ନାରୀ

Share Samadhwani

ମୂଳ ଲେଖା – କାଜି ନଜରୁଲ୍ ଇସଲାମ୍
ଭାଷାନ୍ତର – ଜ୍ୟୋତି ନନ୍ଦ
ସାମ୍ୟ ର ଗୀତ ଗାଇ,
ଆଖିରେ ମୋହର ପୁରୁଷ-ରମଣୀ
ଭେଦାଭେଦ କିଛି ନାହିଁ।
ବିଶ୍ୱରେ ଯାହା ମହାନ ସୃଷ୍ଟି ଚିର କଲ୍ୟାଣ କର,
ଅର୍ଦ୍ଧେକ ତା’ର କରିଛି ନାରୀ ଆଉ ଅର୍ଦ୍ଧେକ ନର।
ନରକକୁଣ୍ଡ କହିଣ ତମେ କର ନାରୀ ହେୟ ଜ୍ଞାନ
ଆଦିପାପ ନୁହଁ ନାରୀ ,ନର ସେ ଯେ ସଇତାନ।
ପାପ ବୋଲି କହ ଯାହାକୁ ସେ,ନର ନୁହେଁ ନାରୀ ନୁହେଁ
କ୍ଳୀବ ସେ ,ନର ଓ ନାରୀର ସମାନ ମିଶାଣ ଥାଏ।
ବିଶ୍ୱରେ ଯେତେ ଫୁଲ ଫୁଟିଅଛି ଫଳିଅଛି ଯେତେ ଫଳ
ନାରୀ ଦେଲା ତାରେ ରୂପ ରସ ସୁଧା ଗନ୍ଧ ସୁନିର୍ମଳ।
ତାଜମହଲ ର ପଥର ଦେଖିଛ,ଦେଖିଛ କି ତା’ର ପ୍ରାଣ
ଅନ୍ତରେ ତା’ର ମମତାଜ ନାରୀ ବାହାରେ ଶାହାଜାହାନ।
ଜ୍ଞାନର ଲକ୍ଷ୍ମୀ ସେ ,ଗାନର ଲକ୍ଷ୍ମୀ ଶସ୍ୟ-ଲକ୍ଷ୍ମୀ ନାରୀ
ସୁଷମା-ଲକ୍ଷ୍ମୀ ନାରୀ ଫେରିଆସେ ରୂପ ରୂପରେ ସଞ୍ଚାରୀ।
ପୁରୁଷ ଆଣିଛି ଦିବସର ଜ୍ୱାଳା ତପ୍ତ ରୌଦ୍ରଦାହ
କାମିନୀ ଆଣିଛି ଯାମିନୀ ଶାନ୍ତି ସମୀରଣ ବାରିବାହ।
ଦିବସେ ଦେଇଛି ଶକ୍ତି ସାହସ,ନିଶୀଥେ ସାଜିଛି ବଧୂ
ପୁରୁଷ ଆସିଛି ମରୁତୃଷାରେ ନାରୀ ଯୋଗାଇଛି ମଧୁ।
ଶସ୍ୟ କ୍ଷେତ୍ର ଉର୍ବର ହେଲା,ପୁରୁଷ ଚଳାଏ ହଳ,
ନାରୀ ସେଇ ପ୍ରାନ୍ତେ ଶସ୍ୟ ବୁଣିଣ କରିଅଛି ସୁଶ୍ୟାମଳ।
ନର ବାହେ ହଳ,ନାରୀ ବାହେ ଜଳ,ସେଇ ଜଳମାଟି ମିଶା
ଫସଲ ରୂପରେ ଫଳି ଉଠିଅଛି ସୁନେଲି ଧାନର ଶୀଷା।
ସ୍ୱର୍ଣ୍ଣ ରୌପ୍ୟ ଭାର,
ନାରୀର ଅଂଗ ପରଶ ଲଭିଣ ହୋଇଥାଏ ଅଳଙ୍କାର।
ନାରୀର ବିରହେ,ନାରୀର ମିଳନେ ନର ପାଏ କବି ପ୍ରାଣ,
ଯେତେ ସେଇ କଥା ହୋଇଛି କବିତା,ଶବ୍ଦ ହୋଇଛି ଗାନ।
ନର ଦେଲା କ୍ଷୁଧା,ନାରୀ ଦେଲା ସୁତା,ମିଶିଯାଇ କ୍ଷୁଧା ସୁତା
ଜନ୍ମ ଲଭିଛି ମହାମାନବର ମହାଶିଶୁ ମହାରଥା।
ଜଗତରେ ଯେତେ ବଡ ବଡ ଜୟ,ବଡ ବଡ ଅଭିଯାନ
ମାତା ଭଗିନୀ ଓ ବଧୂର ତ୍ୟାଗରେ ହୋଇଅଛି ମହାନ।
କେଉଁ ରଣେ କେତେ ହାଣିଅଛି ନର ଲେଖାଅଛି ଇତିହାସେ
କେତେନାରୀ ଦେଲା ସୀମନ୍ତ ସିଂଦୁର ଲେଖା ନାହିଁ ତାହା ପାଶେ।
କେତେ ମାତା ଦିଏ ହୃଦୟ ଉଜାଡି,କେତେ ଭଗିନୀ ର ସେବା
ବୀରସ୍ମୃତି ସ୍ତମ୍ଭ ର ଦେହେ ଲେଖିକି ରଖିଛି କେ ବା?
କେଉଁକାଳେ ଏକା ପୁରୁଷ ହୋଇନି ଜୟୀ ର ତରବାରୀ
ପ୍ରେରଣା ଦେଇଛି,ଶକ୍ତି ଦେଇଛି,ବିଜୟଲକ୍ଷ୍ମୀ ନାରୀ।
ରାଜା କରିଅଛି ରାଜ୍ୟ ଶାସନ,ରାଜାରେ ଶାସଇ ରାଣୀ
ରାଣୀ ର ଦରଦେ ଧୋଇଯାଇଅଛି ରାଜ୍ୟର ଯେତେ ଗ୍ଳାନି।
ପୁରୁଷ ହୃଦୟହୀନ,
ମଣିଷ ହେବାକୁ ନାରୀ ଦେଇଅଛି ଅର୍ଦ୍ଧେକ ହୃଦୟ ୠଣ।
ଧରାରେ ଯାହାର ରହିଅଛି ଯଶ,ଅମର ମହାମାନବ,
ବରଷ ବରଷ ସ୍ମରଣେ ଯାହାର ପାଳୁ ଆମେ ଉତ୍ସବ
ଖିଆଲବଶରେ ତାହାକୁ ଜନମ ଦେଇଅଛି ତା’ର ପିତା,
ବଣେ ଲବ କୁଶ ତେଜିଅଛି ରାମ ପାଳନ କରିଛି ସୀତା।
ନାରୀ ଶିଖେଇଛି ଶିଶୁ ପୁରୁଷରେ ସ୍ନେହ ପ୍ରେମ ଦୟା ମାୟା
ଦୀପ୍ତ ନୟନରେ ସରଳ କଜଳ ବେଦନା ର ଘନ ଛାୟା।
ଅଦ୍ଭୁତ ରୂପେ ପୁରୁଷ ପୁରୁଷେ କରିଲା ସେ ୠଣଶୋଧ
ବୁକେ ନେଇ ତାରେ ଚୁମିଥିଲା ଯିଏ କରେ ତା’ର ଅବରୋଧ !
ସିଏ ନର-ଅବତାର,
ପିତାର ଆଦେଶେ ଜନନୀରେ ସିଏ ହାଣିଛି ତୀବ୍ର କୁଠାର।
କଡ ଲେଉଟାଇ ଶୋଇଅଛି ଆଜି ଅର୍ଦ୍ଧନାରୀଶ୍ୱର
ଚାପା ଥିଲା ନାରୀ ଆଉ ଏବେ ଦେଖ ଚାପା ପଡିଅଛି ନର।
ସେ ଯୁଗ ହୋଇଛି ବାସି,
ଯେଉଁ ଯୁଗେ ନର ଦାସ ତ ନଥିଲା,ନାରୀ ରହିଥିଲା ଦାସୀ।
ବେଦନା ର ଯୁଗ,ମଣିଷର ଯୁଗ,ସାମ୍ୟର ଯୁଗ ଆଜି,
କେହି ରହିବେନି ବନ୍ଦୀ କାହାର,ନିଶାଣ ଉଠୁଛି ବାଜି।
ନର ଯଦି କରେ ନାରୀରେ ବଂଦୀ ତେବେ ଏହା ପରର ଯୁଗେ,
ନିଜର ରଚିତ ଏଇ କାରାଗାରେ ପୁରୁଷ ରହିବ ଆଗେ।
ଯୁଗର ଧର୍ମ ଏଇ,
ପୀଡନ କରିଲେ ସେଇ ପୀଡା ଆସି ତମକୁ ଧରିବ ଯାଇ।
ଶୁଣ ମରତର ଜୀବ,
ଅନ୍ୟକୁ ଯେତେ କରିବ ପୀଡନ ହେଉଥିବ ସେତେ କ୍ଳୀବ।
ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଯକ୍ଷପୁରୀରେ ନାରୀ
କରିଅଛି କିଏ ବନ୍ଦିନୀ କହ,କିଏ ସେ ଅତ୍ୟାଚାରୀ ?
ଆଜି କହିବାକୁ ସେ ପ୍ରକାଶ କଥା ନାହିଁ କିଛି ବ୍ୟାକୁଳତା,
ଆଜି ତୁମେ ନୁହଁ ଭୀରୁ ଆଢୁଆଳେ ନେପଥ୍ୟେ କହିବ କଥା।
ଆଖିରେ ଆଖିକୁ ଚାହିଁ ନ ପାରିବା ହାତେ ଶଙ୍ଖା ପାଦେ ମଲ ,
ମୁଣ୍ଡର ଓଢଣା ଅପସରି ଦିଅ,ଛିଣ୍ଡାଇ ଦିଅ ଶୃଙ୍ଖଳ।
ଏଇ ଯେ ଓଢଣା ଭୀରୁ ସଜାଇଛି ଫିଙ୍ଗ ସେଇ ଆବରଣ!
ଦୂର କରିଦିଅ ଦାସୀର ଚିହ୍ନ,ଯେତେ ସବୁ ଆଭରଣ।
ଆଗୋ ଅଲିଅଳୀ ଝିଅ,
ଗୁମ୍ଫା କୁ ଫେରନା ପାହାଡ ବନରେ ଇଛାମତେ ଗୀତ ଗାଅ।
କେତେବେଳେ ଆସି ପ୍ଲୁଟୋ ଯମରାଜ ନିଶିଥ ଡେଣାରେ ଉଡି,
ଧରିନେଇଗଲା ନିଜ ବିବରକୁ ମାରିଲା ତମକୁ ପୋଡି
ସେଇ ଯେ ଆଦିମ ବନ୍ଧନ ତବ ସେଇଠୁ ଯାଇଛ ମରି
ମରଣ ପୁରରେ,ଧରାରେ ସେଦିନ ଉଇଁଥିଲା ବିଭାବରୀ।
ଭାଙ୍ଗି ଯମପୁରୀ ନାଗୁଣୀର ଭଳି ଆସ ମା ଭେଦୀ ପାତାଳ
ଅନ୍ଧାର ତମକୁ ଦେଖାଇବ ପଥ ଭାଙ୍ଗିବା ଦୁଃଖ ସକଳ।
ପୁରୁଷ-ଯମର କ୍ଷୁଧାରେ କୁକୁର ମୁକ୍ତ ହେବ ପଦାଘାତେ
ଲୋଟିପଡିବ ସେ ଚରଣ ତଳରେ ଦଳିତ ଯମର ସାଥେ।
ଏତେ ଦିନ ଖାଲି ଅମୃତ ବାଣ୍ଟିଲ, ଆଜି ପ୍ରୟୋଜନ ଥିବ,
ଅମୃତହାତରେ ହଳାହଳ ବିଷ ପରଶିଯିବାକୁ ହେବ।
ସେଇଦିନ ଦୂର ନାହିଁ
ପୁରୁଷର ସହ ଧରଣୀ ଉଠିବ ନାରୀର ଜୟ ଗାଇ।
photo credit- https://bit.ly/3EB7C52

Share Samadhwani
Support Samadhwani

About ଜ୍ୟୋତି ନନ୍ଦ

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …