ମସଜିଦ୍‌ରେ ହିନ୍ଦୁମାନେ ଅଜାନ୍ ଦେଉଥିବା ଗାଁ “ମାଡ଼ି”(ଶ୍ରଦ୍ଧାଞ୍ଜଳି କବି, ସାହିତ୍ୟିକ କୁମାର ହସନ)

ନାଳନ୍ଦା ଜିଲ୍ଲାର ଏକ ଛୋଟ ଗାଁ ମାଡ଼ି।

କୁମାର ହସନ
କୁମାର ହସନ 657 Views
12 Min Read

2019 ମସିହାରେ ସମଧ୍ୱନି ସମ୍ପର୍କରେ ଆଲୋଚନା କରିବା ସମୟରେ ପ୍ରଫେସର ବୀରେନ୍ଦ୍ର ନାୟକ କହିଥିଲେ, “ଭାରତ ବର୍ଷରେ ସାମ୍ପ୍ରଦାୟିକ ସଂପ୍ରୀତି ବିଷୟଟି ଉପରେ ବାରମ୍ବାର ଚର୍ଚ୍ଚା କରାଯିବା ଆଜିର ସମୟରେ ନିତ୍ୟାନ୍ତ ଜରୁରୀ, ଯେମିତି ବିଭିନ୍ନତା ଭିତରେ ଏକତା ହିଁ ଭାରତୀୟଙ୍କର ପରିଚୟ ଏକଥାକୁ ଭାରତୀୟମାନେ ଭୁଲି ନ ଯାଆନ୍ତି କାରଣ ତାହା ହିଁ ଭାରତର ମୂଳ ପରିଚୟ ।” ତୁମେ ସମଧ୍ୱନିରେ ସାମ୍ପ୍ରଦାୟିକ ସଂପ୍ରୀତିର ଉଦାହରଣ ଗୁଡିକୁ ପ୍ରକାଶ କରିଚାଲ । ଯେଉଁଠି ସେଭଳି ଉଦାହରଣ ରହିଛି ସେସବୁକୁ ଖୋଜି ପ୍ରକାଶ କର ଦେଖିବ ସବୁ ଅସହିଷ୍ଣୁତା ଓ ଘୃଣାର ପ୍ରଚାରକୁ ସଂପ୍ରୀତିର କଥା ଗୁଡିକ ଖଣ୍ଡନ କରିବ ଓ ଲୋକଙ୍କ ଭିତରେ ସକାରାତ୍ମକ କଥାର ପ୍ରଭାବ ପଡ଼ିବ । ସମଧ୍ୱନି ସାରଙ୍କ କଥାର ଗୁରୁତ୍ତ୍ୱକୁ ହୃଦୟଙ୍ଗମ କରି 2019ରୁ ଆଜିଯାଏ ସାମ୍ପ୍ରଦାୟିକ ସଂପ୍ରୀତିର ଉଦାହରଣ ଗୁଡ଼ିକୁ ଓଡ଼ିଶାର କୋଣ ଅନୁକୋଣରୁ ସଂଗ୍ରହ କରି ଧାରାବାହିକ ଭାବରେ ପ୍ରକାଶ କରିଚାଲିଛି।
ସମ୍ବଲପୁର ସମ୍ପର୍କରେ ଲେଖିବାପାଇଁ ଥରେ ଗାର୍ଗୀ ଶତପଥିଙ୍କୁ ମୁଁ ପଚାରିଲି ଯେ, ଗାର୍ଗୀ ତୁମେ କାହିଁକି ଏହି ବିଷୟ ଉପରେ କିଛି ଲେଖୁନାହଁ ? ଗାର୍ଗୀ କହିଲେ ଅପା କୁମାର ହସନ ଦାଦାଙ୍କୁ କୁହନ୍ତୁ ସେ ଏହି ବିଷୟଟି ଉପରେ ଖୁବ ଭଲ ଲେଖିପାରିବେ । ଗାର୍ଗୀଙ୍କ ନିକଟରୁ ଫୋନ ନମ୍ବର ନେଇ ଦାଦାଙ୍କୁ କଲ କଲି । ସେ କେବେ ମୋତେ ଦେଖି ନାହାଁନ୍ତି କି ଜାଣି ନାହାଁନ୍ତି । ଫେସବୁକ ରେ ସମଧ୍ୱନିକୁ କେବେ କେମିତି ପଢ଼ିଛନ୍ତି । ଫୋନରେ ସେ ଏତେ ଆପଣାର ବ୍ୟବହାର କଲେ ଯେମିତି ଲାଗିଲା ତାଙ୍କ ସହିତ ଗୋଟେ ଯୁଗ ହେଲାଣି ମୋର ପରିଚୟ ଅଛି । ମୋ ପାଖରୁ ସବୁ ଶୁଣି କହିଲେ ଭାରି ଭଲ ଉଦ୍ୟମ କରୁଛୁ ମୁଁ ତୋତେ ମୋର ଗୋଟିଏ ଅପ୍ରକାଶିତ ଲେଖା ରହିଛି ଦେବି । ଭୁବନେଶ୍ୱର ଆସିଥିବା ଅବସରରେ ସେ ମୋତେ ଡାକିଲେ ଓ ସେହି ଲେଖାଟି ଦେଲେ । ସେଇଟା ମୋର ଦାଦାଙ୍କ ସହିତ ପ୍ରଥମ ଦେଖା ଥିଲା । ଲେଖାଟି ଖୁବ ଦୀର୍ଘ ଥିଲା । ଶୀର୍ଷକ ଥିଲା “ମହା ମିଳନର ମଧୂପର୍ବ”। ଦାଦାଙ୍କ ଲେଖା ଭିତରେ ସଂପ୍ରୀତି ଥିଲା ବିଭେଦର ଐତିହାସିକ କାରଣ ଗୁଡିକ ମଧ୍ୟ ଥିଲା । ଅତ୍ୟନ୍ତ ଉଚ୍ଚକୋଟୀର ଲେଖା । କିନ୍ତୁ ସମଧ୍ୱନି ଯେ କେବଳ ସକାରାତ୍ମକ ଲେଖା ଖୋଜୁଛି ଏକଥା ସେ କେମିତି ବୁଝିଗଲେ କେଜାଣି ମୋତେ ଆଉ ଦୁଇଟି ଲେଖା ପଠେଇଲେ ସାମ୍ପ୍ରଦାୟିକ ସଂପ୍ରୀତିର ଉଦାହରଣ ଭାବରେ ପ୍ରକାଶ କରିବା ପାଇଁ । ସେହି ଲେଖା ଗୁଡିକୁ ଆମେ ପ୍ରକାଶ କରିଛୁ କିନ୍ତୁ ଯେଉଁ ବହି “ସାମ୍ପ୍ରଦାୟିକ ସଂପ୍ରୀତି”କୁ ନେଇ ତିଆରି କରିବା କଥା ସେହି କାମଟି ଏଯାଏ ସରିନାହିଁ । ବହି ପ୍ରକାଶ କରିବା ପାଇଁ ଅର୍ଥ ଆବଶ୍ୟକ । ସେତେବେଳେ ଦାଦାଙ୍କୁ ସେ ବିଷୟରେ କହିଥିଲି । ଦାଦା କହିଲେ ବହି ପାଇଁ କ’ଣ ପଇସା ଅଭାବ ହେବ, ତୁ ମୋତେ ଗୋଟେ ଲେଖିକି ଦେ ମୁଁ ଦିଲ୍ଲୀର ଜଣେ ପବ୍ଲିଶରଙ୍କୁ କହିବି ସେ ସମଧ୍ୱନିର ଏହି ବହିକୁ ପ୍ରକାଶ କରିବେ । ବହିଟି ପ୍ରକାଶ ପାଇନାହିଁ କିନ୍ତୁ ଦାଦା ଚାଲିଗଲେ । ମନରେ ଦୁଃଖ ରହିଗଲା । ତାଙ୍କ ସହିତ ଅନେକ କାମ କରିବାର ଥିଲା ଓ ତାଙ୍କ ସହିତ ଅନେକ ବିଷୟରେ ଆଲୋଚନା କରିବାର ଥିଲା ।

କୁମାର ହସନଙ୍କ ଭଳି ଜଣେ ସୃଜନଶୀଳ ଦରଦୀ ମଣିଷ, କବି, ସାହିତ୍ୟିକ ଓ ସାମ୍ବାଦିକଙ୍କ ସହିତ ଆମର ପରିଚୟ ଖୁବ ଡେରିରେ ହେଲା ସେଥିପାଇଁ ମନରେ ବହୁତ ଦୁଃଖ । ଏହି ଲେଖାଟିକୁ ତାଙ୍କର ସ୍ମୃତିରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣେଇ ଆମେ ପ୍ରକାଶ କରିଛୁ । – ସମ୍ପାଦକ

ଗାନ୍ଧିଜୀ ଯଥାର୍ଥରେ କହିଥିଲେ ଯେ ଭାରତର ଆତ୍ମା ତା’ ଗାଁରେ ବାସ କରେ । ଏହାକୁ ପ୍ରମାଣ କରିଛି ବିହାର ନାଳନ୍ଦା ଜିଲ୍ଲାର ଏକ ଛୋଟ ଗାଁ ମାଡ଼ି।

‘ଅଲ୍ଲା ହୁ ଅକବର, ଅଲ୍ଲା ହୁ ଅକବର, ଲାଇଲାହା ଇଲ୍ଲଲ୍ଲାହ, ଲାଇଲାହା ଇଲଲ୍ଲାହ, ମୁହମ୍ମଦୁର ରସୁଲିଲ୍ଲାହ …’ ଲାଉଡ ସ୍ପିକରରେ ପେନଡ୍ରାଇଭ ଦ୍ୱାରା ମିଠା ସ୍ୱରରେ ଅଜାନର ସ୍ୱର ଗାଁ, ଘର, ବିଲ ବାଡ଼ିରେ ଅନୁରଣିତ ହେଉଛି । ଗାଁରେ ନା ଜଣେ ହେଲେ ମୁସଲମାନ ଅଛନ୍ତି ନା ପାଖଆଖ ଗାଁରେ ବି ମୁସଲମାନ ନାହାନ୍ତି, ନା ଅଜାନ୍ ଦେବାକୁ କେହି ଇମାମ ନା ମୁଅଜ୍ଜୀନ, କୌଣସି ମୁସଲମାନ ନମାଜ ପାଠକାରୀ ବି ଆସିବାର ସମ୍ଭାବନା ନାହିଁ, ଏକ ନିପଟ ମଫସଲୀ ଗାଁ ମାଡ଼ି ।

ପୂର୍ବରୁ ଏହାର ନାଁ ନିମ ମାଡ଼ି, ମୁଶର୍କତ ମାଡ଼ି, ପାଓମାଡ଼ି ଥିଲା । ବିହାରର ଏକ ପ୍ରମୁଖ ନଈକୂଳିଆ ମଂଡି । ଗାଁରେ ଅନେକ ଥର ନିଆଁ ଲାଗିଛି, ବନ୍ୟା ଧୋଇଛି, ହେଲେ ଯେତେବେଳେ ଗାଁକୁ ହଜରତ ଇସମାଇଲ ନାମକ ଜଣେ ସିଦ୍ଧ ମୁସଲମାନ ସଂଥ ଆସି ବସବାସ କଲେ, ସେଦିନଠୁ ଗାଁରୁ ପ୍ରାକୃତିକ ବିତ୍ପାତ ସବୁଦିନ ଲାଗି ଦୂରେଇ ଗଲା । ଗାଁର ନୂଆ ନାମକରଣ ହେଲା ଇସମାଇଲ ମାଡ଼ି, ଯାହା ଲୋକମୁଖରେ ମାଡ଼ି ଭାବେ ପରିଚିତ ।

ଗାଁ ମୁଣ୍ଡରେ ଦୁଇ ଶହ ବର୍ଷ ପୁରୁଣା ବ୍ରିଟିଶ ଅମଳର ଏକ ପ୍ରାଚୀନ ମସଜିଦ, ମସଜିଦ ପରିସରରେ ବାବା ଇସମାଇଲଂକ ସମାଧିପୀଠ- ମଜାର । ପରିସର ଭିତରେ ଜର-ମେହର’ ନାମକ ଏକ କଳାପଥର । ଗାଁରେ ମୁସଲମାନ ନଥିଲେ ବି ହେଲେ ସବୁଦିନ ହିଂଦୁମାନଂକଦ୍ୱାରା ରୀତିମତ ନୟିମାନୁସାରେ ପାଂଚ ବକତ ଅଜାନ ଦିଆ ଯାଉଛି । ଗାଁର ବିବାହ, ବ୍ରତ ଆଦି ସବୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭରେ ଗାଁର ସ୍ତ୍ରୀ ପୁରୁଷ ପିଲା ନିର୍ବିଶେଷରେ ମସଜିଦକୁ ଆସି ମଥା ନୁଆଁଇ ଆଶୀର୍ବାଦ ଭିକ୍ଷା କଲା ପରେ ହିଁ ମାଂଗଳିକ କାର୍ଯ୍ୟର ଶୁଭାରମ୍ଭ କରାଯାଉଛି ଆଉ ଏ ସବୁ ନିଃସଂକୋଚରେ କରୁଛନ୍ତି ଗାଁର ହନ୍ଦୁମାନେ । ସେ ମସଜିଦ ସେମାନଙ୍କର ଦେବତା, ସେମାନଙ୍କ ଇଷ୍ଟ, ଗାଁର ଓ ଲୋକଂକର ତ୍ରାଣକର୍ତା । ଘୃଣା, ଭେଦାଭେଦ, ସାଂପ୍ରଦାୟିକତା, ଅସହିଷ୍ଣୁତାର ସହସ୍ର କୋଶ ଦୂରରେ ଏ ଗାଁ ଓ ଗାଁର ଲୋକମାନେ। ସେମାନଙ୍କର ଅପାର ଆସ୍ଥା, ଶ୍ରଦ୍ଧା, ଆଦର ସମ୍ମାନ, ଭକ୍ତି, ପୂଜା ଓ ସତ୍କାର ମାନବିକ ସଂପ୍ରୀତିର ଏକ ବତୀଘର ।

ମସଜିଦର ଦେଖାଶୁଣା ଦାୟିତ୍ୱ ମଧ୍ୟ ଗାଁ ବାସୀ ହିନ୍ଦୁମାନେ ପାରମ୍ପାରିକ ଭାବେ ସ୍ୱେଚ୍ଛାରେ କରି ଆସୁଛନ୍ତି । ଧାର୍ମିକ ଉନ୍ମାଦ ଓ ସାଂପ୍ରଦାୟିକ ରାଜନୀତି ଅନ୍ୟ ଧର୍ମ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଭାଙ୍ଗି ପାରିନାହିଁ । କିଛି ଲୋକ ଏହାକୁ ଅଶିକ୍ଷା ଓ ପଛୁଆପଣ ବୋଲି ମନେ କରି ପାରଂତି ହେଲେ ସୁଫି ଓ ଭକ୍ତି ପରଂପରାର ଦୁର୍ଲଭ ପ୍ରତୀକ ଏ ଗାଁ ଓ ଗାଁ ଲୋକେ ।

କେବେ କୋଉ ସମୟରେ ଏଠି ମୁସଲମାନମାନେ ଥିବାର, ନିୟମିତ ନମାଜ ପାଠ କରାଯାଉଥିବାର କ୍ଷୀଣ ସ୍ମୃତି କିଛି ବର୍ଷିୟାନ ହିନ୍ଦୁମାନଙ୍କ ଭିତରେ ରହିଛି । ସେତେବେଳେ ଗାଁ ଜମିଦାରୀ ଅଧୀନରେ ଥିଲା । ଜମିଦାର କବିର ଆଲମ ଗାଁରେ ମୁସଲମାନମାନଂକ ଲାଗି ଏହି ମସଜିଦ ନିର୍ମାଣ କରାଇଥିଲେ । କିନ୍ତୁ ପରେ ଜମିଦାରୀ ବିଲୋପ ପରେ ମୁସଲମାନମାନେ ଉନ୍ନତ ଜୀବନ ଓ ରୋଜଗାର ଲାଗି ବିହାର ସରୀଫ, କୋଲକାତା, ଦିଲ୍ଲୀ ଆଦି ଚାଲିଗଲା ପରେ ମସଜିଦ ଶୂନ୍ୟ ଓ ପରିତ୍ୟକ୍ତ ହୋଇ ପଡି଼ ରହିଲା । ସେତେବେଳେ ଏହାର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ସେବାସତ୍କାର ଲାଗି ଗାଁର ହିନ୍ଦୁମାନେ ଆଗେଇ ଆସିଲେ ।

ମସଜିଦର ଭଙ୍ଗାରୁଜା କାନ୍ଥର ଅବସ୍ଥା ତା’ର ପ୍ରାଚୀନତାର କାହାଣୀ କହୁଥିଲାବେଳେ ଭିତରର ଚୁନକରା ରଂଗିନ କାନ୍ଥବାଡ଼ ହିନ୍ଦୁମାନଙ୍କ ଅମାପ ଶ୍ରଦ୍ଧା ଓ ଭକ୍ତିର କାହାଣୀରେ ଶତ ମୁଖର ।

ମସଜିଦ ଭିତରେ ଇମାମତ ଅର୍ଥାତ ମିଂବର, ଯେଉଁଠି ଇମାମ ବା ମୌଲବୀ ଠିଆହୋଇ ନମାଜ ପାଠ କରାଉଥିଲେ ତା’ ଉପରକୁ ଏକ କାନ୍ଥ ଘଡ଼ି, ଘଡ଼ି ପାଖରେ କାଚଫ୍ରେମରେ ଜଡ଼ିତ କୁରାନର କିଛି ଆୟତ୍ ବା ସୂକ୍ତ ।

ଇମାମ ବସି ନମାଜ ପାଠ କରାଉଥିବା କାଠର ସିଡ଼ି ଭଳି ଆସନ ଉପରେ ହିନ୍ଦିର ଖଣ୍ଡେ କୁରାନ ଓ ନମାଜ ପାଠ ପଦ୍ଧତି ସହ ଅନ୍ୟ କିଛି ଧାର୍ମିକ ଗନ୍ଥ ସଂରକ୍ଷିତ ହୋଇ ରହିଛି । ମାଡ଼ିର ହିନ୍ଦୁମାନେ ମସଜିଦର ରକ୍ଷଣାବେକ୍ଷଣ, ସଫେଇ ସହ ସେ ପବିତ୍ର ଗ୍ରନ୍ଥସବୁକୁ ମଧ୍ୟ ସମ୍ମାନର ସହ ସାଇତି ରଖିଛନ୍ତି ।

ବେଳେବେଳେ ଭୁଟ୍‌ଟୁ ମିଆଁ ବୋଲି ଜଣେ ମୁସଲିମ ବ୍ୟକ୍ତି ସପରିବାର ଆସନ୍ତି । ଭୁଟ୍ଟୁ ମିଆଁ ଭାବେ ଖାଲିଦ ଆଲମ ବିହାର ସରିଫର କାଗଜୀ ମୋହଲ୍ଲାରେ ରହନ୍ତି । ତାଙ୍କର ମୂଳ ଏଇ ଗାଁରେ । ମସଜିଦକୁ ଲାଗି ଏବେ ବି ତାଂକ ଜମି ରହିଛି । ମାଡ଼ି ସହ ତାଂକ ଗଭୀର ସଂପର୍କ । ଗାଁରେ ଥିବା ମୁସଲମାନମାନଂକ ଜମିବାଡ଼ିର ଦେଖାଶୁଣା ବି ହିଂଦୁମାନେ କରୁଛନ୍ତି । ଗାଁରେ ମୁସଲମାନ ନଥିଲେ ବି ହନ୍ଦୁମାନଙ୍କ ସହ ଆମ ସଂପର୍କ ଖୁବ ଗଭୀର, ପରସ୍ପରର ପର୍ବପର୍ବାଣିରେ ଆମେ ସାମିଲ ହେଉ ବୋଲି କହନ୍ତି ଖାଲିଦ ଆଲମ ।

ଗାଁର ଜଣେ ବୃଦ୍ଧ ଅନିଲ ପାଶୱାନ ମସଜିଦରେ ଚାରି-ପାଞ୍ଚ ମାସ ଧରି ଶୋଉଥିଲାବେଳେ ସେ ଏକ ରହସ୍ୟମୟ ଅଲୌକିକ ଶକ୍ତିର ଅନୁଭବ କରିଥିଲେ । ସେ କହିଲେ ଯେ ଦିନେ ରାତିରେ ତାଂକୁ ମସଜିଦର ଦ୍ୱାରକୁ ଛାଡ଼ି ଶୋଇବାକୁ କେହି ଜଣେ ସ୍ୱପ୍ନାଦେଶ ଦେଇ କହିଥିଲା – ‘ତମେମାନେ ଭଲ କାମ କର, ଆମେ ବି ତମ ସଂଗେ ଭଲ କାମ କରିବୁଁ ।’

ଏବେ ଅଜୟ ପାଶୱାନ, ଗୌତମ ମହତୋ ଓ ବଖୋରୀ ଜମାଦାର ମୁଖ୍ୟତଃ ମସଜିଦର ସେବାକାର୍ଯ୍ୟ କରୁଛନ୍ତି । ଏ ମସଜିଦ ପ୍ରତି ସେମାନଙ୍କର ଅତୁଟ ଶ୍ରଦ୍ଧା ରହିଛି ।

ମନ୍ଦିର ପରିସରରେ ଏକ କଳାପଥର ରହିଛି । ଏହା କେବଠୁ ରହିଛି କେହି ଜାଣଂତି ନାହିଁ । ଲୋକେ ଏହାକୁ ‘ଜର-ମେହର’ ବୋଲି କହନ୍ତି । ଏ ପଥର ଦେହରେ ଆଲୌକିକ ଶକ୍ତିଥିବାରୁ ଏହା ଗାଲସୁଆ ଭଳି ଅନେକ ରୋଗ ଛୁଆଁଇ ଦେଲା ମାତ୍ରକେ ଠିକ ହୋଇଯାଏ ବୋଲି ଲୋକେ କହଂତି ।

ନାଳନ୍ଦା ସହରଠୁ ମାତ୍ର ୧୩-୧୪ କିଲୋମିଟର ଦୂରରେ ଥିବା ଏ ମସଜିଦଥିବା ଗାଁକୁ ଭଲ ରାସ୍ତା ଖଣ୍ଡେ ବି ନାହିଁ । ଅତି ଅଣଓସାରିଆ ଭଙ୍ଗାରୁଜା ମାଟି ସଡ଼କ । ଗାଁରେ ଅଧିକାଂଶତଃ ପକା ଘର, ହେଲେ ଅଶିକ୍ଷା, ନିରକ୍ଷରତା ବି ଚରମ ସୀମାରେ, ସେଥିଲାଗି ଗାଁ ପଛୁଆ ହୋଇ ରହିଛି ବୋଲି କହନ୍ତି ଗାଁଲୋକେ ।

ଧାର୍ମିକ ଉନ୍ମାଦ, ଘୃଣା ଓ ବିଭାଜନକାରୀ ରାଜନୀତିର ସାଂପ୍ରତିକ ସମୟରେ ଯେଉଁଠି ମୁସଲମାନମାନଂକ ମଜାର ଭଂଗା ଯାଉଛି, ଧାର୍ମିକ ସ୍ଥଳୀରେ ଗେରୁଆ ଝଂଡା ଉଡ଼ାଯାଉଛି ଓ ଦେଶଯାକର ମସଜଦକୁ ନେଇ ଉଠାଯାଉଥିବା ବିବାଦ ମଝିରେ କୌଣସି ମସଜିଦ ଲାଗି ହିନ୍ଦୁମାନଙ୍କ ଏ ଦୁର୍ଲଭ ଭକ୍ତି, ଭରସା, ସଦ୍ଭାବ ବା ସୌହାର୍ଦ୍ୟ ଦିଗରେ ଏକ ମହାଭାରତୀୟ ସଂସ୍କୃତିର ପ୍ରତୀକ ।

– ‘ଏ ଗାଁ କି ପଂଚାୟତରେ ବି କୌଣସି ମୁସଲିମ ବସତି ନାହିଁ । ଜମିଦାରୀ ଖତମ ହେଲା ପରଠୁ ହିଁ ମୁସଲମାନମାନଂକ ପଳାୟନ ଆରମ୍ଭ ହୋଇ ଯାଇଥିଲା । ଏବେ ବର୍ଷବର୍ଷ ହେଲା ହିନ୍ଦୁମାନେ ହିଁ ଏ ମସଜିଦର ଦେଖାଶୁଣା କରି ଆସୁଛନ୍ତି ଓ ଦିନକୁ ପାଞ୍ଚଥର ପେନ ଡ୍ରାଇଭଦ୍ୱାରା ଆଜାନ ଦେଉଛନ୍ତି । ଏ ମସଜିଦ ପ୍ରତି ହିନ୍ଦୁମାନଙ୍କ ଶ୍ରଦ୍ଧା, ଭକ୍ତି ପୁରୁଣା କାଳରୁ ରହି ଆସିଛି । ଏବେ ଏଇଟା ଆମର ଉତ୍ତରାଧିକାର । ଏଠି ଆସି ଯିଏ ବି ମଥାନତ କରେ, କିଛି ମାନସିକ କରେ ତା’ ମନୋକାମନା ଅଚିରେ ପୂରଣ ହୋଇଥାଏ । ’ – ପଂଚାୟତ ମୁଖ୍ୟ କାରୁ ତାନ୍ତି

– ‘ଏ ଗାଁର ମସଜିଦ ଓ ମଜାର ପ୍ରତି ହିନ୍ଦୁମାନଙ୍କ ଶ୍ରଦ୍ଧା ହେଉଛ ଆମର ପରଂପରା ଯାହା ଏବେ ଜନଭାଷାର ସ୍ୱରୂପ ନେଇ ସାରିଛି । ଗାଁରୁ ଯେତେବେଳେ ବି ହିନ୍ଦୁମାନଙ୍କ କୌଣସି ବରଯାତ୍ରା ବାହାରେ ସର୍ବପ୍ରଥମେ ବର ଏଠିକି ଆସି ପ୍ରଣିପାତ କରେ । ଏଠାରେ ଭେଟି ନହୋଇ ବାହା କି କିଛି ଶୁଭକାମ କଲେ ଅନେକଟା ଅମଙ୍ଗଳ ଘଟିବାର ନଜିର ରହିଛି । ମୁସଲମାନମାନେ ଚାଲିଗଲାବେଳେ ଯେତେବେଳେ ମସଜିଦ ନିଶୂନ ହୋଇଗଲା ତ ଆମେ ଏହାର ରକ୍ଷଣାବେକ୍ଷଣ ସହ ସଂଞ୍ଜରେ ଦୀପ ଜାଳିବା ଆରମ୍ଭ କଲୁ ।  – ରାମ ନରେଶ

– ‘ମସଜିଦ ଓ ଦରଗା’ ଦ୍ୱାରା ଗାଁର ସମସ୍ତଙ୍କର ମନୋକାମନା ପୂରଣ ହୋଇ ଆସିଛି । ମସଜିଦ ପରିସରରେଥିବା କଳାପଥର କୃପାରୁ ଆମେ ଗାଁରେ ସୁସ୍ଥ ସବଳ ରହିଛୁ । ଏ ମସଜିଦଟା ଆମ ଲାଗି ଦେବତା ଭଳି । ‘ – ଗାଁର ସବୁଠୁ ବୟସ୍କା ବୃଦ୍ଧା ରାଜମଂତୀ ଦେବୀ

– ‘ଏ ମନ୍ଦିର ପ୍ରତି ମୋର ଗଭୀର ଆସ୍ଥା ରହିଛି । ଏବେ କିଛି ଲୋକ ଦାୟିତ୍ୱ ସହ ମସଜିଦର ସେବା ସତ୍କାର କରୁଛଂତି । ତା’ ଆଗରୁ ମୁଫତଲାଲ ଜୀ କରୁଥିଲେ । ଆମେ ଯେ କୌଣସି ଶୁଭକାର୍ଯ୍ୟ ପୂର୍ବରୁ ଏଠିକି ଆସିଥାଉ । ତା’ପରେ ଯାଇ ମାତାରାଣୀଙ୍କ ମନ୍ଦିର ଓ ଅନ୍ୟ କେଉଁଠିକି ଯାଇଥାଉ । ଯଦି ଆମେ ଏଭଳି ଦ କରୁ ତେବେ କିଛି ଗୋଟେ ଅମଙ୍ଗଳ, ଅଘଟଣ ହେବା ସୁନିଶ୍ଚିତ । ହିନ୍ଦୁମାନେ ସେମାନଙ୍କ ନିଜ ଧର୍ମ ପାଳନ କରୁଛନ୍ତି ଓ ସେମାନଙ୍କ ମନୋକାମନା ବି ଏଠି ପୂରଣ ହେଉଛି । କୌଣସି ଜାତି-ବିରାଦରି ବୋଲି କିଛି ନଥାଏ । ସମସ୍ତେ ମିଳିମିଶି ରହିବା ଜରୁରି । ସେ ମସଜିଦ ହେଉ କି ମନ୍ଦିର କ’ଣ ବା ଫରକ ପଡ଼େ? ଆମ ଲାଗି ତ ଏଇଟା ଭଗବାନଙ୍କ ସ୍ୱରୂପ । ଆମେ ଯେଭଳି ଭାବରେ ମାତାରାଣୀଙ୍କ ସେବା କରୁ ; ସେହିପରି ଏହାଙ୍କର ମଧ୍ୟ ସେବା କରୁ । ଆମେ ହିନ୍ଦୁମାନେ ହିଁ ଏହାର ଦେଖାଶୁଣା କରୁ ।’ – ବୃଦ୍ଧା ଗୀତୁ ଦେବୀ

– ‘ଏଇଟା ମୁସଲମାନମାନଙ୍କ ଗୋଟେ ମସଜିଦ, ଏଠିକି ଆମେ ଯାଇ ପାରିବୁ ନାହିଁ ଭଳି ଭାବନା ଆମ ମନରେ କେବେହେଲେ ଆସିନାହିଁ । ଯେତେଦିନଯାଏଁ ଆମେ ବଂଚିଛୁ ସେବା ସତ୍କାର କରିବୁ । ଆମେ ଏଠି ଧୂପଦୀପ ଦେଉ, ଅଗରବତୀ ଜାଳୁ, ସଫାରଫା କରୁ, ଦରଗାହର ଖିଆଳ ରଖୁ, ଚଦର ଚଢ଼ଉ.. ସବୁ ଏହାଂକର କୃପା । ଏଠି ଅଜାନଦ୍ୱାରା କାହାରି କିଛି ଅସୁବିଧା ହୁଏ ନାହିଁ । କେହି ମନା ବି କରନ୍ତିନି । ସେଇଟା ଯୋଉଠି ହେଉଛି ସେଇଠି ହେଉଥାଉ । ଏ ସବୁ ହେଉଛି ନେତାଗିରି, ରାଜନୀତି କଥା । ନିଜ ନିଜ ଚୌକି ଲାଗି ସେମାନେ କରିଥାନ୍ତି । ସମସ୍ତଙ୍କର ସମାନ ସମ୍ମାନ ହେବା ଉଚିତ । ଆମର ନେତାଫେତା ସହ କିଛି ସଂପର୍କ ନାହିଁ । ସରକାର ଏସବୁ କରାଇଥାଏ । ହିନ୍ଦୁ ହୁଅନ୍ତୁ କି ମୁସଲମାନ ସମସ୍ତେ ଏକ । ଲୋକେ କାହିଁକି ନେତାମାନଙ୍କ ଚକ୍କରରେ ପଡନ୍ତି କେଜାଣି? ଜାତି ବୋଲି ତ ଦୁଇଟା ସ୍ତ୍ରୀ ଓ ପୁରୁଷ । ହିଦୁ-ମୁସଲମାନ ସମସ୍ତଙ୍କର ରକ୍ତ ଏକା ।

– ରାଜମିସ୍ତ୍ର ଅଜୟ ପାଶୱାନ

 

 

Share This Article
କବି, ସାହିତ୍ୟିକ ଓ ବିଶିଷ୍ଟ ସାମ୍ବାଦିକ