ସଂଗୀତରେ ଦେଶପ୍ରୀତି (ଏକ ସୃଜନଶୀଳ ଶ୍ରଦ୍ଧାଞ୍ଜଳି)

ପୂର୍ବତନ ବାଚସ୍ପତ୍ତି ରବିରାୟଙ୍କର ୪ର୍ଥ ଶ୍ରାଦ୍ଧ ଦିବସରେ ସେହିଭଳି ଜଣେ ବିଶିଷ୍ଟ ସମାଜବାଦୀ ତଥା ନିଆରା ବ୍ୟକ୍ତିତ୍ୱଙ୍କୁ ଲୋହିଆ ଏକାଡ଼େମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦେବାର ଏକ ସୃଜନଶୀଳ ଉଦ୍ୟମ କରାଯାଇଥିଲା । ଏହି ଅବସରରେ ଲୋହିଆ ଏକାଡ଼େମୀ ‘ସମଧ୍ୱନି ସଙ୍ଗୀତ ଗ୍ରୃପ’କୁ ଆମନ୍ତ୍ରଣ କରିଥିଲେ ସଙ୍ଗୀତ ପରିବେଷଣ କରିବାପାଇଁ । ଗତବର୍ଷ ରବିରାୟଙ୍କର ୩ୟ ଶ୍ରାଦ୍ଧ ଦିବସରେ ବରଗଡ଼ ଜିଲ୍ଲାର ପଦମପୁରରୁ ‘ଦ ଲୁ’ ଦ୍ୱାରା ଉପସ୍ଥାପନ କରାଯାଇଥିଲା ‘ଗାନ୍ଧୀ ଛକ୍‌’ ନାଟକ । ଏହି ପରମ୍ପରାକୁ ଆଉ ପାଦେ ଆଗେଇ ନେବାପାଇଁ ଲୋହିଆ ଏକାଡ଼େମୀର ସମ୍ପଦକ ଦେବପ୍ରସାଦ ରାୟମହାପାତ୍ର ଏବଂ ଲୋହିଆ ଏକାଡ଼େମୀର ଅନ୍ୟତମ ସଦସ୍ୟ ତଥା ସମାଜବାଦୀ ଚିନ୍ତକ ପ୍ରଫୁଲ୍ଲ ସାମନ୍ତରା ପ୍ରୟାସ କରିଥିଲେ ।

Support Samadhwani

ମାର୍ଚ୍ଚ ୬ ତାରିଖ ସଂନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଲୋହିଆ ଏକାଡ଼େମୀ ପରିସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମାଜବାଦୀ ଚିନ୍ତକ ପ୍ରଫୁଲ୍ଲ ସାମନ୍ତରା ସ୍ୱାଗତ ଭାଷଣ ଦେଇ ରବିରାୟଙ୍କର ସ୍ମୃତିଚାରଣ କରିଥିଲେ । ଆଜିର ସମୟରେ ରବିରାୟଙ୍କର ଅଭାବକୁ ସେ ପ୍ରକାଶ କରିଥିଲେ ନିଜର ଅଭିଭାଷଣରେ । ରବିରାୟଙ୍କ ସମ୍ପର୍କରେ ସ୍ୱଳ୍ପ ଚର୍ଚ୍ଚା ଉପସ୍ଥାପନ କରିଥିଲେ ସମଦୃଷ୍ଟିର ସମ୍ପାଦକ ତଥା ରାଜ୍ୟର ଜଣେ ବିଶିଷ୍ଟ ସାମ୍ବାଦିକ ସୁଧୀର ପଟ୍ଟନାୟକ ମହୋଦୟ । ରବିରାୟଙ୍କୁ ପୁଷ୍ପ ସମର୍ପଣ କରିବାପରେ ସମଧ୍ୱନିର ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ସମଧ୍ୱନି ସାଂସ୍କୃତିକ ସଙ୍ଗଠନର ମୁଖ୍ୟ ତଥା ସମଧ୍ୱନି ପତ୍ରିକାର ସମ୍ପାଦକ ସ୍ୱୟଂପ୍ରଭା ପାଢ଼ୀ ସମଧ୍ୱନିକୁ ଲୋହିଆ ଏକାଡ଼େମୀ ତରଫରୁ ଏଭଳି ଏକ ଅବସର ଦିଆଯାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ରବିରାୟ ଜଣେ ସଙ୍ଗୀତ ପ୍ରେମୀ ମଣିଷ ଥିଲେ ଓ ସେ ନିଜେ ଏକୁଟିଆ ସମୟରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣୁଥିଲେ ଏକଥାଟି ମଧ୍ୟ ସମସ୍ତଙ୍କ ପାଇଁ ନୂଆ ଥିଲା । ସମଧ୍ୱନି ଦ୍ୱାରା ସଙ୍ଗୀତ ପରିବେଷଣ ତାଙ୍କପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେ ପ୍ରକାଶ କରିଥିଲେ । ସମଧ୍ୱନିର ସଙ୍ଗୀତ କାର୍ଯ୍ୟକ୍ରମକୁ ଯୁବ ନାଟ୍ୟ ନିର୍ଦ୍ଦେଶକ ତଥା ସମଧ୍ୱନିର ସଦସ୍ୟ ଦେବବ୍ରତ ପଟ୍ଟନାୟକ ସଂଯୋଜନା କରିବାପାଇଁ ସ୍ୱୟଂପ୍ରଭା ପାଢ଼ୀ ଅନୁରୋଧ କରିଥିଲେ ।

Support Samadhwani

ଦେବବ୍ରତ ପଟ୍ଟନାୟକ ଜଣ ଜଣ କରି ପ୍ରତ୍ୟେକଟି କଳାକାରଙ୍କ ସହିତ ଉପସ୍ଥିତ ସମସ୍ତ ଦର୍ଶକଙ୍କର ପରିଚିତି କରାଇଥିଲେ। ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ଯନ୍ତ୍ର ବାଦନରେ ସହଯୋଗ କରିଥିଲେ ଲକ୍ଷ୍ମୀଧର ମହାରଣା(ଅକ୍ଟୋପେଡ଼୍‌), ଗୁରୁପ୍ରସାଦ ମିଶ୍ର(ତବଲା), ଧ୍ରୃତିମୟ ବେହେରା (କିବୋର୍ଡ଼ ପ୍ଲେୟର), ଜ୍ୟୋତିପ୍ରକାଶ ସାହୁ (ଭାଓଲିନ) । ସଙ୍ଗୀତ ପରିବେଷଣ କରିଥିଲେ ଗଣସଙ୍ଗୀତ ଶିଳ୍ପୀ ଅଜିତ ପାଣିଗ୍ରାହୀ, ଓଡ଼ିଶୀ ସଙ୍ଗୀତର ଶିଳ୍ପୀ ରାଜେଶ ଲେଙ୍କା, ହିନ୍ଦୁସ୍ଥାନୀ ଶିଳ୍ପୀ ସ୍ୱୟଂପ୍ରଭା ପାଢ଼ୀ, ହିନ୍ଦୁସ୍ଥାନୀ ଶିଳ୍ପୀ ଧ୍ରୃତିମୟ ବେହେରା ।

କାର୍ଯ୍ୟକ୍ରମ ଆରମ୍ଭରେ ଜ୍ୟୋତିପ୍ରକାଶ ସାହୁ ଏକକ ଭାଓଲିନ ବାଦନ କରି ସମଗ୍ର ପରିବେଶକୁ ବିମୋହିତ କରିଦେଇଥିଲେ । ବୈଷ୍ଣବ ଜନ ତୋ ସଙ୍ଗୀତରୁ ଭାଓଲିନ ବାଦନ ଆରମ୍ଭ କରିବା ପରେ ସେ ରାଗ ଯୋଗ ସହିତ ଏକ ୱେଷ୍ଟର୍ଣ୍ଣ କମ୍ପୋଜିସନ୍ ବଜାଇ ଥିଲେ । ତା ପରେ ଓଡ଼ିଶୀର ଏକ ପାରମ୍ପାରିକ ଗୀତ ତୋଲାଗି ଗୋପଦାଣ୍ଡ ମନାରେ ଗୀତ ଉପରେ ବାଦନ କରିବା ପରେ ଏକଲା ଚଲୋରେ…ରବିନ୍ଦ୍ର ନାଥଙ୍କ ବହୁଚର୍ଚ୍ଚିତ ଗୀତଟିକୁ ଭାଓଲିନରେ ବଜାଇ ଥିଲେ । ଶେଷରେ ରଘୁପତି ରାଘବ ରାଜାରାମ ବାଦନ କରି ଝାଲାରେ ନିଜର ଭାଓଲିନ ବାଦନ ଶେଷ କରିଥିଲେ । ପାଖାପାଖି ଅଧଘଣ୍ଟା ଧରି ଭାଓଲିନ ବଜାଇ ଜ୍ୟୋତି ପ୍ରକାଶ ସାହୁ ସମଗ୍ର ପରିବେଶକୁ ସ୍ତମ୍ବିଭୂତ କରିପକାଇଥିଲେ ଓ ନିଜର କଳାକାରପଣିଆର ଉତ୍କୃଷ୍ଟ ପ୍ରମାଣ ମଧ୍ୟ ଦେଇଥିଲେ ।

ଭାଓଲିନର ମୁର୍ଚ୍ଛନାରୁ ବାହାରି ସତରେ ପୁଣିଥରେ କଣ୍ଠ ସଙ୍ଗୀତ ଶୁଣିବା ବହୁତ କଷ୍ଟକର ବ୍ୟାପାର । ତଥାପି ଗଣସଙ୍ଗୀତର ଜଣେ ଗାୟକ ଭାବରେ ଅଜୀତ ପାଣିଗ୍ରାହୀଙ୍କ କଣ୍ଠରେ ସେମିତି ଉଦ୍ଦାମତା ରହିଛି ଯାହାକୁ ଶୁଣିବାପାଇଁ ଶ୍ରୋତା ନିଶ୍ଚୟ ଆଗଭର ହୋଇଉଠିବେ । ଅଜିତ ପାଣିଗ୍ରାହୀଙ୍କର ପ୍ରଥମ ଗୀତ ଥିଲା ଏକାତ ନଥିଲେ ଏକା ହେଇ ନାହୁଁ;

ଏକାତ ନଥିଲେ ଏକା ହୋଇ ନାହୁଁ

ଏକା କେବେ ହେବା ନାହିଁ

ଦୁନିଆ ବୁକୁରେ ପାଦଯିଏ ଦିଏ

ଏକା ଏକା ଚାଲେ ନାହିଁ…

ଏହି ଗୀତଟିର ଲକ୍ଷ୍ୟ ହେଲା ସମସ୍ତଙ୍କୁ ଏକାଠି ଚାଲିବାପାଇଁ ଏବଂ ଏକାଠି ଲଢ଼ିବା ପାଇଁ ପ୍ରେରଣା ଦେବା । ସାମ୍ପ୍ରତ୍ତିକ ସମୟରେ ନିଜେ ଏକା ଏକା ବଞ୍ଚିବାର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ଏହାକୁ ପ୍ରତିହତ କରି ଏକାଠି ବଞ୍ଚିରହିବାର ସଂସ୍କୃତିକୁ ତୋଳି ଧରିବାପାଇଁ ଗୀତଟି ଭିତରୁ ପ୍ରେରଣା ମିଳୁଛି । ଗୀତିକାରଙ୍କ ମତରେ ମଣିଷର ଇତିହାସ ହେଉଛି ସମୁହର ଇତିହାସ । ଏହି ସମୁହ ଯେତେବେଳେ ଏକାଠି ହୋଇଛନ୍ତି ସେମାନେ ସମାଜରେ ପରିବର୍ତ୍ତନ ଆଣିପାରିଛନ୍ତି । ଆମକୁ ଇତିହାସରୁ ପ୍ରେରଣା ନେଇ ଏକାଠି ମିଳିତ ଭାବରେ ଆମ ସମସ୍ୟା ପାଇଁ ତଥା ଅଧିକାର ପାଇଁ ସଂଗ୍ରାମ କରିବାକୁ ହେବ ଏହା ହେଉଛି ଏହି ଗୀତଟିର ମୁଖ୍ୟ ବାର୍ତ୍ତା । ଏହି ଗୀତକୁ ଗାଇବା ସମୟରେ ଅଜିତ ଗୀତ ଭିତରର ଶବ୍ଦମାନଙ୍କ ସହ ନିଜକୁ ମିଶାଇ ଦିଅନ୍ତି । ଅଦ୍ଭୁତ ଶିହରଣ ସୃଷ୍ଟି ହୋଇଥାଏ ଅଜିତଙ୍କ ଗୀତ ଗାୟନକୁ ଶୁଣିବାବେଳେ । ସିଏତ ପୁରା ଭାବରେ ବିହ୍ୱଳ ଥାଆନ୍ତି ଶ୍ରୋତାଙ୍କୁବି ନିଜ ଭାବରେ ବୁଡ଼େଇ ଦିଅନ୍ତି ସେ । ମନେପଡ଼େ ଉତ୍କଳ ମଣ୍ଡପରେ ସେ ଥରେ ଏହି ଗୀତ ଗାଇବା ସମୟରେ ସମଗ୍ର ଶ୍ରେତା ଭାବବିହ୍ୱଳ ଓ ସ୍ତବ୍ଦ ହୋଇଉଠିଥିଲେ । ସମଧ୍ୱନି ଗ୍ରୃପପାଇଁ ଅଜିତଙ୍କ ଭଳି ଗାୟକ ନିଶ୍ଚିତ ଭାବରେ ଏକ ମହାନ ସମ୍ପଦ । ସେ ଜଣେ ସାଧାରଣ ଗାୟକ ନୁହଁନ୍ତି ଜଣେ ଜନଆନ୍ଦୋଳନର କର୍ମୀ । ଲୋକଙ୍କ ସମସ୍ୟାକୁ ଅତ୍ୟନ୍ତ ଗଭୀରତାର ସହିତ ଅନୁଭବ କରନ୍ତି ଏବଂ ସେହି ଅନୁଭବକୁ ସେ ନିଜ ଗୀତ ମାଧ୍ୟମରେ ପରିପ୍ରକାଶ କରନ୍ତି । ଅଜିତ କୁମାର ପାଣିଗ୍ରାହୀଙ୍କର ଦିତ୍ୱୀୟ ଗୀତଟି ଥିଲା ମାଟିର ମଣିଷ ।

ମାଟିର ମଣିଷ ମାଟିରେ ଜନମ

ମାଟିରେ ଜୀବନ ଆମ

ମାଟିର ଫସଲ ରକତେ ଆମର

ମାଟିକୋଳେ ବିତେ ଦିନ …

ମାଟି ବିନା ଆମ ସ୍ଥିତି ନାହିଁ ସାଥି

ମାଟିରେ ମିଶିବୁ ଦିନେ

ରକ୍ତ ବିନିମୟେ ମାଟିକୁ ରଖିବୁ

ଭୁଲିତ ଯାଅନି ତୁମେ …

ଗୀତଟି ମାଟି ଓ ଚାଷୀମାନଙ୍କ ଉଦେଶ୍ୟରେ ଲେଖାଯାଇଛି । ସମଗ୍ର ଦେଶରେ ଏବେ ଚାଲିଛି ମାଟିର ସୁରକ୍ଷାପାଇଁ ସଂଘର୍ଷ । ଏହି ସଂଘର୍ଷର ଆଗ ଧାଡ଼ିରେ ଅଛନ୍ତି ଚାଷୀମାନେ । ଯେଉଁ ଚାଷୀମାନେ ନିଜର ଝାଳ, ରକ୍ତ ଦେଇ ମାଟିରେ ଫସଲ ଉଜାଡ଼ନ୍ତି ଆଜି ସେମାନେ ଦିଲ୍ଲୀ ରାଜ ରାସ୍ତାରେ ବସି ନିଜର ଅଧିକାରପାଇଁ, ନ୍ୟାୟପାଇଁ ଲଢ଼ୁଛନ୍ତି । ଏହି ମାଟି ଗୀତଟି ଥିଲା ସେହି ଗାଷୀମାନଙ୍କ ଉଦ୍ଦେଶ୍ୟରେ ।

ଦ୍ଵିତୀୟ କଣ୍ଠଶିଳ୍ପୀ ଥିଲେ ରାଜେଶ କୁମାର ଲେଙ୍କା । ତାଙ୍କର ପ୍ରଥମ ଗୀତଟି ଥିଲା କୁହ ସଖି କୁହ ଇଏ କି ଯୁଗ ଆସିଲା;

କୁହ ସଖି କୁହ ଇଏ କି ଯୁଗ ଆସିଲା

ଅନେକ ଯୁଗର ସତ ମିଛ ହୋଇ ଗଲା

ଖରାରେ ସାରା ଦୁନିଆ ଯେବେ ଜଳୁଥିଲା

ଆଷାଢ଼ ଆଶାରେ ଦିନ କିଛି ବିତି ଗଲା

ଆଷାଢ଼ ଆସିଲା, ଶ୍ରାବଣ ବି ଗଲା

ବାଦଲର ବାଟ ଚାହିଁ ଚାହିଁ

ନିଦ ହଜିଗଲା ଚାଷୀ ନିଦ ହଜି ଗଲା ।

ଗୀତଟିରେ ଋତୁ ପରିବର୍ତ୍ତନର ବାର୍ତ୍ତା ଦିଆଯାଇଛି । ଗୀତଟିରେ ଗୀତିକାର କେମିତି ଋତୁସବୁ ବଦଳି ଯାଇଛି, ଭିଷଣ ରୌଦ୍ର ଋତୁ ଚାରିଆଡ଼େ ମାଡ଼ିଆସିଛି ସେ ବିଷୟଟି ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି । ଚାଷି ପାଣି ଟୋପେ ପାଇଁ କେମିତି ଡ଼ହଳ ବିକଳ ହେଉଛି ସେ ବିଷୟରେ ବର୍ଣ୍ଣନା କରାଯାଇଛି । ସବୁଠାରୁ ବିଡ଼ମ୍ବନାର କଥା ହେଲା ମଣିଷ ସମସ୍ତ ଜୀବ ମାନଙ୍କ ଭିତରେ ଶ୍ରେଷ୍ଠ ଜୀବ ହୋଇଥିଲେ ବି ଏହି ପରିବେଶ ଜଳବାୟୂ, ଋତୁ ପରିବର୍ତ୍ତନ ତାକୁ କିଛି ଆଘାତ ଦେଉନି କି ତା ଭିତରେ କିଛି ଚିନ୍ତନ ସୃଷ୍ଟିକରିପାରୁନି।

ରାଜେଶ କୁମାର ଲେଙ୍କାଙ୍କର ଦ୍ୱିତୀୟ ଗୀତଟି ଥିଲା ଆଇନା… କାହା ଚେହେରାକୁ ଆଉ ଦେଖେନା;

ନିଜର ଚେହେରା ନିଜେ ଦେଖି ଦେଖି

ନିଜଛଡା କିଛି ନଜର ଆସେନା

କେତେଯେ ଚେହେରା ଗଲାଣି ମଉଳି

କାହାପାଇଁ ଟିକେ ନାହିଁତ ସୋଚନା

ଆଇନା…ଆଇନା..

କାହା ଚେହେରାକୁ ଆଉ ଦେଖେନା

ଅଭିନୟ ଭରା ଅନେକ ଚେହେରା

କେତେ ମିଛ କେତେ ଛଳନା

ଏହି ଗୀତଟି ପ୍ରକୃତରେ ଗଣମାଧ୍ୟମକୁ ଆଖି ଆଗରେ ରଖି ଲେଖାଯାଇଛି । ଗୀତିକାର ନିଜେ ଜଣେ ସାମ୍ବାଦିକ । ସେ ଗଣମାଧ୍ୟମର ଲକ୍ଷ୍ୟ, ଉଦେଶ୍ୟ କ’ଣ ହେବା ଦରକାର ଏବଂ ପ୍ରକୃତରେ ଗଣମାଧ୍ୟମ କେମିତି ଗଣମାନଙ୍କ କଥା ନକହି କେବଳ ମିଥ୍ୟାକୁ ବା ଶାସକ ଓ ପଇସା ଥିବା ଲୋକଙ୍କ କଥାକୁ ସତ୍ୟବୋଲି ପ୍ରଚାର କରୁଛି ସେହି ବିଷୟଟି ଗୀତଟି ଭିତରେ କହିବାପାଇଁ ଚେଷ୍ଟା କରିଛନ୍ତି । ସମାଜର ଶୋଷିତ ବର୍ଗର କଥାକୁ ଲୋକଲୋଚନକୁ ଆଣିବା ହେଉଛି ଆଇନା(ଗଣମାଧ୍ୟମ)ର ଧର୍ମ, କିନ୍ତୁ ଆଜିର ସମୟରେ ଆଇନା(ଗଣମାଧ୍ୟମ) ନିଜର ଲକ୍ଷ୍ୟକୁ ଭୂଲି ନିଜକୁ ବନ୍ଧା ପକାଇଛି ପଇସାଥିବା ଲୋକ ଓ ଶାସକ ମାନଙ୍କ ପାଖରେ । ଗୀତିକାର ସେଥିରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଆଇନା ତୁ ଆଉ କାହାରି ଚେହେରାକୁ ଦେଖେନା ।

ପରବର୍ତ୍ତୀ ଗୀତର ଗାୟକ ଥିଲେ ଅଜିତ କୁମାର ପାଣିଗ୍ରାହୀ । ସେ ଗାଇଥିଲେ ଜନମ ମାଟିର ଚଉଦିଗେ…

ମାଝିରେ…

ଜନମ ମାଟିର ଚଉଦିଗେ ଆଜି

ବହେ ଅଣଚାଷ ବାଆ

ବିକାଶ ବତାସ ମାଡ଼ି ଆସିଲାଣି

କିଏବା ଅଛିରେ ସାହା…

ଏହି ଗୀତଟି ଥିଲା ଦେଶରେ ଚାଲିଥିବା ବିନାଶକାରୀ ବିକାଶ ବିରୁଦ୍ଧରେ ଏକ ପ୍ରତିବାଦର ସ୍ୱର । କେମିତି ଆମ ରାଜ୍ୟର ନଦୀ, ପର୍ବତ, ଝରଣା ବିକାଶର ଜାଲରେ ପଡ଼ି ଧ୍ୱଂସ ହେଉଛନ୍ତି ସେଥିରେ ନଦୀ, ପାହାଡ଼ ସବୁ କାନ୍ଦୁଛନ୍ତି ସେ ବିଷୟଟିକୁ ଉତ୍ଥାପନ କରାଯାଇଛି । ଏହି ବିକାଶ କେମିତି ଆମ ନିକଟରେ ଥିବା ପ୍ରକୃତିର ଅମୂଲ୍ୟ ଭଣ୍ଡାରକୁ ଶେଷ କରିଦେବାପାଇଁ ବସିଛି ସେହି ବିଷୟଟି ଗୀତଟିରେ ଆଲୋଚନା କରାଯାଇଛି।

ତାପରେ ରାଜେଶ କୁମାର ଲେଙ୍କା ସହରରେ ଜିଇଁବାଟା ଇଏ କି ଯାତନା ଗୀତଟି ଗାଇଥିଲେ ।

ସହରରେ ଜୀଇଁବାଟା ଇଏ କି ଯାତନା

ନ ଦିଶେ ଏଠି ଜହ୍ନ ନମିଳେ ଯୋଛନା….

ସହରର ଦୁନିଆରେ ଇଏ କି ଘଟଣା

ଦିନ ଚାଲିଯାଏସିନା ରାତିତ ଆସେନା

ମିଛ ମିଛ ଆଲୁଅର ପ୍ରହେଳିକା ପଛେ ଲୁଚିଯାଏ

ଜୀବନର ଯେତେ ସତ  ବାକିତ ଛଳନା

ନଦିଶେ ଏଠି ଜହ୍ନ ନମିଳେ ଯୋଛନା

ଏହି ଗୀତରେ ଗୀତିକାର ସହର ଜୀବନର ଯେଉଁ ଅସହାୟତା ଓ ଦୁଃଖ, ଛଳନା ଭରି ରହିଛି ତାହା ପ୍ରକାଶ କରିବାପାଇଁ ଚେଷ୍ଟା କରିଛନ୍ତି । ଦିନପରି ଦିଶୁଥିବା ସହରର ମିଥ୍ୟା, ପ୍ରତାରଣା ତଥା ଛଳନାକୁ ବାହାରକୁ ଆଣିବାପାଇଁ ପ୍ରୟାସ କରିଛନ୍ତି । ଏହି ଗୀତଟିରେ ଶବ୍ଦ ସଂଯୋଜନା ଖୁବ ସୁନ୍ଦର ଭାବରେ କରାଯାଇଛି । ଗୀତର ସ୍ୱର ସଂଯୋଜନା କରିଛନ୍ତି ସମଧ୍ୱନିର ଅନ୍ୟତମ ସଦସ୍ୟ ଜିତେନ୍ଦ୍ର କୁମାର ସାହୁ । ଗୀତଟି ଗଜଲ ଢ଼ଙ୍ଗରେ ଉପସ୍ଥାପନା କରାଯାଉଥିବାରୁ ଅତ୍ୟନ୍ତ ଶ୍ରୃତି ମଧୁର ଓ ଭାବସ୍ପର୍ଶୀ ହୋଇଛି । ରାଜେଶ କୁମାର ଲେଙ୍କା ଏହି ଗୀତଟିକୁ ସୁନ୍ଦର ଭାବରେ ପରିବେଷଣ କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ ।

ଏହାପରେ ସ୍ୱୟଂପ୍ରଭା ପାଢ଼ୀ ଗାଇଥିଲେ ବାଞ୍ଛାନିଧି ମହାନ୍ତିଙ୍କ ଦ୍ୱାରା ଲିଖିତ ଗୀତ, କି ହେବ ଏ ସ୍ୱରାଜ୍ୟ ଘେନି;

କି ହେବ ଏ ସ୍ୱରାଜ୍ୟ ଘେନି

ଯେବେମୋର ନପୁରେ ପେଟ

ଖଟି ଖଟି ଆମେ ମଲୁଣି ମୁଲିଆ

ପେଟକୁ ତ ଦାନା କନା ନିଅଣ୍ଟ…

ଗୀତିକାର ବାଞ୍ଛାନିଧି ମହାନ୍ତି ଏହି ଗୀତଟିକୁ ଲେଖିଥିଲେ ସ୍ୱାଧିନତା ସଂଗ୍ରାମ ସମୟରେ । ଗୀତଟିରେ ଚାଷୀ ମୁଲିଆର ପେଟପାଟଣା ଓ ସମସ୍ୟାକୁ ଉତ୍ଥାପନ କରିବାକୁ ପ୍ରୟାସ କରାଯାଇଛି । ଗୀତଟିର ଭାଷା ଅତି ସରଳ ଓ ଅତ୍ୟନ୍ତ ଉପାଦେୟ । ଗୀତଟି ଆଜିର ଚାଷୀ ଆନ୍ଦୋଳନ ସମୟରେ ବିଶେଷ ପ୍ରାସଙ୍ଗୀକ ହୋଇଥିବାରୁ ଏହି ଗୀତଟି ସେଠାରେ ପରିବେଷଣ କରାଯାଇଥିଲା ।

ଏହି ସଙ୍ଗୀତ ସଂନ୍ଧ୍ୟାର ଶେଷ ଗୀତଟି ଥିଲା ଧ୍ରୃତିମୟ ବେହେରାଙ୍କ କଣ୍ଠରେ, କାହାକୁ କହିବା ପରଦେଶୀ ସାଥି;

କାହାକୁ କହିବା ପରଦେଶୀ ସାଥି

କିଏ ଏଠି ପ୍ରତିବେଶୀ

ନିଜେ ବାଛୁଥିବା ଶାସକଟା ଯଦି

କାଢ଼ିନିଏ ଗୋଡ଼ତଳ ମାଟି ।

ଗୀତଟି ବିସ୍ଥାପନ ସମସ୍ୟା ଉପରେ ଆଧାରିତ । ସ୍ୱାଧିନତା ଆସିବା ସମୟରେ ସମସ୍ତଙ୍କ ମନରେ ଯେଉଁ ସ୍ୱପ୍ନ ଥିଲା ଯେ, ଲୋକେ ସ୍ୱାଭିମାନର ସହିତ ବଞ୍ଚିବେ ଓ ନିଜ ଭିଟାମାଟିରୁ ଲୋକଙ୍କୁ ଆଉ କେହି ଉଚ୍ଛେଦ କରିପାରିବେନି ସେହି ସ୍ୱପ୍ନ କେମିତି ସ୍ୱାଧିନତା ପରେ ଧୂଳିସାତ ହୋଇଯାଇଛି ଗୀତଟି ଭିତରେ ପ୍ରକାଶ କରାଯାଇଛି । ନିଜେ ବାଛିଥିବା ଶାସକ ନିଜ ପାଦତଳର ଭିଟାମାଟି ଆଜି ଲୋକଙ୍କ ନିକଟରୁ ଛଡ଼ାଇ ନେଉଛି । ଗୀତିକାର ଅତି ସରଳ ଭାଷାରେ ନିଜ ମନର ବେଦନାକୁ ଏହି ଗୀତ ମାଧ୍ୟମରେ ପରିପ୍ରକାଶ କରିଛନ୍ତି ।

କେବଳ ସ୍ଵୟଂପ୍ରଭା ପାଢ଼ୀଙ୍କ କିହେବ ଏ ସ୍ଵରାଜ୍ୟ ଘେନି(ବାଞ୍ଛାନିଧି ମହାନ୍ତି) ଗୀତଟିକୁ ବାଦଦେଲେ ଅନ୍ୟ ସମସ୍ତ ଗୀତର ଗୀତିକାର ହେଉଛନ୍ତି ସୁଧୀର ପଟ୍ଟନାୟକ । ସେ ଲଗାତାର ଭାବରେ ଏମିତି ଅନେକ ଜାଗରଣ ସଙ୍ଗୀତ ରଚନା କରିଚାଲିଛନ୍ତି । ତାଙ୍କ ଗୀତର ବିଶେଷତ୍ୱ ହେଲା ତାଙ୍କ ଗୀତ ଭିତରେ ଥିବା ବଳିଷ୍ଠ ବାର୍ତ୍ତା।

ଏହି ସମଗ୍ର କାର୍ଯ୍ୟକ୍ରମକୁ ଭିଡ଼ିଓ ଡ଼କ୍ୟୁମେଣ୍ଟ କରୁଥିଲେ ସମଧ୍ୱନିର ଅନ୍ୟତମ ସଦସ୍ୟ ଲକ୍ଷ୍ମୀଧର ମୁର୍ମୁ ଓ ସତ୍ୟ ସାଗର ବେହେରା । ସେମାନେ ଏକା ସମୟରେ ଏହି କାର୍ଯ୍ୟକ୍ରମର ଫେସବୁକ ଲାଇଭ ମଧ୍ୟ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହି ସମଧ୍ୱନିର ଅନ୍ୟତମ ସଦସ୍ୟ ଶିବାଶିଷ ରାୟ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ କିପରି ସଂଗଠିତ ହେବ ଅନୁଧ୍ୟାନ କରୁଥିଲେ ଓ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ଲୋହିଆ ଏକାଡେମୀର ଶ୍ରୀଯୁକ୍ତ ମହାପାତ୍ର ବାବୁ ଓ ଦିଲ୍ଲୀପ ବେହେରା ।

ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେବାପରେ ଲୋହିଆ ଏକାଡ଼େମୀର ସମ୍ପାଦକ ଶ୍ରୀ ଦେବ ପ୍ରସାଦ ରାୟ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏକ ସୃଜନଶୀଳ କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିବାରୁ ସମଧ୍ୱନି ସାଂସ୍କୃତିକ ସଙ୍ଗଠନକୁ ସେ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହିଭଳି ସାଂସ୍କୃତିକ ପରିବେଶ ଭିତରେ ରାବିରାୟଙ୍କର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଶେଷ ହୋଇଥିଲା।

 

Share This Article