ସମାଜ ଓ କଳା

ଡକ୍ଟର ଇତିଶ୍ରୀ ସାହୁ
ଡକ୍ଟର ଇତିଶ୍ରୀ ସାହୁ 135 Views
21 Min Read

[box type=”shadow” align=”” class=”” width=””]”ମଣିଷ ଏକ ସୃଜନଶୀଳ ପ୍ରାଣୀ। କଳା ମାଧ୍ୟମରେ ମନୁଷ୍ୟ ବାହ୍ୟଜଗତ ସହିତ ସମ୍ପର୍କ ସ୍ଥାପନା କରିପାରୁଛି । କଥାହେଉଛି, ମଣିଷ ବାହ୍ୟଜଗତ ସହ ସମ୍ପର୍କ ସ୍ଥାପନ ପାଇଁ ଆଗ୍ରହୀ କାହିଁକି ? କଳା କଣ ଏକ ଶୂନ୍ୟସ୍ଥାନ ବା ଖାଲିପଣ ଛଡ଼ା ଆଉ କିଛି ନୁହେଁ ? ସତରେ କଣ କଳା ଯାହା କରେ ତାହା କୌଣସି ନା କୌଣସି ଫର୍ମୁଲା ବା ସୂତ୍ରଦ୍ୱାରା ପ୍ରସ୍ତୁତ କରାଯାଇଥାଏ ? କଳା ସମାଜକୁ ବଦଳେଇବାକୁ ଯାଇ ତାର ନିଜର ଅସ୍ଥିତ୍ୱକୁ ହରାଇବସେ ନାହିଁ ତ? ଲେଖିକାଙ୍କ ମତରେ କଳା ଅର୍ଥ କୌଶଳ । ଆବଶ୍ୟକତା ଓ ଚେତନାକୁ ରୂପାୟିତ କରିବାର କୌଶଳ । ଅଳ୍ପକେ ବହୁତ କଥା (ସଂକ୍ଷିପ୍ତକରଣ) କହିଯିବାର ଶୈଳୀକୁ ଏବେ କଳାକାର ଅପେଣେଇଛି। ନଗରୀକରଣ, ସମାଜର ଅସ୍ଥିରତା, ସମ୍ପର୍କରେ ଫାଟ ଆସିଲା ସହ ମଣିଷ ବଜାରରେ ଫିଙ୍ଗିହୋଇ ତା ମଧ୍ୟରେ କଳାକୁ ନୂଆନୂଆ ରୂପେ ଗଢ଼ିବାରେ ଲାଗିଛି।” ଲେଖାଟି ଭିତରେ ଏହିପରି ଅନେକ ପ୍ରଶ୍ନର ଉତ୍ତର ଖୋଜିବାପାଇଁ ଚେଷ୍ଟା କରିଛନ୍ତି ଲେଖିକା ଡକ୍ଟର ଇତିଶ୍ରୀ ସାହୁ । – ସମ୍ପାଦକ[/box]

Support Samadhwani

କଳା ବିଷୟରେ ଆଲୋଚନା କରିବା ବେଳେ ପ୍ରଥମେ ପ୍ରଶ୍ନଉଠେ କଳା କଳା ନିମନ୍ତେ ଉଦ୍ଦିଷ୍ଟ ନା ସମାଜ ପାଇଁ ଉଦ୍ଦିଷ୍ଟ, ଅଥବା ଏହା ସାମଗ୍ରିକ ଜୀବନର ଏକ ସତ୍ୟନିଷ୍ଠ ଉତ୍ତରଣ ।

ମଣିଷର ସାଂସ୍କୃତିକ ଜୀବନ ତାହାର ସାମାଜିକ ଜୀବନଧାରାର ଜୀବନ୍ତ ଓ ଗତିଶୀଳ ଉପାଦାନମାନଙ୍କ ପ୍ରବାହଧାରା ମାତ୍ର ଅଟେ । ମଣିଷ ଜୀବନରେ ପରିଘଟିତ ଆକସ୍ମିକ ଘଟଣା ବା ଦୁର୍ଘଟଣା (ଯେମିତି ଯୁଦ୍ଧ, ଦୁର୍ଭିକ୍ଷ, ମହାମାରୀ, ପ୍ରଳୟକାରୀ ବନ୍ୟା ଆଦି ଦୁଃଖ-ଦୁର୍ବିପାକରାଜି) ତଥା ନୂତନ ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର (ଯେମିତି ନିଆଁ, ପଥର, କୁରାଡ଼ି, ତମ୍ବା, ଲୁହା, ସୁନା ଇତ୍ୟାଦିଠୁ ନେଇ ଆଧୁନିକ ଶିଳ୍ପବିପ୍ଲବ ପର୍ଯ୍ୟନ୍ତ) ଆଦି ସମାଜ ଜୀବନର ଦିଗ ଓ ଗତି ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି କ୍ରମରେ ଆଦିମ ମଣିଷ ଆଦିମ ଜୀବନଧାରାରୁ ପ୍ରାଚୀନ, ମଧ୍ୟ ଓ ନୂତନ ପ୍ରସ୍ତରଯୁଗ, ବ୍ରୋଞ୍ଜଯୁଗ, ଲୌହଯୁଗ ଇତ୍ୟାଦିର ପଥଚାରୀ ଜୀବନପ୍ରବାହର ଦିଗ ଅତିକ୍ରମ କରି କ୍ରମଶଃ ସ୍ଥାୟୀ ବସତିର କୃଷିସଂସ୍କୃତି ଆଡ଼କୁ ବିକଶିତ ହୋଇଆସିଲା। କୃଷିର ଆବିଷ୍କାର ମଣିଷ ଜୀବନକୁ ସୁବ୍ୟବସ୍ଥିତ, ସ୍ଥିର ଓ ସ୍ଥାୟୀ ଜୀବନଯାପନର ମାର୍ଗ ଦେଲା। ସ୍ଥାୟୀ ଜୀବନଯାପନ ମଣିଷର କର୍ମ ଜୀବନଧାରା ଉପରେ ପ୍ରଭୂତ ପ୍ରଭାବ ବିସ୍ତାର କଲା ଏବଂ କ୍ରମେ ରାଜ୍ୟ ଓ ବିଚାରଧାରାଗୁଡ଼ିକର ଉଦ୍ଭବ ହୋଇ ମଣିଷର ଜୀବନଧାରାକୁ ପ୍ରଭାବିତ ଓ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲା । ମଣିଷ ତଥା ସମାଜ ଜୀବନର ପରବର୍ତ୍ତୀ ପରିବର୍ତ୍ତନକ୍ରମକୁ ଏଗୁଡ଼ିକ ଦିଗନିର୍ଦ୍ଦେଶ କଲେ।

ଗୋଟିଏ ନିର୍ଦ୍ଦିଷ୍ଟ ଆର୍ଥିକ ଓ ରାଜନୀତିକ ପରିସ୍ଥିତିରେ ସମାଜର ଜୀବନକ୍ରମ ପ୍ରାୟତଃ ସ୍ଥିର ଓ ଏହାର ବିକାଶକ୍ରମ ମନ୍ଥର । ଜୀବନଧାରା ଜୀବନ୍ତ ଉପାଦାନଗୁଡ଼କୁ ଆପଣା ଜୀବନରେ ସିଧାସଳଖ ଅଥବା ସାଂକେତିକ ଭାବରେ ପ୍ରତିବିମ୍ବିତ କରିଥାଏ।

Support Samadhwani

କଳାର ସଂଜ୍ଞା ଉପରେ ବହୁ ବିଶିଷ୍ଟ ଦାର୍ଶନିକ ଓ ସମାଜତତ୍ତ୍ୱବିଦ୍ ତାଙ୍କର ମତସବୁ ଦେଇଛନ୍ତି । ଯେପରି ପ୍ଲାଟୋ କହନ୍ତି କଳାର ଅର୍ଥ ଅନୁକରଣ ବା କପି କରିବା  । କିନ୍ତୁ  ଆରିଷ୍ଟଟଲ ପ୍ଲାଟୋଙ୍କ ମତରେ ସହମତି ଦେବା ସହ ଏଥିରେ ଆଉଟିକେ ଯୋଡ଼ିଛନ୍ତି ଓ କହିଛନ୍ତି କଳାର ଲକ୍ଷ୍ୟ ନୁହେଁ ଖାଲି ବାହ୍ୟଜଗତକୁ ଅନୁକରଣ କରିବା, ବରଂ ତା ସହ ଏହା ମଧ୍ୟରେ ଥିବା ମର୍ମକୁ ମଧ୍ୟ ଅନୁଭବ କରି ପ୍ରଦର୍ଶିତ କରିବା । ସେ ପୁଣି କହନ୍ତି ଯେ ବଜାର ଇତିହାସରେ କଳା ସୌନ୍ଦର୍ଯ୍ୟର ମାର୍ମିକ ଓ ତାତ୍ତ୍ୱିକ ଦିଗକୁ ଅନୁକରଣ କରିଥାଏ

ଲିଓ ଷ୍ଟଲଟୟ କହନ୍ତି କଳା ମଣିଷର ଅନୁଭବକୁ କୌଣସି ବାହ୍ୟ ମାଧ୍ୟମଦ୍ୱାରା ପରିପ୍ରକାଶ କରିବା ନୁହେଁ କି ଏକ ନିଚ୍ଛକ୍ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଏକ ମାଧ୍ୟମ ଯାହା  ସମଚିନ୍ତାଧାରୀ ଗୋଷ୍ଠୀଙ୍କ ମଧ୍ୟରେ ଏକତା ଆଣିବା ଓ ସେମାନଙ୍କୁ କଳା ମାଧ୍ୟମରେ ଯୋଡ଼ିରଖିବା, ଯାହା ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥିବ

ଏଲବର୍ଟ ହବଣ୍ଡ କହନ୍ତି କଳା ଏକ ପଦାର୍ଥ ନୁହେଁ ବରଂ ଏହା ଏକ ରାସ୍ତା ବା ପନ୍ଥା । ଏମିତି ଅନେକ ମତସବୁ ରହିଛି। କିନ୍ତୁ କଳାର ଅଭିଧାନିକ ବା ଶବ୍ଦକୋଷଗତ ଅର୍ଥ ହେଲା କୌଣସି ନୂତନ ସୃଷ୍ଟିର କଳାକୌଶଳ ଓ କାର୍ଯ୍ୟାବଳୀ ହିଁ କଳା  ।

ପ୍ରତିଟି ମଣିଷ ଭିତରେ ଆତ୍ମଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ ସେ ଯାହା ଅଛି ତାହାଠାରୁ ଅଧିକ ହୋଇ ଦୁନିଆରେ ନିଜକୁ ସାବ୍ୟସ୍ତ କରିବ। ତେଣୁ ଅନ୍ୟମାନଙ୍କ ପରି କଳାକାର ମଧ୍ୟ ତାର କଳା ମାଧ୍ୟମରେ ନିଜଠାରୁ ଅଧିକହୋଇ ବିବିଧ ବିଷୟରେ ଉନ୍ନତ ସୌନ୍ଦର୍ଯ୍ୟ ଓ ଅର୍ଥ ଫୁଟାଇବାକୁ ଚେଷ୍ଟାକରେ। ଏଥିପାଇଁ ସେ କେତେବେଳେ ପ୍ରକୃତି ତ ପୁଣି କେବେ ସାମାଜିକ ଚେତନାର ଆଶ୍ରୟ ନେଇଥାଏ। କୁତ୍ସିତ ଓ ଅସୁନ୍ଦରକୁ ସୁନ୍ଦର କରି ଗଢ଼ିତୋଳିବାର ପ୍ରୟାସ କରିଥାଏ। ସାମାଜିକ କୁରୀତିଗୁଡ଼ିକୁ ନୂତନ ଚେତନାର ସ୍ପର୍ଶରେ ସଜାଡ଼ି ସମାଜକୁ ଠିକ୍ ବାଟକୁ ଆଣିବା ପାଇଁ ଚେଷ୍ଟା କରିଥାଏ।

ମୁଁ ପ୍ରଥମରୁ କହିଆସିଛି ଯେ, ଆମେ ଯାହା କହୁ ତାକୁ ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଆମେ ସର୍ବଦା ନିଜକୁ ପ୍ରଶ୍ନକରୁ । ତେବେ କଥାଉଠୁଛି, ମଣିଷ କାହିଁକି ଏପରି କଳାତ୍ମକ ରଚନା କରିବାକୁ ଚାହେଁ, ଯାହା କି ରସପୂର୍ଣ୍ଣ, ଶ୍ରୀଯୁକ୍ତ ଓ ପ୍ରାଣପ୍ରାଚୁର୍ଯ୍ୟରେ ଭରିରହିଥାଏ । ମଣିଷ ଏକ ସୃଜନଶୀଳ ପ୍ରାଣୀ। କଳା ମାଧ୍ୟମରେ ମନୁଷ୍ୟ ବାହ୍ୟଜଗତ ସହିତ ସମ୍ପର୍କ ସ୍ଥାପନା କରିପାରୁଛି । କଥାହେଉଛି, ମଣିଷ ବାହ୍ୟଜଗତ ସହ ସମ୍ପର୍କ ସ୍ଥାପନ ପାଇଁ ଆଗ୍ରହୀ କାହିଁକି ? କଳା କଣ ଏକ ଶୂନ୍ୟସ୍ଥାନ ବା ଖାଲିପଣ ଛଡ଼ା ଆଉ କିଛି ନୁହେଁ ? ସତରେ କଣ କଳା ଯାହା କରେ ତାହା କୌଣସି ନା କୌଣସି ଫର୍ମୁଲା ବା ସୂତ୍ରଦ୍ୱାରା ପ୍ରସ୍ତୁତ କରାଯାଇଥାଏ ? କଳା ସମାଜକୁ ବଦଳେଇବାକୁ ଯାଇ ତାର ନିଜର ଅସ୍ଥିତ୍ୱକୁ ହରାଇବସେ ନାହିଁ ତ? ଏହିପରି ଅନେକ ପ୍ରଶ୍ନ ଆସେ।

ଏହିସବୁ ପ୍ରଶ୍ନର ଉତ୍ତର ଖୋଜୁଖୋଜୁ ଲାଗେ କଳାର ଆବଶ୍ୟକତା ସର୍ବଦା ରହିଛି ଓ ରହିଥିବ।

ପ୍ରଥମରୁ କହିଛି କଳା ଅର୍ଥ କୌଶଳ । ଆବଶ୍ୟତା ଓ ଚେତନାକୁ ରୂପାୟିତ କରିବାର କୌଶଳ । ଆଦିମ ଯୁଗରୁ ମଣିଷ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଅନେକ କଳାକୌଶଳ ନିର୍ମାଣ କରିଛି, ଆପଣେଇଛି । ଯାହାର ଫଳସ୍ୱରୂପ  ଅନେକ ଉପକରଣର ସୃଷ୍ଟି ହୋଇଛି ଓ ସେଗୁଡ଼ିକର ଉପଯୋଗୀତାସବୁ ସାମ୍ନାକୁ ଆସିଛି । ଏହିସବୁ ଉପକରଣର ନିର୍ମାଣ ଓ ଉପଯୋଗ ଏକକ ବ୍ୟକ୍ତିଦ୍ୱାରା ହୋଇନାହିଁ, ଅଧିକନ୍ତୁ ମଣିଷ ଏହାକୁ ସାମୂହିକ ଭାବରେ କରିଛି ଏବଂ ଏସବୁର ପ୍ରତିଟି ସ୍ତରରେ ସେ ପ୍ରକୃତିର ସହାୟତା ନେଇଛି ବା ପ୍ରକୃତି ଉପରେ ନିର୍ଭର କରିଆସିଛି । ଏଥିରୁ ଜଣାପଡ଼ୁଛି, ବ୍ୟକ୍ତି ଯେହେତୁ ସ୍ୱୟଂସଂପୂର୍ଣ୍ଣ ନୁହେଁ, ତେଣୁ ସେ ଭୌତିକ ଜଗତରେ କୌଣସି ନବନିର୍ମାଣ ସକାଶେ ମାନସିକ ସ୍ତରରେ ଆଦର୍ଶ ପାଇଁ ଅନ୍ୟର ତଥା ପ୍ରକୃତିର ସାହାଯ୍ୟ ଲୋଡ଼ୁଛି । ତେଣୁ ଭୌତିକ ଜଗତରେ ନିଜକୁ ଓ ନିଜର ଅସ୍ତିତ୍ୱକୁ ବଞ୍ଚାଇବାକୁ ଯାଇ ଆଦିମ ମଣିଷଠାରୁ ଆଜିର ଆଧୁନିକ ମଣିଷ ପର୍ଯ୍ୟନ୍ତ ସେ ଭିନ୍ନଭିନ୍ନ କୌଶଳ ଓ ଉପକରଣମାନ ତିଆରି କରିବାକୁ ଲାଗିଛି । ସେହିପରି ମାନସିକ ଶୂନ୍ୟତାକୁ ପୂରଣ କରିବାକୁ ଯାଇ ଆଦିମ ଯୁଗରୁ ଏପର୍ଯ୍ୟନ୍ତ କଳାକୁ ବ୍ୟବହାର କରିଚାଲିଛି । କଳାକାର ନିଜର ମାନସିକ ଶୂନ୍ୟତାକୁ ପୂରଣ କରିବା ପାଇଁ ଯାଇ ନାଚ, ଗୀତ, ସାହିତ୍ୟ, କବିତା, ଭାସ୍କର୍ଯ୍ୟ, ଚାରୁକନ୍ଦା ଆଦି ପନ୍ଥା ବା କୌଶଳମାନ ବାଛିନେଇଛି।

ଏଠାରେ ଗୋଟିଏ ଉଦାହରଣ ଦେବି । ଜଣେ ମଣିଷ ନାଟକ କିମ୍ବା ସିନେମା ଦେଖିବାକୁ ଯାଉଛି ବା କାହାଣୀ କି ଉପନ୍ୟାସ ପଢ଼ୁଛି ଏବଂ କିଛି ସମୟପରେ ସେ ତାର ନିଜସ୍ୱତା ହରାଇବସୁଛି । କାରଣ ନିଜକୁ ସେ କଳା ସହ ଏକାତ୍ମ କରିଦେଉଛି ବା ତାଦାସ୍ମଭାବ (ସେତୁ) ବାନ୍ଧିପାରିଛି । ନିଜକୁ ହରାଇଛି କାରଣ ତା ମଧ୍ୟରେ ଥିବା ଶୂନ୍ୟତାକୁ ଭରିବାକୁ ଯାଇ ନିଜର ଅବଦମିତ ଇଚ୍ଛାକୁ ସେ ସେଇ କଳା ମାଧ୍ୟମରେ ଖୋଜିବାକୁ ଯାଇ ନିଜକୁ ହଜାଇ ଦେଇଛି । କଳା ତାର ଅନ୍ତଃଚେତନାରେ ଅବଦମିତ ଇଚ୍ଛା, ଆକାଂକ୍ଷା ଇତ୍ୟାଦିକୁ ଜାଗ୍ରତ କରିବା ସହ ତାର ମନୋଭୂମିକୁ ଉଦ୍ବେଳିତ କରେ ଏବଂ ଯାହା ଅଭିବ୍ୟକ୍ତି ପାଇଁ ରାସ୍ତା ପାଇନଥିଲା, ତାହା ଏହି ଅଳ୍ପଘଣ୍ଟିଆ ସୋ’ମଧ୍ୟରେ ନାଟକ, ସିନେମା ବା ଉପନ୍ୟାସର କାହାଣୀ ଓ ପରିବେଶ ଆଦି ସହ ତାଦାସ୍ମଭାବ ସୃଷ୍ଟିକରି କଳା ସହ ତାକୁ ଏକାକାର କରିଦେଇଥାଏ । ଅନେକ ଗୀତର କଥାବସ୍ତୁ ଓ ଧ୍ୱନିବିନ୍ୟାସକୁ ଶୁଣି ମଧ୍ୟ ମଣିଷ କିଛି ସମୟ ପାଇଁ ନିଜକୁ ହଜାଇ ଦେଇଥାଏ । କାରଣ, ସେଇ ମୁହୂର୍ତ୍ତରେ ସେ ନିଜଠାରୁ ନିଜକୁ ଭିନ୍ନ ଭାବେ । ଅପର ପକ୍ଷରେ କଳାକାର ଲୋକମାନଙ୍କ ସମ୍ମୁଖରେ ନୂତନ କିଛି ସୃଷ୍ଟି କରି ବା ପରିବେଷଣ କରି ଆତ୍ମତୃପ୍ତି ଲାଭ କରିଥାଏ।

ଏହି ଆତ୍ମତୃପ୍ତିର କାରଣ ହେଉଛି ଯେ ସେ ତାର ତେଲଲୁଣର, ରକ୍ତମାଂସର ଅଥବା ଜୀବିକା ଅର୍ଜନର ଦୈନନ୍ଦିନ ଧରାବନ୍ଧା ଜୀବନପ୍ରବାହ ଠାରୁ ଅଧିକ ବା ନୂତନ କିଛି କରି, ନିଜର ସାମାଜିକ ଅସ୍ତିତ୍ୱକୁ ବଡ଼ କରିପାରିଥାଏ, ବ୍ୟାପ୍ତି ଦେଇପାରିଥାଏ । ମଣିଷ ଆପଣା ଭିତରେ ଥିବା ଆତ୍ମପରିଚୟ ସଂକଟରୁ ଉପରକୁ ଯାଇ ନିଜର ସ୍ୱତନ୍ତ୍ର ଏକ ସାମାଜିକ ଅସ୍ତିତ୍ୱ ତଥା ନିଜସ୍ୱ ଅସ୍ମିତା ବା ଆତ୍ମପରିଚୟକୁ ସମାଜରେ ଜାହିର କରିପାରିଥାଏ । ତେଣୁ କଳା ସମାଜରେ କେବଳ ନିଜ ପାଇଁ ନୁହେଁ, କଳାକାର ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରେ।

ଏହିପରି ଭାବରେ କଥା ଭିନ୍ନଭିନ୍ନ ଢଙ୍ଗରେ, ଭିନ୍ନଭିନ୍ନ ରୂପ, ପ୍ରାରୂପ ଓ ଅବଧାରଣାରେ ମଣିଷ ତଥା ସମାଜ ସକାଶେ କାଳକାଳ ପାଇଁ  ନୂତନ ସ୍ଥାନ ଓ ପରିଚୟ ସୃଷ୍ଟି କରିଥାଏ।

ପ୍ରଥମରୁ କୁହାଯାଇଛି ଯେ ମଣିଷ ତାର କର୍ମଜୀବନରୁ ହିଁ କଳାର ସନ୍ଧାନ କରିଥିଲା । ସମୟର ଏତେ ଦୂର ଗତି ପରେ ଆଜି ବି କଳା ମଣିଷର କର୍ମଜୀବନ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ରହିଛି । ଉଦାହରଣ ସ୍ୱରୂପ ଶଗଡ଼ିଆ ଶଗଡ଼ ଚଳାଇବା ବା କୃଷକ ଚାଷକରିବା ସମୟରେ ଯେଉଁ ଗୀତ ଗାଇଥାଏ ଏଥିରେ ଦୁଇଟି କଥା ରହିଛି, ପ୍ରଥମଟି ହେଲା ସେ ତାର କର୍ମ ପାଇଁ ଆଖିପ୍ରେରଣା ଲାଭକରୁଛି ଏବଂ ଦ୍ୱିତୀୟରେ ସେ ଯେଉଁ ଲୟରେ ବହିଯାଉଛି ତାହା ତାର କର୍ମର ଲୟକୁ ପ୍ରୋତ୍ସାହିତ କରିବା ସହ ଶ୍ରମର କଷ୍ଟ ଲାଘବ କରିବାରେ ବିଶେଷ ସହାୟତା ଦେଉଛି । ସେ ତା ଭିତରେ ତା ଜୀବନର ସୁଖଦୁଃଖକୁ  ସାଉଁଟି ଧରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏଇଠି ଶ୍ରମ ଏବଂ କଳାର ଲୟ ଏକାକାର ହୋଇଯାଇଛି । ଏବେ ମୁଁ କଳାର ଯେଉଁ କଥାଗୁଡ଼ିକ କହିଛି ତାହା ଲୋକଧାରାରେ ଥିବା ଲୋକକଳାରେ କେମିତି ରହିଛି ଓ ଶାସ୍ତ୍ରୀୟ କଳାରେ କିପରି ରହିଛି ଆଲୋଚନା କରିବା ।

ଶାସ୍ତ୍ରୀୟକଳା ଗୋଟିଏ ସ୍ୱତନ୍ତ୍ର ପରିଚୟ ବହନ କରିଛି । ତାହା ଗୋଟିଏ ରାଷ୍ଟ୍ରୀୟ ସ୍ତରରେ ବା ଆଞ୍ଚଳିକ ସ୍ତରରେ ନିଜର ପ୍ରତିନିଧିତ୍ୱ କରୁଛି, ତାହା ଗୋଟିଏ ଧରାବନ୍ଧା ସୂତ୍ର ବା ପୂର୍ବପ୍ରସ୍ତୁତ ଫର୍ମୁଲାରେ ବନ୍ଧାଯାଇଛି । କାରଣ ଶାସ୍ତ୍ରୀୟ କଳାର ମୁଖ୍ୟ କଥା ହେଲା ସମାନୁପାତିକତା ଓ ସାଧାରଣୀକରଣ । କିନ୍ତୁ ଲୋକକଳା ସମାଜର କଥା କୁହେ, ନିଜର କଥା କହେ, ବ୍ୟକ୍ତିର କଥା କୁହେ । ଯେକୌଣସି କଳା ତାହା ଶାସ୍ତ୍ରୀୟ ହେଉ ବା ଲୋକକଳା ହେଉ ଦୁଇଟି ମଧ୍ୟରେ ବିଶେଷତା ହେଲା ଲୟ ଓ ବିରତି । ବିରତିଟା କଳାରେ ଥାଇ ମଧ୍ୟ ଜଣାପଡ଼େ ନାହିଁ । କଳାଟି ତାକୁ ଅଙ୍ଗୀକାର କରିଯାଏ । କିନ୍ତୁ ଲୟ ଓ ବିରତିରୁ କୌଣସିଟି ବି ବାଦ ପଡ଼ିଲେ କଳା କଳା ହୋଇପାରେ ନାହିଁ ।

କଳା ତାର ପ୍ରାଥମିକ ଅବସ୍ଥାରେ ପ୍ରଦର୍ଶନ ବା ପ୍ରଖ୍ୟାପନର ମୋହ ନେଇ ସୃଷ୍ଟି ହୋଇନଥିଲା। ସେ ଥିଲା ଜୀବନଧାରଣର ଉତ୍ସ ଓ ପ୍ରେରଣା। ଏହା ମଣିଷର ଦୈନନ୍ଦିନ ଜୀବନ ସହ ଅଂଗାଂଗୀ ଭାବରେ ଜଡ଼ିତ ଥିଲା। ଆଦିମ ମଣିଷର ଜୀବନ ଯାତ୍ରାରେ ଯେତେବେଳେ ମଣିଷ ଗୋଷ୍ଠୀଗତ ଭାବରେ ବଣଜଂଗଲରେ, ପ୍ରକୃତିର କୋଳରେ ବାସ କରୁଥିଲା; ଖାଦ୍ୟ, ବସ୍ତ୍ର, ଉତ୍ତାପ ଆଦି ପାଇଁ ପ୍ରକୃତି ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲା; ସେତେବେଳେ ସୃଷ୍ଟି ହୋଇଥିବା ସକଳ କଳା ମଣିଷର ଜୀବନଧାରଣ ଓ ଜୀବନସଂଘର୍ଷର ଅଂଶବିଶେଷ ଥିଲେ। ଉଦାହରଣ ସ୍ୱରୂପ ପ୍ରକୃତିରେ ବଣଜଂଗଲରେ କେଉଁଠି ପଢ଼ିଥିବା କୁରାଢ଼ୀ ଆକୃତିର ପଥରଟିଏ ଦେଖି ଯେଉଁ ଦିନ ଆଦିମ ମାନବ ନିଜର ଶ୍ରମ, ପ୍ରଚେଷ୍ଟା ଓ ବୁଦ୍ଧିବଳରେ ସତକୁସତ କୁରାଢ଼ିଟିଏ ନିର୍ମାଣ କଲା, ତାହା ଆଦିମ ମଣିଷ ପାଇଁ କୌଣସି ଯାଦୁଠାରୁ କମ୍ ନ ଥିଲା। ପ୍ରଥମ କୁରାଢ଼ୀ ନିର୍ମାଣ ଏକ କଳା ଥିଲା, ବିଜ୍ଞାନ ବି ଥିଲା। ତେଣୁ ମାନବ ସଭ୍ୟତାର ଆଦିକାଳରେ କଳା ଓ ବିଜ୍ଞାନ ଭିନ୍ନ ନ ଥିଲେ। ସଭ୍ୟତା ଏକ ଉନ୍ନତତର ସୋପାନକୁ ପହଂଚିବା ଯାଏଁ କଳା ଓ ବିଜ୍ଞାନ ଭିନ୍ନ ନ ଥିଲେ ଏବଂ ଉଭୟେ ମଣିଷର ଦୈନନ୍ଦିନ ଜୀବନର ଆବଶ୍ୟକତାରୁ ଜନ୍ମ ଲାଭକରି ମଣିଷର ଦୈନନ୍ଦିନଜୀବନର ସହଚର ଥିଲେ।

କୁରାଢ଼ୀର ଉଦାହରଣକୁ ପୁଣି ଆସିବା। କୁରାଢ଼ୀର ନିର୍ମାଣ ଫଳରେ ଆଦିମ ମଣିଷ ତାର ଖାଦ୍ୟ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସହଜ କରିପାରିଥିବା ବେଳେ ନିଜ ପାଇଁ ଉନ୍ନତର ଆଶ୍ରୟସ୍ଥଳୀ ବା ବାସଗୃହ ନିର୍ମାଣ କରିବାରେ ମଧ୍ୟ ସକ୍ଷମ ହୋଇପାରିଲା। ସେହିପରି ଧନୁଶର, ମାଛମରା ଜାଲ ଓ ବନ୍ସୀକଣ୍ଟା, ପତ୍ର, ବାଉଁଶ ଟୋକେଇ, ବିଭିନ୍ନ ପ୍ରକାର ମାଟିପାତ୍ର ଇତ୍ୟାଦି ଇତ୍ୟାଦି ଯାହା କିଛି ଆଦିମ ମଣିଷର ନିର୍ମାଣ ଥିଲା, ସେ ସବୁ ପ୍ରାଥମିକ ରୂପରେ କଳା ଓ ବିଜ୍ଞାନ ହେବା ସହ ମଣିଷର ଦୈନନ୍ଦିନ ଜୀବନର ଆବଶକତା ପରିପୂରଣ ଦିଗରେ ବିଶେଷ ସହାୟକ ଥିଲେ। କେବଳ ଏମାନେ ମଣିଷର ଜୀବନଧାରଣ ଓ ଜୀବନ ଯାତ୍ରାର ସହାୟକ ନଥିଲେ, ବରଂ ଏହି ପ୍ରତିଟି ନିର୍ମାଣ ମଣିଷ ସଭ୍ୟତାର ସୋପାନକୁ କ୍ରମାନ୍ୱୟରେ ପାଦେ ଲେଖାଏଁ ଆଗକୁ ବଢ଼ାଇଆଣୁଥିଲେ।

ସଙ୍ଗୀତ ଓ ଚିତ୍ରକଳା ଆଦିର ଜନକ ହେଉଛି ଆଦିମ ମଣିଷ। ଶିକାରକୁ ଯିବା ପୂର୍ବରୁ ଆଦିମ ମଣିଷ ସମବେତ ଭାବରେ ବିଭିନ୍ନ ପ୍ରକାର ଧ୍ୱନି ଉଚ୍ଚାରଣ କରିବା ସହ ଉନ୍ମତ୍ତ ନୃତ୍ୟ ପ୍ରଦର୍ଶନ କରୁଥିଲା। ଏହି ନୃତ୍ୟ ଓ ଧ୍ୱନିଉଚ୍ଚାରଣ ତା ମନରେ ଅଜସ୍ର ଶକ୍ତି ଭରିଦେଉଥିଲା। ସେ ଯେ ଶିକାରଠାରୁ ଶକ୍ତିଶାଳୀ ଓ ଉନ୍ନତ, ଏହି ଭାବନା ତା ମନରେ ଭରିଯାଉଥିଲା। ଏପରି ଭାବରେ କଳା ତାର ଆତ୍ମପ୍ରେରଣାର ଆଦି ଉତ୍ସ ଥିଲା। ବିବିଧ ପ୍ରାଚୀନ ଗୁଂଫାରେ ଅଂକିତ ଆଦିମ ମଣିଷର ଚିତ୍ର ବି ତାକୁ ଉଦ୍ବୋଧିତ କରୁଥିଲା, ତା ମନରେ ଏହି ବିଶ୍ୱାସ ଭାରିଦେଉଥିଲା ଯେ ସେ ଶିକାରଠାରୁ ଶକ୍ତିଶାଳୀ ଓ ଶ୍ରେଷ୍ଠ।

ଉନ୍ମେଷର ଆଦିକାଳରେ କଳାର ସୌନ୍ଦର୍ଯ୍ୟବୋଧ ସହିତ ବିଶେଷ ସଂପର୍କ ନଥିଲା। କ୍ରମେ ଜୀବନଧାରଣର ବା ସଭ୍ୟତାର ସୋପାନଗୁଡ଼ିକ ଅତିକ୍ରମ କରିବା ସମୟ ସୌନ୍ଦର୍ଯ୍ୟବୋଧର ବି ସୃଷ୍ଟିହେଲା। ରଂଗବେରଂଗ ପ୍ରକୃତି, ପଶୁପକ୍ଷୀ, ଗଛଲତା ତା ଦୃଷ୍ଟିରେ ସୌନ୍ଦର୍ଯ୍ୟବୋଧ ଭରିଦେଲେ ତ ପକ୍ଷୀର କାକଳୀ, ଝରଣାରନାଦ, ନଦୀର କଳକଳ ଧ୍ୱନି ତାକୁ ଶ୍ରୁତିମାଧୁର୍ଯ୍ୟ ଦେଲେ। ଘ୍ରାଣଶକ୍ତିର ବିକାଶ ଫଳରେ ମଣିଷ ବିବିଧ ପ୍ରକାର ଗନ୍ଧ ବାରିଲା। ରୂପ, ଧ୍ୱନି, ଗଂଧ, ସ୍ୱାଦ, ସ୍ପର୍ଶ ଆଦି ଇନ୍ଦ୍ରିୟଗ୍ରାହ୍ୟ ଶକ୍ତିର ଅବବୋଧ ମଣିଷର ସୌନ୍ଦର୍ଯ୍ୟବୋଧକୁ ନିର୍ଦ୍ଦିଷ୍ଟ ତଥା ବିବିଧ ରୂପ ପ୍ରଦାନ କରିବାରେ ଲାଗିଲେ। ସଭ୍ୟତା ଏକ ନିର୍ଦ୍ଦିଷ୍ଟ ଉନ୍ନତର ପର୍ଯ୍ୟାୟରେ ପହଂଚିବା ପରେ ଏସବୁର ରୂପାୟନରେ ମଣିଷ ନିଜର ସୌନ୍ଦର୍ଯ୍ୟଦୃଷ୍ଟିର ପ୍ରଖ୍ୟାପନ ପାଇଁ ବିବିଧ ପ୍ରକାର କଳା ସୃଷ୍ଟି କରିବାରେ ଲାଗିଲା, ଯାହା ଆହୁରି ଉନ୍ନତତର ସୋପାନକୁ ଯିବା ପରେ କ୍ଳାସିକ କଳାଗୁଡ଼ିକର ଉଦ୍ଭବ ହେଲା। ସଭ୍ୟତାର ଏହି ସୋପାନରେ କଳା ମଣିଷର ଭୌତିକ ବା ଦୈନନ୍ଦିନ ଆବଶ୍ୟକତା ପରିପୂରଣରୁ ଊର୍ଦ୍ଧ୍ୱକୁ ଉଠି ତାର ମାନସିକ ଶୂନ୍ୟତାର ପରିପୂରଣ ଦିଗରେ ବିଶେଷ ସହାୟକ ହେଲା।

କ୍ଲାସିକ୍ କଳା :

କ୍ଲାସିକ୍ କଳାରେ ସୁଗଠିତ ଓ ସୁସଙ୍ଗତ ରୂପରେଖ ପ୍ରଥମରୁ ନିର୍ଦ୍ଧାରିତ ହୋଇଥାଏ । ଏହା ପୂର୍ବନିର୍ଦ୍ଧାରିତ ସୁନିୟୋଜିତ କଳା ।  କିନ୍ତୁ ତାହା ସାର୍ବଜନୀନ ହୋଇଥାଏ। ଏହା ରୂପ ବା ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ କିନ୍ତୁ ତାହାର ଅନ୍ତର୍ବସ୍ତୁ ବା ବିଷୟବସ୍ତୁ ଉପରେ ଜୋର ଦିଆଯାଇନଥାଏ। ସମାଜରେ ସ୍ଥିତି ଯାହା ବି ଥାଉ ଶାସ୍ତ୍ରୀୟକଳା ପ୍ରଦର୍ଶନ ସମୟରେ କଳାକାରକୁ ନିଜର ସ୍ଥିତିକୁ ଭୁଲି କେବଳ ସେହି କଳାର ପୂର୍ବନିର୍ଦ୍ଧାରିତ ସୂଚୀଅନୁସାରେ ପ୍ରଦର୍ଶନ କରିବାକୁ ପଡ଼ିଥାଏ। ଯେହେତୁ ଶାସ୍ତ୍ରୀୟକଳା ବାୟବୀୟ ବା ଆବଷ୍ଟ୍ରାକ୍ଟ କଳା; ତାହାର ପ୍ରଦର୍ଶନ ସମୟରେ କଳାକାର ନିଜ ଖିଆଲରେ ମଜ୍ଜିଯାଇଥାଏ। ଯାହାକୁ କୁହାଯାଏ ଯେ କଳା ନିଜ ପାଇଁ ଅଥବା କଳା କଳା ପାଇଁ । ୟୁରୋପୀୟ ନବଜାରଗଣ ଓ ଶିଳ୍ପବିପ୍ଲବ ଫଳରେ ସମଗ୍ର ଜଗତରେ ଆର୍ଥିକ, ରାଜନୀତିକ ଓ ସାଂସ୍କୃତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଥିଲା। ସେତେବେଳେ କୃଷିଜୀବନରୁ ଶିଳ୍ପଜୀବନ ଆଡ଼କୁ, ଗ୍ରାମୀଣ ଜୀବନରୁ ସହରୀ ଜୀବନଆଡ଼କୁ ମଣିଷ ଧାଇଁଲା। ମଣିଷ ଭିତରେ ସ୍ୱେଚ୍ଛାଚାରିତା ବଢ଼ିବା ସହ ଅଧିକ ନିଜ ଭିତରେ ନିଜକୁ ଖୋଜିବାକୁ ଚାହିଁଲା। ଏହି ଆଧୁନିକ ଶିଳ୍ପଦୁନିଆର ଜୀବନ ମଣିଷକୁ ଅନେକ ପରିମାଣରେ ସମାଜ ବିଚ୍ୟୁତ କରି ଏକେଲାପଣ ବା ନିସଙ୍ଗତା ଆଡ଼କୁ ଠେଲିଦେଲା ଏବଂ ଏହି ସମାଜଛଡ଼ା ମଣିଷ କ୍ରମେ ସାମାଜିକ ଚେତନାଠାରୁ ଦୂରେଇବାକୁ ଲାଗିଲା। ତାର କଳାପକ୍ଷ ହେଲା ମଣିଷ ଶିଳ୍ପଜୀବନରେ ଥିବା ସଂଘର୍ଷମୟ ଜୀବନରେ ମାନସିକ ଭାବେ ଭାରାକ୍ରାନ୍ତ ହେଲାବେଳକୁ ଶାସ୍ତ୍ରୀୟକଳାର ଆଶ୍ରୟ ନେଇ ନିଜେ ମାନସିକ ଶାନ୍ତ୍ୱନା ଲାଘବ କରିବା ପାଇଁ ପ୍ରୟାସ କଲା। ଅପର ପକ୍ଷରେ ଭାରତ ପରି ସାମନ୍ତବାଦୀ ଦେଶରେ ଦେଶଜ ଲୋକକଳା ଲୋକଙ୍କ କୁଡ଼ିଆରୁ ରାଜାଙ୍କ ମହଲରେ ପ୍ରବେଶ କଲା ଓ ସେଠାରେ ପଣ୍ଡିତ ଜନଙ୍କଦ୍ୱାରା କବଳିତ ହୋଇ, ନାନା ନୂତନ ନିୟମ-ଶୃଙ୍ଖଳା ମଧ୍ୟରେ ବାନ୍ଧିହୋଇ  ଶାସ୍ତ୍ରୀୟକଳାର ରୂପନେଲା। ଦରବାରୀ ବିଳାସ ଭିତରେ ଆବଦ୍ଧ ହୋଇ ବହୁକାଳ ପର୍ଯ୍ୟନ୍ତ ଶାସ୍ତ୍ରୀୟ କଳା ସାଧାରଣ ଜନତାଠୁ ବହୁତ ଦୂରରେ ତଥା ଅପହଞ୍ଚ ରହିଲା ।

ଶାସ୍ତ୍ରୀୟ ସଂଗୀତକୁ ଯଦି ଉଦାହରଣ ରୂପେ ନେବା ତେବେ ଦେଖିବା ଭାରତୀୟ ମଧ୍ୟଯୁଗ ପୂର୍ବରୁ ଶାସ୍ତ୍ରୀୟ ସଂଗୀତ ଏପରି ଅବସ୍ଥାରେ ନଥିଲା। ଏହି ସମୟରେ ଭାରତୀୟ ରାଜନୀତିକ ଓ ସାଂସ୍କୃତିକଧାରାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଥିଲା। ମୋଗଲମାନେ ଭାରତୀୟ ସଂଗୀତ ଉପରେ ପ୍ରଭାବ ବିସ୍ତାର କଲେ। ଭାରତୀୟ ସଂଗୀତପ୍ରଥାର ସାର୍ବଜନୀନତାର ଉର୍ଦ୍ଧ୍ୱରେ କେବଳ ଅଭିଜନ ବର୍ଗର ଉପଭୋଗ ସକାଶେ ଏହାକୁ ବିବିଧ ନିମୟକାନୁନଗୁଡ଼ିକରେ ବାନ୍ଧି ଶାସ୍ତ୍ରୀୟ ରୂପ ଦିଆଗଲା। ଶାସ୍ତ୍ରୀୟ ଅର୍ଥ ଶାସ୍ତ୍ରାନୁମୋଦିତ । ଏଥିରେ ଥିବା ସାଂଗୀତିକ ପକ୍ଷ ମୁଖ୍ୟତଃ ପ୍ରେମ ଓ ଭକ୍ତି ଭାବରେ ପୂର୍ଣ୍ଣଥିଲା। ଫଳତଃ ଏହା ସାମନ୍ତୀବିଳାସର ଏକ ବିଶିଷ୍ଟ ଅଙ୍ଗ ହେବା ସହ ଜନତା ଆଖିରେ ଧର୍ମାନୁମୋଦିତ ଦିଶିଲା । ସେହିପରି ପୁରୀ ଜଗନ୍ନାଥ ମନ୍ଦିରର ଗୋଟିପୁଅ ନାଚରୁ ବିକାଶ ଲାଭ କରିଥିବା ଓଡ଼ିଶାର ଆଞ୍ଚଳିକ ସଂଗୀତ (ଓଡ଼ିଶୀ ସଙ୍ଗୀତ) ମଧ୍ୟ ଏଥିରୁ ବାଦ ପଡ଼ିନି। ଓଡ଼ିଶୀ ସଂଗୀତରେ ମଧ୍ୟ ଗୀତଗୁଡ଼ିକ କେବଳ‘କୃଷ୍ଣରାଧା’ପ୍ରେମର କଥା କହୁଛି। ଏହି ସଂଗୀତମାନଙ୍କରେ ସମାଜର କି ସାଧାରଣ ଜନର ଦୁଃଖସୁଖର ସ୍ୱର ନାହିଁ । ଏଥିରେ କଳାକାର କେବଳ ନିଜର ମନୋଭାବକୁ ସ୍ୱର ଓ ମୂର୍ଚ୍ଛନା ଅନୁସାରେ ଉଦ୍ଗାରୀ ଆପଣା ମନର ଶୂନ୍ୟତାକୁ ଦୂର କରିପାରେ। ଏହି ସଂଗୀତ ମଣିଷକୁ ଦେହରୁ ଦେହାତୀତ, ଶୂନ୍ୟରୁ  ଅସୀମ ଆଡ଼କୁ ନେବାରେ ସାହାଯ୍ୟ କରିଥାଏ। ବ୍ୟକ୍ତି ଓ ଭାବ ମଧ୍ୟରେ ସର୍ବଦା ତାଦାତ୍ମ୍ୟଭାବ ରହିଥାଏ।

ଅଷ୍ଟାଦଶ ଶତାବ୍ଦୀରେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ରାଜନୈତିକ ଉତ୍ଥାନ–ପତନ ଦେଖାଦେଇଥିଲା। ଏହି ସମୟରେ ବିଖ୍ୟାତ ଫରାସୀ ବିପ୍ଲବ ଯୋଗୁଁ ସାରାବିଶ୍ୱରେ ଏହାର ରାଜନୀତିକ ଓ ସାଂସ୍କୃତିକ ଉତ୍ଥାନ ଓ ପତନର ଛିଟା ସବୁଠି ପଡ଼ିଥିଲା।

କଳା ଶ୍ରମଜୀବୀଠାରୁ ଅପହୃତ ହୋଇ ଦରବାରରେ ପହଞ୍ଚିଥିଲା ଓ ରାଜାର ମାନସିକତା ଅନୁକୂଳରେ ଶାସ୍ତ୍ରୀୟ କଳାର ଜନ୍ମହେଲା, ଯହିଁରେ ପଣ୍ଡିତ ବର୍ଗର ଏକ ବଡ଼ ଯୋଗଦାନ ତଥା ମାଲିକାନା ରହିଥିଲା । ପୁଞ୍ଜିବାଦୀ ଯୁଗରେ, ନିଜର ଅନୁଭୂତି ସବୁକୁ ନିଜର ବିବେକଠାରୁ ଅଧିକ ମହତ୍ତ୍ୱ ମିଳିଲା ଏବଂ ମଣିଷ ତାର ବିବେକକୁ ଅନୁଭୂତି ଦ୍ୱାରା ପରିଶୁଦ୍ଧ କଲା। କଳାର ନୂତନ ରୂପାନ୍ତର ହେଲା;  ଯହିଁରେ ଧ୍ୱନିର ପ୍ରଭାବ, ଇନ୍ଦ୍ରିୟ ଉପରେ ପ୍ରଭାବ ତଥା ଅନ୍ତଃପ୍ରାଣ ଜୀବନ୍ତ ରହେ ଓ ଲୟଭଙ୍ଗ ହେବାକୁ ଦିଏନାହିଁ । କିନ୍ତୁ ଏହା ବି ବସ୍ତୁଗତ ଜଗତର ଦୂରରେ ରହିଲେ। ଲୋକକଳା କିନ୍ତୁ ସାମାଜିକ ଚେତନା ସହ ଯୋଡ଼ିହୋଇ ରହିଲା।

ଲୋକକଳା  ଜନଜୀବନରୁ ଉଦ୍ଭୁତ ହେବା ସହ ସମାଜ ଜୀବନର ସୁଖଦୁଃଖକୁ ନିଜ ଭିତରେ ଅଙ୍ଗୀକାର କରେ ଓ ସାମାଜିକ ଉପାଦେୟତା ଉପରେ ଜୋର୍ ଦେଇଥାଏ। ଏଥିରେ ଫର୍ମ ବା ରୂପରେଖ ସହ  ବିଷୟବସ୍ତୁ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ । ଏହା ସଦାବେଳେ ସାମାଜିକ ବା ଜନଜୀବନ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ରହିଆସିଛି । ବାସ୍ତବରେ ଏହା ସାମାଜିକ ଜୀବନଧାରର ପ୍ରବହମାନ ରୂପ ହେବା ସହ ଲୋକମାନସ ଅନୁକୂଳରେ ପ୍ରଦର୍ଶିତ ବା ପ୍ରଖ୍ୟାପିତ ହୋଇଥାଏ।

ଲୋକକଳାର ଶୈଳୀ ପରିବର୍ତ୍ତନଶୀଳ ନୁହେଁ, ଯଦିଓ ସମୟକ୍ରମେ ଏଥିରେ ନୂତନ ସଂଯୋଗ ବା ସଂଯୋଜନାଗୁଡ଼ିକ ହୋଇଥାଏ । ଲୋକକଳାରେ ବିଷୟବସ୍ତୁର ଗୁରୁତ୍ୱ ଅଧିକ । କିନ୍ତୁ କଳାର ମୂଳ ପ୍ରେରଣା ଅପରିବର୍ତ୍ତନୀୟ। ଶାସ୍ତ୍ରୀୟ ଓ ଲୋକକଳା ମଧ୍ୟରେ ପାର୍ଥକ୍ୟ କେବଳ ଏତିକି ଯେ ରୂପ ବା ଫର୍ମକୁ ଶାସ୍ତ୍ରୀୟକଳାରେ ଗୁରୁତ୍ୱ ଦିଆଯାଇଥାଏ ଓ ଏହାର ବିଷୟବସ୍ତୁ ଉପରେ ଗୁରୁତ୍ୱ ଗୌଣ। ରୂପ ସର୍ବଦା ବିଷୟବସ୍ତୁଠାରୁ ଅଧିକ ସ୍ଥାୟୀ ଓ ଦୀର୍ଘୀୟୁ ରହିପାରେ। କଥାବସ୍ତୁ, ବିଚାରଧାରା ଇତ୍ୟାଦି ପରିବର୍ତ୍ତନଶୀଳ। ସଭ୍ୟତା ଗୋଟିଏ ସୋପାନରୁ ଆଉ ଗୋଟିଏ ସୋପାନର ବିକଶିତ ହେବା ସହ ଜୀବନଧାରାର କ୍ରମ ବଦଳିଯାଏ ଏବଂ ଲୋକକଳାରେ ମଧ୍ୟ ପରିବର୍ତ୍ତନ ଆସିଥାଏ। କିନ୍ତୁ ଶାସ୍ତ୍ରୀୟ କଳାରେ ବିଶେଷ ପରିବର୍ତ୍ତନ ହୋଇନଥାଏ। ସମୟ ସହ ଲୋକକଳାରେ ମଧ୍ୟ ବିଷୟବସ୍ତୁର ପରିବର୍ତ୍ତନ ହୋଇଥାଏ ମାତ୍ର ଏଥିରେ ରୂପ ବା ଫର୍ମ ଦୀର୍ଘସ୍ଥାୟୀ ରହିଥାଏ। ଯେମିତି ଦଣ୍ଡ ନାଟରେ ବହୁଦିନରୁ ଚାଲିଆସୁଥିବା ଷୋଳସୁଆଙ୍ଗ ବଦଳରେ ଆଜିକାଲି ରାଧାକୃଷ୍ଣ ପ୍ରେମଲୀଳା ପ୍ରଦର୍ଶିତ ହେଉଛି । ଆଉ ଏକ ଗୁରୁତ୍ୱପୂର୍ଣ ବିଷୟ ହେଲା ଭାରତୀୟ ଲୋକଧାରା ଓ ଲୋକକଳାସବୁ କୌଣସି ନା କୌଣସି ସ୍ଥାନୀୟ ଦେବାଦେବୀ, ଆଚାର, ଅଭିଚାର, ଉତ୍ପାଦନ ପ୍ରକ୍ରିୟା ଓ ଋତୁଚକ୍ର ଆଦି ସହ ଜଡ଼ିତ ରହିଥାଏ । ତେବେ କୌଣସି ଅଞ୍ଚଳରେ ନୂତନ ଜନର ଆଗମନ ଓ ସ୍ଥାୟୀ ବସତିସ୍ଥାପନ, ରାଜା ଅଥବା ରାଜ୍ୟ ବ୍ୟବସ୍ଥାର ପରିବର୍ତ୍ତନ, ନୂତନ ବିଚାର ଓ ବ୍ୟବସ୍ଥାଗୁଡ଼ିକର ପରିବର୍ତ୍ତନ ସହ ଏହାର ବିଷୟବସ୍ତୁରେ ଏହା ପରିବର୍ତ୍ତନଶୀଳ। ସମାଜର ପରିବର୍ତ୍ତନରେ କଳାର ବିଷୟବସ୍ତୁର ପରିବର୍ତ୍ତନ ହୋଇଥାଏ ଘୋଡ଼ାନାଚ, ଦାସକାଠିଆ, ଭଜନ, ଚିତ୍ରକଳା, ରାସ୍ତାଘାଟରେ ଥିବା ବିଜ୍ଞାପନ ପୋଷ୍ଟରମାନଙ୍କ ମାଧ୍ୟମରେ ନୂତନ ପ୍ରଚାର ସବୁକୁ ମଧ୍ୟ କଳା ମାଧ୍ୟମରେ ପ୍ରଦର୍ଶନ କରିବାର ପ୍ରଚେଷ୍ଟା କରାଯାଉଛି। ଅନ୍ୟାନ୍ୟ ଲୋକକଳା ମଧ୍ୟ ନୂତନ ବିଚାର ଓ ବ୍ୟବସ୍ଥାର ପ୍ରଚାର ମାଧ୍ୟମ ହୋଇଚାଲିଛି । ଯେପରି ପାଲାରେ ପୌରାଣିକ କଥାବସ୍ତୁ ମୁଖ୍ୟ ଥିବାବେଳେ ଆଜିର ସମାଜରେ ପୋଲିଓ, ଏଡ୍ସ, ମ୍ୟାଲରିଆ, ପରିବାର ନିୟୋଜନ ଆଦି ନୂତନ ଜନ ସଚେତନତାମୂଳକ କଥାବସ୍ତୁକୁ ସ୍ଥାନ ଦିଆଯାଉଛି, କିନ୍ତୁ ପାଲାର ସମଗ୍ର ଫର୍ମ ବା ରୂପକୁ କଡ଼ାକଡ଼ି ଭାବରେ ବଜାୟ ରଖାଯାଇଛି । କାରଣ ଯେଉଁ ଲୋକକଳା ଲୋକ ଜୀବନଧାରା, ଲୋକ ଅଭିବ୍ୟକ୍ତି, ଲୋକ ବିଶ୍ୱାସ, ଲୋକ ପରମ୍ପରା, ଲୋକାମୋଦ, ଲୋକପରିଧାନ ଇତ୍ୟାଦି ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ସେହି ସ୍ଥଳରେ ପରିବର୍ତ୍ତନ କଳା କଳା ପାଇଁ ନହୋଇ, କଳା ସମାଜ ପାଇଁ ଉତ୍ସର୍ଗୀକୃତ ହୋଇଥାଏ ।

ଆଧୁନିକ ସମୟରେ ପୁଣି ମଣିଷ କଳା କେବଳ କଳା ପାଇଁ ବୋଲି ଯେଉଁ ସ୍ଲୋଗାନ ଦେଉଥିଲା ସେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଲାଣି। ଏବେ ସେହି କଥା କୁହାଯାଉଛି ଯେ କଳା ସମାଜ ପାଇଁ ନ ହେଲେ ବି କଳା ଜୀବନ ପାଇଁର ସ୍ଲୋଗାନ୍ ଚାଲିଲାଣି। ଅର୍ଥାତ୍ ମଣିଷର ଜୀବନଯାତ୍ରାର କ୍ରମବିକାଶ ମଧ୍ୟରେ କୃଷିରୁ ଶିଳ୍ପ ପୁଣି ଶିଳ୍ପ ଜୀବନଧାରାରେ ଅତିଷ୍ଟହୋଇ ମଣିଷ ପ୍ରକୃତ ଜୀବନ ଆନନ୍ଦର ଧାରାକୁ ଖୋଜିବାରେ ଲାଗିଲାଣି।

ଆମର ପ୍ରଥମ ଓ ମୂଳ ପ୍ରଶ୍ନକୁ ଆସିବା  । ମଣିଷ ପୁଣି ନିଜ ମଧ୍ୟରେ ଥିବା ଶୂନ୍ୟତା ବା ଖାଲିସ୍ଥାନରୁ ଉପରକୁ ଉଠି ନିଜଠାରୁ ନିଜ ପାଇଁ ଆହୁରି ଅଧିକ ଆତ୍ମପରିଚୟ ଓ ସାମାଜିକ ପ୍ରତିଷ୍ଠାକୁ ଗଢ଼ିତୋଳିବାର ପ୍ରଚେଷ୍ଟାରେ ଲାଗିଛି  ଏବଂ ସେଥିପାଇଁ କଳାକୁ ମାଧ୍ୟମ ଭାବରେ ନେଇଛି । ପ୍ରତିଷ୍ଠା ଓ ପ୍ରଚେଷ୍ଟା ଆମ ମନକୁ ଘାରିଛି। ଗତକାଲିର ଚିନ୍ତାଧାରା ଆଜିର ଚିନ୍ତା ହୋଇନାହିଁ  । ତେଣୁ ଆମର କଳାକୁ ଦେଖାଇବା ପାଇଁ ବାହ୍ୟଜଗତ ସହ ସବୁବେଳେ ଯୋଡ଼ିବାର ପ୍ରଚେଷ୍ଟା ଏବେ ଆହୁରି ତୀବ୍ର ହୋଇଯାଇଛି। ମଣିଷ ପାଖରେ ନିଜର ରନ୍ଧନ କଳାଟିଏ ଅଛି, ଯଦିଓ ସେ ଆଜିର ୟୁ ଟ୍ୟୁବ୍ ମାଧ୍ୟମରେ ବାହ୍ୟଜଗତରେ ନିଜକୁ ସାମିଲ କରିବାକୁ ଚେଷ୍ଟା କରୁଛି। ସେହିପରି ଆଜିର ଚାରୁକଳା ହେଉ କି ଲଳିତକଳା ହେଉ ଆଜି ବଜାରମୁଖୀ ହୋଇଯାଇଛି। ନା ଅଛି ସମାଜର କଥା ନା ଅଛି ବ୍ୟକ୍ତି ଅନ୍ତମୂର୍ଖୀ ଆନନ୍ଦ ପ୍ରାପ୍ତିର କଳା। ଏବେ ଅଛି କେବଳ ବଜାରର କଳା। କଳାକାର ବ୍ୟକ୍ତିବିଶେଷ ଜୀବନକୁ ଜୀଇଁବାର ଶୈଳୀରୁ ଶିଖିଥିବା ବା ଶିଖୁଥିବା ଆନନ୍ଦଙ୍କୁ ନେଇ ବାହ୍ୟଜଗତରେ ବାଣ୍ଟିବାକୁ ଚାହୁଁଛି। ତେଣୁ ଲୋକକଳା ଆଦି ବିଭିନ୍ନ ଲୋକ ମହୋତ୍ସବ ଓ ପ୍ରେକ୍ଷାଳୟରେ ଦେଖିବକୁ କି ଶୁଣିବା ବେଳକୁ ଶାସ୍ତ୍ରୀୟ ସଂଗୀତ ବ୍ୟକ୍ତିକୈନ୍ଦିକ ଅପେକ୍ଷା ଶ୍ରୋତାକୈନ୍ଦ୍ରିକ ହୋଇ ତାର ରୂପ ବା ଗଠନ ପ୍ରକ୍ରିୟାରେ ବହୁତ ପରିବର୍ତ୍ତନ ଆସିଛି। ପରିବର୍ତ୍ତନ ସର୍ବଦା ସ୍ୱାଗତଯୋଗ୍ୟ କିନ୍ତୁ ଏବେ ତାହା ଘୋଡ଼ା ଶରୀରରେ ହାତୀର ମୁହଁକୁ ଯୋଡ଼ିଦେବା ଭଳି ହୋଇଯାଉଛି। ଯଦି ବି କଳା କିଛି କହୁଛି ତାହା କେବଳ ବଜାରଭିମୁଖୀ ପ୍ରଚାରଧର୍ମୀ ଭଳି ମନେହେଉଛି।

ଜୀବନର ଅନିଶ୍ଚିତତା ଓ କ୍ଷଣସ୍ଥାୟୀତାକୁ ନେଇ ଯେଉଁ ସଙ୍କଟଗୁଡ଼ିକର ମଣିଷ ସମ୍ମୁଖୀନ ହେଲା ସେଥିରୁ ସେ ବିଭିନ୍ନ ପରୀକ୍ଷାନିରୀକ୍ଷା ଗୁଡ଼ିକ କଲା। ଅଳ୍ପ ସମୟ ମଧ୍ୟରେ ଚମକ ଦେଖାଇବାକୁ ଚାହିଁଲା। ଦୀର୍ଘଜୀବନର ପ୍ରବହମାନତାର କଥା ସେ ଆଉ ଭାବୁନି । ତେଣୁ ଅଳ୍ପକେ ବହୁତ କଥା (ସଂକ୍ଷିପ୍ତକରଣ) କହିଯିବାର ଶୈଳୀକୁ ଏବେ କଳାକାର ଅପେଣେଇଛି। ନଗରୀକରଣ, ସମାଜର ଅସ୍ଥିରତା, ସମ୍ପର୍କରେ ଫାଟ ଆସିଲା ସହ ମଣିଷ ବଜାରରେ ଫିଙ୍ଗିହୋଇ ତା ମଧ୍ୟରେ କଳାକୁ ନୂଆନୂଆ ରୂପେ ଗଢ଼ିବାରେ ଲାଗିଛି। ଆମେ ଆଧୁନିକ କଳାରେ ଦେଖିବା ମଣିଷର ଜୀବନର ଗତି ଅନୁସାରେ କଳା ମଧ୍ୟ ନିଜକୁ ଖାପଖୁଆଇ ସାମିଲ କରିନେଇଛି। ତେଣୁ ପ୍ରତିଟି ଯୁଗରେ ଦାର୍ଶନିକମାନଙ୍କ କଳା ଓ ସଂଜ୍ଞା ଆଦି ଅନେକାଂଶରେ ବଦଳିଗଲେ ମଧ୍ୟ ଚିରନ୍ତନ ସତ୍ୟକୁ ଆମେ ଏଡ଼ାଇ ଯାଇପାରିବା ନାହିଁ  । ଟଲଷ୍ଟୟଙ୍କ ଉକ୍ତିରେ କଳା ଏକ ମାନବୀୟ ଚେଷ୍ଟା ଯେଉଁଥିରେ ମନୁଷ୍ୟ ନିଜ ଜୀବନ ସହ ସାକ୍ଷାତକରି ଭାବନାଗୁଡ଼ିକୁ ଜ୍ଞାନପୂର୍ବକ କିଛି ସଂଙ୍କେତଦ୍ୱାରା ପ୍ରକଟ କରିଥାଏ। ଯାହାକି ଆଜିର କରୋନାର ପ୍ରାଦୁର୍ଭାବରେ ମଣିଷ ଠିକ୍ ସେହିପରି କରିବାର ପ୍ରଚେଷ୍ଟା କରୁଛି । ଏ ପ୍ରସଙ୍ଗରେ କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କ ଉକ୍ତି ବିଶେଷ ପ୍ରାସଙ୍ଗିକତା ରଖେ। ସେ କହିଥିଲେ କଳା ଯାହା ସତ୍ୟ ଓ ସୁନ୍ଦର ଅଟେ। ସମସ୍ତ ମଣିଷ ସତ୍ୟ ଓ ସୁନ୍ଦର ପ୍ରତି ଧାବମାନ ଅଛନ୍ତି ଓ ଏପରି ରହିବେ ବୋଲି ଅଶା ଓ ବିଶ୍ୱାସ ।

 References:

  1. Manav aur Sanskruti (hindi) , Shyama Charan Dube, Delhi,1993
  2. Bharatiya Kala ka Itihash(Hindi) Bhagbat Sharan Upadhya, New Delhi, 1981.
  3. An Introduction to Indian Music(English) ,B.C.Dev,Delhi,1973
  4. Indian Musical Tradition(English), H.BhrarmanRao Deshpande, Mumbai, 1987
  5. Paschima Odisha ra Sanskrutik Bikashdhara(odia),Sudhir kumar Sahu,cuttack,2008

 

 

Photo credit- https://bit.ly/3GWpM1B

 

Share this Article
Assistant Professor at Utkal University of Culture