‘ଆଦି ନାଟ୍ୟକାର: ଜଗନ୍ମୋହନ ନା ରାମଶଙ୍କର?’ ଏହା ଏକ ତର୍କ ବିତର୍କର ପ୍ରଶ୍ନ। ବିଭିନ୍ନ ଆଲୋଚକ ସମାଲୋଚକ ଏହିଭଳି ପ୍ରସଙ୍ଗକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ଏବଂ ଉତ୍ତରରେ କେହି ଜଗନ୍ମୋହନଙ୍କ ସପକ୍ଷରେ ତ କେହି ରାମଶଙ୍କରଙ୍କ ସପକ୍ଷରେ। ଏହି ପ୍ରବନ୍ଧର ଭାଗ-୧ ରେ ଆମ୍ଭେ ସ୍ୱୟଂ ନାଟ୍ୟକାର ରାମଶଙ୍କରଙ୍କ ‘ଆଦିନାଟ୍ୟକାର’ ଅଭିମତକୁ ଖଣ୍ଡନ କରିଥିଲେ ବିଭିନ୍ନ ଯୁକ୍ତିଭିତ୍ତିକ ପ୍ରମାଣ ଦେଇ। ଭାଗ-୨ ରେ ଆମ୍ଭେ ସେହି ଯୁକ୍ତି ବଳରେ ପରବର୍ତ୍ତୀ ଆଲୋଚନାକୁ ଯିବା ଏବଂ ପ୍ରମାଣ କରିବା ଯେ, ପ୍ରକୃତ ଓଡ଼ିଆ ଆଦି ନାଟ୍ୟକାର କିଏ?
ସ୍ୱୟଂ ରାମଶଙ୍କର ନିଜକୁ ‘ଆଦିନାଟ୍ୟକାର’ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ଅଯଥାର୍ଥ। ବିଭିନ୍ନ ଯୁକ୍ତି ପ୍ରମାଣ ସହ ଆମ୍ଭେ ପ୍ରମାଣ କରି ଦେଖିଲେ। ଏହାଙ୍କ ପରେ ରାମଶଙ୍କରଙ୍କ ପୁତ୍ର ସମାଲୋଚକ ଗିରିଜା ଶଙ୍କର ରାୟ ତାଙ୍କର ଓଡ଼ିଆ ନାଟ୍ୟକାର ଗ୍ରନ୍ଥରେ କହନ୍ତି, “ଓଡ଼ିଆରେ ପ୍ରଥମ ନାଟକ ରଚିତ ହେଲା ୧୮୮୦ ମସିହାରେ। ତାହା ପୂର୍ବରୁ ଯେଉଁ ‘ବାବାଜୀ’ ନାଟକ ରଚିତ ହୋଇଥିଲା ତାହା ବାସ୍ତବରେ ନାଟକ ନୁହେଁ।” ଅନ୍ୟତ୍ର ପୁଣି ଲେଖିଛନ୍ତି, “ବାସ୍ତବିକ ଏହି ବାବାଜୀ ନାଟକ ପ୍ରକୃତ ନାଟକ ନୁହେଁ; କିନ୍ତୁ ଏହା ଯାତ୍ରା ଅପେକ୍ଷା ଉନ୍ନତ ଓ ରୁଚିସମ୍ପନ୍ନ। ଏଥିରେ କଥୋପକଥନର ବାହୁଲ୍ୟ ଅଛି, ଚରିତ୍ର ଚିତ୍ରଣର ପ୍ରୟାସ ଅଛି; ମାତ୍ର ନାଟକରେ ଯେଉଁ କଥାବସ୍ତୁର ବିନ୍ୟାସ ଥାଏ ଓ ନାନା ଚରିତ୍ରର ଏକତ୍ର ସମାବେଶରେ କଥାବସ୍ତୁର ସୌନ୍ଦର୍ଯ୍ୟ ସମ୍ପାଦିତ ହୋଇଥାଏ, ଏଥିରେ ସେସବୁ କିଛି ନାହିଁ। ଏହା ଅତି କ୍ଷୁଦ୍ର ଶିକ୍ଷାପ୍ରଦ ଗୀତିନାଟ୍ୟ ଭିନ୍ନ ଆଉ କିଛି ନୁହେଁ।” (ଗିରିଜା ଶଙ୍କର ରାୟ – ଓଡ଼ିଆ ନାଟ୍ୟକାର, ପ୍ରଥମ ସଂସ୍କରଣ, ୧୯୪୩, ପୃ. ୩୯) ରାମଶଙ୍କର ରାୟଙ୍କ ପୁତ୍ର ଗିରିଜା ଶଙ୍କର ରାୟ ‘ବାବାଜୀ’ ନାଟକକୁ ଏକ ଶିକ୍ଷାପ୍ରଦ ଗୀତିନାଟ୍ୟ କହି ଓଡ଼ିଆ ଯାତ୍ରାର ସୁରୁଚିପୂର୍ଣ୍ଣ ସଂସ୍କରଣ ବୋଲି କହିଅଛନ୍ତି। ମାତ୍ର ଏକ ସ୍ଥିର ଦୃଷ୍ଟିରେ ନାଟକକୁ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ‘ବାବାଜୀ’ ନାଟକରେ ଗୀତିନାଟ୍ୟର କୌଣସି ରୂପ ଗୁଣ ନାହିଁ। ସର୍ବମୋଟ ତିନିଗୋଟି ଗୀତ ଆବଶ୍ୟକ ସ୍ଥଳେ ସଂଯୋଜିତ। ଅଧ୍ୟାପକ ଗିରିଜାଶଙ୍କର ରାୟ ରାମଶଙ୍କର ରାୟଙ୍କ ପୁତ୍ର ହୋଇଥିବା କାରଣରୁ ନିଜ ପିତାଙ୍କର ‘ଆଦିନାଟ୍ୟକାର’ ମତକୁ କେବଳ ସ୍ୱୀକାର ଓ ସମର୍ଥନ କରିଯାଇଛନ୍ତି ମାତ୍ର। ଏହି ଦୃଷ୍ଟିରୁ ‘କା ôକାବେରୀ’ ନାଟକକୁ ସେ ପ୍ରଥମ ନାଟକର ମାନ୍ୟତା ଦିଅନ୍ତି।
ଫକୀରମୋହନ ସେନାପତି ନାଟ୍ୟକାର ରାମଶଙ୍କର ରାୟଙ୍କ ‘ଆଦିନାଟ୍ୟକାର’ ମନ୍ତବ୍ୟକୁ ସୁଦୃଢ କରିବାକୁ ଯାଇ କୁହନ୍ତି – “ହେ ରାମଶଙ୍କର ମୋର ମାନୁଛି ମନକୁ / ହୋଇପାର ଭାଇ ତୁମେ ଗଉରୀ ପଛକୁ / ଓଡ଼ିଆ ନାଟକ ଆଉ ନଭେଲର ଲେଖା / ପ୍ରଥମରେ ତୁମ୍ଭଠାରେ ଗଲା ସିନା ଦେଖା।” – ଉତ୍କଳ ଭ୍ରମଣଂ – (ଫକୀର ମୋହନ ଗ୍ରନ୍ଥାବଳୀ – ପ୍ରଥମ ଖଣ୍ଡ, ଦ୍ୱିତୀୟ ସଂସ୍କରଣ, ୧୯୬୩, ପୃ-୨୦୯) ଏବଂ ରମଣଙ୍କରଙ୍କ ‘କାଞ୍ଚିକାବେରୀ’ ନାଟକକୁ ପ୍ରଥମ ନାଟକର ମାନ୍ୟତା ପ୍ରଦାନ କରିଛନ୍ତି। ଫକୀର ମୋହନ ବୋଧହୁଏ ‘କାଞ୍ଚିକାବେରୀ’ ନାଟକର ପ୍ରସ୍ତାବନରୁ କିଛି ନ ବୁଝି ଏହାକୁ ଗ୍ରହଣ କରିଦେଇଛନ୍ତି। ଦ୍ୱିତୀୟରେ ପ୍ରଥମ ନଭେଲର ରଚୟିତା ଭାବେ ମଧ୍ୟ ଫକୀରମୋହନ ରାମଶଙ୍କରଙ୍କୁ ହିଁ ଗ୍ରହଣ କରିନେଇଛନ୍ତି। କିନ୍ତୁ ତାହା ଯେ ଅସାରତା ପ୍ରମାଣିତ ହୋଇସାରିଛି। ଅତଏବ ଫକୀରମୋହନଙ୍କ ଉପରୋକ୍ତ ମନ୍ତବ୍ୟରେ କୌଣସି ଦୃଢତା ନାହିଁ।
‘ବାବାଜୀ’ ନାଟକକୁ ଆଲୋଚନା କରି ଅଧ୍ୟାପକ ଜାନକୀ ବଲ୍ଲଭ ମହାନ୍ତି ତାଙ୍କ ‘‘oriya literature’’ ରେ କୁହନ୍ତି – “This of course did not take a fall fledged shape of Drama. Most of the qualities of a Yatra, like the introduction of too much song, a chef type of humour, had among others, found place in this work. It is due to these limitation of Babaji that could not entitle it to the credit of a Drama.” ଅର୍ଥାତ୍ ତାଙ୍କ ମତରେ ବାବାଜୀ ନାଟକରେ ‘ହାସ୍ୟରସର ପ୍ରାବଲ୍ୟ ଓ ଗୀତି ବହୁଳତା’ ଥିବାରୁ ଏବଂ ଏହାର ଆଙ୍ଗିକ ଯାତ୍ରା ଶୈଳୀରେ ରଚିତ ହୋଇଥିବାରୁ ଏହା ଠିକ୍ ନାଟକ ନୁହେଁ। ଅଧ୍ୟାପକ ମହାନ୍ତିଙ୍କ ଉପରୋକ୍ତ ମନ୍ତବ୍ୟରୁ ଯାହା ଜଣାଯାଏ ‘ବାବାଜୀ’ ନାଟକକୁ ବୋଧହୁଏ ଅଧ୍ୟାପକ ମହାଶୟ ଆଦୌ ଦେଖିନାହାନ୍ତି କିମ୍ବା ପଢି ମଧ୍ୟ ନାହାନ୍ତି। କେବଳ ଉପରଠାଉରିଆ ଭାବରେ ସେ ନିଜର ମନ୍ତବ୍ୟ ରଖିଦେଇଛନ୍ତି ମାତ୍ର। ତାଙ୍କ ଯୁକ୍ତି ଦୁର୍ବଳ ମନେହୁଏ। ମାତ୍ର ତିନିଗୋଟି ଗୀତ ଆବଶ୍ୟକ ସ୍ଥଳେ ଖଞ୍ଜାଯାଇଛି ଏବଂ ହାସ୍ୟରସର ମାତ୍ରା ମଧ୍ୟ ଉକ୍ତ ନାଟକରେ କ୍ଷୀଣ। ଆବଶ୍ୟକ ସ୍ଥଳରେ ଏହାର ପ୍ରୟୋଗ ମାତ୍ରା କରାଯାଇଛି। ଏ ସଂପର୍କରେ ସେକ୍ ମତଲୁବ ଅଲ୍ଲୀ ଅତି ସୁନ୍ଦର ଭାବରେ ‘ଜଗନ୍ମୋହନ ଲାଲ ସ୍ମରଣିକା’ର ଭୂମିକାରେ ମତ ଦେଇ କୁହନ୍ତି, “ବାବାଜୀ ନାଟକ ସଂପର୍କରେ ଖୁବ୍ ଅଳ୍ପ ଆଲୋଚନା ହୋଇଛି। ସେଥିରେ ବହି ପଢିନଥିବା ଆଲୋଚକଙ୍କ ସଂଖ୍ୟା ଅଧିକ। ଏଣୁ ଯାହା ଫଳ ହେବାର କଥା ତାହାହିଁ ହୋଉଛି।” (ଆଦି ନାଟ୍ୟକାର ଜଗନ୍ମୋହନ ଲାଲ ସ୍ମରଣିକା – ସଂ. ସେକ୍ ମତଲୁବ୍ ଅଲ୍ଲୀ, ପୃ.୭୩) ସମାଲୋଚକ ଶ୍ରୀ ଅଲ୍ଲୀଙ୍କ ଉପରୋକ୍ତ ମନ୍ତବ୍ୟ ପ୍ରଣିଧାନ୍ୟ ଯୋଗ୍ୟ। ତେଣୁ ଗୋଟିଏ ବାକ୍ୟରେ ବୁଝାଇ କହିବାକୁ ଗଲେ ଅଧ୍ୟାପକ ଜାନକୀ ବଲ୍ଲଭ ମହାନ୍ତିଙ୍କ ପ୍ରତି ଉପରୋକ୍ତ ମନ୍ତବ୍ୟ ପ୍ରଯୁଜ୍ୟ ଅଟେ।
ଅଧ୍ୟାପକ ପ୍ରିୟରଂଜନ ସେନ୍ ‘ବାବାଜୀ’ ନାଟକକୁ ଏକ ଉଦ୍ଦେଶ୍ୟଯୁକ୍ତ ସଂକ୍ଷିପ୍ତ ବିବରଣୀ ଓ ମାଦକ ଦ୍ରବ୍ୟ ସେବନ ବିରୋଧରେ ରଚିତ ବୋଲି ମତ ଦେଇଛନ୍ତି। (Priya Ranjan Sen – Modern Oriya literature, 1st Edn, P.109. “… Babaji, which was practically not a play at all but a sketch with a purpose, it was in the words of Burn heart, Drama directed against the use of intoxicating drug.”) ଅବଶ୍ୟ ‘ବାବାଜୀ’ ନାଟକରେ ତତ୍କାଳୀନ ସମାଜରେ ଦେଖାଯାଉଥିବା ବିଭିନ୍ନ କୁସଂସ୍କାର ମୂଳକ ସମସ୍ୟା ବର୍ଣ୍ଣିତ ହୋଇଥିବାରୁ ଏହା ଅବଶ୍ୟ ପ୍ରଚାରଧର୍ମୀ ହୋଇପଡ଼ିଛି। ଏହି ପ୍ରଚାରଧର୍ମୀ ହେବା ମୂଳରେ ଯେ ସମାଜ ପ୍ରତି ଏକ ବାର୍ତ୍ତା ରହିଛି ତଥା ଉତ୍କାଳୀନ ସମାଜିକ ଅଧୋପତନର ଛବି ଯେ ସ୍ପଷ୍ଟ ହୋଇପାରିଛି, ତାହାକୁ ବୁଝିବାରେ ବୋଧହୁଏ ଆଲୋଚକ ମହାଶୟଙ୍କର ଅସୁବିଧା ହୋଇଛି। ନାଟକରେ ବିବରଣୀ ସର୍ବସ୍ୱ ତଥା ପ୍ରଚାରଧର୍ମିତା ସମାଜ ପ୍ରତି ଯେ ଏକ ଅଙ୍ଗୁଳି ନିର୍ଦ୍ଦେଶ। ସମାଜକୁ ବିଭିନ୍ନ ଦୋଷତ୍ରୁଟିରୁ ନିବୃତ୍ତ କରିବାରେ ଏହା ଯେ ଏକ ଅବ୍ୟର୍ଥ ଔଷଧ ପରି, ଏହାକୁ ବୁଝିବାକୁ ପଡ଼ିବ। ତେଣୁ ନାଟକଦି ପ୍ରଚାରଧର୍ମିତାର ପ୍ରୟୋଗ ପ୍ରତ୍ୟକ୍ଷ ନ ହୋଇ ହୋଇଥାଏ ପରୋକ୍ଷ, ଇଙ୍ଗିତାତ୍ମକ। ସମାଜ ପାଇଁ ଏହା ଶୁଭଙ୍କର। ତେଣୁ ସମୀକ୍ଷକଙ୍କ ମତ ଯେ ଭ୍ରମାତ୍ମକ, ଏହା ତ୍ରିବାର ସତ୍ୟ।
କ୍ରମଶଃ …
ଚିନ୍ମୟ ସାମଲ, (ଅଧ୍ୟାପକ)
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ