର୍ଯ୍ୟନ୍ତ ତାଙ୍କର ଗୁରୁ ସଙ୍ଗେ ସମ୍ପର୍କ ଅକ୍ଷୁର୍ଣ୍ଣ ଥିଲା । ୧୮୮୭ ଜାନୁଆରୀ ଏକ ଅଭିନୟ ପରେ ବିନୋଦିନୀ ରଙ୍ଗମଞ୍ଚ ସାଙ୍ଗରେ ସମସ୍ତ ସମ୍ପର୍କ ଛିନ୍ନ କରି ସ୍ୱଆରୋପିତ ନିର୍ବାସନରେ ଚାଲିଯାଆନ୍ତି । ପରିଶ୍ରମ ଓ ପ୍ରତିଭାର ଏଭଳି ସମନ୍ୱୟ ଯେମିତି ଦୁର୍ଲ୍ଲଭ, ଆକାଶଚୁମ୍ବୀ ସାଫଲ୍ୟର ସମସ୍ତ ଆକର୍ଷଣ ତୁଚ୍ଛ କରି ଏଭଳି ବିଦାୟ ନେବାଟା ବି ଅଭୂତପୂର୍ବ ।

ନାଟ୍ୟଶିକ୍ଷକ ହିସାବରେ ଗିରିଶଚନ୍ଦ୍ରଙ୍କର ଦକ୍ଷତା ଓ କୁଶଳତାର କଥା ବାରମ୍ବାର ଉଲ୍ଲେଖ କରିଛନ୍ତି ବିନୋଦିନୀ । ନିଜେ ବି କେବେ ଅଭିନୟ ବିଷୟରେ ଅମନଯୋଗୀ ହୋଇନାହାନ୍ତି, ‘ଅଭିନୟ ହିଁ ମୋ ଜୀବନର ଶେଷ ସମ୍ପଦ ଥିଲା ।’ ଗିରିଶଚନ୍ଦ୍ରଙ୍କର ଯତ୍ନରେ ହିଁ ତାଙ୍କର ପ୍ରକୃତ ଅଭିନୟ ଶିକ୍ଷାର ଆରମ୍ଭ । ବିନୋଦିନୀ କହିଛନ୍ତି – ‘ଆଗୁରୁ ଯାହା ଶିଖିଥିଲି ତାହା ଘୋଷା ପକ୍ଷୀର ଚତୁରତାର ନ୍ୟାୟ… କୌଣସି ବିଷୟ ତର୍କ ବା ଯୁକ୍ତି ଦ୍ୱାରା କିଛି କହି ବା ବୁଝିପାରୁ ନଥିଲି । ଏବେ ନିଜର ଭୂମିକା ବୁଝିପାରୁଛି ।’

ଗିରିଶଚନ୍ଦ୍ର ତାଙ୍କ ‘ଭୂମିକା’ରେ ବିନୋଦିନୀଙ୍କର ଅଭିନୟ କୁଶଳତାର କଥା ଦ୍ୱିଧାହୀନ ଚିତ୍ତରେ ସ୍ୱୀକାର କରିଛନ୍ତି । ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ସମସ୍ତ ଧରଣର, ଚରିତ୍ରର ଅଭିନୟରେ ତାଙ୍କର ପାରଦର୍ଶିତା ଥିଲା ବିସ୍ମୟକର । ବୁଦ୍ଧଦେବ ଚରିତରେ ଗୋପା, ପ୍ରହଲ୍ଲାଦ ଚରିତ୍ରରେ ପ୍ରହଲ୍ଲାଦ, ଚୈତନ୍ୟ ଲୀଳାରେ ଚୈତନ୍ୟ ଇତ୍ୟାଦି ଭାବ ଗମ୍ଭୀର ଚରିତ୍ରରେ ଯେମିତି, ସେମିତି ‘ବୁଢ଼ୋ ଶାଲିକେର ଘାଡ଼େ ବୋଁ, ‘ବିବାହ ବିଭ୍ରାଟ’, କିମ୍ବା ଚାଟୁ ଜ୍ୟେ – ବାଁ ଡୁଯୋ’ ଭଳି ପ୍ରହସନର ହାଲ୍କା ଚରିତ୍ରରେ ପୁଣି ‘କପାଳକୁଣ୍ଡଳା, ଦୁର୍ଗେଶନନ୍ଦିନୀ, ମୃଣାଳିନୀ ଭଳି ସାହିତ୍ୟ ସମୃଦ୍ଧ ନାଟକରେ ବିନୋଦିନୀଙ୍କର ଆଶ୍ଚର୍ଯ୍ୟ ମନନଶୀଳ ଅଭିନୟ ଦର୍ଶକଙ୍କର ଆକୁଣ୍ଠ ପ୍ରଶଂସା ଲାଭ କରିଛି । ଗିରିଶଚନ୍ଦ୍ର କହିଛନ୍ତି – ‘ନିଜକୁ ଭୁଲି ଶିକ୍ଷା ଲାଭ କରିବା ଅଭିନୟର ପ୍ରଧାନ ଅଙ୍ଗ, ଏ ଶିକ୍ଷାରେ ବିନୋଦିନୀ ବିଶେଷ ନିପୁଣା । ବିନୋଦିନୀ ଭିନ୍ନ ଭିନ୍ନ ଭୂମିକା ଦ୍ୱାରା ନିଜକୁ ଏଭାବେ ପରିବର୍ତ୍ତିତ କରିଦିଅନ୍ତି ଯେ, ତାଙ୍କୁ ଗୋଟିଏ ଭୂମିକାରେ ଦେଖିଲେ ଅନ୍ୟ ଭୂମିକାରେ ଯେ ସେଇ ଅଭିନେତ୍ରୀ ସେକଥା ଦର୍ଶକମାନେ ବୁଝିପାରନ୍ତିନି ।’

ଅନେକ ନାଟକରେ ବିନୋଦିନୀ ଗିରିଶଚନ୍ଦ୍ରଙ୍କର ବିପରୀତରେ ଅଭିନୟ କରିଛନ୍ତି । ବିନୋଦିନୀ ଲେଖିଛନ୍ତି: ‘ମୃଣାଲିନୀରେ ଗିରିଶବାବୁ ପଶୁପତି ମୁଁ ମନୋରମା, ଦୁର୍ଗେଶନନ୍ଦିନୀରେ ଗିରିଶବାବୁ ଜଗତସିଂହ ମୁଁ ଆୟେଶା, ବିଷବୃକ୍ଷରେ ଗିରିଶଚନ୍ଦ୍ର ନଗେନ୍ଦ୍ରନାଥ ମୁଁ କୁଳନନ୍ଦିନୀ ପଲାଶିଯୁଦ୍ଧରେ ଗିରିଶବାବୁ ଫ୍ଲାଇଭ ମୁଁ ବ୍ରିଟାନିୟା । ଅଭିନିତ ଚରିତ୍ର ସାଙ୍ଗରେ ବିନୋଦିନୀ ନିଜକୁ ଏକାତ୍ମ କରି ନେଉଥିଲେ । ଗିରିଶଚନ୍ଦ୍ରଙ୍କ ଭାଷାରେ,‘ଅଭିନୟ କରି କରି ସେ ତନ୍ମୟ ହୋଇଯାଆନ୍ତି । ନିଜର ଅସ୍ତିତ୍ୱ ଭୁଲି ଏମିତି ଏକ ଅନିର୍ବଚନୀୟ ପବିତ୍ରଭାବ ଉଦ୍ଦୀପ୍ତ ହୋଇଉଠେ ତାଙ୍କ ଭିତରେ ଯେ ଅଭିନୟ ଭଳି ମନେ ହୁଏନା, ସତ୍ୟ ଘଟଣା ଭଳି ଅନୁଭୂତ ହୁଏ । (ଗିରିଶଚନ୍ଦ୍ର – ‘କେମିତି କେହି ଏତେ ବଡ଼ ଅଭିନେତ୍ରୀ ହୁଅନ୍ତି?’) ବିନୋଦିନୀଙ୍କର ଅପୂର୍ବ ଅଭିନୟ କ୍ଷମତାକୁ ସ୍ୱୀକୃତି ଦେଇଛନ୍ତି ଏହିଭଳି ଭାବରେ! ‘ମୁଁ ମୁକ୍ତକଣ୍ଠରେ କହୁଛି ଯେ, ରଙ୍ଗମଞ୍ଚରେ ବିନୋଦିନୀଙ୍କର ଉକ୍ରର୍ଷ ମୋର ଶିକ୍ଷା ଅପେକ୍ଷା ତାଙ୍କର ନିଜ ଗୁଣ ଅଧିକ ।’

ବିନୋଦିନୀ ତାଙ୍କର ସ୍ୱଳ୍ପ ଦୀର୍ଘ ନାଟ୍ୟଜୀବନରେ ନାନା ଧରଣର ପ୍ରାୟ ୮୦ଟି ନାଟକରେ ବା ୯୦ଟି (ବା ତାଠୁ ବେଶୀ) ଚରିତ୍ରରେ ଅଭିନୟ କରିଛନ୍ତି ।

ଇତିହାସରେ ଏମିତି କିଛି ଅନନ୍ୟ ଚରିତ୍ର ଅଛନ୍ତି ଯାହାଙ୍କୁ ସେ ସମୟର ସମାଜ କମ୍ ବୁଝିଛି । ନିଜ ଅଜାଣତରେ ସେମାନେ ନିଜର ପ୍ରତିଭା ମାଧ୍ୟମରେ ସମାଜରେ କିଛି ଧାରା ସୃଷ୍ଟି କରି ଚାଲିଯାଇଥାନ୍ତି । ବଙ୍ଗଳାର ନାଟ୍ୟ ଇତିହାସରେ ଏକଦା ଚହଳ ପକାଇ ଦର୍ଶକମାନଙ୍କର ହୃଦୟ ଜିଣିଥିବା ‘ବିନୋଦିନୀ’ ସେଭଳି ଏକ ଚରିତ୍ର । ତାଙ୍କ  ଅଭିନୟ ଦେଖି ବିମୋହିତ ହେଉଥିବା ଦର୍ଶକମାନେ ହୁଏତ ବହୁତ କମ୍ ଜାଣିଥିବେ ବିନୋଦିନୀଙ୍କର ବ୍ୟକ୍ତିଗତ ଜୀବନର ସଂଘର୍ଷମୟ ଦିଗଗୁଡ଼ିକ । ତାଙ୍କ ଜୀବନ କାହାଣୀର ପ୍ରତିଟି ପାଖୁଡ଼ାରେ ସତେଯେମିତି ଭରିରହିଛି ନିଜକୁ ଅସହାୟ ମନେକରୁଥିବା ନାରୀ ସମାଜ ପାଇଁ ଅଜସ୍ର ଆଶା ଓ ସମ୍ଭାବନା । ଆମେ ତାଙ୍କୁ ଜଣେ ବନ୍ଧୁଙ୍କ ସୌଜନ୍ୟରୁ ଜାଣିବାର ଓ ବୁଝିବାର ସୁଯୋଗଟିଏ ପାଇଲୁ । ସେଇ ବୁଝାମଣାଟି ପାଠକମାନଙ୍କ ଭିତରେ ବାଣ୍ଟିବା ପାଇଁ ଆଉ ଜଣେ ବନ୍ଧୁଙ୍କର ସହଯୋଗ ନେଲୁ । ଉଭୟଙ୍କ ନିକଟରେ ଆମେ କୃତଜ୍ଞ । ନଟୀ ବିନୋଦିନୀ ନାମରେ ପରିଚିତ ଏହି ମହାନ କଳାକାରଙ୍କୁ ଆମେ ଜଣେ ନାରୀ ହିସାବରେ ଉପସ୍ଥାପନ କରିବାପାଇଁ ଚାହୁଁନୁ । ତାଙ୍କର ଜୀବନ କାହାଣୀ ପ୍ରତିଟି ମଣିଷ ପାଇଁ ପ୍ରେରଣା ଯୋଗାଇବ ଏହା ହିଁ ଆମର ଆଶା ।    – ସମ୍ପାଦକ

 

ମୂଳଲେଖା- ଅମଲକୁମାର ରାୟ

ଭାଷାନ୍ତର- ସମିଧା ବେଦବାଳା

Photo credit-https://bit.ly/3rAQjdQ


Share Samadhwani
Support Samadhwani

About ସମିଧା ବେଦବାଳା

ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ)

Check Also

ଅବିସ୍ମରଣୀୟ ପ୍ରତିଭା କେଶବ କବିଙ୍କ ସ୍ମରଣେ

Share Samadhwaniଯେପରି ବଣ ମଲ୍ଲୀ ଅରଣ୍ୟ ବନାନୀ ରେ ପ୍ରସ୍ଫୁଟିତ ହୋଇ ଵୃନ୍ତ ଚ୍ୟୂତ ହୋଇଯାଇ ବନ ଭୂମିରେ ଖସିପଡେ …