‘ନାରୀ ଗୁହାରି’ : ଖଗେଶ୍ୱର ଶେଠ

କବିଙ୍କର କାବ୍ୟ ନାୟିକା ହେଉଛନ୍ତି ଜଣେ ସାଧାରଣ ଗାଉଁଲି ନାରୀ

Swayamprava Parhi (Chief Editor)
2 Min Read

ନାରୀ ମନର ଅନ୍ତର୍ନିହିତ ବେଦନାକୁ ଓ ଗହନ କଥାକୁ ଭାଷାରେ ପ୍ରକାଶ କରିବାର ସାହସ ରଖିଥିଲେ ଜଣେ ନାରୀବାଦୀ କବି ଖଗେଶ୍ୱର ଶେଠ । ତାଙ୍କର ସେହି ବୈପ୍ଲବିକ ଚେତନାର ଅନ୍ୟ ଏକ ସ୍ୱର ହେଲା ‘ନାରୀ ଗୁହାରି’ କାବ୍ୟ। କାବ୍ୟଟିର ରଚନା କାଳ ୧୯୪୦-୪୨ ଭିତରେ । କବିଙ୍କର କାବ୍ୟ ନାୟିକା ହେଉଛନ୍ତି ଜଣେ ସାଧାରଣ ଗାଉଁଲି ନାରୀ , ଯିଏକି ଦେବୀ ମହାଲକ୍ଷ୍ମୀଙ୍କନିକଟରେ ନିଜର ‘ଗୁହାରି’କୁ ଜଣାଏ ।  କେମିତି ସେ ସବୁ ସମୟରେ ପୁରୁଷର ଷଡଯନ୍ତ୍ରର ଶିକାର, କେମିତି ବେଦ, ପୁରାଣ ଠାରୁ ଆରମ୍ଭକରି ସବୁ ସ୍ଥାନରେ ତାକୁ ହିଁ ବଳି ଚଢେଇ ପୁରୁଷ ନିଜର ଅଧିପତ୍ୟକୁ ଜାହିର କରି ଆସିଛି । ଶୋଷକ, ଅତ୍ୟାଚାରୀ ପୁରୁଷତନ୍ତ୍ରକୁ ସାବାଡ଼ କରିବାକୁ ଗୁହାରି କରେ ସେ ମହାଲକ୍ଷ୍ମୀଙ୍କ ନିକଟରେ । ସେ ଅଭିଯୋଗ କରେ ଯେ ଆମ ସମାଜ ଯେଉଁ ନାରୀକୁ ଦେବୀ ରୂପରେ ପୂଜା ଆରାଧନା କରେ, ସେହି ନାରୀ ଉପରେ ପୁଣି ପୁରୁଷ ସମାଜ ଅକଥନୀୟ ଅତ୍ୟାଚାର କରେ, ଦମନ କରେ ଓ ସବୁବେଳେ ତାକୁ ନିଜର କବଳ ଭିତରେ ବାନ୍ଧିରଖିବାକୁ ପ୍ରୟାସ କରେ । ପୁରୁଷର ଏଭଳି ଅମାନବିକ ଦମନ ଲୀଳାକୁ ଦେବୀ ମା ଶାସ୍ତି ଦେବାକୁ ମହାଲକ୍ଷ୍ମୀଙ୍କୁ ଗୁହାରି କରେ।

‘ଜଗତ ପାଳନ ଧନ ଅଧିକାର ତୁମ୍ଭ ହସ୍ତେ ଅର୍ପି ଈଶ୍ୱର,

ବୀଣାପାଣି କରେ ଦେଲେ ସେ ପ୍ରକାରେ ବିଦ୍ୟା ଭାର ସାରା ବିଶ୍ୱର;

ଜନନୀ, ଦହି ହୁଏ ମର୍ମ ସନ୍ତାପେ;

Samadhwani Support us

ବିଦ୍ୟାଧନେ ନାରୀ ନୁହେଁ ଅଧିକାରୀ ମୁଢ଼ ସମାଜର ପ୍ରତାପେ । ।

ଶଇଶବେ ପିତା ଯଉବନେ ପତି ବାର୍ଦ୍ଧକ୍ୟ ଜୀବନେ କୁମର,

ନାରୀର ମହତ୍ୱ – ରକ୍ଷଣେ ଏମାନେ ଭିଡିଛନ୍ତି ବୀର କମର;

‘ଅବଳା’ ନାମ ଘେନି ନାରୀ ରହିବ,

ମାତୃତୁଲ୍ୟ ସବୁ ସହି ପାରିଲେ ସେ ‘ମହିଳା’ ପଦବୀ ବହିବ । ।

ଠକ ଅବିଶ୍ୱାସୀ ମୁର୍ଖ ମିଥ୍ୟାଭାଷୀ ପତି ଚଳେ ବିଶ୍ୱ-ଭବନେ,

ସତୀ ଗୁଣବତୀ ନହେଲେ ଯୁବତୀ ଗତି ନାହିଁ ସାରା ଜୀବନେ;

ଜନନୀ, କେଡ଼େ ପକ୍ଷପାତି ଧରମ,

ଏ ଧରମ ଗଢି-ଥିବା ସମାଜକୁ ନ ମାଡେ କି ଲାଜ ସରମ?

ଭ୍ରାନ୍ତି ଥିଲେ ଦେବୀ ଦୃଷ୍ଟି ଦିଅ ଦେବି, ଶାନ୍ତିଧାରା ଝରୁ ପରାଣେ

‘ନାରୀ ଧର୍ମ’ ଅଛି ‘ନରଧର୍ମ’ ବୋଲି ଲେଖା ନାହିଁ ଦେଖା ପୁରାଣେ;

ନାରୀର ଦାବୀ ନାହିଁ ଯଦି ବେଦରେ,

ବେଦାଦେଶ କିମ୍ପା ମାନିବ ରମଣୀ ପକ୍ଷପାତୀ ମତ ଭେଦରେ?’

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.