ବାଲ୍ମୀକି ସଂପ୍ରଦାୟର ଜନ୍ମ କାଳୀନ କର୍ମକର୍ମାଣୀ

ବାଲ୍ମୀକି କରୁଆଁ
ବାଲ୍ମୀକି କରୁଆଁ 263 Views
14 Min Read

 

Support Samadhwani

ଜନବହୁଳ ରାଜ୍ୟ ଓଡ଼ିଶାରେ ବିଭିନ୍ନ ସଂପ୍ରଦାୟର ଲୋକ ବାସ କରୁଥିବାବେଳେ, ନିଜର ସ୍ୱତନ୍ତ୍ର ପରିଚୟ ନେଇ ବାସ କରନ୍ତି ବାଲ୍ମୀକି ସଂପ୍ରଦାୟ । ଏହି ଜାତିର ଲୋକମାନଙ୍କ ଭାଷା, ସଂସ୍କୃତି ଅନେକ ଭିନ୍ନ । କୋରାପୁଟ ଜିଲ୍ଲାର ଗୋଲୁରୁ, କଣ୍ଟା, ଅଣ୍ଡ୍ରଗୁଡ଼ା, କୁଡୁପ୍‌, ଆବୋର୍‌ଡ଼ା, ପାଡୁଆ, କୋଲାବିର୍‌, ସୁବ୍‌ଲା, ବିମ୍‌ଡଲ୍‌, ଆମ୍‌ବେଲ୍‌, ନନ୍ଦପୁର, ଗୁନାଇପାଡ଼ା ତଥା ଅନ୍ୟାନ୍ୟ ଗ୍ରାମଗୁଡ଼ିକରେ ଏହି ସଂପ୍ରଦାୟର ଲୋକମାନେ ବାସ କରିଥାନ୍ତି । ଆଦିବାସୀମାନେ ଯେଭଳି ନିଜର ଦେବାଦେବୀଙ୍କୁ ମାନିଚଳନ୍ତି ଏବଂ ବିଭିନ୍ନ ପର୍ବପର୍ବାଣୀ ପାଳନ କରନ୍ତି, ଠିକ୍ ସେହିଭଳି ଏହି ବାଲ୍ମୀକି ଜାତିର ଲୋକମାନେ ମଧ୍ୟ ନିଜ ଦେବାଦେବୀଙ୍କୁ ପୂଜା କରନ୍ତି ଓ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି ଆନନ୍ଦ ଉପଭୋଗ କରିଥାନ୍ତି । ବାଲ୍ମୀକି ସଂପ୍ରଦାୟର ଲୋକମାନେ ପୁଷ୍‌ପର୍ବ, ଚଇତି ପର୍ବ, ନନ୍ଦିପର୍ବ ଆଦି ପାଳନ କରନ୍ତି ଓ ତାଙ୍କର ଦେବାଦେବୀ ହେଉଛନ୍ତି ବାଲି ଦେବତା, ବଡ଼ ଦେବତା, ନିଶାଣିମୁଣ୍ଡା ଇତ୍ୟାଦି । ଏମାନଙ୍କ ଭାଷା ଅତ୍ୟନ୍ତ ସ୍ୱତନ୍ତ୍ର ରୂପରେଖ ଧାରଣକରି ଗଢ଼ିଉଠିଛି; ଯାହା ଭିନ୍ନ ଏକ ଗବେଷଣାର ଅପେକ୍ଷା ରଖିଥାଏ । ସାଂସ୍କୃତିକ ଅଧ୍ୟୟନ କଲାବେଳେ ଅନ୍ୟ ଜାତିମାନଙ୍କଠାରୁ ଏମାନଙ୍କର ଚାଲିଚଳଣି ତଥା ପରଂପରାରେ ଅନେକ ଭିନ୍ନତା ଅବଲୋକନ କରାଯାଇପାରେ । ଝିଅର ପ୍ରଥମ ରଜ ଦର୍ଶନ, ପୁଅଝିଅଙ୍କ ବିବାହ ଆଦି ସମୟରେ ଭିନ୍ନ ତଥା ସ୍ୱତନ୍ତ୍ର ରୀତିନୀତିକୁ ଏମାନେ ଅବଲମ୍ବନ କରିଥାନ୍ତି । ତେବେ ଏଠାରେ ବାଲ୍ମୀକି ସଂପ୍ରଦାୟରେ ଛୁଆଟିଏ ଜନ୍ମ ହେଲେ କିଭଳି କର୍ମକର୍ମାଣୀ ବିଧିକୁ ପାଳନ କରାଯାଏ; ତାହା ଆଲୋକପାତ କରାଯାଇଛି ।

ଲୋକଜୀବନ ବିଶ୍ୱାସକୁ ନେଇ ଆଗକୁ ବଢ଼ିଥାଏ । ମଣିଷ ବିଶ୍ୱାସକୁ ଗଢ଼େ,ବିଶ୍ୱାସରେ ବଢେ, ପୁଣି ବିଶ୍ୱାସ ମଧ୍ୟରେ ପର ପିଢିକୁ ଛାଡ଼ିଦେଇ ମୃତ୍ୟୁ ପ୍ରାପ୍ତ କରିଥାଏ । ବାଲ୍ମୀକି ସଂପ୍ରଦାୟର ଲୋକମାନେ ବିଶ୍ୱାସ କରନ୍ତି, ଭାରତର ଆଦ୍ୟଗ୍ରନ୍ଥ ସଂସ୍କୃତ ରାମାୟଣର ରଚୟିତା ମହର୍ଷି ‘ବାଲ୍ମୀକି’ଙ୍କର ବଂଶଧର ହେଉଛନ୍ତି ସେମାନେ । ତେବେ ଏହାର କୌଣସି ଐତିହାସିକ ପ୍ରମାଣ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ନାହିଁ । ଗୋଟିଏ ବିଶ୍ୱାସର ଆଧାରରେ ସେମାନେ ନିଜ ଜାତିର ଏକ ପରିଚୟ ପ୍ରଦାନ କରିଥାନ୍ତି । ତାଙ୍କ ପ୍ରତିଟି ସାଂସ୍କୃତିକ କାର୍ଯ୍ୟରେ ବିଶ୍ୱାସର ଭୂମିକା ରହିଛି । ଛୁଆଟିଏ ଜନ୍ମ ହେଲେ ତା’ର ନାଭି ପଡ଼ିବା ପର୍ଯ୍ୟନ୍ତ ସେମାନେ ଏକ ରୀତିନୀତି ପାଳନ କରିଥାନ୍ତି । ତା’ ପଛର ବିଶ୍ୱାସ ହେଉଛି ଛୁଆଟି କିଭଳି ସୁସ୍ଥ ସବଳ ରହିବ ଓ ତାକୁ କୌଣସି ଦୁଷ୍ଟଶକ୍ତି ଯେପରି କ୍ଷତି ନ ପହଞ୍ଚାଇପାରୁ । ଅର୍ଥାତ୍ ବାଲ୍ମୀକି ସଂପ୍ରଦାୟରେ ଛୁଆଟିଏ ଜନ୍ମନେବା ପରେ ପରେ ବିଶ୍ୱାସକୁ ଆଧାର କରି ଅନେକ ପାରଂପରିକ ରୀତିନୀତି ପାଳନ କରିବା ଆରମ୍ଭ ହୋଇଯାଇଥାଏ । ଏହା ତାଙ୍କ ସଂପ୍ରଦାୟର ଏକ ସ୍ୱତନ୍ତ୍ର ଚିତ୍ର ବହନ କରିଥାଏ ।

ନବଜାତ ଶିଶୁଟିଏ ଜନ୍ମ ହେଲା ପରେ ପାଞ୍ଚ ଦିନରେ, ସାତ ଦିନରେ ବା ନଅ ଦିନରେ; ଯେତିକି ଦିନରେ ନାଭି ଝଡ଼ିଥାଏ, ସେତିକି ଦିନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରୀତିନୀତିକୁ ମାନିବାକୁ ପଡ଼ିଥାଏ । ମା’ଟିଏ ଯେତେବେଳେ ପ୍ରସବ ବେଦନା ସହୁଥାଏ, ସେହି ସମୟରେ ଘରର କେହି ଜଣେ ବ୍ୟକ୍ତି ଫାଲଦା ଡାଳ ଓ ବାଡ୍‌ନି ଡାଳକୁ ଆଣି ଘରର ଦ୍ୱାରବନ୍ଧରେ ଥିବା କୌଣସି ଫାଙ୍କରେ ଖୋସି ଦିଅନ୍ତି । ଏପରି କରିବା ପଛରେ ବିଶ୍ୱାସ ହେଉଛି, ଦ୍ୱାରବନ୍ଧରେ ଯଦି ଏହି ଡାଳଗୁଡ଼ିକୁ ଲଗେଇ ଦିଆଯାଏ, ତେବେ ମା’ ଛୁଆଙ୍କୁ କିଏ ଗୁଣିଗାରେଡ଼ି କରିପାରିବ ନାହିଁ ଏବଂ କାହାର କୁଦୃଷ୍ଟି ପଡ଼ିବ ନାହିଁ । ଅର୍ଥାତ୍ ଶିଶୁଟିଏ ଜନ୍ମହେବା ପୂର୍ବରୁ ହିଁ ତାହାର ସୁରକ୍ଷା ପାଇଁ ସମସ୍ତେ ତତ୍ପର ହୋଇଉଠନ୍ତି । ଲୋକଜୀବନରେ ଆଜି ମଧ୍ୟ ଗାଁଗୁଡ଼ିକରେ ଏହି ଗୁଣିଗାରେଡ଼ିକୁ ବିଶ୍ୱାସ କରୁଥିବାରୁ ଏଭଳି ଏକ ଭୟ ସେମାନଙ୍କ ମନରେ ସ୍ୱତଃ ସୃଷ୍ଟି ହୋଇଥାଏ ।

Support Samadhwani

ପ୍ରସବ ପରେ ମା’ ଗର୍ଭରୁ ବାହାରୁଥିବା ମଇଳାକୁ ନେଇ ଘର ବାହାରେ ଗାତ ଖୋଳି ପୋତି ଦିଆଯାଏ । ଠିକ୍ ସେହି ପାଖରେ ହିଁ ମା’ ଓ ଛୁଆଙ୍କୁ ସ୍ନାନ କରେଇବା ପାଇଁ କିଛି ବ୍ୟବସ୍ଥା କରାଯାଇଥାଏ । ସେହି ଗାଧୋଇବା ସ୍ଥାନରେ ବାଡ୍‌ନି ଡାଳ ଓ ପିତ୍‌ମାରି ଡାଳକୁ ଆଣି ପୋତାଯାଏ ଠିକ୍ ଗଛ ଲଗେଇଲା ପରି । ଘରର କୌଣସି ଜଣେ ମହିଳା ଗୋଟିଏ ହାଣ୍ଡିରେ ଚାଉଳ, ହଳଦୀ ଓ କିଛି ଟଙ୍କା ଆଣି ରଖିଦିଅନ୍ତି । ସ୍ନାନ ସମୟରେ ମାଆ ଛୁଆକୁ ଧରି ସେହି ପୋତା ଯାଇଥିବା ଡାଳ ପାଖରେ ବସେ । ‘ଗୋରୁଅ’ (ବାଲ୍ମୀକି ଭାଷାରେ ଦିଶାରୀକୁ ଗୋରୁଅ କୁହାଯାଏ) ଆସେ ଓ ପୋତା ଯାଇଥିବା ଡାଳକୁ ନଡ଼ିଆ, ଧୂପ, ଦୀପ, ଲିଆଲଡୁ, ଫୁଲ ଆଦି ସମର୍ପି ପୂଜା କରେ ଏବଂ ପାଖରେ ବସିଥିବା ମାଆ ଓ ଛୁଆକୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ ତାଙ୍କ ଦେବାଦେବୀକୁ ପ୍ରାର୍ଥନା କରେ । ପୂଜା କରିବା ସମୟରେ ଗୋରୁଅ ପୂର୍ବପୁରୁଷଙ୍କୁ ମନେ ପକାଇ ବୁନ୍ଦାବୁନ୍ଦା ମଦକୁ ତଳେ ଢାଳେ ଓ ବାକିତକ ନିଜେ ପିଇଯାଏ । ଚାଉଳ ପଇସାପତ୍ର ଘର ଲୋକଙ୍କଠାରୁ ନେଇ ଗୋରୁଅ ଚାଲିଯାଏ । ତା’ପରେ ମା’ ଛୁଆକୁ ଘରର ସ୍ତ୍ରୀଲୋକମାନେ ଗାଧୋଇ ଦେଇଥାନ୍ତି । ପୂର୍ବରୁ ଆଣିକି ରଖିଥିବା ହାଣ୍ଡିରେ ପାଣି ଢାଳି ଦିଆଯାଏ । ସେହି ହଳଦୀ ମିଶା ପାଣିକୁ ମାଆ ଗାଧୋଇ ଥାଏ ।

ଲୋକଜୀବନରେ ପ୍ରକୃତିକୁ ସବୁବେଳେ ଗୁରୁତ୍ୱ ଦିଆଯାଏ । ପ୍ରକୃତିକୁ ପୂଜା କରିବାର ପରଂପରା କାହିଁ କେଉଁ ଯୁଗରୁ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ । ଏହାର ବିଶେଷ ଦୃଷ୍ଟାନ୍ତ ହେଉଛି, ବାଲ୍ମୀକି ସଂପ୍ରଦାୟରେ ବାଡ୍‌ନି ଡାଳ ଓ ପିତ୍‌ମାରି ଡାଳକୁ ପୂଜା କରିବାର ପରଂପରା । ସେହି ଡାଳଗୁଡ଼ିକୁ ସେମାନେ ନିଜର ଦେବାଦେବୀଙ୍କ ପ୍ରତୀକ ଭାବରେ ଗ୍ରହଣ କରନ୍ତି, ସେଇ ସ୍ନାନ କରେଇବା ସ୍ଥାନରେ । ସତେ ଯେମିତି ନିଜ ଘରର ଓ ଗାଁର ଦେବାଦେବୀମାନେ ଅବତରି ଆସି ସେହି ବାଡ୍‌ନି ଡାଳ ଓ ପିତ୍‌ମାରି ଡାଳରେ ଅଦୃଶ୍ୟ ଭାବରେ ବାସ କରିଥାନ୍ତି କିଛି ଦିନ ପାଇଁ । ଅର୍ଥାତ୍ ଜନ୍ମହେବା ପରଠାରୁ ହିଁ ବାଲ୍ମୀକି ସଂପ୍ରଦାୟର ଲୋକମାନେ ପ୍ରକୃତି ପୂଜନ ସହିତ ଜଡ଼ିତ ହୋଇଥାନ୍ତି ।

ନାଭି ଯେତିକି ଦିନରେ ଝଡ଼ିଥାଏ, ସେତିକି ଦିନ ପର୍ଯ୍ୟନ୍ତ ସେହି ପୋତା ଯାଇଥିବା ପିତ୍‌ମାରି ଡାଳ ଓ ବାଡ୍‌ନି ଡାଳ ପାଖରେ ମା’ ଓ ଛୁଆ ଗାଧୋଇଥାନ୍ତି । ନାଭିରେ ବାରମ୍ବାର ତେଲ ଦିଆଯାଉଥାଏ । କିପରି ତାହା ଶୀଘ୍ର ଝଡ଼ିବ, ସେଥି ନିମନ୍ତେ ଚେଷ୍ଟା କରାଯାଏ । ସାଧାରଣତଃ ମାଆ ଛୁଆଟିକୁ ଛାଡ଼ି କୁଆଡ଼େ ଯାଏ ନାହିଁ । ଯଦି କୌଣସି କାରଣ ଯୋଗୁଁ ପିଲାଟିକୁ ଛାଡ଼ି ସେ ଘରୁ ବାହାରେ ତେବେ ପିଲା ପାଖରେ ଗୋଟିଏ ଝାଡୁକୁ ରଖିଦିଏ ଏବଂ ଝାଡୁରୁ ଟିକିଏ ଭାଙ୍ଗିକି ନିଜ ମୁଣ୍ଡରେ ଖୋସିଦିଏ । ସେମାନଙ୍କର ବିଶ୍ୱାସ ରହିଛି ଯେ, ପିଲା ପାଖରେ ଝାଡୁଟିଏ ଥିଲେ ଭୂତପ୍ରେତ ପାଖକୁ ଆସିପାରିବେନି ଓ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ । ଠିକ୍ ସେହିପରି କାହାର କୁଦୃଷ୍ଟି ଯେମିତି ନ ପଡ଼ିବ, ସେଥି ନିମନ୍ତେ ମା’ଟିଏ ଝାଡୁ ଡାଙ୍ଗଟିଏ ନିଜ ମୁଣ୍ଡରେ ଖୋସି ବାହାରକୁ ବାହାରିଥାଏ । ଜଣେ କେହି ସ୍ନେହରେ ଛୁଆଟିକୁ ଧରିବା ପାଇଁ ଇଚ୍ଛା କଲେ ପ୍ରଥମେ ଝାଡୁକୁ ଛୁଁଅନ୍ତି ଓ ଝାଡୁକୁ ଟିକେ ଛେପ ପକାଇଲା ପରେ ହିଁ ଛୁଆକୁ ଧରନ୍ତି । ଗାଁଗହଳିରେ ବିଶ୍ୱାସ ଥାଏ, ବାହାରୁ ଯଦି କିଏ ଆସେ ତା’ ସହ ଅନେକ ପ୍ରେତାତ୍ମା ତଥା ଖରାପ ଶକ୍ତି ମଧ୍ୟ ସାଙ୍ଗରେ ଆସିଥାଏ । ତେଣୁ ଛୁଆଟିର ସୁରକ୍ଷା ପାଇଁ ବାହାରୁ ଆସୁଥିବା ଲୋକ ପ୍ରଥମେ ଏହି ନିୟମଟି ପାଳନ କଲାପରେ ହିଁ ଛୁଆଟିକୁ ଧରିଥାଏ । ଏହି ନିୟମଟି ପାଳନ କଲେ ଦୁଷ୍ଟଶକ୍ତିଗୁଡ଼ିକ ଛୁଆଟିର କିଛି ଅନିଷ୍ଟ କରିପାରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି ।

ମା’ଟି ଖାଉଥିବା ନିତିଦିନିଆ ଖାଦ୍ୟ ମଧ୍ୟରେ ବିଶେଷ ଗୁରୁତ୍ୱ ଦିଆଯାଏ କୋଳଥ, କରଡ଼ି, ରସୁଣ ଆଦି ଖାଦ୍ୟ ପଦାର୍ଥକୁ । କୋଳଥ, କରଡ଼ି ଖାଇଲେ ମା’ର ସ୍ୱାସ୍ଥ୍ୟ ଭଲ ରହିବା ସହ ଶିଶୁର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ରସୁଣକୁ ଝୋଳ କରିକି ଏକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ; ଯାହା ମାଆକୁ ଖାଇବାକୁ ଦିଆଯାଇଥାଏ । ଏହି ସମୟରେ ପିଲା ଓ ମା’ର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅତି ଯତ୍ନର ସହ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ ।

ଛୁଆ ଜନ୍ମହେବା ଦିନ ଯେଉଁଭଳି ରୀତିନୀତିକୁ ପାଳନ କରାଯାଏ, ଅନ୍ୟ ଦିନମାନଙ୍କରେ ଆଉ ସେମିତି କୌଣସି ବିଶେଷ ନିୟମ ପାଳନ କରାଯାଏ ନାହିଁ । ଯେଉଁ ଦିନ ନାଭି ଝଡ଼ିପଡ଼େ ସେହି ଦିନଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ନାଭି ପଡ଼ିବା ପରେ ଝିଅର ନାଭି ହୋଇଥିଲେ ଗୋବର ଖତରେ ପୋତି ଦିଆଯାଏ ଏବଂ ପୁଅର ନାଭି ହେଲେ ସଦର (ଯେଉଁଠି ପର୍ବପର୍ବାଣୀ ପାଳନ କରାଯାଏ) ଦାଣ୍ଡରେ ପୋତି ଦିଆଯାଏ । ଏହି ଦିନ ଘରଦ୍ୱାର ଲିପାପୋଛା କରି ଘରକୁ ସୁଦ୍ଧ କରାଯାଏ ।

ନାଭି ଝଡିଥିବା ଦିନର ଅପରାହ୍ନ ସମୟରେ ଗୋରୁଅ ଆସେ । ମା’ ଛୁଆକୁ ବସେଇ ପୂଜାପାଠ ସେ ଆରମ୍ଭ କରିଦିଏ । ମା’ ଓ ଛୁଆ ସାମ୍‌ନାରେ କଳସ ସ୍ଥାପନ କରେ । ନଡ଼ିଆ, ଧୂପ, ଦୀପ, ସିନ୍ଦୂର ଆଦି ବ୍ୟବହାର କରି ପୂଜା କାର୍ଯ୍ୟ କରିଥାଏ । ଗାଁର, ସମାଜର ତଥା ଘରର ସମସ୍ତ ଦେବାଦେବୀ ଓ ଡୁମାମାନଙ୍କୁ ତା’ ମନ୍ତ୍ରରେ ଡାକେ । ବହୁତ କଥା ସେମାନଙ୍କୁ ବୁଝାଏ, ମା’ ଛୁଆଙ୍କୁ ସୁରକ୍ଷା ଦେବାପାଇଁ ଅନୁରୋଧ କରେ । ମଦ ଢାଳିଦିଏ ଡୁମାମାନଙ୍କ ନାଁରେ । ପୂଜା ସରିଲା ବେଳକୁ ସଂଧ୍ୟା ହୋଇଯାଏ । ଗୋରୁଅ ପୂଜା ସାରିଲା ପରେ ଗାଧୋଇଥାଏ । ତା’ପରେ ଘର ଲୋକ ଦେଇଥିବା ଚାଉଳ ପଇସାପତ୍ର ଆଦିକୁ ନିଜ ଗାମୁଛାରେ ବାନ୍ଧି ଚାଲିଯାଏ ।

ଗୋରୁଅ ନିଜ ଘରକୁ ଯିବାପରେ ମା’ ଓ ଛୁଆକୁ ଗାଧୋଇ ଦିଆଯାଏ ଏବଂ ଘରକୁ ନିଆଯାଏ । ମା’ ଓ ଛୁଆ ନୂଆ ଲୁଗା ପିନ୍ଧନ୍ତି । ତା’ପରେ ଜଣେ ସ୍ତ୍ରୀଲୋକ କୁଲାରେ ଦୀପଟିଏ ଜାଳି ହାତରେ ଧରିଥାଏ ଓ ଅନ୍ୟ ହାତରେ ମା’ ଓ ଛୁଆକୁ ବାଟ କଢ଼େଇ ଆଣେ ବାହାର ଦାଣ୍ଡକୁ । ମା’ ଓ ଛୁଆକ୍‌ୁ ଦାଣ୍ଡରେ ତିନିଥର ବୁଲାଇଲାବେଳେ ତା’ ମୁହଁରୁ ଦେଶିଆ ଭାଷାରେ ଗୀତ ବାହାରି ପଡୁଥାଏ –

“ଆସା ସାଇଲୋରି କେଲିବାର ଯୁଁ

ଆଏଲା ଦୁଆରେ ଯାଇଁ

ଆଣ୍ଡିର ବାତ ଲେକଟା ପଡ଼ିଲେ

କାଲା ବେଣ୍ଡିଆର ପାଇଁ

ସାଇଗୋ… ସାଇବିବାଚାମଣ୍ଡାରେ ଯାଇଁ… ।”

ଏହି ଗୀତଟି ହସ କୌତୁକ ପାଇଁ ଗାନ କରାଯାଏ । ଏହାର ଅର୍ଥ ହେଲା, ଆସ ସାଇଲୋରୀ ଗୀତ ଗାଇ ଖେଳିବାକୁ ଯିବା । ଆସ ଦୁଆରକୁ ଯିବା, ହାଣ୍ଡିର ଭାତ ଏକତ୍ର ହୋଇ ଖୁସିରେ ଖାଇବା । ସେଇ କାଲା ବେଣ୍ଡିଆ ପାଇଁ ଛାମଣ୍ଡାକୁ ଯାଇ ସମସ୍ତେ ଖୁସି ହୋଇ ଖାଇବା । ସେହି ଛୁଆଟିକୁ କଳା ଭେଣ୍ଡିଆ ବୋଲି ସମ୍ବୋଧନ କରାଯାଇଛି ।

ମା’ ଓ ଛୁଆକୁ ଘର ଭିତରକୁ ନେଇ ତିନିଥର ବସାଉଠା କରି ଶେଷରେ ବସେଇ ଦିଆଯାଏ । ଛୁଆ ଜନ୍ମ ହୋଇକି ନ’ ଦିନ ହୋଇଥିଲେ ମା’ ହାତରେ ନଅଟି ଜଡ଼ାପତ୍ର ଧରେଇ ଦିଆଯାଏ । ତିନିଜଣ ସ୍ତ୍ରୀଲୋକ ଭାତହାଣ୍ଡି ଆଣି ମା’ ହାତରେ ଧରିଥିବା ଜଡ଼ାପତ୍ରରେ ତିନି ଥର ରଖିବେ । ଭାତହାଣ୍ଡିରେ ଲାଗିଥିବା କଳାକୁ ମା’ ଓ ଛୁଆର ଗାଲରେ ଲଗେଇ ଦିଆଯାଏ । କାହାର ନଜର ନ ପଡୁ ବୋଲି ମା’ ଓ ଛୁଆର ଗାଲରେ କଳାକୁ ଲଗାଯାଇଥାଏ । ତା’ପରେ ଗୋଟିଏ ପାତ୍ରରେ କ୍ଷୀର ଆଣି ଦୁବଘାସ ସାହାଯ୍ୟରେ ମା’ ଓ ଛୁଆର ଆଖିରେ ଛିଞ୍ଚାଯାଏ । ଶେଷରେ ସମସ୍ତ ଉପସ୍ଥିତ ଲୋକଙ୍କ ଆଖିରେ ମଧ୍ୟ ସେହି କ୍ଷୀରକୁ ଛିଞ୍ଚା ଯାଇଥାଏ । ଛୁଆର ଆଖିରେ କ୍ଷୀର ଛିଞ୍ଚାଯିବାର କାରଣ ହେଉଛି, ଛୁଆର ଦୃଷ୍ଟିଶକ୍ତି ସବୁବେଳେ ଭଲ ରହିବ ଏବଂ ଅନ୍ୟ ସମସ୍ତଙ୍କ ଖରାପ ଦୃଷ୍ଟି ପିଲା ଉପରେ ନପଡ଼ି କେବଳ ଭଲ ଦୃଷ୍ଟି ପଡୁ ବୋଲି ଉପସ୍ଥିତ ସମସ୍ତଙ୍କ ଆଖିରେ କ୍ଷୀର ଛିଞ୍ଚା ଯାଇଥାଏ । ଏଥିରୁ ଅନୁମାନ କରାଯାଇପାରେ, ଛୁଆଟିଏ ଜନ୍ମ ହେଲେ ବାଲ୍ମୀକି ସଂପ୍ରଦାୟରେ ସମସ୍ତଙ୍କ ମନରେ ପିଲାଟି ପ୍ରତି ଯତ୍ନଶୀଳ ମନୋଭାବ ଓ ସୁସ୍ଥ ସୁନ୍ଦର ଜୀବନଟିଏର କାମନା ରହିଥାଏ । ସେମାନଙ୍କ ଚେଷ୍ଟା ରହିଥାଏ; କିଭଳି କୌଣସି ବ୍ୟକ୍ତିଦ୍ୱାରା ପିଲାଟି ପ୍ରତି ଅନିଷ୍ଟ ନ ଘଟି କେବଳ ଆଶୀର୍ବାଦ ଓ ସୁଦୃଷ୍ଟି ହିଁ ରହିପାରିବ ।

ସଂଧ୍ୟା ସମୟରେ ଘରର ଦେବାଦେବୀଙ୍କ ନିକଟରେ ଗଞ୍ଜାଟିଏ ବଳି ଦିଆଯାଏ । ସେହି ଗଞ୍ଜାର ବେକକୁ କାଟିଆଣି ଛୁଆର ବେକରେ, ଅଣ୍ଟାକୁ କାଟିଆଣି ଛୁଆର ଅଣ୍ଟାରେ, ଗଞ୍ଜାର ଜଙ୍ଘକୁ ଛୁଆର ଜଙ୍ଘରେ ରଖାଯାଏ । ଏପରି ସେହି ଗଞ୍ଜାର ବିଭିନ୍ନ ଅଙ୍ଗକୁ ଶିଶୁଟିର ବିଭିନ୍ନ ଅଙ୍ଗରେ ରଖିଲେ, ଶିଶୁଟି ଶାରୀରିକ ଭାବେ ଶକ୍ତିଶାଳୀ ହୋଇଥାଏ ବୋଲି ବାଲ୍ମୀକି ସଂପ୍ରଦାୟର ଲୋକବିଶ୍ୱାସ ରହିଛି ।

ପୂର୍ବପୁରୁଷମାନଙ୍କ ନାଁଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଉଚ୍ଚାରଣ କରି ମୃତ ଗଞ୍ଜାର ଗୋଡ଼କୁ ପିଲାଟିର ହାତରେ ଆଣି ସ୍ପର୍ଶ କରାଯାଏ । ଯେଉଁ ନାଁଟି ଧରିବା କ୍ଷଣି ପିଲାଟି ଗଞ୍ଜାର ଗୋଡ଼କୁ ଧରିଥାଏ; ସେହି ପୂର୍ବପୁରୁଷ ଜଣକ ପୁନଃଜନ୍ମ ପ୍ରାପ୍ତ କରିଆସିଛନ୍ତି ବୋଲି ସମସ୍ତେ ଗ୍ରହଣ କରିନିଅନ୍ତି । ପୁଣି ଏହାର ସତ୍ୟତାକୁ ପରୀକ୍ଷା କରିବାକୁ ଯାଇ ଅନ୍ୟ ଜଣେ ବ୍ୟକ୍ତି ଜଡ଼ାପତ୍ରଟିଏ ଆଣି ସେହି ପୂର୍ବପୁରୁଷର ନାଁକୁ ଉଚ୍ଚାରଣ କରି ଛୁଆର ହାତରେ ସ୍ପର୍ଶ କଲାପରେ ଯଦି ଛୁଆଟି ସେହି ଜଡ଼ାପତ୍ରକୁ ଧରିଦିଏ, ତେଣେ ସେହି ବ୍ୟକ୍ତିଟି ବାସ୍ତବରେ ଆସିଛି ବୋଲି ସମସ୍ତେ ଆନନ୍ଦିତ ହୋଇଉଠନ୍ତି । ଏହିପରି ଭାବେ ଏହି ସଂପ୍ରଦାୟରେ ଡୁମାମାନେ ପୁଣିଥରେ ଜନ୍ମଲାଭ କରିବାର ବିଶ୍ୱାସ ରହିଅଛି ।

ଏହି କର୍ମକର୍ମାଣୀ ପରେ ଗୋଟିଏ କଳସୀ ଅଣାଯାଏ, ସେଥିରେ ପାଣି ଭର୍ତ୍ତି କରାଯାଇଥିବା ସହ ଗୋବର, ଟିକେ ଭାତ ଓ ଗୋଟିଏ ଟଙ୍କା ପକାଯାଇଥାଏ । କଳସୀ ଉପର ମୁହଁକୁ ଗୋଟିଏ ଓସାରିଆ ପତ୍ରରେ ଆଚ୍ଛାଦିତ କରି ବାନ୍ଧି ଦିଆଯାଇଥାଏ । ପିଲାର ମାଆ ପତ୍ରକୁ ଭେଦକରି ତା’ ହାତ ପଶାଇ ଥାଏ କଳସୀ ଭିତରକୁ । ମାଆ ଯଦି ଗୋବର କାଢ଼େ ତେବେ ପିଲାଟି ବଡ଼ ହୋଇ ଚାଷ କରିବ ବା ଗାଈ ଚରେଇବ ବୋଲି ବିଶ୍ୱାସ କରାଯାଏ । କଳସୀ ଭିତରୁ ଟଙ୍କା କାଢ଼ିଲେ ଚାକିରି ବା ବ୍ୟବସାୟ କରିବ ଓ ଭାତ କାଢ଼ିଲେ ଲକ୍ଷ୍ମୀ ଆସିବେ ବୋଲି ବିଶ୍ୱାସ କରାଯାଇଥାଏ । ଏଭଳି ଭାବେ ସମସ୍ତେ ମିଶି ନବଜାତ ଶିଶୁଟିର ଆନୁମାନିକ ଭବିଷ୍ୟତ ନିର୍ଦ୍ଧାରଣ କରିଥାନ୍ତି । ପିଲାଟିର ଭବିଷ୍ୟତ ଜାଣି ସମସ୍ତେ ଆନନ୍ଦ ଓ ଉଲ୍ଲାସ ହୋଇଥାନ୍ତି ।

ପିଲା ଜନ୍ମ ହେବାଠାରୁ ନାଭି ପଡ଼ିବା ପର୍ଯ୍ୟନ୍ତ କୌଣସି ଏକ ଦିନରେ ଗୋରୁଅ ଆସି ପିଲାଟିର ନାମ କେଉଁ ଅକ୍ଷରରେ ଆରମ୍ଭ ହେବ କହି ଦେଇଥାଏ । ତେଣୁ ଘରଲୋକ କେଉଁ ନାମ ଦେବେ ଭାବି ରଖିଥାନ୍ତି ଓ ସେହି ଶେଷ ଦିନରେ ହିଁ ପିଲାର ନାମକରଣ କରିଥାନ୍ତି । ସେହି ଦିନ ସମସ୍ତ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଭୋଜି ହୁଏ । ସମସ୍ତେ ମିଶି ଭୋଜି ଖାଆନ୍ତି, ସଲପ ରସ ପିଅନ୍ତି ଏବଂ ସେହି ଦିନଟିକୁ ଆନନ୍ଦର ସହ ଉପଭୋଗ କରିଥାନ୍ତି । ନାଭି ପଡ଼ିବା ଦିନକୁ ଅପେକ୍ଷା ରଖି ଏହିପରି ଭାବେ ବାଲ୍ମୀକି ସଂପ୍ରଦାୟରେ ନାମକରଣ ଉତ୍ସବଟି ପାଳନ କରାଯାଏ ।

ତା’ ପରଦିନ ସକାଳେ ପୂଜାରେ ବ୍ୟବହୃତ ହୋଇଥିବା କଳସୀ, ଝାଡୁ, କଳାକଜ୍ଜ୍ୱଳ ତଥା ଅନ୍ୟାନ୍ୟ ଜିନିଷଗୁଡ଼ିକୁ ଶିଶୁର ମା’ ନେଇଯାଇଥାଏ ନଈରେ ଭସେଇବା ପାଇଁ । ବାହାରର ସମସ୍ତ ଭୂତ ପ୍ରେତମାନେ ତାକୁ ଓ ତା’ ଛୁଆକୁ ଛୁଇଁବେନି କି କୌଣସି ଅନିଷ୍ଟ କରିବେନି, ସେଥିପାଇଁ ସେ ସୁମରଣା କରେ ଏବଂ ନେଇଥିବା ସମସ୍ତ ଜିନିଷକୁ ନଈର ପ୍ରବାହିତ ଜଳରେ ଭସାଇ ଦେଇଥାଏ । ଏହିପରି ଜଲକାମ୍‌ନି ଓ ପାତାଲ୍ କାମ୍‌ନି(ଜଳରେ ରହୁଥିବା ଦୁଇ ଜଣ ଦେବୀ)କୁ ଆହାର ପ୍ରଦାନ କରାଯାଏ ବୋଲି ବାଲ୍ମୀକି ଜାତିର ଲୋକମାନଙ୍କ ବିଶ୍ୱାସ ରହିଅଛି । ପିଲାର ମାଆ ନଈରେ ଗାଧୋଇ ଘରକୁ ଫେରିଆସେ ଏବଂ କିଛିଦିନ ପାଇଁ ନଈ ଆଡ଼କୁ ଯାଏ ନାହିଁ ।

ବାଲ୍ମୀକି ସଂପ୍ରଦାୟରେ ଶିଶୁ ଜନ୍ମକାଳୀନ କର୍ମକର୍ମାଣୀରେ ଏଭଳି ଭାବେ ଏକ ଭିନ୍ନ ପରଂପରାକୁ ଲକ୍ଷ୍ୟ କରାଯାଇପାରେ । ସଂପୂର୍ଣ୍ଣ କର୍ମକର୍ମାଣୀ ମଧ୍ୟରେ ପ୍ରକୃତି ପୂଜା, ଶିଶୁକୁ ସୁରକ୍ଷା ପ୍ରଦାନ, ବିଶ୍ୱାସର ଦୃଢ଼ତା ଆଦି ବିଷୟକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ତାଙ୍କର ପ୍ରତିଟି କାର୍ଯ୍ୟାବଳୀ ଅନ୍ୟସବୁ ସଂପ୍ରଦାୟଠାରୁ ଅନେକ ପରିମାଣରେ ଭିନ୍ନ ଅଟେ । ତାଙ୍କର ଭାଷା ନିଜସ୍ୱ ଏକ ସ୍ୱତନ୍ତ୍ରତାକୁ ଜାହିର କରିଥାଏ । ବାଲ୍ମୀକି ସଂପ୍ରଦାୟ ଲୋକମାନେ କହନ୍ତି ଯେ, ତାଙ୍କର ବାଲ୍ମୀକି ଭାଷାରେ କୌଣସି ଗୀତ ରଚନା କରାଯାଇନାହିଁ, ତେଣୁ ସେମାନେ ଦେଶୀଆ ଭାଷାରେ ହିଁ ଗୀତ ସବୁ ଗାଇଥାନ୍ତି । ତେବେ ଏହାକୁ ସିଧାସଳଖ ଭାବେ ଗ୍ରହଣ ନ କରାଯାଇ ଏହା ଉପରେ ଅଧିକ ଗବେଷଣା କରାଯାଇପାରେ । ତେବେ କୋରାପୁଟ ଅଞ୍ଚଳରେ ବସବାସ କରୁଥିବା ବାଲ୍ମୀକି ସଂପ୍ରଦାୟର ସଂସ୍କୃତିକୁ ଆହୁରି ଅଧ୍ୟୟନ କରାଗଲେ ସେମାନଙ୍କ ଜୀବନର ବିଭିନ୍ନ ବିଷୟ ସଂପର୍କରେ ଅଧିକ ଧାରଣା ମିଳିପାରିବ । ସେମାନଙ୍କ ଜୀବନକୁ ଭିନ୍ନଭିନ୍ନ ଦିଗରୁ ଅବଲୋକନ କଲେ ନୂତନ ତଥ୍ୟ ସବୁ ଲୋକଲୋଚନକୁ ଆସିପାରିବ ।

ସୌଜନ୍ୟ-

1- ଗାଁସାମା ମେଲାକ୍‌

2- ଫୁଲମତି ପେର୍‌ମାଲ୍‌

3- ରେବତୀ କୁଡା

4- ମେର୍ଚି ମେଲାକ୍‌

(ଗୋଲୁର୍‌, ପାଡୁଆ,କୋରାପୁଟ)

 

ବାଲ୍ମୀକି କରୁଆଁ

(ଅତିଥୀ ଅଧ୍ୟାପକ,ଓଡିଆ ବିଭାଗ, ସରକାରୀ ମହାବିଦ୍ୟାଳୟ,କୋରାପୁଟ)

Share this Article