ତଥାପି ଲକ୍ଷ୍ମୀ ପୁରାଣ ମନୁବାଦୀ ବ୍ରାହ୍ମଣ ମାନଙ୍କ କବଳରେ

ଶ୍ରୀ ନିରଞ୍ଜନ ପଣ୍ଡା
ଶ୍ରୀ ନିରଞ୍ଜନ ପଣ୍ଡା 324 Views
7 Min Read

ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀର ପ୍ରାରମ୍ଭରେ ଉତ୍କଳ ର ଗଜପତି ମହାରାଜା ଶ୍ରୀ ପ୍ରତାପରୁଦ୍ରଦେବଙ୍କ ସମୟ ରେ ଓଡ଼ିଆ ଭାଷା ସାହିତ୍ୟରେ ପଞ୍ଚସଖା ସାହିତ୍ୟ ଯୁଗର ଅୟମାରମ୍ଭ ହୋଇଥିଲା। ପଞ୍ଚସଖା ସାହିତ୍ୟ ଯୁଗର କବିମାନେ ବସ୍ତୁତଃ ବୈଷ୍ଣବିୟ ଚିନ୍ତା ଚେତନା ଓ ସଂସ୍କାର ମୂଳକ ଜୀବନ ଦର୍ଶନ ତତ୍ତ୍ଵ ଉପରେ ପର୍ଯ୍ୟବେଶିତ ସାହିତ୍ୟ ରଚନା କରି ଓଡ଼ିଆ ଭାଷା ସାହିତ୍ୟର ଭାବଧାରାକୁ ଉଜ୍ଜୀବିତ କରିଯାଇଛନ୍ତି । ପଞ୍ଚସଖା ସାହିତ୍ୟ ଯୁଗର ଅନ୍ୟତମ ସାହିତ୍ୟ ସ୍ରଷ୍ଟା ମତ୍ତକବି ବଳରାମ ଦାସ ଯଥା ସମୟରେ ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ , ଲକ୍ଷ୍ମୀ ପୁରାଣ ଏବଂ ନାମ ରତ୍ନ ଗୀତା ଆଦି ଅନେକ ସାହିତ୍ୟ ରଚନା କରି ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି।

Support Samadhwani

ପଞ୍ଚଦଶ ଶତାବ୍ଦୀ ସମୟ ବେଳକୁ ଉତ୍କଳ ବା ଓଡ଼ିଶାରେ ଜାତି ପ୍ରଥାର ପ୍ରଚଳନ ଅତ୍ୟନ୍ତ ଭୟାନକ ସ୍ଥିତି ରେ ପହଞ୍ଚିଥିଲା। ଯଦ୍ୱାରା ଆମ ସାମାଜିକ ବ୍ୟବସ୍ଥାର ଗଣ ଜୀବନ ଅତ୍ୟନ୍ତ ନିନ୍ଦନୀୟ ଅବସ୍ଥା ଆଡକୁ ଅଗ୍ରସର ହେଉଥିବାର ପରିଲକ୍ଷିତ ହେଉଥିଲା। ଏତତଭିନ୍ନ ତତ୍କାଳୀନ ସମୟରେ ଓଡ଼ିଶାର ସାମାଜିକ ବ୍ୟବସ୍ଥା ମଧ୍ୟ ପୁରୁଷ ପ୍ରାଧାନ୍ୟ ସମାଜ ଦ୍ୱାରା ଅଧିକ କବଳିତ ହୋଇ ନାରୀ ନିର୍ଯାତନ ର ମାତ୍ରା ଅଧିକ ବେଗରେ ପ୍ରବହମାନ ହେବାରେ ଲାଗିଥିଲା। ମୋଟାମୋଟି ଭାବରେ କହିବାକୁ ଗଲେ ମନୁବାଦୀ ମାନସିକତା ବିଜଡ଼ିତ ବ୍ୟକ୍ତି ବିଶେଷଙ୍କର ଦୌରାତ୍ମ୍ୟ ହେତୁ ନାରୀମାନେ ପୁରୁଷ ପ୍ରାଧାନ୍ୟ ସମାଜରେ ପ୍ରତ୍ୟେକ ମୁହୂର୍ତ୍ତରେ ନିର୍ଯାତନର ଶିକାର ହେଉଥିଲେ। ଏହିପରି ଏକ କୁସଂସ୍କାର ମୂଳକ ସାମାଜିକ ବ୍ୟାଧିର ମୂଳ ଉତ୍ପାଟନ ନିମନ୍ତେ ମତ୍ତକବି ବଳରାମ ଦାସ ଲକ୍ଷ୍ମୀ ପୁରାଣର ଅବତାରଣା କରି ଜଣେ କବି ଓ ସାହିତ୍ୟିକ ଭାବେ ତାଙ୍କ ସାମାଜିକ ଦାୟିତ୍ୱବୋଧ କୁ ନିର୍ବାହ କରିଯାଇଛନ୍ତି। ଜାତି ପ୍ରଥାର ଉଚ୍ଛେଦ ସମେତ ନାରୀ ସ୍ଵାଧୀନତା ପ୍ରଦାନ ହିଁ ହେଉଛି ଲକ୍ଷ୍ମୀ ପୁରାଣ ର ଅନ୍ତଃ ସ୍ୱର। ଉକ୍ତ ଲକ୍ଷ୍ମୀ ପୁରାଣ ରେ କବି ବଳରାମ ଦାସ ମୁଖ୍ୟତଃ ଲକ୍ଷ୍ମୀ, ଜଗନ୍ନାଥ, ବଳରାମ ଓ ଶ୍ରୀୟା ଚଣ୍ଡାଳୁଣୀଙ୍କୁ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ କରିଥିବାବେଳେ ଅନ୍ୟ ଚରିତ୍ର ଗୁଡ଼ିକୁ ସହଯୋଗୀ ଚରିତ୍ର ଭାବେ ଅବତୀର୍ଣ୍ଣ କରାଇ ପୁରାଣଟିକୁ ଅତ୍ୟନ୍ତ ଭାବ ରସରେ ରସ ପୂର୍ଣ୍ଣ କରିଛନ୍ତି।

ଲକ୍ଷ୍ମୀ ପୁରାଣରେ ନାରୀମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଅବତାରଣା କରାଯାଇଛି। ନାରୀମାନେ କେଉଁ କେଉଁ କର୍ତ୍ତବ୍ୟ ସମ୍ପାଦନା କରିବେ ସେ ସମ୍ବନ୍ଧରେ ବିଶଦ ଭାବରେ ବର୍ଣ୍ଣନା ରହିଅଛି। ମୋର ଯାହା ମନେ ହୁଏ ବଳରାମ ଦାସଙ୍କ ଦ୍ଵାରା ରଚିତ ମୂଳ ଲକ୍ଷ୍ମୀ ପୁରାଣରେ ଏସମସ୍ତ ବିଷୟ ରଚିତ ହୋଇ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭବତଃ ମନୁବାଦୀ ବ୍ରାହ୍ମଣ ମାନେ ସମାଜରେ ନିଜର ପତିଆରା ବିସ୍ତାର କରିବା ଉଦ୍ଦେଶ୍ୟରେ ଏହିପରି କିଛି ଅପସଂସ୍କୃତି କୁ ସଂଯୋଜନା କରି ଉକ୍ତ ପୁରାଣଟିର ଦର୍ଶନ ତତ୍ଵକୁ ବିପଥଗାମୀ କରିବାକୁ ଅପଚେଷ୍ଟା କରିଛନ୍ତି। ବଳରାମ ଦାସଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲକ୍ଷ୍ମୀ ପୁରାଣ ରଚନା କରି ତତ୍କାଳୀନ ଉତ୍କଳ ଭୂଖଣ୍ଡର ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଆଣିବା ଓ ନାରୀ ମାନଙ୍କୁ ପୁରୁଷ ପ୍ରାଧାନ୍ୟ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ସହିତ ସମାଜରୁ ଜାତି ପ୍ରଥାର ମୂଳ ଉତ୍ପାଟନ କରିବା। ମାତ୍ର ସେହି ବଳରାମ ଦାସ ଉକ୍ତ ପୁରାଣରେ ନାରୀ ମାନଙ୍କର କର୍ତ୍ତବ୍ୟ କୁ କୁତ୍ସିତ ରୂପେ ବର୍ଣ୍ଣନା କରିବା କେବେ ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିବ। ପାଠକ ମାନଙ୍କୁ କହିରଖେ ପଞ୍ଚସଖା ସାହିତ୍ୟ ଯୁଗର କବିମାନେ ଯେତେବେଳେ ସେମାନଙ୍କ ସାହିତ୍ୟ ରଚନା ରେ ନିମଗ୍ନ ଥିଲେ, ସେତେବେଳେ ପୁରୀ ଜଗନ୍ନାଥ ମନ୍ଦିରର ପୂଜାପଣ୍ଡା, ସେବାୟତ ଏବଂ ମୁକ୍ତି ମଣ୍ଡପ ସଭା ର ବ୍ରାହ୍ମଣ ମାନଙ୍କ ରୋଷ ର ସେମାନେ ବାରମ୍ବାର ଶିକାର ହୋଇଥିଲେ। ଗଜପତି ମହାରାଜା ଶ୍ରୀ ପ୍ରତାପରୁଦ୍ରଦେବଙ୍କ ନିକଟରେ ଏହି ବ୍ରାହ୍ମଣ ମାନେ ପଞ୍ଚସଖା ସାହିତ୍ୟ ଯୁଗର କବି ଯଥା:- ବଳରାମ, ଜଗନ୍ନାଥ, ଅଚ୍ୟୁତ, ଅନନ୍ତ ଏବଂ ଯଶୋବନ୍ତ ଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇ ନିୟମିତ ଭାବରେ ଅଭିଯୋଗ ଆଣୁଥିଲେ। ମାତ୍ର ଏହି କବିମାନେ ନିଜର ଦର୍ଶନ ତତ୍ବକୁ ସାବଲୀଳ ଭାବରେ ଉପସ୍ଥାପନ କରି ଗଜପତିଙ୍କ ରାଜ ଦରବାରରେ ସମ୍ମାନିତ ହେଉଥିଲେ ଏବଂ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀର ଏହି ବ୍ରାହ୍ମଣ ମାନେ ନିନ୍ଦିତ ହୋଇ ରାଜପ୍ରାସାଦ ରୁ ଫେରୁ ଥିଲେ। ବାରମ୍ବାର ବ୍ରାହ୍ମଣ ମାନେ ନିଜ ଚକ୍ରାନ୍ତରେ ବିଫଳ ହୋଇ ବଳରାମ ଦାସଙ୍କ ମୃତ୍ୟୁ ପରେ ଲକ୍ଷ୍ମୀ ପୁରାଣରେ ନାରୀ ମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧୀୟ ଏ ପ୍ରକାର ଉକ୍ତି ମାନ ସଂଯୋଜନା କରି ପରବର୍ତ୍ତୀ ସମୟରେ ନିଜର ଚକ୍ରାନ୍ତକୁ ସଫଳ ରୂପାୟନ ଦେଇଛନ୍ତି। ଏଠାରେ ଆଉ ଏକ ଉଦାହରଣ ଦେଲେ ମନୁବାଦୀ ବ୍ରାହ୍ମଣ ମାନଙ୍କର ଚକ୍ରାନ୍ତକୁ ଆପଣ ମାନେ ଠିକ୍ ଭାବରେ ଉପଲବ୍ଧି କରିପାରିବେ। ବିଗତ ଏକ ବର୍ଷ ତଳର କଥା। ଜଣେ ଅଧ୍ୟାପକ ମହକିଲ୍ ଙ୍କ ର ଛାଡ଼ପତ୍ର ମକଦ୍ଦମା ମୁଁ ପରିଚାଳନା କରୁଥାଏ। ସେ ମହକିଲଙ୍କ ସହିତ ତାଙ୍କ ସଂସ୍କୃତ ଅଧ୍ୟାପକ ବନ୍ଧୁ ଆସିଥାନ୍ତି ମୋତେ ଜଣେ ନାରୀ ର ସ୍ବାମୀ ଙ୍କ ପ୍ରତି କର୍ତ୍ତବ୍ୟ କଣ ବୁଝାଇବା ପାଇଁ । ସାଥିରେ ଧରି ଆସିଥାନ୍ତି ମନୁଙ୍କ ରଚିତ ମନୁସଂହିତା। ମନୁସଂହିତାର ନବମ ଅଧ୍ୟାୟକୁ ଅଧ୍ୟୟନ କରିବା ପାଇଁ କହିଲେ। ଉକ୍ତ ଅଧ୍ୟାୟ ରେ ଉଲ୍ଲେଖ ଅଛି ନାରୀ ପୁରୁଷର ଉପଭୋଗ୍ୟର ବିଷୟ ( ଦ୍ରବ୍ୟ)। ସନ୍ତାନ ଉତ୍ପତ୍ତି ପାଇଁ ନାରୀର ସୃଷ୍ଟି। ନାରୀ ପୁରୁଷର ଯୌନ ଆକାଂକ୍ଷାକୁ ତୃପ୍ତି କରିବ। ନାରୀ ପୁରୁଷର ସେବାକାରୀ ସେବକ ଇତ୍ୟାଦି। ଏପରି ବର୍ଣ୍ଣନା ଦେଖି ମୁଁ ହତଚକିତ ହୋଇଉଠିଲି। ଏହାପରେ ଏହି ଉକ୍ତି ଗୁଡ଼ିକ ର ସଂଯୋଜନା ମୂଳ ମନୁସଂହିତା ରେ ସଂଯୋଜିତ ହୋଇଛିକି ନାହିଁ ପରଖିବାରେ ଚେଷ୍ଟା ଚଳାଇ ରଖିଲି ଏବଂ ସଫଳ ମଧ୍ୟ ହେଲି। ପ୍ରକୃତରେ ମୂଳ ମନୁସଂହିତା ରେ ଏପ୍ରକାର ବେରୁଚକ ଅଭିମତ ମାନ ସଂଯୋଜିତ ହୋଇନାହିଁ। ମାତ୍ର ନ୍ୟର୍ଥ ସ୍ବାର୍ଥ ଗୋଷ୍ଠୀ ର ବ୍ରାହ୍ମଣ ମାନେ ଏପରି ଭୟାନକ ଅଭିମତ ଦେଇ ସାମାଜିକ ବ୍ୟବସ୍ଥା ରେ ଅସନ୍ତୁଳନ ଆଣିବାକୁ ଅପଚେଷ୍ଟା କରିଛନ୍ତି ଏବଂ ନାରୀ ଜାତି କୁ ସମାଜରେ ଅବହେଳିତ ଅବସ୍ଥାରେ ରଖିବା ନିମନ୍ତେ ଯୋଜନା ପାଇଁ ଚକ୍ରାନ୍ତ କରିଛନ୍ତି।

ଲକ୍ଷ୍ମୀ ପୁରାଣ କୁ ଅଧ୍ୟୟନ କରି ସମୀକ୍ଷା କଲେ ଅନୁଭବ କରି ହୁଏ ଯେ ପୁରୁଷ ପ୍ରାଧାନ୍ୟ ସମାଜ ରେ ପୁରୁଷର ପ୍ରାଧାନ୍ୟତାକୁ କବି ଗୌଣ କରି ନାରୀର ସ୍ଥାନ କୁ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କବି ବଳରାମ ଦାସ ଲକ୍ଷ୍ମୀ ପୁରାଣରେ ଉଲ୍ଲେଖ କରିଛନ୍ତି ଯେ ” ମୋତେ ଘେନି ପ୍ରଭୁ ଯେବେ ନକରିବେ ଘର । କଳି ଯୁଗେ ନାରୀଙ୍କୁ ଯେ ନଖୋଜିବେ ନର।” ସେହି ପରି ପୁଣି କବି ବର୍ଣ୍ଣନା କରିଛନ୍ତି ” ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ। ବ୍ରାହ୍ମଣ ଖାଇ ହସ୍ତ କୁ ମୁଣ୍ଡରେ ପୋଛିବେ।” ଏହି ସମସ୍ତ ଉକ୍ତି ରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇ ପାରେ ଯେ କବି ବଳରାମ ଦାସ ଜଣେ ସମାଜ ସଂସ୍କାର ଓ ମାନବବାଦି କବି ଭାବରେ ଓଡ଼ିଆ ସାହିତ୍ୟ ରେ ବିଦିତ। ନାରୀ ର ସମାଜରେ ସ୍ଥାନ ଓ ସମ୍ମାନ ଏବଂ ଜାତି ପ୍ରଥାର ଉଛେଦ ଭଳି କୁସଂସ୍କାର କୁ ଉତ୍ପାଟନ ପାଇଁ କବିଙ୍କର ପ୍ରଚେଷ୍ଟା ଯୁଗେ ଯୁଗେ ଆମ୍ଭମାନଙ୍କ ଐତିହ୍ୟ କୁ ଉଜ୍ଜୀବିତ କରି ରଖିବ। ଉକ୍ତ ପୁରାଣ ରେ ପୁରୁଷ ଜାତି ତରଫରୁ ପ୍ରତିନିଧିତ୍ଵ କରିଛନ୍ତି ସ୍ଵୟଂ ଜଗନ୍ନାଥ ଓ ବଳରାମ , ନାରୀ ଜାତିର ପ୍ରତିନିଧିତ୍ଵ କରିଛନ୍ତି ଜଗତ ଜନନୀ ମାଆ ଲକ୍ଷ୍ମୀ ଏବଂ ଅସବର୍ଣ୍ଣ ମାନଙ୍କ ର ପ୍ରତିନିଧିତ୍ଵ କରିଛନ୍ତି ଶ୍ରୀୟା ଚଣ୍ଡାଳୁଣୀ। ସୁନ୍ଦର ପରିକଳ୍ପନା। ଯେଉଁ କବି ଏତେ ମାନବ ବାଦି, ସେ ପୁଣି ମନୁବାଦୀ ହୋଇ ପାରିବେ କିପରି? ନାରୀ ମାନଙ୍କ କର୍ତ୍ତବ୍ୟବୋଧ କୁ ଏପରି କଦର୍ଥ କରି ରଚନା କରି ପାରିବେ କିପରି? ଏ ପ୍ରଶ୍ନ ଆମ ବୁଦ୍ଧିଜିବୀ ମାନେ ବିଚାର ବିମର୍ଷ କରିବାର ସମୟ ଆସିଛି। ଆମ ମାଆ ମାନେ ମଧ୍ୟ ପ୍ରତିବାଦ କରିବାର ସମୟ ଆସିଛି। ଜାତି ପ୍ରଥା ଭଳି କୁତ୍ସିତ ଓ ଘୃଣିତ ପ୍ରଥାର ବିଲୋପ ସାଧନ ପାଇଁ ଲଢେଇ କରିବାର ସମୟ ଆସିଛି। ରୂଢି ବାଦି ନହୋଇ ପ୍ରଗତିବାଦୀ ହେବାର ସମ୍ଭାବନା ଆସିଛି।

Support Samadhwani

ଆମ ମାନବ ସମାଜ ଏକବିଂଶ ଶତାବ୍ଦୀରେ ପାଦ ଥାପି ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆମେମାନେ ମନୁବାଦୀ ବ୍ରାହ୍ମଣ ମାନଙ୍କ ଉତ୍ପୀଡନରୁ ମୁକ୍ତି ପାଇପାରି ନାହାନ୍ତି। ଏପରି ଏକ ସାମାଜିକ ବ୍ୟାଧିର ନିରାକରଣ ନିମନ୍ତେ ମଧ୍ୟ ଆମର ସେ ମାନସିକତା ଜାଗ୍ରତ ହୋଇ ନାହିଁ। ଉକ୍ତ ବ୍ୟାଧିକୁ ମୂଳ ଉତ୍ପାଟନ କରିବା ନିମନ୍ତେ ସମସ୍ତେ ସଚେତନ ହେଲେ ଏହାର ନିରାକରଣ ହୋଇପାରିବ।

Photo credit – https://bit.ly/3rGXjHq

Share This Article
ଆଇନଜୀବୀ,ଓଡ଼ିଶା ହାଇକୋର୍ଟ,କଟକ