Home / ସାହିତ୍ୟ ସଂସ୍କୃତି / ଇତିହାସ / ଲିଙ୍ଗରାଜ ମନ୍ଦିର

ଲିଙ୍ଗରାଜ ମନ୍ଦିର

Share Samadhwani

ପୁରୀ କୋଣାର୍କ ମନ୍ଦିର ପ୍ରତିଷ୍ଠା ଆଗରୁ ଲିଙ୍ଗରାଜ ମନ୍ଦିର ତିଆରି ହୋଇଥିଲା । ସୋମବଂଶୀ ରାଜା ଯଯାତି କେଶରୀ ଏହି ମନ୍ଦିର ନିର୍ମାଣ କରାଇଥିଲେ । ମାଦଳା ପାଞ୍ଜିର ଲେଖା ଅନୁଯାୟୀ ଯଯାତି କେଶରୀ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ରାଜୁତି କାଳରେ ମନ୍ଦିର ନିର୍ମାଣ ଶେଷ ହୋଇନଥିଲା । ପରବର୍ତ୍ତୀ ଦୁଇ ରାଜା ସୂର୍ଯ୍ୟ କେଶରୀ ଓ ତାଙ୍କ ପର ଅନନ୍ତ କେଶରୀଙ୍କ ରାଜତ୍ୱ କାଳରେ ମଧ୍ୟ ଏହି ମନ୍ଦିର ତିଆରି ଶେଷ ହୋଇ ନଥିବାବେଳେ ପରବର୍ତ୍ତୀ ରାଜା ଲଲାଟେନ୍ଦୁ କେଶରୀଙ୍କ ସମୟରେ ଏହାର କାର୍ଯ୍ୟ ସମାପ୍ତ ହୋଇଥିଲା । ସେ ବିରାଟ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । ଦଶମ ଶତାବ୍ଦୀରୁ ଆରମ୍ଭ ହୋଇ ଏକାଦଶ ଶତାବ୍ଦୀର ମଧ୍ୟ ଭାଗ ଯାଏ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିଲା । ସୋମବଂଶୀ ରାଜାମାନେ ଶିବଙ୍କର ଭକ୍ତ ଥିବାରୁ ଏହି ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । ଦଶମ ଶତାବ୍ଦୀରୁ ଆରମ୍ଭ ହୋଇ ଏକାଦଶ ଶତାବ୍ଦୀର ମଧ୍ୟ ଭାଗ ଯାଏ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିଲା । ସୋମବଂଶୀ ରାଜାମାନେ ଶିବଙ୍କର ଭକ୍ତ ଥିବାରୁ ଏହି ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠା କରାଯାଇଥିଲା । ଏହି ମନ୍ଦିରଟି ସେତେବେଳେ ସବୁଠୁ ବଡ଼ ଓ ଶ୍ରେଷ୍ଠ ମନ୍ଦିର ହୋଇଥିଲା ଓଡ଼ିଶାରେ ।

ବର୍ତ୍ତମାନ ମଧ୍ୟ ଏହା ମନ୍ଦିର ସ୍ଥାପତ୍ୟର ସର୍ବ ବୃହତ୍ତମ ମନ୍ଦିର । କଳିଙ୍ଗ ଶିଳ୍ପୀମାନଙ୍କର ସ୍ଥାପତ୍ୟ କଳାର ବିଶାଳତମ କୃତି କୋଣାର୍କ । ସୂର୍ଯ୍ୟମନ୍ଦିରର ମୁଖ୍ୟ ଦେଉଳଟି ଭାଙ୍ଗି ଯିବାପରେ ଭୁବନେଶ୍ୱରରେ ତିଷ୍ଠି ରହିଥିବା ଲିଙ୍ଗରାଜ ମନ୍ଦିର ସର୍ବ ବୃହତ୍ତମ ମନ୍ଦିର ଅଟେ । ଏହାର କଳା ଓ ସ୍ଥାପତ୍ୟରେ କଳିଙ୍ଗ ଶୈଳୀର ବହୁ ବିକଶିତ ବୈଶିଷ୍ଟ୍ୟ ଦେଖିବାକୁ ମିଳେ । ମନ୍ଦିରଟି ୬୦ମିଟର ଲମ୍ବ ଓ ୧୪୩ମିଟର ପ୍ରସ୍ଥ ବିଶିଷ୍ଟ ବିଶାଳ ବେଢ଼ାଟି ପ୍ରାୟ ୨.୩୦ମିଟର ଚଉଡ଼ା ମାଙ୍କଡ଼ା ପଥର ନିର୍ମିତ ସୁଉଚ୍ଚ ପାଚେରୀ ଦ୍ୱାରା ପରିବେଷ୍ଟିତ । ପୂର୍ବ ମୁଖୀ ମନ୍ଦିର ଚାରି କୋଠରୀ ଯୁକ୍ତ ନିର୍ମାଣ ବ୍ୟତୀତ ବେଢ଼ା ମଧ୍ୟରେ ଲିଙ୍ଗରାଜ ମନ୍ଦିର ପୂର୍ବରୁ ଓ ପରବର୍ତ୍ତୀ ସମୟରେ ନିର୍ମିତ ଅନେକ ଦେବଦେବୀଙ୍କର ପ୍ରତିମା ତଥା ମନ୍ଦିର ରହିଛି । ଏଠାରେ ଦେଉଳ ଓ ଜଗମୋହନରେ କଳା ପଥର ବିଛା ଯାଇଥିବା ତଳ ପତନ ଉପରୁ ଉଠିଥିବାବେଳେ ନାଟ ମନ୍ଦିର ଓ ଭୋଗ ମନ୍ଦିର ଦ୍ୱୟ ପୀଠ ଉପରେ ନିର୍ମିତ ହୋଇ ଥିବାର ଦେଖାଯାଏ । ପଞ୍ଚରଥ ଶୈଳୀର ମୁଖ୍ୟ ଦେଉଳ ଭୂ ନକ୍ସାର ପ୍ରତ୍ୟେକ ପାଖ ୧୮ମିଟର ବର୍ଗାକାର ହୋଇଥିବାବେଳେ ଏହାର ମୋଟ୍ ଉଚ୍ଚତା ୪୫.୬୦ମିଟର ମଧ୍ୟରୁ ବାଡ଼ର ଉଚ୍ଚତା ୧୬.୫୦ମିଟର, ଗଣ୍ଡିର ଉଚ୍ଚତା ୨୪.୬୦ମିଟର, ମସ୍ତକ ଭାଗ ପ୍ରାୟ ୪.୫୦ମିଟର ଅଟେ । ଏହି ବାଡ଼ର ବିଭାଗୀକରଣ ଦେଖାଯାଏ ପଞ୍ଚକର୍ମ ପା ଭାଗ ୩.୨୦ମିଟର, ତଳ ଜଂଘ ୩.୦୦ମିଟର, ତ୍ରିକର୍ମ ବନ୍ଧନୀ ୦.୯୦ମିଟର, ଉପର ଜଂଘ ୨.୮୫ମିଟର ଓ ଅଗ୍ରଭାଗର ଦଶକର୍ମ ବାଉଣ୍ଡାରୀ ଉଚ୍ଚତା ପ୍ରାୟ ୩.୪୦ମିଟର ଅଟେ । ପା ଭାଗ ଗୁଡ଼ିକୁ ମଧ୍ୟେ ମଧ୍ୟେ ଏକ ମୂର୍ତ୍ତି ଓ ମଣ୍ଡଳ କୃତି ଯୁକ୍ତ ସରୁଆ ଲମ୍ବ ପଟି ସଂଯୋଗ କରୁଥିବା ଦେଖାଯାଏ । ବନ୍ଧନୀ ପଟି ଓ ବସନ୍ତରେ ଡାଳି ନକ୍ସା ରହିଥିବାବେଳେ ମଧ୍ୟେ ମଧ୍ୟେ ଏକ ମୂର୍ତ୍ତି ଖୋପ ତ୍ରିକର୍ମକୁ ସଂଯୋଗ କରୁଅଛି । ଏହାର ତଳ ଜଂଘରେ ଖାକରା ମୁଣ୍ଡି ଓ ଉପର ଜଂଘରେ ଥିବା ପୀତ ମୁଣ୍ଡି ଗୁଡ଼ିକରେ ଦିଗ୍ପାଳ, ଦିଗ୍ପାଳିକା ତଥା ଅନ୍ୟାନ୍ୟ ମୂର୍ତ୍ତିମାନ ଦେଖାଯାଏ । ଅନ୍ତହା ପାଗ ଗୁଡ଼ିକରେ ତଳ ଜଂଘରେ ବିଭିନ୍ନ ଶୈଳୀର ଗଜସିଂହ ଓ କୌତୁହଳ ମୂର୍ତ୍ତିମାନ ସ୍ଥାନିତ ହୋଇଥିବାବେଳେ ଉପର ଜଂଘରେ ବିଭିନ୍ନ ଭଙ୍ଗୀର ସୁନ୍ଦର କନ୍ୟା ପ୍ରତିମାମାନ ରହିଛି । ଏହା ଉପରେ ଥିବା ଦଶକର୍ମର ବାରଣ୍ଡା ମଧ୍ୟ ବିଭିନ୍ନ କାରୁକଳାରେ ପରିପୂର୍ଣ୍ଣ । ଗଣ୍ଡିରଥକରେ ପ୍ରସ୍ଥ ଭାବରେ ଥିବା କଟାଧାର ଗୁଡ଼ିକ ମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ମସ୍ତକଭାଗର ବେକ, ରାହାପାଗ ଉପରେ ଭୈରବ ମୂର୍ତ୍ତି ଓ କନିକା ପାଗ ଉପରେ ଗମ୍ଭୀର ପୂର୍ଣ୍ଣ ଭଙ୍ଗୀର ଦ୍ୱିଜଗ ସିଂହ ମୂର୍ତ୍ତିମାନ ସ୍ଥାନିତ ହୋଇଛି ।

ପଞ୍ଚ ରଥ ଶୈଳୀର ଜଗମୋହନ ଏକ ଛୋଟ ସନ୍ଧିସ୍ଥଳ ଦ୍ୱାରା ଦେଉଳ ସହିତ ସଂଯୋଗ ହୋଇଛି । ଏହାର ବାଡ଼ ଦକ୍ଷିଣ ପାଶ୍ୱର୍ ରାହା ପାଖରେ ଏକ ପ୍ରବେଶ ଦ୍ୱାର ଥିବାବେଳେ ଉତ୍ତର ପାଶ୍ୱର୍ ରାହା ଉପରେ ଦକ୍ଷିଣ-ଉତ୍ତର ଭାଗ ପ୍ରସ୍ଥ ୯.୨୫ମିଟର ଅଷଟ । ଏହା ମଧ୍ୟରେ ଚାରିଗୋଟି ଚତୁସ୍କୋଣ ଖମ୍ବ ରହିଛି । ବାହାର ପାଖ  ନିର୍ମାଣର ବାଡ଼ର ଉଚ୍ଚା ପ୍ରାୟ ୮.୬୦ମିଟର ହୋଇଥିବାବେଳେ ପୀଢ଼ ଓ ଘଣ୍ଟଯୁକ୍ତ ଚାଳର ଉଚ୍ଚତା ପ୍ରାୟ ୧୯.୦୦ମିଟର ଅଟେ । ଏହା ଉପରେ ପ୍ରାୟ ୧.୫୦ମିଟର ଉଚ୍ଚତାର କଳସ ରହିଛି । ଏହି ଚାଳର ଚତୁଃପାଶ୍ୱର୍ରେ ଥିବା ସିଂହ ମୂର୍ତ୍ତିଯୁକ୍ତ ବଜ୍ର ମସ୍ତକ ଓ ପୀଢ଼ଧାରର ବର୍ଣ୍ଣନାତ୍ମକ ମୂର୍ତ୍ତି ଗୁଡ଼ିକ ଦୃଷ୍ଟି ଆକର୍ଷଣ କରେ । ଏହିପରି ତଳପତ୍ତନ ଠାରୁ ଜଗମୋହନର ମୋଟ୍ ଉଚ୍ଚତା ପ୍ରାୟ ୨୯.୨୦ମିଟର ଅଟେ । ଦେଉଳ ସହିତ ସମତା ରକ୍ଷା କରି ଜଗମୋହନକୁ ମଧ୍ୟ ମୂର୍ତ୍ତି ଓ ମଣ୍ଡଳାକୃତି ଦ୍ୱାରା ଅଳଂକୃତ କରାଯାଇଛି ।

ଜଗମୋହନ ସହିତ ସଂଯୋଗ ହୋଇଥିବା ନାଟ ମଣ୍ଡପଟି ପରବର୍ତ୍ତୀ ସମୟରେ ନିର୍ମାଣ କରାଯାଇଛି । ଏହା ସହିତ ଭୋଗ ମଣ୍ଡପଟି ସମ ଉଚ୍ଚତା ବିଶିଷ୍ଟ ଏକ ପୀଠ ଉପରେ ନିର୍ମିତ । ପ୍ରାୟ ୦.୮୦ମିଟର ଉଚ୍ଚତା ବିଶିଷ୍ଟ ଏହି ପୀଠର ଜଂଘରେ ଥିବା ମୁଣ୍ଡି ଗୁଡ଼ିକରେ ବିଭିନ୍ନ ମୂର୍ତ୍ତିମାନ ସ୍ଥାନିତ ହୋଇଛନ୍ତି । ନଡୁମୋହନ ଶୈଳୀ ଏହି ନିର୍ମାଣର ଉଚ୍ଚତା ମୁଖ୍ୟ ଦେଉଳ ବାଡ଼ ବାରଣ୍ଡର ଅଗ୍ରଭାଗ ସହିତ ପ୍ରାୟ ସମାନ । ବର୍ଗାକାର ଭୁନକ୍ସାରେ ଏହାର ପ୍ରତ୍ୟେକ ପାଶ୍ୱର୍ ୧୬.୦୦ମିଟର ଓ ବାଡ଼ର ଉଚ୍ଚତା ପ୍ରାୟ ୫.୪୫ମିଟର । ଦକ୍ଷିଣ ଓ ଉତ୍ତର ପ୍ରତ୍ୟେକ ପାଶ୍ୱର୍ ବାଡ଼ରେ ତିନୋଟି କରି ପ୍ରବେଶ ପଥ ରହିଛି । ଅନୁଚ୍ଚ ତିନି ପୀଢ଼ ଓ ମସ୍ତକ ଭାଗ ଥିବା ନିର୍ମାଣଟିର ମୋଟ୍ ଉଚ୍ଚତା ପ୍ରାୟ ୯.୦୦ମିଟର ।

ବର୍ତ୍ତମାନର ଭୋଗ ମଣ୍ଡପ ବା ମନ୍ଦିରଟି ପ୍ରଥମେ ମୁଖ୍ୟ ମନ୍ଦିର ସହିତ ନାଟମଣ୍ଡପ ଭାବେ ନିର୍ମିତ ହୋଇଥିବାର ସୂଚନା ମିଳେ । ସେତେବେଳେ ଏହା ଜଗମୋହନ ଠାରୁ ପ୍ରାୟ ୧୬.୦୦ମିଟର ଦୂରତ୍ୱରେ ରହିଥିଲା । ଏହାର ନିର୍ମାଣ ଚତୁଃପାଶ୍ୱର୍ର ପ୍ରତ୍ୟେକ ବାଡ଼ର ମଧ୍ୟ ଭାଗରେ ଗୋଟିଏ ମୁଖ୍ୟ ତୋରଣୀ ଓ ଦୁଇ ପାଶ୍ୱର୍ରେ ଗୋଟିଏ ଗୋଟିଏ ଉପ ତୋରଣ ରହିଥିଲା । ପରବର୍ତ୍ତୀ ସମୟରେ ଏହାର କେତେକ ଉପତୋରଣକୁ ବନ୍ଦ କରିଦିଆଯାଇ ଏହାକୁ ଭୋଗ ମନ୍ଦିର ଭାବେ ବ୍ୟବହାର କରାଯିବାବେଳେ ଜଗମୋହନ ଓ ଏହି ନିର୍ମାଣର ମଧ୍ୟ ଭାଗରେ ଥିବା ସ୍ଥାନରେ ନୂତନ ନାଟ ମଣ୍ଡପର ପରିକଳ୍ପନା ଓ ନିର୍ମାଣ କରାଯାଇଛି । ଏହି ଭୋଗ ମଣ୍ଡପଟି ୦.୮୦ମିଟର ଉଚ୍ଚତା ବିଶିଷ୍ଟ ପୂର୍ବୋକ୍ତ ଶୈଳୀର ଏକ ପୀଠ ଉପରେ ଦଣ୍ଡାୟମାନ ହୋଇଥିବାବେଳେ ଏହି ବର୍ଗାକାର ନିର୍ମାଣର ଭୁନକ୍ସାରେ ପ୍ରତ୍ୟେକ ବାହାର ପାଖ ପ୍ରାୟ ୧୭.୩୦ମିଟର ଅଟେ । ଏହା ଏକ ଭିନ୍ନ ଶୈଳୀର ଅନୁଚ୍ଚ ଅର୍ଥାତ୍ ସୁନ୍ଦର ଘଣ୍ଟାଣୀ ପୀଢ଼ ଦେଉଳ । ଏହାର ଉଚ୍ଚତା ପ୍ରାୟ ୯.୭୫ମିଟର । ଏହାର ସମ୍ମୁଖ ଦ୍ୱାର ବନ୍ଦ ରହୁଥିବାବେଳେ କିଞ୍ôଚତ୍ ବ୍ୟବଧାନରେ ଲିଙ୍ଗରାଜଙ୍କ ବାହନ ବୃଷଭ ସ୍ତମ୍ଭଟି ରହିଛି । ଏହାର ନାଟ ମନ୍ଦିର ଭୋଗ ମଣ୍ଡପ ଓ ଚମତ୍କାର ଗଣେଶ ମୂର୍ତ୍ତି ବେଶ୍ ଆକର୍ଷଣୀୟ । କାରୁକାର୍ଯ୍ୟ ଓ ବିଶାଳତା ପାଇଁ ଏହା ପ୍ରସିଦ୍ଧ । ଓଡ଼ିଆ  ଶିଳ୍ପୀର ଦକ୍ଷତା ଏହା ପ୍ରମାଣ କରିଥାଏ ।

Photo Credit- https://bit.ly/3LNBlvi


Share Samadhwani
Support Samadhwani

About ଶ୍ରୀ ଅଶୋକ କୁମାର ମହାନ୍ତି

ଚିତ୍ରକର, କଳା ଶିକ୍ଷକ, ଲେଖକ

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …