ବାଜିରାଉତ ଛାତ୍ରାବାସ (ଶ୍ରୀମତୀ ମାଳତୀ ଚୈାଧୁରୀ-9)

4 Min Read

ଜେଲରୁ ଖଲାସ ହେବାର ମାତ୍ର ବର୍ଷକ ପରେ ବାଜିରାଉତ ଛାତ୍ରାବାସର ପ୍ରତିଷ୍ଠା ହୋଇଥିଲା । ଉଦ୍‌ଘାଟନର ତାରିଖ ଥିଲା ୧୧ ମଇ ୧୯୪୬ । ଉତ୍ସବରେ ପୌରହିତ୍ୟ କରିଥିଲେ ହରେକୃଷ୍ଣ ମହତାବ । ‘ଅନୁଗୋଳରେ ଦୁଃସ୍ଥ, ଅତ୍ୟାଚାରିତ ଓ ବହୁ ବର୍ଷ ଜେଲ ଭୋଗୁଥିବା ଗଡଜାତର ପିଲାଙ୍କୁ ନେଇ ସେଠାରେ ସେମାନଙ୍କର ଥଇଥାନ ସଂଗେ ସଂଗେ କିଛି ଶିକ୍ଷାଦୀକ୍ଷାର ସୁବିଧା କରିବାକୁ ୧୯୪୨ ଆନ୍ଦୋଳନ ପରେ ଜେଲରୁ ଫେରି ସେମାନେ କଳ୍ପନା କରିଥିଲେ ’ ଓ ଏହା ସାକାର ହେଲା ବାଜିରାଉତ ଛାତ୍ରାବାସର ସ୍ଥାପନାରେ । ଏହା ଠିଆ ହେଲା ଗିରିଜା ଭୂଷଣ ଦତ୍ତ ମାଳତୀ ଦେବୀଙ୍କୁ ଦେଇଥିବା ଜମି ଉପରେ । ନୟାଗଡ, ରଣପୁର , ଢେଙ୍କାନାଳ, ତାଳଚେରରୁ ୧୭ଟି ପିଲାଙ୍କୁ ଆଣାଯାଇ ଆରମ୍ଭ କରାଗଲା ବାଜିରାଉତ ଛାତ୍ରାବାସ । ମାଳତୀ ଦେବୀ ଚାହୁଁ ଥିଲେ ବାଜିରାଉତ ଛାତ୍ରାବାସକୁ ‘ଛୋଟକାଟର ଶାନ୍ତିନିକେତନ ଢାଂଚାରେ ଗଢିବାକୁ’ । ମାଳତୀ ଦେବୀଙ୍କର ଜୀବନୀକାର ପ୍ରଫୁଲ୍ଲ ଦାସ ଲେଖନ୍ତି, “ଶାନ୍ତି ନିକେତନରେ ଲଳିତ କଳା ଯେପରି ବିଦ୍ୟାର୍ଜ୍ଜନ ଓ ଜ୍ଞାନଲାଭର ଏକ ଅବିଚ୍ଛେଦ୍ୟ ଅଂଗ ରୂପେ ବିବେଚିତ ହେଉଥିଲା, ବାଜି ରାଉତ ଛାତ୍ରାବାସରେ ମଧ୍ୟ ନ ଥିଲା ତାର ବ୍ୟତିକ୍ରମ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୁପ୍ତ କଳା ପ୍ରତିଭାର ବିକାଶ କରିବା ମଧ୍ୟ ଥିଲା ତାହାର ମୁଖ୍ୟ ଉଦ୍ଦେଶ୍ୟ । ଶାନ୍ତି ନିକେତନରେ ଅଧ୍ୟୟନ କରିବା କାଳରେ ଶ୍ରୀଯୁକ୍ତା ମାଳତୀ ଦେବୀ ସଂଗୀତ , ନୃତ୍ୟ, ନାଟକାଦି ପ୍ରଦର୍ଶନରେ ଚରମ ଉତ୍କର୍ଷତା ଅର୍ଜ୍ଜନ କରି କବିଗୁରୁ ରବୀନ୍ଦ୍ରନାଥଙ୍କର ଅତ୍ୟନ୍ତ ପ୍ରିୟ ଛାତ୍ରୀ ହୋଇ ପାରିଥିଲେ । ତେଣୁ ବାଜିରାଉତ ଛାତ୍ରାବାସର ସାମଗ୍ରିକ ପରିଚାଳନାରେ ସେ ଯେପରି କେନ୍ଦ୍ରବିନ୍ଦୁ ଥିଲେ, ସେହି ସବୁ ଲଳିତକଳା ପ୍ରଶିକ୍ଷଣରେ ସେ ଥିଲେ ମୁଖ୍ୟ ପ୍ରେରଣାଦାତ୍ରୀ । ”((ବହ୍ନିମାନ, ପୃ୨୬୬)) ବାଜି ରାଉତର ବଳିଦାନକୁ ସ୍ମରଣ କରି ଛାତ୍ରାବାସର ପିଲାଏ ଗାଇଥାନ୍ତି, “ଆମେତ ସବୁ ଅଟୁ ଭାଇ ବାଜି ରାଉତ ଚେଲାରେ/ଗୁଳି ଚୋଟେ ପ୍ରାଣ ଯେହୁ ଦେଲା//ଅନ୍ଧାରୀ ମୁଲକ ମଧ୍ୟେ ଦିହୁଡି ଜାଳିଲାରେ/ବାରବରଷର ମାଝି ପିଲା/….”(ବହ୍ନିମାନ, ପୃ୨୬୮) ଏହି ଗୀତର ରଚୟିତା ଛାତ୍ରାବାସର ପ୍ରଥମ ଗୁରୁଜୀ ଋଷି ବେହେରା କୁହନ୍ତି, “ବାଜିରାଉତ ଛାତ୍ରାବାସ କହିଲେ ମାଳତୀ ଦେବୀ ଓ ମାଳତୀ ଦେବୀ କହିଲେ ଲୋକେ ବାଜିରାଉତ ଛାତ୍ରାବାସ ବୁଝିଥିଲେ ।”(ବାଜିରାଉତ ଛାତ୍ରାବାସ ଓ ମାଳତୀ ଦେବୀ, ନୁମା-ଏକ ସଙ୍କଳନ, ପୃ ୨୭-୮) ମାଳତୀ ଦେବୀଙ୍କ ପ୍ରେରଣାରେ ଛାତ୍ରାବାସରେ ପାଳନ ହୁଏ ମହାପୁରୁଷ ମାନଙ୍କର ଜୟନ୍ତୀ ଓ ପୂଣ୍ୟତିଥି । ପାଳନ ମଧ୍ୟ ହୁଏ, ‘ମକର ସଙ୍କ୍ରାନ୍ତି, ଦୋଳୋତ୍ସବ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ ଓ ରାମନବମୀ’ ଭଳି ବିଭିନ୍ନ ସାମାଜିକ ପର୍ବ ତଥା ‘ବିଭିନ୍ନ ଧର୍ମର ବିଶିଷ୍ଟ ଦିନ’ ୀ ପ୍ରଫୁଲ୍ଲ ଦାସ ମହୋଦୟ ଲେଖନ୍ତି, “ମହାପୁରୁଷମାନଙ୍କର ଜୟନ୍ତୀ ଓ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଜଣାଇବା ଛାତ୍ରାବାସର ଏକ ଅନତିକ୍ରମ ଧାରା । ପ୍ରତ୍ୟେକ ପର୍ବକୁ ତାର ବିଶେଷ ରୀତିରେ ପାଳିବା ଓ ସେଥିପାଇଁ ଉଦ୍ଦିଷ୍ଟ ଗୀତ ମଧ୍ୟ ଶିଖାଯାଏ । କୁସଂସ୍କାର ମୁକ୍ତ ହୋଇ ଓ ପର୍ବର ମହତ୍ତ୍ୱ ବୁଝି ତାକୁ ପାଳନ କରିବାକୁ ଶ୍ରୀଯୁକ୍ତା ଚୈାଧୁରୀ ବିଶେଷ ଗୁରୁତ୍ୱ ଦିଅନ୍ତି ।”(ବହ୍ନିମାନ, ପୃ୨୬୯) ମାଳତୀ ଦେବୀଙ୍କର ବହୁତ ପ୍ରିୟ ଥିଲେ ବାଜିରାଉତରେ ରହୁଥିବା ଆଦିବାସୀ ଛାତ୍ର/ଛାତ୍ରୀ । ପ୍ରଫୁଲ୍ଲ ଦାସ ମହୋଦୟ ଲେଖନ୍ତି, “ଛାତ୍ରାବାସର ଆଦିବାସୀ ପିଲାମାନେ ସଉରା ନାଚ, ପରଜା ନାଚ, ମୁଣ୍ଡା ନାଚ କେହି ବାଦ ଯାଏନା । ସାରା ଓଡିଶାର ଆଦିବାସୀ ସଂସ୍କୃତି ଯେମିତି ସେଠାରେ ଜୀବନ୍ତ ହୋଇ ଉଠେ ।….ଆଦିବାସୀ ପିଲାଙ୍କ ନୃତ୍ୟ ଓ ବାଦ୍ୟଧ୍ୱନି ସାଂଗକୁ ପରସ୍ପର ଅଣ୍ଟାଧରି ନାଟକ ମଧ୍ୟ ଆରମ୍ଭ ହୋଇଯାଏ । ନୃତ୍ୟ ରସିକ ଶ୍ରୀଯୁକ୍ତା ଚୈାଧୁରୀ ମଧ୍ୟ ଆଦିବାସୀ ଝିଅଙ୍କ ଅଣ୍ଟା ଧରି ନାଚିବା ଆରମ୍ଭ କରିଥାନ୍ତି ।” (ବହ୍ନିମାନ, ପୃ ୨୬୭, ୨୭୧) ଏପରି ନୃତ୍ୟରୁ ମାଳତୀ ଦେବୀଙ୍କର ଏକ ଧାରଣା ହୋଇଥିଲା “ମୁଁ ଆଦିବାସୀଙ୍କ ଭଳି ଠିକ୍ ଠିକ୍ ନାଚି ପାରିଲି ନାହିଁ ।” ଏହା ଥିଲା ତାଙ୍କର ଏକ ‘ଅବଶୋଷ’ । (ବହ୍ନିମାନ, ପୃ ୨୭୧-୨) ମାଳତୀ ଚୈାଧୁରୀ ବାଜିରାଉତ ଛାତ୍ରାବାସ ପ୍ରତିଷ୍ଠା କରି ଏକ ସୁଯୋଗ ସୃଷ୍ଟି କରିଥିଲେ ‘ଗାନ୍ଧୀ ପରିକଳ୍ପିତ ମୈାଳିକ ଶିକ୍ଷା ବା ନୟୀତାଲିମର ପ୍ରୟୋଗ ଓ ବିକାଶ ମାଧ୍ୟମରେ ସମାଜ ସଂସ୍କାର ଏବଂ ସମାଜ ସେବା’ ପାଇଁ । (ମାଳତୀ ଚୈାଧୁରୀ ଓ ମୈାଳିକ ଶିକ୍ଷା, ସର୍ବେଶ୍ୱର ନାୟକ, ବହ୍ନିବଳାକା, ପୃ ୪୫) ନିକଟସ୍ଥ ଖିଲାରୀ ପ୍ରାଥମିକ ବିଦ୍ୟାଳୟକୁ ମୌଳିକ ବିଦ୍ୟାଳୟରେ ପରିଣତ କରାଯାଇ ‘ବାଜିରାଉତ ଛାତ୍ରାବାସ ଓ ଖିଲାରୀ ମୌଳିକ ବିଦ୍ୟାଳୟରେ ମୌଳିକ ଶିକ୍ଷାର ସଫଳ ପ୍ରୟୋଗ ଦିଗରେ ଆନ୍ତରିକ ଉଦ୍ୟମ ଆରମ୍ଭ କରାଗଲା….କହିବାକୁ ଗଲେ ବାଜିରାଉତ ଛାତ୍ରାବାସ ହିଁ ଅସଲ ପ୍ରୟୋଗଶାଳା ଥିଲା’(ମାଳତୀ ଚୈାଧୁରୀ ଓ ମୌଳିକ ଶିକ୍ଷା, ସର୍ବେଶ୍ୱର ନାୟକ, ବହ୍ନିବଳାକା, ପୃ ୪୬), କୁହନ୍ତି ବାଜିରାଉତ ଛାତ୍ରାବାସରେ ଖିଲାରୀ ଉଚ୍ଚ ମୌଳିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିବା ଶ୍ରୀଯୁକ୍ତ ସର୍ବେଶ୍ୱର ନାୟକ ।(ମାଳତୀ ଚୌଧୁରୀ: ଏକ ଝଲକ, ନୁମା-ଏକ ସଙ୍କଳନ, ପୃ୪୧)

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ