ତାଙ୍କର ତାରର ଯାଦୁଗରୀ ପୁରା ପରିବେଶକୁ ମନ୍ତ୍ରମୁଗ୍ଧ କରିପକାଏ ଓ ସଙ୍ଗୀତର ଏକ ଅପୂର୍ବ ପରିପ୍ରକାଶ କରିଥାଏ । ପିଲାଦିନରୁ ସାଙ୍ଗୀତିକ ପରିବେଶ ଭିତରେ ଆଖିଖୋଲିଥିଲେ ସେ । ପିତା ପଣ୍ଡିତ ଉମାଦତ୍ତ ଶର୍ମାଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଖୁବ ଉଚ୍ଚସ୍ଥାନ ମିଳିଥିଲା। ଛୋଟବେଳେ ଯେତେବେଳେ କୁନି କୁନି ପିଲାମାନେ ଖେଳରେ ଲାଗିଥିଲେ ସେତେବେଳେ ପଣ୍ଡିତ ଶିବକୁମାର ଶର୍ମା ସଙ୍ଗୀତର ସ୍ୱର ଓ ରାଗକୁ ଅତି ଆଦରରେ ଘଣ୍ଟା ଘଣ୍ଟା ଅଭ୍ୟାସ କରୁଥିଲେ । ବହୁତ ପରିଶ୍ରମ କରି ସେ ବାପା ଦେଖିଥିବା ସ୍ୱପ୍ନକୁ ପୁରା କରିପାରିଲେ । ଶାସ୍ତ୍ରୀୟ ବାଦ୍ୟରେ ସନ୍ତୁରକୁ ସାମିଲ କରି ଏକ ଉଚ୍ଚସ୍ଥାନ ଦେବା କ୍ଷେତ୍ରରେ ସେ ସଫଳ ହୋଇଥିଲେ । ନିଜ ସମୟର ସମସ୍ତ ଉଚ୍ଚ ସ୍ତରର କଳାକାରମାନଙ୍କ ସହିତ ସେ ସନ୍ତୁର ବାଦନ କରି ଏକ ନୂଆ ଇତିହାସ ସୃଷ୍ଟି କରିପାରିଥିଲେ । ତାଙ୍କର ଆଲବମ ଗୁଡ଼ିକ ସଙ୍ଗୀତ ଦୂନିଆରେ ବହୁଚର୍ଚ୍ଚିତ ହୋଇଥିଲା । ଏହାଛଡ଼ା ବଲିଉଡ଼୍ରେ ଶିବହରି ଦୁଇଜଣ ବହୁତ ସୁନ୍ଦର ସୁନ୍ଦର ଗୀତ କମ୍ପୋଜ କରିଥିଲେ ।
ସକସିୟତକୁ ନିଜର ସାକ୍ଷାତକାର ଦେଇ ଶିବକୁମାର ଶର୍ମା କହିଥିଲେ ଯେ, “ଆମ ଭାରତରେ ସଙ୍ଗୀତର ସୃଷ୍ଟି ଯଦିଓ ମନୋରଞ୍ଜନ ପାଇଁ ହୋଇଥିଲା କିନ୍ତୁ ଏଥିରେ ଆଧ୍ୟାତ୍ମିକତା ଥିଲା ।”
ପ୍ରଥମେ ତାଙ୍କର ତାଲିମ ତାଙ୍କ ବାପା ପଣ୍ଡିତ ଉମାଦତ୍ତ ଶର୍ମାଙ୍କ ଠାରୁ ଆରମ୍ଭ ହୋଇଥିଲା । ସେ ବନାରଶ ଘରାନାର ଜଣେ ଖୁବ ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଥିଲେ ଓ ବଡ଼େ ରାମ ଦାସଙ୍କର ଶିଷ୍ୟ ଥିଲେ । ୫ ବର୍ଷ ବୟସରେ ଶିବକୁମାର ଶର୍ମାଙ୍କୁ ତାଙ୍କ ପିତା ସଙ୍ଗୀତ ଶିକ୍ଷା ଦେବା ଆରମ୍ଭ କରିଥିଲେ । କିନ୍ତୁ ବଡ଼ ହେବା ସଙ୍ଗେ ସଙ୍ଗେ ଶିବକୁମାର ଶର୍ମା ତବଲା ବଜେଇବା ପ୍ରତି ଧିରେ ଧିରେ ଆକର୍ଶିତ ହେଲେ । ୭ରୁ ୮ବର୍ଷ ବୟସରେ ସେ ଛୋଟ ଛୋଟ ପିଲାଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ଗୁଡ଼ିକରେ ରେଡ଼ିଓରେ ବଜେିବା ଆରମ୍ଭ କରିଦେଇଥିଲେ । ଦିନେ ତାଙ୍କ ବାପା ତାଙ୍କୁ କହିଲେ ଯେ, ମୁଁ ତୋତେ ଏହି ତାର ବାଦ୍ୟ ଶିକ୍ଷା ଦେବାକୁ ଚାହୁଁଛି । ଏକଥା ଶୁଣି ଶିବକୁମାର ଶର୍ମାଙ୍କ ଆଗରେ ବହୁତ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା । ତାଙ୍କ ମନରେ ବାରମ୍ବାର ପ୍ରଶ୍ନ ଆସିଥିଲା କାହିଁକି ମୁଁ ଏ ବାଦ୍ୟ ବଜେଇବି? ସେ କହିଲେ, “ଶେଷରେ ମୁଁ ବଜେଇବା ଆରମ୍ଭ କଲି । ମୁଁ ତ ଗୀତ ଗାଇବା ଶିଖିଥିଲି, ରାଗଦାରୀ ମୋତେ ଜଣାଥିଲା, ତବଲାରେ ମୋର ଜ୍ଞାନ ଥିଲା । ସନ୍ତୁର ବଜେଇବାର ଟେକନିକ କେବଳ ମୋତେ ବାପା ଶିକ୍ଷା ଦେଲେ । ମୋର ୨୫ବର୍ଷ ପୁରୁଣା ଗୋଟିଏ ସନ୍ତୁର ଥିଲା ଯାହା ୧୦୦ ତାର ବିଶିଷ୍ଟ । ତାକୁ ଗୋଟିଏ ଷ୍ଟାଣ୍ଡରେ ରଖି ବଜା ହଉଥିଲା । ତାକୁ ବଜେଇବାର ତରିକା ମଧ୍ୟ ଅଲଗା ଥିଲା । ତାର ପୁରା ସିଷ୍ଟମକୁ ମୁଁ ବଦଳେଇ ଦେଲି ।
ସବୁଠାରୁ ବଡ଼ ଜିନିଷ ଥିଲା ଏମିତି ଅନ୍ୟକୌଣସି ତାରବାଦ୍ୟ ନଥିଲା ଯାହା କାଠିରେ ବାଜିପାରିବ । ସୀତାରରେ ତୁମ ଆଙ୍ଗୁଳି ତାରରେ ଲାଗିବ, ସରୋଦରେ ମଧ୍ୟ ଆଙ୍ଗୁଳି ଲଗାଇବାକୁ ହୁଏ, ସାରଙ୍ଗୀକୁ ଗଜରେ ବଜାଯାଏ । ତାରର ଏମିତି କୌଣସି ବାଦ୍ୟ ନାହିଁ ଯାହା କଲମ (କାଠରୁ ତିଆରି) ସାହାଯ୍ୟରେ ବାଜିବ । ଜଳ ତରଙ୍ଗ ଅଛି କିନ୍ତୁ ସେଥିରେ ତାର ନାହିଁ । ତେଣୁ ସନ୍ତୁର ଏମିତି ଏକ ବାଦ୍ୟ ଯାହା ଅନ୍ୟ କୌଣସି ବାଦ୍ୟ କ୍ୟାଟେଗୋରୀରେ ରହିପାରିବ ନାହିଁ । ଯଦିଓ ଏହା ଅତି ପୁରୁଣା ବାଦ୍ୟ । ଶହ ଶହ ବର୍ଷର ପୁରୁଣା ବାଦ୍ୟ । ଏହାର ନାଁ ଶତତନ୍ତ୍ରୀ ବୀଣା ଥିଲା ।
ଗାୟକମାନଙ୍କ ଭିତରେ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାଁ ସାହେବ, ଉସ୍ତାଦ୍ ମୁସ୍ତାକ ହୁସେନ ଖାଁ ସାହେବ, ପଣ୍ଡିତ ଓଁକାର ନାଥ ଠାକୁର ଜୀ, ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଦ୍ଦନ ଜୀ, ପଣ୍ଡିତ ନାରାୟଣ ରାଓ ବ୍ୟାସ, ଶିଦ୍ଧେଶ୍ୱରୀ ଦେବୀ ଜୀ, ରସୁଲନ ବାଈ ଜୀ, ମୋଗୁବାଈ ଜୀ କୁର୍ଦ୍ଦିକର, ଆପଣ ଯାହାର ନାଁ ନେବେ ସମସ୍ତଙ୍କ ଆଗରେ ମୁଁ ପ୍ରଥମେ ୧୭ବର୍ଷ ବୟସରେ ବଜେଇଥିଲି । ଇନଷ୍ଟ୍ରୁମେଣ୍ଟ କ୍ଷେତ୍ରରେ ଉସ୍ତାଦ ଅଲ୍ଲୀ ଅକବର ଖାଁ ସାହେବ, ଉସ୍ତାଦ ବିଲାୟତ ଖାଁ ସାହେବ, ପଣ୍ଡିତ ରବିଶଙ୍କର ଜୀ ଏମିତି ସବୁ ଲୋକ ଥିଲେ । ତବଲା ବାଦ୍ୟକାର ମାନଙ୍କ ମଧ୍ୟରେ ଉସ୍ତାଦ ଆଲ୍ଲାରେଖା ଖାଁ ସାହେବ, ପଣ୍ଡିତ କିଶନ ମହାରାଜ ଜୀ, ପଣ୍ଡିତ ଶାନ୍ତାପ୍ରସାଦ ଜୀ, କରାମତ ଅଲ୍ଲୀ ଖାଁ ସାହେବ ଥିଲେ ।
ମୁଁ ଯେତେବେଳେ ପ୍ରଥମେ ପ୍ରଥମେ ବଜେଇଲି ଯେଉଁମାନେ ସଙ୍ଗୀତରେ ଅଜ୍ଞ ଥିଲେ ସେମାନଙ୍କୁ ଲାଗିଲା ଯେ, କିଛି ନୂଆ ସ୍ୱର ବାଜୁଛି । ଯିଏ ଜାଣିବା ଲୋକ ଥିଲେ ଯେଉଁମାନେ ସଙ୍ଗୀତ କରୁଥିଲେ ସେମାନଙ୍କୁ ସେଥିରେ ଭୂଲ ଦେଖାଯାଉଥିଲା । ସେମାନେ ମୋତେ କହିବା ଆରମ୍ଭ କଲେ ।
ସେତେବେଳେ ୧୯୫୫ ମସିହାରେ ଗୋଟିଏ ଫିଲ୍ମ ହୋଇଥିଲା ଝନକ ଝନକ ପାୟଲ ବାଜେ, ସେହି ଫିଲ୍ମରେ ପ୍ରଥମ ଥର ପାଇଁ ସନ୍ତୁର ବାଜିଥିଲା । ସନ୍ତୁର ଫିଲ୍ମରେ ୧୯୫୫ରୁ ବାଜିବା ଆରମ୍ଭ ହେଲା ।
ମୁଁ ଚାକିରୀ କରିବାପାଇଁ ଚାହୁଁନଥିଲି । ସକାଳ ୯ରୁ ସଂନ୍ଧ୍ୟା ୬ ଯାଏ ଚାକିରୀ କରିବା ମୋପାଇଁ ଗୋଲାମୀ କାମ ଥିଲା । ସେଥିପାଇଁ ମୁଁ ବାପାଙ୍କୁ କହିଦେଲି ଯେ, ମୁଁ ଚାକିରୀ କରିପାରିବିନି । ଗୋଟେ ଦିନ ମୋ ଉପରେ ଭିଷଣ ଗାଳି ପଡ଼ିଲା । ବାପା କହିଲେ ଯେ, ତୁ ନିଜକୁ କଣ ଭାବୁଛୁ? କେବେଠୁ ତୋତେ କହୁଛି କିଛି ଚାକିରୀ କରିବାକୁ? ମୁଁ ତୋ ପାଇଁ କିଛି ବନ୍ଦୋବସ୍ତ କରିଦେଉଛି ତା ପରେ ତୁ ସଙ୍ଗୀତ କରିବାକୁ ଯିବୁ । ମୁଁ କହିଲି ନାଁ । ଆପଣ ମୋତେ ସଙ୍ଗୀତରେ ତାଲିମ ଦେଇଦେଲେ, ଶିକ୍ଷା ଦେଲେ, ବଡ଼ କଲେ, ଏବେ ମୋତେ ନିଜେ କିଛି କରିବାର ଅଛି । ଏବେ ମୋତେ ଯିବାପାଇଁ ଦିଅନ୍ତୁ । ତୃତୀୟ ଦିନ ମୁଁ ଜବରଦସ୍ତି ପଳାଇ ଆସିଲି । ବାପା ମୋତେ ୫୦୦ଟଙ୍କା ଦେଇଥିଲେ । ୫୦୦ ଟଙ୍କା ଓ ସନ୍ତୁର ବାଦ୍ୟକୁ ଧରି ମୁଁ ଘରୁ ବାହାରି ଆସିଥିଲି । ଗୋଟିଏ କଥା ମୁଁ ଜାଣିଥିଲି ମୋତେ ଏହି ବାଦ୍ୟପାଇଁ କିଛି କରିବାର ଅଛି । ଏବଂ ବାପାଙ୍କ ଠାରୁ ପଇସା ନେବି ନାହିଁ ।
ମୋତେ କହିବାକୁ କେବେ ଲାଜ ଲାଗେନି ଯେ, ମୁଁ ଏହି ବାଦ୍ୟ ବଜେଇବା ପାଇଁ ବହୁତ କଷ୍ଟ ସହିଛି । କଷ୍ଟ ସହିବା କିଛି ଲଜ୍ୟାକର କଥା ନୁହେଁ ।”
ସନ୍ତୁର ବାଦ୍ୟକୁ ଶାସ୍ତ୍ରୀୟ ସଙ୍ଗୀତରେ ଏକ ଅତି ଉଚ୍ଚ ସ୍ଥାନ ଦେବା କ୍ଷେତ୍ରରେ ପଣ୍ଡିତ ଶିବକୁମାର ଶର୍ମାଙ୍କର ଅବଦାନ ଅତୁଳନୀୟ। କଲ ଅଫ ଦ ଭେଲି, ମାଉଣ୍ଟେନ ଭଳି ଆଲବମ ତାଙ୍କର ଅତିପ୍ରିୟ ଆଲବମ ଯାହା ପ୍ରକୃତିର ସ୍ୱରକୁ ପ୍ରକାଶ କରିଥାଏ ।
ସନ୍ତୁରର ଭବିଷ୍ୟତକୁ ନେଇ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, “ ଏ ସଙ୍ଗୀତ ଆଜିଯାଏ ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା ପାଇଁ । ଶ୍ରେଣୀ ଗ୍ରୃହରରେ ଶିକ୍ଷା ଭିତରେ କେବେ କଳାକାର ତିଆରି ହୁଅନ୍ତି ନାହିଁ । ଶହ ଶହ ଲୋକଙ୍କୁ ଆପଣ ଶିଖାନ୍ତୁ କିନ୍ତୁ ଗୋଟିଏ ଡ଼ଜନ ଲୋକ ବି ସେହି ଉଚ୍ଚତାରେ ପହଞ୍ଚି ପାରିବେ ନାହିଁ । କାରଣ ଏହା ଅସମ୍ଭବ ଅଟେ । ଦଶବର୍ଷ ତଳେ କେବେ ମୁଁ ଏକଥା କହିନଥିଲି କିନ୍ତୁ ଆଜି କହୁଛି। ରାହୁଲ ଶର୍ମା ମୋ ପୁଅ ସେ ନିଜକୁ ପ୍ରମାରିତ କରିଛି ଲୋକଙ୍କ ଆଗରେ ।”
photo credit- https://bit.ly/3wAdqs2