ଅକ୍ଟୋବର 14, 2023, ଭୁବନେଶ୍ୱରରେ ସମଧ୍ୱନି ଓ ଲୋହିଆ ଏକାଡେମୀର ମିଳିତ ଉଦ୍ୟମରେ ‘ପଏର୍ଚ୍ଛା ସତୀ’ ସଙ୍ଗୀତ ରୂପକ ପ୍ରଦର୍ଶିତ ହୋଇଥିଲା। ପଦ୍ମପୁରର “ଲୁ” ନାଟ୍ୟ ସଂସ୍ଥାର କଳାକାରମାନେ ଖଗେଶ୍ୱର ସେଠଙ୍କର କାବ୍ୟ ପଏର୍ଚ୍ଛା ସତୀର ସଙ୍ଗୀତ ରୂପକକୁ ମଂଚରେ ପରିବେଷଣ କରିବା ସମୟରେ ଅଭିଭୂତ କରିଥିଲେ ଉପସ୍ଥିତ ଦର୍ଶକମାନଙ୍କୁ । ନାଟକ ପାଇଁ ମଞ୍ଚରେ ଆଲୋକର ବ୍ୟବସ୍ଥା ନଥିଲା କି ନାଲି ନେଳି ଆଲୋକର ଯାଦୁ ସେଠି ନଥିଲା। ଖାଲି ସେଠି ଥିଲା ଓଡ଼ିଶାର ଲୋକକଳାର କଳାକାର ମାନଙ୍କର କଳାର ଯାଦୁ, ଘୁଙ୍ଗୁର, ମର୍ଦଳ, ଢ଼ୋଲ,ଏକ ଅର୍ଗାନ ହରମୋନିଅମ, ସମ୍ବଲପୁରୀ ଶାଢ଼ୀ, ଡାଲଖାଇ, ଲୀଳାଦଣ୍ଡ, ଦୁଲାବିହା, ସଞ୍ଚାର, ଦରବାରୀ, ପାଲା, କୀର୍ତ୍ତନ, ଅଁଳା ପଞ୍ଚମୀ ବେଢ଼ାବୁଲା ଗୀତର ସ୍ୱରକୁ ଗୁରୁ ସୁରେନ୍ଦ୍ର ସାହୁଙ୍କ ଦକ୍ଷ ଓ ଚତୁର ସଂଯୋଜନାରେ ଖଗେଶ୍ୱର ଶେଠଙ୍କ ‘ପଏର୍ଚ୍ଛା ସତୀ’ପରି ଏକ ଓଜସ୍ୱିନୀ ନାରୀବାଦୀ କାବ୍ୟର ଧାରା ଯାହାକୁ ଅତି ସରଳ ଓ ସୁକ୍ଷ୍ମ ପ୍ରଶ୍ନ ଗୁଚ୍ଛରେ ବାନ୍ଧି ନାଟକୀୟ ଢଙ୍ଗରେ ପରିବେଷଣ କରି ସମଗ୍ର ଦର୍ଶକଙ୍କୁ ବାନ୍ଧି ରଖିଥିବା “ଲୁ” ନାଟ୍ୟ ସଂସ୍ଥା । ନାଟକର ଏହି ନୂତନ ଶୈଳୀ ଯେ ଏତେ ଚମତ୍କାର ଓ ଶିକ୍ଷଣୀୟ ତାହା ବି ଆଭିଭୂତ କରୁଥିଲା ଓ ଆଲୋଡନ ସୃଷ୍ଟି କରୁଥିଲା ଦର୍ଶକ ମାନଙ୍କର ମନରେ।
ଲୋହିଆ ଏକାଡ଼େମୀ ନାଟକ ପ୍ରଦର୍ଶନର ମଂଚ ନୁହଁ । କିନ୍ତୁ ସେହି ମଞ୍ଚରେ ବିନା ମାଇକରେ “ଲୁ” ନାଟ୍ୟ ସଂସ୍ଥାର ‘ପଏର୍ଚ୍ଛା ସତୀ’ ସଙ୍ଗୀତ ରୂପକର ଅଭୂତପୂର୍ବ ପ୍ରଦର୍ଶନ ନଦେଖିଥିବା ଲୋକଟି କେମିତି ବା ବିଶ୍ୱାସ କରିବ । ସେଠି ‘ପଏର୍ଚ୍ଛା ସତୀ’ ଏକ ନାଟ୍ୟ ଚରିତ୍ର ନଥିଲା ବରଂ ଏକ ଚରିତ୍ର ମାଧ୍ୟମରେ ସମଗ୍ର ନାରୀ ସମାଜର ଏକ ତୀବ୍ର ପ୍ରତିବାଦର ସ୍ୱର ଥିଲା। ଏହି ନୂଆ ନାଟ୍ୟ ଶୈଳୀର ପ୍ରବର୍ତ୍ତକ ତଥା ‘ପଏର୍ଚ୍ଛା ସତୀ’ ରୂପକର ନିର୍ଦ୍ଦେଶକ ପ୍ରଫେସର କେଶରଞ୍ଜନ ପ୍ରଧାନ କୁହନ୍ତି ଏହା ଏକ ଶ୍ରେଣୀ ଗୃହ ପରି ମୋର ହୃଦବୋଧ ହେଉଥିଲା, ଯେଉଁଠି ଖଗେଶ୍ୱର ଶେଠଙ୍କ ନାରୀ ଜାଗରଣର ବାର୍ତ୍ତାକୁ ସମଗ୍ର ସମାଜ ନିକଟରେ ପହଂଚାଇବା ପାଇଁ ଏହା ଏକ ନୂତନ ମାଧ୍ୟମ ଭାବରେ ଗ୍ରହଣ କରାଯାଇ ପାରେ । ଖଗେଶ୍ୱର ଶେଠ ନାରୀମାନଙ୍କର ପ୍ରତିବାଦର ସ୍ୱରକୁ ଯେଉଁ ଗଭୀର ଓ ଗମ୍ଭୀର କାବ୍ୟ ରଚନା କରି ଉତ୍ଥାପନ କରିଛନ୍ତି, ସେହି ଗଭୀରତା ଓ ଗମ୍ଭୀରତା ଦର୍ଶକ ମାନଙ୍କ ମନରେ ସୃଷ୍ଟି କରି ଏକ ବିମର୍ଷ ସୃଷ୍ଟି କରିବା ହିଁ ଏହି ପ୍ରଦର୍ଶନର ମୂଳ ଉଦ୍ଦେଶ୍ୟ । ଆମର ସେହି ଉଦ୍ଦେଶ୍ୟ ସାଧନ ହୋଇପାରିଛି ତେଣୁ ଲୋହିଆ ଏକାଡେମୀର ମଂଚ ହିଁ ଆମ ପାଇଁ ସର୍ବଶ୍ରେଷ୍ଠ ମଂଚ । ପ୍ରଫେସର କେଶରଞ୍ଜନ ପ୍ରଧାନ ଏହି ମଞ୍ଚକୁ ଓ ସଂଗୀତ ରୂପକକୁ ଏକ ନାରୀବାଦୀ ଚେତନାର ଚର୍ଚ୍ଚା ସ୍ଥଳୀ ବୋଲି କହିଥିଲେ।
ତୀକ୍ଷ୍ଣ ନାରୀବାଦୀ ପ୍ରଶ୍ନର ଉତ୍ତର ଦେଇ ଦେଇ ‘ପଏର୍ଚ୍ଛା ସତୀ’ ଭୂମିକାରେ ଅଭିନୟ ଓ ନୃତ୍ୟ ପରିବେଷଣ କରୁଥିବା ପୁଷ୍ପାଞ୍ଜଳି ତାଣ୍ଡି ନାରୀ ମନର ଗହନ କଥା, ପ୍ରେମ, ପ୍ରଣୟ, ଭକ୍ତିଭାବ ଓ ନାରୀ ମନର ପ୍ରତିବାଦୀ ସ୍ୱରକୁ ନିଜର ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଯେମିତି ଉତ୍ତ୍ୱଳନ କରିଚାଲିଥିଲେ ତାକୁ ପ୍ରକାଶ କରିବା ପାଇଁ ହୁଏତ ଭାଷାର ଅଭାବ ସୃଷ୍ଟି ହେବ ସାହିତ୍ୟରେ । ପଶ୍ଚିମ ଓଡ଼ିଶାର ଲୋକ ସଙ୍ଗୀତର ଯାଦୁ ‘ପଏର୍ଚ୍ଛା ସତୀ’ ସଙ୍ଗୀତ ରୂପକଟିକୁ ସମ୍ପୁର୍ଣ୍ଣ ବାନ୍ଧି ରଖିଥିଲା ବୋଲି ଅତି ସହଜରେ ବୁଝି ହେଉଥିଲା । କବି ଖଗେଶ୍ୱର ଶେଠ୍ ଙ୍କ ଦ୍ୱାରା ଲିଖିତ ‘ପଏର୍ଚ୍ଛା ସତୀ’ କାବ୍ୟଟି କବିଙ୍କର ସର୍ବଶ୍ରେଷ୍ଠ ନାରୀବାଦୀ କାବ୍ୟ ମଧ୍ୟରେ ଯେ ଗଣା ଏକଥା ନାଟକଟିକୁ ଦେଖିବା ପରେ ହୃଦୟଙ୍ଗମ ହେଉଥିଲା ।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ କବି ଖଗେଶ୍ୱର ଶେଠ ବରଗଡ଼ ଜିଲ୍ଲାର ସରସରା ଠାରେ ଜନ୍ମ ଗ୍ରହଣ କରିଥିଲେ । ବରଗଡ଼ ଜିଲ୍ଲା ୩ଟି ବଡ଼ ବଡ଼ କବି ଯଥା କବି ଗଙ୍ଗାଧର ମେହେର, କବି ଖଗେଶ୍ୱର ଶେଠ ଏବଂ କବି ହଳଧର ନାଗଙ୍କର ଜନ୍ମ ସ୍ଥଳି ବୋଲି ମନେ ପକେଇ ଦେଇଥିଲେ ପ୍ରଫେସର କେଶରଞ୍ଜନ ପ୍ରଧାନ ନିଜର ବକ୍ତବ୍ୟ ଭିତରେ । କବି ଖଗେଶ୍ୱର ଶେଠଙ୍କର ଜନ୍ମ ୧୯୦୬ରେ ଓ ୧୯୪୦ ଦଶକରେ ସେ ‘ପଏର୍ଚ୍ଛା ସତୀ’ କବିତା ଲେଖିଥିଲେ ଯଦିଓ କବିଙ୍କର କୌଣସି ଆନୁଷ୍ଠାନିକ ଶିକ୍ଷା ନଥିଲା । ସ୍ୱାଧିନତା ପୂର୍ବରୁ କବି ରଚନା କରିଥିବା ଏହି ‘ପଏର୍ଚ୍ଛା ସତୀ’ କାବ୍ୟରେ ସ୍ପଷ୍ଟ ଭାବରେ ସେ ସମୟରେ ନାରୀ ସମାଜର ଦୁଃଖ, କଷ୍ଟ ଓ ଯନ୍ତ୍ରଣାର ସ୍ୱର ପ୍ରକାଶିତ ହେଇଥିଲା ଓ ନିଜର ଅଜାଣତରେ କବି ଜଣେ ଅଦ୍ୱିତୀୟ ନାରୀବାଦୀ କବିର ଭୂମିକା ଗ୍ରହଣ କରିଥିଲେ । କବିଙ୍କୁ ଆମେ ଯେତିକି ଜାଣିବା କଥା ମୁଖ୍ୟ ମୁଖ୍ୟ ସ୍ରୋତର ପ୍ରଭାବରେ ତାହା ଆଜିଯାଏ ସମ୍ଭବ ହୋଇନଥିଲା । ସମସ୍ତଙ୍କ ନଜରର ଆଢୁଆଳରେ ଥିବା ଏହି ବିରଳ ପ୍ରତିଭାର କବିଙ୍କୁ ଯେତିକି ସମ୍ମାନ ଓ ଆଦର ଓଡ଼ିଶାର ସାହିତ୍ୟ ଜଗତରେ ମିଳିବାର କଥା ତାହା ଆଜିଯାଏ ତାଙ୍କୁ ମିଳିପାରି ନାହିଁ ।
‘ପଏର୍ଚ୍ଛା ସତୀ’ କାବ୍ୟକୁ ନାଟ୍ୟ ରୂପାନ୍ତର କରି ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ କବିଙ୍କର ନାରୀବାଦୀ ସ୍ୱରକୁ ଓଡ଼ିଶାର ଜନମାନସରେ ଆଉଥରେ ସଜାଗ କରାଇବାପାଇଁ ପ୍ରୟାସ କରିବାର ଯେଉଁ ପ୍ରୟାସ କରିଛନ୍ତି ସଙ୍ଗୀତ ରୂପକଟିକୁ ଦେଖିଲେ ତାହା ସ୍ପଷ୍ଟ ବାରି ହେଉଛି । ଏହି ସଙ୍ଗୀତ ରୂପକକୁ ଜୀବନ ଦେଇଥିବା ଡ଼ାଲଖାଇ, ରସରକେଲୀ, ଦଣ୍ଡ, କୀର୍ତ୍ତନ ଅଙ୍ଗର ସଙ୍ଗୀତ ସଂଯୋଜନା କରି ବିଶିଷ୍ଟ ଲୋକ ସଙ୍ଗୀତ ଗବେଷକ ସୁରେନ୍ଦ୍ର ସାହୁ ଓ ରମେଶଚନ୍ଦ୍ର ଗୁର୍ଲା (ଗଡ଼ାଁବଜାର ଢ଼ୋଲ ବାଦକ) ସମଗ୍ର ଦର୍ଶକଙ୍କୁ ଏହି ସଙ୍ଗୀତ ଓ ନୃତ୍ୟର ଯାଦୁରେ ବାନ୍ଧି ରଖିପାରିବା ଯଦିଓ ଏତେ ସାଧାରଣ କଥା ନଥିଲା । ପ୍ରତ୍ୟେକଟି ପଦରେ ଗଣାବଜାର ବିଭିନ୍ନ ପାର ଓ ଲେକ ସଙ୍ଗୀତର ଯାଦୁ ବାରମ୍ବାର ପ୍ରମାଣିତ କରୁଥିଲା ଯେ, ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନ ଓ ତାଙ୍କ “ଲୁ” ଟିମ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିର ପ୍ରକୃତ ଧରୋହର ।
ଲୋକକଳା ଓ ସଂଗୀତକୁ ନିଜର ଜୀବନ ସହିତ ଯୋଡ଼ିଦେଇଥିବା ପୁଷ୍ପାଞ୍ଜଳି ତାଣ୍ଡି ହେଉଛନ୍ତି ଆଜିର ସମୟର ଜଣେ ସର୍ବ ଶ୍ରେଷ୍ଠ ଲୋକ ସଙ୍ଗୀତ ଗାୟିକା ଏକଥା ‘ପଏର୍ଚ୍ଛା ସତୀ’ କୁ ଦେଖିବା ପରେ ହୃଦବୋଧ ହୋଇଥିଲା । ସେ ୧୧ ବର୍ଷ ବୟସରୁ ଲୀଳାନାଟ କରି ଶହ ଶହ ମଞ୍ଚରେ ଆଦୃତ ଓ ପ୍ରଶଂସିତ ହୋଇ ଆସିଛନ୍ତି। ଭୁବନେଶ୍ୱର ଲୋହିଆ ଏକାଡେମୀ ମଞ୍ଚରେ ନିଜର ପରିବେଷଣ ସମୟରେ ସେ ଭାବବିହ୍ୱଳ ହୋଇ କହିଥିଲେ ଯେ, ଯେଉଁ ସମ୍ମାନ ମୁଁ ଭୁବନେଶ୍ୱରରେ ପାଇଛି ହୁଏତ ମୋ ପାଇଁ ଏହା ସମ୍ପୂର୍ଣ୍ଣ ନିଆରା । ଏହିଭଳି ଏକ ସୁଯୋଗ ସବୁ ଗ୍ରାମ୍ୟ କଳାକାରମାନଙ୍କୁ ମିଳିବା କଥା ବୋଲି ସେ କହିଥିଲେ। ନାଟକର ଅନ୍ୟାନ୍ୟ ଭୂମିକାରେ ଲୋକ କଳାକାର କଲ୍ୟାଣୀ ସାହୁ, ରାଣୀ ସୁପକାର, ମୀନା ବାଗ, ପରି ସୁପକାର, ବର୍ଷାରାଣୀ ଚୌହାନ, ଯଶୋଦା ନିତମ, ଦିବ୍ୟକିଶୋର ବରିହା ଆଦି କଳାକାର ଭାଗ ନେଇଥିଲେ ।
ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର ତରଫରୁ ନାଟକ ପରିବେଷଣ ପରେ ‘ପଏର୍ଚ୍ଛା ସତୀ’ ସଙ୍ଗୀତ ରୂପକଟିର ମୁଖ୍ୟ ନାୟିକା ପୁଷ୍ପାଞ୍ଜଳି ତାଣ୍ଡିଙ୍କୁ ମାନପତ୍ର ସହ ଉପଢୌକନ ଦେଇ ପ୍ରଫେସର ବୀରେନ୍ଦ୍ର ନାୟକ ସମ୍ମାନିତ କରିଥିଲେ ଓ ସମସ୍ତ କଳାକାରମାନଙ୍କୁ ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସ୍ଵାଧିନାନନ୍ଦ ପଟ୍ଟନାୟକ, ପ୍ରଫେସର ବିରେନ୍ଦ୍ର ନାୟକ, ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଅବସର ପ୍ରାପ୍ତ ରେଳବାଇ ଅଧିକାରୀ ବିଜୟ କୁମାର ଯୋଷୀ, ପ୍ରଫେସର ନୀଳମଣି ସାହୁ, ଡ଼କ୍ଟର ସୁମିତ୍ରା ପଟେଲ, ଡ଼କ୍ଟର ନମିତା ଷଡ଼ଙ୍ଗୀ, ମହିୟସୀ ଦମୟନ୍ତୀ ସାହୁ, ମହିୟସୀ ନିରୂପମା ରାୟ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ମହାପାତ୍ର, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, କବି କେଦାର ମିଶ୍ର ପ୍ରମୁଖ ଲୋକକଳାର ଏହି ଯୁବ କଳାକାରମାନଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ପରିକଳ୍ପନା କରିବାଠାରୁ ଆରମ୍ଭକରି ସଫଳ ଭାବରେ ଲୋହିଆ ଏକାଡେମୀରେ ଉପସ୍ଥାପନ କରାଇବା କ୍ଷେତ୍ରରେ ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ତଥା ସମଧ୍ୱନି ପତ୍ରିକାର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।