ସମ୍ପ୍ରତ୍ତି ସାମାଜିକ ସ୍ଥିତି ଏବଂ ପୃଥିବୀର ଭବିଷ୍ୟତ ବର୍ତ୍ତମାନ ଅନେକ ପ୍ରଶ୍ନ ଉତ୍ଥାପନ କରିଛି । ଆମେ ଇତିହାସକୁ ଯାହା ଜାଣିଛୁ ସେଥିରୁ ଜୀବମଣ୍ଡଳର ବିବର୍ତ୍ତନ ଓ ସର୍ବୋପରି ମାନବ ସମାଜର ବିବର୍ତ୍ତନ ଗୋଟିଏ ଗୁରୁତ୍ୱ୍ୱପୂର୍ଣ୍ଣ ଅଧ୍ୟୟନ । ଏ ବିଷୟରେ ଇତିହାସରେ ବହୁ ଦାର୍ଶନିକ, ସମାଜବିଜ୍ଞାନର ଅବଦାନ ଲିଖିତ ବା କଥିତ ଆକାରରେ ରହିଛି । ଏହା ସତ୍ତ୍ୱେ ମାନବ ସମାଜ ଯେଉଁ ଆଡ଼କୁ ମୁହାଁଉଛି ତାହା ଶୁଭଙ୍କର ନୁହେଁ । ବୈଜ୍ଞାନିକ ସମାଜଚିନ୍ତକମାନେ ଏ ବିଷୟରେ ବହୁବାର ଚେତାବନୀ ଦେବା ସତ୍ତ୍ୱେ ପରିବର୍ତ୍ତନର ସ୍ରୋତର ଦିଗ ପ୍ରାୟ ଅପରିବର୍ତ୍ତିତ ରହିଛି ।
ଯେମିତି ଭଗବତ ଗୀତାର ଏକ ଶ୍ଳୋକ ରହିଛି:
ଯଥା ପ୍ରଦିପଂ ଜ୍ୱୋଳନଂ ପତଙ୍ଗା
ବିଶନ୍ତି ନାଶାୟ ସମୃଦ୍ଧ ବେଗା
ତଥୈବ ନାଶାୟ ବିଶନ୍ତି ଲୋକା
ସ୍ତବାପି ବକ୍ରାଣି ସମୃଦ୍ଧ ବେଗା…ଏକାଦଶ ଅଧ୍ୟାୟ
ଜଣାପଡ଼ୁଛି ସତେଯେପରି ଆମ ସମାଜ ଏକ ବିପର୍ଯ୍ୟୟ ଆଡ଼େ ମୁହାଁଉଛି । ଏହାସତ୍ତ୍ୱେ ସବୁବେଳେ ଏହି ବିପର୍ଯ୍ୟୟରୁ ରକ୍ଷା ପାଇବାପାଇଁ ବିକଳ୍ପ ବିଚାରଧାରା ସୃଷ୍ଟିକରିଛି । କେବେ କେବେ ସଫଳ ହୋଇଛି କେବେ କେବେ ହୋଇନାହିଁ ମଧ୍ୟ । ଏହି ନୈରାଶ୍ୟପୂର୍ଣ୍ଣ ପରିବେଶକୁ ଆଶାର ଆଲୋକ ଦେଖାଇବାରେ ଡଃ ଭଗବତ ପ୍ରସାଦଙ୍କର ଏହି ପ୍ରୟାସ ଅନେକ ବୁଦ୍ଧିଜୀବୀଙ୍କୁ ଚିନ୍ତା କରିବାପାଇଁ ଖୋରାକ ଯୋଗାଇବ । ସେହି ପରିପ୍ରେକ୍ଷୀରେ ଏଭଳି ଗୋଟିଏ ପୁସ୍ତକ ଅତ୍ୟନ୍ତ ଜରୁରୀ ବୋଲି ମୁଁ ଭାବୁଛି । ଆଶା କରାଯାଉଛି ଏ ବହି ଯଥେଷ୍ଟ ବିତର୍କ ସୃଷ୍ଟି କରିବ ।
ଯଦି ପ୍ରକୃତରେ ବିତର୍କ ସୃଷ୍ଟିକରେ ତା’ହେଲେ ଏ ବହିଟିର ଉଦ୍ଦେଶ୍ୟ ସଫଳ ହେବ ବୋଲି କୁହାଯିବ । ଅନେକ ସମୟରେ ନୀରବତାର ଷଡ଼ଯନ୍ତ୍ର ଯୋଗୁଁ ସତ୍ୟ ମଧ୍ୟ ଅଣଦେଖା ହୋଇଯାଏ । ଆଶା ଏହି ଗଭୀର ଅନ୍ୱେଷଣ ନିଶ୍ଚୟ ଫଳବତୀ ହେବ । ଅନେକଗୁଡ଼ିଏ ପ୍ରଶ୍ନ ବାହାରିବାର ସମ୍ଭାବନା ଅଛି ଯାହା ମାନବ ସମାଜର ଧ୍ୱଂସାଭିମୁଖୀ ଗତିର ଦିଗ ପରିବର୍ତ୍ତନ କରିବ ।