ସଦ୍‌ଭାବନା ଶ୍ରୀକ୍ଷେତ୍ର ରେମଣ୍ଡା

ସୁରେଶ ତ୍ରିପାଠୀ
ସୁରେଶ ତ୍ରିପାଠୀ 159 Views
6 Min Read

[box type=”shadow” align=”” class=”” width=””]ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାଠାରେ ଅବସ୍ଥିତ ସଦ୍ଭାବନା ଶ୍ରୀକ୍ଷେତ୍ର ରେମଣ୍ଡା ଗ୍ରାମ । ଗ୍ରାମଟିକୁ ସଦ୍ଭାବନା ଶ୍ରୀକ୍ଷେତ୍ର ବୋଲି କହିବାର ପ୍ରାସଙ୍ଗିକତା ହେଲା ଗ୍ରାମଟି ସାଂସ୍କୃତିକ ସଦ୍ଭାବନାର ଚେତନାରେ ଭରପୁର। ସଂଖ୍ୟାଧିକ ହିନ୍ଦୁ ଓ ସଂଖ୍ୟାଲଘୁ ମୁସଲିମ ମାନଙ୍କ ମଧ୍ୟରେ ଗଢିଉଠିଛି ସାଂସ୍କୃତିକ ସମନ୍ୱୟ । ପ୍ରତିବର୍ଷ ଆଷାଢ଼ ପଂଚମି ଦିନ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି ଗ୍ରାମରେ ଓ ଏହାକୁ ଶ୍ରଦ୍ଧାର ସହ ବିଗତ ୧୨୦ ବର୍ଷ ଧରି କରି ଆସୁଛନ୍ତି ଅଂଚଳର ଗୌନ୍ତିଆ ମୁସଲମାନ ପରିବାର । ଗୌନ୍ତିଆ ପରିବାରର ଜ୍ୟେଷ୍ଠ ପୁଅଙ୍କ ଦ୍ୱାରା ଛୋରାପହଁରା ମଧ୍ୟ ହୋଇଆସୁଛି । ୧୯୮୪ରୁ ମହମ୍ମଦ- ଜମିଉଲ୍ଲା ଯିଏକି ଏବେକାର ଗୌନ୍ତିଆ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ତାଙ୍କର ନିଷ୍ଠା ପାଇଁ ‘ସାରଳା ସମ୍ମାନ’ ରେ ତାଙ୍କୁ ସମ୍ମାନିତ କରଯାଇଛି । ଏହି ଭଳି ସଦ୍ଭାବନାର ସଂସ୍କୃତିର ଉଦାହରଣ ଗୁଡିକ ହିଁ ଭାରତର ଆତ୍ମାର ପରିପ୍ରକାଶ । ବିଶେଷକରି ଆଜିର ଭାରତ ବର୍ଷରେ ଧାର୍ମିକ ଅସହିଷ୍ଣୁତା ଯେଉଁଭଳି ଉଗ୍ର ରୂପ ଧାରଣ କରିଛି ସେହିଭଳି ଅବସ୍ଥାରେ ଏହିସବୁ ଉଦାହରଣ ମାନଙ୍କୁ ପୁଣିଥରେ ଲୋକଙ୍କ ନଜରକୁ ଆଣିବା ଓ ଆମର ଗୌରବମୟ ସଂସ୍କୃତିକୁ ବଞ୍ଚାଇରଖିବା ପାଇଁ ଆହ୍ଵାନଟିଏ ଦେବା ଜରୁରୀ ମନେହୁଏ – ସମ୍ପାଦକ [/box]

ସଦ୍‌ଭାବନା ଶ୍ରୀକ୍ଷେତ୍ର ଭାବେ ମୁଖ୍ୟତ ପରିଚିତ ହେଉଛି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଅନ୍ତର୍ଗତ ରେମଣ୍ଡା ଗ୍ରାମ । ଏହା ଜିଲ୍ଲା ସଦର ମହକୁମା ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ । ମୋଗଲ ସମୟରୁ ଏହା ମୁସଲିମ୍ ଗୌନ୍ତିଆ (ମାଲ ଗୁଜାର)ଙ୍କ ଦ୍ୱାରା ଶାସିତ । ଚାରି ଦିଗେ ଜଂଗଲ ପାହାଡ଼ ଜୋର ଓ ଝରଣା ଦ୍ୱାରା ପରିବେଷ୍ଟିତ । ପୂର୍ବେ ଏହା ମୁରା ଓ ରଂପେଲା ଥାନା ଦ୍ୱାରା ଆବଦ୍ଧ ଥିଲା । ଗ୍ରାମର ସାଂସ୍କୃତିକ ଚେତନା ଏକ ମହନୀୟ ବିଷୟ । ଏଠି ସଂଖ୍ୟାଧିକ ହିନ୍ଦୁ ଓ ସଂଖ୍ୟାଲଘୁ ମୁସଲିମ ମାନଙ୍କ ମଧ୍ୟରେ ଯେପରି ସଦ୍‌ଭାବ ଓ ମୈତ୍ରୀ ରହିଛି ତାହା ଅନନ୍ୟ । ଏଠି ଜନ ସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୯୦୦ ମସିହାରୁ ତତ୍କାଳୀନ ଗୌନ୍ତିଆ ଓ୍ୟାରିସ ସାହେବଙ୍କ ଅମଳରୁ ପ୍ରତିବର୍ଷ ଆଷାଢ଼ ପଂଚମି ଦିନ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଆୟୋଜିତ ହୋଇ ଆସୁଛି । ଗୌନ୍ତିଆ ପରିବାରର ପୃଷ୍ଠପୋଷକତା ବେଶ୍ ପ୍ରଶଂସନୀୟ । ବିଶେଷତଃ ରକ୍ଷଣଶୀଳ ବ୍ୟକ୍ତିବିଶେଷଙ୍କ ଧାର୍ମିକ ସଂକୀର୍ଣ୍ଣତା ସତ୍ତ୍ୱେ ଗୌନ୍ତିଆ ପରିବାରର ଜ୍ୟେଷ୍ଠ ପୁଅଙ୍କ ଦ୍ୱାରା ଛୋରାପହଁରା ହୋଇ ଆସୁଥିବା ସର୍ବସାଧାରଣରେ ମର୍ଯ୍ୟାଦା ଲାଭ କରିଆସିଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଛେରା ପହଁରା ପାଇଁ ସୁଖ୍ୟାତ ହୋଇଥିବା କବି ଗୌନ୍ତିଆ ମହମ୍ମଦ ଜମିଉଲ୍ଲାଙ୍କ ଅଭିବ୍ୟକ୍ତି ଅନୁଧ୍ୟାନ ଯୋଗ୍ୟ ।

ନୀଳ ଶୈଳର ଶିଖର ଉପରୁ

କେତେ ନିକଟତର ମନେ ହୁଏ

ମକ୍‌କା ମୁଅଜ୍ଜମାର ପବିତ୍ର ଦ୍ୱାର

ଏବଂ ମଦୀନା ମୁନୱରାର ସବୁଜ ଗମ୍ବୁଜ,

ହେ ମହାବାହୁ ତୁମ ଚକ୍ଷୁ ଯୁଗଳରେ

ମୈତ୍ରୀ ଆଉ ସଂହିତର ଉଚ୍ଛ୍ୱାସ ପୂରିଥିବା ବେଳେ

ତୁମେ ଉଭୟ ବାହୁ ପ୍ରସାରି

ଆଲିଂଗନ କରିନେବାକୁ ଚାହଁ

ସମଗ୍ର ବିଶ୍ୱକୁ!

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେମଣ୍ଡାଠାରେ ୧୨୦ ବର୍ଷ ଧରି  ପାଳିତ ହୋଇଆସୁଥିବା  ଏହି ରଥଯାତ୍ରର ଅଞ୍ଚଳର ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ  ସାମ୍ପ୍ରଦାୟିକ ସଦ୍ଭାବନା ଗଢିବାରେ ମୁଖ୍ୟ ଭୂମିକା ନେଇ ଆସିଛି । ଛେରା ପହରା ଗାଁର  ମୁସଲିମ ଗୌନ୍ତିଆ ପରିବାରର ମୁଖ୍ୟ କରୁଥିବା ବେଳେ ରଥଟଣା ଉଭୟ ସମ୍ପ୍ରଦାୟ କରିଥାନ୍ତି । ଗାଁରେ ଜଗନ୍ନାଥାଙ୍କ ମୂର୍ତ୍ତି ନଥିବାରୁ ସୁନାରୀ ଗ୍ରାମରୁ ଆଣି ରଥଯାତ୍ରା କରାଯାଉଥିଲା । ପୁରୀରେ ଆଷାଢ଼ ମାସର ଦ୍ଵିତୀୟାରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ପଞ୍ଚମୀ ଦିନ ରେମେଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏବେ ନିଜସ୍ଵ ମୂର୍ତ୍ତି ରହିଥିଲେ ମଧ୍ୟ  ଅତୀତର  ପରମ୍ପରାକୁ ସମ୍ମାନ ଦେଇ ତୃତୀୟା ଦିନ ହିଁ  ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।

୧୯୮୪ରୁ ମହମ୍ମଦ- ଜମିଉଲ୍ଲା ଏହି ପରମ୍ପରାକୁ ସଂପାଦନା କରି ଆସୁଛନ୍ତି । ତାଙ୍କର ନିଷ୍ଠା ପାଇଁ ‘ସାରଳା ସମ୍ମାନ’ ରେ ତାଙ୍କୁ ସମ୍ମାନିତ କରାଯାଇଛି  । ସେ କହନ୍ତି ଜଗନ୍ନାଥଙ୍କ ଜଣେ ଭକ୍ତ ଭାବରେ ନିଜକୁ ଗୌରବ।ନ୍ଵିତ ମନେ କରେ, ମୋର ପରିବାର ଦ୍ଵାରା ଆରମ୍ଭ ହୋଇଥିବା ଏହି ଗୌରବଶାଳୀ ପରମ୍ପରାକୁ  ଆମେ ବଜାୟ ରଖିବୁ ।  ଜଣେ ମୁସଲମାନ ଭାବେ  ଦିନକୁ ପାଞ୍ଚଥର ନମାଜ ପାଠ କରିଥାନ୍ତି ହେଲେ ଜଗନ୍ନାଥଙ୍କ ସେବାରେ କୌଣସି ଉଣା କରନ୍ତି  ନାହିଁ । ପୂଜକ ସୁଭାଶ ଶତପଥି କହନ୍ତି;  “ଗାଁରେ ହିନ୍ଦୁମାନଙ୍କ ପର୍ବପର୍ବାଣୀରେ ମୁସଲମାନ ପରିବାରମାନେ ସାମିଲ ହୋଇଥାନ୍ତି ଓ ମୁସଲମାନମାନଙ୍କ ପର୍ବ ପର୍ବାଣୀରେ ହିନ୍ଦୁମାନେ ସମାନ  ଆଗ୍ରହର ସହ ସାମିଲ ହୋଇ ଆସୁଛନ୍ତି” । ଗାଁ ଲୋକଙ୍କ ବିଚାରରେ ଧର୍ମ ଏକ ଗୋଷ୍ଠୀର  ବିଶ୍ୱାସରେ ଆବଦ୍ଧ ହୋଇପାରେ ମାତ୍ର ସବୁ  ଧର୍ମର ପର୍ବପର୍ବାଣୀ ସମସ୍ତଙ୍କ ପାଇଁ,  ଏ ଭଲି ଏକ ମହାନ୍ ବିଚାରକୁ ନେଇ ଏକ ଶତାବ୍ଦୀ  ଧରି  ହିନ୍ଦୁ ଓ ମୁସଲିମ୍  ଉଭୟ ସଂମ୍ପ୍ରଦାୟ ଇଦ , ରଥଯାତ୍ରା, ନୂଆଖାଇ ପର୍ବ ଏକାଠି  ପାଳନ କରି ଆସୁଛନ୍ତି।

ସାମ୍ପ୍ରଦାୟିକ ସଦ୍ଭାବନା ଓ ଜାତୀୟ ସଂହତିକୁ ସୁଦୃଢ କରିବା ଲକ୍ଷ୍ୟ  ରଖି  ‘ସହମତି ‘ନାମକ  ଏକ ସଂଗଠନ  ଗଠନ କରାଯାଇଛି । ରଥଯାତ୍ରା ଅବସରରେ ସର୍ବଧର୍ମ ସାସ୍କୃତିକ  ସମାରୋହର ସହ  ସାମ୍ପ୍ରଦାୟିକ  ସଦ୍ଭାବନା ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ ଯୋଜନା ରହିଥିବା  ସଙ୍ଗଠନର ସଦସ୍ୟମାନେ ପ୍ରକାଶ କରିଛନ୍ତି । ସବୁ ଧର୍ମର ଉଦାରମନା ଲୋକଙ୍କୁ ନେଇ ସଙ୍ଗଠନ ତାର କଲେବର କୁ ବଢ଼େଇ ଚାଲିଛି ।

ହୀରାକୁଦ ଜଳଭଣ୍ଡାର ଦ୍ଵାରା ବୁଡ଼ିଯାଇଥିବା ଅନେକ ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ  ପ୍ରତିମୂର୍ତ୍ତି   ଆଣି ପୂଜକମାନେ  ଘରେ  ରଖି  ପୂଜା କରୁଛନ୍ତି । ତିଳିଆ ଗ୍ରାମର ଜଗନ୍ନାଥଙ୍କ ମୂର୍ତ୍ତି କୁ ଆଣି   ଅଢ଼ାପଢ଼ା ,ଭୂତିଆ, ବାରଗାଡ ରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି ସୁନାରୀ ଗ୍ରାମରୁ ପ୍ରତିମୂର୍ତ୍ତି ଆଣି ରଥଯାତ୍ରା ରେମଣ୍ଡରେ ଅନୁଷ୍ଠିତ ହେଉଥିଲା। ଏବେ ଗାଁରେ ନିଜର ପ୍ରତିମୁର୍ତ୍ତି ହେଲା ପରେ ବି ପୁରୁଣା ପରମ୍ପ୍ରାରକୁ ସମ୍ମାନ କରି ରଥଯାତ୍ରା  ଆଷାଢ଼ ପଞ୍ଚମୀ ଦିନ ଅନୁଷ୍ଠିତ  ହୋଇଅଛି । ପୂଜକ ସୁବାସଙ୍କ ଘର ମାଉସୀ ମା ମନ୍ଦିରକୁ ଉଭୟ ସମ୍ପ୍ରଦାୟର ଲୋକ ରଥକୁ ଟାଣି ଟାଣି   ଆଣିଥାନ୍ତି । ଚଳିତ ବର୍ଷ ଏହି ସାମ୍ପ୍ରତିକ  ସହଭାବନାର ପୀଠ ରମେଣ୍ଡାରେ ଜଗନ୍ନାଥଙ୍କ ଏକ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜା ହୋଇଛି ।

ସାକ୍ଷାତକାର : ମହମ୍ମଦ- ଜମିଉଲ୍ଲା

ପ୍ରଶ୍ନ- ଏହି ରଥ ଟଣା ପରମ୍ପରା କିଏ ଆପଣଙ୍କ ପରିବାରରେ ଆରମ୍ଭ କରିଥିଲେ ? କାହିଁକି ସେ ରଥ ଟାଣିବା ବିଷୟ ଚିନ୍ତା କଲେ ?

ଉତ୍ତର – ରଥଯାତ୍ରା ପରମ୍ପରା 1900 ମସିହାରୁ ମୋ ପ୍ରପିତାମହଃ ୱାରସ ସାହେବଙ୍କ ଠାରୁ ଆରମ୍ଭ କିନ୍ତୁ ଛେରା ପହଁରା ଅଜାଙ୍କ ଠାରୁ ହୋଇଥିବା ଜଣାଯାଏ l

ପ୍ରଶ୍ନ – ଆପାଣାଙ୍କର ରଥ ଯାତ୍ରାକୁ ନେଇ ଯେଉଁସବୁ ଅନୁଭୂତି ରହିଛି କିଛି ଜଣେଇବେ କି? (କିଛି ଘଟଣା ରଥ ଯାତ୍ରା କିମ୍ବା ଏହା ସହିତ ଯୋଡିହୋଇଥିବା କିଛି ଭି କଥା )

ଉତ୍ତର – ରଥ ଯାତ୍ରାକୁ ନେଇ ଉଭୟ ରକ୍ଷଣଶୀଳ ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟ କେବେବି ସହିଷ୍ଣୁ ନଥିଲେ l

ପ୍ରଶ୍ନ – ଆଜିର ସମୟରେ ଯେତେବେଳେ କି ଦେଶରେ ସାମ୍ପ୍ରଦାୟିକ ସଦ୍ଭାବନା ବାଧାପ୍ରାପ୍ତ ହେଉଛି ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କିଛି ଆହ୍ୱାନ ଆସିଛି କି ?

ଉତ୍ତର – ସାମ୍ପ୍ରଦାୟିକ ଆହ୍ୱାନ ରହିଛି ତେବେ ଆମେ ମଧ୍ୟ ଦୃଢ଼ ନିଶ୍ଚିତ l

ପ୍ରଶ୍ନ – ଆପଣଙ୍କ ଅଂଚଳରେ ହିନ୍ଦୁ ମୁସଲମାନ ସମ୍ପର୍କକୁ ନେଇ ଆପଣ କଣ ଭାବନ୍ତି?

ଉତ୍ତର – ଖୁବ ସୁନ୍ଦର ସମ୍ପର୍କ ରହିଛି l

ପ୍ରଶ୍ନ – ଆଜିର ପ୍ରରିସ୍ଥିତିରେ ସମଗ୍ର ଜନ ସମାଜକୁ ଆପଣ କଣ ବାର୍ତ୍ତା ଦେବେ ?

ଉତ୍ତର – ଜାତି ଧର୍ମର ସଙ୍କୀର୍ଣ୍ଣତାରୁ ଉଠି ସମାଜକୁ ନିଜର ବୋଲି ସ୍ୱୀକାର କରନ୍ତୁ l

ସୁରେଶ ତ୍ରିପାଠୀ

Share This Article
ସାମ୍ବାଦିକ, ଲେଖକ ଓ ସାମାଜିକ କର୍ମୀ