‘ନାରୀ ଗୁହାରି’ : ଖଗେଶ୍ୱର ଶେଠ

କବିଙ୍କର କାବ୍ୟ ନାୟିକା ହେଉଛନ୍ତି ଜଣେ ସାଧାରଣ ଗାଉଁଲି ନାରୀ

Chief Editor
Chief Editor 279 Views
2 Min Read

ନାରୀ ମନର ଅନ୍ତର୍ନିହିତ ବେଦନାକୁ ଓ ଗହନ କଥାକୁ ଭାଷାରେ ପ୍ରକାଶ କରିବାର ସାହସ ରଖିଥିଲେ ଜଣେ ନାରୀବାଦୀ କବି ଖଗେଶ୍ୱର ଶେଠ । ତାଙ୍କର ସେହି ବୈପ୍ଲବିକ ଚେତନାର ଅନ୍ୟ ଏକ ସ୍ୱର ହେଲା ‘ନାରୀ ଗୁହାରି’ କାବ୍ୟ। କାବ୍ୟଟିର ରଚନା କାଳ ୧୯୪୦-୪୨ ଭିତରେ । କବିଙ୍କର କାବ୍ୟ ନାୟିକା ହେଉଛନ୍ତି ଜଣେ ସାଧାରଣ ଗାଉଁଲି ନାରୀ , ଯିଏକି ଦେବୀ ମହାଲକ୍ଷ୍ମୀଙ୍କନିକଟରେ ନିଜର ‘ଗୁହାରି’କୁ ଜଣାଏ ।  କେମିତି ସେ ସବୁ ସମୟରେ ପୁରୁଷର ଷଡଯନ୍ତ୍ରର ଶିକାର, କେମିତି ବେଦ, ପୁରାଣ ଠାରୁ ଆରମ୍ଭକରି ସବୁ ସ୍ଥାନରେ ତାକୁ ହିଁ ବଳି ଚଢେଇ ପୁରୁଷ ନିଜର ଅଧିପତ୍ୟକୁ ଜାହିର କରି ଆସିଛି । ଶୋଷକ, ଅତ୍ୟାଚାରୀ ପୁରୁଷତନ୍ତ୍ରକୁ ସାବାଡ଼ କରିବାକୁ ଗୁହାରି କରେ ସେ ମହାଲକ୍ଷ୍ମୀଙ୍କ ନିକଟରେ । ସେ ଅଭିଯୋଗ କରେ ଯେ ଆମ ସମାଜ ଯେଉଁ ନାରୀକୁ ଦେବୀ ରୂପରେ ପୂଜା ଆରାଧନା କରେ, ସେହି ନାରୀ ଉପରେ ପୁଣି ପୁରୁଷ ସମାଜ ଅକଥନୀୟ ଅତ୍ୟାଚାର କରେ, ଦମନ କରେ ଓ ସବୁବେଳେ ତାକୁ ନିଜର କବଳ ଭିତରେ ବାନ୍ଧିରଖିବାକୁ ପ୍ରୟାସ କରେ । ପୁରୁଷର ଏଭଳି ଅମାନବିକ ଦମନ ଲୀଳାକୁ ଦେବୀ ମା ଶାସ୍ତି ଦେବାକୁ ମହାଲକ୍ଷ୍ମୀଙ୍କୁ ଗୁହାରି କରେ।

Support Samadhwani

‘ଜଗତ ପାଳନ ଧନ ଅଧିକାର ତୁମ୍ଭ ହସ୍ତେ ଅର୍ପି ଈଶ୍ୱର,

ବୀଣାପାଣି କରେ ଦେଲେ ସେ ପ୍ରକାରେ ବିଦ୍ୟା ଭାର ସାରା ବିଶ୍ୱର;

ଜନନୀ, ଦହି ହୁଏ ମର୍ମ ସନ୍ତାପେ;

Support Samadhwani

ବିଦ୍ୟାଧନେ ନାରୀ ନୁହେଁ ଅଧିକାରୀ ମୁଢ଼ ସମାଜର ପ୍ରତାପେ । ।

ଶଇଶବେ ପିତା ଯଉବନେ ପତି ବାର୍ଦ୍ଧକ୍ୟ ଜୀବନେ କୁମର,

ନାରୀର ମହତ୍ୱ – ରକ୍ଷଣେ ଏମାନେ ଭିଡିଛନ୍ତି ବୀର କମର;

‘ଅବଳା’ ନାମ ଘେନି ନାରୀ ରହିବ,

ମାତୃତୁଲ୍ୟ ସବୁ ସହି ପାରିଲେ ସେ ‘ମହିଳା’ ପଦବୀ ବହିବ । ।

ଠକ ଅବିଶ୍ୱାସୀ ମୁର୍ଖ ମିଥ୍ୟାଭାଷୀ ପତି ଚଳେ ବିଶ୍ୱ-ଭବନେ,

ସତୀ ଗୁଣବତୀ ନହେଲେ ଯୁବତୀ ଗତି ନାହିଁ ସାରା ଜୀବନେ;

ଜନନୀ, କେଡ଼େ ପକ୍ଷପାତି ଧରମ,

ଏ ଧରମ ଗଢି-ଥିବା ସମାଜକୁ ନ ମାଡେ କି ଲାଜ ସରମ?

ଭ୍ରାନ୍ତି ଥିଲେ ଦେବୀ ଦୃଷ୍ଟି ଦିଅ ଦେବି, ଶାନ୍ତିଧାରା ଝରୁ ପରାଣେ

‘ନାରୀ ଧର୍ମ’ ଅଛି ‘ନରଧର୍ମ’ ବୋଲି ଲେଖା ନାହିଁ ଦେଖା ପୁରାଣେ;

ନାରୀର ଦାବୀ ନାହିଁ ଯଦି ବେଦରେ,

ବେଦାଦେଶ କିମ୍ପା ମାନିବ ରମଣୀ ପକ୍ଷପାତୀ ମତ ଭେଦରେ?’

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.