Home / ସାହିତ୍ୟ ସଂସ୍କୃତି / ବାରିପଦାରେ ଇସ୍କୁଲୁ ଜୀବନ

ବାରିପଦାରେ ଇସ୍କୁଲୁ ଜୀବନ

Share Samadhwani

ସୌରୀନ୍ଦ୍ର ବାବୁ ଯେବେ ୧୯୪୭ ମସିହାରେ ସପରିବାର ନିଜର ପିତା ଦଇତାରି ବାବୁଙ୍କ ସହ ବାରିପଦା ଆସିଲେ, ସେତେବେଳେ ଛାତ୍ରଙ୍କର ସଙ୍ଖ୍ୟା ଦୃଷ୍ଟିରୁ ବାରିପଦା ଉଚ୍ଚ ବିଦ୍ୟାଳୟ ବୋଧହୁଏ ଥିଲା ଓଡ଼ିଶାର ବୃହତ୍ତମ । ଚତୁର୍ଥ ଶ୍ରେଣୀରେ ଯୋଗ ଦେଇ ପ୍ରଥମ ଦିନ ହିଁ ତାଙ୍କର ବେଞ୍ଚ ଉପରେ ଠିଆ ହୋଇ କଟାଇବାର ଅନୁଭୂତି ହୁଏ – ପିତାଙ୍କର ନୁହଁ, ପୁତ୍ରମଣିଙ୍କର ।

ସେବେ ଇସ୍କୁଲୁରେ ପଢ଼ୁଥିଲେ ଆଠ ଶହରୁ ଅଧିକ  ଛାତ୍ର । ଚତୁର୍ଥଠାରୁ ଏକାଦଶ, ପ୍ରତ୍ୟେକ ଶ୍ରେଣୀରେ ଥିଲା ତିନୋଟି ଲେଖାଏଁ ବିଭାଗ । ସେଇ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଅବସ୍ଥାରେ ହିଁ ଦେଶ ସ୍ୱାଧୀନ ହେଲା । ହେଲେ ମୟୁରଭଞ୍ଜ କିଛି କାଳ ଭାରତରେ ଯୋଗ ନଦେଇ ଅଲଗା ରହିଲା ।

ଦଇତାରି ବାବୁ ହେଡ଼ମାଷ୍ଟ୍ର ହୋଇ ଆସିଥା’ନ୍ତି । ମାଷ୍ଟ୍ରଙ୍କ ପୁଅ ବାରିପଦା ଇସ୍କୁଲୁରେ ନାମ ଲେଖାଇବା ପର୍ଯ୍ୟନ୍ତ ସିଲିଂ ପଙ୍ଖା ଦେଖି ନଥିଲେ । ସେତେବେଳେ ପ୍ରତି ଶ୍ରେଣୀରେ ଯୋଡ଼େ ଲେଖାଏଁ ଝୁଲା ପଙ୍ଖା, ଗୋଟାଏ ଲେଖେଁ ଶକତ, ବହି ଭରତି ଆଲମାରି, ବସିବା ପାଇଁ ବେଞ୍ଚର ବ୍ୟବସ୍ଥା – ପୁରାପୁରି ରାଜକୀୟ ଆୟୋଜନ ।

ପ୍ରତି କିଲାସରେ ଗୋଟାଏ ଲେଖାଏଁ ଶ୍ରେଣୀ ପାଠାଗାର – ଆଲମାରିଟା ହିଁ ଲାଇବ୍ରେରି । ପ୍ରତି ଶ୍ରେଣୀରେ ଜଣେ ଶିକ୍ଷକ ପାଠାଗାର ଦାୟିତ୍ୱରେ ଥାଆନ୍ତି । ଯେବେ ସୌରୀନ୍ଦ୍ର ବାବୁଙ୍କର ବାରିପଦା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ହେଲା, ତାଙ୍କ ଶ୍ରେଣୀ ପାଇଁ ଗ୍ରନ୍ଥାଗାର ଦାୟିତ୍ୱରେ ଥାଆନ୍ତି ଶ୍ୟାମସୁନ୍ଦର ଷଡ଼ଙ୍ଗୀ ।

ତାଙ୍କ ଠାରୁ ଯେଉଁ ପ୍ରଥମ ପୁସ୍ତକଟି ବାବୁ ପାଇଲେ, ତାହା ଥିଲା ‘ଫୁଲଚାଙ୍ଗୁଡ଼ି’ ବୋଲି କୁନି ବହିଟିଏ । ତାହା ହିଁ ତାଙ୍କ ମନରେ ପାଠକୀୟ ନିଶା ଜଗାଇଲା । ସେ ଅନ୍ୟ ବହି ସବୁ ମଧ୍ୟ ଆଣି ପଢ଼ିବାକୁ ଲାଗିଲେ । କଲିକତାର ‘ଦେବସାହିତ୍ୟ କୁଟୀର’ରୁ ବହି ମଗାଇ ପଠନ ଆରମ୍ଭ ହେଲା । ତାହା ସହ ଓଡ଼ିଆ ଓ ବଙ୍ଗଳା ରହସ୍ୟ ଉପନ୍ୟାସ ପଢ଼ାର ନିଶା ମଧ୍ୟ ଚଢ଼ିଲା । ବହି ପଢ଼ିବାରେ ତାଙ୍କର ସାଥି ଥିଲେ ଜୟକୃଷ୍ଣ ମହାପାତ୍ର ଓ ସନ୍ତୋଷ ଦାଶ ।

ସେତିକି ବେଳେ ବାରିପଦାରୁ ‘ଚନ୍ଦ୍ରିକା’ ବୋଲି ଗୋଟିଏ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରକାଶ ପାଇବାକୁ ଆରମ୍ଭ କଲା । ସମ୍ପାଦକ ଥିଲେ ମହେଶ ମହାପାତ୍ର । ଥରେ ଗୋଟିଏ ଗପ ଲେଖି ସାରି ମହେଶ ବାବୁଙ୍କ ସ୍ତ୍ରୀଙ୍କୁ ଗପଟି ଦେଇ ସୌରୀନ୍ଦ୍ର ବାବୁ ପଳାଇ ଆସିଲେ । ତାହା ବୋଧେ ତାଙ୍କର ସିରିଅସ ଲେଖକ ଜୀବନର ଆଦ୍ୟ ଉନ୍ମେଷ । ଗପଟି ତ ପ୍ରକାଶ ହେଲାନି । ହେଲେ ସମ୍ପାଦକ ଓ ନିଜ ପିତା ଭାଷା ଶୁଦ୍ଧ କରିବା ପାଇଁ ତାଙ୍କୁ ଅନୁବାଦ କରିବା ନିମନ୍ତେ ଉପଦେଶ ଦେଲେ। ସେଇଥିରୁ ସୌରୀନ୍ଦ୍ର ବାବୁଙ୍କର ଭାଷା ସହ ଅସଲ କସରତ ଆରମ୍ଭ ହୁଏ ।

ପାଠ ପଢ଼ା ଛଡ଼ା ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସୌରୀନ୍ଦ୍ର ଅଂଶଗ୍ରହଣ କରିବାକୁ ଲାଗିଲେ । ଅଷ୍ଟମ ଶ୍ରେଣୀରେ ଇସ୍କୁଲୁର ପ୍ରବନ୍ଧ ପ୍ରତିଯୋଗିତାରେ ଚତୁର୍ଥ ହେଲେ । ମନଟା ଖଟା ହୋଇଗଲା । ପରିଶ୍ରମ କରି ଦଶମ ଶ୍ରେଣୀରେ ହେଲେ ପ୍ରଥମ – ପୁରସ୍କାର ମିଳିଲା ‘ଗଙ୍ଗାଧର ଗ୍ରନ୍ଥାବଳୀ’ । ସେତେବେଳର ତାଙ୍କ ସ୍କୁଲର ଶିକ୍ଷକମାନଙ୍କୁ ନେଇ ଗୋଟିଏ ଟାହୁଲିଗୀତର ପ୍ରଚଳନ ଥିଲା –

“ମାୟାଧର ବାବୁ କାନଫୋଡ଼ିରେ ଘଡ଼େଇ,
ମାୟାଧର ବାବୁ କାନଫୋଡ଼ିରେ,
ସନ୍ତୋଷ ବାବୁଙ୍କ ଟେରି.
କଛା କାନି ଉଡ଼େ ଫିରିଫିରି
ଶାମବାବୁର ବାଳ ଠିଆ,
ଯୋଗେଶ ବଡ଼ ବାଣ୍ଠିଆ
ଲମ୍ବୋଦର ବାବୁ ଡେଙ୍ଗା ପେଟାରେ ଘଡ଼େଇ
ମାୟାଧର ବାବୁ କାନଫୋଡ଼ି ।”

ଏହି ଗୀତ ଶୁଣି ମାୟାଧର ବାବୁ ଚିଡ଼ିଯାଆନ୍ତି ଆଉ ପିଲାମାନେ ତାଙ୍କୁ ‘ନାକ୍‌ଟିଙ୍ଗେଲ୍’ ବୋଲି ଡାକନ୍ତି ।

ସ୍କୁଲର ସବୁଠାରୁ ପ୍ରସିଦ୍ଧ ମାଷ୍ଟ୍ର ଥିଲେ ଖେଳଶିକ୍ଷକ ବ୍ରଜ ବାବୁ । ତାଙ୍କ ଯୋଗୁଁ ବାରିପଦାରେ ଫୁଟବଲ ଖେଳ ଲୋକପ୍ରିୟ ହୋଇପାରିଥିଲା ଓ ରାଜ୍ୟର ଏକ ଶକ୍ତିଶାଳୀ ଦଳ ଭାବରେ ଗଢ଼ି ହୋଇପାରିଥିଲା । ସେ ପିଲାଙ୍କୁ ନିୟମିତ ଖେଳ ଶ‌ିଖାନ୍ତି, ସେମାନଙ୍କୁ ନେଇ ଡ୍ରିଲ କରାନ୍ତି । ଆଉ ସ୍କୁଲ ବେଳେ ପିଲାଙ୍କଠୁଁ ରହସ୍ୟ ଉପନ୍ୟାସ ସଙ୍ଗ୍ରହ କରିନେଇ ବସି ପଢ଼ନ୍ତି । ସବୁବେଳେ ପିଲାଙ୍କୁ ଶିଖାନ୍ତି ଫାଉଲ ଖେଳ ନଖେଳିବା ପାଇଁ । ପିଲାଏ ଖେଳିବାକୁ ଗଲେ ଶିକ୍ଷକଙ୍କର ପଦରଜ ସଙ୍ଗ୍ରହ କରିନେଇ ଯାଆନ୍ତି ।

ସ୍କୁଲର ଅଫିସ ଆଗରେ ଥିଲା ଗୋଟାଏ ଅତିକାୟ ନାଗେଶ୍ୱର ଗଛ । ହତା ଭିତରେ ହେଡ଼ମାଷ୍ଟ୍ରଙ୍କର ରହିବା ନିମନ୍ତେ ବସାର ବ୍ୟବସ୍ଥା ହୋଇଥାଏ । ବସା ଭିତରେ ଗୋଟିଏ ଅଗଣା । ଅଗଣା ଭିତରେ ଯାଉଁଳି ଆମ୍ବ-ବେଲ ଗଛ । ସେହି ଆମ୍ବର ଛାଇରେ ଖରାଦିନେ ମଶାରି ପାରି ଶୋଇବାର ବ୍ୟବସ୍ଥା ହୁଏ ।

ସହକାର ଛାଇ ତଳର ଜୀବନ ବେଶୀ ଦିନ ତିଷ୍ଠି ରହିଲା ନାହିଁ । ସେଠି ରହୁଥିଲା ବେଳେ ନାନାଦି ଆମୋଦ ସହ ସୌରୀନ୍ଦ୍ର ବାବୁଙ୍କର ବନ୍ଧୁହାନି ମଧ୍ୟ ହେଲା । ଶେଷକୁ ବାରିପଦା ହାଇସ୍କୁଲୁରୁ ମାଟ୍ରିକ ପାସ କରି ଏମ୍. ପି. ସି. କଲେଜରେ ନାମ ଲେଖାଇଲେ  । ହେଲେ ତାହା ଅନ୍ୟ ଏକ କାହାଣୀ ।

ବି.ଦ୍ର.  ଏହି ଲେଖାଟି ସୌରୀନ୍ଦ୍ର ବାରିକଙ୍କର ଆତ୍ମଜୀବନୀ ‘ବାଟ ଚାଲୁ ଚାଲୁ’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ଶ୍ରୀ ବାରିକଙ୍କର ଅବର୍ତ୍ତମାନରେ ୨୩ ଫେବୃଆରୀ ୨୦୧୮ରେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ସୃଜନଙ୍କ ଦ୍ୱାରା ପ୍ରକାଶ‌ିତ ।

ସୌଜନ୍ୟ : https://sailenroutray.blogspot.com/2022/07/blog-post.html?m=1

Photo of- ବାରିପଦାସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ
ଫଟୋ କ୍ରେଡ଼ିଟ୍ – ୱିକିମିଡିଆ କମନ୍ସ୍/ସୁଭାଶୀଷ ପାଣିଗ୍ରାହୀ


Share Samadhwani
Support Samadhwani

About ଶୈଲେନ ରାଉତରାୟ

ଗବେଷକ, ଲେଖକ

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …