ଛନ୍ଦ

Share Samadhwani

୧୯୩୭ ମସିହାରେ ସ୍ପେନରେ ସଂଘଟିତ ହୋଇଥିବା ଗୃହଯୁଦ୍ଧ ପୃଥିବୀର ସମସ୍ତ ବୁଦ୍ଧିଜୀବୀ ଙ୍କୁ ଆଲୋଡିତ କରିଥିଲା । ପୃଥିବୀର ଅନେକ ସ୍ଥାନରୁ ବୁଦ୍ଧିଜୀବୀ ମାନେ ସ୍ପେନ୍ କୁ ଛୁଟି ଆସନ୍ତି, ଇଣ୍ଟରନେସନାଲ୍ ବ୍ରିଗେଡ୍ ରେ ନାମ ଲେଖାନ୍ତି ,ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ସ୍ପେନ୍ ର ତତ୍କାଳୀନ ସ୍ୱୈରାଚାରୀ ଶାସକ ଫ୍ରାଙ୍କୋଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ କରିବା । ଚାର୍ଲି ଚାପଲିନ୍ ଏଇ ଭଳି ଯୁଦ୍ଧରେ ସିଧାସଳଖ ଯୋଗ ଦେଇନଥିଲେ କିନ୍ତୁ ଫ୍ରାଙ୍କୋବିରୋଧୀ ସଂଗ୍ରାମ ପ୍ରତି ତାଙ୍କର ଗଭୀର ସମର୍ଥନ ଥିଲା । ସେ ୧୯୩୮ ରେ ଏହି ଘଟଣାର ପୃଷ୍ଟଭୂମୀରେ ଗୋଟିଏ ଗପ ଲେଖନ୍ତି ଆଉ ଏହା ପ୍ରଥମେ ଫରାସୀ ଭାଷାରେ ଆଉ ପରେ ଇଂରେଜୀରେ ପ୍ରକାଶିତ ହୋଇଥିଲା। ସଂଲଗ୍ନ ଗପ ଟି ହେଉଛି ଚାର୍ଲି ଚାପଲିନ ଙ୍କ ସେଇ ପ୍ରଖ୍ୟାତ ଏବଂ ଚର୍ଚ୍ଚିତ ଯୁଦ୍ଧବିରୋଧୀ ଗପର ଅନୁସୃଜନ।
ସ୍ପେନ୍ ର ଗୋଟିଏ ଜେଲଖାନା । ସେହି ଜେଲଖାନାର ପଛପଟରେ ଅଛି ଗୋଟିଏ ଲମ୍ବା ବାରନ୍ଦା, ଉଚ୍ଚ ପାଚେରୀ ଘେରା ସେଇ ଗୋଟିକ ବଧ୍ୟଭୂମୀ । ସେହି ବାରନ୍ଦାରେ ଠିଆ ହୋଇଛି ଜଣେ ତରୁଣ,ଲୟାଲିଷ୍ଟ । ତାହାର ସାମ୍ନାରେ ମୁହାମୁହିଁ ଛିଡା ହୋଇଛନ୍ତି ଦିଜଣ ସୈନିକ,ଫାୟାରିଂ ସ୍କୋୟାର୍ଡ। ପାଖରେ ସ୍କୋୟାର୍ଡର ଲିଡର ଅର୍ଥାତ୍ ଅଫିସର୍ ଇନ୍ କମାଣ୍ଡ । ତାହାଠାରୁ ଆଉ ଟିକିଏ ଛାଡି ଆଉ କେତେଜଣ ଅଫିସର । ସମସ୍ତେ ଶେଷଦୃଶ୍ୟ ଦେଖିବା ପାଇଁ ଉନ୍ମୁଖ । ମୃତ୍ୟୁ ଭଳି ସ୍ତବ୍ଧ ଗୋଟିଏ ପରିବେଶ । ଏଇ ସବୁ ଭିତରେ ଅଳସ ପଦକ୍ଷେପରେ ଅତି ଆସ୍ତେ ଆସ୍ତେ ଆଗେଇ ଆସୁଛି ଦିନ । ଏଇ ତ ସକାଳ ହେଲା।
ମନେ ହେଉଥିଲା ହୁଏତ ଶେଷ ପର୍ଯ୍ୟନ୍ତ ଭିନ୍ନ ପ୍ରକାରର କିଛି ଘଟିଯାଇପାରେ , ମୃତ୍ୟୁଦଣ୍ଡ ହୁଏତ ଉପରମହଲରୁ ଠିକ୍ ଶେଷ ମୁହୂର୍ତ୍ତରେ ନାକଚ ହୋଇଯିବ । ହେଉ ପଛେ ସେ ବିପକ୍ଷବାଦୀ,ଲୟାଲିଷ୍ଟ, କିନ୍ତୁ ଏ ମଣିଷ ଟି ତ ଯେମିତି ସେମିତି ମଣିଷ ନୁହଁ ! ବେଶ୍ ଉଚ୍ଚମାପର ମଣିଷ,ନାଆଁ କହିଲେ ସଭିଏଁ ଥରକରେ ଚିହ୍ନନ୍ତି,ହସକଥା ଲେଖିବାରେ ତାହାରି ଭଳି ଆଉ ଜଣେ ମିଳିବା ବଡ କଷ୍ଟକର । ଆଉ ତା’ ଉପରେ ଆଜି ଏଇଠେ ଯିଏ ଫାୟାରିଂ ସ୍କୋୟାର୍ଡ ର ଲିଡର୍,ଏଇ ଅଫିସର-ଇନ୍-କମାଣ୍ଡ ତାହାର ଏକଦା ଖୁବ୍ ଘନିଷ୍ଠ ବନ୍ଧୁ । ଦି ଜଣ ଏକାସାଙ୍ଗରେ ବଢି ଉଠିଛନ୍ତି,ଏକାଠି ପାଠ ପଢିଛନ୍ତି,ଖାଇବା ବୁଲିବା ଆଉ ଯେତେକ ଆଡ୍ଡା ଉଭୟଙ୍କର ଏକାଠି । ଦିନ ପରେ ଦିନ କେତେ ଥର ସେମାନେ ନିଜ ନିଜ ଭିତରେ କଳି ତକରାଳ ନକରିଛନ୍ତି ! ମତାନ୍ତର ହୋଇଛି,ମନାନ୍ତର ହୋଇଛି ,ସବୁ କେବଳ ଦେଶର ରାଜନୀତିକୁ କେନ୍ଦ୍ର କରି । ଆଜି ସେହି ରାଜନୀତିର ଏକ ଭୟଙ୍କର ଚେହେରା ଦେଖା ଦେଇଛି,ଗୃହଯୁଦ୍ଧ ବେଶରେ ।
ଆଜି ଦିଜଣ ମୁହାଁମୁହିଁ ଛିଡା ହୋଇଛନ୍ତି । ଜେଲଖାନାର ପଛପଟ ବେଶ୍ ଉଚ୍ଚା ପାଚେରୀ ରେ ଘେରାଯାଇଥିବା ବାରଣ୍ଡାରେ। ବଧ୍ୟଭୂମୀରେ ।
ଅଫିସରର ଏଇଲେ ବେଶ୍ କିଛି ପୁରୁଣାଦିନର କଥା ମନେ ପଡୁଛି । ସତରେ ଏଇ ସବୁ କଥା ଏଇଲେ ଭାବି ଆଉ କି ଲାଭ ? ଯୁକ୍ତି ତର୍କ ର ସେମିତି କୌଣସି ପ୍ରୟୋଜନ ଆଜି ଆଉ ନାହିଁ । ଯୁଦ୍ଧର ପ୍ରଭାବରୁ ଏସବୁ ଆଜି ବାତିଲ ହୋଇଯାଇଛି । ଅତୀତ ଆଜି ବାତିଲ,ବନ୍ଧୁତ୍ୱ ଆଜି ଖାରଜ,କେବଳ ଆଖି ଆଗରେ ସେହି ଗୋଟିଏ ଭବିଷ୍ୟତ ଯାହା କଥା ଭାବି ଦେଶର ମଣିଷ ଆଜି ଏକ ଅନ୍ତର୍ଘାତୀ ଯୁଦ୍ଧରେ ମାତି ଉଠିଛି ।
ବେଶ କେତେଦିନ ପରେ ଦୁଇ ବନ୍ଧୁ ଆଜି ସାମ୍ନାସାମ୍ନି ହୋଇଥିଲେ । ଆଜିର ଏଇ ଭୟଙ୍କର ସକାଳରେ । ଦୁଇଜଣ ଦୁଇଜଣଙ୍କ ଆଖିରେ ଆଖି ରଖିଲେ ,ମୃଦୁ ହସ ଉଭୟଙ୍କ ଓଠରେ,କେହି କିନ୍ତୁ ପଦଟିଏ କିଛି କହିନଥିଲେ । ସମସ୍ତେ ଚୁପଚାପ,କେବଳ ସକାଳର ମଧୁର ଆଲୁଅ ଖାଲି ପାଚେରୀ ଘେରା ସେଇ ଅଂଚଳରେ ନିଜକୁ ଟିକିଏ ଟିକିଏ ଅଜାଡି ଚାଲିଥାଏ। ଭାରି ଅଦ୍ଭୁତ କେମିତି ଏକ ଶୀତଳ ସ୍ତବ୍ଧତା । ହୁଏତ ବା ଏକ ଅବାଗିଆ ପ୍ରଶାନ୍ତି ,ଏକ କଠିନ ଛନ୍ଦରେ ବନ୍ଧାହୋଇ ରହିଛି । ନୈଃଶବ୍ଦର ଛନ୍ଦ, ଛାତି ଭିତରେ ଥିବା ହୃତପିଣ୍ଡର ଦୁକୁଦୁକି ଭଳି । ସେହି ଛନ୍ଦର ସହ ଅଟକି ପଡିଛନ୍ତି ଉପସ୍ଥିତ ସମସ୍ତ ମଣିଷ,ଫାୟାରିଂ ସ୍କୋୟାର୍ଡ,ସ୍କୋୟାର୍ଡ ଲିଡର୍ ,ସଭିଏଁ ।
ନୈଃଶବ୍ଦକୁ ଭେଦ କରି ହଠାତ୍ ଗର୍ଜି ଉଠିଲା ସ୍କ୍ୱୋୟାର୍ଡ ଲିଡର୍ ର କଣ୍ଠ ସ୍ୱର,ଆଟେନସନ୍ ।
ଛଅଟା ରାଇଫେଲ୍ ସତର୍କ ହୋଇ ଉଠିଲା । ଛଅଟା ରାଇଫେଲ୍ କୁ ଶକ୍ତ ହାତରେ ଜାବୁଡି ଧରିଲେ ଛଅଜଣ ସୈନିକ। କଠିନ ଛଅ ଜଣ । ଛନ୍ଦରେ ବନ୍ଧା ଫାୟାରିଂ ସ୍କୋୟାର୍ଡ ।
ବିଜୁଳି ଭଳି କ’ଣ ଯେମିତି ଘଟିଗଲା । ଲୟାଲିଷ୍ଟ ତରୁଣ ଟିକିଏ କାଶି ଉଠିଥିଲା,ଶେଷଥର ପାଇଁ ସେ ଯେମିତି ନିଜର ଗଳାକୁ ପରିଷ୍କାର କରି ନେଉଛି ।
ଅର୍ଥାତ୍ ଯେମିତି ତାଳ ଛିଣ୍ଡି ଗଲା,ସମସ୍ତ ପରିବେଶ ଏଇଲେ ବେସୁରା । ନୈଃଶବ୍ଦର ପରିବେଶ ଘଡିକରେ ଭାଙ୍ଗି ଟୁକୁରା ଟୁକୁରା ହୋଇଯାଇଛି। ଯେମିତି ଛିଟିକି ପଡିଛି ସ୍କ୍ୱୋୟାର୍ଡ ଲିଡର୍,ଅସହାୟ ,ଶୂନ୍ୟରେ ଭାସୁଛି । ହଠାତ୍ କ’ଣ ଗୋଟିଏକୁ ଜାବୁଡି ଧରିବାକୁ ଚାହିଁଲା ସେ। ଆସାମୀକୁ ଚାହିଁଲା । ଯଦି ସେ କିଛି ଏଇଲେ କହେ ତେବେ ..।
ଆସାମୀ ଅର୍ଥାତ୍ ତରୁଣ ଲୟାଲିଷ୍ଟ ଜଣକ କିନ୍ତୁ ସ୍ଥିର ଭାବରେ ଛିଡା ହୋଇଛି । ଆଖିରେ କୌଣସି ସ୍ୱପ୍ନ ନାହିଁ, ଓଠରେ କୌଣସି ପ୍ରଶ୍ନ ନାହିଁ ।
ଫାୟାରିଂ ସ୍କୋୟାର୍ଡ । ସ୍କୋୟାର୍ଡ ଆଡକୁ ଚାହିଁଲା ଲିଡର୍ । ବନ୍ଧୁକଧାରୀ ଛଅଜଣ ସୈନିକ । କଠିନ ଆଉ ଜଟିଳ ଛନ୍ଦରେ ବନ୍ଧା ଛଅଜଣ । ଦ୍ୱିତୀୟ ଆଦେଶର ପ୍ରତ୍ୟାଶାରେ ଆଜ୍ଞାବହ ଛଅଜଣ ।
କିଛି ସମୟ ପାଇଁ ନିଜର ଚେତନାକୁ ଯେମିତି ହରାଇବସିଥିଲା ସ୍କ୍ୱୋୟାର୍ଡ ଲିଡର୍। କେବଳ ଆଖିରେ ଯାହା ଦେଖାଯାଉଛି ତାହାକୁ ସମ୍ବଳ କରି ସେ କେତେ ଘଡି ଖାଲି ଛିଡା ହୋଇ ରହିଲା । ଦେଖିଲା : ଗୋଟିଏ ମଣିଷ ପାଚେରିକୁ ପିଠିକରି ସିଧା ଛିଡା ହୋଇଛି ଆଉ ତାହାର ସାମ୍ନାରେ ମୁହାଁମୁହିଁ ଛିଡା ହୋଇଛନ୍ତି ଛଅଜଣ ସୈନିକ,ଟିକିଏ ଛାଡି ଆଉ ସେମିତି କେତେଜଣ । ଅର୍ଥାତ୍ ଇଏ ଏକ ଅତ୍ୟନ୍ତ ସାଧାରଣ ଦୃଶ୍ୟ ,ଯାହାର କୌଣସି ଅର୍ଥ ନାହିଁ,କୌଣସି ତାତ୍ପର୍ଯ୍ୟ ନାହିଁ ।
ଅନାଦିକାଳରୁ ଗୋଟିଏ ଘଡି ଅବିରାମ ଚାଲି ଆସୁଥିଲା,ତାହାର ଟିକିଟିକି ଶବ୍ଦ ଏଇ ଯେମିତି ବନ୍ଦ ହୋଇଗଲା। ଏଇଭଳି କିଛି ନିଶ୍ଚଳ ମୁହୂର୍ତ୍ତ ବିତିଗଲା । ତାହାପରେ ଚେତନାମାନ ଫେରି ଆସିବାକୁ ଲାଗିଲା , ଆସ୍ତେ ଆସ୍ତେ । ସ୍କୋୟାର୍ଡ ଲିଡର୍ ବୁଝି ପାରିଲା,ଏଇଲେ ସେ ଯାହା କହୁଛି ଆଉ କ’ଣ କ’ଣ ଏମିତି ଯେତେ ତାହାର କହିବାର ଅଛି । ନିଜକୁ ଯଥା ସମ୍ଭବ ସମ୍ଭାଳି ନେବାକୁ ଚେଷ୍ଟା କଲା ସ୍କ୍ୱୋୟାର୍ଡ ଲିଡର୍,କହିଲା, ନିଜର ସାମର୍ଥ୍ୟ ଅନୁଯାୟୀ ବେଶ୍ ଜୋର୍ ଗଳାରେ, ସୋଲଡର୍ ଆର୍ମସ୍ । ଅସ୍ତ୍ରକୁ ଉଞ୍ଚାଅ ।
ତାହାପରେ ତାହାର ମନେହେଲା ଯେମିତି ଏହା ଠିକ୍ ନୁହଁ ,ତାହାର କାନକୁ ଏ ସବୁ ଭଲ ଶୁଭିଲା ନାହିଁ । ବେସୁରା,ତାଳହୀନ । ଅସଂଲଗ୍ନ, କିନ୍ତୁ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏଇ କଥା ସେମାନେ କିଛି ଯେମିତି ଏଥିରୁ ବୁଝି ପାରିନାହାଁନ୍ତି , ଏ ସବୁର ଧାର୍ ଧାରନ୍ତି ନାହିଁ ଯେମିତି । ଯାହା କରଣୀୟ ସେଇକଥା ସେମାନେ ଚଟପଟ କରିବସିଲେ । ସ୍ୱାଭାବିକ ବିକ୍ରମରେ ସେଇ କାମକୁ କଲେ,ସହଜାତ ଛନ୍ଦରେ,କାନ୍ଧ ପାଖାପାଖି ଉଞ୍ଚାଇ ନେଇଥିଲେ ଛଅଟିଯାକ ବନ୍ଧୁକ ।
ତତକ୍ଷଣାତ୍ ସଂକ୍ରମିତ ହୋଇପଡିଲା ସ୍କୋୟାର୍ଡ ଲିଡର୍ । ବିପୁଳ ବିକ୍ରମରେ ଚିତ୍କାର କଲା,ଟୁ ଏମ୍ । ଲକ୍ଷ୍ୟ ସ୍ଥିର କର ।
ଛଅଜଣ ସୈନିକଙ୍କ ପ୍ରସ୍ତୁତ ଟ୍ରିଗାରରେ ଛଅଜଣଙ୍କ ଆଙ୍ଗୁଳିର ଚାପ । ଶେଷ ଆଦେଶର ପ୍ରତ୍ୟାଶାରେ ମୁଖର ସମସ୍ତ ପରିବେଶ । ଠିକ୍ ସେତିକିବେଳେ କେତୋଟି ଦ୍ରୁତ ପାଦଶବ୍ଦ ଶୁଭିଲା । କିଏ ଯେମିତି କେଉଁଠୁ ଦୌଡି ଦୌଡି ଆସୁଛି ।
ତାହାହେଲେ କ’ଣ ମୃତ୍ୟୁଦଣ୍ଡ ବାତିଲ୍ ? ଉପରୁ ନିର୍ଦ୍ଦେଶ ଆସିଗଲା ଶେଷରେ ? ଏବେ ?
ଅସହ୍ୟ ଅସ୍ଥିରତାରେ ଚିତ୍କାର କରି ଉଠିଲା ସ୍କୋୟାର୍ଡ ଲିଡର,ଷ୍ଟପ୍ ।
ଛଅ ଜଣ ସୈନିକଙ୍କ ବନ୍ଧୁକ ଲକ୍ଷ୍ୟମୁହାଁ,ପ୍ରସ୍ତୁତ।
ଛଅ ଜଣ ସୈନିକ ଏକ ଯାନ୍ତ୍ରିକ ଛନ୍ଦରେ ଆବଦ୍ଧ ।
ଛଅଜଣ ସୈନିକଙ୍କ ଛଅଟି ଯାକ ବନ୍ଧୁକ ସ୍କୋୟାର୍ଡ ଲିଡର୍ ର ଚିତ୍କାର ଶୁଣିବା ମାତ୍ରକେ ଗର୍ଜି ଉଠିଥିଲା :
ଗୁଡୁମ୍ ।
ମୂଳଲେଖା – ଚାର୍ଲି ଚାପଲିନ୍
ଅନୁସୃଜନ – ଜ୍ୟୋତି ନନ୍ଦ
Photo credit- https://bit.ly/3KbIgfe

Share Samadhwani
Support Samadhwani

About ଜ୍ୟୋତି ନନ୍ଦ

Check Also

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Share SamadhwaniPhoto credit- Wikimedia Commons ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ …